ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ ପ୍ରସଙ୍ଗରେ ବିଜେପିର ଅଭିଯୋଗ

Published: Mar 22, 2024, 9:25 am IST

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡି, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋ ଚିତ୍ର ଥିବା ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ।

ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିକୁ ଖୋଖୋଲି ଉଲ୍ଲଂଘନ କରିଛି। ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।
ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି।

ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଜାରି କରିଥିବା ନିୟମାବଳୀକୁ ସମସ୍ତେ ପାଳନ କରିବା ଉଚିତ। ଇସିଆଇ ସ୍ପଷ୍ଟଭାବେ କହିଛନ୍ତି ଯେ, ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। ଯେଉଁ ଅନୁସାରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂଗୁଡିକୁ ଖୋଲାଯିବାର ନିର୍ଦ୍ଦେଶନାମା ରହିଛି। କିନ୍ତୁ ସରକାରୀ ଦଳ ବିଜେଡି ଏହାର ଖୋଲାଖୋଲି ଉଲଘଂନ କରୁଛି।

ଏବେବି ଅନେକ ଜାଗାରେ ଦଳର ହୋର୍ଡିଂ, ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିଜେଡି ଦଳୀୟ ଚିହ୍ନ ଓ ସ୍ଳୋଗାନ ଥାଇ ଅନେକ ଜାଗାରେ ବଡ ବଡ ହୋର୍ଡିଂ ଓ ୱାଲିଂ ଲାଗି ରହିଛି। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ଫଟୋ ଏବେ ସୁଦ୍ଧା ରହିଛି। “ଆମ ଓଡ଼ିଶା ନବୀନ ଓଡ଼ିଶା”, “ଆମ ଓଡ଼ିଶା ନୂଆ ଓଡିଶା” ଲେଖା ଥିବା ବହୁ କଟ୍‌ଆଉଟ୍ ଏବଂ ହୋର୍ଡିଂ ବିଭିନ୍ନ ଜାଗାରେ ପୂର୍ବଭଳି ରହିଛି।

ଯାହା ଖୋଲା ଖୋଲି ଆଦର୍ଶ ନିର୍ବାଚନ ଆଚରଣ ବିଧି ତଥା ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଛି। ବହୁ ଜାଗାରେ ଶାସକ ଦଳର ହୋର୍ଡିଂ ଲାଗିଥିବାବେଳେ ବାଛି ବାଛି ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ ବିଜେପି ହୋର୍ଡିଂ ଗୁଡିକୁ କଢ଼ାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବାର ଡ.ଲେଖାଶ୍ରୀ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Related posts