Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଫାଇଭ୍‌ ଟିଙ୍କ ନଜର ଆଢୁଆଳରେ ଚିଲିକା ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ 

ଚିଲିକା: ଓଡ଼ିଶା ମାନଚିତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଛି। ସାଂସ୍କୃତିକ, ରାଜନୈତିକ, ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବ ବହନ କରୁଥିବା ଚିଲିକାର ପରିଚୟ ମଧ୍ୟ ଅନନ୍ୟ। ଏହି ନିର୍ବାଚନ ମଣ୍ଡଳୀର ବାଣପୁର ସହର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ହେବା ସହିତ ଐତିହ୍ୟପୂର୍ଣ୍ଣ ସହର ଭାବେ ପରିଚିତି ବହନ କରିଛି।

ଫାଇବ ଟି ଏବଂ ସ୍ଥାନୀୟ ବିଧାୟକ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସହର ବାଣପୁର ସହରର ବିକାଶର ଚିତ୍ର ଆଜି ପଦାରେ ପଡିଛି। ଡାକ୍ତରଙ୍କ ଘୋର ଅଭାବ ସାଙ୍ଗକୁ ଏହି ଅଞ୍ଚଳରେ ଥିବା ଏକମାତ୍ର ଶବ ବ୍ୟବଚ୍ଛେଦ ଗୃହକୁ ସ୍ଥାନାନ୍ତର କରାଯିବା  ଅତ୍ୟନ୍ତ ଲଜ୍ୟାଜନକ।

ଖୋର୍ଦ୍ଧା ଜିଲ୍ଳାରେ ଥିବା ଦୁଇଟି ଶବ ବ୍ୟବଚ୍ଛେଦ କେନ୍ଦ୍ର ମଧ୍ୟରୁ ବାଣପୁରରେ ଗୋଟିଏ ଅବସ୍ଥାପିତ ଥିଲା। ମାତ୍ର  ଦୀର୍ଘ ଏକମାସ ହେବ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଘୋର ଅଭାବ ଯୋଗୁଁ  ଏହି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ କରାଯାଉଥିବା ନେଇ ସୂଚନା ରହିଛି। ତିନି ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ନିର୍ବାଚନ ମଣ୍ଡଳୀରେ ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଗୋଟିଏ ପଟେ ଡାକ୍ତର ଅଭାବ ରହିଥିବାବେଳେ ଅନ୍ୟ ପଟେ ଆମ୍ବୁଲାନ୍ସର ମଧ୍ୟ ଅଭାବ ରହିଛି।

ବାଣପୁରସ୍ଥିତ ଘଣ୍ଟଶିଳା ପାହାଡ଼ରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ହୋଇ ଆସୁଛି। ସେହିପରି ବାଣପୁର ଓ ବାଲୁଗାଁ ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳର ଶବ ବ୍ୟବଚ୍ଛେଦ ମଧ୍ୟ ଏହିଠାରେ ହୋଇଥାଏ। ଏପରିକି ବେଳେ ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ  ମଧ୍ୟ ବାଣପୁରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏତେ ବଡ଼ ଅଞ୍ଚଳରେ କିପରି ଏହି ଗୁରୁତ୍ୱ ବ୍ୟବସ୍ଥାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି।

ତେବେ ଏଠାରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ କରି ଏହାକୁ ସାମୟିକ ଭାବେ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏହି ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଯୋଗୁଁ ଶବ ବ୍ୟବଚ୍ଛେଦ କରିବା ସମ୍ଭବପର ନୁହେଁ ବୋଲି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି। ନୂତନ ଡାକ୍ତର ନିଯୁକ୍ତି ପାଇଁ ସେ ସରକାରଙ୍କୁ ପତ୍ର ଲେଖିଛନ୍ତି, ନୂତନ ଡାକ୍ତର ଆସିଲାପରେ ପୁଣି ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି କହିଛନ୍ତି।

ଚିଲିକା ନିର୍ବାଚନ ମଣ୍ଡଳୀରେ ଉଠିଥିବା ଏହି ସମସ୍ୟାକୁ ଦେଖି ନ ଦେଖିଲା ପରି ରହୁଛନ୍ତି ବିରୋଧୀ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହରରେ ସ୍ବାସ୍ଥ୍ୟ ବିଭାଗଟି ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଥିବାବେଳେ ଏହା ଉପରେ ଫାଇଭ୍‌ ଟି ବିଭାଗର କେବେ ଦୃଷ୍ଟି ପଡିବ ସେନେଇ ଜନସାଧାରଣ ପ୍ରଶ୍ନକରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ବିଦ୍ୟୁତ୍‌ କୁମାର କାଣ୍ଡି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଜେପି ଜିଲ୍ଲା ସମ୍ପାଦକ ଭାବେ ବିଦ୍ୟୁତ୍‌ କୁମାର କାଣ୍ଡିକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିବାର ସୂଚନା ରହିଛି।

ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକର ସାନହନ୍ତୁଆଡ ଗ୍ରାମର ବିଦ୍ୟୁତ୍‌ କୁମାର କାଣ୍ଡି  ଆରଏସ୍‌ଏସ୍‌ ସହିତ ଜଡିତ ରହିଛନ୍ତି। ଛାତ୍ର ଜୀବନରୁ ଏବିଭିପି ସହିତ ଜଡିତ ଥିବା ବିଦ୍ୟୁତ୍‌ ବିଏସସି‌ ପାସ୍‌ କରି ଏକ ଔଷଧ କମ୍ପାନୀରେ ମ୍ୟାନେଜର୍‌ ରୂପେ କାର୍ଯ୍ୟରତ ଥିଲେ। ତାଙ୍କ ଉପରେ ଦଳ ଭରସା କରି ତାଙ୍କୁ ଜିଲ୍ଲାର ସମ୍ପାଦକ ଦାୟିତ୍ବ ଦେଇଛି।

ଆଶାନୁରୂପେ ସେ ତାଙ୍କ କାର୍ଯ୍ୟ ତୁଲାଇବା ସହିତ ଖୋର୍ଦ୍ଧା ଜିଲ୍ଲାରେ ଦଳର ସ୍ଥିତିକୁ ମଜବୁତ୍‌ କରିବା ପାଇଁ ପ୍ରତିବଦ୍ଧ ରହିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀର ଯୁବ ନେତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ବିଜେପି ଜିଲ୍ଲା ସମ୍ପାଦକ ଦାୟିତ୍ବ ମିଳିଥିବାରୁ ଏହି ନିର୍ବାଚନମଣ୍ଡଳୀରେ ଉତ୍ସାହ ଖେଳି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଦାବି

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଏବେ ଗଞ୍ଜାମକୁ ପଛରେ ପକାଇଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚିଲିକା ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ପଡୋଶୀ ଅଞ୍ଚଳ କରୋନା ସଂକ୍ରମଣ ବଢିବାର ଏହା ମଧ୍ୟ ପ୍ରମୁଖ କାରଣ ।  ହେଲେ ବର୍ତ୍ତମାନ ଗଞ୍ଜାମ ସ୍ଥିତି ସ୍ୱାଭାବିକ ହେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ସ୍ଥିତି ଜଟିଳ ହେଉଛି । ଚିଲିକା ନିର୍ବାଚନମଣ୍ଡଳୀ ର ବାଣପୁର-ବାଲୁଗାଁ ଅଞ୍ଚଳ ରେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି ।

ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବାଣପୁର-ବାଲୁଗାଁ ଅଞ୍ଚଳ ଏକ ନମ୍ବର ହଟସ୍ପଟ ହୋଇଥିବାସ୍ଥଳେ ଏଠାରେ ଏକ ଅସ୍ଥାୟୀ କୋଭିଡ ହସ୍ପିଟାଲ ପାଇଁ ଦାବି ହେଉଛି । ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ବାଣପୁର ବ୍ଲକ ଏବଂ ଏନ.ଏ.ସି ଥିବାସ୍ଥଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ଅଛି । ହେଲେ ବିଡମ୍ବନାର ବିଷୟ ଏହାକି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ଅଞ୍ଚଳରେ ବଢୁଛି ଏବଂ ଦିନକୁ ଆଭରେଜ ସଂଖ୍ୟା ପାଖାପାଖି ୫୦ ରୁ ୬୦ ରହୁଛି । ଅପରପକ୍ଷରେ ପ୍ରତିଦିନ ଏତେ ସଂଖ୍ୟକ ରୋଗୀଙ୍କୁ  ଭୁବନେଶ୍ୱର କୋଭିଡ ହସ୍ପିଟାଲ କିମ୍ବା କୋଭିଡ କେୟାର ହୋମ ନେବାରେ ବହୁ ସମସ୍ୟା ହେଉଛି ।

ଗତ କିଛିଦିନ ତଳେ ବାଣପୁରରେ  ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲ ନେବାକୁ ତିନି  ଦିନ ଲାଗିଯାଇଥିଲା ଯାହା ସେ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୀମିତ ଗାଡ଼ି ପ୍ରଦାନ କରାଯାଇଥିବାରୁ ଏହିପରି ଅସୁବିଧା ବାରମ୍ବାର ଉପୁଜୁଛି । ଦ୍ଵିତୀୟରେ ଚିଲିକାରୁ ଭୁବନେଶ୍ୱର ପାଖାପାଖି ୧୦୦ କିଲୋମିଟର । ତେଣୁ ଥରଟେ ରୋଗୀଙ୍କୁ ନେଇଯିବା ଏବଂ ଆସିବା ପାଇଁ ପାଖାପାଖି ୫ ରୁ ୬ ଘଣ୍ଟା ଲାଗୁଛି । ଏହିପରି ପରିସ୍ଥିତିରେ ଯଦି ଚିଲିକା ନିର୍ବାଚନମଣ୍ଡଳୀରେ ଏକ ୧୦୦ ବେଡ଼ ବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ ଖୋଲାଯାଏ ତାହା ହେଲେ ରୋଗୀ ମାନେ ବହୁତ ଉପକୃତ ହେବା ସହ ପ୍ରଶାସନ ପାଇଁ ସମୟ ସାପେକ୍ଷ ମଧ୍ୟ ହେବ। ତେଣୁ ଏହାକୁ ଗୁରୁତର ସହ ନେଇ ସମଗ୍ର ନିର୍ବାଚନମଣ୍ଡଳୀ  ଜନସାଧାରଣ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚିଲିକା ନିର୍ବାଚନମଣ୍ଡଳୀରେ ଯଥାଶୀଘ୍ର ଏକ ଅସ୍ଥାୟୀ କୋଭିଡ ହସ୍ପିଟାଲ ଖୋଲିବା ଦିଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ  ମାନ୍ୟବର ବିଧାୟକ ଚିଲିକା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଖୋର୍ଦ୍ଧା ଜିଲ୍ଲା,  ଶ୍ରୀ ପ୍ରଶାନ୍ତ କୁମାର ଜଗଦେବଙ୍କୁ ନିର୍ବାଚମଣ୍ଡଳୀର କିଛି ସରପଞ୍ଚ ଏବଂ ଜନସାଧାରଣମାନେ ଅନୁରୋଧ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଶ୍ବରଞ୍ଜନ ପତିଙ୍କ ସୂଚନା ଅନୁସାରେ ଗତକାଲି ସୁଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ସ୍ଥିତି ଏହିପରି ରହିଛି ।

ବାଣପୁର ସିଏଚ୍‌ସି ଅଧୀନରେ ଥିବା ବାଣପୁର ବ୍ଲକ ଓ ଏନଏସି ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୧ ଥିବାବେଳେ ସକ୍ରିୟ ମାମଲା ୧୬୦ ରହିଛି  ।ସେହିପରି ଭାବେ ସୁସ୍ଥ ୨୨୮ ଜଣ ହୋଇଥିବାସ୍ଥଳେ ୩ ଜଣଙ୍କର ମୃତୁ ଘଟିଛି ।

ଅନୁରୂପ ଭାବେ ବାଲୁଗାଁ ସିଏଚ୍‌ସି ଅଧୀନରେ ଥିବା ଚିଲିକା ବ୍ଲକ ଓ ବାଲୁଗାଁ ଏନଏସି ରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୩୫୫ ରହିଥିବାବେଳେ ସକ୍ରିୟ ମାମଲା ୧୦୯ ରହିଛି । ସେହିପରି ଭାବେ ୨୪୦ ଜଣ ସୁସ୍ଥ ହୋଇଥିବାସ୍ଥଳେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ସମୁଦାୟ ଦେଖିବାକୁ ଗଲେ ଚିଲିକା ନିର୍ବାଚନ ମଣ୍ଡଳୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୭୪୬ ଥିବାବେଳେ ସକ୍ରିୟ ମାମଲା ୨୬୯ ଟି ଅଛି ।ସେହିପରି ଭାବେ ୪୬୮ ଜଣ ଗତକାଲି ସୁଦ୍ଧା ସୁସ୍ଥ ହୋଇଥିବାସ୍ଥଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ସଟଡାଉନ: ପ୍ରଥମ ଦିନରେ କଣ ରହିଛି ସ୍ଥିତି ଏବଂ ପ୍ରଶାସନିକ ପଦକ୍ଷେପ

ସୀତାରାମ ଅଗ୍ରୱାଲ 

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏହି ମହାମାରୀକୁ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଆଜି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମଗ୍ର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ। ତେବେ ଆଜି ସଟଡାଉନ ପ୍ରଥମ ଦିନରେ ସମଗ୍ର ଅଞ୍ଚଳରେ ସ୍ଥିତି କଣ ରହିଛି ଏବଂ ପ୍ରଶାସନ ପକ୍ଷରୁ କଣ ସବୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି, ତାହା ଉପରେ ଆସନ୍ତୁ ଜାଣିବା-

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି

ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଲୁଗାଁ ଏନ.ଏ.ସି ଏବଂ ଚିଲିକା ବ୍ଲକରୁ ସମୁଦାୟ ୨୫୩ ଟି ସ୍ୱାବ ସଂଗ୍ରହ କରାଯାଇଛି ଯେଉଁଥିରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟର ୧୪୩ଟି ସାମ୍ପୁଲ ଥିବାବେଳେ ଆର.ଟି.ପି.ସି.ଆର ରେ ୧୧୦ ଟି ସାମ୍ପୁଲ ରହିଥିବା ସୂଚନା ମିଳିଛି। ଦିନ ତମାମ ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକର ବିଭିନ୍ନ ଗ୍ରାମ ଏବଂ ବାଲୁଗାଁ ଏନ.ଏ.ସି ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଆଇନ ଓ ଶୃଙ୍ଖଳା ପରିସ୍ଥିତିର ଯାଞ୍ଚ କରିଥିଲେ ଏବଂ କୋଭିଡ ନିୟମ ଉଲଂଘନ କାରୀଙ୍କ ଠାରୁ ୫୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ। ଅନୁରୂପ ଭାବେ ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ପ୍ରତି ପଞ୍ଚାୟତ ରେ ମାଇକ ଯୋଗେ ସଚେତନ କରାଇଛନ୍ତି। ଦୁଇ ଗୋଟି ମେଡିକାଲ ଟିମ ଦ୍ୱାରା ବିଭିନ୍ନ ପଂଚାୟତରେ ଟେଷ୍ଟିଙ୍ଗ ହେଉଛି ଯେଉଁ ଗ୍ରାମରୁ ପଜି ଟିଭ ଚି଼ହ୍ନଟ ହେଉଛନ୍ତି ସେ ଅଞ୍ଚଳକୁ ବିଶୋଧନ କରାଯାଉଛି। ଏହା ଛଡା ଜରୁରୀକାଳୀନ ଜିନିଷ ପାଇଁ ପ୍ରତି ପଂଚାୟତର ଜି.ଆର.ଏସ ଏବଂ ପି.ଇ.ଓ ଙ୍କୁ ପଂଚାୟତବାସି ମାନେ ଯୋଗାଯୋଗ କରିପାରିବେ ବୋଲି ଶ୍ରୀମତୀ ବାରିକ ସୂଚନା ଦେଇଛନ୍ତି।

ସେହିପରି ବାଲୁଗାଁ ଏନ.ଏ.ସି ର ପ୍ରତି ୱାର୍ଡ ରେ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି ଯେଉଁଥିରେ ଛଅ ଜଣ ଲେଖାଏଁ ଅଧିକାରୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା। ପ୍ରତି ୧୧ ଗୋଟି ୱାର୍ଡ ରେ ୧୧ ଟି ସର୍ଭେଲାନ୍ସ ଟିମ ଗଠନ କରାଯାଇଅଛି ଯେଉଁଥିରେ ୱାର୍ଡ ଅଫିସର, ଆଶା ଦିଦି, ଅଙ୍ଗନବାଡି କର୍ମୀ, ଏସ.ଏଚ.ଜି ଗ୍ରୁପ ଏବଂ ସ୍ଵଚ୍ଛସାଥି ମାନେ ଅଛନ୍ତି। ଏମାନେ ପ୍ରତି ୱାର୍ଡ ବୁଲି ସର୍ଭେ କରୁଛନ୍ତି ଏବଂ ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ଯାତ୍ରୀନିବାସ ଠାରେ ଥିବା କୋଭିଡ କେୟାର ହୋମ କୁ ସ୍ଥାନାନ୍ତର କରାଯାଉଛି। ବିଶୋଧନ ପାଇଁ ବିଶୋଧନ ଟିମ ଗଠନ କରାଯାଇଅଛି। ଆଜି ୩ ନମ୍ବର ଏବଂ ୪ ନମ୍ବର ୱାର୍ଡ ସାନିଟାଇଜ କରାଯାଇଥିବା ସ୍ଥଳେ ଅନ୍ୟ ୱାର୍ଡ ସବୁ ଆସନ୍ତା ଦୁଇ ଦିନ ମଧ୍ୟରେ କରାଯିବ। ଜରୁରୀକାଳୀନ ଜିନିଷ ପାଇଁ ଜନସାଧାରଣମାନେ ପ୍ରତି ୱାର୍ଡ ଅଫିସରଙ୍କୁ ଯୋଗାଯୋଗ କରିପାରିବେ। ତାହାଛଡା କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଦୁଇ ଜଣ ଅଧିକାରୀଙ୍କୁ ରଖାଯାଇଛି ଏବଂ କୌଣସି ଅସୁବିଧା ହେଲେ ଜନସାଧାରଣ ସେମାନଙ୍କୁ ଯୋଗାଯୋଗ କରିପାରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଦୁଇ ଅଧିକାରୀ ହେଲେ କୃଷ୍ଣ ମୋହନ ବଳବନ୍ତରାୟ(୯୩୩୮୪୧୧୫୬୫) ଏବଂ ବିଘ୍ନେଶ୍ୱର ପଣ୍ଡା(୯୯୩୭୪୯୫୪୮୯)। ଆଜି ଅମାନିଆଙ୍କଠୁ କାର୍ଯ୍ୟନିର୍ବାହୀ ଅଧିକାରୀ ୧୦୦୦ ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ଦେଇଛନ୍ତି।

ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି

ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଣପୁର ଏନ.ଏ.ସି ଏବଂ ବାଣପୁର ବ୍ଲକରୁ ସମୁଦାୟ ୨୦୧ ଟି ସ୍ୱାବ ସଂଗ୍ରହ କରାଯାଇଛି ଯେଉଁଥିରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟ ର ୧୫୬ ଟି ସାମ୍ପୁଲ ଥିବାବେଳେ ଆର.ଟି.ପି.ସି.ଆର ରେ ୪୫ ଟି ନମୁନା ସଂଗ୍ରହ ହୋଇଥିବା ସୂଚନା ମିଳିଛି। ଆଜି ଦିନତମାମ ବାଣପୁର ତହସିଲଦାର ମନ୍ମଥ ବେହେରା ବାଣପୁର ବ୍ଲକ ଏବଂ ଏନ.ଏ.ସି ର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରି ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ କରିଥିଲେ। କେତେକ ଅମାନିଆଙ୍କ ଠାରୁ ୪୦୦୦ ଟଙ୍କା ଜରିମାନା ଆଦାୟ କରିଥିବାର ସୂଚନା ଦେଇଛନ୍ତି ଶ୍ରୀ ବେହେରା। ଅନୁରୂପ ଭାବେ ବାଣପୁର ବି.ଡ଼ି.ଓ ଶୁଭଶ୍ରୀ ତ୍ରିପାଠୀ ଙ୍କୁ ଯୋଗାଯୋଗ କରାଯାଇଥିବାସ୍ଥଳେ ବି.ଡ଼ି.ଓ ଦାମିଆ ବରବରା ମାଳ ଅଧୀନରେ ଥିବା ମହୁଲିଆ ଅଞ୍ଚଳରେ ଥିବା ସୂଚନା ଦେଇଥିଲେ ଯାହାଦ୍ୱାରା ଆଜିର ତଥ୍ୟ ମିଳିପାରିନାହିଁ।

ସେହିପରି ଭାବେ ବାଣପୁର ଏନ.ଏ.ସି ରେ ଏନଫୋର୍ସମେଣ୍ଟ କୁ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ। ସକାଳୁ ଏନ.ଏ.ସି ର ବିଭିନ୍ନ ୱାର୍ଡ ବୁଲି ସଟଡ଼ାଉନକୁ ତଦାରଖ କରିଥଲେ କାର୍ଯ୍ୟନିର୍ବାହୀ ଅଧିକାରୀ। ଏନଫୋର୍ସମେଣ୍ଟ ଟିମ ସହ ପନ୍ଦରଗୋଟି ୱାର୍ଡ ପାଇଁ ପନ୍ଦରଟି ସର୍ଭେଲାନ୍ସ ଟିମ ଗଠନ ହୋଇଛି ଯେଉଁଥିରେ ୱାର୍ଡ ଅଫିସର, ଆଶା ଦିଦି, ଅଙ୍ଗନବାଡି କର୍ମୀ,ଏସ.ଏଚ.ଜି ଗ୍ରୁପ ଏବଂ ସ୍ଵେଛାସାଥି ମାନେ ଅଛନ୍ତି।  ଏମାନେ ପ୍ରତି ୱାର୍ଡ ବୁଲି ସର୍ଭେ କରୁଛନ୍ତି ଏବଂ ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ କୃତିବାସ ଭବନ ଠାରେ ଥିବା କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରାଯାଉଛି। ବିଶୋଧନ ପାଇଁ ଦୁଇ ଗୋଟି ବିଶୋଧନ ଟିମ ଗଠନ କରାଯାଇଅଛି ଏବଂ କାଲିଠାରୁ ଏନ.ଏ.ସି ରେ ବିଶୋଧନ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ନିଆଲ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୁଇ ଗୋଟି ଟିମ ଗଠନ କରାଯାଇଅଛି ଯାହାର ଦାୟିତ୍ୱ ରେ ଦୁଇଜଣ ଅଧିକାରୀ ଅଛନ୍ତି। ୱାର୍ଡ ନମ୍ବର ୧ରୁ ୧୦ ଯାଏଁ ଦାୟିତ୍ୱରେ ଅଛନ୍ତି ଅଶୋକ ପାଟ୍ଟଶାଣୀ ଏବଂ ୱାର୍ଡ ନମ୍ବର ୧୧ ରୁ ୧୫ ଯାଏଁ ଦାୟିତ୍ୱରେ ଅଛନ୍ତି ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଅନୁରୂପ ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ସହରର ବିଭିନ୍ନ ବ୍ୟବସାୟ ସଂଘର ସମ୍ପାଦକମାନଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଯେଉଁଥିରେ ସମସ୍ତ ବ୍ୟବସାୟୀ ମାନେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ଭାବେ ଗୋଦାବରୀଶ ବିଦ୍ୟାପୀଠ ରେ ଯାଇକି କରାଇବେ ଏବଂ ଯିଏ ଟେଷ୍ଟ କରିବାରେ ସହଯୋଗ କରିବେ ନାହିଁ ସେମାନେ ସଟଡ଼ାଉନ ପରେ ଦୋକାନ ଖୋଲିବା ନେଇ ବାରଣ କରିଛନ୍ତି।  କୌଣସ ଅସୁବିଧା ହେଲେ ଜନସାଧାରଣ ମାନେ ଏନ.ଏ.ସି କଣ୍ଟ୍ରୋଲ ରୁମ ନମ୍ବର ୦୬୭୫୬-୨୫୩୦୯୧ ରେ ଯୋଗାଯୋଗ କରିପାରିବେ।

ସେହିପରି ଭାବେ ବାଣପୁର ଥାନା ଇନ ଚାର୍ଜ ବିଜୟ ମଲିକ ଦୁଇ ପ୍ଲାଟୁନ ପୋଲିସ ସହ ବାଣପୁର ଅଞ୍ଚଳରେ କଡ଼ା ବନ୍ଦୋବସ୍ତ କରିଥିବାବେଳେ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ ତିନି ପ୍ଲାଟୁନ ପୋଲିସ ଫୋର୍ସ ବାଲୁଗାଁ ଏବଂ ଚିଲିକା ରେ ମୁତୟନ କରିଥିବା ସୂଚନା ଦେଇଛନ୍ତି। ସେହିପରି ଭାବେ ଆଜି ପ୍ରଥମ ଦିନ ସଟ ଡ଼ାଉନ ରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀ ରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ତୀକ୍ଷ୍ଣ ନଜର ରଖିଥିବା ସହ କୌଣସି କୋଭିଡ ଉଲଂଘନ କେସ ପଂଜିକୃତ ହୋଇନଥିବା ସୂଚନା ଦେଇଛନ୍ତି ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ କରୋନା ରିପୋର୍ଟ କେତେ ସତ କେତେ ମିଛ: ଚିଲିକା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଆଣିଲେ ସଙ୍ଗୀନ ଅଭିଯୋଗ

ସୀତାରାମ ଅଗ୍ରଓ୍ବାଲ

ଚିଲିକା: କରୋନା ମହାମାରୀକୁ ନେଇ ରାଜ୍ୟର ସ୍ଥିତି ସଂକଟ ଥିବାବେଳେ ଏହି ମହାମାରୀ ସମୟରେ ରାଜ୍ୟସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ଗତ ଦୁଇଦିନ ତଳେ ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରୁ ସରକାରୀ କରୋନା ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଶୁଣିବାକୁ ମିଳିଥିଲା। ସରକାରୀ ଟେଷ୍ଟ ରିପୋର୍ଟରେ ପଜିଟିଭ୍‌ ଆସିଥିବାବେଳେ ଘରୋଇ ମେଡ଼ିକାଲରେ ନେଗେଟିଭ୍‌ ଆସିଥିଲା। ତେବେ ସରକାରୀ ଟେଷ୍ଟିଂ ରିପୋର୍ଟରେ ଥିବା ଏହି ଗଡବଡ ପାଇଁ ସାଧାରଣ ମଣିଷ ନାହିଁ ନଥିବାର ହଇରାଣ ହେଉଛି। ଏପରି ଏକ ଘଟଣା ଚିଲିକା ନିର୍ବାଚନ ମଣ୍ଡଳୀରୁ ସାମ୍ନାକୁ ଆସିଛି। ଏହି ନିର୍ବାଚନ ମଣ୍ଡଳୀରେ କରୋନା ମହାମାରୀକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ଜନସାଧାରଣ ପ୍ରଶ୍ନ କରିଛନ୍ତି।

କରୋନା ମହାମାରୀକୁ ନେଇ କିଛି ସୁବିଧାବାଦୀ ତଥା ଅସାମାଜିକ ନେତାମାନେ ନିଜର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। କରୋନା ମହାମାରୀର ରାଜନୀତି ତଥା ବ୍ୟବସାୟୀ କରଣ କରି ଫାଇଦା ଉଠାଉଛନ୍ତି ଏବଂ ଏଥିପାଇଁ ସାଧାରଣ ଜନତା ପେଶି ହେଇଯାଉଛନ୍ତି। ଠିକ୍‌ ଏପରି କିଛି ଅଭିଯୋଗ କରିଛନ୍ତି ଚିଲିକା ନିର୍ବାଚନ ମଣ୍ଡଳୀର ୬ ନମ୍ବର ଜୋନ୍‌ ର ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ମହାନ୍ତି ଏବଂ ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ସେଠି। ସରକାରୀ ଦଳର କିଛି ଅସାମାଜିକ ନେତା, କୁଜିନେତାମାନେ ନିଜ ଦଳର ପାଦ୍ରୁଭାର୍ବ ଦେଖାଇ ତଥା ନିଜର ଫାଇଦା ପାଇଁ କରୋନା ନେଗେଟିଭ୍‌ ରିପୋର୍ଟକୁ ପଜିଟିଭ୍‌ କରିଥିବାର ଅଭିଯୋଗ ହୋଇଛି। ପଜିଟିଭ୍‌ କହି କ୍ବାରେଣ୍ଟାଇନ୍‌ ରଖି ଦୁଇ ଦିନ ପରେ ନେଗେଟିଭ୍‌ କହି ଡିସଚାର୍ଜ କରିଦେଇଥିବା ଅଭିଯୋଗ ହୋଇଛି।

ଏପରିକି କରୋନା ଟେଷ୍ଟରେ ସ୍ବାବ୍‌ ନମୁନାକୁ ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ ୧୧ ତାରିଖ ଦିନ ତାଙ୍କ ଗଳାରୁ ସ୍ବାବ୍‌ ଟେଷ୍ଟ କରାଯାଇଥିବାବେଳେ ରିପୋର୍ଟରେ ତାଙ୍କୁ ୧୫ ତାରିଖ ଦିନ ନାକରୁ ସ୍ବାବ୍‌ ଟେଷ୍ଟ କରାଯାଇଥିଲା ବୋଲି ଉଲ୍ଲେଖ ରହିଛି। ଯଦି ସରକାରୀ କରୋନା ଟେଷ୍ଟ ରିପୋର୍ଟରେ ଅନିୟମିତତା ହେଉଛି, ତେବେ ସେମାନେ କାହାକୁ ଗ୍ରହଣ କରିବେ। ଗୋଟିଏ ପକ୍ଷରେ ସରକାର କରୋନା ପ୍ରତିରୋଧ ପାଇଁ ବଦ୍ଧ ପରିକର ଥିବାର ପ୍ରତିଶ୍ରୁତି ଦେଉଥିବାବେଳେ ଟେଷ୍ଟିଂରେ ଏଭଳି ଦାୟିତ୍ବହୀନତାକୁ ସହଜରେ ଗ୍ରହଣ କରି ହେଉନାହିଁ। ଅପରପକ୍ଷରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିଥିବା ସମୟରେ କେବଳ ପାରାସିଟାମଲ୍‌ ଟାବେଲ୍‌ଟ ଓ ଗ୍ୟାସ୍‌ ଟାବେଲଟ୍‌ ଦେଇଥିଲେ ବୋଲି ସେମାନେ କହିଛନ୍ତି। ଏପରିକି ସେମାନଙ୍କ ପାଖରେ କୌଣସି ଡାକ୍ତର କିମ୍ବା ନର୍ସ ମଧ୍ୟ ରହିନଥିଲେ।  ତେବେ ନେଗେଟିଭ୍‌ ଲୋକଙ୍କୁ ପଜିଟିଭ୍‌ କହିକି ନେବା ପରେ ସେମାନଙ୍କ ପରିବାର ଉପରେ ଏକପ୍ରକାର ଚାପ ସୃଷ୍ଟି ହୋଇଛି। କରୋନା ପଜିଟିଭ୍‌ ଭାବି ପାଖ ପଡୋଶୀ ଏପରିକି ଦୋକାନୀମାନେ ମଧ୍ୟ ଜିନିଷ ଦେଉନଥିଲେ। ଜଣେ ସାଧାରଣ ଲୋକଙ୍କୁ ପଜିଟିଭ୍‌ କହିବା ପରେ ସମ୍ପୃକ୍ତ ଲୋକ ସହିତ ତା’ ପରିବାର ମଧ୍ୟ ଅନେକ ପ୍ରକାରର ମାନସିକତା ନିର୍ଯାତନାର ଶିକାର ହେଉଛି। ସେହିପରି ସାଧାରଣ ମୂଲିଆ ଶ୍ରେଣୀର ଲୋକ ମଜୁରୀ ଲାଗି ପେଟ ପୋଷିଥାଏ, ଏହିପ୍ରକାର ନେଗେଟିଭ୍‌ ପଜିଟିଭ୍‌ ଧନ୍ଦାରେ ପେଶି ହେଇ ସେ ତା’ର ଜୀବିକା ହରାଉଛି। ସ୍ବାସ୍ଥ୍ୟଗତ କ୍ଷେତ୍ରରେ ସରକାରଙ୍କର ଏଭଳି ହୀନ କାର୍ଯ୍ୟ ମଣିଷକୁ ଜୀଅନ୍ତା କଲବଲ କରିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

କରୋନା ଆକ୍ରାନ୍ତ ହେବା ପରେ ରୋଗୀ ସହ ରୋଗୀର ପରିବାରକୁ ଏକ ପ୍ରକାର ଘୃଣା କରିବା ଆମ  ସମୟର ସବୁଠୁ ବଡ ବିଡମ୍ବନା। ତେଣୁ ସରକାରୀ ସ୍ତରରେ ଏପରି ହୀନକାର୍ଯ୍ୟ କରାନଯାଉ କିମ୍ବା ସାଧାରଣ ଲୋକଙ୍କ ଉପରେ ଦାଉ ସାଧିବା ବନ୍ଦ କରାଯାଉ ବୋଲି ନିବେଦନ କରିଛନ୍ତି ସମ୍ପୃକ୍ତ ଜିଲ୍ଲାପରିଷଦ ଦିଲ୍ଲୀପ ମହାନ୍ତି ଓ ସରପଞ୍ଚ ଲକ୍ଷ୍ମୀ ସେଠି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ପାଇଁ କିପରି ସତର୍କ ରହିଛି ଚିଲିକା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ, କ’ଣ ରହିଛି ପ୍ରଶାସନିକ ପଦକ୍ଷେପ

ସୀତାରାମ ଅଗ୍ରଓ୍ବାଲ 

ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଏଥରୁ ବାଦ୍‌ ପଡିନାହିଁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନ୍‌ଏସି ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସତର୍କ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତୁ ଜାଣିବା ବାଣପୁର ବ୍ଲକ ଓ ଏନ୍‌ସି ତରଫରୁ ଏନେଇ କ’ଣ କ’ଣ ସତର୍କତା କରାଯାଉଛି। କରୋନା ପାଇଁ କିପରି ସତର୍କ ରହିଛନ୍ତି ବାଣପୁର ବ୍ଲକ ଓ ଏନ୍‌ଏସି। ଆମ ସମୀକ୍ଷା ରିପୋର୍ଟର ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ଏନ୍‌ଏସି କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ ନିଆଲ୍‌, ବାଣପୁର ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର, ଚିଲିକା ବିଡିଓ ସୁଷମା ବାରିକ୍‌, ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଓ ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକଙ୍କ ସହ ଭେଟି କରୋନା ପାଇଁ ବ୍ଲକ ଓ ଏନ୍‌ଏସି ତରଫରୁ କରାଯାଉଥିବା ସତର୍କତା ସମ୍ପର୍କରେ ଆଲୋଚନା କରିଥିଲେ।

କରୋନା ସତର୍କ ପାଇଁ ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ କହିଛନ୍ତି ଯେ, ବ୍ଲକ ତରଫରୁ କରୋନା ସଚେତନତା ପାଇଁ କ୍ୟାମ୍ପେନ୍‌ ରଥ ସବୁ ପଞ୍ଚାୟତରେ ଗଡାଯାଇଛି। କରୋନା ସତର୍କ ନେଇ ବ୍ୟାନର୍‌ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ହାତକୁ ଭଲ ଭାବରେ ଧୋଇବା ତଥା ଥଣ୍ଡା ସଂକ୍ରମଣରୁ ଦୂରେଇ ରଖିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ବାଣପୁର ବ୍ଲକ ତରଫରୁ ଏକ ହେଲପ୍ ଲାଇନ ନମ୍ବରର ଜାରି କରାଯାଇଛି। ଜାରି ହୋଇଥିବା ହେଲପ୍ ଲାଇନ ନମ୍ବର ଟି ହେଉଛି ୦୬୭୫୬-୨୫୩୩୭୯ ଏବଂ ୧୦୪। ସେହିପରି ପ୍ରତି ପଞ୍ଚାୟତରେ ଦୁଇ ଦୁଇଟି ଆଇସୋଲେସନ୍‌ ସେଣ୍ଟର କରାଯାଇଛି ବୋଲି କହିଛନ୍ତି ବାଣପୁର ବ୍ଲକ ବିଡିଓ।

ସେହିପରି ବାଣପୁର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍‌ କହିଛନ୍ତି ଯେ, ମାଇକ୍‌ ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି। ଏନ୍‌ଏସିରେ ଦୁଇଟି ଆଇସୋଲେସନ୍‌ ସେଣ୍ଟର ଖୋଲାଯାଇଛି। ଗୋଦାବରୀଶ ବିଦ୍ୟାପୀଠ, ଏନଏସି କଲ୍ୟାଣ ମଣ୍ଡପକୁ ଆଇସୋଲେସନ୍‌ ସେଣ୍ଟର କରାଯାଇଛି। ଏତଦ୍‌ବ୍ୟତୀତ ଓ୍ବାର୍ଡ ମେମ୍ବର ଓ ସ୍ବଚ୍ଛ ସାଥୀମାନଙ୍କ ଦ୍ଵାରା ଘର ଘର ବୁଲି ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିବରଣୀ ସଂଗ୍ରହ କରାଯାଉଛି। ସେହିପରି ବାଣପୁର ପଞ୍ଚୁଦୋଳ ପାଇଁ ଆସିଥିବା ଉଠା ଦୋକାନୀଙ୍କୁ ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାର କହିଛନ୍ତି ବାଣପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ।

ବାଣପୁରକୁ ରାଜ୍ୟ ବାହାରରୁ ୧୦୦ରୁ ଅଧିକ ବ୍ୟକ୍ତି ଆସିଥିବାବେଳେ ବାଣପୁର ଏନ୍‌ଏସି ତରଫରୁ ବ୍ୟାପକ ସଚେତନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର। ଯଦିଓ ଅଞ୍ଚଳରେ କେହି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି, ତେବେ ସନ୍ଦିଗ୍ଧଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିଛି ବାଣପୁର ମେଡିକାଲ। କରୋନା ସନ୍ଦିଗ୍ଧ ବାଣପୁର ମେଡ଼ିକାଲ ଆସିଥିବାବେଳେ ତାଙ୍କ ଅବସ୍ଥା ସୁସ୍ଥ ରହିଛି ବୋଲି କହିଥିଲେ ବାଣପୁର ମେଡ଼ିକାଲ ଅଧିକାରୀ ଧୂର୍ଜଟି ମହାପାତ୍ର। ସେହିପରି ଅଞ୍ଚଳକୁ ଆସିଥିବା ରାଜ୍ୟ ବାହାରର ବ୍ୟକ୍ତି ତଥା ବିଦେଶରୁ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଚିଲିକା ବ୍ଲକର ବିଡିଓ ସୁଷମା ବାରିକ  କହିଛନ୍ତି ଯେ, ଚିଲିକା ବ୍ଲକ୍‌ ଅଧୀନରେ ରହିଥିବା ୧୭ଟି ପଞ୍ଚାୟତରେ ମାଇକ୍‌ ଦ୍ବାରା କରୋନା ସଚେତନତା କରାଯାଉଛି। ପ୍ରତି ପଞ୍ଚାୟତରେ ଆଇସୋଲେସନ୍‌ ସେଣ୍ଟରକୁ ଚିହ୍ନଟ କରାଯାଇଛି। ପଞ୍ଚାୟତ ସମିତି ବୈଠକ ଡାକି ସଦସ୍ୟମାନଙ୍କୁ ଏନେଇ ସତର୍କ କରାଯିବ ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। ଚିଲିକା ବ୍ଲକ୍‌ କରୋନାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଚିଲିକା ବିଡିଓ ସୁଷମା ବାରିକ। ନିଃଶୁଳ୍କ ହେଲପ୍ ଲାଇନ ନମ୍ବର ୧୦୪ରେ ରେଜିଷ୍ଟ୍ରେସନ କରିବା ପାଇଁ  ବିଡିଓ’ଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି।

ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ କହିଛନ୍ତି ଯେ, କରୋନା ପାଇଁ ବାଲୁଗାଁ ମେଡ଼ିକାଲ ତରଫରୁ ଅଲଗା ୱାର୍ଡର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଏନେଇ ବୈଠକ କରାଯାଉଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଓ୍ବାର୍ଡ ମେମ୍ବରଙ୍କଠୁ ସୂଚନା ପ୍ରାପ୍ତ କରାଯାଉଛି। ନିକଟରେ ଦୁଇଜଣ ବିଦେଶରୁ ଫେରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟକୁ ପରୀକ୍ଷା କରାଯାଇଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି ବୋଲି କହିଛନ୍ତି ବାଲୁଗାଁ ମେଡ଼ିକାଲ ଅଧିକାରୀ।

ସେହିପରି ବାଲୁଗାଁ ପୋଲିସ୍‌ ତରଫରୁ କରୋନା ପାଇଁ  ମଧ୍ୟ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଛି ବୋଲି କହିଛନ୍ତି ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକ।

ଚିଲିକା ନିର୍ବାଚନ ମଣ୍ଡଳୀ ସମସ୍ତ ପ୍ରଶାସନିକ ଅଧିକାରୀ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ସ୍ଥାନୀୟ ଲୋକଙ୍କୁ ସତର୍କ ଓ ସଚେତନ କରିବାରେ ଲାଗିପଡିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁଠାରେ ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

ସମୀକ୍ଷା ବ୍ୟୁରୋ

ବାଲୁଗାଁ, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ତରଫରୁ  ବାଲୁଗାଁ ବିଜ୍ଞାପିତ ପରିଷଦ (କଲ୍ୟାଣ ମଣ୍ଡପ) ପରିସରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ପୂର୍ବତନ ଦେବେନ୍ଦ୍ର ମାନସିଂହ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ନଗେନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ଭଗବାନ ପ୍ରଧାନ, ରମେଶ ମହାପାତ୍ର, ଚିଲିକା ବିଜ୍ଞାପିତ ଅଞ୍ଚଳ ବିଧାୟକ ପ୍ରତିନିଧି ଅଜୟ କୁମାର ଦାସ, ବାଣପୁର ବ୍ଲକ୍‌ ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବାଣପୁର ବ୍ଲକ୍‌ ଅଧ୍ୟକ୍ଷା ରଂଜିତା ସେଠୀ, ଉପାଧ୍ୟକ୍ଷ ଅଜୟ ରାଉଳ, ଯୁବ ନେତା ଜଗତବଲ୍ଲଭ ମହାରଥା ସମେତ ଦଳୀୟ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏହି ଅବସରରେ ନବୀନ ସରକାରଙ୍କ ସୁଶାସନ ତଥା ନେତୃତ୍ବକୁ ପ୍ରଶଂସା କରିବା ସହିତ ସରକାରଙ୍କ ବିଭିନ୍ନ ଲୋକହିତକର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ବିଜେଡ଼ିର ଶତାଧିକ କର୍ମୀ ଯୋଗଦେଇଥିଲେ।