ଡେରାଡୁନ: ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭ୍ୟାନ୍ ଭାରସାମ୍ୟ ହରାଇ ଗଭୀର ଘାଟି ତଳକୁ ଖସିପଡ଼ିବାରୁ ଗୋଟିଏ ଗାଁର ୭ ଜଣ ମହିଳା ଓ ଡ୍ରାଇଭରଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ୭ ମହିଳା ଭଙ୍ଗଲୱାଡ଼ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ହେଲେ- ଦିନେଶ ଚନ୍ଦ୍ରଙ୍କ ପତ୍ନୀ କାନ୍ତି ଦେବୀ (୪୫), ପ୍ରେମ ସିଂହଙ୍କ ପତ୍ନୀ ରେଖା ଦେବୀ (୪୨), ରମେଶ ସିଂହଙ୍କ ପତ୍ନୀ ସୁମିତ୍ରା ଦେବୀ (୫୦), ମଦନ ସିଂହଙ୍କ ପତ୍ନୀ ସୁନୀତା ଦେବୀ (୪୫), କିଶନ ଚନ୍ଦ୍ରଙ୍କ ପତ୍ନୀ ଧନେଶ୍ୱରୀ ଦେବୀ (୪୬), ମୋହନ ସିଂହଙ୍କ ପତ୍ନୀ ସରୋଜିନୀ ଦେବୀ (୩୮) ଏବଂ ରଜନୀ ଦେବୀ (୨୫)। ତେବେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।ସେହିପରି ଆହତ ହୋଇଥିବା ୪ ଜଣ ମଧ୍ୟ ଭଙ୍ଗଲୱାଡ଼ ଗ୍ରାମର ବାସିନ୍ଦା।
ସୂଚନା ଅନୁଯାୟୀ, ରିଖ୍ନୀଖାଲଠାରୁ ପ୍ରାୟ ୨୫ କିଲୋମିଟର ଦୂର କାଲୱାଡ଼ି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ୧୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍ ରିଖ୍ନୀଖାଲରୁ ଭଙ୍ଗଲୱାଡ଼ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ପ୍ରାୟ ୩୦୦ ମିଟର ଗଭୀର ଖାଇ ଭିତରକୁ ଖସିପଡ଼ିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ରିଖ୍ନୀଖାଲ ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମହିଳାମାନେ ‘ବୈନୀ-ଭୁଲି’ ଯୋଜନା ଅଧୀନରେ ଫର୍ମ ପୂରଣ କରି ନିଜ ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ରାଷ୍ଟ୍ରପତି ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି(ପିଏମ୍ଏନ୍ଆର୍ଏଫ୍)ରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ମୋଦୀ ଘୋଷଣା କରିଛନ୍ତି। ଏହା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


