Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ତୋଫାନୀ ଗସ୍ତ କରି ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ କୋରାପୁଟ ପରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।

ଆଜି ସେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଜପତି ଜିଲ୍ଲାର ମୋହନା ଓ ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ଅଞ୍ଚଳ ଗସ୍ତ କରି ଦଳୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ରେକର୍ଡ ମାର୍ଜିନରେ ଭୋଟ ଦେଇ ଜିତେଇବାକୁ ଆହ୍ବାନ ଦେଇଛନ୍ତି। ୯୫ ପ୍ରତିଶତ ଭୋଟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିପୁଳ ବିଜୟ ହାସଲ କରିବାକୁ ନିବେଦନ କରିଛନ୍ତି।

ଆଜି ମଧ୍ୟ ଶ୍ରୀ ପାଣ୍ଡିଆନ ବିରୋଧୀ ଦଳଙ୍କ ପ୍ରତି ଶାଣିତ ନିଶାଣ କରି କହିଥିଲେ ଯେ ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ । ଅପରାଧୀ ମାନଙ୍କ ପାଇଁ ସବୁଠାରୁ ଭଲ ସ୍ଥାନ ହେଉଛି ଜେଲ୍‌। କିନ୍ତୁ ବିରୋଧୀ ତାଙ୍କୁ ପ୍ରାର୍ଥୀ କରୁଛନ୍ତି। ଆମେ ତାଙ୍କୁ ତାଙ୍କର ଉଚିତ ସ୍ଥାନ ଦେଖାଇବା।

ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି ବୋଲି ମତ ଦେଇ ସେ କହିଥିଲେ ଯେ କିନ୍ତୁ କାମ ବେଳକୁ ତାଙ୍କର ଦେଖା ନ ଥାଏ। ଖୋଜିଲେ ବି ପାଇବେନି । ଏଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ।

ବିରୋଧୀ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି। କିନ୍ତୁ ଗରିବ ଲୋକଙ୍କୁ ଭତ୍ତା ଦେଲା ବେଳକୁ  ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଓଡିଶାରେ ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା।

ଚିକିଟିରେ ଦଳର ବରିଷ୍ଠ ନେତ୍ରୀ ଉଷା ଦେବୀଙ୍କୁ ସମ୍ମାନ ଜଣାଇ ସେ କହିଥିଲେ ଯେ ତାଙ୍କ ସହିତ ଗଭୀର ସଂପର୍କ ରହିଛି। ୧୫-୧୬ ବର୍ଷ ହେଲାଣି ମୁଁ ତାଙ୍କୁ ଜାଣିଛି। ସେ ମୋତେ ପୁଅ ବୋଲି ସମ୍ବୋଧନ କରନ୍ତି। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି ବୋଲି ସେ କହିଥିଲେ ।

ଦଳୀୟ କର୍ମୀମାନଙ୍କୁ ସତର୍କ କରି ସେ କହିଥିଲେ ଯେ ଆପଣମାନେ ସଜାଗ ରୁହନ୍ତୁ। ବିରୋଧୀ ପ୍ରାର୍ଥୀମାନେ ଆସୁଛନ୍ତି ଆଉ ଲୋକଙ୍କୁ ମିଛ କହି ଠକୁଛନ୍ତି, ତେଣୁ ଆପଣମାନେ ସତର୍କ ରୁହନ୍ତୁ। ଆସନ୍ତୁ, ଆମେ ସମସ୍ତେ ମିଶି ଭଲ କାମ କରିବା, ଓଡିଶାକୁ ଆଗେଇ ନେବା।

ଐତିହ୍ୟ ସ୍ଥଳ ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁ ସମାଜକୁ ଭଲ ପାଆନ୍ତି, ଆପଣଙ୍କ ବ୍ୟକ୍ତିଗତ ଧାର୍ମିକ ବିଶ୍ବାସକୁ ସମ୍ମାନ ଦିଅନ୍ତି। ତେଣୁ ମଠ ମନ୍ଦିର ଚର୍ଚ୍ଚ ମସଜିଦ୍‌ ଗୁରୁଦ୍ବାର – ସବୁ ପୂଜାସ୍ଥଳୀର ଉନ୍ନତି ପାଇଁ ସେ କାମ କରିଛନ୍ତି।

ମା ମାନଙ୍କୁ ମୁଖ୍ୟମନ୍ତ୍ରୀ ସବୁବେଳେ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି। ସେମାନଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ, ମମତା, ବିନା ସୁଧରେ ଋଣ, ମା ମାନଙ୍କୁ ଦୁବାଇ ଗସ୍ତରେ ପଠାଇବା ଆଦି ଅନେକ କାମ କରିଛନ୍ତି। ସମାଜରେ ମା ମାନଙ୍କୁ ନୂଆ ପରିଚୟ ଦେଇଛନ୍ତି।

ଘରର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ସାହସ ଦେଇଛନ୍ତି, ସେମାନଙ୍କ ପାଇଁ BSKY କରିଛନ୍ତି। ଗରିବ ଲୋକର ଚିକିତ୍ସା ଚିନ୍ତା ଦୂର କରିଛନ୍ତି। ସେମାନେ  ଆଜି ବଡ ବଡ ବେସରକାରୀ ହସ୍‌ପିଟାଲରେ ବିନା ଚିନ୍ତାରେ ଚିକିତ୍ସା ପାଉଛନ୍ତି।

ପିଲାଙ୍କ ଭବିଷ୍ୟତ ପାଇଁ ସେ ହାଇସ୍କୁଲ ରୂପାନ୍ତର କରିଛନ୍ତି। ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର ହୋଇଛି। ଜନଜାତି ପିଲାଙ୍କ ପାଇଁ ହଷ୍ଟେଲ, ଅନ୍ବେଷା ଭଳି କାର୍ଯ୍ୟକ୍ରମ କରିଛନ୍ତି।

ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ନେତା ଯିଏ ଆମକୁ ଲୋକଙ୍କ ପାଇଁ କଣ କାମ କରିଛ, ତାର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ତେଣୁ ଆଜି ମୁଁ ଆପଣଙ୍କ ଅଞ୍ଚଳରେ ବିକାଶ କାମର ପୁରା ହିସାବ ଦେବି।

ଆପଣମାନଙ୍କ ଅନୁରୋଧ କ୍ରମେ ମୋହନାରେ ୧୮୦ କୋଟି ଟଙ୍କାର କାମ ଚାଲିଛି। ଲିଙ୍ଗଧାରା ମନ୍ଦିର ପାରିପାର୍ଶିକ ବିକାଶ ପାଇଁ ୧.୫୦ କୋଟି ଟଙ୍କା, ଛେଳିଗଡ ଶିବ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ଆତିଲିମା କାଥୋଲିକ ଚର୍ଚ୍ଚ ପାଇଁ ୨୦ ଲକ୍ଷ ଟଙ୍କା, ଗଜପତି ଖ୍ରୀଷ୍ଟିଆନ ଆସୋସିଏସନ ମିଟିଂ ହଲ୍‌ ପାଇଁ ୨୦ ଲକ୍ଷ ଟଙ୍କା, କରୋଡାସିଂ ଠାରେ ମହେନ୍ଦ୍ରତନୟା ନଦୀ ଉପରେ ହାଇଲେଭଲ ସେତୁ ପାଇଁ ୧୯ କୋଟି ଟଙ୍କା, ସାଇଧିବା ଓ ନିଶଙ୍କପୁର ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ଡମ୍ବାଲା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୫ କୋଟି ଟଙ୍କା, ରୁଇସିଙ୍ଗା ନାଳ ଉପରେ  ସେତୁ ପାଇଁ ୪.୮୦ କୋଟି ଟଙ୍କା, ମୁରାଇସାହି ନାଳ ଉପରେ ସେତୁ ପାଇଁ ୪.୫୦ କୋଟି ଟଙ୍କା, ଲାଇବା-ଅଟାଇସିଂ ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ବୋରିଅଲ-କନିମୁଣ୍ଡା ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ପେଲାର ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ବାଉଁଶ ଗାଁ  ନାଳ ଉପରେ  ସେତୁ ପାଇଁ ୩.୩୦ କୋଟି ଟଙ୍କା, ମୋହନାରେ ୪ଟି ସ୍ବତନ୍ତ୍ର ଜନଜାତି ହଷ୍ଟେଲ ପାଇଁ ଅନୁମୋଦନ, ଅନ୍ତରବା ହାଇସ୍କୁଲକୁ ହାଇରସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ଏବଂ ଅନୁଗୁରୁ ଠାରେ ୨୪୦ ସିଟ୍‌ ବିଶିଷ୍ଟ ଏକ ଜନଜାତି ହଷ୍ଟେଲ କାମ ଚାଲିଛି।

ସେହିପରି ଚିକିଟିରେ ୪୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ। ଏଥିସହିତ ଭୈରବୀ ଚଞ୍ଚଡା ମନ୍ଦିର ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା, ବାଳକୁମାରୀ ମନ୍ଦିର ପାଇଁ ୧ କୋଟି ୯୦ ଲକ୍ଷ, ରାମାୟାପାଟଣା ଠାରେ ତଟ ସୁରକ୍ଷା ପାଇଁ ୨୩ କୋଟି ଟଙ୍କା, ପାତ୍ରପୁର ଓ ଚିକିଟି ବ୍ଲକ୍‌କୁ ଭାଘଲଟି ଡ୍ୟାମ୍‌ରୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୪୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ । BSKYରେ ଚିକିଟି ଅଞ୍ଚଳର ୬୧ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି ଏବଂ ଚିକିଟିର କେ ଚିନାମା ଏବଂ ପାତ୍ରପୁର ଅଞ୍ଚଳର ତପସ୍ବିନୀ ପଣ୍ଡା ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଲେଖାଏ ପାଇ ଚିକିତ୍ସିତ ହୋଇଛନ୍ତି ବୋଲି ସେ କହିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରବଳ ତାତିରେ ପ୍ରଚାର କଲା ବେଳେ ସାମ୍ବାଦିକ ସହ ପଖାଳ ଖାଇଲେ ପାଣ୍ଡିଆନ, କଣ ଥିଲା ତରକାରୀ ?

ଭୁବନେଶ୍ବର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି 5T ଅଧକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ।

କଲାହାଣ୍ଡି ର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସାଥୀ ରେ ଥିଲେ ପ୍ରଚାର କଭରେଜ କରିବାକୁ ଆସିଥିବା India Today TV ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ।

ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ। କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭରତା ଆଉ ଦହି ର ମଜ୍ଜା ନେଇ ଥିଲେ ଉଭୟ ପାଣ୍ଡିଆନ ଏବଂ କନୱାଲ।

ସମ୍ପୂର୍ଣ ନିରାମିଷ ଖାଦ୍ୟ। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଶ୍ରୀ ପାଣ୍ଡିଆନଙ୍କ ର ଖୁବ ପସନ୍ଦ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ର ମଧ୍ୟ ବହୁତ ପ୍ରିୟ ପଖାଳ। ପଖାଳ ର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲ ଙ୍କୁ ବୁଝାଇବା ସହ ଓଡ଼ିଆଙ୍କ ର ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥିମାନଙ୍କୁ ପରଷି ଥାନ୍ତି ସେ ବିଷୟରେ ଶ୍ରୀ ପାଣ୍ଡିଆନ ଖାଇବାବେଳେ କହିଥିଲେ। ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ବାଚାଳ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି।

୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି।

ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ ବିନ୍ଧେ, ଦୁଇ-ତିନି ଦିନ ନିଦ ନ ହେଲେ ମୁଣ୍ଡ ବୁଲାଇବା ଆରମ୍ଭ କରେ। କିନ୍ତୁ ବର୍ଷେ ଦି ବର୍ଷ ନ ଶୋଇଲେ ଜାଣିଛନ୍ତି କଣ ହୁଏ ? ବାଚାଳାମୀ ଆରମ୍ଭ ହୁଏ । ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ। ସେବେଠାରୁ ବିରୋଧୀଙ୍କ ଆଖିରେ ନିଦ ନାହିଁ। ତେଣୁ ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି, ଏଣୁତେଣୁ ଗପୁଛନ୍ତି ।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ। ତାଙ୍କ ହୃଦୟରେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି। ତାଙ୍କର ଦୃଢ ବିଶ୍ବାସ ଯେ ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ତେଣୁ ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ କରାଯାଉଛି। ଏ କଥା କେଉଁ ରାଜ୍ୟ ବି ଚିନ୍ତା କରିନାହିଁ।

ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଆପଣଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଅଫିସର ହେଲେ ଆପଣଙ୍କର ଉନ୍ନତି ହେବ, ଆପଣଙ୍କ ପରିବାରର ଉନ୍ନତି ହେବ, ଓଡିଶା ତଥା ଦେଶର ଉନ୍ନତି ହେବ। ତେଣୁ ସେ ସ୍କୁଲ କଲେଜ ହଷ୍ଟେଲ କରି ଶିକ୍ଷାର ବିକାଶ କରୁଛନ୍ତି। ଓଡିଶାରେ ଦେଶର ସବୁଠାରୁ ଅଧିକ ହଷ୍ଟେଲ ନିର୍ମାଣ କରାଯାଇଛି।

5T ଜରିଆରେ ସ୍କୁଲ କଲେଜର ରୂପାନ୍ତରଣ ହୋଇଛି। ଜନଜାତି ପିଲାଙ୍କୁ ଡବଲ ସ୍କଲାରସିପ୍‌ ମିଳୁଛି। ପୋଷ୍ଟ ମାଟ୍ରିକ ଏବଂ ନୂଆ-ଓ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି। ଅନ୍ବେଷା ହଷ୍ଟେଲରେ ଜନଜାତି ପିଲାମାନେ ଇଂରାଜୀରେ କଥା ହେଉଛନ୍ତି। ବହୁତ ଛୋଟ ଛୋଟ କେସ୍‌ରେ ଆପଣମାନେ କୋର୍ଟ କଚେରୀ ଦୌଡି ଦୌଡି ବହୁତ ହଇରାଣ ହୁଅନ୍ତି। ତେଣୁ ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଥିଲେ ଯେ ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି। ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ, ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ସବୁ ସମାଜର ଭଲ ହେଉ, ଏହା ତାଙ୍କର ଉଦ୍ଦେଶ୍ୟ।

ବିରୋଧୀ ଦଳକୁ ଟାର୍ଗେଟ କରି ସେ ପୁଣି କହିଲେ ଯେ ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ। ବଡ ବଡ କଥା କହି ପଳେଇବେ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରୁଛନ୍ତି। କାମର ଗୋଟି ଗୋଟି ହିସାବ ଦେଉଛନ୍ତି। ଆମେ ସମସ୍ତେ ହିସାବ ଦେଉଛୁ। ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି।

ଡାବୁଗାଁ ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିକାଶ କାମର ହିସାବ ଦେଇ ସେ କହିଲେ ଯେ କୋଷାଗୁମୁଡା ଭାୟା ମୋଟିଗାଁ ଓ କୋଟାଗାଁ ଦେଇ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରମ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପାପଡାହାଣ୍ଡି- କୁଡିଗାଁ-କୋଷାଗୁମୁଡା ରାସ୍ତା ପାଇଁ ୪୫ କୋଟି ଟଙ୍କା।

ଡାବୁଗାଁ-ଉମରହାଣ୍ଡି ରାସ୍ତାରେ ଅଙ୍ଗୀ ନଦୀ ଉପରେ ସେତୁ ପାଇଁ ୯.୬୦ କୋଟି ଟଙ୍କା। PWD ରୋଡ-ଏକୋରୀ ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ ପାଇଁ ୮.୬୦ କୋଟି ଟଙ୍କା। ବିଭିନ୍ନ ମଠ ମନ୍ଦିର, ପୂଜାସ୍ଥଳୀ ଓ ଧାର୍ମୀକ ଅନୁଷ୍ଠାନର ସଂରକ୍ଷଣ ଓ ସୁରକ୍ଷା ପାଇଁ ୩.୭୦ କୋଟି ଟଙ୍କା। ଡାବୁଗାଁର ୮୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ମେଡେନାର ରାଜୁ ଖାଁ ୫ ଲକ୍ଷ ଓ ଖୁଟୁବାଇର ବିମଳା ମେହେଟା ୫ ଲକ୍ଷ ଟଙ୍କା ଜରିଆରେ ଉପକୃତ ହୋଇଛନ୍ତି।

ସେହିପରି ନବରଙ୍ଗପୁରରେ କାମର ହିସାବ ଦେଇ ସେ କହିଲେ ଯେ ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡାରେ ଦୁଇଟି ସରକାରୀ କଲେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ନନ୍ଦାହାଣ୍ଡିରେ ମେଗାଲିଫ୍ଟ ଜରିଆରେ ଜଳସେଚନ ସୁବିଧାର ବିକାଶ କାମ ଚାଲିଛି। କୋଡିଙ୍ଗା-ଚନ୍ଦାହାଣ୍ଡି ରାସ୍ତା ପାଇଁ ୪୪ କୋଟି । ପୋଦଲଗୁଡା-ଦୁଲୁଘାଟି ରାସ୍ତା ପାଇଁ ୪୫ କୋଟି । ମଙ୍ଗଳଦୋରା ଜଳପ୍ରପାତର ବିକାଶ ପାଇଁ ୩.୨୦ କୋଟି। ମଣ୍ଡାଡୁଙ୍ଗୁରୀ ଶିବ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ହେଲିକାପ୍ଟରକୁ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ, ଜାଣନ୍ତୁ କଣ ମିଳିଲା

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକାପ୍ଟରକୁ ଯାଞ୍ଚ କରିଛନ୍ତି ନିର୍ବାଚନ ଅଧିକାରୀ। ଆଜି ପାଣ୍ଡିଆନ ଉମରକୋଟ ଗସ୍ତ ବେଳେ ଏହି ଯାଞ୍ଚ କରାଯାଇଥିବାର ଜଣାପଡିଛି। ତେବେ ସେତେବେଳେ ପାଣ୍ଡିଆନ ସେହି ହେଲିକାପ୍ଟରରୁ ଓହ୍ଲାଇ ସଭା ମଞ୍ଚକୁ ଚାଲିଯାଇଥିଲେ।

ହେଲିପ୍ୟାଡରେ ନିର୍ବାଚନ ଅଧିକାରୀମାନେ ପହଞ୍ଚି ବହୁ ସମୟ ଧରି ଯାଞ୍ଚ କରିଥିଲେ। ହେଲିକାପ୍ଟରର ସିଟଠାରୁ ଆରମ୍ଭ କରି ଭିତରେ ଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।ହେଲେ ସେମାନେ କୌଣସି ଜିନିଷ ପାଇ ନ ଥିବାର ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଜୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ତାଙ୍କୁ ଅନୁରୋଧ ସେ ମା ମାନଙ୍କୁ ବାରମ୍ବାର ଅପମାନିତ ନ କରନ୍ତୁ, ମା ମାନେ ତାଙ୍କୁ ଉଚିତ ଜବାବ ଦେବେ।
ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ, ସେମାନେ ଉତ୍ତର ଦେଇପାରିବେ ନାହିଁ।

ସେ କହିଲେ ଯେ କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି। କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ। ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର 5-Tରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି।

ସେ କହିଲେ ଯେ ବିକାଶ ପାଇଁ ଶାନ୍ତି ଦରକାର। ଶାନ୍ତି ଥିଲେ ପ୍ରଗତୀ ଆସେ। ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ କଥା ଉଠାଇ ସେ କହିଲେ ଦେଖନ୍ତୁ, ସେଠାରେ ବାରମ୍ବାର ସରକାର ବଦଳୁଛି,କିନ୍ତୁ ଶାନ୍ତି ନାହିଁ ।

ଆମ ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି,ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି।

ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଆପଣାନେ ଆଉ ହଇରାଣ ହେବେ ନାହିଁ। କୋର୍ଟ କଚେରୀ ଦୌଡିବାକୁ ପଡିବ ନାହିଁ।

ଜୀବିକା ପାଇଁ ଜଙ୍ଗଲ ଉପରେ ଆପଣମାନେ ନିର୍ଭର କରନ୍ତି। ଆପଣ ସଂଗ୍ରହ କରିଥିବା ଜିନିଷକୁ କମ୍‌ ଦାମରେ ବିକନ୍ତି। କିଛି ଲାଭ ପାଆନ୍ତି ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ କରିଛନ୍ତି ଲାଭ ଯୋଜନା। ଏଥିରେ ସରକାର ଆପଣଙ୍କ ଜିନିଷ ଠିକ୍‌ ଦାମ ଦେଇ କିଣିନେବେ। ଆପଣଙ୍କୁ ଆଉ କେହି ଠକି ପାରିବେ ନାହିଁ।

ସେ କହିଲେ ଯେ ପିଲାମାନେ ହେଉଛନ୍ତି ଆମ ଭବିଷ୍ୟତ। ତେଣୁ ଜନଜାତି ପିଲାଙ୍କ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ହଷ୍ଟେଲ କରିଛନ୍ତି । ସାରା ଭାରତରେ ସବୁଠାରୁ ଅଧିକ ହଷ୍ଟେଲ ସେ ଓଡିଶାରେ କରିଛନ୍ତି । 5-T ସ୍କୁଲ ରୂପାନ୍ତରରେ ୮୫୦୦ ସ୍କୁଲର ରୂପାନ୍ତର କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୪ଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି।

ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି।

ଉମରକୋଟର ବିକାଶର ହିସାବ ଦେଇ ସେ କହିଲେ ଯେ ଏଠାରେ ୨୧୨ କୋଟି ଟଙ୍କାର କାମ ଚାଲିଛି । ମା ପେଣ୍ଡ୍ରାଣୀ ମନ୍ଦିର କାମ ଶେଷ ହୋଇଛି। ପୋଡାଗଡ ଶିବ ମନ୍ଦିର ଓ ଐତିହ୍ୟ ସ୍ଥଳ ପାଇଁ ୩ କୋଟି ଟଙ୍କାର କାମ ଚାଲିଛି। ଉମରକୋଟରେ ଡାଇଲିସିସ୍‌ ସେଣ୍ଟର ଖୋଲିଛି । ୫୦ କୋଟିରେ ୫ ଟି ରାସ୍ତା କାମ ଚାଲିଛି । BSKYରେ ଉମରକୋଟର ସିପ୍ରା ସାନା ପାଇଲେ ୭ ଲକ୍ଷ ୨୦ ହଜାର, ପ୍ରଦୀପ ପଟ୍ଟନାୟକ ପାଇଲେ ୪ ଲକ୍ଷ ଟଙ୍କା ।

ଝରିଗାଁରେ ସେ କହିଲେ ଯେ ମୁଁ ଯେତେବେଳ ଆସିଥିଲି, ସେତେବେଳେ ବର୍ଷା ହେଉଥିଲା । ତାସତ୍ତ୍ବେ ବି ଆପଣମାନେ ବହୁ ସଂଖ୍ୟାରେ ଆସି ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ। ସତୀଘାଟ, ମାଲଗାଁରେ ଜଳସେଚନ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି । ଝରିଗାଁ ପାଇଁ ଡିଗ୍ରୀ କଲେଜ ମଞ୍ଜୁର ହୋଇଛି।

ଚନ୍ଦାହାଣ୍ଡି ଝରିଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଝରିଗାଁରୁ ମେଦେନା ରାସ୍ତା ପାଇଁ ୪୫ କୋଟି, ଉମରକୋଟ-ଚନ୍ଦାହାଣ୍ଡି ମାଲଗାଁ ରାସ୍ତା ପାଇଁ ୬୧ କୋଟି, ଭୈରଘୁମର ଜଳପ୍ରପାତ ଠାରେ ପର୍ଯ୍ୟଟନ ପାଇଁ ୩ କୋଟି ୨୫ ଲକ୍ଷ, ଚନ୍ଦନଧାରା ଜଳପ୍ରପାତରେ ପର୍ଯ୍ୟଟନର ବିକାଶ ପାଇଁ ୩ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଷମକଟକ ଓ ଗୁଣୁପୁରରେ ବିଜେଡିର ଶଙ୍ଖ ଫୁଙ୍କିଲେ କାର୍ତ୍ତିକ ପାଣ୍ଡିଆନ, ବିରୋଧୀଙ୍କୁ କଟାକ୍ଷ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କୋରାପୁଟ ଜିଲ୍ଲା ବିଷମକଟକ ଓ ଗୁଣୁପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି।ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଲୋକଙ୍କ ଉତ୍ସାହ ଦେଖି, ସେମାନଙ୍କ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜିଛି । ସେମାନେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଟଙ୍କାକର କାମ କରିନାହାନ୍ତି। ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣମାନଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି।

ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି। କେଉଁ ରାଜ୍ୟରେ ବି ଏଭଳି ପଦକ୍ଷେପ ନିଆଯାଇନାହିଁ ବୋଲି ସେ କହିଥିଲେ। ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି।

ସେ କହିଥିଲେ ଯେ ବିଷମକଟକରେ ୧୬୦ କୋଟି ଟଙ୍କାର କାମ ଚାଲିଛି। ବିଷମକଟକ ଓ ମୁନିଗୁଡା ଏନଏସି ହୋଇଛି, କଲ୍ୟାଣସିଂପୁର ହସ୍‌ପିଟାଲ CHC ହୋଇଛି, ଡଙ୍ଗରିଆ କନ୍ଧଙ୍କ ପାଇଁ ଘର, SC ହଷ୍ଟେଲ, ଡ୍ୟାମ ଆଦି ମଞ୍ଜୁର ହୋଇଛି। ସେହିପରି ସଉରା ମନ୍ଦିର ସହିତ ୧୦୦ଟି ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି।

ଗୁଣୁପୁର ପାଇଁ ୧୩୭୦ କୋଟି ଟଙ୍କାର କାମ ଚାଲିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ କେବଳ ଜଳସେଚନ ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହରଭଙ୍ଗି ନଦୀ ଓ ବିଶ୍ରା ନାଳି ଉପରେ ଆଡିବନ୍ଧ ଦ୍ବାରା ଜଳସେଚନ କ୍ଷେତ୍ରରେ ବିଶେଷ ଉନ୍ନତି ହେବ।

ସେ କହିଥିଲେ ଯେ ବଡ ବଡ ହସ୍‌ପିଟାଲକୁ ଗରିବ ଲୋକ, ଜନଜାତି ଭାଇଭଉଣୀ ଯିବା ପାଇଁ ଭୟ କରନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ସେ ଭୟ ଦୂର କରିଛନ୍ତି, ଗୁଣୁପୁରର ୮୦,୫୦୦ ପରିବାର BSKY କାର୍ଡ ପାଇଛନ୍ତି। ଗୁଣୁପୁରର ଗୋଟିଏ ଛୋଟ ଝିଅର କ୍ୟାନସର ଚିକିତ୍ସା ପାଇଁ ୯.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବର୍ତ୍ତମାନ ସେ ପିଲା ସୁସ୍ଥ ହୋଇଛି ଓ ତା ବାପା ମାଙ୍କ ମୁହଁରେ ହସ ଫୁଟିଛି। ଏ ହେଉଛି ଆମ ମୁଖ୍ୟମନ୍ତ୍ରୀଙ୍କ କାମର ନମୁନା । ଆନ୍ତରିକତାର ନମୁନା ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ବିରୋଧୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବି ସେମାନେ ସହିପାରୁ ନାହାନ୍ତି। ତାକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛନ୍ତି। ଜନତା ତାଙ୍କୁ ଉଚିତ ଜବାବ ଦେବେ। ଏଠାରେ ଅନ୍ୟ ଦଳରୁ ଜଣେ ସାଂସଦ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ସେ କଣ କରିଛନ୍ତି, କେହି ଜାଣନ୍ତି ନାହିଁ ।

ତେଣୁ ଆପଣମାନେ ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହାସହିତ ଶ୍ରୀ ପାଣ୍ଡିଆନ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଓ ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ଏହି ସଭାରେ ସାଂସଦ ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକା ଓ ବିଷମକଟକ ବିଧାନସଭା ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ସାରକା ଏବଂ ଗୁଣୁପୁର ବିଧାୟକ ପ୍ରାର୍ଥୀ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ସହିତ ବିଜୁ ଜନତା ଦଳର ଅନେକ ନେତା ଅଭିଭାଷଣ ରଖିଥିଲେ ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପାଣ୍ଡିଆନ, ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କୁ ମିଳିବ Z, ଆଉ ୩ ନେତାଙ୍କୁ Y ସୁରକ୍ଷା, ରାଜ୍ୟ ସରକାର ନେଲେ ନିଷ୍ପତି

ଭୁବନେଶ୍ଵର: ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବିହିତ ପଦକ୍ଷେପ। ସେହି ଅନୁସାରେ ଆଜି ରାଜ୍ୟ ସରକାର ଜାରୀ କରିଛନ୍ତି ଏକ ବିଜ୍ଞପ୍ତି। ଏତିରେ   ଓଡ଼ିଶାର ୬ ନେତାଙ୍କୁ ଯୋଗାଇ ଦିଆଯିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ Z ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ Y ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସିକ୍ୟୁରିଟି ଓ୍ଵିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର Z ସୁରକ୍ଷା ଯୋଗାଇ ଦିଆଯିବ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯିବ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ନିର୍ବାଚନ ଇସ୍ତାହାରରେ ନିଜ ମତ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କଲେ ପାଣ୍ଡିଆନ

ଭୁବନେଶ୍ବର: ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଇସ୍ତାହାର ପ୍ରକାଶ କରିଥାନ୍ତି। ସେଥିରେ ଭୋଟରଙ୍କୁ ଦଳ ତରଫରୁ ବହୁ ପ୍ରତିଶୃତି ଦିଆଯାଇଥାଏ। ସେହି ଅନୁସାରେ ଭୋଟର ସେମାନଙ୍କ ଦଳକୁ ମନୋନିତ କରିଥାନ୍ତି। ସେହିପରି ବିଜେଡି ତାହାର ଇସ୍ତାହାର ଏକ ଭିନ୍ନ ପ୍ରକାରରେ ପ୍ରସ୍ତୁତ କରିବାକୁ ଚାହିୁଁଛି।

ବିଜେଡି ଏଥର ଲୋକମାନଙ୍କୁ ଇସ୍ତାହାରରେ ସେମାନଙ୍କ ମତ ରଖିବା ପାଇଁ ଆହ୍ବାନ କରିଛି। ଦଳର ନେତା ତଥା 5ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଜି ସକାଳେ ସେ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ପାଣ୍ଡିଆନ କହିଛନ୍ତି ଯେ, ବିଜୁ ଜନତା ଦଳ ବର୍ତ୍ତମାନ ତାହାର ଇସ୍ତାହାର ପ୍ରସ୍ତୁତ କରୁଛି। ଆପଣମାନେ ଆପଣଙ୍କ ମତ ଦେଇପାରିବେ। ଆପଣଙ୍କ ମତଙ୍କୁ ମୁଖ୍ୟମନ୍ତ୍ରୀ ବେଶ ଗୁରୁତ୍ବ ପ୍ରଦାନ କରନ୍ତି। ଏହା ହେଉଛି ଆପଣଙ୍କ ସରକାର। ଆପଣଙ୍କ ମତକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରି ସେଥିରେ ସ୍ଥାନିତ କରିବେ।

ଏଠାରେ ସୂଚନା ଦିଆଯାଇପାରେ କି ଯେଉଁମାନେ ବିଜେଡି ଇସ୍ତାହାରରେ ସେମାନଙ୍କ ମତାମତ ଦେବା ପାଇଁ ଚାହାଁନ୍ତି ସେମାନେ [email protected] କୁ ମେଲ କରିପାରିବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟକୁ ନେଇ ସୁନ୍ଦର ତଥ୍ୟ ଉପସ୍ଥାପନା କଲେ ପାଣ୍ଡିଆନ, ହେଲେ ପ୍ରସଂଗକୁ ଝୁଲେଇ ରଖିଲେ

ଭୁବନେଶ୍ବର: ମେଣ୍ଟକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ରାଜନୀତି ପଡୁଛି ଉଠୁଛି। ହେଲେ ଏହା କେବ ହେବ କେମିତି ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣାଙ୍ଗ ତଥ୍ୟ ଆସିପାରି ନାହିଁ। ଏପରି କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଣ୍ଟକୁ ନେଇ ଦେଇଥିବା ବୟାନ ପୁଣି ଥରେ ଏହି ଚର୍ଚ୍ଚାକୁ ଜୋରଦାର କରିଛି। ପାଣ୍ଡିଆନ ମେଣ୍ଟକୁ ନେଇ ବେଶ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଛନ୍ତି। ହେଲେ ମେଣ୍ଟ ହେବ କି ନାହିଁ ତାହାକୁ ମଧ୍ୟ ସେ ସୁନ୍ଦର ଭାବେ ଏଡାଇଯାଇଛନ୍ତି।

ନୂଆଦିଲ୍ଲୀରେ ନ୍ୟୁଜ-18 ତରଫରୁ ଆୟୋଜିତ ଏକ କନକ୍ଲେଭରେ ସେ ଯୋଗଦେଇ ରାଜ୍ୟ ତଥା ଦେଶର ରାଜନୀତି ଉପରେ ବକ୍ତବ୍ୟ ରଖିଛନ୍ତି। ସେହି ମଞ୍ଚରେ ଓଡିଶାରେ ମେଣ୍ଟ ହେବ କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ମେଣ୍ଟ ସଂପର୍କରେ ବହୁ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଥିଲେ। ଏପରିକି ତାଙ୍କର ମେଣ୍ଟ ସଂପର୍କରେ ବକ୍ତବ୍ୟ ବେଶ୍ ଗବେଷଣାତ୍ମକ ମଧ୍ୟ ଥିଲା। ହେଲେ ସେ ବେଶ ଚତୁରତା ସହିତ ମେଣ୍ଟ ହେବ କି ନାହିଁ ତାହାକୁ ସ୍ପଷ୍ଟ କରି ନ ଥିଲେ।

ମେଣ୍ଟ ସଂପର୍କରେ ସେ କହିଥିଲେ ଯେ, ଓଡିଶାରେ ନବୀନ ପଟ୍ଟନାୟକ ବିଜେପିର ବିନା ମେଣ୍ଟରେ ସରକାର ଗଠନ କରିବେ। ଷଷ୍ଠଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଦେଶରେ ବିଜେଡି ସହିତ ବିନା ମେଣ୍ଟରେ ପୁଣି ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ତଥାପି ଦେଶର ଏହି ଦୁଇ ମହାନ ନେତା ଏକାଠି ହେଲେ ଏକ ବୃହତର ସ୍ବାର୍ଥ ହାସଲ ହୋଇପାରିବ ବୋଲି ପାଣ୍ଡିଆନ କହିଥିଲେ।

ପାଣ୍ଡିଆନ ଆହୁରି କହିଥିଲେ ଯେ, ସାଧାରଣତଃ ମେଣ୍ଟ ଅର୍ଥ ବୁଝାଯାଏ ଯେ, ଦୁଇଟି ଦଳ ମିଶିଲେ ଆସନ ଭାଗବଣ୍ଟା ଗଣିତରେ ପରିବର୍ତ୍ତନ ହେବ। ମେଣ୍ଟ ହେଲେ ଦୁଇ ରାଜନୀତିକ ଦଳ ବିଜୟର ସମ୍ଭାବନା ଅଧିକ ରହିବ। ମେଣ୍ଟ ହେଲେ ରାଜନୈତିକ ସଂଗଠନ ସଦୃଢ ହେବ। ହେଲେ ଏଠାରେ ସେମିତି କିଛି ଗଣିତ ନାହିଁ। ଓଡିଶାରେ ବିଜେପି ସହିତ ମେଣ୍ଟ କଲେ ବିଜେଡି ଜିତିବ ନ ହେଲେ ହାରିବ ସେ କଥା ନାହିଁ। ସେହିପରି ଦେଶରେ ମୋଦି ଆସିବା ପାଇଁ ବିଜେଡିର କୌଣସି ଆବଶ୍ୟକତା ନାହିଁ। ତେବେ ମେଣ୍ଟରେ ରାଜନୈତିକ ଗଣିତ ଅପେକ୍ଷା ବୃହତ୍ତର ସ୍ବାର୍ଥ ଅଧିକ ରହିଛି।

ତେବେ କାର୍ତ୍ତିକ ପାଣ୍ଡିଆନ ତାଙ୍କର ମନ୍ତବ୍ୟକୁ ଏପରି ଢଙ୍ଗରେ ଦେଇଛନ୍ତି ଯେ, ଯେପରି ସାଧାରଣ ଲୋକେ କାହିଁକି ବିଜ୍ଞ ଲୋକେ ମଧ୍ୟ ବୁଝିବା କଷ୍ଟକର ହେବ। କାରଣ ଗୋଟିଏ ପଟେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଯେ, ବିଜେଡି ବିଜେପି ମେଣ୍ଟ ହେବ, ପୁଣି ଅନ୍ୟପଟେ ବିଚାର କଲେ ତାଙ୍କ କଥାରୁ ଜଣାପଡୁଛି ଯେ ମେଣ୍ଟ ହେବ ନାହିଁ।

ତେବେ ପାଣ୍ଡିଆନ ଦ୍ବିତୀୟ ଥର ପାଇଁ ଜାତୀୟ ଗଣମାଧ୍ୟମରେ ଯେପରି ଢଙ୍ଗରେ ଏବଂ ଜଣେ ବିଚକ୍ଷଣ ରାଜନେତା ପରି ଉତ୍ତର ରଖିଛନ୍ତି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ବଡିସକାଳୁ ଖୋର୍ଦ୍ଧା ବରୁଣେଇ ପିଠରେ 5ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା: ଆଜି ସକାଳୁ ଖୋର୍ଦ୍ଧା ବରୁଣେଇ ପୀଠ ରେ ପହଞ୍ଚିଥିଲେ 5ଟି ଅଧକ୍ଷ କାର୍ତ୍ତିକ ପଣ୍ଡିଆନ। ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ ର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପ୍ରସ୍ତାବ 5ଟି ଅଧକ୍ଷ ସଚିବ ଥିବା ସମୟ ରେ ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ 5ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସି ମନ୍ଦିର ପରିକ୍ରମା କରିଥିଲେ। ତାଙ୍କ ସହିତ ସଚିବ ଭିନିଲ କ୍ରୀଷ୍ଣା, ମଧ୍ୟ ଆସିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା 5 ଟି ଅଧକ୍ଷ ଙ୍କୁ ସ୍ଵାଗତ ଜଣାଇଥିଲେ। ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବୃନ୍ଦ, ପର୍ଯ୍ୟଟନ ଅଧିକାରୀ, ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀ, ସମସ୍ତେ ଉପସ୍ଥିତ ରହି ବରୁଣେଇ ପୀଠ ର ସୋନ୍ଦର୍ଯ୍ୟକରଣ ସଂପର୍କରେ ଆଲୋଚନା କରିଥିଲେ।

ପୂର୍ବରୁ ଏହି ପୀଠ ରେ ସୀତା କୁଣ୍ଡ, ବରୁଣେଇ ପାହାଡ଼ର ଶିଖର କୁ ଯିବା ପାଇଁ ରାସ୍ତା, ରୋପ୍ ୱେ ଇତ୍ୟାଦି କାର୍ଯ୍ୟ ଚାଲିଛି। ଭୁବନେଶ୍ୱର ଠାରୁ ମାତ୍ର ୨୦ କିମି ଦୂର ଜାତୀୟ ରାଜପଥ ରେ ଅନୁଷ୍ଠିତ ଖୋର୍ଦ୍ଧାର ଏହି ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କାହିଁକି ଭେଟିଲେ ସ୍ବାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ 

ଭୁବନେଶ୍ବର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶା ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି ।

ତାଳଚେରରେ ପବିତ୍ର ମୋହନ ମେଡିକାଲ କଲେଜ, ବ୍ରାହ୍ମଣୀ ନଦୀ ଉପରେ ତାଙ୍କ ନାମରେ ସେତୁ ପ୍ରତିଷ୍ଠା ସହିତ ସ୍ମୃତି ସଂଗ୍ରହାଳୟ ଏବଂ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟ କରାଯାଇଛି।

ଏଥିପାଇଁ ପବିତ୍ର ମୋହନ ସ୍ମୃତି ପରିଷଦ ଗଭୀର ସନ୍ତୋଷ ପ୍ରକାଶ କରିଛି। ପରିଷଦ ପକ୍ଷରୁ ଆଜି ପବିତ୍ର ମୋହନଙ୍କ ନାତୁଣୀ ରଞ୍ଜିତା ରାଣୀ ପ୍ରଧାନ. ଓ ସମିତିର ଅନ୍ୟ ସଦସ୍ୟ ମାନେ ଆଜି ନବୀନ ନିବାସ ଠାରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ୍ ଜଣାଇ ଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜଣାଇ ଥିଲେ।

ସେମାନେ କହିଥିଲେ ପବିତ୍ର ମୋହନଙ୍କ ସ୍ମୃତି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ତାଙ୍କ ସ୍ମୃତିକୁ ଚିର ଦିନ ପାଇଁ ଉଜ୍ଜଳ କରି ରଖିବ।

5T ଅଧ୍ୟକ୍ଷ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ବରପୁତ୍ର ମାନଙ୍କ ପ୍ରତି ଗଭୀର ସମ୍ମାନ କରନ୍ତି। ସେମାନଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପଦକ୍ଷେପ ନେଇଛନ୍ତି। ପବିତ୍ର ମୋହନ ରାଜ୍ୟର ଯୁବ ସମାଜ ପାଇଁ ଆଦର୍ଶ। ତାଙ୍କ ସ୍ମୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

5T ଅଧ୍ୟକ୍ଷଙ୍କୁ ଭେଟିଲେ ଗୋଟିଏ ନବ ଗଠିତ ମ୍ୟୁନିସିପାଲିଟି, ଏନଏସି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: ଆଜି ରାଜ୍ୟର ଗୋଟିଏ ନବ ଗଠିତ ମ୍ୟୁନିସିପାଲିଟି, ୯ଟି ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୭ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସଠାରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ।

5T ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ସମସ୍ତେ ମିଳି ମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ରାଜ୍ୟରେ ୩୫ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୩ଟି ବିଜ୍ଞପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ନବଗଠିତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ ଓ କଣ୍ଟାବାଞ୍ଜି ମ୍ୟୁନିସିପାଲିଟିର ଜନସାଧାରଣ ନବୀନ ନିବାସଠାରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ।

ସେମାନଙ୍କ ସହିତ ଓଡିଶା ନିର୍ମାଣ ଶ୍ରମିକ ସଂଘ, ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ, All Odisha Physical Handicapped Inclusive Education Volunteer Association, All Odisha Asha Karmi Sahayika Samukhya, Odisha Sarakari Outsourcing Karmachari Mahasangha, ନିଖିଳ ଓଡିଶା ଲେଡି ମାଟ୍ରନ ଆସୋସିଏସନ ଏବଂ ଶ୍ରୀ ଶ୍ରୀ ଅଲାରନାଥ ସେବାୟତ ନିଯୋଗ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ 5T ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ନବ ଗଠିତ କଣ୍ଟାବାଞ୍ଜି ମ୍ୟୁନିସିପାଲିଟି, କୁକୁଡାଖଣ୍ଡି, ଡୁଙ୍ଗୁରିପାଲି, ପରଜଙ୍ଗ, ପାଲଲହଡା, ବେଲପଡା, ଚାନ୍ଦିଲି, ମୁନିଗୁଡା, ବିଷମକଟକ ଓ ବଣେଇ ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସହିତ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସଚୀ ନାୟକ, ଶ୍ରୀ ଜଗନ୍ନାଥ ସାରକା, ଶ୍ରୀ ପ୍ରୀତି ରଞ୍ଜନ ଘଡାଇ, ସାଂସଦ ଶ୍ରୀ ମାନସ ମଙ୍ଗରାଜ, ବିଧାୟକ ଶ୍ରୀ ନୃସିଂହ ସାହୁ, ଶ୍ରୀ ମୁକେଶ କୁମାର ପାଳ, ଶ୍ରୀ ସରୋଜ କୁମାର ମେହେର, କଟକ ମେୟର ଶ୍ରୀ ସୁବାସ ସିଂ ଏବଂ ଅନ୍ୟ ନେତୃବୃନ୍ଦ ଆଜି ନବୀନ ନିବାସଠାରେ 5T ଅଧ୍ୟକ୍ଷଙ୍କୁ ଭେଟିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମେଣ୍ଟ ଆଲୋଚନା ପାଇଁ ଦିଲ୍ଲୀ ଗଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସ

ଭୁବନେଶ୍ବର: ଆଜି ରାତିରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ। ଏନେଇ ଆଜି ବିଭିନ୍ନ ଟିଭି ଗଣମାଧ୍ୟମରେ ପ୍ରସାର କରାଯାଇଛି। ଉଭୟ ଏକ ସ୍ବତନ୍ତ୍ର ଚ୍ୟାଟର ଫ୍ଲାଇଟରେ ଯାଇଥିବାର ଜଣାପଡିଛି। ଫଳରେ ଆସନ୍ତାକାଲି ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବ ସହିତ ଆଲୋଚନା ହେବ ବୋଲି ଜଣାପଡିଛି।

ପୂର୍ବରୁ ଉଭୟ ବିଜେଡି ଓ ବିଜେପି ମେଣ୍ଟ କରିବା ନେଇ ରାଜି ହୋଇସାରିଛନ୍ତି। ହେଲେ ଆସନ ବୁଝାମଣା ନେଇ କେତେକ ସମସ୍ୟା ରହିଥିବାର ଜଣାପଡିଛି। ଫଳରେ କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସଙ୍କୁ ଦିଲ୍ଲୀ ଡକରା ହୋଇଥିବାର ଜଣାପଡିଛି। ଆସନ୍ତାକାଲି ବୈଠକରେ ଏହି ଚୁଡାନ୍ତ ନିଷ୍ପତି ହେବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧିରେ ଧିରେ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟୁଛନ୍ତି କାର୍ତ୍ତିକ ପାଣ୍ଡିଆନ,ନୂଆ-ଓ ସାଜିଛି ମାଧ୍ୟମ

ଭୁବନେଶ୍ବର: ସବୁ ଜିଲ୍ଲାରେ ଚାଲିଛି ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କର ମନୋବଳ ସୁଦୃଢ କରିବା ଏବଂ ପାଠ୍ୟକ୍ରମ ବ୍ୟତିତ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଯାହାର ନେତୃତ୍ବ ନେଉଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ବଡ କଥା ହେଲା କଲେଜ ଛାତ୍ରଛାତ୍ରୀ ତଥା ଯୁବକଯୁବତୀମାନଙ୍କୁ ନେଇ ଏପରି ଏକ କାର୍ଯ୍ୟକ୍ରମ କରାଯାଇପାରିବ ତାହା କେହି କେବେ କଳ୍ପନା ମଧ୍ୟ କରି ନ ଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପାଠ ପଢା ସହ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଉନ୍ନତି ଆଣିବାରେ ପାଣ୍ଡିଆନଙ୍କ ଏପରି ଚିନ୍ତାଧାରା ବେଶ ସହାୟକ ହୋଇପାରିଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ଯାହା ସେମାନଙ୍କ କ୍ୟାରିୟରରେ ବେଶ ପ୍ରଭାବ ପକାଇପାରିଛି। ଛାତ୍ରଛାତ୍ରୀଙ୍କୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବା କଥା କୌଣସି ଦଳ ମଧ୍ୟ କେବେ ବି ଚିନ୍ତା କରି ନ ଥିବ। ସେହିପରି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିବା ସାରା ଦେଶ ପାଇଁ ଏକ ଅଭିନବ ପଦକ୍ଷେପ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଖୁସି ପ୍ରକଟ କରାଯିବା ସହିତ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବାହ୍ୟ ଜ୍ଞାନ ଆହୋରଣ ସହିତ କାର୍ତ୍ତିକ ପାଣ୍ଡିଆନଙ୍କୁ ସେମାନଙ୍କର ଆଦର୍ଶ ଭାବେ ଧିରେ ଧିରେ ଗ୍ରହଣ କରିବାରେ ଲାଗିଛନ୍ତି। ବିଶେଷ କରି ପାଣ୍ଡିଆନଙ୍କ କଥା କହିବା ଶୈଳୀ, ବ୍ୟବହାର ଏବଂ ଛାତ୍ରଛାତ୍ରୀଙ୍କ ସହିତ ମିଳାମିଶାକୁ ନେଇ ସମସ୍ତେ ବେଶ ପସନ୍ଦ କରିବାରେ ଲାଗିଛନ୍ତି।

ତେବେ ଛାତ୍ରଛାତ୍ରୀଙ୍କୁ ଯାହା ବେଶୀ ଆକର୍ଷିତ କରିଛି ତାହା ହେଲା ପାଣ୍ଡିଆନଙ୍କ ବେଶଭୂଷା ଓ ଚାଲିଚଳନ। ସେ ଯେଉଁ କାର୍ଯ୍ୟକ୍ରମକୁ ଯାଉଛନ୍ତି ସେମିତି କୌଣସି ଚାକ୍ୟଚକ୍ୟ ବେଶ ଭୂଷାରେ ଯାଉ ନାହାଁନ୍ତି। ସାଧାସିଧା ପୋଷାକ, ପାଦରେ ଚପଲ ଲଗାଇ ସେ ସାରା ଓଡିଶା ବୁଲୁଛନ୍ତି। ଯାହା ଛାତ୍ରଛାତ୍ରୀମାନଙ୍କୁ ଆକର୍ଶିତ କରିଛି। ସେହିପରି ତାଙ୍କ ଭାଷଣ ମଧ୍ୟ ବେଶ ଉଚ୍ଚ କୋଟିର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହା ଛାତ୍ରଛାତ୍ରୀଙ୍କ ହୃଦୟକୁ ଛୁଇଁ ପାରିଛି।

ପାଣ୍ଡିଆନ ପିଲାମାନଙ୍କୁ କଥାକଥାରେ ସରକାରୀ ସ୍କୁଲ କଲେଜରେ ପାଠ ପଢିଲେ କିପରି ଲାଭ ମିଳେ ତାହାର ତଥ୍ୟ ରଖନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ସେ ଯେଉଁ ଅଞ୍ଚଳକୁ ଯାଆନ୍ତି ସେହି ଅଞ୍ଚଳର କିଏ ସରକାରୀ ସ୍କୁଲରେ ପାଠପଢି ବଡ ମଣିଷ ହୋଇଛି ତାହାର ଉଦାହରଣ ମଧ୍ୟ ଦେଇଥାନ୍ତି। ଯାହା ସେହି ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ଜାଣି ନ ଥାନ୍ତି। ଏହା ପିଲାମାନଙ୍କୁ ବେଶ ପ୍ରଭାବିତ କରୁଥିବାର ଦେଖାଯାଇଛି।

ସେହିପରି ଭାଷଣ ପରେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସହିତ ହାତ ମିଳାଇବ, ଅଟୋଗ୍ରାଫ ଦେବା, ପିଲାମାନଙ୍କୁ ସେଲଫି ଦେବା ଏବଂ ତାଙ୍କ ମୋବାଇଲରେ ସେଲଫି ନେବା କାମ ମଧ୍ୟ କରୁଛନ୍ତି। ଏମାନେ ପାଣ୍ଡିଆନଙ୍କ ସହ ଉଠାଇଥିବା ଫଟୋ ବା ସେଲଫି ତାଙ୍କ ପରିବାର ବର୍ଗ ନିକଟରେ ଗର୍ବର ସହ ଦେଖାନ୍ତି। ତାଙ୍କ ସାଙ୍ଗସାଥୀଙ୍କୁ ସେୟାର ମଧ୍ୟ କରନ୍ତି। ଯାହା ପାଣ୍ଡିଆନଙ୍କ ପ୍ରତି ସେମାନଙ୍କ ଆଦର କେତେ ତାହା ପ୍ରମାଣିତ କରିଛି।

ଫଳରେ ଆମ ଓଡିଶା ନବୀନ ଓଡିଶା ବା ନୂଆ ଓ କାର୍ଯ୍ୟକ୍ରମ ବର୍ତ୍ତମାନ ଯୁବପିଢୀଙ୍କର ଏକ ଆଦର୍ଶର କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇଛି। ସମପରିମାଣରେ ପାଣ୍ଡିଆନଙ୍କୁ ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ଆଦର୍ଶ ଭାବେ ଗ୍ରହଣ କରିବାରେ ଲାଗିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆମ ହସ୍ପିଟାଲ’ ଲୋକାର୍ପିତ, ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ସାମିଲ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସରକାରୀ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି।

ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡିଶାର ଜନସାଧାରଣ ପ୍ରାଇଭେଟ ହସ୍ପିଟାଲ ଭଳି ସୁବିଧା ସୁଯୋଗ ସରକାରୀ ହସ୍ପିଟାଲରେ ପାଉଛନ୍ତି। 5T ଉପକ୍ରମରେ ସୋନପୁରରେ ଓଡିଶାର ଜିଲ୍ଲାସ୍ତରୀୟ ସବୁଠାରୁ ବଡ ହସ୍ପିଟାଲ ବହୁତ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ହୋଇଛି। ସୋନପୁରବାସୀଙ୍କ ବହୁ ଦିନର ସ୍ୱପ୍ନ ଏହା ମାଧ୍ୟମରେ ସାକାର ହୋଇଛି।

କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ ଏବଂ କହିଥିଲେ ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୪୦ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ ହେଲା । ଏଥିପାଇଁ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସମସ୍ତଙ୍କ ସହଯୋଗରେ ଏହି କାମ ସଫଳ ହୋଇଛି । ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏହି ସବୁ ହସ୍ପିଟାଲଗୁଡିକୁ ନିଜ ସଂପତ୍ତି ଭଳି ରକ୍ଷଣାବେକ୍ଷଣ କରିବା ପାଇଁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଗଜପତି ପାରଳାଖେମୁଣ୍ଡିରୁ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଅନୁଗୋଳ ଜିଲ୍ଲା କୋଶଳାରୁ ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ପୁରୀ ଜିଲ୍ଲା ରେବଣା ନୂଆଗାଁରୁ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଭଦ୍ରକ ଜିଲ୍ଲା ଧାମନଗରରୁ ବିଧାୟକ ଶ୍ରୀ ପ୍ରଫୁଲ ସାମଲ, ନୟାଗଡ ଜିଲ୍ଲା ରଣପୁରରୁ ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନବୀନ ନାୟକ ଯୋଗ ଦେଇଥିଲେ।

ସେହିପରି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ମେହେର, ଝାରସୁଗୁଡାରୁ ବିଧାୟକା ଦିପାଳୀ ଦାସ ଯୋଗ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ। ଏଥିପାଇଁ ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନକୁ ସେ ସବୁବେଳେ ଉଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଆଜି ସରକାରୀ ଡାକ୍ତରଖାନା ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ନିଳଗିରୀରୁ ସସ୍ମିପ୍ରଭା ରାଉତ, ଦେବଗଡ ଜିଲ୍ଲାରୁ ସୁନୀତା ରାଣୀ ପୃଷ୍ଟି, ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାରୁ ସାବିତ୍ରୀ ମେହେର, ଖୋର୍ଦ୍ଧା ଜିଲ୍ଲା ବୋଲଗଡରୁ ସୁନନ୍ଦିତା ସାହୁ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଆରତି କୁଲଦୀପ, ଯାଜପୁର ଜିଲ୍ଲା ବଡଚଣାରୁ ସୋନାଲି ଦାସ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ତାକୁ ଠିକ୍ ଭାବେ ବୁଝିଛନ୍ତି ଆମ ମୁଖ୍ୟମନ୍ତ୍ରୀ।

ସେଥିପାଇଁ ଆମ ପାଇଁ ଏଭଳି ଭଲ ହସ୍ପିଟାଲ ନିର୍ମାଣ କରିଛନ୍ତି। ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ଆମ ଅଞ୍ଚଳରେ ଥିବା ହସ୍ପିଟାଲଗୁଡିକର ବ୍ୟାପକ ରୂପାନ୍ତର ଘଟି ରୂପରେଖ ବଦଳି ଯାଇଛି। ମାଗଣାରେ ସବୁ ସେବା ଉପଲବ୍ଧ ହେଉଛି। ଏଥିପାଇଁ ଆମେ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ସେମାନେ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବାଇକ ଚଳାଇ ଲୋକଙ୍କ କଥା ବୁଝିଲେ ପାଣ୍ଡିଆନ, ସାଥୀରେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା ତଥା 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଇକ ଚଳାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ ଶନିବାର ଦିନ ଭଣ୍ଡାରୀପୋଖରୀ ଏବଂ ଧାମନଗର ଉନ୍ନୟନ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ସେଠାରେ ସେ ନଦୀବନ୍ଧ କାର୍ଯ୍ୟ ଦେଖିବାକୁ ଚାହିଁଲେ। ସେଥିପାଇଁ ସେ ବାଇକ ଚଳାଇ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ତାଙ୍କ ସାଥୀରେ ଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ।

ପାଣ୍ଡିଆନ ସେହି ଅଞ୍ଚଳର ବିକାଶ କାର୍ଯ୍ୟ ଦେଖିବା ସହିତ ଜନସମାଗମକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ, ପୂର୍ବରୁ ଭଦ୍ରକ ଆସିଥିବା ବେଳେ ଆପଣମାନେ ମୋତେ ଅଭିଯୋଗ ପତ୍ର ଦେଇଥିଲେ। ୮ ମାସ ମଧ୍ୟରେ ୨୨୭ଟି ଦାବିରୁ ୧୯୦ଟି ପୂରଣ କରାଯାଇଛି ବୋଲି ପାଣ୍ଡିଆନ କହିଥିଲେ।

ଏହି ଗସ୍ତ ବେଳେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଏସ୍‌ପି ବରୁଣ ଗୁଣ୍ଟୁପାଲି, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡା. ସଞ୍ଜୟ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ, ଗଂଜାମ କାର୍ଯ୍ୟକ୍ରମ ବେଳେ ଘଟିଲା ଏହି ଅଘଟଣ

ଭୁବନେଶ୍ବର: ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉପରକୁ ଜଣେ ବ୍ୟକ୍ତି ଟମାଟୋ ମାଡ କରିଛି। ଆଜି ପାଣ୍ଡିଆନ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଗସ୍ତ ବେଳେ ଏହି ଘଟଣା ଘଟିଛି। ଲୋକଟି ଟମାଟୋ ଫିଙ୍ଗି ପଳାଇଯାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ତାକୁ କାବୁ କରିଥିଲେ। ପରେ ପୋଲିସ ତାଙ୍କୁ କବଜା କରିଥିଲା।

ତେବେ ଏହି ଘଟଣା ପରେ ମଧ୍ୟ ପାଣ୍ଡିଆନ ସେହି କାର୍ଯ୍ୟକ୍ରମକୁ ବାତିଲ କରି ନ ଥିଲେ। ସେ ସେଠାରେ ଉପସ୍ଥିତ ଲୋକଙ୍କୁ ଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମୋ ଉପରକୁ ଟମାଟୋ ଫିଙ୍ଗ, ଚପଲ ଫିଙ୍ଗ, ଗୁଳି ମାର ମୁଁ କେବେ ଅଟକିବି ନାହିଁ। ମୁଁ ଆପଣମାନଙ୍କୁ ଦେଖାକରିବାକୁ ଆସିବି। ସମସ୍ୟା ବୁଝିବାକୁ ଆସିବି।

ତେବେ ଯେଉଁ ବ୍ୟକ୍ତି ଟମାଟୋ ମାରିଛି ସେ କଂଗ୍ରେସର ଜଣେ କର୍ମି ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଦଳିବ ବାରବାଟୀ ଷ୍ଟାଣ୍ଡିୟମର ରୂପରେଖ, ଅନୁଧ୍ୟାନ କଲେ ପାଣ୍ଡିଆନ, ୨୭ ତାରିଖରେ ଭିତ୍ତିପ୍ରସ୍ତର

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଣ୍ଡିୟମର ବିକାଶ ଦିଗରେ ଆଲୋଚନା କରିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳୁ ସେ କଟକ ଯାଇ ଏହାର ବ୍ଲୁପ୍ରିଣ୍ଟିଂ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କ ସହିତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ।

ପାଣ୍ଡିଆନ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ। ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ। ପ୍ରଣବ ଦାସଙ୍କ ସହିକ ଓସିଏ ସମ୍ପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ସାଥୀରେ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ 5-T ଅଧ୍ୟକ୍ଷ

ଭୁବନେଶ୍ବର: 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ସେ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ସ୍ବର୍ଗତ ସୁଜ୍ଞାନ ଦେଓ ଗଞ୍ଜାମ ର ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ଅନେକ ଦଶକ ଧରି ଏ ଅଞ୍ଚଳର ସେବା କରିଆସିଥିଲେ। ତାଙ୍କର ବ୍ୟକ୍ତିତ୍ବ ଓ ସେବା ମନୋଭାବ ଯୋଗୁ ସେ ସାରା ଓଡିଶାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନର ଅଧିକାରିଣୀ ହୋଇଥିଲେ ।

ସ୍ବତନ୍ତ୍ର ଓଡିଶା ଗଠନରେ ଓ ପରିବର୍ତ୍ତୀ ଓଡିଶାରେ ବିକାଶରେ ରାଣୀଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୁ ଭାବରେ ସେ ଖଲ୍ଲିକୋଟ ରାଜ ପରିବାରର ଜଣେ ସୁଯୋଗ୍ୟା ଉତ୍ତରାଧିକାରିଣୀ ଥିଲେ ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିରୋଧୀ ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ କରୁଛନ୍ତି ସମାଧାନ, ପାଣ୍ଡିଆନଙ୍କ ଆହ୍ବାନ

ଭୁବନେଶ୍ଵର: ଏବେ ନିର୍ବାଚନୀ ମାହୋଲ ତିଆରି ହେଲାଣି। ଗାଁ ଗାଁରେ ବିଭିନ୍ନ ଦଳର ନେତା ବୁଲୁଛନ୍ତି। ସେମାନଙ୍କୁ ଦାବିପତ୍ର ଦେଇ ଦେଖନ୍ତୁ। କେତେ ଦିନରେ ସେମାନେ ଦାବି ପୂରଣ କରୁଛନ୍ତି। କେତେ ଦିନରେ ଦରଖାସ୍ତର ସମାଦାନ ହେଉଛି। ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏମିତି ତୀର୍ଯ୍ୟକ ମନ୍ତବ୍ୟ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଆଜି ଭିସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଂଜୁରୀପତ୍ର ବଣ୍ଟନ ପର୍ବରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। ନିକଟରେ ସେ ସମ୍ବଲପୁର ଗସ୍ତ ବେଳେ ଲୋକଙ୍କ ଠାରୁ ସଂଗ୍ରହ କରିଥିବା ଦରଖାସ୍ତ ଭିତ୍ତିରେ ବିଭିନ୍ନ ପ୍ରକଳ୍ପକୁ ଆଜି ମଂଜୁରୀପତ୍ର ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟରେ ୫୮ କୋଟି ବ୍ୟୟ ଅଟକଳର ୧୩୪୭ଟି ପ୍ରକଳ୍ପ ପାଇଁ ମଂଜୁରୀପତ୍ର ଆଜି ପ୍ରଦାନ କରାଯାଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲାର ଚାରୋଟି ସ୍ଥାନ- ରେମେଡ ପଡିଆ, କୁଚିଣ୍ଡା କଲେଜ ପଡିଆ, ଜୁଜୁମରା ହକି ପଡିଆ, ରେଢାଖୋଲ ଏବଂ ବିଶାଲଖିଣ୍ଡା ପଡିଆରେ ପ୍ରକଳ୍ପ ମଂଜୁରୀପତ୍ର ବଣ୍ଟନ କାର୍ଯକ୍ରମ ଆୟୋଜନ ହୋଇଥିଲା।

ଏହିସବୁ କାର୍ଯକ୍ରମରେ ଯଥାକ୍ରମେ ମନ୍ତ୍ରୀ ନିରଂଜନ ପୂଜାରୀ, ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ଟୁକୁନି ସାହୁ ଯୋଗ ଦେଇଥିଲେ। ଏହିସବୁ ସ୍ଥାନ ସହ ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିଲେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ।

ଗତ ଜାନୁଆରୀ ୧୨ ଓ ୧୩ ତାରିଖରେ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକର ସମୀକ୍ଷା କରିବା ସହ ଲୋକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ। ଏହି ଦରଖାସ୍ତ ମଧ୍ୟରେ ଥିବା ଧାର୍ମିକ ଅନୁଷ୍ଠାନ ରୂପାନ୍ତରଣ ପ୍ରସ୍ତାବ, ଗୋଷ୍ଠି କେନ୍ଦ୍ର ନିର୍ମାଣ ପ୍ରସ୍ତାବ ନେଇ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ସମସ୍ତ ଦରଖାସ୍ତର ସମୀକ୍ଷା କରି ଆଜି ୧୩୪୭ଟି କାର୍ଯ୍ୟର ମଂଜୁରୀ ଆଦେଶ ବଣ୍ଟନ କରାଯାଇଛି।

ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଆଙ୍କୁ ତାଙ୍କ ପରିବାର ବୋଲି ଭାବନ୍ତି। କଥା କମ କୁହନ୍ତି, କିନ୍ତୁ ଲୋକଙ୍କ ପାଇଁ ସବୁବେଳେ କାମ କରନ୍ତି। ଏତେ କମ ଦିନ ମଧ୍ୟରେ ଲୋକଙ୍କ ଦରଖାସ୍ତ ଉପରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ହିଁ ପଦକ୍ଷେପ ନେଇପାରନ୍ତି। ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବାକୁ ଯାଇ ସେ କହିଥିଲେ ଲୋକେ ଏକଥାକୁ ପରୀକ୍ଷା କରିପାରନ୍ତି।

ଏବେ ରାଜ୍ୟରେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଗଲାଣି, ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଆସି ବଡ ବଡ ପ୍ରତିଶ୍ରୁତି ଦେଉଥିବେ। ସେମାନଙ୍କୁ ଜନସାଧାରଣ ଦରଖାସ୍ତ ଦେଇ ଦେଖନ୍ତୁ ସେମାନେ କେତେ ଦିନରେ ତାହା ପୂରଣ କରୁଛନ୍ତି, ନା ବିଲକୁଲ ପୂରଣ କରୁନାହାଁନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ପାଂଚରୁ ଦଶ ଦିନ ଭିତରେ ଲୋକଙ୍କ ଆବେଦନ ଉପରେ ପଦକ୍ଷେପ ନେଉଛନ୍ତି। ତାଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ହୃଦୟର ସହିତ ଆଶୀର୍ବାଦ କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଅପିଲ କରିଥିଲେ।

ବିଭିନ୍ନ ଅଞ୍ଚଳକୁ ମିଳିଥିବା ପ୍ରକଳ୍ପ ମଂଜୁରୀପତ୍ର ପାଇଁ ବିଭିନ୍ନ ଅଞ୍ଚଳବାସୀ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରକଳ୍ପ ମଂଜୁରୀ ବିତରଣ ବେଳେ ସମସ୍ତେ ଗଦଗଦ୍ ହୋଇ ପୂର୍ବରୁ ଏଭଳି କେବେ ହୋଇନଥିବା ପ୍ରକାଶ କରିଥିଲେ। ସମ୍ବଲପୁର ପାଇଁ ଏତେ ସଂଖ୍ୟକ ପ୍ରକଳ୍ପ ପୂର୍ବରୁ କେବେ ମଂଜୁର ହୋଇନଥିବା ମଧ୍ୟ ଲୋକେ କହିଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଗଞ୍ଜାମର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକଙ୍କୁ ସାତୋଟି ପ୍ରଶ୍ନ ପଚାରିଲେ ପାଣ୍ଡିଆନ, ଜାଣନ୍ତୁ କଣ

ଭୁବନେଶ୍ୱର: ଗଂଜାମର ଶେରଗଡ ଓ ଶୀତଳାପଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶ ମୂଳକ ଯୋଜନାର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମବେତ ଜନସାଧାରଣଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ।

ଏହି ୭ ଟି ପ୍ରଶ୍ନରେ ହିଁ ଓଡିଶାର ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ପଡୁଛି। ଏ ସରକାର ଯେ, ଲୋକଙ୍କ ସରକାର ତାହା ମଧ୍ୟ ଏଇ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ପ୍ରମାଣିତ ହେଉଛି।

ଶେରଗଡ ଓ ଶିତଳାପଲ୍ଲୀରେ ଆୟୋଜିତ ସାଧାରଣ ସଭାରେ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ଥିଲେ ଯେ, ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଯୋଜନା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଓ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରାଶି କେତେ ?ସମବେତ ଜନତା ଏହାର ଉତ୍ତରରେ କହିଥିଲେ ଯେ, ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫ ହଜାର ଟଙ୍କା ସହାୟତା ଦିଆଯାଉଥିଲା।

ନିକଟରେ ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିକୁ ଦୁଇ ଗୁଣା କରି ୧୦ ହଜାର ଟଙ୍କା କରିଛନ୍ତି। ୨୦୨୩ ମସିହା ଅଗଷ୍ଟ ମାସରୁ ପଂଜିକୃତ ସବୁ ଗର୍ଭବତୀ ମହିଳା ଏହି ସହାୟତା ରାଶି ପାଇବେ।

ଆସନ୍ତା ୨୧ ତାରିଖ ରେ ଗଂଜାମ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।ତେବେ ଏହି ଯୋଜନାରେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଭଡା କେତେ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମହିଳା ଓ ଶିକ୍ଷାର୍ଥୀମାନେ ୫ ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ ବୋଲି ଆସିଥିଲା ଉତ୍ତର।

ସେହିଭଳି ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି କେତେ ବୃଦ୍ଧି ହୋଇଛି ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି ୫୦୦ଟଙ୍କାରୁ ହଜାରେ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ସବୁ ମଧୁବାବୁ ପେନସନ ହିତାଧିକାରୀ ସର୍ବନିମ୍ନ ହଜାରେ ଟଙ୍କା ଭତ୍ତା ପାଇବେ।

ନୂଆ-ଓ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀଙ୍କୁ କେତେ ଟଙ୍କା ବୃତ୍ତି ମିଳିବ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ନୂଆ ଓ ଛାତ୍ର ବୃତ୍ତି ଯୋଜନାରେ ଛାତ୍ରମାନେ ବାର୍ଷିକ ୯ ହଜାର ଟଙ୍କା ଓ ଛାତ୍ରୀମାନେ ୧୦ ହଜାର ଟଙ୍କା ବୃତ୍ତି ପାଇବେ। ଏହି ବୃତ୍ତି ରାଜ୍ୟର ସବୁ ସରକାରୀ କଲେଜର ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପାଇବେ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ଯୋଜନା ଦ୍ବାରା ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ କରିପାରିବେ।

ବିଏସକେୱାଇ ଯୋଜନାରେ ମହିଳାମାନେ କେତେ ଟଙ୍କାର ଚିକିତ୍ସା ସୁବିଧା ପାଇପାରୁଛନ୍ତି।ଏହି ପ୍ରଶ୍ନରେ ଉପସ୍ଥିତ ମହିଳାମାନେ ୧୦ଲକ୍ଷ ଟଙ୍କା ବୋଲି ଉତ୍ତର ଦେଇଥିଲେ। ଫାଇଭ-ଟି ଅଧ୍ୟକ୍ଷ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କ ବିକାଶ ପାଇଁ ଚିନ୍ତା କରୁଛନ୍ତି।ସବୁ ଯୋଜନାରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଉଛି।

ନିକଟରେ ଆରମ୍ଭ ହୋଇଥିବା ସ୍ବୟମ ଯୋଜନାରେ କେତେ ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯାଉଛି ବୋଲି ଫାଇଭ ଟି ଅଧ୍ୟକ୍ଷ ପଚାରି ଥିଲେ।ଏହାର ଉତ୍ତରରେ ମହିଳାମାନେ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଓ ଯୁବକମାନେ ଏକଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ ବୋଲି ସମବେତ ଜନତା ଉତ୍ତର ଦେଇଥିଲେ।

ମିଶନ ଶକ୍ତି ମହିଳାମାନେ ମଧ୍ୟ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପାଇ ପାରୁଛନ୍ତି।ରାଜ୍ୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କ ବିକାଶ ହେଲେ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶ ହୋଇପାରିବ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ।