Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଫାଇଭ୍‌ ଟିଙ୍କ ନଜର ଆଢୁଆଳରେ ଚିଲିକା ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ 

ଚିଲିକା: ଓଡ଼ିଶା ମାନଚିତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଛି। ସାଂସ୍କୃତିକ, ରାଜନୈତିକ, ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବ ବହନ କରୁଥିବା ଚିଲିକାର ପରିଚୟ ମଧ୍ୟ ଅନନ୍ୟ। ଏହି ନିର୍ବାଚନ ମଣ୍ଡଳୀର ବାଣପୁର ସହର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ହେବା ସହିତ ଐତିହ୍ୟପୂର୍ଣ୍ଣ ସହର ଭାବେ ପରିଚିତି ବହନ କରିଛି।

ଫାଇବ ଟି ଏବଂ ସ୍ଥାନୀୟ ବିଧାୟକ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସହର ବାଣପୁର ସହରର ବିକାଶର ଚିତ୍ର ଆଜି ପଦାରେ ପଡିଛି। ଡାକ୍ତରଙ୍କ ଘୋର ଅଭାବ ସାଙ୍ଗକୁ ଏହି ଅଞ୍ଚଳରେ ଥିବା ଏକମାତ୍ର ଶବ ବ୍ୟବଚ୍ଛେଦ ଗୃହକୁ ସ୍ଥାନାନ୍ତର କରାଯିବା  ଅତ୍ୟନ୍ତ ଲଜ୍ୟାଜନକ।

ଖୋର୍ଦ୍ଧା ଜିଲ୍ଳାରେ ଥିବା ଦୁଇଟି ଶବ ବ୍ୟବଚ୍ଛେଦ କେନ୍ଦ୍ର ମଧ୍ୟରୁ ବାଣପୁରରେ ଗୋଟିଏ ଅବସ୍ଥାପିତ ଥିଲା। ମାତ୍ର  ଦୀର୍ଘ ଏକମାସ ହେବ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଘୋର ଅଭାବ ଯୋଗୁଁ  ଏହି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ କରାଯାଉଥିବା ନେଇ ସୂଚନା ରହିଛି। ତିନି ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ନିର୍ବାଚନ ମଣ୍ଡଳୀରେ ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଗୋଟିଏ ପଟେ ଡାକ୍ତର ଅଭାବ ରହିଥିବାବେଳେ ଅନ୍ୟ ପଟେ ଆମ୍ବୁଲାନ୍ସର ମଧ୍ୟ ଅଭାବ ରହିଛି।

ବାଣପୁରସ୍ଥିତ ଘଣ୍ଟଶିଳା ପାହାଡ଼ରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ହୋଇ ଆସୁଛି। ସେହିପରି ବାଣପୁର ଓ ବାଲୁଗାଁ ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳର ଶବ ବ୍ୟବଚ୍ଛେଦ ମଧ୍ୟ ଏହିଠାରେ ହୋଇଥାଏ। ଏପରିକି ବେଳେ ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ  ମଧ୍ୟ ବାଣପୁରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏତେ ବଡ଼ ଅଞ୍ଚଳରେ କିପରି ଏହି ଗୁରୁତ୍ୱ ବ୍ୟବସ୍ଥାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି।

ତେବେ ଏଠାରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ କରି ଏହାକୁ ସାମୟିକ ଭାବେ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏହି ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଯୋଗୁଁ ଶବ ବ୍ୟବଚ୍ଛେଦ କରିବା ସମ୍ଭବପର ନୁହେଁ ବୋଲି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି। ନୂତନ ଡାକ୍ତର ନିଯୁକ୍ତି ପାଇଁ ସେ ସରକାରଙ୍କୁ ପତ୍ର ଲେଖିଛନ୍ତି, ନୂତନ ଡାକ୍ତର ଆସିଲାପରେ ପୁଣି ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି କହିଛନ୍ତି।

ଚିଲିକା ନିର୍ବାଚନ ମଣ୍ଡଳୀରେ ଉଠିଥିବା ଏହି ସମସ୍ୟାକୁ ଦେଖି ନ ଦେଖିଲା ପରି ରହୁଛନ୍ତି ବିରୋଧୀ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହରରେ ସ୍ବାସ୍ଥ୍ୟ ବିଭାଗଟି ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଥିବାବେଳେ ଏହା ଉପରେ ଫାଇଭ୍‌ ଟି ବିଭାଗର କେବେ ଦୃଷ୍ଟି ପଡିବ ସେନେଇ ଜନସାଧାରଣ ପ୍ରଶ୍ନକରିଛନ୍ତି।