କରଞ୍ଜିଆରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ନିର୍ବାଚନ ପ୍ରଚାର

Published: May 21, 2024, 7:30 pm IST

ଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତକରି ଦଳ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେ ଆଜି କରଞ୍ଜିଆରେ ପ୍ରଚାର କରି ଲୋକସଭା ଏବଂ ବିଧାନସଭାରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ।ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ ପରିବର୍ତ୍ତନ ଘଟାଇଛନ୍ତି।

ସେ କହିଛନ୍ତି ଯେ, ନବୀନ ବାବୁ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି, ଅନ୍ୟମାନେ ଆପଣଙ୍କୁ ଭୋଟ ପାଇଁ ରଖିଛନ୍ତି। ନବୀନ ବାବୁ ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।  ଆଦିବାସୀ ଭାଇଭଉଣୀମାନେ କୋର୍ଟ କଚେରୀ ଆସି ହେଉଥିବା ହଇରାଣରୁ ମୁକ୍ତ କରିବା ପାଇଁ ସେମାନଙ୍କ ଉପରୁ ୫୦ ହଜାରରୁ ଅଧିକ ପୋଲିସ୍‍, ଅବକାରୀ ଓ ଜଙ୍ଗଲ କେଶ୍‍ ରଦ୍ଦ କରିଛନ୍ତି।

ସାରା ଭାରତବର୍ଷରେ ଓଡ଼ିଶାରେ ଅଧିକ ଆଦିବାସୀ ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ଟ୍ରାଇବାଲ ବଜେଟ କମି କମି ଯାଉଛି, ନବୀନ ବାବୁ ଓଡ଼ିଶାରେ ପ୍ରତିବର୍ଷ ଏହାକୁ ବଢ଼ାଉଛନ୍ତି। ନବୀନ ବାବୁ ଆପଣଙ୍କ ସହିତ ସବୁଦିନ ଅଛନ୍ତି। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି।

ଓଡିଶାରେ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ କଣ କରାଯିବ ତାହାର ହିସାବ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ ହେବ।

Related posts