Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଏବଂ କାଉନସିଲରଙ୍କ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।

ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍‌.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍‌.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍‌ ବ୍ୟତୀତ ମହାନଗର ନିଗମର Standing Committee ର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।

ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି।

ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହେଲା ବିଭିନ୍ନ ନିଗମ, ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ନେତାମାନଙ୍କୁ ନିଯୁକ୍ତି ମିଳିଛି। ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇଚିଠି ଜାରି କରାଯାଇଛି।

୧- ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡରେ ଅଧ୍ୟକ୍ଷ- କଳିକେଶ ସିଂହଦେଓ।

୨- ଏପିକଲ ର ଅଧ୍ୟକ୍ଷ- ପ୍ରଭାତ ଆଦିତ୍ୟ ମିଶ୍ର

୩- ଓଆରଏଚ୍‌ଡିସି ର ଅଧ୍ୟକ୍ଷ- ଡି ବିଶ୍ବନାଥ

୪- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ- ଲେନିନ ମହାନ୍ତି।

୫- ଉଠାଜଳ ସେଚନ ଅଧ୍ୟକ୍ଷ- ଅ‌ମରେଶ ପତ୍ରି

୬- ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ- ସୁବାଷ ମହାରଣା।

୭- ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ- ବିଜୟ ନାୟକ।

୮- ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ- ଦେବାଶିଷ ମହାନ୍ତି।

୯- ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ- ସତ୍ୟବ୍ରତ ତ୍ରିପାଠୀ

୧୦- ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକସନ ୱାର୍କରର୍ସ- ଶ୍ରୀମୟୀ ମିଶ୍ର,

୧୧-ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନର ଅଧ୍ୟକ୍ଷ- ଚିନ୍ମୟ କାନନୁଗୋ

୧୨- ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ- ମିନତୀ ବେହେରା।

୧୩- ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ଅଧ୍ୟକ୍ଷ- ସଂଗ୍ରାମ ପାଇକରାୟ

୧୪- ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା- ସୁରେନ୍ଦ୍ର ପ୍ରଧାନ।

୧୫- ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡରେ ଅଧ୍ୟକ୍ଷ- କୁନା ବିହାରୀ ଦାସ

୧୬- ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନରେ ଉପାଧ୍ୟକ୍ଷ- ସନ୍ତୋଷ ବେଜ୍‌ ଙ୍କୁ ନିଯୁକ୍ତି ମିଳିଛି।

ସେହିଭଳି ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟ ପ୍ଲାନିଂ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ମିଳିଥିବା ବେଳେ ପ୍ରଦୀପ ମାଝୀଙ୍କୁ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଉପଦେଷ୍ଟା ଭାବେ ଦାୟୀତ୍ୱ ଦିଆଯାଇଛି ଏବଂ କସ୍ତୁରୀ ମହାପାତ୍ରଙ୍କୁ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁର ସଂପାଦକ ଦାୟିତ୍ୱ ମିଳିଛି।

Categories
ବିଶେଷ ଖବର

ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷ ଭାବେ ଭାରତ ନିର୍ବାଚିତ; ଏହି ପଦରେ ରହିବ ୨୦୨୪ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷଭାବେ ଭାରତ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି। ଭାରତ ଦୁଇବର୍ଷ (୨୦୨୨-୨୦୨୪) ପାଇଁ ଏହି ପଦରେ ରହିବ। ମେ ସାତ ତାରିଖରେ ଫିଲିପାଇନ୍ସର ମାନିଲାଠାରେ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ (ଆସୋସିଏସନ ଅଫ୍ ଏସିଆନ ଇଲେକ୍‌ସନ ଅଥରିଟି-ଏଏଇଏ) କାର୍ଯ୍ୟନିର୍ବାହୀ ପରିଷଦ ଏବଂ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ମହାସଂଘର ନୂଆ ଅଧ୍ୟକ୍ଷଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି। ଭାରତ ତାହାର ନୂଆ ଦାୟିତ୍ୱ ବର୍ତ୍ତମାନର ଅଧ୍ୟକ୍ଷ ଫିଲିପାଇନ୍ସ ନିର୍ବାଚନ ଆୟୋଗଠାରୁ ଗ୍ରହଣ କରିବ।

ଏହି ମହାସଂଘର କାର୍ଯ୍ୟନିର୍ବାହୀ ପରିଷଦର ନୂଆ ସଦସ୍ୟଭାବେ ଇତିମଧ୍ୟରେ ରୁଷିଆ, ଉଜ୍‌ବେକିସ୍ଥାନ, ଶ୍ରୀଲଙ୍କା, ମାଳଦ୍ୱୀପ, ତାଇୱାନ ଓ ଫିଲିପାଇନ୍ସ ଯୋଗଦେଇଛନ୍ତି। ମାନିଲାରେ ଅନୁଷ୍ଠିତ ମହାସଂଘର କାର୍ଯ୍ୟକାରୀ କମିଟି ବୈଠକରେ ଭାରତର ଉପନିର୍ବାଚନ କମିଶନର ନୀତେଶ ବ୍ୟାସ, ମଣିପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଅଗ୍ରୱାଲ ଓ ରାଜସ୍ଥାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପ୍ରବୀଣ ଗୁପ୍ତ ଯୋଗଦେଇଥିଲେ। ଭାରତୀୟ ପ୍ରତିନିଧିମାନେ ଏହି ବୈଠକରେ ୨୦୨୨-୨୪ର କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ। ଏଥିରେ ଭାରତ ପକ୍ଷରୁ ନିର୍ବାଚନରେ ଲିଙ୍ଗଗତ ପ୍ରସଙ୍ଗ ଉପରେ ଏକ ସନ୍ଦର୍ଭ  ଉପସ୍ଥାପନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଓ ମତଦାନରେ ଥିବା ବିଭିନ୍ନ ସାମାଜିକ-ରାଜନୀତିକ ପ୍ରତିବନ୍ଧକକୁ ଦୂର କରି ଏହାକୁ ସାର୍ବଜନୀନ ଏବଂ ସମାବେଶୀ କରିବାକୁ ଭାରତ କିପରି ଉଦ୍ୟମ କରୁଛି ଏଥିରେ ତାହାର ଉଲ୍ଲେଖ ରହିଛି।

ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଉଦ୍ଦେଶ୍ୟ ହେଲା ଏସିଆ ମହାଦେଶର ବିଭିନ୍ନ ଦେଶରେ ଏକ ନିରପେକ୍ଷ ମଞ୍ଚଭାବେ କାମ କରି ଉତ୍ତମ ନିର୍ବଚାନ ପରିଚାଳନା ପାଇଁ ଶ୍ରେଷ୍ଠ ନୀତି ଓ ପରାମର୍ଶ ଯୋଗାଇବା। ସେଥିପାଇଁ ପ୍ରତ୍ୟେକ ସଭ୍ୟ ରାଷ୍ଟ୍ରର ନିର୍ବାଚନ ଆୟୋଗମାନ ନିଜ ନିଜ ମଧ୍ୟରେ ଆଲୋଚନା କରି ଉତ୍ତମ ନୀତି ଏବଂ ଅଭିଜ୍ଞତା ବଳରେ ବିଭିନ୍ନ ସଭ୍ୟ ରାଷ୍ଟ୍ରରେ ଅବାଧ ନିର୍ବାଚନ, ସୁଶାସନ ଓ ଗଣତନ୍ତ୍ର ନିମନ୍ତେ ସହାୟତା ଯୋଗାଉଛନ୍ତି।

ଏଏଇଏର ସଭ୍ୟ ରାଷ୍ଟ୍ରର ଅଧିକାରୀମାନେ ଏହି ମଞ୍ଚ ମାଧ୍ୟମରେ ନିୟମିତ ଭାବେ ବିଭିନ୍ନ ଆନ୍ତର୍ଜାତିକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି। ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ପ୍ରତିଷ୍ଠାନ(ଆଇଆଇଆଇଡିଇଏମ୍‌) ବିଭିନ୍ନ ସମୟରେ ଆୟୋଜିତ କରିଥାଏ। ୨୦୧୯ଠାରୁ ୨୫୦ରୁ ଅଧିକ ବିଭିନ୍ନ ସଭ୍ୟ ରାଷ୍ଟ୍ରର ଅଧିକାରୀ ଏହି କାର୍ଯ୍ୟକ୍ରମଗୁଡିକରେ ଭାଗ ନେଇଛନ୍ତି। ୨୦୨୧-୨୨ରେ ବାଂଲାଦେଶ ନିର୍ବାଚନ ଆୟୋଗର ୫୦ ଅଧିକାରୀ ଏହି ପ୍ରତିଷ୍ଠାନ ଦ୍ୱାରା ତାଲିମ ନେଇଥିଲେ।

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମରେ ଏଏଇଏର ପ୍ରତିନିଧି ନିୟମିତ ଭାବେ ଯୋଗଦେଇଥାନ୍ତି। ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଭାରତର ନିର୍ବାଚନ ଆୟୋଗ ଆଭାସୀ ବ୍ୟବସ୍ଥାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ଥିଲା ତୃତୀୟ ଆନ୍ତର୍ଜାତିକ ଆଭାସୀ ପରିଦର୍ଶକ କାର୍ଯ୍ୟକ୍ରମ। ଏଥିରେ ଏଏଇଏର ୧୨ସଦସ୍ୟ ରାଷ୍ଟ୍ରରୁ ୬୨ ଅଧିକାରୀ ଭାଗ ନେଇଥିଲେ। ଏଏଇଏ ମଧ୍ୟ ୧୧୮ ସଦସ୍ୟ ବିଶିଷ୍ଟ ବିଶ୍ୱ ନିର୍ବାଚନ ଆୟୋଗ ମହାସଂଘର ଏକ ସହଯୋଗୀ ସଦସ୍ୟ।

ସୂଚନାଯୋଗ୍ୟ ଯେ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ ୧୯୯୮ରେ ଗଠିତ ହୋଇଥିଲା। ୧୯୯୭ ଜାନୁୟାରୀ ୨୬ରୁ ୨୯ଯାଏ ମାନିଲାରେ ଏସିଆର ବିଭିନ୍ନ ଦେଶର ନିର୍ବଚାନ ଆୟୋଗ ମାନଙ୍କର ଯେଉଁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ଏକ ପ୍ରସ୍ତାବ ଗୃହୀତ ହୋଇ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଗ ଗଠନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏବେ ଏସିଆର ୨୦ ଦେଶ ଏଏଇଏର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଅଛନ୍ତି। ଭାରତ ଏହି କାର୍ଯ୍ୟନିର୍ବାହୀ ପରିଷଦର ପ୍ରତିଷ୍ଠାତା ସଦସ୍ୟ। ଏହା ପୂର୍ବରୁ ଭାରତ ୨୦୧୧ରୁ ୧୩ ଯାଏ ଏଏଇଏର ଉପାଧ୍ୟକ୍ଷ ଓ ୨୦୧୪-୧୬ଯାଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛି।