Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସୋନପୁରରେ ଗର୍ଜିଲେ ଅମିତ ଶାହ, ଓଡିଶାରେ ବିଜେପି ସରକାର ଆଣିବାକୁ ଦେଲେ ଆହ୍ବାନ

ଭୁବନେଶ୍ବର: ଆଜି ବଲାଙ୍ଗିର ଲୋକସଭା କ୍ଷେତ୍ର ସୋନପୁରରେ ଗର୍ଜନ କରିଛନ୍ତି ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ସେ ଭରପୁର ଜନସମାବେଶରେ ଏଥର ଓଡିଶାରେ ବିଜେପି ସରକାର ଆସିବ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି ଓଡିଶାରୁ 20 ରୁ ଅଧିକ ବିଜେପି ଲୋକସଭା ପ୍ରାର୍ଥୀ ଜିତିକି ଯିବେ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି।

ଶାହ ଭାଷଣରେ ସେ ନବୀନ ପଟ୍ଟନାୟକ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଓଡିଶାରୁ ନବୀନ ସରକାରକୁ ଉପାଡି ଦେଇ ବିଜେପି ସରକାର ଆଣ ଦେଖିବ ରାଜ୍ୟର କିପରି ବିକାଶ ହେଉଛି। ସେହିପରି ଓଡିଶାର ବିକାଶ ଦିଗରେ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଓଡିଶାର ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସିଲେ ଏଠାରେ କଳକାରଖାନା ହେବ। ଓଡିଶାର ଲୋକେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ।

ସେହିପରି ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିପରି ରାଜ୍ୟ ସରକାର ହଡପ କରି ନିଜ ନାମରେ କରିଦେଉଛନ୍ତି ତାହା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, କେନ୍ଦ୍ର ସରକାର ଚାଉଳ ଦେଉଛନ୍ତି , ହେଲେ ଏଠାରେ ରାଜ୍ୟ ସରକାର ନିଜର କହି ଲୋକଙ୍କୁ ବାଣ୍ଟୁଛନ୍ତି। ସେହିପରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଘର ଯୋଗାଉଛନ୍ତି ହେଲେ ଏଠାକାର ସରକାର ନିଜର କହି ନାଁ ନେବାକୁ ଚେଷ୍ଠା କରୁଛନ୍ତି। ହେଲେ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ଆସିଲେ ଏପରି କରିବାକୁ ଦିଆଯିବ ନାହିଁ।

ଅମିତ ଶାହ କହିଥିଲେ ଯେ, ସାରା ଦେଶରେ ଯଦି ଅଧିକ ଖଣିଜ ସଂପଦ ଯଦି କେଉଁଠି ଥାଏ ତେବେ ତାହା ହେଉଛି ଓଡିଶା ରାଜ୍ୟ। ଆଉ ଦେଶରେ ଯଦି ଗରିବ ରାଜ୍ୟ କେଉଁଠି ଥାଏ ତେବେ ତାହା ହେଉଛି ଓଡିଶା ରାଜ୍ୟ। ଏତେ ବର୍ଷ ଧରି ସରକାରରେ ରହି ନବୀନ ପଟ୍ଟନାୟକ ରାଜ୍ୟର ଲୋକଙ୍କୁ ଗରିବରୁ ଉପରକୁ ଉଠାଇ ପାରିଲେ ନାହିଁ। ବିଜେପି ସରକାର ଆସିଲେ ଏହି ରାଜ୍ୟର କିପରି ବିକାଶ ହେବ ତାହା ସାରା ଦେଶ ଦେଖିବ। ଆପଣମାନେ ଏଥର ଓଡିଶାରେ ଡବଲ ଇଂଜିନି ଆଣିବେ କି ନାହିଁ ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ସେହିପରି ଶାହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପୁରୀର ବିକାଶ ନାମରେ ରାଜ୍ୟ ସରକାର ତାହାର ଐତିହ୍ୟ ନଷ୍ଟ କରିବାରେ ଲାଗିଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସିଲେ କାଶୀ ବିଶ୍ବନାଥ ପିଠକୁ ଯେପରି ବିଶ୍ବ ସ୍ତରୀୟ କରାଯାଇଛି, ସେହିପରି ପୁରୀ ଶ୍ରୀଜଗନ୍ନାଥ ଧାମକୁ ତାହା କରାଯିବ ବୋଲି ଶାହ କହିଥିଲେ। ଶାହ ପ୍ରଥମେ ଜୟ ଜଗନ୍ନାଥ, ଜୟ ମା ସମଲେଶ୍ବରୀ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ଓଡିଶାରେ ବିଜେପିର ଏହା ହେଉଛି ପ୍ରଥମ ପ୍ରଚାର ସଭା। ଯେଉଁଥିରେ ଅମିତ ଶାହ ଆସି କର୍ମିଙ୍କୁ ଉତ୍ସାହିତ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ଅମିତ ଶାହ, ରାଜ୍ୟ ବିଜେପି ଚଳଚଞ୍ଚଳ, କଣ କହିବେ ତାହାକୁ ଅପେକ୍ଷା

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ। ଆଜି ଅପରାହ୍ନରେ ସେ ସୋନପୁରରେ ଏକ ସଭାରେ ଯୋଗ ଦେବେ। ତଥ୍ୟ ଅନୁସାରେ ସେ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ୩ଟା ୫୦ରୁ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ସୋନପୁର ଯିବେ।

ସୋନପୁର ରାମେଶ୍ୱରମ୍ ଷ୍ଟାଡିଅମରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ।ଏହାପରେ ଅପରାହ୍ନ ସାଢେ ୫ଟାରେ ସେ ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚି ଭୁବନେଶ୍ବର ଅଭିମୁଖେ ଆସିବେ। ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଁଚି ସେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ପାଇଁ ଅମିତ ଶାହ ନିର୍ବାଚନ ପ୍ରଚାରର ପ୍ରଥମ ବିଗୁଲ ବଜାଇବେ। କାରଣ ଏ ପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ନେତା ଓଡିଶାକୁ ପ୍ରଚାର ପାଇଁ ଆସି ନାହାଁନ୍ତି। ଖୋଦ ଗୃହମନ୍ତ୍ରୀ ପ୍ରଚାରରେ ଆସୁଥିବାରୁ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପୁରା ଟିମ ସୋନପୁରରେ ଡେରା ପକାଇଛନ୍ତି। ଅମିତ ଶାହ ଆସିଲେ ଓଡିଶା ରାଜନୀତିର ପଟ୍ଟ ପରିବର୍ତ୍ତନ ହେବ ବୋଲି ରାଜ୍ୟ ବିଜେପି ଆଶା କରିଛି।

ତେବେ ଅମିତ ଶାହଙ୍କ ଗସ୍ତକୁ ନେଇ ସାରା ଓଡିଶା ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। କାରଣ ସେ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିବେ କି ନାହିଁ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ରହିଛି। କାରଣ ବିଗତ ଦିନରେ ପ୍ରଧାନ ମନ୍ତ୍ରୀ ଦୁଇଥର ଓଡିଶା ଆସିଥିଲେ ମଧ୍ୟ ନବୀନଙ୍କୁ ସମାଲୋଚନା କରି ନ ଥିଲେ। ବରଂ ସେ ନବୀନଙ୍କୁ ପ୍ରଶଂସା କରିଥିଲେ। ଯାହାକୁ ନେଇ ରାଜ୍ୟ ବିଜେପି ଅଡୁଆରେ ପଡିଯାଇଥିଲା।

ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇଯାଇଛି। ବିଜେଡି ବିଜେପି ମେଣ୍ଟ ହେବା ନେଇ ବେଶ କିଛି ଦିନ ଧରି ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା। ନିଜେ ଶାହ ମଧ୍ୟ ମେଣ୍ଟ ନେଇ ଦିଲ୍ଲୀରେ ବିବୃତି ରଖିଛନ୍ତି। ତେଣୁ ମେଣ୍ଟ କିଏ କରୁଥିଲା କାହିଁକି କରୁଥିଲା ସେ ନେଇ ଅମିତ ଶାହ କହିବେ କି ନାହିଁ ସେ ଉପରେ ଗଣମାଧ୍ୟମ ତୀକ୍ଷ୍ଣ ଦୃଷ୍ଟି ରଖିଛି।

ଓଡିଶା ଆସିବା ପୂର୍ବରୁ ଶାହ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସହିତ ସମାନାସାମନି ମୁକାବିଲା ହେବ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଓଡିଶାର ଶାହ ନବୀନ ପଟ୍ଟନାୟକଙ୍କୁ ନିଶ୍ଚିତ ସାମାଲୋଚନା କରିବେ। ନଚେତ ଭୋଟର ସେହି ବିଜେଡି ବିଜେପି ମେଣ୍ଟ ଅଛି ବୋଲି ଭାବିବେ। ଯାହାଦ୍ବାରା ରାଜ୍ୟ ବିଜେପି ଉପରେ କୁପ୍ରଭାବ ପଡିପାରେ।