Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ନୂଆ ଏସପି, ଜାଣନ୍ତୁ କିଏ

ଭୁବନେଶ୍ବର: ଭାରତ ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ପାଇଁ ସାର୍ଥକ ଷଡଙ୍ଗୀ ଏବଂ ଖୋର୍ଦ୍ଧା ପାଇଁ ଅବିନାଶ କୁମାର। ଉଭୟ ହେଉଛନ୍ତି 2007 ମସିହା ବ୍ୟାଚର। ରାଜ୍ୟ ସରକାର ଏମାନଙ୍କୁ ତୁରନ୍ତ ନୂଆ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ଏସପି ବଦଳାଇବା ପାଇଁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ବଦଳାଇ ଏହି ଦୁଇ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ ପ୍ରସଙ୍ଗରେ ବିଜେପିର ଅଭିଯୋଗ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡି, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋ ଚିତ୍ର ଥିବା ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ।

ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିକୁ ଖୋଖୋଲି ଉଲ୍ଲଂଘନ କରିଛି। ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।
ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି।

ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଜାରି କରିଥିବା ନିୟମାବଳୀକୁ ସମସ୍ତେ ପାଳନ କରିବା ଉଚିତ। ଇସିଆଇ ସ୍ପଷ୍ଟଭାବେ କହିଛନ୍ତି ଯେ, ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। ଯେଉଁ ଅନୁସାରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂଗୁଡିକୁ ଖୋଲାଯିବାର ନିର୍ଦ୍ଦେଶନାମା ରହିଛି। କିନ୍ତୁ ସରକାରୀ ଦଳ ବିଜେଡି ଏହାର ଖୋଲାଖୋଲି ଉଲଘଂନ କରୁଛି।

ଏବେବି ଅନେକ ଜାଗାରେ ଦଳର ହୋର୍ଡିଂ, ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିଜେଡି ଦଳୀୟ ଚିହ୍ନ ଓ ସ୍ଳୋଗାନ ଥାଇ ଅନେକ ଜାଗାରେ ବଡ ବଡ ହୋର୍ଡିଂ ଓ ୱାଲିଂ ଲାଗି ରହିଛି। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ଫଟୋ ଏବେ ସୁଦ୍ଧା ରହିଛି। “ଆମ ଓଡ଼ିଶା ନବୀନ ଓଡ଼ିଶା”, “ଆମ ଓଡ଼ିଶା ନୂଆ ଓଡିଶା” ଲେଖା ଥିବା ବହୁ କଟ୍‌ଆଉଟ୍ ଏବଂ ହୋର୍ଡିଂ ବିଭିନ୍ନ ଜାଗାରେ ପୂର୍ବଭଳି ରହିଛି।

ଯାହା ଖୋଲା ଖୋଲି ଆଦର୍ଶ ନିର୍ବାଚନ ଆଚରଣ ବିଧି ତଥା ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଛି। ବହୁ ଜାଗାରେ ଶାସକ ଦଳର ହୋର୍ଡିଂ ଲାଗିଥିବାବେଳେ ବାଛି ବାଛି ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ ବିଜେପି ହୋର୍ଡିଂ ଗୁଡିକୁ କଢ଼ାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବାର ଡ.ଲେଖାଶ୍ରୀ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ନେଇ ଘୋଷଣା କରୁଛନ୍ତି ନିର୍ବାଚନ କମିଶନର, ଏଥର ୯୬ କୋଟି ଭୋଟର

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଆଗାମୀ ମତଦାନ ଉପରେ ଏଠାରେ କିଛି ବିବରଣୀ ଅଛି:

୨୦୨୪ ଲୋକସଭା ନିର୍ବାଚନରେ ମୋଟ ୯୬.୮ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି।

ଏଥିରେ ୧.୮ କୋଟି ଭାରତୀୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିକଟରେ ୧୮ ବର୍ଷ ବୟସ ହୋଇଥିଲା ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।

ଏଠାରେ ୮୮.୪ ଲକ୍ଷ ଭୋଟର ହେଉଛନ୍ତି ଭିନ୍ନକ୍ଷମ ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ୪୮,୦୦୦

ନିର୍ବାଚନ ପରିଚାଳନା ପାଇଁ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ କରାଯିବ।

ଏହି ବୁଥଗୁଡିକ ପରିଚାଳନା ପାଇଁ ୧.୫ କୋଟି ମତଦାନ ଅଧିକାରୀ ନିୟୋଜିତ ହେବେ।

ମତଦାନରେ ୫୫ ଲକ୍ଷ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର କରାଯିବ।

ଭାରତର ନିର୍ବାଚନ ଆୟୋଗ ସଫଳତାର ସହ ୧୭ ଟି ସାଧାରଣ ନିର୍ବାଚନ ଏବଂ ୪୦୦ ଟି ବିଧାନସଭା ନିର୍ବାଚନ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଅମିତ ଶାହାଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ ରଘୁବର ଦାସ

ନୂଆଦିଲ୍ଲୀ: ଆଜି ରାଜ୍ୟପାଳ ରଘୁବର ଦାସ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟପାଳଙ୍କ ଶାହାଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।

ପୂର୍ବରୁ ରାଜ୍ୟପାଳ ଦାସ ଓଡିଶାର ବିଭିନ୍ନ ଜିଲ୍ଲା, ସହର ଗ୍ରାମାଞ୍ଚଳ ମାରାଥନ ଗସ୍ତ କରି ସେଠାକାର ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ସେ କହୁଥିଲେ ରାଜ୍ୟର ସ୍ଥିତି ସଂପର୍କରେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ତେବେ ଏହି ଗସ୍ତର ସେହି ଉଦ୍ଦେଶ୍ୟ ନା ଆଉ କିଛି ରହିଛି ତାହା ଜଣାପଡି ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାର୍ଥୀ ତାଲିକା ଦେଖି ଓଡିଶା ବିଜେପି ନେତାଙ୍କ ହୋସ ଉଡିଲା, ପୁଣି ଆସିଲା ମେଣ୍ଟ ସମ୍ଭାବନା

ଭୁବନେଶ୍ବର: ଆଜି କେନ୍ଦ୍ର ବିଜେପି ଲୋକସଭା ନିର୍ବାଚନ ପାଇଁ 18 ଟି ରାଜ୍ୟର 195 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଦେଶର ପ୍ରମୁଖ ନେତାଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ନେତାଙ୍କ ନାମ।

ତେବେ ଏହି ତାଲିକାରେ ଓଡିଶା ରାଜ୍ୟକୁ ଦଳ ବାଦ ଦେଇଛି। ଏଥିରେ କାହା ନାମ ମଧ୍ୟ ଘୋଷଣା କରି ନାହିଁ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ନେତାଙ୍କ ହୋସ ଉଡିଯାଇଛି। କାରଣ ହେଲା ଓଡିଶାରେ କଣ ମେଣ୍ଟ ହେବ ବୋଲି ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ବାଦ ଦେଇଛି କି ? ଏହିପରି ପ୍ରଶ୍ନକୁ ନେଇ ବର୍ତ୍ତମାନ ଓଡିଶା ବିଜେପି ନେତାଙ୍କ ମୁଣ୍ଡବିନ୍ଧା କରିଛି।

ସେତିକି ନୁହେଁ ଆଉ ଏକ ବଡ ଘଟଣାକୁ ନେଇ ଓଡିଶା ବିଜେପିର ହୋସ ଉଡିଯାଇଛି। ତାହା ହେଲା ବର୍ତ୍ତମାନ ବିଜେପି ମୋଟ 18ଟି ରାଜ୍ୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଯେଉଁ ରାଜ୍ୟଗୁଡିକର ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ସେଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର ଏବଂ ଓଡିଶା ପ୍ରଭୃତି ରହିଛି। ଏହିସବୁ ରାଜ୍ୟରେ ବିଜେପି ସରକାରରେ ନାହିଁ। ତେଣୁ ଏହି ରାଜ୍ୟ ଗୁଡିକରେ ମେଣ୍ଟ କରିବା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରି ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଏ ସବୁ ରାଜ୍ୟଗୁଡିର ସରକାରରେ ଥିବା ପ୍ରାୟ ସମସ୍ତ ଦଳ ଏନଡିଏରେ ସାମିଲ ଅଛନ୍ତି। ହେଲେ ଓଡିଶା ପରି କେତୋଟି ରାଜ୍ୟ ଏନଡିଏରେ ସାମିଲ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଛନ୍ତି। ହେଲେ ରାଷ୍ଟ୍ରୀୟ ବିଜେପି ସେମାନଙ୍କ ସହିତ ଆଲୋଚନା କରି ମେଣ୍ଟ କରି ନିର୍ବାଚନ ଲଢିବା ପାଇଁ ନିଷ୍ପତି କରିଛି ସ୍ପଷ୍ଟ ହୋଇଛି। ସେଥିପାଇଁ ଏହି ସବୁ ରାଜ୍ୟକୁ ବିଜେପି ବାଦ ଦେଇଛି ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ କମିଶନରଙ୍କ ସରକାରଙ୍କୁ ତାଗିଦ, ଗୋଟିଏ ସଂସଦୀୟ କ୍ଷେତ୍ରର ଜିଲ୍ଲା ମଧ୍ୟରେ ବଦଳି ମନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ଯେଉଁ ଅଧିକାରୀମାନଙ୍କୁ ବଦଳୀ କରାଯାଉଛି ଯେପରି ସମାନ ସଂସଦୀୟ କ୍ଷେତ୍ରରେ ଥିବା ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଅଧିକାରୀଙ୍କ ବଦଳୀ ନ ହୁଏ।

ସେଥିପ୍ରତି ସଂପୃକ୍ତ ରାଜ୍ୟ ସରକାର ନଜର ରଖିବା ଦରକାର ଓ ଏହି ନିର୍ଦ୍ଦେଶାବଳୀକୁ ଠିକ୍‌ ଭାବେ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନର ପ୍ରଚଳିତ ନିୟମାନୁସାରେ ଜଣେ ଅଧିକାରୀ ନିଜ ଗୃହ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି କିମ୍ବା ତିନିବର୍ଷରୁ ଅଧିକ ଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ବଦଳୀ କରାଯାଉଛି।

ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ ପୂର୍ବରୁ ଯେଉଁ ଅଧିକାରୀମାନଙ୍କର ଗୋଟିଏ ସ୍ଥାନରେ ତିନିବର୍ଷ ପୂରଣ ହୋଇଯାଇଛି, ସେମାନଙ୍କୁ ସଂସଦୀୟ କ୍ଷେତ୍ର (ପି.ସି) ବାହାର ଜିଲ୍ଲାକୁ ବଦଳୀ କରାଯିବ ଏବଂ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତା ୪ ରେ ଘୋଷଣା ହେବ ନିର୍ବାଚନ ତାରିଖ !! ନେତାଙ୍କ ଛାତି ଧଡଧଡ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଯାହା ସବୁଠୁ ଅଧିକ ଚର୍ଚ୍ଚା ତାହା ହେଉଛି ନିର୍ବାଚନ କେବେ ହେବ। ଏହାପରେ କିଏ ଟିକେଟ ପାଇବ ପ୍ରଭୃତି ଆସିବ। ତେବେ ଏକ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ ରେ ନିର୍ବାଚନ ତାରିଖ ଘୋଷଣା ହେବ। ଏ ନେଇ ଭାରତୀୟ ନିର୍ବାଚନ କମିସନର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି।

ବର୍ତ୍ତମାନ ନିର୍ବାଚନ କମିସନର ବିଭିନ୍ନ ରାଜ୍ୟ ଭ୍ରମଣ କରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି। ଯେହେତୁ ଜୁନ ମାସରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ତା ପୂର୍ବରୁ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ ହେବ। ସେଥିପାଇଁ ମାର୍ଚ୍ଚରେ ନିର୍ବାଚନ ତାରିଖ ଘୋଷଣା ହେଲେ ଏପ୍ରିଲ ମେ ରେ ନିର୍ବାଚନ ଶେଷ ହେବ।

ଆଗରୁ ଚର୍ଚ୍ଚା ହେଉଥିଲା ଯେ ନିର୍ବାଚନ କମିସନର ମାର୍ଚ୍ଚ ୯ ତାରିଖ ପରେ ଯେ କୌଣସି ସମୟରେ ଘୋଷଣା କରିପାରନ୍ତି। ହେଲେ ବର୍ତ୍ତମାନ ଏହା ମାର୍ଚ୍ଚ ୪ ବୋଲି ନୂଆଦିଲ୍ଲୀରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତଥର ନିର୍ବାଚନ ତାରିଖ ଘୋଷଣା ମାର୍ଚ୍ଚ ୧୦ ତାରିଖରେ ହୋଇଥିଲା। ତେବେ ଏଥର ଆଗୁଆ ଘୋଷଣା ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ଗତଥର ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ତାହା ଏପ୍ରିଲ ୧୧ ତାରିଖରୁ ମେ ୧୯ ତାରିଖ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାପରେ ମେ ୨୩ ତାରିଖରେ ଭୋଟ ଗଣତି କରାଯାଇଥିଲା। ଏଥର ମଧ୍ୟ ସେହିପରି କରାଯିବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ପ୍ରମୁଖ ପଦାଧିକାରୀଙ୍କ ବୈଠକରେ ପ୍ରସ୍ତୁତ ହେଲା ଆସନ୍ତା ନିର୍ବାଚନ ପାଇଁ ରଣନୀତି

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ପ୍ରସ୍ତୁତି କରାଯାଇଛି।

ଏଥିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଛି।

ଏ ନେଇ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅନୁଷ୍ଠିତ ହେଉଥିବା ଉକ୍ତ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ଦଳର ସାଙ୍ଗଠନିକ ପୁର୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏଥି ସହ ଦଳ ତରଫରୁ ରାଜ୍ୟରେ ସଫଳ ଭାବେ ଚାଲିଥିବା ବୁଥ୍ ଚାଲ, ଗାଁ ଚାଲ, ଶକ୍ତିବନ୍ଦନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଛି । ସଂଗଠନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଗସ୍ତ ପାଇଁ ଆସୁଥିବା ଅନେକ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ବୈଠକରେ ଧାର୍ଯ୍ୟ ହୋଇଥିବା ସମସ୍ତ ରଣନୀତି ଓ ରୋଡମ୍ୟାପକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରି ଓଡିଶାବାସୀଙ୍କ ଆଶୀର୍ବାଦ ପ୍ରାପ୍ତ କରି ଓଡିଶାରେ ସରକାର ଗଠନ କରିବୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଚାଲୁ ରହିଛି ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ଏବଂ ନୂତନ ଯୁବ ଭୋଟରମାନଙ୍କୁ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଶିଖାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସାରା ରାଜ୍ୟରେ ଜାନୁଆରୀ ୧୫ ତାରିଖଠାରୁ ମୋବାଇଲ ଭ୍ୟାନ ଜରିଆରେ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଭୋଟରମାନଙ୍କୁ ପ୍ରଦର୍ଶନ କରାଯିବା ସହ ମକ୍‌ ମତଦାନ କରାଯାଉଛି।

ଇଭିଏମ୍‌/ଭିଭିପ୍ୟାଟ୍‌ର ଏହି ସଚେତନତା କାର୍ଯ୍ୟକ୍ରମ ନିର୍ବାଚନ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ। ମୋବାଇଲ ଭ୍ୟାନ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ ପ୍ରଦର୍ଶନ କାର୍ଯ୍ୟକ୍ରମ ସବୁ ଜିଲ୍ଲାର ସଦର ମହକୁମା, ସବୁ ଉପଖଣ୍ଡ ସଦର ମହକୁମା ଏବଂ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ ହୋଇଥିବା ସ୍ଥାନମାନଙ୍କରେ ଭୋଟର ତଥା ଜନସାଧାରଣଙ୍କ ସଚେତନତା ନିମନ୍ତେ କରାଯାଉଛି ।

ଜାନୁଆରୀ ୧୫ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ସଦର ମହକୁମାରେ ସମୁଦାୟ ୯୬୦୨ ଜଣ ଭୋଟର ଇଭିଏମ୍‌/ଭିଭିପ୍ୟାଟ୍‌ ପ୍ରଦର୍ଶନୀ ଦେଖିବା ସହ ୯୪୫୪ ଜଣ ଭୋଟର ମକ୍‌ ମତଦାନରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଉପଖଣ୍ଡ ସ୍ତରରେ ହୋଇଥିବା ଇଭିଏମ୍‌/ଭିଭିପ୍ୟାଟ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସମୁଦାୟ ୨୨୩୧୧ ଜଣ ଭୋଟର ଏହି କାର୍ଯ୍ୟକ୍ରମକୁ ଦେଖିବା ସହ ୨୧୯୧୩ ଜଣ ଭୋଟର ମକ୍‌ ମତଦାନରେ ଅଂଶଗ୍ରହଣ କରିଥିଲେ।

ଏତଦ୍‌ବ୍ୟତୀତ ମୋବାଇଲ୍‌ ଡେମନ୍‌ଷ୍ଟ୍ରେସନ୍‌ ଭ୍ୟାନ୍‌ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍‌ ଥିବା ସ୍ଥାନଗୁଡ଼ିକୁ ଜନସାଧାରଣଙ୍କ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ କରାଯାଉଛି। ଅନୁଗୋଳ ଜିଲ୍ଲାର ପାଲଲ୍‌ହଡ଼ା, ତାଳଚେର, ଅନୁଗୋଳ ଛେଣ୍ଡିପଦା ଓ ଆଠମଲ୍ଲିକ ପରି ୫ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୨୬୨ ଗୋଟି ସ୍ଥାନରେ ଥିବା ବୁଥ୍‌, ବଲ୍ଲାଙ୍ଗିର ଜିଲ୍ଲାର ଲୋଇସିଂହା, ପାଟନାଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ୪୫୫ ଗୋଟି ସ୍ଥାନରେ ଥିବା ବୁଥରେ ଏହା କରାଯିବ।

ସେହିପରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର ଓ ସିମୁଳିଆ ଆଦି ୮ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୩୭୦ ଗୋଟି ସ୍ଥାନରେ ଥିବା ବୁଥ୍‌, ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଓ ଭଟଲୀ ଆଦି ୫ ଗୋଟି ନିର୍ବାଚନମଣ୍ଡଳୀର ୨୨୫ ଗୋଟି ସ୍ଥାନରେ ଥିବା ବୁଥ୍‌, ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ଆଦି ୫ ଗୋଟି ନିର୍ବାଚନ ମଣ୍ଡଳୀର ୩୧୪ ଗୋଟି ସ୍ଥାନରେ ଥିବା ବୁଥ୍‌, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନମଣ୍ଡଳୀର ୮୩ ଗୋଟି ସ୍ଥାନରେ ଥିବା ବୁଥ୍‌ କରାଯାଇଛି।

ଅନ୍ୟପକ୍ଷରେ କଟକ ଜିଲ୍ଲାର ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର କଟକ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା ଆଦି ୯ ଗୋଟି ନିର୍ବାଚନ ମଣ୍ଡଳୀରେ ୪୮୯ ଗୋଟି ସ୍ଥାନରେ ଥିବା ବୁଥ୍‌, ଦେବଗଡ଼ ଜିଲ୍ଲାର ଦେବଗଡ଼ ନିର୍ବାଚନ ମଣ୍ଡଳୀରେ ୯୫ ଗୋଟି ସ୍ଥାନରେ ଥିବା ବୁଥ୍‌, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୩୨୯ ଗୋଟି ସ୍ଥାନରେ ଥବା ବୁଥ୍‌, ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬୫ ଗୋଟି ସ୍ଥାନରେ ଥିବା ବୁଥ୍‌ ମନୋନିତ କରାଯାଇଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଛତ୍ରପୁର, ଆସିକା, ସୁରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୫୬୭ ଗୋଟି ସ୍ଥାନରେ ଥିବା ବୁଥ୍‌, ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା, ଏରସମା ଓ ଜଗତସିଂହପୁର ଆଦି ୪ ଗୋଟି ନିର୍ବାଚନ ମଣ୍ଡଳୀର ୩୦୩ ଗୋଟି ସ୍ଥାନରେ ଥିବା ବୁଥ୍‌, ଯାଜପୁର ଜିଲ୍ଲାର ବିrାରପୁର, ବରି, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ଆଦି ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୧ ଗୋଟି ସ୍ଥାନରେ ଥିବା ବୁଥ୍‌।

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ପରି ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୧ ଗୋଟି ସ୍ଥାନରେ ଥିବା ବୁଥ୍‌, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଜି.ଉଦୟଗିରି ଓ ଫୁଲବାଣୀ ଆଦି ୩ ଗୋଟି ନିର୍ବାଚନ ମଣ୍ଡଳୀର ୧୪୮ ଗୋଟି ସ୍ଥାନରେ ଥବା ବୁଥ୍‌, କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ପରି ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩୬ ଗୋଟି ସ୍ଥାନରେ ଥିବା ବୁଥ୍‌।

କେଉଁଝର ଜିଲ୍ଲାର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟନା, କେଉଁଝର ଓ ଚମ୍ପୁଆ ଆଦି ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୧୧ ଗୋଟି ସ୍ଥାନରେ ଥିବା ବୁଥ୍‌, ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର(ମଧ୍ୟ), ଭୁବନେଶ୍ୱର(ଉତ୍ତର), ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା ଆଦି ୮ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬୦ ଗୋଟି ସ୍ଥାନରେ ଥିବା ବୁଥ୍‌, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ ଓ ପଟାଙ୍ଗି ଆଦି ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୯୯୯ ଗୋଟି ସ୍ଥାନରେ ଥିବା ବୁଥ୍‌।

ମାଲାକନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୩୧୧ ଗୋଟି ସ୍ଥାନରେ ଥିବା ବୁଥ୍‌, ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରପୋଶି, କରଞ୍ଜିଆ, ଉଦଳା, ବଡ଼ସାହି, ବାରିପଦା ଓ ମୋରଡ଼ା ୯ ଗୋଟି ନିର୍ବାଚନ ମଣ୍ଡଳୀର ୩୨୨ ଗୋଟି ସ୍ଥାନରେ ଥିବା ବୁଥ୍‌, ନବରଙ୍ଗପୁର ଜିଳ୍ଲାର ଉମରକୋଟ, ଝରିଗାଁ, ନବରଙ୍ଗପୁର ଓ ଓ ଡାବୁଗାଁ ପରି ୪ ଗୋଟି ନିର୍ବାଚନମଣ୍ଡଳୀର ୩୨୩ ଗୋଟି ସ୍ଥାନରେ ଥିବା ବୁଥ୍‌, ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଓ ଖରିଆର୍‌ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪୬ ଗୋଟି ସ୍ଥାନରେ ଥିବା ବୁଥ୍‌।

ନୟାଗଡ଼ ଜିଲ୍ଲାର ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଓ ନୟାଗଡ଼ ଆଦି ୪ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୯୭ ଗୋଟି ସ୍ତାନରେ ଥିବା ବୁଥ୍‌, ପୁରୀ ଜିଲ୍ଲାର କାକଟପୁର, ନିମାପଡ଼ା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୪୦୦ ଗୋଟି ସ୍ଥାନରେ ଥିବା ବୁଥ୍‌, ରାୟଗଡ଼ା ଜିଲ୍ଲାର ଗୁଣୁପୁର, ବିଷମକଟକ ଓ ରାୟଗଡ଼ା ନିର୍ବାଚନମଣ୍ଡଳୀର ୩୧୮ ଗୋଟି ସ୍ଥାନରେ ଥିବା ବୁଥ୍‌, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର ଓ ରେଢ଼ାଖୋଲ ଆଦି ୪ ଗୋଟି ନିର୍ବାଚନ ମଣ୍ଡଳୀର ୨୧୦ ଗୋଟି ସ୍ଥାନରେ ଥିବା ବୁଥ୍‌।

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀର ୮୭ ଗୋଟି ସ୍ଥାନରେ ଥିବା ବୁଥ୍‌ ଓ ସୁନ୍ଦରଗଡ଼ ଜିଲ୍ଲାର ତଳସରା, ସୁନ୍ଦରଗଡ଼, ବିରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଓ ବଣାଇଁ ଆଦି ୭ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୫୯୬ ଗୋଟି ସ୍ଥାନରେ ଥିବା ବୁଥ୍‌ଗୁଡ଼ିକରେ ଇଭିଏମ୍‌/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ୍‌ ଭ୍ୟାନ ମାଧ୍ୟମରେ କରାଯାଇଅଛି।

ଜାନୁଆରୀ୨୬ ତାରିଖ ସୁଦ୍ଧା ସମୁଦାୟ ୩୦୬୮୮ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନ ମଧ୍ୟରୁ ୯୯୮୨ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନରେ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ର ପ୍ରଦର୍ଶନ ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ଓ ଫେବୃଆରୀ ମାସ ଶେଷ ସୁଦ୍ଧା ସବୁ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପରେ କଂଗ୍ରେସକୁ ଆଉ ଏକ ଝଟକା, ବିଜେପି ଛାଡିଥିବା ନନ୍ଦ କୁମାର ସାଇ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଛତିଶଗଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ଦଳରେ ଗୋଟିଏ ପରେ ଗୋଟିଏ ଇସ୍ତଫା ଜାରି ରହିଛି। ନିର୍ବାଚନ ପୂର୍ବରୁ ନନ୍ଦ କୁମାର ସାୟ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଛତିଶଗଡରେ ନା କଂଗ୍ରେସ ସରକାର ଗଠନ ହେଲା ନା ନିର୍ବାଚନ ଲଢିବା ପାଇଁ ନନ୍ଦ କୁମାର ସାୟଙ୍କୁ ଦଳ ଟିକେଟ୍ ଦେଇଥିଲା। ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ନନ୍ଦ କୁମାର ସାଇ ୟୁ-ଟର୍ନ ମାରିଛନ୍ତି। କଂଗ୍ରେସରେ ସାତ ମାସ ରହିବା ପରେ ନନ୍ଦ କୁମାର ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଅନୁମାନ କରାଯାଉଛି ଯେ, ଶ୍ରୀ ସାଇ ପୁଣିଥରେ ବିଜେପିକୁ ଫେରିପାରନ୍ତି।

ମେ ୧ ତାରିଖ ୨୦୨୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଉପସ୍ଥିତିରେ ନନ୍ଦ କୁମାର ସାଇ ରାୟପୁରରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଏହା ପରେ ନନ୍ଦ କୁମାର ସାଇ କଂଗ୍ରେସର ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେ ସମଗ୍ର ନିର୍ବାଚନରେ ​​ସରକାରୀ କାର୍ଯ୍ୟକ୍ରମରେ ଭୁପେଶ ବାଘେଲଙ୍କ ସହ ରହିଥିଲେ। ଶ୍ରୀ ସାଇଙ୍କୁ ଭୁପେଶ ଛତିଶଗଡ ରାଜ୍ୟ ଶିଳ୍ପ ବିକାଶ ନିଗମର ଚେୟାରମ୍ୟାନ୍ କରିଥିଲେ। କିନ୍ତୁ ବର୍ତ୍ତମାନ କଂଗ୍ରେସର ପରାଜୟ ପରେ ଶ୍ରୀ ସାଇ ୟୁ ଟର୍ନ ନେଇ ବୁଧବାର ଦିନ ତାଙ୍କ ଇସ୍ତଫା କଂଗ୍ରେସ ରାଜ୍ୟ ସଭାପତି ଦୀପକ ବୈଜଙ୍କ ନିକଟକୁ ପଠାଇଛନ୍ତି।

ନନ୍ଦ କୁମାର ସାଇ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ, କିଛି ପରିସ୍ଥିତି ଯୋଗୁଁ ମୁଁ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି, କିଛି ଦିନ ପାର୍ଟିରେ ରହିଥିଲି ଏବଂ ଆନ୍ତରିକତାର ସହିତ କାମ କଲି। ମୋ ସମ୍ମୁଖରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଦେଖି ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ”ସାଇଙ୍କ ଏହି ଚିଠି ପରେ ଡିସେମ୍ବର ୧୩ ତାରିଖରେ ପୁଣିଥରେ ଆଲୋଚନା ହେଉଛି। କାରଣ ସାଇ କଂଗ୍ରେସ ଦଳରେ ଥିବାବେଳେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲେ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଇଙ୍କୁ ବିଜେପିକୁ ଫେରାଇ ଆଣିବା ପାଇଁ ଆଲୋଚନା ହୋଇଥିଲା। ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଅନୁମତି ପାଇବା ପରେ ସାଇ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ବିଶ୍ୱାସ ରହିଛି।

Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କାଶ୍ମୀରରେ କରାଯାଉ ନିର୍ବାଚନ, ଧାରା ୩୭୦ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଧାରା ୩୭୦ର ଉଚ୍ଛେଦ ସାମ୍ବିଧାନିକ ବୈଧ ଅଟେ। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସେପ୍ଟେମ୍ବର ୩୦ ତାରିଖ ୨୦୨୪ ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ଉଚିତ। ଜାମ୍ମୁ କାଶ୍ମୀରକୁ ରାଜ୍ୟ ଅଧିକାର ଫେରାଇବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଧାରା ୩୭୦ ଉପରେ ହୋଇଥିବା ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ ସଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ, ଜମ୍ମୁ କାଶ୍ମୀରକୁ ରାଜ୍ୟ ଅଧିକାର ଫେରାଇ ଦିଆଯିବ। କିନ୍ତୁ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ। ଅଦାଲତ କହିଛନ୍ତି ଯେ, ନୂତନ ନିର୍ଦ୍ଦେଶ ଆଧାରରେ ନିର୍ବାଚନ ଆୟୋଗ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବା ଉଚିତ। ସେପ୍ଟେମ୍ବର ୩୦ ତାରିଖ ୨୦୨୪ ସୁଦ୍ଧା ବିଧାନସଭା ନିର୍ବାଚନ କର।

Categories
ବିଶେଷ ଖବର

ନିର୍ବାଚନ ଜିତିବା ପାଇଁ ଫର୍ମୁଲା ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି, କ’ଣ ହେବ ‘ହ୍ୟାଟ୍ରିକ୍’ ରଣନୀତି?

ନୂଆଦିଲ୍ଲୀ: ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ‘ମୋଦୀ ଗ୍ୟାରେଣ୍ଟି’ର ଯୋଗ୍ୟତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି। କିଛି ରାଜନୈତିକ ଦଳ ‘ମିଥ୍ୟା ଘୋଷଣା’ କରି କିଛି ଲାଭ ପାଇବେ ନାହିଁ ବୋଲି ବୁଝିପାରୁ ନାହାନ୍ତି। ‘ବିକାଶ ଭାରତ ସଂକଳ୍ପ ଯାତ୍ରା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ। ଲୋକଙ୍କ ବୁଦ୍ଧିକୁ ଅଣଦେଖା କରିବା ଠିକ୍ ନୁହେଁ। ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ସ୍ୱାର୍ଥପରତା ପରିବର୍ତ୍ତେ ସେବାକୁ ପ୍ରାଧାନ୍ୟ ଦେଇଥାନ୍ତେ, ତେବେ ଦେଶର ଏକ ବିଶାଳ ଜନସଂଖ୍ୟା ବଞ୍ଚିତ, ଅସୁବିଧା ଏବଂ ଦୁଃଖରେ ବଞ୍ଚିନଥାନ୍ତେ। ଆମ ସରକାର ମା’-ବାପ ସରକାର ନୁହେଁ, ବରଂ ପିତାମାତାଙ୍କ ସେବା କରୁଥିବା ସରକାର। ପିଲାଟିଏ ଯେମିତି ନିଜ ପିତାମାତାଙ୍କ ସେବା କରିଥାଏ, ସେହିଭଳି ଏହି ମୋଦି ଆପଣଙ୍କ ସେବା କରିବା ପାଇଁ କାମ କରନ୍ତି।

ମୋ ପାଇଁ ସବୁ ଗରିବ ଭିଆଇପି

ମୋଦି ଗରିବ, ଗରିବଙ୍କ ପାଇଁ ଚିନ୍ତା କରନ୍ତି, ଯେଉଁମାନଙ୍କ ପ୍ରତି କେହି ଚିନ୍ତା କରନ୍ତି ନାହିଁ ସେମାନଙ୍କ ପାଇଁ ମୋଦି ଅଛନ୍ତି। ଯେଉଁମାନଙ୍କ ପାଇଁ କାର୍ଯ୍ୟାଳୟର ଦ୍ୱାର ବନ୍ଦ ଥିଲା, ସେମାନଙ୍କର ଯତ୍ନ ମୋଦି ନେଉନାହାନ୍ତି ବରଂ ସେମାନଙ୍କୁ ପୂଜା କରନ୍ତି। ମୋ ପାଇଁ ପ୍ରତ୍ୟେକ ଗରିବ ଜଣେ ଭିଆଇପି, ପ୍ରତ୍ୟେକ ମା’ ଝିଅ, ଭଉଣୀ ଜଣେ ଭିଆଇପି, ପ୍ରତ୍ୟେକ କୃଷକ ଜଣେ ଭିଆଇପି, ପ୍ରତ୍ୟେକ ଯୁବକ ଜଣେ ଭିଆଇପି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁମାନେ ଆମକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶ କାହିଁକି ବିଶ୍ୱାସ କରୁନାହିଁ।

ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ

କିଛି ରାଜନୈତିକ ଦଳ ମିଥ୍ୟା ଘୋଷଣା କରି କିଛି ହାସଲ କରିପାରିବେ ନାହିଁ ବୋଲି ବୁଝିପାରୁନାହାନ୍ତି। ସୋସିଆଲ ମିଡିଆରେ ନୁହେଁ, ଲୋକଙ୍କ ମଧ୍ୟରେ ଯାଇ ନିର୍ବାଚନ ଜିତାଯାଏ। ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ। ଲୋକଙ୍କ ବୁଦ୍ଧିକୁ ଅଣଦେଖା କରିବା ଠିକ୍ ନୁହେଁ। ଯଦି ବିରୋଧୀ ଦଳମାନେ ରାଜନୈତିକ ସ୍ୱାର୍ଥ ବଦଳରେ ସେବା ଭାବନାକୁ ସର୍ବୋପରି ରଖିଥାଆନ୍ତେ, ସେବାକୁ ନିଜର ଚାକିରି ଭାବରେ ବିବେଚନା କରିଥାନ୍ତେ, ତେବେ ଦେଶର ଏକ ବିଶାଳ ଜନସଂଖ୍ୟା ବଞ୍ଚିତ, ଅସୁବିଧା ଓ ଦୁଃଖରେ ରହିନଥାନ୍ତା।

ମୋଦିଙ୍କ ଗ୍ୟାରେଣ୍ଟିର ଦମ୍‍ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେବି ବ୍ୟାପକ ଆଲୋଚନା ଚାଲିଛି। ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ମୋଦିଙ୍କ ଗ୍ୟାରେଣ୍ଟିର ଦମ୍‍ ରହିଛି। ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଥିବା ସମସ୍ତ ଭୋଟରଙ୍କ ନିକଟରେ ମୁଁ କୃତଜ୍ଞ। ‘ବିକାଶ ଭାରତ ସଂକଳ୍ପ ଯାତ୍ରା’କୁ ଅସହାୟଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ମହାନ ମାଧ୍ୟମ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୧.୨୫ କୋଟିରୁ ଅଧିକ ଲୋକ ‘ମୋଦି ଗ୍ୟାରେଣ୍ଟି’ ଗାଡ଼ିରେ ପହଞ୍ଚି ଏହାକୁ ସ୍ୱାଗତ କରିଛନ୍ତି, ଏହା ସହ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି ଏବଂ ଏହାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଛନ୍ତି।

ପୂର୍ବ ସ୍ଥିତି ବଦଳିଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯେଉଁ ଭିକ୍ଷାବୃତ୍ତି ହେଉଥିଲା, ଏବେ ତାହା ଦୂର ହୋଇଯାଇଛି। ସରକାର ଅଭାବୀଲୋକଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ସୁବିଧା ଦେବା ପାଇଁ ପଦକ୍ଷେପ ନେଇଥିଲେ। ସେଥିପାଇଁ ଆଜି ଲୋକେ କହୁଛନ୍ତି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ପୂରଣର ଗ୍ୟାରେଣ୍ଟି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ମୋଦି କି ଗ୍ୟାରେଣ୍ଟି’ ଗାଡ଼ି ଆସିବା ପରେ ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୧ ଲକ୍ଷ ନୂଆ ହିତାଧିକାରୀ ମାଗଣା ଗ୍ୟାସ୍ ସଂଯୋଗ ପାଇଁ ଆବେଦନ କରିଛନ୍ତି। ଏହି ଯାତ୍ରା ସମୟରେ ଘଟଣାସ୍ଥଳରେ ୩୫ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ମଧ୍ୟ ଦିଆଯାଇଛି।

‘ମୋଦି ଗ୍ୟାରେଣ୍ଟି’ର ଉତ୍ସାହ ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ଯେ ଯେତେବେଳେ ମୋଦିଙ୍କ ଦ୍ୱାରା ଗ୍ୟାରେଣ୍ଟି ଦିଆଯାଇଥିବା ଗାଡି ଆସିବ, ଗାଁର ପ୍ରତ୍ୟେକ ବ୍ୟକ୍ତି ସେହି ଗାଡ଼ି ନିକଟରେ ପହଞ୍ଚିବେ, ସେତେବେଳେ ହିଁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋଦି ଗ୍ୟାରେଣ୍ଟି ଥିବା ଗାଡ଼ିକୁ ନେଇ ପ୍ରତ୍ୟେକ ଗାଁରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ତାହା ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ କୌଣସି ନା କୌଣସି ଯୋଜନାରେ ଦେଶର କୋଟି କୋଟି ପରିବାର ନିଶ୍ଚିତଭାବେ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି। ଏବଂ ଯେତେବେଳେ ଏହି ଲାଭ ମିଳିଥାଏ, ବିଶ୍ୱାସ ବଢ଼ିଥାଏ। ଜୀବନ ବଞ୍ଚିବାର ନୂଆ ଶକ୍ତି ରହିଛି।

ମହିଳାମାନଙ୍କୁ ବଡ଼ ଜାତି ବୋଲି କୁହାଯାଏ

ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ବିଭାଜନକାରୀ ରାଜନୀତି ବିରୋଧରେ ସତର୍କ କରାଇଥିଲେ। ସେ କହିଛନ୍ତି ଯେ ସେମାନେ ଏକ ବଡ଼ ‘ଜାତି’ ଯିଏ ଏକାଠି ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା କରିପାରିବେ। ସେ କହିଛନ୍ତି ଯେ ସମସ୍ତ ମହିଳା ଏକାଠି ରହିବା ଉଚିତ। ଆଜିକାଲି କିଛି ଲୋକ ମହିଳାଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ସବୁ ମହିଳାଙ୍କର ଏକ ଜାତି ଥାଏ, ଯାହା ଏତେ ବଡ଼ ଯେ ସେମାନେ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି। ଶାସକ ବିଜେପି ଅନେକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିଛି। କେତେକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅନେକ ବିଧାନସଭା ନିର୍ବାଚନରେ ମହିଳାମାନେ ଦଳକୁ ଅଧିକ ଉତ୍ସାହର ସହ ଭୋଟ ଦେଇଛନ୍ତି।

କ’ଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି?:

ଜାତିଭିତ୍ତିକ ଜନଗଣନା ପାଇଁ ଜୋର ଦେଉଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳମାନେ ମୋଦିଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରୁଛନ୍ତି। ପ୍ରଧାନମନ୍ତ୍ରୀ ଗତ କିଛିଦିନ ଧରି କ୍ରମାଗତଭାବେ ଗୁରୁତ୍ୱାରୋପ କରି ଆସୁଛନ୍ତି ଯେ ଗରିବ, ମହିଳା, ଯୁବକ ଏବଂ କୃଷକମାନେ ତାଙ୍କ ପାଇଁ ଚାରିଟି ବୃହତ୍ତମ ଜାତି ଏବଂ ସେମାନଙ୍କର ପ୍ରଗତି ସହିତ ଭାରତର ବିକାଶ ହେବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମଦ ବ୍ୟବସାୟୀଙ୍କ ଜବତ ଟଙ୍କାକୁ ନେଇ ଓଡିଶା ରାଜନୀତିରେ ଝଡ, ବିଜେଡି କଲା ସାଂଘାତିକ ଅଭିଯୋଗ

ଭୁବନେଶ୍ବର: ଓଡିଶା ଓ ଝାଡଖଣ୍ଡ ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ବର୍ତ୍ତମାନ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ଝଡ। ଏତେ ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କ ବ୍ୟବସାୟରୁ ଆସିଛି ନା ତାହା ଆଉ କାହାର। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ତେବେ ଝାଡଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କ ଭାଇଙ୍କର ଏହି ମଦ ବ୍ୟବସାୟ ହୋଇଥିବାରୁ ଓଡିଶା କଂଗ୍ରେସ ଚୁପ ରହିଛି।

ପ୍ରଥମେ ଏହି ମଦ ବ୍ୟବସାୟୀଙ୍କ ଜବତ ଟଙ୍କା ବିଜେଡିର ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ସୂଚନା ଦେଇଛି। ଦଳର ମୁଖପାତ୍ର ମନୋଜ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟାର୍ଗେଟ କରିଛି। ମନୋଜ ଟୁକୁନୀ ସାହୁଙ୍କ ସହିତ ସେହି ବ୍ୟବସାୟୀ ବସିଥିବାର ଫଟୋ ଦେଖାଇଛନ୍ତି। ସିଧା ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହି ଟଙ୍କା ବିଜେଡି ଆଗୁଆ ନିର୍ବାଚନ କରି ଖର୍ଚ୍ଚ କରିବା ପାଇଁ ମଦ ବ୍ୟବସାୟୀଙ୍କ ପାଖରେ ଗଚ୍ଛିତ ରଖିଥିଲା।

ମନୋଜ କହିଛନ୍ତି ଯେ, ବଲାଙ୍ଗୀର, ବରଗଡ ଏବଂ ସମ୍ବଲପୁରର ବିଜେଡି ନେତା ଏଥିରେ ସଂପୃକ୍ତି ରହିଛି। ହେଲେ ବିଜେଡି ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରଛି। ଦଳର ମୁଖପାତ୍ର ଇପିସ୍ସିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି ମିଛ କହୁଛି। ସେ କହିଛନ୍ତି ଯେ, ଝାଡଖଣ୍ଡର ବିଜେପି ସେଠାରେ ଅଭିଯୋଗ କରିଛି ଯେ, ଏହି ଟଙ୍କା କଂଗ୍ରେସ ଦଳର। ହେଲେ ଓଡିଶା ବିଜେପି କହୁଛି ଏହା ବିଜେଡିର।

ତେଣୁ ବିଜେପି ନେତାଙ୍କ ମଧ୍ୟରେ ତାଳମେଳ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ଦଳ କହିଛି ଯେ, ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଝାଡଖଣ୍ଡ ବିଜେପିକୁ ପଚାରି ଦେଇଥିଲେ ଭଲ ହୋଇଥାଆନ୍ତା। ତେବେ ଇପସ୍ସିତା ଆଉ ଏକ ବଡ ଅଭିଯୋଗ କରିଛନ୍ତି। ତାହା ହେଲା ଯେ, ଜବତ ଟଙ୍କା ହେଉଛି ପଶ୍ଚିମ ଓଡିଶାର କେତେକ ବିଜେପି ନେତାଙ୍କର। ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ତଦନ୍ତ ପରେ ପ୍ରକୃତ ରହସ୍ୟ ଫିଟିବ ବୋଲି ବିଜେଡି କହିଛି।

ତେବେ ପ୍ରକୃତରେ ଦେଖିବାକୁ ଗଲେ ଏପରି ବିପୁଳ ପରିମାଣର ଟଙ୍କା ମିଳିବା କେବଳ ଓଡିଶା ଝାଡଖଣ୍ଡ କାହିଁକି ସାରା ଦେଶରେ ଏହା ଏକ ଚର୍ଚ୍ଚା ବିଷୟ ପାଲଟିଛି। ଏପରିକି ଖୋଦ ପ୍ରଧାନମନ୍ତ୍ରୀ ଏହି ଖବରକୁ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେହିପରି ବହୁ ବିଜେପି ନେତା ଓ ମନ୍ତ୍ରୀ ଏହି ଟଙ୍କାକୁ ନେଇ କେବଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ହେଲେ କେହି ବିଜେଡିକୁ ସମାଲୋଚନା କରି ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନରେ ​​ଜିତିଥିବା ବିଜେପି ସାଂସଦମାନେ ଦେଲେ ଇସ୍ତଫା, ରାଜ୍ୟ କ୍ୟାବିନେଟରେ ହେବେ କି ସାମିଲ?

ନୂଆଦିଲ୍ଲୀ: ନିକଟରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନେକ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ଏଥିମଧ୍ୟରୁ ୧୨ ଜଣ ସାଂସଦ ବିଜୟ ପଞ୍ଜିକରଣ କରିଛନ୍ତି। ଏହି ସାଂସଦମାନଙ୍କ ମଧ୍ୟରୁ ୧୦ ଜଣ ଆଜି ସେମାନଙ୍କ ସଂସଦୀୟ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାବେଳେ ଦୁଇ ସାଂସଦ ପରେ ଇସ୍ତଫା ଦେବେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇ ସାଂସଦ ବାଳକନାଥ ଏବଂ ରେଣୁକା ସିଂ ଏପର୍ଯ୍ୟନ୍ତ ସେମାନଙ୍କ ସାଂସଦ ପଦରୁ ଇସ୍ତଫା ଦେଇନାହାଁନ୍ତି। ସେମାନେ ଶୀଘ୍ର ଇସ୍ତଫା ଦେବେ। ଯେଉଁମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାର ଏବଂ ପ୍ରହ୍ଲାଦ ପଟେଲ ଅଛନ୍ତି, ଯେଉଁମାନେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଅଟନ୍ତି।

ଏହି ସମୟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ସମସ୍ତ ବିଜେତା ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ।

କେନ୍ଦ୍ର ମନ୍ତ୍ରୀ ସାଂସଦ ରହିବେ କି?:

ଏଭଳି ପରିସ୍ଥିତିରେ ସଂସଦ ପଦରୁ ଇସ୍ତଫା ଦେଇଥିବା କେନ୍ଦ୍ର ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀ ପଦରେ ଜାରି ରଖିବେ କି? ସୂଚନାଯୋଗ୍ୟ ଯେ ଲୋକସଭାରୁ ଇସ୍ତଫା ଦେବା ପରେ ସମସ୍ତ ତିନି କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ସେମାନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ତାଙ୍କ ଇସ୍ତଫା ପରେ କେନ୍ଦ୍ର କ୍ୟାବିନେଟରେ ୩ ମନ୍ତ୍ରୀଙ୍କ ହ୍ରାସ ଘଟିବ।

ସେପଟେ ମଧ୍ୟପ୍ରଦେଶର ନରସିଂହପୁରରୁ ବିଧାୟକ ନିର୍ବାଚନରେ ​​ବିଜୟୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ, ସେ ଖୁବ ଶୀଘ୍ର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ମଧ୍ୟ ଲୋକସଭାରୁ ଇସ୍ତଫା ଦେଇଛନ୍ତି।

ନିର୍ବାଚନରେ ​​ଜିତିଥିବା ସାଂସଦମାନେ:

ପ୍ରକାଶ ଯୋଗ୍ୟ ଯେ, ମଧ୍ୟପ୍ରଦେଶ ନିର୍ବାଚନରେ ​​ଜିତିଥିବା ସାଂସଦମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମର୍, ପ୍ରହ୍ଲାଦ ପଟେଲ, ଉଦୟ ପ୍ରତାପ ସିଂ, ରିତି ପାଠକ୍ ଏବଂ ରାକେଶ ସିଂଙ୍କ ନାମ ଅନ୍ତର୍ଭୁକ୍ତ। ଏଥି ସହ ରାଜସ୍ଥାନ ସାଂସଦ ରାଜବର୍ଦ୍ଧନ ରାଠୋର, ଦିୟା କୁମାରୀ, ବାଲକ ନାଥ ଏବଂ ରାଜ୍ୟସଭା ସାଂସଦ କିରୋଡି ଲାଲ ମୀନା ନିର୍ବାଚନରେ ​​ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଛତିଶଗଡର ଦୁଇ ସାଂସଦ ଅରୁଣ ସାଓ ଏବଂ ଗୋମତି ସାଇ ଇସ୍ତଫା ଦେଇଛନ୍ତି।

ସାଂସଦ ଯିଏ ରାଜସ୍ଥାନରୁ ଇସ୍ତଫା ଦେଇଛନ୍ତି:

ରାଜବର୍ଦ୍ଧନ ସିଂ ରାଠୋର
ଦିୟା କୁମାରୀ
କିରୋଡ଼ି ଲାଲ ମୀନା

ମଧ୍ୟପ୍ରଦେଶରୁ ଇସ୍ତଫା ଦେଇଥିବା ସାଂସଦ:

ନରେନ୍ଦ୍ର ସିଂ ତୋମାର
ପ୍ରହ୍ଲାଦ ପଟେଲ
ରାକେଶ ସିଂ
ଉଦୟ ପ୍ରତାପ ସିଂ
ରିତି ପାଠକ୍

ଛତିଶଗଡରୁ ଇସ୍ତଫା ଦେଇଥିବା ସାଂସଦ:

ଅରୁଣ ସାଓ
ଗୋମତି ସାଇ

Categories
ଜାତୀୟ ଖବର ବିଶେଷ ଖବର

Election Result: ତିନୋଟି ରାଜ୍ୟରେ ବିଜେପି, ତେଲଙ୍ଗାନାରେ କଂଗ୍ରେସ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଚୁଡାନ୍ତ ଫଳାଫଳ ଆସି ନ ଥିଲେ ମଧ୍ୟ ଆଗୁଆ ସଂଖ୍ୟାକୁ ହିସାବ କଲେ ବର୍ତ୍ତମାନ ବିଜେପି ତିନୋଟି ରାଜ୍ୟରେ ସରକାର ଗଠନ କରିବ। ସେହି ତିନୋଟି ହେଲା ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶ।

ଏହି ତିନୋଟିରୁ କେବଳ ମଧ୍ୟ ପ୍ରଦେଶରେ ବିଜେପି ସରକାର ଥିଲା। ହେଲେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ଶାସନ କରୁଥିଲା। ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି ତାହାର ନିଜ ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ପୁଣି ଫେରିଆସିଥିବା ବେଳେ ଦୁଇଟି ଆସନରେ କଂଗ୍ରେସଠାରୁ ଶାସନ ଛଡାଇ ଆଣିଛି।

ସବୁଠାରୁ ଆଶ୍ଚର୍ଯ୍ୟ ଫଳାଫଳ ହେଲା ଛତିଶଗଡ

ଛତିଶଗଡ ରାଜ୍ୟଟିର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହେଲା ସମସ୍ତେ ଭାବିଥିଲେ ମଧ୍ୟ ଛତିଶଗଡରେ ପୁଣି ଥରେ କଂଗ୍ରେସ ସରକାରକୁ ଆସିବ। କାରଣ ବାଘେଲାଙ୍କ ସେହିପରି ଲୋକପ୍ରିୟତା ରହିଥିଲା। ସେଠାରୁ କେହିକେବେ କଂଗ୍ରେସ ହାରିବ ବୋଲି ଆଶା କରି ନ ଥିଲେ। ହେଲେ ଫଳାଫଳ ସବୁ ଓଲଟପାଲଟ କରିଦେଇଛି।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଛତିଶଗଡରେ କଂଗ୍ରେସ ଜିତିବ ବୋଲି ବହୁ ଉତ୍ସାହିତ ହୋଇପଡିଥିଲା। ଯାହାକୁ ଇଂରାଜୀରେ କହନ୍ତି ଓଭର କନଫିଡେଣ୍ଟ। ଏହା ଫଳରେ ସେହି ରାଜ୍ୟରେ କଂଗ୍ରେସ ଯେପରି ଫୋକସ କରିବା କଥା ତାହା କରିପାରିଲା ନାହିଁ। ସେମାନେ ଅଧିକ ସମୟ ତେଲେଙ୍ଗାନା ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଉପରେ ନଜର ରଖିଲେ।

ରାଜସ୍ଥାନରେ କଂଗ୍ରେସର ଅନ୍ତଃକନ୍ଦଳ ଭାରୀ ପଡିଲା

ରାଜସ୍ଥାନର ଗଣିତ ମଧ୍ୟ ବିଗିଡିଯାଇଛି। କାରଣ ରାଜସ୍ଥାନରେ ମଧ୍ୟ ପୁଣି ଥରେ କଂଗ୍ରେସ ଆସିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଅନେକ ରାଜସ୍ଥାନ ସ୍ଥିତି ନେଇ କିଛି ମତ ମଧ୍ୟ ଦେଇପାରି ନ ଥିଲେ। କାରଣ ଥିଲା ରାଜସ୍ଥାନରେ ବିଜେପି ସେମିତି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆଣି ନ ଥିଲା।

ହେଲେ ରାଜସ୍ଥାନର ନିର୍ବାଚନ ପ୍ରଚାରକୁ ପୁରା ଅମିତ ସାହା ପରିଚାଳନା କରୁଥିଲେ। ଦିନରାତି ଏକ କରି ସେଠାରେ ଡେରା ପକାଇଥିଲେ। ଗୋଟିଏ ପଟେ କଂଗ୍ରେସର ଅନ୍ତଃକନ୍ଦଳ ଅନ୍ୟପଟେ ଅମିତ ସାହାଙ୍କ ମାରଥନ ପ୍ରଚାର ବିଜେପିକୁ ଜିତିବା ପାଇଁ ସହଜ ହୋଇଥିଲା।

Categories
ବିଶେଷ ଖବର

ନିର୍ବାଚନରେ ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଦୁର୍ନୀତି ବୋଲି ବିବେଚନା କରାଯିବ କି ନାହିଁ?: ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ପ୍ରଲୋଭନ ଦେଖାଇ ଭୋଟ ନେବା ଦୁର୍ନୀତି କି ନୁହେଁ ତାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ଆରମ୍ଭ ହୋଇଛି। ନିର୍ବାଚନରେ ପ୍ରଲୋଭନ ଦେଖାଇବା ଅର୍ଥ ଆଇନର ଧାରା ୧୨୩ରେ ଜଣେ ବ୍ୟକ୍ତିଦ୍ୱାରା କରାଯାଇଥିବା ଦୁର୍ନୀତିକୁ ବର୍ଣ୍ଣନା କରାଯାଏ। ଆବେଦନକାରୀ ଦର୍ଶାଇଛନ୍ତି ଯେ ରାଜନୈତିକ ଦଳ ହେଉଛି ଏକ ବ୍ୟକ୍ତିଗୋଷ୍ଠୀ ଏବଂ ଏହା ଲୋକ ପ୍ରତିନିଧି ଆଇନର ଧାରା ୧୨୩ ଅଧୀନରେ ଅନ୍ତର୍ଭୁକ୍ତ। ଏଭଳି ପରିସ୍ଥିତିରେ ଯଦି ଜନପ୍ରତିନିଧି ଆଇନର ଧାରା ୧୨୩ର ସଂଜ୍ଞାରେ ସେହି ବ୍ୟକ୍ତିଙ୍କୁ ଏକ ଗୋଷ୍ଠୀ ଭାବରେ ବିବେଚନା କରାନଯାଏ, ଯେଉଁଥିରେ ବ୍ୟକ୍ତିଙ୍କ ଗୋଷ୍ଠୀକୁ ବ୍ୟକ୍ତିଠାରୁ ଅଲଗା କରାଯାଏ, ତେବେ କୌଣସି ବ୍ୟକ୍ତି ନକଲି କମ୍ପାନୀ ଗଠନ କରି ଭୋଟ ପାଇବା ପାଇଁ କମ୍ପାନୀ ମାଧ୍ୟମରେ ଭୋଟରଙ୍କୁ ପ୍ରଲୋଭିତ କରିବେ ଏବଂ ଏହାକୁ ଅନୁମତି ଦିଆଯାଇ ପାରିବ ନାହିଁ।

ସୁପ୍ରିମକୋର୍ଟରେ ପିଟିସନ ଦାଖଲ

ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମାଗଣା ଯୋଜନା ଘୋଷଣାକୁ ବିରୋଧ କରି ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏହା ଉପରେ ରୋକ ଲଗାଇବା ସହ ଏହା କରିବା ଜନପ୍ରତିନିଧି ଆଇନର ଧାରା ୧୨୩ ଅନୁଯାୟୀ ଦୁର୍ନୀତି ହେବ ବୋଲି ଆବେଦନରେ ଦର୍ଶାଯାଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଗୁରୁବାର ଉପାଧ୍ୟାୟଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜୟ ହଂସରିଆ ପ୍ରଧାନ ବିଚାରପତିଙ୍କ ପ୍ରଶ୍ନକୁ ନେଇ ବିତର୍କ ଆରମ୍ଭ କରିଥିଲେ।

ଅଦାଲତ ଏହି ପ୍ରଶ୍ନ ପଚାରିଛନ୍ତି

ଶୁଣାଣି ସମୟରେ ପ୍ରଧାନ ବିଚାରପତି ପଚାରିଥିଲେ ଯେ ଦଳକୁ ବ୍ୟକ୍ତିଗତଭାବେ ବିବେଚନା କରାଯାଇପାରିବ କି? ଏହାର ଜବାବରେ ହଂସରିଆ କହିଥିଲେ ଯେ ଦଳ ଏକ ଗୋଷ୍ଠୀ ବ୍ୟତୀତ ଆଉ କିଛି ନୁହେଁ। ହଂସାରିଆ ନିଜ କଥାକୁ ପ୍ରମାଣକରିବା ପାଇଁ ସାଧାରଣ ଶ୍ରେଣୀ ଆଇନର ଧାରା ୩ର ଉପଧାରା ୪୨ ଉପରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଛନ୍ତି ଯେ ଏଭଳି କ୍ଷେତ୍ରରେ ଏହି ଧାରା ଲାଗୁ ହେବ ଏବଂ ଏହି ଅନୁଯାୟୀ ବ୍ୟକ୍ତି ଅର୍ଥ ବ୍ୟକ୍ତି ଏବଂ କମ୍ପାନୀର ଶରୀର। ଯଦି ସେହି ବ୍ୟକ୍ତିଙ୍କ ଶରୀରରୁ ହଟାଇ ଦିଆଯାଏ ତେବେ କେହି ନକଲି କମ୍ପାନୀ ତିଆରି କରି ସେହି କମ୍ପାନୀ ଜରିଆରେ ଭୋଟରଙ୍କୁ ପ୍ରଲୋଭନ ଦେଖାଇ ଭୋଟ ପାଇବା ସହ ଉପହାର ଓ ଲାଞ୍ଚ ଦେବେ।

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଆପଣଙ୍କ ମତରେ ସୁବ୍ରମଣ୍ୟମ ବାଲାଜୀ ରାୟରେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ହଂସରିଆ ରାଜି ହୋଇଥିଲେ। ମୁଖ୍ୟ ବିଚାରପତି ପୁଣି ପ୍ରଶ୍ନ କରିଛନ୍ତି ଯେ ଆଇନ ଅନୁଯାୟୀ ପ୍ରାର୍ଥୀଙ୍କ ସହମତି ଏକ ମାମଲା ଏବଂ ସହମତି ପ୍ରମାଣ କରିବାକୁ ପଡ଼ିବ। ହଁ, ପରୀକ୍ଷଣରେ ଏହାର ପରୀକ୍ଷା କରାଯିବା ଉଚିତ, କିନ୍ତୁ ସମସ୍ୟା ହେଉଛି ଯଦି ଏହା ହୁଏ, ତେବେ ଏହାକୁ ପ୍ରାର୍ଥୀଙ୍କ ସହ ଯୋଡ଼ାଯାଇପାରିବ କି? ସେ କହିଛନ୍ତି ଯେ ୨୦୧୩ ରାୟରେ ଧାରା ୧୨୩ର ଦ୍ୱିତୀୟ ଭାଗ ଉପରେ ଧ୍ୟାନ ଦିଆଯାଇ ନାହିଁ।

ଜାତୀୟ କଂଗ୍ରେସ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ମଧ୍ୟ ହଂସାରିଆ ପ୍ରଶ୍ନ ଉଠାଇବା ସହ ନିର୍ବାଚନ ଆୟୋଗଙ୍କୁ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରିବାର ଅଧିକାର ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ କମିଶନ କହୁଛନ୍ତି ଯେ ଶହ ଶହ ରାଜନୈତିକ ଦଳ ପଞ୍ଜୀକୃତ ଅଛନ୍ତି, କିନ୍ତୁ ସମସ୍ତେ ନିର୍ବାଚନ ଲଢ଼ୁନାହାନ୍ତି କିନ୍ତୁ ଫାଇଦା ଉଠାଉଛନ୍ତି ଏବଂ ଦଳଗୁଡ଼ିକର ପଞ୍ଜୀକରଣ ବାତିଲ କରିବାର ଅଧିକାର ନିର୍ବାଚନ କମିଶନଙ୍କର ନାହିଁ। ଆସନ୍ତା ବୁଧବାର ଏହି ମାମଲାର ପୁନର୍ବାର ଶୁଣାଣି ହେବ।

Categories
ଆଜିର ଖବର ଜାତୀୟ ଖବର

୫ଟି ରାଜ୍ୟରୁ ୧୭୬୦ କୋଟି ଟଙ୍କାର ମଦ ଓ ନଗଦ ଟଙ୍କା ଜବତ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୫ଟି ରାଜ୍ୟରୁ ୧୭୬୦ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ଦାମୀ ଧାତୁ ଜବତ କରାଯାଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହିସବୁ ଜିନିଷ ବଣ୍ଟନ କରାଯାଇଥିଲା। ଅକ୍ଟୋବର ୯ ତାରିଖରୁ ଏହି ଜିନିଷଗୁଡ଼ିକର ପୁନରୁଦ୍ଧାର କରାଯାଉଥିଲା। ସେହିଦିନ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ।

ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସଂଖ୍ୟା (୧,୭୬୦ କୋଟି ଟଙ୍କା) ଏହି ରାଜ୍ୟଗୁଡ଼ିକରେ ୨୦୧୮ ବିଧାନସଭା ନିର୍ବାଚନରେ ହୋଇଥିବା ଆଦାୟ ସଂଖ୍ୟାର ସାତ ଗୁଣ। ଗତଥର ୨୩୯.୧୫ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା।

ବର୍ତ୍ତମାନ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ଚାଲିଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ମତଦାନ ହୋଇଛି। ରାଜସ୍ଥାନରେ ନଭେମ୍ବର ୨୫ରେ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ରେ ମତଦାନ ହେବ।

ମିଜୋରାମରେ ୨୯ କୋଟି ଟଙ୍କାର ଡ୍ରଗ୍ସ ଜବତ

ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରୁ ନଗଦ ଟଙ୍କା କିମ୍ବା କୌଣସି ମୂଲ୍ୟବାନ ଧାତୁ ଜବତ କରାଯାଇ ନାହିଁ, ବରଂ ୨୯.୮୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

୧୯୪ଟି ଆସନକୁ ନିର୍ବାଚନ ଖର୍ଚ୍ଚ ପାଇଁ ସମ୍ବେଦନଶୀଳ ଘୋଷଣା କରାଯାଇଥିଲା
ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ୨୨୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରିଥିଲେ। ସେହିପରି ୧୯୪ଟି ବିଧାନସଭା ଆସନକୁ ନିର୍ବାଚନ ଖର୍ଚ୍ଚ ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ବର୍ଣ୍ଣନା କରାଯାଇଛି।

ଏହା ପୂର୍ବରୁ ଅନ୍ୟ ୬ଟି ରାଜ୍ୟରୁ ୧୪୦୦ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଯେଉଁ ୬ଟି ରାଜ୍ୟ (ଗୁଜରାଟ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଓ କର୍ଣ୍ଣାଟକ)ରେ ନିର୍ବାଚନ ହୋଇଥିଲା, ସେଠାରେ ୧୪୦୦ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ଏହା ଏହି ରାଜ୍ୟଗୁଡ଼ିକରେ ଗତ ନିର୍ବାଚନ ସମୟରେ ହୋଇଥିବା ଆରୋଗ୍ୟ ସଂଖ୍ୟାଠାରୁ ୧୧ ଗୁଣ ଅଧିକ।

ନିର୍ବାଚନ ବ୍ୟୟ ମନିଟରିଂ ସିଷ୍ଟମ ପ୍ରଚଳନ କରାଯାଇଥିଲା

ନିର୍ବାଚନ ଆୟୋଗ କହିଛନ୍ତି ଯେ ଯେତେବେଳେ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯାଉଛି, ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସମସ୍ତ ପ୍ରାର୍ଥୀ ଓ ଦଳପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ପ୍ରଲୋଭନମୁକ୍ତ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥର ନିର୍ବାଚନ ଆୟୋଗ ନିର୍ବାଚନ ବ୍ୟୟ ମନିଟରିଂ ସିଷ୍ଟମ୍ (ଇଏସ୍ଏମ୍ଏସ୍) ମଧ୍ୟ ଆଣିଛନ୍ତି। କେନ୍ଦ୍ର ଓ ରାଜ୍ୟ ତଦନ୍ତକାରୀ ସଂସ୍ଥାର ମିଳିତ ସହଯୋଗରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏକଦା ନିର୍ବାଚନ ପାଇଁ ପ୍ରତି ଭୋଟରଙ୍କ ପିଛା ଖର୍ଚ୍ଚ ହେଉଥିଲା ୩୦ ପଇସା: ଆଜି ୭୨ ଟଙ୍କା

ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଆମ ଦେଶ ପ୍ରତିବର୍ଷ ନିର୍ବାଚନକୁ ନେଇ ସଦାସର୍ବଦା ଘୂରି ବୁଲୁଛି। ଆଜି ‘ଏକ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିତର୍କ ଚାଲିଥିବା ଆମ ଦେଶର ନିର୍ବାଚନୀ ଯାତ୍ରା ବିଷୟରେ ଆପଣ ଜାଣିଛନ୍ତି କି ? କିଏ ହେବ ନେତା ? କିଏ ନିର୍ବାଚନ ଲଢ଼ିବ ଓ କିଏ ଭୋଟ ଦେବ? ସ୍ୱାଧୀନତା ପରେ ଏସବୁ ନିଷ୍ପତ୍ତି ନେବାକୁ ଆଉ ୫ ବର୍ଷ ସମୟ ଲାଗିଥିଲା।

ସୁକୁମାର ସେନ ୧୯୫୦ ମସିହାରେ ଭାରତର ପ୍ରଥମ ନିର୍ବାଚନ କମିଶନର ହୋଇଥିଲେ ଏବଂ ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧- ୫୨ରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ୧୭ କୋଟି ପଞ୍ଜୀକୃତ ଭୋଟର ଥିଲେ। ଏତେ ସଂଖ୍ୟକ ଭୋଟରଙ୍କୁ ପଞ୍ଜୀକରଣ କରାଇବା କିଛି କମ ଚ୍ୟାଲେଞ୍ଜ ନ ଥିଲା। ଅଧାରୁ ଅଧିକ ଲୋକ ଶିକ୍ଷିତ ନୁହଁନ୍ତି, ମହିଳାମାନେ ସେମାନଙ୍କ ନାମ କୁହନ୍ତି ନାହିଁ, ଭୋଟ ଦେବା ପାଇଁ କମ ଲୋକ ଥିଲେ।

ଆଜି ୨୦୨୩ରେ ଦେଶର ଜନସଂଖ୍ୟା ୧୪୦ କୋଟି ଅତିକ୍ରମ କରିଥିବାବେଳେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୯୪ କୋଟିରୁ ଅଧିକ ରହିଛି। ଏବେ ଭୋଟରମାନେ ଘରେ ବସି ନିଜର ନାମ ପଞ୍ଜୀକରଣ କରିପାରିବେ। ନିର୍ବାଚନ ଆୟୋଗ ପ୍ରଥମ ଥର ନିଜକୁ ଭୋଟର ଭାବେ ଚିହ୍ନଟ କରୁଥିବା ଲୋକଙ୍କୁ ସିନେମା ଟିକେଟ ମଧ୍ୟ ଦେଇଥାନ୍ତି।

କିନ୍ତୁ ଏହି ପରିବର୍ତ୍ତନ କେବଳ ଭୋଟର ସଂଖ୍ୟା ଏବଂ ପଞ୍ଜୀକରଣ ପଦ୍ଧତିରେ ଆସିନାହିଁ। ଏହା ସହିତ ନିର୍ବାଚନର ଅର୍ଥନୀତିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ନିର୍ବାଚନରେ ଦଳଗୁଡ଼ିକର ଖର୍ଚ୍ଚ ହେଉ କିମ୍ବା ଭୋଟରଙ୍କ ଉପରେ ନିର୍ବାଚନ କମିଶନଙ୍କ ଖର୍ଚ୍ଚ ହେଉ, ସବୁକିଛି ବହୁଗୁଣିତ ବୃଦ୍ଧି ହୋଇଛି। ଆଜିର ‘ନମ୍ବର ଗେମ୍ ଅଫ୍ ଇଲେକ୍ସନ’ରେ ୧୯୫୧ ପରଠାରୁ ଦେଶରେ ନିର୍ବାଚନର ଚିତ୍ର ଅନେକ କିଛି ବଦଳିଯାଇଛି।

ପ୍ରଥମ ନିର୍ବାଚନରେ ୧୮ ହଜାର ଟନରୁ ଅଧିକ ଓଜନର ଇସ୍ପାତରେ ବ୍ୟାଲଟ ବାକ୍ସ ନିର୍ମିତ

* ୧୯୫୨ ନିର୍ବାଚନରେ ୨୪ ଲକ୍ଷରୁ ଅଧିକ ବ୍ୟାଲଟ୍ ବାକ୍ସ ଲଗାଯାଇଥିଲା।
* ଏହାର ମୂଲ୍ୟ ଥିଲା ୧.୨୨ କୋଟି ଟଙ୍କା।
* ଏହାକୁ ତିଆରି କରିବା ପାଇଁ ମୋଟ ୮ ହଜାର ଟନରୁ ଅଧିକ ଇସ୍ପାତ ବ୍ୟବହୃତ ହୋଇଥିଲା।
* ଉତ୍ତରପ୍ରଦେଶକୁ ସର୍ବାଧିକ (୫.୪୪ ଲକ୍ଷ) ବ୍ୟାଲଟ୍ ବାକ୍ସ ମିଳିଥିଲା।
* ବିଳାସପୁର (୬୮୦)ରେ ସର୍ବନିମ୍ନ ସଂଖ୍ୟକ ବ୍ୟାଲଟ୍ ବାକ୍ସ ଲଗାଯାଇଥିଲା।
* ୧୮୦ ଟନ୍ କାଗଜ ସାହାଯ୍ୟରେ ୬୦ କୋଟି ବାଲଟ୍ ପେପର ତିଆରି ହୋଇଥିଲା।
* ଏଥିପାଇଁ ୧୦.୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

୧୯୫୨ ନିର୍ବାଚନରେ ୧ ଲକ୍ଷରୁ ଅଧିକ ନୂଆ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା

*ଆଙ୍ଗୁଠିରେ ଲଗାଯାଉଥିବା କାଳି ୩.୮୯ ଲକ୍ଷ ବୋତଲ ଲାଗିଥିଲା।
* ପ୍ରଥମ ନିର୍ବାଚନ ପାଇଁ ଦେଶରେ ୧.୩୨ ଲକ୍ଷ ନୂଆ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା।
* ହାରାହାରି ୮୮୪ ଜଣ ଭୋଟରଙ୍କୁ ନେଇ ଗୋଟିଏ ମତଦାନ କେନ୍ଦ୍ର ହୋଇଥିଲା।
* ମହିଳା ଭୋଟରଙ୍କ ପାଇଁ ମୋଟ ୨୭ ହଜାରରୁ ଅଧିକ ମତଦାନ କେନ୍ଦ୍ର ସଂରକ୍ଷିତ ରହିଥିଲା।

୧୯୫୨ ନିର୍ବାଚନରେ ୪୮୯ ଜଣ ସାଂସଦ ନିର୍ବାଚିତ ହୋଇଥିଲେ

୧୯୪୮ମସିହାରୁ ୧୯୫୨ ମସିହାରେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସମୁଦାୟ ଖର୍ଚ୍ଚ ୧୦.୪ କୋଟି ଟଙ୍କା ଥିଲା। ୧୯୫୨ ନିର୍ବାଚନରେ ଲୋକସଭାର ସଦସ୍ୟ ସଂଖ୍ୟା ୪୮୯ ଥିଲା। ଜନପ୍ରତିନିଧି ଆଇନ ୧୯୫୦ ଅନୁଯାୟୀ ଏହି ଆସନଗୁଡ଼ିକୁ ବିଭକ୍ତ କରାଯାଇଥିଲା । ଆନ୍ଧ୍ର ରାଜ୍ୟ ହେବା ପରେ ମାଡ୍ରାସ ଓ ଆନ୍ଧ୍ର ପାଇଁ ୪୬ ଓ ୨୮ ଟି ଆସନ ରଖାଯାଇଥିବା ବେଳେ ମହୀଶୂରକୁ ଆଉ ଗୋଟିଏ ଆସନ ଦିଆଯାଇଥିଲା। ଜମ୍ମୁ-କଶ୍ମୀର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଯଥାକ୍ରମେ ୬ ଓ ୧ଟି ଆସନ ଥିଲା।

୧୯୫୨ମସିହାରେ ୨୬ଟି ରାଜ୍ୟରେ ନିର୍ବାଚନ ହୋଇଥିଲା। ସେଗୁଡିକ ହେଲା

ବିଳାସପୁର, ହିମାଚନ ପ୍ରଦେଶ, ପିଇପିଏସୟୁ, ପଞ୍ଜାବ, ରାଜସ୍ଥାନ, ଅଜମେର, କଚ୍ଛ, ସୌରାଷ୍ଟ୍ର, ଭୋପାଳ, ବମ୍ବେ, ମହୀଶୂର, କୁର୍ଗ, ଟ୍ରାଭାଙ୍କୋର, କୋଚିନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ତ୍ରିପୁରା, ମଣିପୁର, ପଶ୍ଚିମବଙ୍ଗ, ଓଡ଼ିଶା, ବିନ୍ଧ୍ୟା ପ୍ରଦେଶ, ମଧ୍ୟପ୍ରଦେଶ, କେନ୍ଦ୍ରୀୟ ଭାରତ, ହାଇଦ୍ରାବାଦ, ମାଡ୍ରାସ, ଆସାମ

ଯେଉଁ ରାଜ୍ୟରେ ପ୍ରଥମ ନିର୍ବାଚନରେ ୨୦ ଲକ୍ଷ ଟଙ୍କାରୁ କମ୍ ଖର୍ଚ୍ଚ ଥିଲା

ବିଳାସପୁର- ୧ ୩୫.୩୮ହଜାର ଟଙ୍କା
କୁର୍ଗ- ୧ ୪୭.୬୨ ହଜାର ଟଙ୍କା
ମଣିପୁର- ୨ ୧.୦୭ ଲକ୍ଷ ଟଙ୍କା
କଚ୍ଛ- ୨ ୧.୨୫ ଲକ୍ଷ ଟଙ୍କା
ଭୋପାଳ- ୨ ୧.୪୬ ଲକ୍ଷ ଟଙ୍କା
ଅଜମେର- ୨ ୧.୪୮ ଲକ୍ଷ ଟଙ୍କା
ହିମାଚନଳ- ପ୍ରଦେଶ ୩ ୧.୫୨ ଲକ୍ଷ ଟଙ୍କା
ତ୍ରିପୁରା- ୨ ୨.୦୯ ଲକ୍ଷ ଟଙ୍କା
ବିନ୍ଧ୍ୟା ପ୍ରଦେଶ- ୬ ୪.୦୬ ଲକ୍ଷ ଟଙ୍କା
ଦିଲ୍ଲୀ- ୪ ୫.୩୧ ଲକ୍ଷ ଟଙ୍କା
ସୌରାଷ୍ଟ୍ର- ୬ ୧୨.୭୧ ଲକ୍ଷ ଟଙ୍କା

ଯେଉଁ ରାଜ୍ୟଗୁଡ଼ିକରେ ପ୍ରଥମ ନିର୍ବାଚନରେ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା
ରାଜ୍ୟ ଆସନ ସମୁଦାୟ ଖର୍ଚ୍ଚ

ଟ୍ରାଭାଙ୍କୋର-କୋଚିନ ୧୨ ୨୨.୦୫ ଲକ୍ଷ ଟଙ୍କା
ମହୀଶୂର ୧୧ ୨୪.୧୧ ଲକ୍ଷ ଟଙ୍କା
ଆସାମ ୧୩ ୩୦.୫୫ ଲକ୍ଷ ଟଙ୍କା
ପଞ୍ଜାବ ୧୮ ୩୯.୪୬ ଲକ୍ଷ ଟଙ୍କା
ମଧ୍ୟପ୍ରଦେଶ ୨୯ ୩୯.୬୨ ଲକ୍ଷ ଟଙ୍କା
ହାଇଦ୍ରାବାଦ ୨୫ ୪୦.୮୨ ଲକ୍ଷ ଟଙ୍କା
ରାଜସ୍ଥାନ ୨୦ ୪୧.୪୫ ଲକ୍ଷ ଟଙ୍କା
ଓଡ଼ିଶା ୨୦ ୪୫.୮୫ ଲକ୍ଷ ଟଙ୍କା
ପଶ୍ଚିମବଙ୍ଗ ୩୪ ୯୦.୦୦ ନିୟୁତ ଟଙ୍କା
ବିହାର ୫୫ ୧.୧୨ କୋଟି ଟଙ୍କା
ବମ୍ବେ ୪୫ ୧.୨୭ କୋଟି ଟଙ୍କା
ଉତ୍ତର ପ୍ରଦେଶ ୮୬ ୧.୭୦ କୋଟି ଟଙ୍କା
ମାଡ୍ରାସ ୭୫ ୧.୯୮ କୋଟି ଟଙ୍କା

ପ୍ରଥମ ନିର୍ବାଚନରେ କଂଗ୍ରେସ ୪୮୯ରୁ ୩୬୪ ଆସନରେ ବିଜୟୀ ହୋଇଥିଲା
ଦଳ ନିର୍ବାଚନ ଲଢ଼ିଥବା ପ୍ରାର୍ଥୀସଂଖ୍ୟା ବିଜୟୀ

ଭାରତୀୟ ଜାତୀୟ କଂଗ୍ରେସ ୪୭୨ ୩୬୪
ସିପିଆଇ ୪୯ ୧୬
ସୋସାଲିଷ୍ଟ ପାର୍ଟି ଅଫ ଇଣ୍ଡିଆ ୨୫୬ ୧୨
କିଷାନ ମଜଦୁର ପ୍ରଜା ପାର୍ଟି ୧୪୫ ୯
ଭାରତୀୟ ଜନସଂଘ ୯୩ ୩

ସ୍ୱାଧୀନ ଭାରତରେ ଭୋଟ ଦେଇଥିବା ପ୍ରଥମ ଭୋଟର

ହିମାଚଳର କିନ୍ନୌର ଜିଲ୍ଲାର କଲ୍ପା ଗାଁର ଶ୍ୟାମ ସରନ ନେଗୀ ସ୍ୱାଧୀନ ଭାରତର ପ୍ରଥମ ଭୋଟର। ବୃତ୍ତିରେ ସେ ହେଉଛନ୍ତି ଶିକ୍ଷକ। ଶ୍ୟାମ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖ ସକାଳ ୭ଟାରେ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ବ୍ୟକ୍ତିଭାବେ ମତଦାନ କରିଥିଲେ।

ସନ୍ଧ୍ୟା ହେବା ପରେ ଖବର ଆସିଲା ଯେ ଶ୍ୟାମ କେବଳ ସେହି ପୋଲିଂ ବୁଥରେ ନୁହଁନ୍ତି, ବରଂ ସ୍ୱାଧୀନ ଭାରତରେ ଭୋଟ ଦେବାରେ ପ୍ରଥମ ବ୍ୟକ୍ତି ଥିଲେ। ଶ୍ୟାମ ସରନ ନେଗୀଙ୍କର ୧୦୬ ବର୍ଷ ବୟସରେ ୨୦୨୨ ମସିହାରେ ଦେହାନ୍ତ ହୋଇଥିଲା। ଶ୍ୟାମ ତାଙ୍କ ଜୀବନରେ ସମୁଦାୟ ୩୩ ଥର ଭୋଟ ଦେଇଥିଲେ ।

( ଉତ୍ସ: ନିର୍ବାଚନ ଆୟୋଗ ରିପୋର୍ଟ, ୧୯୫୫ ନିର୍ବାଚନ)

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଛତିଶଗଡରେ କଂଗ୍ରେସ ସରକାରକୁ ବଦନାମ କରିବା ପାଇଁ କେନ୍ଦ୍ରର ଷଢଯନ୍ତ୍ର: ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ମହାଦେବ୍ ବେଟିଂ ଆପ ସନ୍ଦର୍ଭରେ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଇଡିର ନୋଟିସ୍ ଜାରିକରିବାକୁ ନେଇ ମୋଦି, ଶାହା ଓ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଥିଲେ।

ସେ ଆହ୍ୱାନ ଦେଇ କହିଥିଲେ ଯେ ତଥାକଥିତ ସାଧୁ ମୋଦି ଓ ସନ୍ଥ ଶାହାଙ୍କର ଯଦି ସତସାହସ ଅଛି ତେବେ ମହାଦେବ ଅନଲାଇନ୍ ବେଟିଂ ଆପକୁ ତୁରନ୍ତ ସମଗ୍ର ଦେଶରେ ବ୍ୟାନ କରାଯାଉ ଏବଂ ଏହାର ମୁଖ୍ୟ କିଙ୍ଗପିନ୍ ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକରକୁ ଗିରଫ କରାଯାଉ। ଯଦିଓ ମହାଦେବ ଆପ୍ ସାର୍ବଜନୀନ ଏବଂ ସାରା ଦେଶରେ ପରିଚାଳିତ ହେଉଛି, ଛତିଶଗଡ଼ ହେଉଛି ପ୍ରଥମ ରାଜ୍ୟ ଯିଏ ମହାଦେବ ଆପ୍ ବିରୋଧରେ ୭୦ ରୁ ଅଧିକ ମାମଲା ରୁଜୁ କରିଛି।

ଛତିଶଗଡ଼ ପୋଲିସ ୪୫୦ ଜଣଙ୍କୁ ଗିରଫ କରିବା ସହ ୧୯୧ଟି ଲାପଟପ, ୮୬୫ ଟି ମୋବାଇଲ,୧.୫ କୋଟିରୁ ଅଧିକ ମୂଲ୍ୟର ସମ୍ପତି, ୪୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ୧୬ କୋଟି ଟଙ୍କାର ବ୍ୟାଙ୍କ ଆକାଉଂଟ ଜବତ କରିଛି।

ପ୍ରଥମ ମାମଲା ୩୦.୩.୨୦୨୨ରେ ରୁଜୁ ହୋଇଥିଲା। ଛତିିଶଗଡ଼ ପୁଲିସ ମଧ୍ୟପ୍ରଦେଶ, ଓଡ଼ିଶା, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ଚଢ଼ଉ କରି ଅନେକଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ମହାଦେବ ଆପ ପାଇଁ ଛତିଶଗଡ଼ରେ କୌଣସି ଶାଖା କିମ୍ବା ଅପରେସନ୍ ବେସ୍ ନାହିଁ। ଆପର ମାଷ୍ଟରମାଇଣ୍ଡ ଓ କିଙ୍ଗିପନ୍ ରବି ଉପ୍ପଲ ଓ ସୌରକ ଚନ୍ଦ୍ରାକର ଦୁବାଇରୁ ଆପ୍ ପରିଚାଳନା କରୁଥିବା ଜଣାପଡ଼ିବା ପରେ ଛତିଶଗଡ଼ ପୋଲିସ ୨୦୨୩ ଜୁଲାଇରେ ଲୁକ୍ ଆଉଟ ନୋଟିସ ଜାରି କରିଥିଲା।

ମହାଦେବ ଆପକୁ ଛତିଶଗଡ଼ରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହିତ ସମଗ୍ର ଦେଶରେ ଏହାର ସମସ୍ତ କାର୍ଯ୍ୟକୁ ବନ୍ଦ କରିବା ଏବଂ ଏହାର ସମ୍ପ୍ରସାରଣ ରୋକିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଏସବୁ ସତ୍ୱେ ଏହି ଆପ ଏବେ ବି କାର୍ଯ୍ୟକ୍ଷମ ରହିଛି।

ମୋଦି-ଶାହା-ସିତାରାମନଙ୍କ ଆର୍ଥିକ ମାଷ୍ଟରକ୍ଲାସ ଭାରତରେ ସମସ୍ତ ଅନ୍‌ଲାଇନ ଜୁଆଖେଳକୁ ବୈଧ କରିବା ପାଇଁ ନିଷ୍ପତି ନେଲେ ଏବଂ ଏହି ଅସାଧୁ କାର୍ଯ୍ୟକଳାପ ଉପରେ ୨୮% ଜିଏସ୍ଟି ଲାଗୁ କଲେ। କଥିତ ଅପରାଧୀ ମହାଦେବ ଆପର ପରିଚାଳନାଗତ ସ୍ଥିତିକୁ ଦେଖିଲେ, ଆମର ବିଶ୍ୱାସ ଯେହେତୁ ବିଜେପିକୁ ମହାଦେବ ଆପ୍ ଦ୍ୱାରା ପାଣ୍ଠି ପ୍ରଦାନ କରାଯାଇଛି ତେଣୁ ସେ ମୁକ୍ତ ଭାବରେ ତା’ର ଅନୈତିକ କାର୍ଯ୍ୟ ଜାରିରଖିଛି। ଦଳକୁ ପାଣ୍ଠି ଯୋଗାଣ ବନ୍ଦ ହୋଇଯିବା ଆଶଙ୍କାରେ ବିଜେପି କିଙ୍ଗିପନ୍‌କୁ ଗିରଫ କରିବାକୁ ପଛଘୁଂଚା ଦେଉଛି।

ଶ୍ରୀକାନୁନ୍‌ଗୋ ବିଜେପିକୁ ତିନୋଟି ପ୍ରଶ୍ନ କରିଛନ୍ତି।

(୧) ବିଜେପି କାହିଁକି ଅନ୍‌ଲାଇନ୍ ଜୁଆଖେଳ ଉପରେ ୨୮ % ଜିଏସ୍‌ଟି ଲଗେଇ ତାକୁ ବୈଧତା ପ୍ରଦାନ କରିଛି?

(୨) ମହାଦେବ ବେଟିଂ ଆପ୍‌ର ମୁଖ୍ୟ ଅଭିଯୁକ୍ତକୁ ଦୁବାଇରୁ କାହିଁକି ଗିରଫ କରାଯାଇ ନାହିଁ।

(୩) ମହାଦେବ ବେଟିଂ ଆପ୍‌କୁ କେନ୍ଦ୍ର ସରକାର ବର୍ତମାନ ସୁଧା ସମଗ୍ର ଦେଶରେ କାହିଁକି ନିଷେଧ କରିନାହାନ୍ତି।

ଏ ସମସ୍ତ ପ୍ରକ୍ରିୟାକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଛତିଶଗଡ଼ ରାଜ୍ୟ ନିର୍ବାଚନରେ ନିଜର ପରାଜୟକୁ ନେଇ ଭିତତ୍ରସ୍ତ ବିଜେପି କଂଗ୍ରେସ ସରକାରକୁ ବଦନାମ କରିବା ଏବଂ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରିବା ପାଇଁ ଇଡ଼ିର ସହାୟତା ନେଉଛନ୍ତି।

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ରାଜନୈତିକ ପରାମର୍ଶଦାତା ଏବଂ ଅନ୍ୟ ନିକଟ ସମ୍ପର୍କୀୟଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ କୋର୍ଟରେ ଯେଉଁ ଚାର୍ଜସିଟ୍ ଦାଖଲ କଲା ସେଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଏହି ସମସ୍ତ ଲୋକଙ୍କ ଠାରୁ କୌଣସି ଆପତ୍ତିଜନକ ପ୍ରମାଣ ମିଳି ନାହିଁ।

ମୁଖପାତ୍ର ଶ୍ରୀପ୍ରଶାନ୍ତ ଶତପଥି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରତ୍ୟେକ ଦିନ କ୍ରିପ୍‌ଟୋ କରେ୍‌ନ୍ସିର ନିବେଶକମାନେ ଶହ ଶହ କୋଟି ଟଙ୍କା ଠକାମିର ଶିକାର ହେଉଥିବାବେଳେ ମୋଦୀ ସରକାର ତା’ ଉପରେ ଇନ୍‌କମ୍ ଟ୍ୟାକ୍ସ ଆଦାୟ କରିବାକୁ ନିଷ୍ପତି ନେଇ ତାକୁ ମଧ୍ୟ ବୈଧତା ପ୍ରଦାନ କରିଦେଲେ। ଭର୍ଚୁଆଲ୍ ଡିଜିଟାଲ ଆସେଟ୍ ନାମରେ କ୍ରିପ୍‌ଟୋ କରେ୍‌ନ୍ସି ଉପରେ ଇନ୍‌କମ୍ ଟ୍ୟାକ୍ସ ଆଦାୟ କରାଯାଉଛି।

ସେ ଅନ୍‌ଲାଇନ୍ ଜୁଆଖେଳ ହେଉ ଅବା କ୍ରିପ୍‌ଟୋ କରେ୍‌ନ୍ସି ଯେଉଁଥିରେ ସାଧାରଣ ଲୋକ ହଜାର ହଜାର କୋଟି ଟଙ୍କା ଠକେଇର ଶିକାର ହୂୁଅନ୍ତି ତାକୁ ବୈଧତା ପ୍ରଦାନ କରିବା କେତେ ଯୁକ୍ତିଯୁକ୍ତ? ମୋଦୀ ଶାସନ କ୍ଷମତାକୁ ଆସିବା ପରଠାରୁ ଆଜିପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ୱ କେସ୍ ଇଡ଼ି ଫାଇଲ କରିଛି। ଯେଉଁଥିରେ ହଜାରରୁ ଅଧିକ ଗିରଫଦାରି ମଧ୍ୟ ହୋଇଛି। କିନ୍ତୁ ଶୁଣାଣି ଏବଂ ସଜା ହୋଇଛି ମାତ୍ର ୨୪ ଟି କେସ୍‌ରେ।

ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ରାଜନୈତିକ ଉଦ୍ଦେଶ୍ୟରେ ବିରୋଧିଦଳ ନେତାଙ୍କୁ ହଇରାଣ କରିବା ପାଇଁ ଇଡ଼ିକୁ ବିଜେପି ତା’ର ମୁଖ୍ୟ ଅସ୍ତ୍ରରୁପେ ବ୍ୟବହାର କରୁଛି। ଅନ୍ୟତମ ମୁଖପାତ୍ର ଶ୍ରୀ ଅମୀୟ ପାଣ୍ଡବ ବିଜେପିକୁ ଆହ୍ୱାନ ଦେଇ କହିଥିଲେ ଯେ ଯଦି ସତ୍‌ସାହାସ ଅଛି ତେବେ ଦେଶରେ ତୁରନ୍ତ ଅନ୍‌ଲାଇନ୍ ବେଟିଂ ଆପ୍‌କୁ ବ୍ୟାନ କରିବା ସହିତ ମହାଦେବ ବେଟିଂ ଆପ୍‌ର ମୁଖ୍ୟ କାର୍ପେଟ୍‌ଦାର୍‌କୁ ଦୁବାଇରୁ ଗିରଫ କରାଯାଉ। ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ରଜନୀ ମହାନ୍ତି ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛତିଶଗଡ: ନିର୍ବାଚନର ୩ ଦିନ ପୂର୍ବରୁ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଦେବାର ତିନି ଦିନ ପୂର୍ବରୁ ମାଓବାଦୀମାନେ ପ୍ରଚାର କରୁଥିବା ଜଣେ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ରତନ ଦୁବେ ବିଜେପିର ନାରାୟଣପୁର ଜିଲ୍ଲା ୟୁନିଟ୍ ର ଉପାଧ୍ୟକ୍ଷ ଥିଲେ।

ପୋଲିସର ସୂଚନା ଅନୁଯାୟୀ, ରତନ ଦୁବେ ଛତିଶଗଡ ନିର୍ବାଚନ ପାଇଁ ପ୍ରଚାର କରୁଥିଲେ। ଏହି ସମୟ ମଧ୍ୟରେ ନକ୍ସଲମାନେ ତାଙ୍କୁ ଟାର୍ଗେଟ କରିଥିଲେ। ମୃତ ବିଜେପି ନେତା ମଧ୍ୟ ନାରାୟଣପୁର ଜିଲ୍ଲା ଉପାଧ୍ୟକ୍ଷ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଚିଠା ଭୋଟର ତାଲିକା, ଜାଣନ୍ତୁ ଭୁଲ ଥିଲେ କିପରି କରିବେ ସଂଶୋଧନ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ନିତାନ୍ତ ପ୍ରୟୋଜନ ବୋଲି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୧ ଅକ୍ବୋବର୨୦୨୪ ତାରିଖକୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ଚାଲୁରହିଛି। ଆସନ୍ତା ୨୭ ଅକ୍ବୋବର ୨୦୨୩ ତାରିଖ ଶୁକ୍ରବାର ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଓ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ୫ ଜାନୁୟାରୀ ୨୦୨୪ ତାରିଖ ଶୁକ୍ରବାର ଦିନ ପ୍ରକାଶ ପାଇବ ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି।

ଚିଠା ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଓ ଜିଲ୍ଲାସ୍ତରରେ ରାଜନୈତିକ ଦଳମାନେ ଭୋଟର ପଞ୍ଜିକରଣ ଅଧିକାରୀଙ୍କଠାରୁ ଚିଠା ଭୋଟର ତାଲିକାର ଏକକିତା ଲେଖାଏଁ ନକଲ କପି ପାଇ ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି।

ପ୍ରକାଶିତ ଭୋଟର ତାଲିକାରେ ଥିବା ଦୋଷତ୍ରୁଟିକୁ ସୁଧାରିବା ପାଇଁ  ୨୭ ଅକ୍ବୋବର ୨୦୨୩ ତାରିଖଠାରୁ ୦୯ ଡିସେମ୍ବର ୨୦୨୩ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଆସନ୍ତା ୨୬ ଡିସେମ୍ବର ୨୦୨୩ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବୈଠକରେ ସୂଚନା ଦେଇଛନ୍ତି।

୧୮-୧୯ ବର୍ଷ ବର୍ଗର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ଆସନ୍ତା ନଭେମ୍ବର ମାସରେ ଦୁଇ ଗୋଟି ରବିବାର ଯଥା- ନଭେମ୍ବର ୫ ତାରିଖ ଓ ନଭେମ୍ବର ୧୯ ତାରିଖ ଏବଂ ଦୁଇ ଗୋଟି ଶନିବାର ଯଥା-ନଭେମ୍ବର ୧୧ ତାରିଖ ଓ ନଭେମ୍ବର ୨୫ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରିଛନ୍ତି।

ଏହି ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଯୋଗ୍ୟ ଭୋଟରମାନଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବାରେ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଯୋଗୁ (ବୁଥପ୍ରତି ସର୍ବାଧିକ ୧୫୦୦ ଭୋଟର) ନିର୍ବାଚନ ଆୟୋଗ ୨୧୬ ଗୋଟି ନୂତନ ଭୋଟ ଗ୍ରହଣ କେନ୍ଦ୍ର ସୃଷ୍ଟି କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ଭୋଟ ଗ୍ରହଣ କେନ୍ଦ୍ର ହେଉଛି ୩୭୮୦୯ ଏବଂ ଏହା ପୂର୍ବରୁ ୩୭୬୦୬ ଥିଲା। ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍‌ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ମୃତ ଭୋଟରଙ୍କ ତାଲିକା ବିଏଲ୍‌ଓଙ୍କ ଜରିଆରେ ପ୍ରଦାନ କଲେ ସେଗୁଡ଼ିକୁ ଯାଞ୍ଚ କରାଯାଇ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ
ଦିଆଯିବ।

ଏତଦ୍‌ବ୍ୟତୀତ ଭୋଟରମାନେ ଘରେ ବସି ମୋବାଇଲ୍‌ ମାଧ୍ୟମରେ ଭୋଟର ତାଲିକାରେ ସେମାନଙ୍କ ନାମ ଅଛି କି ନାହିଁ ଜାଣି ପାରିବେ। ନିର୍ବାଚନ ଆୟୋଗଙ୍କ େୱବ୍‌ସାଇଟ୍‌କୁ ଯାଇ ଭୋଟର ହେଲପ୍‌ଲାଇନ୍‌ ଆପ୍‌କୁ ବ୍ୟବହାର କରି ଫଟୋ ପରିଚୟ ପତ୍ରରେ ଥିବା ନମ୍ବରକୁ ବ୍ୟବହାର କଲେ ଭୋଟରଙ୍କ ସଂପୂର୍ଣ୍ଣ ବିବରଣୀ ପାଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି।

ଏହି ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି, ବହୁଜନ ସମାଜ ପାର୍ଟିର ଓଡ଼ିଶା ଶାଖା ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ମାର୍କସିଷ୍ଟ)ର ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ ଓ ପ୍ରକାଶ ମିଶ୍ର, ଆମ୍‌ ଆଦ୍‌ମୀ ପାର୍ଟିର ସାଧାରଣ ସଂପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।