Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ବାଚାଳ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି।

୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି।

ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ ବିନ୍ଧେ, ଦୁଇ-ତିନି ଦିନ ନିଦ ନ ହେଲେ ମୁଣ୍ଡ ବୁଲାଇବା ଆରମ୍ଭ କରେ। କିନ୍ତୁ ବର୍ଷେ ଦି ବର୍ଷ ନ ଶୋଇଲେ ଜାଣିଛନ୍ତି କଣ ହୁଏ ? ବାଚାଳାମୀ ଆରମ୍ଭ ହୁଏ । ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ। ସେବେଠାରୁ ବିରୋଧୀଙ୍କ ଆଖିରେ ନିଦ ନାହିଁ। ତେଣୁ ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି, ଏଣୁତେଣୁ ଗପୁଛନ୍ତି ।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ। ତାଙ୍କ ହୃଦୟରେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି। ତାଙ୍କର ଦୃଢ ବିଶ୍ବାସ ଯେ ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ତେଣୁ ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ କରାଯାଉଛି। ଏ କଥା କେଉଁ ରାଜ୍ୟ ବି ଚିନ୍ତା କରିନାହିଁ।

ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଆପଣଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଅଫିସର ହେଲେ ଆପଣଙ୍କର ଉନ୍ନତି ହେବ, ଆପଣଙ୍କ ପରିବାରର ଉନ୍ନତି ହେବ, ଓଡିଶା ତଥା ଦେଶର ଉନ୍ନତି ହେବ। ତେଣୁ ସେ ସ୍କୁଲ କଲେଜ ହଷ୍ଟେଲ କରି ଶିକ୍ଷାର ବିକାଶ କରୁଛନ୍ତି। ଓଡିଶାରେ ଦେଶର ସବୁଠାରୁ ଅଧିକ ହଷ୍ଟେଲ ନିର୍ମାଣ କରାଯାଇଛି।

5T ଜରିଆରେ ସ୍କୁଲ କଲେଜର ରୂପାନ୍ତରଣ ହୋଇଛି। ଜନଜାତି ପିଲାଙ୍କୁ ଡବଲ ସ୍କଲାରସିପ୍‌ ମିଳୁଛି। ପୋଷ୍ଟ ମାଟ୍ରିକ ଏବଂ ନୂଆ-ଓ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି। ଅନ୍ବେଷା ହଷ୍ଟେଲରେ ଜନଜାତି ପିଲାମାନେ ଇଂରାଜୀରେ କଥା ହେଉଛନ୍ତି। ବହୁତ ଛୋଟ ଛୋଟ କେସ୍‌ରେ ଆପଣମାନେ କୋର୍ଟ କଚେରୀ ଦୌଡି ଦୌଡି ବହୁତ ହଇରାଣ ହୁଅନ୍ତି। ତେଣୁ ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଥିଲେ ଯେ ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି। ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ, ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ସବୁ ସମାଜର ଭଲ ହେଉ, ଏହା ତାଙ୍କର ଉଦ୍ଦେଶ୍ୟ।

ବିରୋଧୀ ଦଳକୁ ଟାର୍ଗେଟ କରି ସେ ପୁଣି କହିଲେ ଯେ ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ। ବଡ ବଡ କଥା କହି ପଳେଇବେ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରୁଛନ୍ତି। କାମର ଗୋଟି ଗୋଟି ହିସାବ ଦେଉଛନ୍ତି। ଆମେ ସମସ୍ତେ ହିସାବ ଦେଉଛୁ। ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି।

ଡାବୁଗାଁ ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିକାଶ କାମର ହିସାବ ଦେଇ ସେ କହିଲେ ଯେ କୋଷାଗୁମୁଡା ଭାୟା ମୋଟିଗାଁ ଓ କୋଟାଗାଁ ଦେଇ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରମ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପାପଡାହାଣ୍ଡି- କୁଡିଗାଁ-କୋଷାଗୁମୁଡା ରାସ୍ତା ପାଇଁ ୪୫ କୋଟି ଟଙ୍କା।

ଡାବୁଗାଁ-ଉମରହାଣ୍ଡି ରାସ୍ତାରେ ଅଙ୍ଗୀ ନଦୀ ଉପରେ ସେତୁ ପାଇଁ ୯.୬୦ କୋଟି ଟଙ୍କା। PWD ରୋଡ-ଏକୋରୀ ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ ପାଇଁ ୮.୬୦ କୋଟି ଟଙ୍କା। ବିଭିନ୍ନ ମଠ ମନ୍ଦିର, ପୂଜାସ୍ଥଳୀ ଓ ଧାର୍ମୀକ ଅନୁଷ୍ଠାନର ସଂରକ୍ଷଣ ଓ ସୁରକ୍ଷା ପାଇଁ ୩.୭୦ କୋଟି ଟଙ୍କା। ଡାବୁଗାଁର ୮୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ମେଡେନାର ରାଜୁ ଖାଁ ୫ ଲକ୍ଷ ଓ ଖୁଟୁବାଇର ବିମଳା ମେହେଟା ୫ ଲକ୍ଷ ଟଙ୍କା ଜରିଆରେ ଉପକୃତ ହୋଇଛନ୍ତି।

ସେହିପରି ନବରଙ୍ଗପୁରରେ କାମର ହିସାବ ଦେଇ ସେ କହିଲେ ଯେ ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡାରେ ଦୁଇଟି ସରକାରୀ କଲେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ନନ୍ଦାହାଣ୍ଡିରେ ମେଗାଲିଫ୍ଟ ଜରିଆରେ ଜଳସେଚନ ସୁବିଧାର ବିକାଶ କାମ ଚାଲିଛି। କୋଡିଙ୍ଗା-ଚନ୍ଦାହାଣ୍ଡି ରାସ୍ତା ପାଇଁ ୪୪ କୋଟି । ପୋଦଲଗୁଡା-ଦୁଲୁଘାଟି ରାସ୍ତା ପାଇଁ ୪୫ କୋଟି । ମଙ୍ଗଳଦୋରା ଜଳପ୍ରପାତର ବିକାଶ ପାଇଁ ୩.୨୦ କୋଟି। ମଣ୍ଡାଡୁଙ୍ଗୁରୀ ଶିବ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପିର ପ୍ରଚାରରେ କେତେ ବଦଳିଛି ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ କମ୍ ମତଦାନ ଭାରତୀୟ ଜନତା ପାର୍ଟିକୁ ନିଜର ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ଏପର୍ଯ୍ୟନ୍ତ ନିରବ ଥିବା ପ୍ରସଙ୍ଗକୁ ନେଇ ଦଳର ଜାତୀୟ ଅଭିଯାନ ଅଧିକ ପ୍ରଭାବିତ ହେଉଛି।

ଏପ୍ରିଲ ୧୯ରେ ଦେଶର ୧୦୨ଟି ଲୋକସଭା ଆସନରେ ମତଦାନ ହୋଇଛି। ଏହି ୧୦୨ଟି ଆସନରେ ୪ ପ୍ରତିଶତ ମତଦାନ କମ୍‍ ହୋଇଥିବାବେଳେ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି ମାମଲା ମୁଖର ହୋଇଛି।

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ରାଜସ୍ଥାନର ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପୁରୁଣା ଶୈଳୀରେ ମୁଖ୍ୟ ପ୍ରସଙ୍ଗ ଉପରେ କହିବା ଆରମ୍ଭ କରିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୁସଲମାନ, ରାମନବମୀ ଏବଂ କଂଗ୍ରେସର ତୁଷ୍ଟୀକରଣ ବିଷୟରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବିଜେପିର ଶୀର୍ଷ ନେତାମାନେ ବିଗତ ୫ ବର୍ଷ ଧରି ‘ବିକଶିତ ଭାରତ’, ‘୪୦୦ ପାର୍‍’ ଏବଂ ‘ତୃତୀୟ ବୃହତ୍ତମ ଅର୍ଥନୀତି’ ସ୍ଲୋଗାନରେ ଲୁଚି ରହିଥିବା ପ୍ରସଙ୍ଗ ଉଠାଇବା ଆରମ୍ଭ କରିଛନ୍ତି।

କେତେ ବଦଳିଲା ବିଜେପିର ପ୍ରଚାର ?

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଂଶୱାଡ଼ା, ଟୋଙ୍କ, ସୱାଇ ମାଧୋପୁର, ଛତିଶଗଡ଼ର ସରଗୁଜା, ମହାସମୁନ୍ଦ ଏବଂ ଜାଞ୍ଜଗିର-ଚାମ୍ପାରେ ରାଲି କରିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଭାଷଣ ଦେଇ ବିଜେପିର ପ୍ରଚାରର ଦିଗ ବଦଳାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ୪ଟି ପ୍ରମୁଖ ପ୍ରସଙ୍ଗକୁ ପ୍ରାଥମିକତା ଦେଇଛନ୍ତି।

ପୁଣି ଫେରିଲା କଠୋର ହିନ୍ଦୁତ୍ୱ ପ୍ରସଙ୍ଗ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀ କଠୋର ହିନ୍ଦୁତ୍ୱ ପ୍ରସଙ୍ଗକୁ ଉଠାଇବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ରାଲିରେ ରାମନବମୀ ଏବଂ ହନୁମାନ ଚାଳିସା ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରୁଛନ୍ତି।

ଜାଞ୍ଜଗିର ଲୋକସଭା ଆସନରେ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଶାସନରେ ହନୁମାନ ଚାଳିସା ପଢ଼ିବା ଏକ ଅପରାଧ ଥିଲା। ଆପଣ କଂଗ୍ରେସ ଶାସନ ଉପରେ ଆପଣଙ୍କ ବିଶ୍ୱାସ କରିପାରିବେ ନାହିଁ ।

ଟୋଙ୍କ-ସୱାଇ ମାଧୋପୁରରେ ଆୟୋଜିତ ରାଲିରେ ମୋଦି କହିଥିଲେ, କଂଗ୍ରେସ ଶାସନରେ ରାମଙ୍କ ନାମ ନେବା ମଧ୍ୟ ଅପରାଧ ବୋଲି ବିବେଚନା କରାଯାଉଥିଲା। ଏଠାରେ ରାମ ନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଥିଲା।

ମୁସଲମାନ ଭୟ

ପ୍ରଥମ ପର୍ଯ୍ୟାୟ ପରେ ବିଜେପି, ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଚାରରେ ମୁସଲମାନଙ୍କ ଭୟ ସିଧାସଳଖ ଦେଖାଯାଉଛି। ରାଜସ୍ଥାନର ବାଂଶଓ୍ଵାଡ଼ାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ଆପଣଙ୍କ ସମ୍ପତ୍ତି ଅଧିକ ସନ୍ତାନ ଥିବା ଲୋକଙ୍କ ମଧ୍ୟରେ ବଣ୍ଟନ କରାଯିବ। ଏହି ଲୋକମାନେ ଦେଶର ଅନୁପ୍ରବେଶକାରୀ। ତୁମେ ତୁମର ସମ୍ପତ୍ତି ମୁସଲମାନମାନଙ୍କୁ ଦେବାକୁ ଗ୍ରହଣ କରିବ କି?

ଲକ୍ଷ୍ନୌରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶରିଆ ଆଇନ ବିଷୟରେ ଉଲ୍ଲେଖ କରିଛନ୍ତି। ଯୋଗୀ ତାଙ୍କ ଅଭିଭାଷଣରେ କହିଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଶରିଆ ଆଇନ କାର୍ଯ୍ୟକାରୀ ହେବ।

ଜାତୀୟତାବାଦ ଓ ଆତଙ୍କବାଦ ପ୍ରସଙ୍ଗ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ନିଜର ପ୍ରଚାରରେ ଜାତୀୟତାବାଦ ଓ ଆତଙ୍କବାଦ ପ୍ରସଙ୍ଗକୁ ତୀବ୍ର କରିବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସେମାନଙ୍କ ରାଲିରେ ଏସବୁ ପ୍ରସଙ୍ଗକୁ ଅଧିକ ପ୍ରାଥମିକତା ଦିଆଯାଉଛି।

ସମ୍ବିଧାନ ନ ବଦଳାଇବାର ଭରଷା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପିର ଅନେକ ନେତା ୪୦୦ ପାର୍‍ ହେବାର ସ୍ଲୋଗାନକୁ ସମ୍ବିଧାନ ପରିବର୍ତ୍ତନ ସହ ଯୋଡ଼ିଥିଲେ। ବିରୋଧୀ ଏହାକୁ ଏକ ବଡ଼ ପ୍ରସଙ୍ଗ କରି ଲୋକସଭାର ଏହି ଲଢ଼େଇକୁ ସମ୍ବିଧାନ ରକ୍ଷା ପାଇଁ ଲଢ଼େଇ ସହ ଯୋଡ଼ିଥିଲେ। ପ୍ରଥମ ପର୍ଯ୍ୟାୟ ମତଦାନ ମନ୍ଥର ହେବା ପରେ ବିଜେପିର ବଡ଼ ବଡ଼ ନେତାମାନେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଏବଂ ପ୍ରତ୍ୟେକ ରାଲିରେ ଏହି ପ୍ରସଙ୍ଗ ଉଠାଉଛନ୍ତି। ଛତିଶଗଡ଼ର ରାଲିରେ ନିଜେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମ୍ବିଧାନ ବଦଳିବ ନାହିଁ।

ଏହି ସବୁ କଥା ଆଉ ରାଲିରେ ଉଲ୍ଲେଖ କରାଯାଇନାହିଁ

ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ବିଜେପି ନିଜ ଅଫିସିଆଲ ହ୍ୟାଣ୍ଡେଲରୁ ନିଜ ଇସ୍ତାହାରରେ ଅନେକ କଥା କହିଥିଲା, କିନ୍ତୁ ଗତ ୨ ଦିନ ହେଲା ଇସ୍ତାହାର ପରେ ଦଳର ସୋସିଆଲ ମିଡିଆ ଅଦୃଶ୍ୟ ହୋଇଯାଇଛି।

ସେହିଭଳି ପ୍ରତି ରାଲି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମୀଙ୍କୁ ‘ଅବ୍‍କି ବାର, ୪୦୦ ପାର୍‍’ ସ୍ଲୋଗାନ ଦେଉଥିଲେ, କିନ୍ତୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏହାକୁ ବନ୍ଦ କରି ଦିଆଯାଇଛି।

ଏବେ ପ୍ରତ୍ୟେକ ରାଲି ଶେଷରେ ପ୍ରଧାନମନ୍ତ୍ରୀ କର୍ମୀଙ୍କୁ ଅଧିକରୁ ଅଧିକ ଭୋଟ୍ ପାଇବାପାଇଁ ନିବେଦନ କରୁଛନ୍ତି।