Categories
ଆଜିର ଖବର ରାଜ୍ୟ ଖବର

ଆଜାଦୀ କା ଅମୃତ ମହୋତ୍ସବ ଉପରେ ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାଇକ୍ ରାଲି

ଭୁବନେଶ୍ବର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଅଛି।  ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଗତକାଲି ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମୁଖ୍ୟ ସୁରକ୍ଷା କମିଶନର, ଆରପିଏଫ୍ ପି.ଭି. ସାନ୍ଥାରାମଙ୍କ ଉପସ୍ଥିତିରେ ସବୁଜ ପତାକା ପ୍ରଦର୍ଶନ କରି ଏହି ବାଇକ ରାଲିକୁ ଶୁଭାରମ୍ଭ କରିଥିଲେ।

ଏହି ବାଇକ୍ ରାଲିର ଉଦ୍ଦେଶ୍ୟ ହେଉଛି ଆଜାଦି କା ଅମୃତ ମହୋତ୍ସବ ଏବଂ ରେଳ ସୁରକ୍ଷା ବଳର ସଫଳତା ଉପରେ ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା। ​

Categories
ଆଞ୍ଚଳିକ

ଚେସ୍ ଖେଳ ମାଧ୍ୟମରେ ନିଶାଗ୍ରସ୍ତ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି

ଭୁବନେଶ୍ୱର: ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ଯୁବକମାନଙ୍କୁ ଚେସ୍ ଖେଳ ମାଧ୍ୟମରେ ସଠିକ୍  ପଥକୁ ଆଣିବାର ଲକ୍ଷ୍ୟ ନେଇ ଏଠାରେ ମଙ୍ଗଳବାର ଏ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗର ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ଯୁବଗୋଷ୍ଠୀ ଧଳାଜହର ନିଶାଠାରୁ ନିଜକୁ କିଭଳି ଦୂରରେ ରଖି ଏକ ସୁସ୍ଥ ଓ ଗଠନ ମୂଳକ ଜୀବନ ଆଡକୁ ଆକୃଷ୍ଟ ହୋଇପାରିବେ ସେ ନେଇ ମତ ରଖିଥିଲେ।

ଡ୍ରିମ୍‌ସ ମିଶନ୍‌ର ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଭୁବନେଶ୍ୱର ପୋଲିସ୍ କମିଶନରେଟ, ଓଡ଼ିଶା ମାଇନିଂ କର୍ପୋରେସନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର (ଆଇ.ଆଇ.ଇ.ସି)” ର ମିଳିତ ସହଯୋଗରେ ନିଶାଜନିତ ସାମାଜିକ ବ୍ୟାଧିକୁ କିଭଳି ପ୍ରତିହତ କରାଯାଇପାରିବ ସେ ନେଇ ଏକ ଚେସ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଡ୍ରିମସ୍ ମିଶନ୍ ପ୍ରଥମ ପର୍ଯ୍ୟାୟ ରେ ନିଶାଗ୍ରସ୍ତ ପଥଭ୍ରଷ୍ଟ ଯୁବକମାନଙ୍କୁ ସଜାଡିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ନିଶାଦ୍ୱାରା ଅପରାଧ ଘଟାଇଥିବା ୫୦ ଜଣ ଯୁବକଙ୍କୁ ରିଭୋଲ୍ୟୁସନ୍‌ ଥଇଥାନ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି। ସେମାନଙ୍କୁ କାଉନ୍‌ସେଲିଂ, ଯୋଗ, ବ୍ୟାୟାମ୍ ଏବଂ ଉପଯୁକ୍ତ ଶିକ୍ଷାଦ୍ୱାରା
ସୁଧାରିବା ପାଇଁ ଚେଷ୍ଟା କରାଯାଉଛି।

ସେହିପରି ଚେସ୍ ଖେଳ ଦ୍ୱାରା ସେମାନଙ୍କର ମାନସିକ ସ୍ଥିରତା ବଜାୟ ରଖିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଖେଳରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଥିବା ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ସତ୍ୟଜିତ୍ ପଟ୍ଟନାୟକ ଓ ସୂର୍ଯ୍ୟମିତ୍ର ସେନ୍ ୫୦ ଜଣ ଯୁବକଙ୍କୁ ପ୍ରତି ରବିବାର ଦିନ ପ୍ରଶିକ୍ଷଣ ଦେବେ। ଚେସ୍ ଭଳି ଏକ ଶକ୍ତିଶାଳୀ ଖେଳ ସେମାନଙ୍କର ମାନସିକ ଏକାଗ୍ରତା ଆଣିବ ବୋଲି ଆଶା କରାଯାଏ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କ୍ରୀଡା ଦ୍ୱାରା ମାନସିକ ସ୍ଥିରତାର ଅଭିବୃଦ୍ଧି ସହ ଚାକିରି କ୍ଷେତ୍ର ରେ ବି ଅନେକ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ୍ କରିବା ଅବସରରେ ଅତିରିକ୍ତ ପୋଲିସ୍ କମିଶନର ନିତି ଶେଖର ଏହି ଖେଳ ଦ୍ୱାରା ନିଶାଗ୍ରସ୍ତ ଯୁବ ସମାଜକୁ ଏକ ସ୍ଥିର ମାର୍ଗଦର୍ଶନ ମିଳିପାରିବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଡ୍ରିମ୍‌ସ୍ ର ନିର୍ଦ୍ଦେଶକ ଡ. ଶିଶିର କୁମାର ଦାସ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାସିକ ଋତୁସ୍ରାବ ଓ ସ୍ୱଚ୍ଛତା ନେଇ ଦୃଷ୍ଟିହୀନ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି

ଭୁବନେଶ୍ୱର: ମାସିକ ଋତୁସ୍ରାବ ସମୟରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯିବ ସେ ନେଇ ଦୃଷ୍ଟିହୀନ ଛାତ୍ରୀମାନଙ୍କୁ ସଚେତନ କରାଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡଃ ସ୍ତିତିପ୍ରଜ୍ଞା ଦଳବେହେରା।

ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟ ଓଡ଼ିଶା ଶାଖାର ମହିଳା ସେଲ୍ ପକ୍ଷରୁ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଡଃ ଦଳବେହେରାଙ୍କ ବ୍ୟତୀତ ମହିଳା ସେଲ୍ ମୁଖ୍ୟ ଡଃ ପ୍ରିୟଦର୍ଶିନୀ ମିଶ୍ର, ଡଃ ସୁପ୍ରିୟା, କୋଷାଧ୍ୟକ୍ଷ ଡଃ ପ୍ରଭଞ୍ଜନ ଏବଂ ଇସି ଡଃ ତନୟା ସାମିଲ ହୋଇ ଛାତ୍ରୀମାନଙ୍କ ସହିତ ଆଲୋଚନାର ସୁଯୋଗ ଦେଇଥିବାରୁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ମଧ୍ୟରେ ସାନିଟାରୀ ନ୍ୟାପ୍‌କିନ୍ ବଂଟନ କରାଯାଇଥିଲା ଏବଂ ଏହି ସମୟରେ କିଭଳି ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବେ ଏବଂ ସ୍ୱଚ୍ଛତା ଅବଲମ୍ବନ କରିବେ ଯେପରି କୌଣସି ପ୍ରକାର ରି-ପ୍ରଡକ୍ଟିଭ୍ ଟ୍ରାକ୍ଟ ସଂକ୍ରମଣ ହେବ ନାହିଁ ସେ ନେଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ: ବିଶେଷଜ୍ଞ

ଭୁବନେଶ୍ୱର: ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ। ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ଼ଃ ବିଜୟ କୁମାର ପାଣିଗ୍ରାହୀ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପେଡ଼ିଆଟ୍ରିକ୍ସ (ଓଡିଶା ଶାଖା) ର ମିଳିତ ସହଯୋଗରେ ଆୟୋଜିତ ପେଡିଆଟ୍ରିକ ହେମାଟୋଲୋଜି ଆଣ୍ଡ ଅଙ୍କୋଲୋଜି ମିଟ- ୨୦୨୧ ରେ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡ଼ଃ ପାଣିଗ୍ରାହୀ।

ଆଏପି ଓଡିଶା ଶାଖାର ସଭାପତି ଡ଼ଃ ପାଣିଗ୍ରାହୀ ଏହି ଅବସରରେ କହିଥିଲେ ଯେ ଶିଶୁ ମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ରକ୍ତ କର୍କଟ, ମସ୍ତିଷ୍କ କର୍କଟ ଓ ଚକ୍ଷୁ କର୍କଟ ଭଳି ସମସ୍ୟା ଦେଖା ଦେଉଛି। ମାତ୍ର ରୋଗ ଯେତେ ଶୀଘ୍ର ଚି଼ହ୍ନଟ ହେବ ସେତେ ଶୀଘ୍ର ଚିକିତ୍ସା ଆରମ୍ଭ ହେବା ସହ ଶିଶୁ ଟି ଆରୋଗ୍ୟ ଲାଭ କରିପାରିବ। ବିଶେଷ କରି ରକ୍ତ କର୍କଟ ରୋଗରେ ଠିକ ସମୟରେ ଚିକିତ୍ସା ଆରମ୍ଭ କରାଗଲେ ଶିଶୁମାନେ ସୁସ୍ଥ ହେଉଛନ୍ତି ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି।

କୋଭିଡ ମହାମାରୀ ସମୟରେ ପରୀକ୍ଷା ନିରୀକ୍ଷା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ଟେଲି କନସଲଟେସନ ମାଧ୍ୟମରେ ନେବାକୁ ଡକ୍ଟର ପାଣିଗ୍ରାହୀ କହିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ତଥା ସମ ହସ୍ପିଟାଲର ପେଡ଼ିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ପ୍ରଫେସର ଡ଼ଃ ସରୋଜ ପଣ୍ଡା କହିଥିଲେ ଯେ କର୍କଟ ରୋଗର ଆଗୁଆ ଚି଼ହ୍ନଟ, ସଠିକ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇ ପାରିବେ। ତେବେ ଏଥି ନିମନ୍ତେ ସଚେତନତା ଜରୁରୀ ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅଡିସନାଲ ଡିନ ପ୍ରଫେସର ଅଜୟ ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡ଼ଃ ମମତା ଦେବୀ ମହାନ୍ତି ଏବଂ କେନ୍ଦ୍ର ଆଇଏପି ର ଏକଜିକ୍ୟୁଟିଭ ବୋର୍ଡ ର ସଦସ୍ୟ ଡ଼ଃ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତି ରହି ବକ୍ତବ୍ୟ ରଖିଥିଲେ।

ଶିଶୁ କର୍କଟ ରୋଗ ସମ୍ବନ୍ଧୀୟ ୩ଟି ପ୍ରସଂଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ବିଶିଷ୍ଟ ଡାକ୍ତରଙ୍କ ସହ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବ୍ରହ୍ମପୁରଠାରେ ବିମାନ ବନ୍ଦର ପାଇଁ ସଚେତନତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ସ୍ଥାପନ ପାଇଁ ଆଜି ଏମ୍‌କେସିଜି ମେଡ଼ିକାଲ୍ ଛକଠାରେ ଜନସଚେତନତା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଇତିମଧ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ସହ ପୋଷ୍ଟକାର୍ଡ଼ ଓ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶହଜାର ପୋଷ୍ଟକାର୍ଡ଼ ପ୍ରେରଣ କରାଯାଇଛି।

ଉଡ଼ାନ ଯୋଜନାରେ ଗଂଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ ନକରି ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଦାବିକୁ ଗୁରୁତ୍ୱହୀନ ମନେ କରାଯାଇଛି। ଏହା ବିରୁଦ୍ଧରେ ପ୍ରବଳ ଜନସଚେତନତା ସୃଷ୍ଟି କରାଯିବ ବୋଲି ଆଜି ସଚେତନତା ସଭାରେ ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି।

ସହ ଆବାହକ ଆଇନଜୀବୀ ଅବନୀ ଗୟା, ଶିକ୍ଷକ ସଂଗଠନ ନେତା ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସମାଜସେବୀ ଗଗନଚନ୍ଦ୍ର ମଲିକ, ଏସ୍‌. ପ୍ରକାଶ ଚନ୍ଦ୍ର ପାତ୍ର, ବିଶ୍ୱଦେବ, ଧନୁର୍ଦ୍ଧନ ଗୌଡ଼, ପୁରୁଷୋତ୍ତମ ବିଷୋୟୀ, ସାଲ୍ଲା କେଶବ ଲିଙ୍ଗମ, ଡ. ଶିବ ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲ୍ୟବିବାହକୁ ରୋକିବା ପାଇଁ ସଚେତନତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସମନ୍ୱିତ ଶିଶୁବିକାଶ ବ୍ରହ୍ମପୁର-୨ ତରଫରୁ ବ୍ରହ୍ମପୁର ମହାନଗର ୱାର୍ଡ଼ ନଂ ୭ ଅନ୍ତର୍ଗତ ବାଲ୍ମିକୀ ପେଟା ସାହି କଲ୍ୟାଣ ମଣ୍ଡପରେ ଗୋବର୍ଦ୍ଧନ ପେଟା, ସରୋଜିନି ପେଟା, ଆଡ଼ୁଆ ସାହି, ବାଲ୍ମିକୀପେଟା, ନୂଆ ବାଲ୍ମିକୀ ପେଟା, ସାହି ବାସିନ୍ଧାଙ୍କୁ ନେଇ ବାଲ୍ୟବିବାହକୁ ରୋକିବା ଏବଂ କନ୍ୟାରତ୍ନକୁ ସମ୍ମାନ ଦେବା ସହ ସମସ୍ତ ଶିଶୁ କିଭଳି ସ୍ୱାକ୍ଷରତା ଲାଭ କରିବେ ବିଷୟକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଦୁର୍ଗା ରାଓ, ଦେବଦାସ, ଗୋପୀ, ପୁରୁଷୋତ୍ତମ, ଜନାର୍ଦ୍ଦନ ଏବଂ ବହୁ ଅଂଚଳବାସୀ ଉପସ୍ଥିତ ଥିବାବେଳେ ଅଙ୍ଗନୱାଡ଼ି କର୍ମୀ ପୁଷ୍ପଲତା ତ୍ରିପାଠୀ, ଯସ୍ମିନ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାବାସୀଙ୍କୁ ସଚେତନତାର ବାର୍ତ୍ତା ଦେଲେ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା ହେଲା ଭାଇରାଲ୍‌

ବବୁଲୁ ସାହୁ

କଳାହାଣ୍ଡି: ପଶ୍ଚିମ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ କରୋନାକୁ ନେଇ ସଚେତନତାର ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବ ଅପରିହାର୍ଯ୍ୟ। ସାମାଜିକ ଦୂରତ୍ବକୁ ମାନିବା ସହିତ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ବିଶେଷକରି ଦୋକାନକୁ ଯିବା ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବର ସହ ନେବାକୁ କହିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଗହଳି ନ କରିବା ସହିତ ନିର୍ଦ୍ଦିଷ୍ଟ ଦୂରତାରେ ରହି ଦୋକାନରୁ ଜିନିଷ ଆଣିବା ପାଇଁ କହିଛନ୍ତି ଜିଲ୍ଲାପାଳ। ସାମାଜିକ ଦୂରତ୍ବ ରକ୍ଷା କରିପାରିଲେ ଆମେ ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ସର୍ବମୋଟ 40 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟରେ କରୋନା ସଂଖ୍ୟାରେ ବୃଦ୍ଧି ଯୋଗୁଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ମାନ ନେଉଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ପାଇଁ କିପରି ସତର୍କ ରହିଛି ଚିଲିକା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ, କ’ଣ ରହିଛି ପ୍ରଶାସନିକ ପଦକ୍ଷେପ

ସୀତାରାମ ଅଗ୍ରଓ୍ବାଲ 

ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଏଥରୁ ବାଦ୍‌ ପଡିନାହିଁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନ୍‌ଏସି ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସତର୍କ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତୁ ଜାଣିବା ବାଣପୁର ବ୍ଲକ ଓ ଏନ୍‌ସି ତରଫରୁ ଏନେଇ କ’ଣ କ’ଣ ସତର୍କତା କରାଯାଉଛି। କରୋନା ପାଇଁ କିପରି ସତର୍କ ରହିଛନ୍ତି ବାଣପୁର ବ୍ଲକ ଓ ଏନ୍‌ଏସି। ଆମ ସମୀକ୍ଷା ରିପୋର୍ଟର ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ଏନ୍‌ଏସି କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ ନିଆଲ୍‌, ବାଣପୁର ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର, ଚିଲିକା ବିଡିଓ ସୁଷମା ବାରିକ୍‌, ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଓ ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକଙ୍କ ସହ ଭେଟି କରୋନା ପାଇଁ ବ୍ଲକ ଓ ଏନ୍‌ଏସି ତରଫରୁ କରାଯାଉଥିବା ସତର୍କତା ସମ୍ପର୍କରେ ଆଲୋଚନା କରିଥିଲେ।

କରୋନା ସତର୍କ ପାଇଁ ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ କହିଛନ୍ତି ଯେ, ବ୍ଲକ ତରଫରୁ କରୋନା ସଚେତନତା ପାଇଁ କ୍ୟାମ୍ପେନ୍‌ ରଥ ସବୁ ପଞ୍ଚାୟତରେ ଗଡାଯାଇଛି। କରୋନା ସତର୍କ ନେଇ ବ୍ୟାନର୍‌ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ହାତକୁ ଭଲ ଭାବରେ ଧୋଇବା ତଥା ଥଣ୍ଡା ସଂକ୍ରମଣରୁ ଦୂରେଇ ରଖିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ବାଣପୁର ବ୍ଲକ ତରଫରୁ ଏକ ହେଲପ୍ ଲାଇନ ନମ୍ବରର ଜାରି କରାଯାଇଛି। ଜାରି ହୋଇଥିବା ହେଲପ୍ ଲାଇନ ନମ୍ବର ଟି ହେଉଛି ୦୬୭୫୬-୨୫୩୩୭୯ ଏବଂ ୧୦୪। ସେହିପରି ପ୍ରତି ପଞ୍ଚାୟତରେ ଦୁଇ ଦୁଇଟି ଆଇସୋଲେସନ୍‌ ସେଣ୍ଟର କରାଯାଇଛି ବୋଲି କହିଛନ୍ତି ବାଣପୁର ବ୍ଲକ ବିଡିଓ।

ସେହିପରି ବାଣପୁର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍‌ କହିଛନ୍ତି ଯେ, ମାଇକ୍‌ ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି। ଏନ୍‌ଏସିରେ ଦୁଇଟି ଆଇସୋଲେସନ୍‌ ସେଣ୍ଟର ଖୋଲାଯାଇଛି। ଗୋଦାବରୀଶ ବିଦ୍ୟାପୀଠ, ଏନଏସି କଲ୍ୟାଣ ମଣ୍ଡପକୁ ଆଇସୋଲେସନ୍‌ ସେଣ୍ଟର କରାଯାଇଛି। ଏତଦ୍‌ବ୍ୟତୀତ ଓ୍ବାର୍ଡ ମେମ୍ବର ଓ ସ୍ବଚ୍ଛ ସାଥୀମାନଙ୍କ ଦ୍ଵାରା ଘର ଘର ବୁଲି ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିବରଣୀ ସଂଗ୍ରହ କରାଯାଉଛି। ସେହିପରି ବାଣପୁର ପଞ୍ଚୁଦୋଳ ପାଇଁ ଆସିଥିବା ଉଠା ଦୋକାନୀଙ୍କୁ ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାର କହିଛନ୍ତି ବାଣପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ।

ବାଣପୁରକୁ ରାଜ୍ୟ ବାହାରରୁ ୧୦୦ରୁ ଅଧିକ ବ୍ୟକ୍ତି ଆସିଥିବାବେଳେ ବାଣପୁର ଏନ୍‌ଏସି ତରଫରୁ ବ୍ୟାପକ ସଚେତନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର। ଯଦିଓ ଅଞ୍ଚଳରେ କେହି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି, ତେବେ ସନ୍ଦିଗ୍ଧଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିଛି ବାଣପୁର ମେଡିକାଲ। କରୋନା ସନ୍ଦିଗ୍ଧ ବାଣପୁର ମେଡ଼ିକାଲ ଆସିଥିବାବେଳେ ତାଙ୍କ ଅବସ୍ଥା ସୁସ୍ଥ ରହିଛି ବୋଲି କହିଥିଲେ ବାଣପୁର ମେଡ଼ିକାଲ ଅଧିକାରୀ ଧୂର୍ଜଟି ମହାପାତ୍ର। ସେହିପରି ଅଞ୍ଚଳକୁ ଆସିଥିବା ରାଜ୍ୟ ବାହାରର ବ୍ୟକ୍ତି ତଥା ବିଦେଶରୁ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଚିଲିକା ବ୍ଲକର ବିଡିଓ ସୁଷମା ବାରିକ  କହିଛନ୍ତି ଯେ, ଚିଲିକା ବ୍ଲକ୍‌ ଅଧୀନରେ ରହିଥିବା ୧୭ଟି ପଞ୍ଚାୟତରେ ମାଇକ୍‌ ଦ୍ବାରା କରୋନା ସଚେତନତା କରାଯାଉଛି। ପ୍ରତି ପଞ୍ଚାୟତରେ ଆଇସୋଲେସନ୍‌ ସେଣ୍ଟରକୁ ଚିହ୍ନଟ କରାଯାଇଛି। ପଞ୍ଚାୟତ ସମିତି ବୈଠକ ଡାକି ସଦସ୍ୟମାନଙ୍କୁ ଏନେଇ ସତର୍କ କରାଯିବ ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। ଚିଲିକା ବ୍ଲକ୍‌ କରୋନାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଚିଲିକା ବିଡିଓ ସୁଷମା ବାରିକ। ନିଃଶୁଳ୍କ ହେଲପ୍ ଲାଇନ ନମ୍ବର ୧୦୪ରେ ରେଜିଷ୍ଟ୍ରେସନ କରିବା ପାଇଁ  ବିଡିଓ’ଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି।

ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ କହିଛନ୍ତି ଯେ, କରୋନା ପାଇଁ ବାଲୁଗାଁ ମେଡ଼ିକାଲ ତରଫରୁ ଅଲଗା ୱାର୍ଡର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଏନେଇ ବୈଠକ କରାଯାଉଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଓ୍ବାର୍ଡ ମେମ୍ବରଙ୍କଠୁ ସୂଚନା ପ୍ରାପ୍ତ କରାଯାଉଛି। ନିକଟରେ ଦୁଇଜଣ ବିଦେଶରୁ ଫେରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟକୁ ପରୀକ୍ଷା କରାଯାଇଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି ବୋଲି କହିଛନ୍ତି ବାଲୁଗାଁ ମେଡ଼ିକାଲ ଅଧିକାରୀ।

ସେହିପରି ବାଲୁଗାଁ ପୋଲିସ୍‌ ତରଫରୁ କରୋନା ପାଇଁ  ମଧ୍ୟ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଛି ବୋଲି କହିଛନ୍ତି ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକ।

ଚିଲିକା ନିର୍ବାଚନ ମଣ୍ଡଳୀ ସମସ୍ତ ପ୍ରଶାସନିକ ଅଧିକାରୀ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ସ୍ଥାନୀୟ ଲୋକଙ୍କୁ ସତର୍କ ଓ ସଚେତନ କରିବାରେ ଲାଗିପଡିଛନ୍ତି।