ନବୀନ ପଟ୍ଟନାୟକଙ୍କ ଷଷ୍ଠ ପାଳିରେ ଆସିବ ସ୍ବତନ୍ତ୍ର ଯୁବ ବଜେଟ, ନିର୍ବାଚନ ପାଇଁ ବସିଲା ବିଜୁ ଯୁବ ଜନତା ବୈଠକ

Published: Mar 29, 2024, 9:08 pm IST

ଭୁବନେଶ୍ୱର: ଓଡ଼ିଶାର ଯୁବବର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଶାସନରେ ସ୍ୱତନ୍ତ୍ର ଯୁବ ବଜେଟ ଆସିବ। ନବୀନଙ୍କ ଷଷ୍ଠ ପାଳିରେ ଏହା ପ୍ରଥମ ଦିଗ ରହିଛି ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳ।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି ଯେ ଯୁବବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କ ଦଶନ୍ଧି । ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟ ସବୁ ରାଜ୍ୟରେ ଛାତ୍ରବୃତ୍ତି ୨୦ରୁ ୨୫% ରହିଛି। ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିଗ ଦର୍ଶନ ଦେଇଛନ୍ତି।

ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି, ଜୋନ ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଯୁବକ ହେଉଛନ୍ତି ରାଜ୍ୟ ଗଠନର ସୂତ୍ରଧର। ରାଜ୍ୟର ଯୁବଗୋଷ୍ଠୀ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ ଓ ଚିନ୍ତାଶୀଳ ଅଟନ୍ତି। ସେଥିପାଇଁ ଓଡ଼ିଶାର ଯୁବବର୍ଗ ନବୀନ ବାବୁଙ୍କୁ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି ବୋଲି ବ୍ୟୋମକେଶ କହିଛନ୍ତି।

ଏହି ବୈଠକରେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବିରୋଧୀଙ୍କ ଅପପ୍ରଚାରକୁ ସାମାଜିକ ଗଣମାଧ୍ୟମରେ କଡ଼ା ଜବାବ ଦେବା ସହ ସାଙ୍ଗଠନିକ ସ୍ତରରେ ଯୁବ ଜନତା ଦଳର ଲଢ଼େଇ ଦୁର୍ବାର ରହିବ। ବିରୋଧୀ ଜାତୀୟ ଦଳ ପାଇଁ ନିଜ ପାର୍ଟି ଆଗ ଓ ମାଟି ପଛ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି ଓଡ଼ିଆଙ୍କ ବିକାଶ ସଦାସର୍ବଦା ଆଗରେ ରହିଛି।
ନିଜ ବକ୍ତବ୍ୟରେ ସାଧାରଣ ସମ୍ପାଦକ (ଛାତ୍ର ଯୁବ ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ, ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ଶପଥ ନେବା ସହିତ ବିଜୁ ଜନତା ଦଳ ରେକର୍ଡ଼ ସଂଖ୍ୟକ ଆସନ ଅକ୍ତିଆର କରି ଓଡ଼ିଶା ରାଜନୀତିରେ ଇତିହାସ ରଚିବ।

ଶେଷରେ ବିଜୁ ଯୁବ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଆଜିର କାର୍ଯ୍ୟକ୍ରମ ବିଷୟରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଧୃତିରଞ୍ଜନ ମାର୍ଥା, ଶୁଭେନ୍ଦୁ ମଙ୍ଗରାଜ, ଉପସଭାପତି ସୋଫିଆ ଆଲାମ, ସାଧାରଣ ସମ୍ପାଦିକା ମଧୁସ୍ମିତା ନାୟକ, ମହିକ୍ଷୀତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts