Categories
ଆଞ୍ଚଳିକ

ଚ଼ିଲିକା ବିଜେପି ପକ୍ଷରୁ ବୁଥ୍ ସଭାପତି ଓ ସଂପାଦକ ସମ୍ମିଳନୀ ଅନୁଷ୍ଠିତ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଠାରେ ବିଜେପି ପକ୍ଷରୁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସମସ୍ତ ବୁଥ୍ ସଭାପତି ଓ ସଂପାଦକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା କ୍ଷେତ୍ରର ପ୍ରଭାରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ କାର୍ଯ୍ୟକର୍ତ୍ତା ସଞ୍ଜୟ ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚ଼ନ ପାଇଁ ସାଂଗଠନିକ ଆଲୋଚ଼ନା କରିବା ସହ ବୁଥ୍ ସ୍ତରରେ ଦଳର ସଂଗଠନକୁ ସୁଦୃଢ କରିବା ନିମିତ୍ତ ରୋଡ଼ମ୍ୟାପ ପ୍ରସ୍ତୁତ କରିଥିଲେ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳିରେ ବିଜେପି ପୁଣି କିପରି ଉକ୍ତ ଆସନ ଦଖଲ କରିବ ସେ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଥିଲା l ଏହି ବୈଠକରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସମସ୍ତ ବୁଥ୍ ସଭାପତି ଓ ସଂପାଦକ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

କୁମାରାଙ୍ଗ ପଞ୍ଚାୟତରେ ବୁଲିଲା ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’

ବାଣପୁର (ସୀତାରାମ ଅଗ୍ରୱାଲ): ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଓଡିଶା। ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’ ଗାଁ ଗାଁ ବୁଲି ଘରୁ ଘରୁ ସଂଗ୍ରହ କରୁଛି ଚାଉଳ, ଗୁଆ। ଯାହା ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ବେଳେ ଅର୍ପଣ କରାଯିବ।

ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ଠାରେ ପ୍ରତି ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି।

ଏଥିରେ ସରପଞ୍ଚ ସରୋଜିନୀ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ପ୍ରଧାନ, ନାଏବ ସରପଞ୍ଚ ବ୍ୟୋତକେଶ ମହାପାତ୍ର, ପଞ୍ଚାୟତ ଗ୍ରାମ ସେବକ ନୃସିଂହ ଚରଣ ଜେନା, ଗ୍ରାମ ସେବିକା ବନ୍ଦନା ପ୍ରଧାନ, ବାଣପୁର ଜେଇ, ବାଣପୁର ବ୍ଲକ ମିଶନ ଶକ୍ତି ସଭାପତି କବିତା ରାଣୀମହାପାତ୍ର, ସେକ୍ରେଟାରୀ ବେବିନା ତ୍ରିପାଠି, ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସେଠୀ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ, ପଞ୍ଚାୟତ ସଭାପତି ନବକିଶୋର ସ୍ବାଇଁ, ଯୁବ ସଭାପତି ଆଲୋକ ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ସୋସିଆଲ ମିଡ଼ିଆ ସଂଯୋଜକ ରଞ୍ଜିତ ନାୟକ,ଏସେଜି ଗ୍ରୁପ ର ମହିଳା, ସିଆରପି, ଯୁବ, ଛାତ୍ର, ୱାର୍ଡ ମେମ୍ବର ଆଦି ଯୋଗଦେଇ ଭବ୍ୟ ରଥକୁ ସ୍ଵାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀକୁ ଆସୁଛନ୍ତି ପାଣ୍ଡିଆନ, ମିଶନ ଶକ୍ତି ମହିଳାଙ୍କ ସହ କରିବେ ଭୋଜନ

ଚିଲିକା( ସୀତାରାମ ଅଗ୍ରୱାଲ): ବେଶ କିଛିଦିନ ନିରବତା ପରେ ଏବେ ଚିଲିକା ରାଜନୀତି ବେଶ ସରଗରମ ହୋଇପଡିଛି। ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସହ ଭରିଯାଇଥିବାର ପରିଲକ୍ଷିତ ହୋଇଛି। ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସେ ଆସନ୍ତାକାଲି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗସ୍ତ କରିବେ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ଯ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ ଟାରରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ।

ଏହାପରେ ସେ ଭଗବତୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଣପୁର ପଲଟନ ପଡିଆକୁ ଆସିବେ। ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଦୀର୍ଘ ୪୫ ମିନଟ ଧରି ଲୋକଙ୍କ ସହିତ ଆଲୋଚନା ସହ ଭାଷଣ ପ୍ରଦାନ କରିବେ। ଏହି ପଡିଆରେ ପ୍ରାୟ ୧୦ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଲଟନ ପଡିଆ କାର୍ଯ୍ୟକ୍ରମ ସାରି ସେ ସେହି ନିକଟରେ ଥିବା ମିଶନ ଶକ୍ତି କେଫ୍ ପରିଦର୍ଶନରେ ଯିବେ। ସେଥିପାଇଁ ମିଶନ ଶକ୍ତି ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେହିଠାରେ ପାଣ୍ଡିଆନ ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ବୋଲି ଜଣାପଡିଛି। ଏହାପରେ ଦିନ ପ୍ରାୟ ୨ ଟା ୩୦ ମିନିଟରେ ସେ ବାଣପୁରରୁ ନିକଟସ୍ଥ ହେଲିପ୍ୟାଡକୁ ଯାଇ ସେଠାରୁ ରଣପୁର ଗସ୍ତରେ ଯିବେ।

ତେବେ ପାଣ୍ଡିଆନ ଗସ୍ତକୁ ନେଇ ସବୁ ବିଜେଡି ନେତା ଏକାଠି ହୋଇଯାଇଛନ୍ତି। ସେଥିପାଇଁ ବାଣପୁରରେ ରାଜ୍ୟସ୍ତରୀୟ ନେତା ମଧ୍ୟ ଗତକାଲିଠାରୁ ପହଞ୍ଚି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ପୋଲିସ ପ୍ରଶାସନ ମଧ୍ୟ ବେଶ ତତ୍ପର ହୋଇ ଉଠିଛି। ପାଣ୍ଡିଆନ ଗସ୍ତ ସମୟରେ ଭିଡ ଏବଂ ପଲଟନ ପଡିଆରେ ଲୋକଙ୍କ ସମାବେଶକୁ ସୁନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: କଂଗ୍ରେସକୁ ମଜଭୁତ କରିବାକୁ ସାଙ୍ଗଠନିକ ବୈଠକ

ବାଣପୁର (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁପ୍ତ ଅବସ୍ଥାରେ ଥିବାବେଳେ କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟ ସଂଜୀବନୀ ଭଳି କାର୍ଯ୍ୟ କରୁଛନ୍ତି।  ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚିଲିକାରେ ଧୀରେ ଧୀରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ରବିବାର କଂଗ୍ରେସ ସଂଗଠିକା ଶ୍ରୀମତୀ ସାମନ୍ତରାୟ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଘଣ୍ଟ ଶିଳାର ପାଦଦେଶରେ ଏକ ସାଙ୍ଗଠନିକ ବୈଠକ ଆହୁତ କରିଥିଲେ।  ଆଗକୁ କିପରି ଚିଲିକାରେ କଂଗ୍ରେସ ମଜଭୂତ ହୋଇପାରିବ ଏବଂ କର୍ମୀମାନେ ଏକଜୁଟ ହୋଇ ନିର୍ବାଚନର ସାମ୍ନା କରିବେ ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ବସ୍ତୁ ଥିଲା।

ଶ୍ରୀମତୀ ସାମନ୍ତରାୟଙ୍କ ନେତୃତ୍ୱରେ ଆଗାମୀ ଦିନରେ ସମସ୍ତ କର୍ମୀମାନେ ଶପଥ ନେଇ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।

ଉକ୍ତ ବୈଠକରେ ଯୁବ କଂଗ୍ରେସର କୃଷ୍ଣ ବସ୍ତି, ବିପ୍ର ରଞ୍ଜନ ଜେନା, ବିପିନ ବାରିକି ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ‘ଆମ ଓଡିଶା ନବୀନ ଓଡିଶା’ ଉଦଘାଟନକୁ ବୟକଟ କରିବ ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଆସନ୍ତାକାଲି ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ଭରଚୁଆଲି ଉଦଘାଟନ କରିଵେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ନିମନ୍ତେ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି।

ତେବେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବ ବିରୋଧୀ ବିଜେପି। ଏ ନେଇ ଆଜି ନାଚୁଣୀରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଆସନ୍ତାକାଲି ଉଭୟ ବ୍ଲକରେ କାର୍ଯ୍ୟକ୍ଷମ ହେବାକୁ ଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ବୟକଟ କରିବ ବିଜେପି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବ୍ଲକର ଦୁଇ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ 23 ଜଣ ବିଜେପି ସମର୍ଥିତ ସରପଞ୍ଚ ଏବଂ 24 ଜଣ ସମିତି ସଭ୍ୟ ଉକ୍ତ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେ ନାହିଁ। ତତସହିତ ଉଭୟ ବ୍ଲକରେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବେ।

ଦରକାର ପଡ଼ିଲେ ଆନ୍ଦୋଳନକୁ ଓଲ୍ହାଇବା ସହ ନ୍ୟାୟାଳୟ ର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ହରିଚନ୍ଦନ। ସରକାର ମନଇଛା ଉକ୍ତ ଯୋଜନାକୁ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସରପଞ୍ଚ, ସମିତି ସଭ୍ୟ ତଥା ୱାର୍ଡ ମେମ୍ବରଙ୍କ ସୁପାରିଶ ଆଧାରରେ ପ୍ରକଳ୍ପ ଜାରି ନକରି ଶାସକ ଦଳର ନେତାମାନଙ୍କ ସୁପାରିଶ କ୍ରମେ ଏହାକୁ ଲାଗୁ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକା ନିର୍ବାଚନମଣ୍ଡଳିରେ ଏହାକୁ ପ୍ରବଳ ବିରୋଧ କରାଯିବ ଏବଂ ଉଭୟ ବ୍ଲକରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦିଆଯିବନି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଉକ୍ତ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ପୁନଃ ସୂଚୀ କରାଯାଉ ଏବଂ ତାହା ପଲ୍ଲିସଭା/ଗ୍ରାମ ସଭା, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଙ୍କ ସହମତିରେ କରାଯାଉ ବୋଲି ଦାବି କରିଛି ବିଜେପି।

ଏହି ସାମ୍ବାଦିକ ସମ୍ମିଳନୀରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମକର୍ତ୍ତା ବିଜେଡିରେ ହେଲେ ସାମିଲ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା ଏବଂ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ବିଜେପି କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବାଣପୁର ଏନଏସିର ପୂର୍ବତନ କାଉନସିଲର ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାପତି ପ୍ରଣତୀ ମାର୍ଥା, ୱାର୍ଡ଼ ସଭାପତି ବିଶ୍ୱନାଥ ଦଳେଇ, ମହିଳା ସଭାପତି ପ୍ରତୀମା ମଲ୍ଲିକ, ପୂର୍ବତନ କାଉନସିଲର ଝରିଆ ପ୍ରଧାନ, ବରିଷ୍ଠ ନେତା ଦୀନବନ୍ଧୁ ପ୍ରଧାନ ଓ ଯୋଗେନ୍ଦ୍ର ବାରିକ, ଯୁବ ସଂଗଠକ ମନୋଜ ସାହୁ, ପୂର୍ବତନ କାଉନସିଲର ସୁଧାକର ଭୋପା, ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପସଭାପତି କାବେରୀ ଜେନା ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ବାଣପୁର ଏନଏସିର ପୂର୍ବତନ ଯୁବ ସଭାପତି ନାରାୟଣ ଦାସ, ଏସ୍‌ସି ମୋର୍ଚ୍ଚାର ମହିଳା ସଭାପତି ଉତ୍ତରା ମଲ୍ଲିକ ଏବଂ ବାଣପୁର ବ୍ଲକ ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତର ସଞ୍ଜୟ କୁମାର ବଳିଆର ସିଂହ, ଅନୀଲ କୁମାର ସ୍ୱାଇଁ, ରାଧାକାନ୍ତ ରଥ, ରଞ୍ଜନ କୁମାର ରାଉତରାୟ, ଜୟନ୍ତ କୁମାର ସ୍ୱାଇଁ, ରାଜେଶ କୁମାର ବେହେରା, ବିଜୟ ପାତ୍ର, ମାନସ ବେହେରା, ଜିତୁନ ବେହେରା, ସଂକଳ୍ପ ବେହେରା, ରଘୁନାଥ ବାରିକ, ନବଘନ ନାୟକ, ସୌରୀ ବେହେରା, ମକଦମ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର (ରାଜା), ବାଣପୁର ଏନଏସି ଚେୟାରମ୍ୟାନ ମିଟୁ ନାୟକ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁରବ୍ଲକ ପୂର୍ବତନ ଚେୟାରମ୍ୟାନ ମାନସ ପ୍ରଧାନ, ଯୁବନେତା ଜଗତ ବଲ୍ଲଭ ମହାରଥା, ତୁମୁରାପୁଟ ଶାସନ ଗ୍ରାମପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ସେଠୀ, ଯଦୁ ପ୍ରଧାନ, ମନୋଜ ପ୍ରଧାନ ଓ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାରେ ସଂପର୍କରୁ ସମର୍ଥନ ଅଭିଯାନରେ ସାମିଲ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ଚିଲିକାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ।

ପଦଯାତ୍ରାର ପ୍ରଥମ ଚରଣରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଗଙ୍ଗାଧରପୁର ରେଳ ଷ୍ଟେସନ୍ ଯାଇ ଷ୍ଟେସନର ଉନ୍ନତି ପାଇଁ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କରିଥିଲେ।

ଏହା ପରେ ବାଣପୁର ବ୍ଲକର ବିଷ୍ଣୁଡିହ ପଞ୍ଚାୟତରେ ଅନୁଷ୍ଠିତ ପଦ ଯାତ୍ରାରେ ସାମିଲ ହେଇ ମୋଦି ସରକାର ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ପଞ୍ଚାୟତବାସୀଙ୍କୁ ଅବଗତ କରିଥିଲେ। ପଦଯାତ୍ରା ସମୟରେ ସମ୍ବିତ ପାତ୍ର ଶକୁନ୍ତଳା ମୁଦୁଲିଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ବୁଝିଥିଲେ ତଥା ଶକୁନ୍ତଳା ମୁଦୁଲି ସମ୍ବିତ ପାତ୍ରଙ୍କୁ ରାକ୍ଷୀ ବାନ୍ଧିଥିଲେ।

ସୂଚନା ଥାଉକି ଶକୁନ୍ତଳା ମୁଦୁଲି କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ନିଜ ଭାଇଙ୍କୁ ହରାଇଥିଲେ, ଏଥି ଯୋଗୁଁ ସମ୍ବିତ ପାତ୍ର ଶକୁନ୍ତଳାଙ୍କ ସମସ୍ତ ପାଠ ପଢା ଖର୍ଚ୍ଚ ବୁଝୁଛନ୍ତି।

ଏହି ପଦଯାତ୍ରାରେ ଜିଲ୍ଲାର ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ସାମିଲ ହେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ସଂପର୍କରୁ ସମର୍ଥନ ଅଭିଯାନରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ବାଲୁଗାଁରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ,ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ତଥା ଖୋର୍ଦ୍ଧା ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହେଲେ। ସମ୍ବିତ ପାତ୍ର ବାଲୁଗାଁରେ ଅବସ୍ଥିତ ମାଛ ବଜାରରେ ସ୍ଥାନୀୟ ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀ ତଥା ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଚର୍ଚ୍ଚା କରିଥିଲେ।

ଏହା ସହିତ ବାଲୁଗାଁ ରୋଟାରୀ କ୍ଲବର ପ୍ରମୁଖ ବ୍ୟକ୍ତି ତଥା ଅଞ୍ଚଳର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବ୍ୟବସାୟୀଙ୍କ ସହ ବୈଠକ କରି ବିଭିନ୍ନ ଅଞ୍ଚଳର ବିଭିନ୍ନ ସାମାଜିକ ହିତ ବିଷୟରେ ଆଲୋଚନା କରିଥିଲେ ସମ୍ବିତ ପାତ୍ର। ବାଲୁଗାଁରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୁଲକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ବାଲୁଗାଁବାସୀଙ୍କୁ ଅବଗତ କରାଯାଇଛି।

Categories
ଆଞ୍ଚଳିକ

ବାଣପୁରରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଲଢେଇ ଜୋରଦାର ହେବ ବୋଲି କହିଲେ ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ସେତେ ଚିନ୍ତା ବଢ଼ି ବଢ଼ି ଯାଉଛି। ବିରୋଧୀ ବିଜେପି ଗତଥର ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ କିପରି ବିଜୟର ସ୍ୱାଦ ଚାଖିବ, ସେଥିଲାଗି ସଂଗଠନ ଜାରି ରଖିଛି। ଗୋଟାଏ ପଟେ ଚିଲିକା ବିଜେଡିରେ ‘ଢୋଲ ଭିତରେ ମୂଷା’ ର ଅଭିଯୋଗ ହେଉଥିବା ବେଳେ ଏପଟେ ବିଜେପି ଏହାର ଫାଇଦା ନେବ ବୋଲି କୁହାଯାଉଛି।

ପଞ୍ଚାୟତ ନିର୍ବାଚନରେ ଦଳ ଉଭୟ ବାଣପୁର ଓ ଚିଲିକା ବ୍ଲକ ଦଖଲ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାୟକ ହେବା ନେଇ ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ସରପଞ୍ଚ ବସନ୍ତ ମାଳିଙ୍କ ସଭାପତିତ୍ୱରେ ଆମ୍ବଝର ଠାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆଦି ଯୋଗଦେଇଥିଲେ। ତେବେ ଉକ୍ତ କର୍ମୀ ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଶାସକ ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିବା ବିଜେପି ନେତାମାନେ କହିଛନ୍ତି।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କର୍ମୀମାନଙ୍କୁ ଏକମନ ଏକ ପ୍ରାଣ ହୋଇ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବା ନେଇ କହିଥିଲେ। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ କିପରି ମୁଳୋତ୍ପାଟନ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଅନୁରୂପ ଭାବେ ଚିଲିକାର ଜନସାଧାରଣ ମାନେ ଯାହାକୁ ବହୁମୂଲ୍ୟ ଭୋଟ ଦେଇ ଗାଦିରେ ବସାଇଥିଲେ ତାଙ୍କ ଲାଗି ଆଜି ସାଧରଣ ନିରୀହ ଭୋଟର ହନ୍ତସନ୍ତ ହେଉଛନ୍ତି। ଚିଲିକାବାସୀ ୨୦୨୪ରେ ସେଇ ଭୁଲ ଆଉ ପୁନଶ୍ଚ କରିବେ ନାହିଁ ବୋଲି ମନସ୍ତ କରିସାରିଥିବା କହିଥିଲେ ହରିଚନ୍ଦନ। ଚିଲିକାରେ ବିଜେଡି ବିରୁଦ୍ଧରେ ଲଢେଇ ଆହୁରି ତୀବ୍ର ହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସେହିପରି ଭାବେ ସରପଞ୍ଚ ବସନ୍ତ ମାଳି ଏଥିନିମନ୍ତେ ପଞ୍ଚାୟତ ବାସୀଙ୍କ ନିକଟରେ ନତମସ୍ତକ ହୋଇ ଉଭୟ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ରଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ।

ସେହିଭଳି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କର୍ମୀଙ୍କୁ ମନୋବଳ ଆହୁରି ଦୃଢ଼ କରିବା ଲାଗି ପରାମର୍ଶ ଦେଇଥିଲେ। ୨୦୧୯ ରେ ଛୋଟିଆ ଭୁଲ ଲାଗି ବିଜେପିର ଉଭୟ ଯୋଗ୍ୟ ପ୍ରାର୍ଥୀ ବିଧାନସଭା ଓ ସଂସଦ ଯାଇପାରିଲେନାହିଁ ବୋଲି କହିବା ସହ ଦୁଃଖ ପ୍ରକାଶ କରିଥିଲେ।  କିନ୍ତୁ ଚଳିତ ସାଧରଣ ନିର୍ବାଚନରେ ଚିଲିକା ହିଁ ପୁରୀ ଲୋକସଭା ଓ ଓଡ଼ିଶା ବିଧାନସଭାର ପ୍ରବେଶ ପଥ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ରଣସିଂହ।

ତେବେ ଚିଲିକା ବିଜେପିର ଭବିଷ୍ୟତ କ’ଣ ହେ,ବ ତାହା ଆଗାମୀ ସାଧାରଣ ନିର୍ବାଚନ ହିଁ ଜଣାପଡ଼ିବ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ରାଜନୀତି ସରଗରମ, ଦୁର୍ଯୋଧନ ନିଶ୍ଚିତ ମରିବ ବୋଲି କାହାକୁ କହିଲେ ବିଭୂତି

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ବେଶ ସରଗରମ ହୋଇଯାଇଛି। କାରଣ ଗତକାଲି ଦଳର ପ୍ରତିଷ୍ଠା ଦିବସରେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ଭାଷଣ ପରେ କର୍ମିମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। କର୍ମିମାନେ ଯାହା ଚାହୁଁଥିଲେ ବିଭୂତି ସେହି ସଭାରେ ତାହା ହିଁ କହିଲେ। ଫଳରେ ଚିଲିକାରେ ବିଜେଡି କର୍ମିଙ୍କର ମନୋବଳ ବେଶ ବଢିଯାଇଛି।

ଏହି ବୈଠକରେ ବିଭୂତି କହିଥିଲେ ଯେ, ଚିଲିକାରେ ଜଣେ ଦୁର୍ଯୋଧନ ଅଛନ୍ତି। ସେହି ଦୁର୍ଯୋଧନ ଖୁବ ଶିଘ୍ର ମରିବ। ସେତିକି ନୁହେଁ ସେ କର୍ମିମାନଙ୍କୁ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ, ଚିଲିକାରେ ଢୋଲ ଭିତରେ ମୂଷା ପଶି କାମ କରିବା ପରି ଜଣେ ଅଛି। ବ୍ୟସ୍ତ ହୁଅନ୍ତୁ ନାହିଁ, ଯନ୍ତା ବସି ସାରିଛି, ସେହି ମୂଷା ଖୁବ ଶିଘ୍ର ଯନ୍ତାରେ ପଡିବ।

ବିଭୂତିଙ୍କ ଏହି ବକ୍ତବ୍ୟକୁ କର୍ମିମାନେ ବେଶ ତାଳିମାରି ସ୍ବାଗତ କରିଥିଲେ। ତେବେ ବିଭୂତି ଏହି କଥା ଯାହାକୁ ଦେଖାଇ କହୁଥିଲେ ସେ ହେଉଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ କଥା କାହାକୁ ଅଛପା ନାହିଁ। କାରଣ ବିଗତ ଦିନରେ ରଘୁନାଥ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ, ସାଂସଦ, ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏବଂ ବହୁ ନିର୍ବାଚତ ପ୍ରତିନିଧିଙ୍କୁ ଗାଳି କରିଥିଲେ।

ରଘୁନାଥଙ୍କ ଏପରି ସମାଲୋଚନାକୁ ନେଇ କର୍ମିମାନେ ଅସନ୍ତୋଷ ଜାହିର ରହିଥିଲେ। ହେଲେ ବିଭୂତିଙ୍କ ବକ୍ତବ୍ୟ ପରେ ଏବେ ସେମାନେ ଶାନ୍ତ ପଡିଛନ୍ତି। ତେବେ ବିଭୂତି ଏହି ସଭାରେ କହିଥିଲେ ଯେ, ଖୁବ ଶିଘ୍ର ଏପରି ଦଳ ବିରୋଧୀଙ୍କ ଉପରେ ବିଜେଡି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରଘୁନାଥଙ୍କ ଉପରେ ଦଳ କୌଣସି ମୁହୁର୍ତ୍ତରେ କିଛି ବି ପଦକ୍ଷେପ ଗ୍ରହଣ କରିପାରେ।

ତେବେ ବିଭୂତିଙ୍କ ଏହି ବକ୍ତବ୍ୟକୁ ନେଇ ରଘୁନାଥ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କ ନାଁ ନେଇ ସମାଲୋଚନା କରିଥିଲି। ହେଲେ ସେଠାରେ କେହି ମୋର ନାମ ନେଇ ନାହାଁନ୍ତି। ତେଣୁ ଏ ନେଇ ମୁଁ କୌଣସି ପ୍ରତିକ୍ରିୟା ରଖିବି ନାହିଁ। ତେବେ ଦଳୀୟ ସଭାରେ ଆପଣ କାହିଁକି ଯୋଗ ଦେଲେ ନାହିଁ ବୋଲି ପଚାରିବାରେ ସେ କହିଥିଲେ ଯେ, ମୋର ସେଠାକୁ ଯିବାର ନାହିଁ।

ତେବେ ରଘୁନାଥଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ କଥା ବିଭୂତି କହିବା ପରେ ଏବେ ରଘୁନାଥ ପ୍ରମାଦ ଗଣୁଥିବାର ଜଣାପଡିଛି। ବହୁ ମାସ ଧରି ରଘୁଙ୍କୁ ଚିଲିକା ବିଜେଡି କର୍ମ ଏବଂ ନିର୍ବାଚିତ ସଦସ୍ୟମାନେ ଏକ ଘରକିଆ କରି ରଖିଛନ୍ତି। ବିଭୂତିଙ୍କ ବକ୍ତବ୍ୟ ପରେ ଆଗାମୀ ଦିନରେ ଏହା ଆହୁରି ତୀବ୍ର ହେବ ବୋଲି ଅନୁମାନ କରାଯାଉଛି। ଫଳରେ ବିଜେଡିରେ ରଘୁନାଥଙ୍କ ଭବିଷ୍ୟତ କଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ନଡ୍ଡା, ନବୀନଙ୍କ ଶହେ ବର୍ଷ ଜନସେବା ଘୋଷଣାକୁ କରିବେ ତ ମୁକାବିଲା?

ଭୁବନେଶ୍ବର: ଓଡିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ହେବାକୁ ଆହୁରି ବର୍ଷେ ପାଖାପାଖି ବାକି ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ଓଡିଶାରେ ନିର୍ବାଚନ ପ୍ରଚାର ମାହୋଲ ତିଆରି ହୋଇ ସାରିଲାଣି। ପୁରୀରେ ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବା ବେଳେ। ଏବେ ନଡ୍ଡାଙ୍କ ଆଗମନରୁ ସ୍ପଷ୍ଟ ହୋଇଛି ଯେ, ସେ ମଧ୍ୟ ଓଡିଶାରେ ନିର୍ବାଚନ ବିଗୁଲ ବଜାଇବେ।

ନଡ୍ଡାଙ୍କ ଏହି ଆଗମନକୁ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତେ ବେଶ ଉତ୍ସାହିତ ହୋଇପଡିଛନ୍ତି। ଭାବି ନେଇଛନ୍ତି ଯେ ଏଥର ବିଜେଡିକୁ ମାତ ମାରି ବିଜେପି ଓଡିଶା ଦଖଲ କରିବ। କିଏ କଣ ସ୍ବପ୍ନ ଦେଖିବ ତାହା ଭିନ୍ନ କଥା। ହେଲେ, ପୁରୀରେ ନବୀନ କହିଥିବା ଆଉ ଶହେ ବର୍ଷ ବିଜେଡି ଓଡିଶାରେ ଜନସେବା ବା ସିଧା କହିଲେ କ୍ଷମତାରେ ରହିବ, ତାହାକୁ ନେଇ ନଡ୍ଡା କଣ କହିବେ।

ନବୀନଙ୍କ ଏହି ଭବିଷ୍ୟବାଣୀ ଓଡିଶା ରାଜନୀତିକୁ ବେଶ ସରଗରମ କରିଦେଇଛି। ପୁରୀ ପ୍ରତିଷ୍ଠା ଦିବସରେ ସେ କହିଥିଲେ ଯେ ବର୍ତ୍ତମାନ ବିଜେଡିକୁ ୨୫ ବର୍ଷ ପୁରିଲା, ଏହାପରେ ବିଜେଡି ପୁଣି ୫୦ ବର୍ଷ ପାଳନ କରିବ। ଯଦି ଓଡିଶାର ମା’ମାନେ ଆର୍ଶିବାଦ କରିବେ ତେବେ ବିଜେଡି ଓଡିଶାରେ ଆହୁରି ୧୦୦ ବର୍ଷ ଜନସେବା କରିବ। ସିଧା ଭାଷାରେ କହିଲେ ଓଡିଶାରେ ବିଜେଡି ଆଉ ୧୦୦ ବର୍ଷ ଶାସନ କରିବ।

ଏପରି ଭବିଷ୍ୟବାଣୀ ନେଇ ବିଜେପି ଶିବିରରେ ମଧ୍ୟ ବେଶ ଚର୍ଚ୍ଚା ହେବାରେ ଲାଗିଛି। ସମସ୍ତେ ଆଶା କରିଛନ୍ତି ନଡ୍ଡା ନିଶ୍ଚିତ ନବୀନଙ୍କ ଏହି ୧୦୦ ବର୍ଷର ଶାସନ କରିବାର ଘୋଷଣାକୁ ନିଶ୍ଚିତ ପ୍ରତିକ୍ରିୟା ରଖିବେ। ନଡ୍ଡା ନ କହିଲେ ମଧ୍ୟ ତାଙ୍କ ପାଖେପାଖେ ଘୁରି ବୁଲୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାର ଉତ୍ତର ଦେବେ ବୋଲି କର୍ମିମାନେ ଆଶା ବାନ୍ଧି ବସିଛନ୍ତି।

ନଡ୍ଡାଙ୍କ ଉତ୍ତର ଅପେକ୍ଷାରେ ଓଡିଶାବାସୀ ଥିବା ବେଳେ ସେ ପୁଣି ବହୁବାର ଓଡିଶା ଆସିବେ ବୋଲି ଦିଲ୍ଲୀ ସୁତ୍ରରୁ ଜଣାପଡିଛି। ମୁଖ୍ୟତଃ ତାଙ୍କର ଫୋକସରେ ବିଧାନସଭା ନୁହେଁ, ରହିଛି ଲୋକସଭା ଆସନ। ଯେଉଁ ଯେଉଁ ଲୋକସଭା ଆସନରେ ବିଜେପି ହାରିଛି ସେହି ନିର୍ବାଚନ ମଣ୍ଡଳୀରେ ନଡ୍ଡା ସମାବେଶ କରିବେ ବୋଲି ଜଣାପଡିଛି। ସେଥିପାଇଁ ପ୍ରଥମ ପର୍ଯ୍ୟାରେ ସେ କନ୍ଧମାଳ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ରଖିଛନ୍ତି। ଏହାର ଦୁଇମାସ ପରେ ପୁଣି ଓଡିଶାରେ ବିଜେପି ହାରିଥିବା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ସମୀକରଣ। ନିକଟରେ ପଂଚାୟତ ନିର୍ବାଚନ ସମୟର ଗଣ୍ଡଗୋଳ ପରଠାରୁ ସରକାରୀ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେଵ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ନିର୍ବାଚନ ମଣ୍ଡଳୀକୁ ପଶି ପାରୁନାହାନ୍ତି। ତଥାପି ବିଧାୟକଙ୍କ ନିର୍ଦ୍ଦେଶରେ ଦଳର ନେତୃବୃନ୍ଦ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳ ତଥା ସରକାରଙ୍କ ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି।

ଆଜି ବାଣପୁର ବିଜୁ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଣପୁର ବ୍ଲକରେ ସରକାରଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ଏକ ପ୍ରେସ ଇସ୍ତାହାର ଜାରି କରିଥିଲେ ଗୋପୀନାଥ ମହାରଣା। ଜିଲ୍ଲା ଏମପି ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ନିର୍ବାଚନ ମଣ୍ଡଳୀ ଏମପି ପ୍ରତିନିଧି ଯଦୁମଣି ପ୍ରଧାନ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୁମୁରାପୁଟ ସରପଞ୍ଚ ଅକ୍ଷୟ ସେଠିଙ୍କ ଉପସ୍ଥିତିରେ ଉନ୍ନୟନ କାର୍ଯ୍ୟଗୁଡିକର ବ୍ୟାଖ୍ୟା କରିଥିଲେ।

ଉନ୍ନତିମୂଳକ କାର୍ଯ୍ୟ ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଭାଟପଡ଼ା ଠାରୁ ସାନ ହନ୍ତୁଆଡ ପର୍ଯ୍ୟନ୍ତ ରାସ୍ତା ଓ ଶଙ୍ଖ ନିର୍ମାଣ ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କାର କାର୍ଯ୍ୟ ଚାଲୁ ରହିଥିବା ବେଳେ ଜଳସେଚନ ବିଭାଗ ତରଫରୁ କେନାଲର ଉନ୍ନତି କରଣ ପାଇଁ ୮୪.୨୫ ଲକ୍ଷ ଟଙ୍କାର ଟେଣ୍ଡର କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିଭଳି ଭାବରେ ପୂର୍ତ୍ତ ବିଭାଗ ତରଫରୁ ମା’ ଭଗବତୀ ମନ୍ଦିର ଉନ୍ନତି ପାଇଁ ୧ କୋଟି ୭୨ଲକ୍ଷ ଟଙ୍କା, ବାଣପୁର ତହସିଲର ନୂତନ ଗୃହ ନିର୍ମାଣ ନିମନ୍ତେ ୧.୧୭କୋଟି, ଟ୍ରାଫିକ ସମସ୍ୟା ଦୁରୀଭୂତ ପାଇଁ ୩୯୭.୪୮କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ସଂପୂଣ୍ଣ ହୋଇଛି।

ପୂର୍ବରୁ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ପାଇଁ ଆଙ୍କୁଲାପଦର ଠାରେ ୬କୋଟି ୭୫ଲକ୍ଷ, ଗୋଦାବରୀଶ ବିଦ୍ୟାଳୟ ଓ ବାଣପୁର ସରକାରି ଉଚ୍ଚବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ପ୍ରତ୍ୟେକ ସ୍କୁଲକୁ ୮୦ ଲକ୍ଷ, ବାଳିକ ସ୍କୁଲର ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ, ଆୟତପୁର ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧୨ କୋଟି, ଗାଲୁଆ ଛକ ଠାରୁ କୋସରଡା ରାସ୍ତାନିର୍ମାଣ ପାଇଁ ୪ କୋଟି, ଧୂଆଁଳ ଠାରୁ ଭିମପୁର ଓ ପଲଟନ ପଡିଆ ଠାରୁ ସାନସିରାଇପୂର ରାସ୍ତା ନିର୍ମାଣ ପାଇଁ ୨୨ କୋଟି,୧୫ଟି ସ୍କୁଲକୁ ୫ଟି ଅନ୍ତର୍ଭୂକ୍ତ କରାଯାଇ ପ୍ରତେକ ସ୍କୁଲକୁ ପ୍ରାୟ ୮୦ ଲକ୍ଷ ଟଙ୍କା ଲେଖାଁଏ ଅନୁଦାନ ରାଶି ଯୋଗାଯିବା ସହ କେତେକ କାର୍ଯ୍ୟ ଚାଲୁ ରହିଥିବାବେଲେ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଶିକ୍ଷା ବିଭାଗର ଉନ୍ନତି ନିମନ୍ତେ ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ଆସନ୍ତା ଶିକ୍ଷାବର୍ଷ ଠାରୁ +୨ କଳାରେ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ ବୋଲି ଜଣାଇଥିଲେ।

ଆଗାମୀ ଦିନ ମାନଙ୍କରେ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଧ୍ୟାନ ଦେବା ସହ ସାଂସଦ ପିନାକୀ ମିଶ୍ର, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରତିଶ୍ରୁତି ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦଶହରାରୁ ଦୁଇଟି ବିଧାନସଭା ଆସନରେ ଥୋପ ପକାଇଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!

ଭୁବନେଶ୍ବର: ବିଭିନ୍ନ ସମୟରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାରେ ରହିଥାନ୍ତି। ସେ ଭଲର ହେଉ କିମ୍ବା ଭେଲରେ। ହେଲେ ଏଥର ସେ ଏକ ନୂଆ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲେ ପୂଜା ଅବସରରେ ଏହି ବିଧାୟକ ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା। ଜଣେ ବିଧାୟକ ଭାବେ ପୂଜା ମଣ୍ଡପ ବୁଲିବା ଭୁଲ ନୁହେଁ। ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ବୁଲୁଥିବାରୁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଯେଉଁ ଆଲୋଚନା ବର୍ତ୍ତମାନ ଚାଲିଛି ତାହା ହେଲା ପ୍ରଶାନ୍ତ ଜଗଦ୍ଦେବ ଚିଲିକା ଛାଡି ବର୍ତ୍ତମାନ ଖୋର୍ଦ୍ଧା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମା’ଙ୍କ ନିକଟରେ ଶରଣ ପଶି କୁଆଡେ ଗୁହାରି କରି ଲୋକସଂପର୍କ ବଢାଇବାରେ ଲାଗିଛନ୍ତି। ଫଳରେ ସେ ଖୋର୍ଦ୍ଧା ଏବଂ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏପରିକି ସେ ଉଭୟ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି।

ଚିଲିକାରେ ସେ ବେଶ୍ ବିବାଦୀୟ ହୋଇପଡିବା ପରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ବେଗୁନିଆରୁ ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତ ଯେ, ବିଜେଡି ପୁଣିଥରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିପାରେ। କାରଣ ଏଥର ବିଜେପିରୁ ସାଂସଦ ଅପରାଜିତା ଷଡଙ୍ଗୀ ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହେବେ। ସେଥିପାଇଁ ସେ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ବାଛିଛନ୍ତି।

କିଛି ମାସ ଧରି ଅପରାଜିତା ବେଗୁନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂଗଠନ ମଜବୁତ କରିବା ଆରମ୍ଭ କରିଦେଇଛନ୍ତି। ବେଗୁନିଆର ଛୋଟଛୋଟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉଛନ୍ତି ସାଂସଦ ଅପରାଜିତା। ତାଙ୍କୁ ସମ୍ମୁଖୀନ ହେବା ପାଇଁ ଏହି ବାହୁବଳି ନେତା ଉପଯୁକ୍ତ ବୋଲି କୁଆଡେ ବିଜେଡି ଚିନ୍ତା କରିଛି। ବେଗୁନିଆରେ ଅପରାଜିତାଙ୍କୁ କେବଳ ପ୍ରଶାନ୍ତ ଜଗଦ୍ଦେବ ଟକ୍କର ଦେଇପାରିବେ ବୋଲି ବିଜେଡି ସର୍ଭେରୁ ଜଣାପଡିଛି।

ଯଦି ଅପରାଜିତା ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହୁଅନ୍ତୁ, ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସେଠାରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଜାନକୀ ବଲ୍ଲଭ ପଟ୍ଟନାୟକ ପରି ନେତାଙ୍କ ସହିତ ନିର୍ବାଚନ ଲଢେଇ କରି ଅଳ୍ପ ଭୋଟରେ ହାରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ସେ ହି ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଏକ ସୁରକ୍ଷିତ ଆସନ ହୋଇପାରିଛି। କାରଣ ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଫଳରେ ସେ ସବୁକୁ ପାଥେୟ କରି ଜଗଦ୍ଦେବଙ୍କର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପତିୟାରା ରହିଛି। ତେଣୁ ରାଜନୈତିକ ମହଲରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଉଭୟ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ସୁରକ୍ଷିତ ଆସନ ବୋଲି କୁହାଯାଉଛି।

ଏ ସବୁକୁ ଲକ୍ଷ କରି ୨୦୨୪ ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଶହରାରେ ଉଭୟ ନିର୍ବାଚନ ମଣ୍ଡଳୀରେ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି।

Categories
PanchayatElection ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ଲଢେଇ, ଆଗରେ ବିଜେଡିର ଲିଲିବାଳା

ଚିଲିକା: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ସେହି ଅନୁସାରେ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସେତିକି ଜମିବାରେ ଲାଗିଛି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନରେ ବର୍ତ୍ତମାନ ଚିଲିକାବାସୀଙ୍କ ନଜରରେ ରହିଛି।

ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଚାଲିଛି ଦ୍ବିମୁଖୀ ଲଢେଇ। ତିନି ପ୍ରମୁଖ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟ ଲଢେଇ ହେଉଛି ବିଜେଡି ଏବଂ ବିଜେପି ମଧ୍ୟରେ। ବିଜେଡି ତରଫରୁ ଲିଲିବାଳା ଭୋଳ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ରୋଜିତା ପ୍ରଧାନ ଲଢେଇ କରୁଛନ୍ତି।ସେହିପରି କଂଗ୍ରେସରୁ ରଶ୍ମିତା ମହାପାତ୍ର ମଇଦାନରେ ଅଛନ୍ତି। ଏମାନେ ସମସ୍ତେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ତେବେ ତଥ୍ୟ ଅନୁସାରେ ବର୍ତ୍ତମାନ ବିଜେଡିର ପ୍ରାର୍ଥିନୀ ଲିଲିବାଳା ଭୋଳ ପ୍ରଚାରରେ ବେଶ୍ ଆଗରେ ଅଛନ୍ତି। ବିଜେପିର ରୋଜିତା ପଛରେ ପଡିଥିବା ବେଳେ, କଂଗ୍ରେସର ପ୍ରଚାର ଶିଥିଳ ଅବସ୍ଥାକୁ ଚାଲି ଆସିଛି। ମୁଖ୍ୟତଃ ରାଜ୍ୟରେ ବିଜେପି ମୁଣ୍ଡ ବିହୀନ ହୋଇପଡିଥିବାରୁ ବର୍ତ୍ତମାନ ସାରା ଓଡିଶାରେ ବିଜେପି ପ୍ରାର୍ଥୀମାନେ ବାଉଳା ହୋଇପଡିଛନ୍ତି। ଏପରିକି ରାଜନୈତିକ ତଥା ଆର୍ଥିକ ସମର୍ଥନ ଦେବାରେ ବିଜେପି ବିଫଳ ହୋଇପଡିଛି। ସେପରି କ୍ଷେତ୍ରରେ ଏହି ଜୋନର ପ୍ରାର୍ଥୀ ମଧ୍ୟ ରାଜ୍ୟ ନେତୃତ୍ୟରୁ ସେମିତି କିଛି ଫାଇଦା ହାସଲ କରିପାରୁ ନାହାଁନ୍ତି।

ସେହିପରି କଂଗ୍ରେସ ଅବସ୍ଥା ତଦୁର୍ପ। ଏଥର ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡିଥିଲା। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କେହି ଟାଣୁଆ ନେତା ନ ଥିବାରୁ ଦଳର ପ୍ରାର୍ଥିମାନେ ଏକରକମର ନେତୃତ୍ୟ ଛେଉଣ୍ଡ ଭାବେ ପ୍ରଚାର କରୁଛନ୍ତି।

ତେବେ ପ୍ରଚାର କ୍ଷେତ୍ରରେ ବିଜେଡି ବେଶ ଆଗରେ ରହିଛି। ମୁଖ୍ୟତଃ ଏହି ଦଳର ଦୃଢ ସଂଗଠନ ସହିତ ନବୀନଙ୍କ ଭାବମୂର୍ତ୍ତି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ବିଜେଡି ପ୍ରାର୍ଥିନୀ ଲିଲିବାଳା ଭୋଳ ତାଙ୍କ ସମର୍ଥକଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏହି ପ୍ରଚାର କ୍ଷେତ୍ରରେ ବେଶ୍ ସହଯୋଗ କରିବାରେ ଲାଗିଛନ୍ତି। ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ପ୍ରାଣେ ପ୍ରାଣେ ଉଦ୍ୟମ ଜାରି ରଖିଛନ୍ତି। ଗତ ଥର ଏହି ଆସନ ବିଜେଡି ହାତରେ ଥିଲା। ଏଥର ମଧ୍ୟ ବିଜେଡି ସେହି ଆସନକୁ ହାତେଇବ ବୋଲି ଆଶା ରଖିଛି।

Categories
ଆଞ୍ଚଳିକ

ପୁରୀ ସାଂସଦ ପିନାକୀ ମିଶ୍ରଙ୍କର ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାଣପୁର, ପୁରୀ ସାଂସଦ ପିନାକୀ ମିଶ୍ର ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେ ନିର୍ବାଚିତ ହୋଇ ସାରିବା ପରେ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ତାଙ୍କୁ ବାଣପୁର ବିଷରପଟଣା ଛକ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ  ବିଜେଡି କର୍ମିମାନେ ଏକ ବିଶାଳ ରାଲି କରି ନେଇଥିଲେ। ତାଙ୍କ ସହିତ ଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ।

ସାଂସଦ ପିନାକୀ ମିଶ୍ର ବାଣପୁର ରେ ନୂତନ ତହସିଲ ଗୃହ ନିର୍ମାଣ ଏବଂ ବାଲୁଗାଁରେ ନୂତନ ଡାକ ବଙ୍ଗଳା ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହିତ ବାଣପୁର ସହିଦ କୃତିବାସ ଭାବନ ଠାରେ ବିଜୁ ଜନତା ଦଳ ର କର୍ମୀ ସମିଳନୀରେ ମଧ୍ୟ ଯୋଗଦେଇଥିଲେ। ଏହି ସଭାରେ ବାଲୁଗାଁ ଏନଏସି ବିଜେଡି ସଭାପତି ଜୟନ୍ତ ଭାଇ, କାର୍ଯ୍ୟକାରୀ ସଭାପତି କୃଷ୍ଣ ବେହେରା, ମୁଖପାତ୍ର ମନୁ ସ୍ୱାଇଁ, ଏମପି ପ୍ରତିନିଧି ପ୍ରକାଶ ପ୍ରଧାନ, ଚିଲିକା ବ୍ଲକ ବିଜେଡି ସଭାପତି ଉତ୍ପଳ ପାଇକରାୟ ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ୯ ଶହ ଲୋକଙ୍କୁ ଦିଆଯିବ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ ମିଳିବ କେତେ ଡୋଜ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୯ ଶହ ଲୋକଙ୍କୁ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)
୧- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୩୦୦ ଡୋଜ

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

– ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୪– ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ଇଞ୍ଜନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଅଠରବାଟିଆ ଗ୍ରା.ପ )- ୫୦ ଡୋଜ

୨- ପରବଳ ବାତ୍ୟା ଆଶ୍ରୟସ୍ଥଳୀ (ହରିପୁର ଗ୍ରା.ପ)- ୫୦ ଡୋଜ

– ଜରିପଡ଼ା ପ୍ରାଥମିକ ବିଦ୍ୟାଳୟ (ଜରିପଡ଼ା ଗ୍ରା.ପ)- ୫୦ ଡୋଜ

୪- ସୋରଣ ପ୍ରାଥମିକ ବିଦ୍ୟାଳୟ (ସୋରଣ ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଞ୍ଚଳିକ

ଚିଲିକାର ବିଶିଷ୍ଟ ସମାଜସେବୀ ତଥା ବାଲୁଗାଁ ଏନଏସିର ପୂର୍ବତନ ଅଧ୍ୟକ୍ଷ ଅଶୋକ ଦାସଙ୍କ ପରଲୋକ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଅଶୋକ ଦାସଙ୍କ ପରଲୋକ ହୋଇଯାଇଛି। ଅଶୋକ ଦାସଙ୍କ ୭୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୫୧ ମସିହା ଡିସେମ୍ବର ମାସ ୫ ତାରିଖରେ ବାଣପୁର ମାଟିର ବରପୁତ୍ର ସ୍ଵର୍ଗତ ବାମନ ଚରଣ ଦାସଙ୍କ କୋଳରୁ ଜନ୍ମିତ ଅଶୋକ ଚିଲିକା ଅଞ୍ଚଳରେ ଅନେକ ସଂଗଠନ ପାଇଁ କାର୍ଯ୍ୟ କରି ଜନ ସେବା କରୁଥିଲେ।

ଶ୍ରୀ ଦାସଙ୍କ ବିୟୋଗ ଯୋଗୁଁ ଚିଲିକା ଅଞ୍ଚଳ ପାଇଁ ଏକ ବଡ କ୍ଷତି ହୋଇଛି। ସେ ଅଞ୍ଚଳର ଅନେକ ସମାଜ ସେବା କାର୍ଯ୍ୟରେ ପ୍ରତ୍ୟେକ୍ଷ ଭାବେ ଜଡିତ ରହୁଥିଲେ। ଅଶୋକ ମଧ୍ୟ ଜଣେ ଜନପ୍ରିୟ ନେତା ଭାବେ ପରିଚିତ ଥିଲେ। ସେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ଯାହା ଏବେ ବି ଲୋକଙ୍କ ମନରୁ ଲିଭିନି।

ଅଶୋକ ଦାସ ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ପ୍ରଶଂସା ଲାଭ କରିଥିଲେ। ଆଜି ଭୋର ୩ ଟା ସମୟରେ ନିଜ ବାସ ଭବନରେ ଅଶୋକ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ମୋଟ ୧ ହଜାର ୩୫୦ ଲୋକଙ୍କୁ ଦିଆଯିବ ଟୀକା: ଗର୍ଭବତୀ ମହିଳା ନେବେ ପ୍ରଥମ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧୧ ଶହ ଲୋକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବାକୁ ଥିବାବେଳେ କେବଳ ଚିଲିକାରେ ୨୫୦ ଜଣ ଗର୍ଭବତୀ ମହିଳାଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

– ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ(ବାଲୁଗାଁ ଏନଏସି)- ୧୦୦ ଡୋଜ
୨- ଇଂଜନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଅଠରବାଟିଆ ଗ୍ରା.ପ)- ୫୦ ଡୋଜ
୩- ପରବଳ ବାତ୍ୟା ଆଶ୍ରୟ ସ୍ଥଳୀ (ହରିପୁର ଗ୍ରା.ପ)- ୫୦ ଡୋଜ
୪- ଦାଶରଥୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ (ଜରିପଡ଼ା ଗ୍ରା.ପ)- ୫୦ ଡୋଜ
୫- ସୋରଣ ପ୍ରାଥମିକ ବିଦ୍ୟାଳୟ (ସୋରଣ ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଗର୍ଭବତୀ ମହିଳାମାନଙ୍କ ନିମନ୍ତେ (ଗର୍ଭବତୀ ହେବାର ୧୨ ସପ୍ତାହରୁ ଅଧିକା ସମୟ ) ପ୍ରଥମ ଡୋଜ (ଚିଲିକା ବ୍ଲକ ଓ ବାଲୁଗାଁ ଏନଏସି)

୧- ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ
୨- ନଈରୀ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୬୦ ଡୋଜ
୩- ଜରିପଡ଼ା ଉପସ୍ୱାସ୍ଥ୍ୟ କେନ୍ଦ୍ର- ୫୦ ଡୋଜ
୪- ସୋରଣ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୫୦ ଡୋଜ

ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

Categories
ଆଞ୍ଚଳିକ

ଆସନ୍ତାକାଲି ବାଣପୁରରେ ସମାନ ସଂଖ୍ୟକ ଡୋଜ, ଚିଲିକାରେ କେବଳ ଗୋଟିଏ କେନ୍ଦ୍ରରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ପାଖାପାଖି ୨ ହଜାର ଲୋକ ଟୀକା ନେଇଥିବା ବେଳେ ଆସନ୍ତାକାଲି ପାଇଁ ଏହାର ସଂଖ୍ୟାରେ ହ୍ରାସ ପାଇବା ନେଇ ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିରେ ଆଜି ଭଳି ଆସନ୍ତାକାଲି ସମାନ ସଂଖ୍ୟକ ଟୀକା ଲୋକଙ୍କୁ ଦିଆଯିବ।

ହେଲେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ପାଇଁ ମାତ୍ର ୧୦୦ ଟି ଟୀକା ଡୋଜର ବ୍ୟବସ୍ଥା କରାଯାଇଛି। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ଚିଲିକା ବ୍ଲକରେ ଅନ୍ତର୍ଗତ ଚାଷଙ୍ଗରା ଭାଲେରୀ ଉଚ୍ଚ ବିଦ୍ୟାଳୟରେ ୧୦୦ ଟି ଟୀକା ଡୋଜ ଦୁଇଟି ପର୍ଯ୍ୟାୟରେ ଦିଆଯିବ

ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ (ଉଭୟ ଡୋଜ),ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଟିକା

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଫାଇଭ୍‌ ଟିଙ୍କ ନଜର ଆଢୁଆଳରେ ଚିଲିକା ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ 

ଚିଲିକା: ଓଡ଼ିଶା ମାନଚିତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଛି। ସାଂସ୍କୃତିକ, ରାଜନୈତିକ, ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବ ବହନ କରୁଥିବା ଚିଲିକାର ପରିଚୟ ମଧ୍ୟ ଅନନ୍ୟ। ଏହି ନିର୍ବାଚନ ମଣ୍ଡଳୀର ବାଣପୁର ସହର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ହେବା ସହିତ ଐତିହ୍ୟପୂର୍ଣ୍ଣ ସହର ଭାବେ ପରିଚିତି ବହନ କରିଛି।

ଫାଇବ ଟି ଏବଂ ସ୍ଥାନୀୟ ବିଧାୟକ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସହର ବାଣପୁର ସହରର ବିକାଶର ଚିତ୍ର ଆଜି ପଦାରେ ପଡିଛି। ଡାକ୍ତରଙ୍କ ଘୋର ଅଭାବ ସାଙ୍ଗକୁ ଏହି ଅଞ୍ଚଳରେ ଥିବା ଏକମାତ୍ର ଶବ ବ୍ୟବଚ୍ଛେଦ ଗୃହକୁ ସ୍ଥାନାନ୍ତର କରାଯିବା  ଅତ୍ୟନ୍ତ ଲଜ୍ୟାଜନକ।

ଖୋର୍ଦ୍ଧା ଜିଲ୍ଳାରେ ଥିବା ଦୁଇଟି ଶବ ବ୍ୟବଚ୍ଛେଦ କେନ୍ଦ୍ର ମଧ୍ୟରୁ ବାଣପୁରରେ ଗୋଟିଏ ଅବସ୍ଥାପିତ ଥିଲା। ମାତ୍ର  ଦୀର୍ଘ ଏକମାସ ହେବ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଘୋର ଅଭାବ ଯୋଗୁଁ  ଏହି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ କରାଯାଉଥିବା ନେଇ ସୂଚନା ରହିଛି। ତିନି ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ନିର୍ବାଚନ ମଣ୍ଡଳୀରେ ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଗୋଟିଏ ପଟେ ଡାକ୍ତର ଅଭାବ ରହିଥିବାବେଳେ ଅନ୍ୟ ପଟେ ଆମ୍ବୁଲାନ୍ସର ମଧ୍ୟ ଅଭାବ ରହିଛି।

ବାଣପୁରସ୍ଥିତ ଘଣ୍ଟଶିଳା ପାହାଡ଼ରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ହୋଇ ଆସୁଛି। ସେହିପରି ବାଣପୁର ଓ ବାଲୁଗାଁ ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳର ଶବ ବ୍ୟବଚ୍ଛେଦ ମଧ୍ୟ ଏହିଠାରେ ହୋଇଥାଏ। ଏପରିକି ବେଳେ ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ  ମଧ୍ୟ ବାଣପୁରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏତେ ବଡ଼ ଅଞ୍ଚଳରେ କିପରି ଏହି ଗୁରୁତ୍ୱ ବ୍ୟବସ୍ଥାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି।

ତେବେ ଏଠାରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ କରି ଏହାକୁ ସାମୟିକ ଭାବେ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏହି ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଯୋଗୁଁ ଶବ ବ୍ୟବଚ୍ଛେଦ କରିବା ସମ୍ଭବପର ନୁହେଁ ବୋଲି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି। ନୂତନ ଡାକ୍ତର ନିଯୁକ୍ତି ପାଇଁ ସେ ସରକାରଙ୍କୁ ପତ୍ର ଲେଖିଛନ୍ତି, ନୂତନ ଡାକ୍ତର ଆସିଲାପରେ ପୁଣି ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି କହିଛନ୍ତି।

ଚିଲିକା ନିର୍ବାଚନ ମଣ୍ଡଳୀରେ ଉଠିଥିବା ଏହି ସମସ୍ୟାକୁ ଦେଖି ନ ଦେଖିଲା ପରି ରହୁଛନ୍ତି ବିରୋଧୀ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହରରେ ସ୍ବାସ୍ଥ୍ୟ ବିଭାଗଟି ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଥିବାବେଳେ ଏହା ଉପରେ ଫାଇଭ୍‌ ଟି ବିଭାଗର କେବେ ଦୃଷ୍ଟି ପଡିବ ସେନେଇ ଜନସାଧାରଣ ପ୍ରଶ୍ନକରିଛନ୍ତି।