Categories
ଆଜିର ଖବର ଜାତୀୟ ଖବର

ଏସ୍‌ଇସିଏଲ ଏବଂ ଏମ୍‌ସିଏଲ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମଞ୍ଜୁର କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏସଇସିଏଲ) ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଆକାରରେ ୧×୬୬୦ ମେଗାୱାଟ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ମହାନଦୀ ବେସିନ୍‌ ପାୱାର୍‌ ଲିମିଟେଡ୍‌ (ଏମବିପିଏଲ) ଜରିଆରେ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ଏମବିପିଏଲ୍‌ ହେଉଛି ଏମସିଏଲର ଏକ ସହଯୋଗୀ କମ୍ପାନୀ।

ଏସଇସିଏଲ, ଏମସିଏଲ ଏବଂ ସିଆଇଏଲ୍‌ ଦ୍ୱାରା ଇକ୍ୟୁଟି ନିବେଶ ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ନିମ୍ନ ମତେ ମଞ୍ଜୁର କରିଛି:

(କ).   ମଧ୍ୟପ୍ରଦେଶ ଅନୁପ୍ପୁର ଜିଲ୍ଲା ଚାଚାଇ ଗ୍ରାମରେ ଅମରକଣ୍ଟକ ତାପଜ ବିଦ୍ୟୁତ କେନ୍ଦ୍ର ଠାରେ ଏସଇସିଏଲ ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଜରିଆରେ ପ୍ରସ୍ତାବିତ ୧×୬୬୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ଆନୁମାନିକ ୫,୬୦୦ କୋଟି ଟଙ୍କାର ପ୍ରକଳ୍ପ ପୁଞ୍ଜିବ୍ୟୟ (±୨୦%ର ଶୁଦ୍ଧତା) ସହିତ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୪୯% ଇକ୍ୟୁଟୀ ନିବେଶକୁ ବିଚାର କରି ଏସଇସିଏଲ୍‌ ଦ୍ୱାରା ଯୌଥ ଉଦ୍ୟୋଗ କମ୍ପାନୀରେ ୮୨୩ କୋଟି (± 20%) ଟଙ୍କାର ଇକ୍ୟୁଟି ପୁଞ୍ଜି ନିବେଶ।

(ଖ).   ଏମବିପିଏଲ୍‌ ଜରିଆରେ ଆନୁମାନିକ ୧୫,୯୪୭ କୋଟି ଟଙ୍କା (±୨୦% ସଠିକତା) ର ପ୍ରକଳ୍ପ ପୁଞ୍ଜିବ୍ୟୟ ସହିତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ୨×୮୦୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଏମସିଏଲ ଦ୍ୱାରା ୪,୭୮୪ କୋଟି ଟଙ୍କା (±୨୦%)ର ଇକ୍ୟୁଟି ପୁଞ୍ଜିନିବେଶ।

(ଗ). ୨×୮୦୦ ମେଗାୱାଟ୍‌ ସୁପର-କ୍ରିଟିକାଲ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ଏମସିଏଲର ଏସପିଭି ଏମବିପିଏଲକୁ ଅନୁମତି।

(ଘ).  ଉପରୋକ୍ତ ପ୍ରକାରରେ ବିନ୍ଦୁ (କ) ଠାରେ ଏସଇସିଏଲ-ଏମପିପିଜିସିଏଲର ଯୌଥ ଉଦ୍ୟୋଗରେ ସିଆଇଏଲ୍‌ ଦ୍ୱାରା ନିଜ ମୋଟ୍‌ ମୂଲ୍ୟର ୩୦% ଠାରୁ ଅଧିକ ଇକ୍ୟୁଟି ନିବେଶ ଏବଂ ଉପରୋକ୍ତ ପ୍ରକାରରେ ବିନ୍ଦୁ (ଖ) ଭଳି ଏମସିଏଲ୍‌ର ଶତପ୍ରତିଶତ ମାଲିକାନାରେ ଥିବା ସହାୟକ କମ୍ପାନୀ ଏମବିପିଏଲ୍ ଦ୍ୱାରା ଇକ୍ୟୁଟି ନିବେଶ (୪,୭୮୪ କୋଟି ଟଙ୍କା ± 20%)।

ବିଶ୍ୱର ସର୍ବବୃହତ କୋଇଲା ଖଣି କମ୍ପାନି କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଦେଶକୁ ଶସ୍ତା ବିଜୁଳି ଯୋଗାଇବା ଉଦ୍ଦେଶ୍ୟରେ ଏହାର ସହାୟକ ସଂସ୍ଥା ଜରିଆରେ ଦୁଇଟି ପିଟ୍ ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ କରିବ –

(କ). ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର ଚଚାଇ ଗ୍ରାମର ଅମରକଣ୍ଟକ ତାପଜ ବିଦ୍ୟୁତ ଷ୍ଟେସନରେ ଏସଇସିଏଲ ଏବଂ ମଧ୍ୟପ୍ରଦେଶ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଲିମିଟେଡ (ଏମପିପିଜିସିଏଲ) ମଧ୍ୟରେ ଜେଭି ମାଧ୍ୟମରେ ୧×୬୬୦ ମେଗାୱାଟ ସୁପରକ୍ରିଟିକାଲ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ଲାଣ୍ଟ (ଟିପିପି);

(ଖ). ଏମସିଏଲ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ‘ମହାନଦୀ ବେସିନ୍ ପାୱାର ଲିମିଟେଡ୍’ (ଏମ୍‌ବିପିଏଲ୍) ଜରିଆରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୨×୮୦୦ ମେଗାଓ୍ଵାଟ୍ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ।

Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ବଦଳୁଛି ରୂପରେଖ

ଭୁବନେଶ୍ୱର/ସୁନ୍ଦରଗଡ଼: ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ହାଇସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନୂଆ ରୂପ ଦିଆଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ହାଇସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ଓମ୍ବାଡସି ସହାୟତାରେ ୩୪୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ୍ ଏବଂ ଇ-ଲାଇବ୍ରେରି ଆଦି ବ୍ୟବସ୍ଥା କରାଯାଇଛି।

ପିଲାମାନେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ିବା ସହ ଆଧୁନିକ ବିଜ୍ଞାନାଗାରରେ ଉପଲବ୍ଧ ନୂଆ ନୂଆ ବିଜ୍ଞାନ ଉପକରଣର ବ୍ୟବହାର କରୁଛନ୍ତି। ଆଇସିଟି ଲ୍ୟାବ ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରୁ କମ୍ପ୍ୟୁଟର ଶିକ୍ଷା ପାଉଛନ୍ତି। ସେହିପରି ଇ-ଲାଇବ୍ରେରି ସୁବିଧା ଯୋଗୁଁ ସେମାନେ ଦେଶ ଦୁନିଆ ବିଷୟରେ ଆଜି ଜାଣିପାରୁଛନ୍ତି।

‘‘ଶିକ୍ଷକମାନେ ଆମକୁ ସ୍କୁଲରେ ସ୍ମାର୍ଟ ବୋର୍ଡ ସାହାଯ୍ୟରେ ପାଠ ପଢ଼ାଉଛନ୍ତି। ଫଳରେ ପାଠ ବୁଝିବା ଅଧିକ ସହଜ ହେଉଛି। ଯେଉଁ ବିଷୟ ଆମେ କେବଳ ବହିରେ ପଢୁଥିଲୁ ଏବଂ ଚିତ୍ର ଦେଖୁଥିଲୁ ତାହାକୁ ଏବେ ବିଜ୍ଞାନାଗାରରେ ନିଜ ହାତରେ ପ୍ରୟୋଗ କରିପାରୁଛୁ। ଏହା ଦ୍ୱାରା ବିଜ୍ଞାନ ସମ୍ପର୍କରେ ଆମେ ଅଧିକ ଜ୍ଞାନ ପାଇପାରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ବରୁଆ।

ଓମ୍ବାଡସି ସହାୟତାରେ ସରକାରୀ ହାଇସ୍କୁଲରେ ଖେଳ ପଡ଼ିଆର ବିକାଶ ଓ କ୍ରୀଡ଼ା ଉପକରଣ ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା କ୍ରୀଡ଼ା ପ୍ରତିଭା ଦେଖାଇବାର ସୁଯୋଗ ପାଉଛନ୍ତି। ଓମ୍ବାଡସି ସହଯୋଗରେ ରାଜ୍ୟର ୭ଟି ଖଣି ପ୍ରଭାବିତ ଜିଲ୍ଲାର ୧୬ ଶହରୁ ଅଧିକ ସରକାରୀ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛି।

ଗ୍ରାମାଞ୍ଚଳର ପିଲାଙ୍କୁ ଇଂଲିସ୍ ମିଡିୟମ ସ୍କୁଲ ଢାଞ୍ଚାରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରତି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଳକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଦେଉଛି।

‘‘ଘରୋଇ ସ୍କୁଲଠାରୁ ଆମ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ହୋଇପାରୁଛି’’, କହିଛନ୍ତି ସିମଡେଗାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆଶିଷ କୁମାର ନାୟକ। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଜଣାଇଛନ୍ତି।

ଓମ୍ବାଡସି ସହାୟତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ଲାଗି ହଷ୍ଟେଲ ନିର୍ମାଣ କରାଯାଉଛି। ଦୂରବାଟ ଯୋଗୁଁ ଯେଉଁମାନେ ଦିନେ ସ୍କୁଲକୁ ଆସିବାକୁ ଅସୁବିଧା ହେଉଥିଲା, ଆଜି ସେମାନେ ହଷ୍ଟେଲରେ ରହି ସୁବିଧାରେ ପାଠ ପଢ଼ିପାରୁଛନ୍ତି। ସେହିପରି କିଚେନ୍, ଡାଇନିଙ୍ଗ ହଲ୍ ଓ ସାଇକେଲ୍ ଷ୍ଟାଣ୍ଡ ଆଦି ନିର୍ମାଣ କରାଯାଇଥିବାରୁ ସ୍କୁଲ ପରିବେଶ ଆହୁରି ଆକର୍ଷଣୀୟ ହୋଇପାରୁଛି।

‘‘ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସ୍ୱାଗତଯୋଗ୍ୟ। ଏଭଳି ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରୁଛି। ଫଳରେ ସେମାନେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ।

ହାଇସ୍କୁଲ ରୂପାନ୍ତରଣ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଧୁନିକୀକରଣ ଯୋଗୁଁ ଓଡ଼ିଶାର ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାର ମାନ ଉନ୍ନତ ହୋଇପାରିଛି। ଏଥିରେ ଆର୍ଥିକ ସହାୟତା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ବାଟ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ଓମ୍ବାଡସି।

Categories
ବିଶେଷ ଖବର

ସୁନ୍ଦରଗଡରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୮୬.୨୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ ଦୁଇଟି ହେଉଛି – ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ  ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଏହାଦ୍ବାରା ପାଞ୍ଚଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ  ବିଶେଷ ସହାୟକ ହେବ। ଭଷ୍ମା ପ୍ରକଳ୍ପ ଦ୍ବାରା ଟାଙ୍ଗରାପଲି, ସୁନ୍ଦରଗଡ ଓ ଝାରସୁଗୁଡା ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, ଫୁଲବାରୀ ପ୍ରକଳ୍ପ ଦ୍ବାରା ବଡଗାଁ ଓ ବାମରା ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସର ସଫଳ ଯାତ୍ରା ଜାରି, ୧୮ ଦିନରେ ୨୩୫୦ ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୮ତମ ଦିବସରେ ୨୩୫୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ ଏବଂ ମାଲକାନଗିରି ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୮ଟି କଲେଜ ଏବଂ ୪ ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୯୩ଟି ଆଇଡିଆ ସଂଗ୍ରହ କରିଛି।

ଏହି ଷ୍ଟାର୍ଟଅପ୍ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଉତ୍କଳମଣି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଓ  କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପରିଦର୍ଶନ କରିଛି। ମାଲକାନଗିରି ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ଏକଲବ୍ୟ ଆବାସିକ ବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିଥିବା ବେଳେ ଭ୍ୟାନ୍ ନୂଆପଡ଼ା ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ୧ ଖଡିଆଳ, ଓଏମ୍ ସାଇ ପବ୍ଲିକ୍ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପରିଖିତ ଟାଇଗର +୨ କଲେଜ ପରିଦର୍ଶନ କରିଛି। ଏହାବାଦ ମଡେଲ କଲେଜ (ନୂଆପଡ଼ା) ଓ ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ବରଗଡ଼) ରେ ୨ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ବର୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୫୬ଟି କଲେଜ୍ ଏବଂ ୫୯ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୨,୧୫୮ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୫୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଆସନ୍ତା ୯ ତାରିଖ (ସୋମବାର) ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ସୋମବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ କନ୍ଧମାଳ ଜିଲ୍ଲାର କେବି ହିଷ୍ଟ (ଡିଗ୍ରୀ) କଲେଜ ଓ ପ୍ରମିଳା ଦେବୀ ଡିଗ୍ରୀ କଲେଜ (ଦାରିଙ୍ଗିବାଡି) ପରିକ୍ରମା କରିବ। ଏହାସହ ଭ୍ୟାନ୍ ରାୟଗଡ଼ା ଜିଲ୍ଲାର ଡିଭାଇନ୍ ଡିଗ୍ରି କଲେଜ ଓ ଆଇଟିଆଇ ନୟାଗଡ଼ ପରିଦର୍ଶନ କରିବାକୁ ଥିବାବେଳେ, କେନ୍ଦୁଝର ଜିଲ୍ଲାର ବିଶ୍ୱ ବିନାୟକ ଡିଗ୍ରୀ କଲେଜ ଓ ବ୍ରଜବନ୍ଧୁ ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ଆଞ୍ଚଳିକ

ଭଞ୍ଜନଗର ଥାନାରେ ନୁତନ ଥାନା ଅଧିକାରୀଙ୍କ ଯୋଗଦାନ

ଭଞ୍ଜନଗର: ଭଞ୍ଜନଗର ଥାନାରେ ନୁତନ ଥାନା ଅଧିକାରୀ ଭାବେ ଭଗବାନ ପୁଜାରୀ ଯୋଗ ଦେଇଛନ୍ତି। ଶ୍ରୀ ପୁଜାରୀ ପୁର୍ବରୁ ଏହି ଥାନାରେ ଉପ ନୀରିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନାରୁ ଏହି ଥାନାକୁ ଆଇଆଇସି ଭାବେ ବଦଳି ହୋଇଛି।

ବିଶେଷ କରି ସହରର ଟ୍ରାଫିକ ସମସ୍ୟା ଓ ଆଇନ ଶ୍ରୁଙ୍ଖଳା ପରିସ୍ଥିତିର ସୁଧାର ଆଣିବା ସହ ସରକାରଙ୍କ ୫-ଟି ନିୟମ ଅନୁଯାୟୀ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ଓ ସେବା ଯୋଗାଇବା ପାଇଁ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ମୋଟ ୯ଟି ବ୍ଲକରେ ଏହି ଫଳ ଚାଷ କରାଯାଉଛି। ୨୦୨୦-୨୧ରୁ ବର୍ତ୍ତମାନ ସୁଦ୍ଧା ଏହି ଚାଷରେ ୧୧୭୦ରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ୧୯୦୦ରୁ ଅଧିକ ଏକର ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଚାଷ କରାଯାଉଛି। ୨୦୨୨-୨୩ରୁ ଲେମନ ଗ୍ରାସ୍ ଚାଷ ଲାଗି ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି।

“ମୋର ୫ ଏକର ଜମି ପଡ଼ିଆ ପଡ଼ିଥିଲା। ଏହା ପଥୁରିଆ ଥିବାରୁ ଏଥିରେ କୌଣସି ଚାଷ ହେଉ ନଥିଲା। ଏହି ଜମିରେ ଆମ୍ବ ଗଛ ଲଗାଇବାକୁ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ମତେ ବୁଝାଇଥିଲେ। ମୁଁ ସେଠି ଆମ୍ବ ଗଛ ଲଗାଇଥିଲି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଫଳ ଆସିଛି। ଏହାସହ ଇଣ୍ଟରକ୍ରପିଂରେ ତରଭୁଜ ଚାଷ ମଧ୍ୟ ମୁଁ କରିଛି”, କହନ୍ତି ଲେଫ୍ରିପଡ଼ା ବ୍ଲକର ସାହେବଡେରା ଗ୍ରାମର ମଧୁସୂଦନ ମାଝି।

“ମୁଁ କାଜୁ ଚାଷ କରିଛି। ମତେ କାଜୁ ଚାରା ଏବଂ ଖତ ସାର ଆଦି ମାଗଣାରେ ମିଳିଥିଲା। କାଜୁ ଗଛଗୁଡ଼ିକ ଏବେ ବଢ଼ି ଗଲାଣି। ଆସନ୍ତା ବର୍ଷକୁ ଫଳ ଆସିଯିବ। ଏହାକୁ ବିକ୍ରି କରି ଦି’ ପଇସା ଲାଭ କରିବି ବୋଲି ଆଶା ରହିଛି। ଏଥିପାଇଁ ସୁନ୍ଦରଗଡ଼ ଆଇଟିଡିଏକୁ ଧନ୍ୟବାଦ”, କହନ୍ତି ଟାଙ୍ଗରପାଲି ବ୍ଲକ୍ କେପସେ ଗ୍ରାମର ହିତାଧିକାରୀ ସୁଦର୍ଶନ ମାଝି।

ଫଳ ଚାଷ ପାଇଁ ହିତାଧିକାରୀମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମାଗଣାରେ ଚାରା ଓ ଜୈବିକ ସାର ଦିଆଯାଉଛି। ଏହି ଚାରାଗୁଡ଼ିକର ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଯୋଗାଇ ଦିଆଯାଉଛି। ଚାରା ଲଗାଇବାଠୁ ଆରମ୍ଭକରି ୩ ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ କରାଯାଉଛି। ଏ ବାବଦରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମଜୀବୀମାନଙ୍କୁ ମଜୁରି ସହାୟତା ଦିଆଯାଉଛି। ତା’ଛଡ଼ା ଜଳସେଚନ ସୁବିଧା ପାଇଁ ପ୍ରତି ୫ ଏକର ଜମିରେ ଗୋଟିଏ ଲେଖାଏଁ କୂଅ ଖୋଳାଯାଉଛି।

“ସୁନ୍ଦରଗଡ଼ ଆଇଟିଡିଏର ଏକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ହେଉଛି ଫଳ ଚାଷ। ଆଦିବାସୀ ବର୍ଗର ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ଯୋଡ଼ା ଯାଇଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଜୀବିକା ପାଇ ପାରୁଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ଫଳ ଚାରା ଫଳନ୍ତି ଅବସ୍ଥାକୁ ଆସିବା ଲାଗି ୨ରୁ ୩ ବର୍ଷ ସମୟ ଲାଗିଥାଏ। ଏହି ଅବଧି ଭିତରେ ଚାଷୀମାନଙ୍କୁ ରୋଜଗାର ଦେବା ପାଇଁ ମିଶନ ଜୀବିକା ଅଧୀନରେ ଇଣ୍ଟରକ୍ରପିଂକୁ ଗୁରୁତ୍ୱ ଦିଆଯାଉଛି। ଚାଷୀମାନେ ଆମ୍ବ, କାଜୁ ଓ ଲେମ୍ବୁ ବଗିଚା ଭିତରେ ଆଳୁ, ତରଭୁଜ, ଟମାଟୋ, ବାଇଗଣ, ଲଙ୍କା ଆଦି ଚାଷ କରିଛନ୍ତି। ଏହାକୁ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି’ ପଇସା ପାଉଛନ୍ତି।

ଏହି ଫଳ ଚାଷରେ ହିତାଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀଙ୍କ ସହ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ହିତାଧିକାରୀ ଚିହ୍ନଟ କରିବା ସହିତ ଫଳ ଚାଷ ଲାଗି ପଡ଼ିଆ ଜମିକୁ ପ୍ରସ୍ତୁତ କରିବାରେ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥାନ୍ତି।

ବର୍ତ୍ତମାନ ୭୯୪ ଜଣ ହିତାଧିକାରୀ ପ୍ରାୟ ୧୨୫୬ ଏକର ଜମିରେ ଆମ୍ବ ଚାରା ରୋପଣ କରିଛନ୍ତି। ସେହିପରି ୨୫୦ରୁ ଅଧିକ ହିତାଧିକାରୀ ୪୫୦ ଏକର ଜମିରେ କାଜୁ ଚାଷ କରିଥିବା ବେଳେ ୯୦ରୁ ଅଧିକ ହିତାଧିକାରୀ ପ୍ରାୟ ୧୪୦ ଏକର ଜମିରେ ଲେମ୍ବୁ ଚାଷ କରିଛନ୍ତି। ପ୍ରଥମ ଥର ପାଇଁ ୪୦ ଜଣ ହିତାଧିକାରୀ ୬୦ ଏକର ଜମିରେ ଲେମନ୍ ଗ୍ରାସ୍ ଚାଷ କରିଛନ୍ତି।

Categories
ବିଶେଷ ଖବର

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ: ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟିର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ଭୁବନେଶ୍ବର: ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦ‌ଘାଟନ କରିଛନ୍ତି। ୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍‌ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି। ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ। ଏଠାରେ ଫୁଟବଲ ସମେତ ଡ୍ରାଗ୍‌ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ। ଏଥିସହିତ ଏଠାରେ ନିର୍ମିତ ସୁଇମିଂ ପୁଲରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ଏହା ସହିତ ୨ମହଲା ବିଶିଷ୍ଟ ମଲ୍ଟି ଲେବଲ୍‌ କାର‌ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି।

ଆଜିର ଏହି ଷ୍ଟାଡିୟମ୍‌ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କ ପାଇଁ ଏହି ଷ୍ଟାଡିୟମ‌ ଉତ୍ସର୍ଗୀକୃତ କରିବା ସହ ଉପସ୍ଥିତ ହଜାର ହଜାର ଜନସଧାରଣଙ୍କୁ ଷ୍ଟାଡିୟମ‌ର ଉଦ୍‌ଘାଟନ ନେଇ ଆପଣମାନେ ଖୁସି ତ? ପଚାରିଥିଲେ।

ପ୍ରତିତ୍ତ୍ୟୁରରେ ଲୋକମାନେ ବହୁତ ଖୁସି ଥିବା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ଖୁସିରେ ସେ ଖୁସି ଥିବା କହିଥିଲେ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ, ପରିମଳ, କୃଷି ଏବଂ ପର୍ଯ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସେଗୁଡିକ ହେଲା ୫୩.୫୩ କୋଟି ଟଙ୍କାର ପାନପୋଷଠାରେ ବଜାର ଗୃହ ନିର୍ମାଣ, ୧୧.୭୭ କୋଟି ଟଙ୍କାର ଆସ୍ଥା ଗୃହ (ମାନସିକ ରୋଗ ରେ ପୀଡିତ ମହିଳାଙ୍କ ପାଇଁ), ୨୩୨ କୋଟି ଟଙ୍କାର ୫ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଳକ୍‌ର ଉଜ୍ଜଳପୁର ଠାରେ ୨.୫୫ କୋଟି ଟଙ୍କା ମୂଲ୍ୟର ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ୩୩.୯୦ କୋଟି ଟଙ୍କାର ୧୪ ଗୋଟି ଅନୁସୂଚିତ ଜାତି ଓ ଜନଜାତି/ପଛୁଆ ବର୍ଗଙ୍କ ନିମନ୍ତେ ଛାତ୍ରାବାସ, ୨୩୭.୨୦ କୋଟି ଟଙ୍କାର ୬୬ ଗୋଟି ରାସ୍ତା ପ୍ରକଳ୍ପ, ୧୧.୫୦ କୋଟି ଟଙ୍କାର ୨୭୩ ଗୋଟି ପଞ୍ଚାୟତସ୍ତରୀୟ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଗୋଟିଏ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସରଫଗଡ଼ ଠାରେ ୭୫ ଲକ୍ଷ ଟଙ୍କାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ୬.୪୭ କୋଟି ଟଙ୍କାରେ ନିର୍ମିତ ୨୩ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର, ୬୩.୨୯ କୋଟି ଟଙ୍କାରେ ନିର୍ମିତ ୪୭ ଗୋଟି ଗୋଷ୍ଠୀ ସଭା ଗୃହ, ୨୫.୩୭ କୋଟି ଟଙ୍କାରେ ନିର୍ମିତ ୮୫ ଗୋଟି ବିଦ୍ୟାଳୟ ଗୃହ, ୧.୩୪ କୋଟି ଟଙ୍କାରେ ନିର୍ମିତ ୩ଟି ଗୋଷ୍ଠୀ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଏହା ସହିତ ୬୬.୯୩ କୋଟି ଟଙ୍କାର ବ୍ୟାୟରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ଯ୍ୟ , ୮.୭୯ କୋଟି ଟଙ୍କାରେ ହେବାକୁ ଥିବା ୨୯ ଗୋଟି ଗୋଷ୍ଠୀ ସଭା ଗୃହ, ୩୫.୨୬ କୋଟି ଟଙ୍କା ମୂଲ୍ୟରେ ହେବାକୁ ଥିବା ୭୩ ଗୋଟି ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ‌ ଠାରେ ହେବାକୁ ଥିବା ପ୍ରକୃତି ପର୍ଯ୍ୟଟନସ୍ଥଳର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ‌, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ୍‌ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ କର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ମହାଜନ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

“ମିଶନ ଶକ୍ତି କାଫେ”: ଏସଏଚଜି ମା’ଙ୍କୁ ଜୀବିକା, ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକଙ୍କୁ ମିଳୁଛି ଖାଦ୍ୟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି “ମିଶନ ଶକ୍ତି କାଫେ”। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟାରେ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ ମିଳୁଛି।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି। ଏହି “କାଫେ” ପରିଚାଳନା କରି ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି।

“ଆଗରୁ ଆମେ ପାରମ୍ପରିକ କାମରେ ନିୟୋଜିତ ଥିଲୁ। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ମିଶନ ଶକ୍ତି କାଫେ ଚଲାଉଛୁ। ଲୋକମାନଙ୍କ ଚାହିଦା ଅନୁଯାୟୀ ଏଠାରେ ଆମେ ଖାଦ୍ୟ ପ୍ରସ୍ତୁତ କରୁଛୁ। ଘରୋଇ ପରିବେଶ ଭିତରେ ଲୋକମାନେ ଯେମିତି ଭଲ ଖାଦ୍ୟ ପାଇପାରିବେ ତା’ ଉପରେ ଆମେ ଧ୍ୟାନ ଦେଉଛୁ’, କହନ୍ତି କୁତ୍ରା ବ୍ଲକର ଜଣେ ଏସଏଚଜି ମା’ ନିଲିମା କୁଲ୍ଲୁ।

“ମିଶନ ଶକ୍ତି କାଫେ ପରିଚାଳନା ପାଇଁ ଆମକୁ ଚୟନ କରାଯିବା ପରେ ସୁନ୍ଦରଗଡ଼ଠାରେ ତାଲିମ ଦିଆଯାଇଥିଲା। “କାଫେ”କୁ ସଫା ସୁତୁରା ରଖିବା ସହ କିପରି ଖାଦ୍ୟ ପ୍ରସ୍ତୁତ କରାଯିବ ସେନେଇ ଆମେ ପ୍ରଶିକ୍ଷଣ ନେଇଥିଲୁ। ଏବେ ଏହି କାଫେ ପରିଚାଳନା କରି ଆମେ ଭଲ ରୋଜଗାର କରିପାରୁଛୁ’, କହନ୍ତି ବିଶ୍ରା ବ୍ଲକର ଆଉ ଜଣେ ଏସଏଚଜି ମହିଳା ମମିନା କୁଜୁର।

ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ୨୦୨୧ରେ “ଉତ୍କଳ କିଚେନ” ଖୋଲାଯାଇଥିଲା। ଉତ୍କଳ କିଚେନ ପାଇଁ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ପରବର୍ତ୍ତି ସମୟରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ “ମିଶନ ଶକ୍ତି କାଫେ” ଖୋଲାଯାଇଛି। ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ମିଶନ ଶକ୍ତି କାଫେରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ର‌୍ୟା ୬ଟା ପର୍ଯ୍ୟନ୍ତ ଏହି କାଫେ ଖୋଲାରହୁଛି।

ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି, ପକଡ଼ି ଓ ସିଙ୍ଗଡ଼ା ଆଦି ତିଆରି କରାଯାଉଛି।

“ଆଗରୁ ମୁଁ ବିଭିନ୍ନ ହୋଟେଲରେ ଖାଉଥିଲି। ହେଲେ ସେଠାରେ ତେଲ ମସଲା ଅଧିକ ବ୍ୟବହାର ହେଉଥିବାରୁ ଦେହ ଖରାପ ହେଉଥିଲା। ଯେବେଠୁ ମିଶନ ଶକ୍ତି କାଫେ ଖୋଲିଲାଣି ସେବେଠୁ ମୁଁ ଏଠାରେ ନିୟମିତ ଖାଉଛିୟ ଖାଇବା ଭଲ ଲାଗୁଛି’, କହନ୍ତି ବିଶ୍ରା ବ୍ଲକର ଜଣେ ଯୁବକ ବିଶ୍ୱରଞ୍ଜନ ଦାସ।

“କାଫେ ପରିଚାଳନା କରୁଥିବା ମହିଳାମାନେ ପରିବେଶକୁ ସଫା ସୁତୁରା ରଖୁଛନ୍ତି। ଫଳରେ ଏଠାରେ ବସି ଖାଇବାକୁ ଭଲ ଲାଗୁଛି। ସେମାନଙ୍କ ବ୍ୟବହାର ଭଲ ହୋଇଥିବାରୁ ଘରେ ବସି ଖାଇବା ଭଳି ଲାଗୁଛି”, କହନ୍ତି କୁତ୍ରା ବ୍ଲକର ଜଣେ ଗ୍ରାହକ ମନ୍ଦାକିନୀ ପଟେଲ।

ଏହି କାଫେ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବାରେ “ମିଶନ ଶକ୍ତି କାଫେ” ବଡ଼ ମାଧ୍ୟମ ପାଲଟିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳର ବଢୁଛି ଚାହିଦା

ସୁନ୍ଦରଗଡ଼: ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି।

ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକରେ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି “ବନ ଧନ ବିକାଶ କେନ୍ଦ୍ର” ବା ଭିଡିଭିକେ ୟୁନିଟ୍ ଗଠନ କରାଯାଇଛି। ଏହା ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନଙ୍କୁ ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଏହି ଭିଡିଭିକେ ୟୁନିଟଗୁଡ଼ିକ ମାଧ୍ୟମରେ ଜିଲ୍ଲାର ଆଦିବାସୀ ବର୍ଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ବଜାରରେ ଏହି ରେଡ୍ ରାଇସ୍ ବା ପୁଷ୍ଟିଯୁକ୍ତ ଚାଉଳର ଭଲ ଚାହିଦା ରହିଛି। ଏଥିରେ ପୋଷଣ ଗୁଣ ରହିଥିବାରୁ ସାଧାରଣ ଚଉଳଠାରୁ ଏହା ଅଧିକ ଦାମରେ ବିକ୍ରି ହେଉଛି।

ପ୍ରତି ଭିଡିଭିକେ ୟୁନିଟରେ ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯାଇଛି। ଫଳରେ ପ୍ରତି ୟୁନିଟ ଅଧୀନରେ ୩୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଢିଙ୍କିକୁଟା ଚାଉଳ ଉତ୍ପାଦନ ପାଇଁ ପ୍ରତି ଦୁଇ ଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଗୋଟିଏ କରି ପାରମ୍ପରିକ ଢିଙ୍କି ଯୋଗାଇ ଦିଆଯାଉଛି।

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୨୦୦ ମହିଳାଙ୍କ ପାଇଁ ୬୦୦ଟି ଢିଙ୍କି ଯୋଗାଇ ଦିଆଯାଇଛି। ଏହାସହ ସେମାନଙ୍କୁ ଓଜନ ମାପ ଓ ପ୍ୟାକେଜିଂ ମେସିନ ମଧ୍ୟ ଦିଆଯାଉଛି।

“ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଟିଡିଏ ପକ୍ଷରୁ ଆମକୁ ଢିଙ୍କି ମିଳିଛି। ସେଥିରେ ଆମେ ଲୁସରି ଧାନକୁ କୁଟି ନାଲି ଚାଉଳ ବାହାର କରୁଛୁ। ତାହାକୁ ବିକି ଭଲ ଦି’ ପଇସା ପାଉଛୁ”, କହିଛନ୍ତି ଲେଫ୍ରିପଡ଼ା ବ୍ଲକ୍ ସାହେବଡେରା ଗ୍ରାମରେ ଥିବା ତ୍ରିବେଣୀ ଭିଡିଭିକେ ୟୁନିଟର ସଦସ୍ୟା ଚଞ୍ଚଳା ନାଏକ।

ଭିଡିଭିକେ ସଦସ୍ୟାମାନେ ଢିଙ୍କି କୁଟି ଧାନରୁ ପୁଷ୍ଟିଯୁକ୍ତ ଚାଉଳ ବାହାର କରୁଛନ୍ତି। ତାକୁ ଓଜନ ମେସିନରେ ମାପି ପରେ ତା’ର ପ୍ୟାକେଜିଂ କରୁଛନ୍ତି। ବଜାରରେ ସାଧାରଣ ଚାଉଳ ଅପେକ୍ଷା ଏହି ଢିଙ୍କିକୁଟା ଚାଉଳ କିଲୋଗ୍ରାମ୍ ପିଛା ପ୍ରାୟ ୩ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେଣୁ ବଜାରରେ ଏହାର ଚାହିଦା ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମା’ମାନଙ୍କ ପାଇଁ ଏହା ଏକ ଭଲ ରୋଜଗାରର ବାଟ ହୋଇପାରିଛି।

“ଢିଙ୍କିକୁଟା ଚାଉଳ ଉତ୍ପାଦନ କରିବା ପାଇଁ ଆମକୁ ଆଇଟିଡିଏ ପକ୍ଷରୁ ତାଲିମ ଦିଆଯାଇଛି। ଢିଙ୍କି ସହ ବିଭିନ୍ନ ମେସିନ ମଧ୍ୟ ଦିଆଯାଇଛି। ଧାନକୁ କୁଟି ନାଲି ଚାଉଳ କରିବା ପରେ ତାକୁ ପ୍ୟାକେଜିଂ କରି ଆମେ ସ୍ଥାନୀୟ ବଜାର ଓ ବିଭିନ୍ନ ମେଳାରେ ବିକୁଛୁ”, କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପୁଷ୍ପା ମାଝି।

ରାଜ୍ୟରେ ବିଭିନ୍ନ ଆଦିବାସୀ କ୍ଷେତ୍ରରେ “ବନ ଧନ ବିକାଶ” କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ ସହ ଖଲିପତ୍ର ସିଲେଇ ଏବଂ ବିଭିନ୍ନ ବନଜାତ ଦ୍ରବ୍ୟରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ଜୀବିକା କାର୍ଯ୍ୟକ୍ରମ ଫଳରେ ସ୍ଥାୟୀ ରୋଜଗାର ବିବା ସହ ସେମାନଙ୍କ ଜୀବନଧାରଣ ମାନରେ ମଧ୍ୟ ବିଶେଷ ଉନ୍ନତି ଆସିପାରୁଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଉରକେଲାରେ ଜାନୁଆରି ୧୫ରୁ ୨୭ ଯାଏଁ “ସରସ ମେଳା”

ରାଉରକେଲା: ହକି ବିଶ୍ୱକପ୍ ଅବସରରେ ରାଉରକେଲା ଭଞ୍ଜ ଭବନସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ “ସରସ ମେଳା” ଆୟୋଜନ କରାଯିବ। ଜାନୁଆରି ୧୫ରୁ ୨୭ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ମେଳା ଚାଲିବ। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀ ଯୋଗଦେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବା ସହ ବିକ୍ରି କରିବାର ସୁଯୋଗ ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସରସ ମେଳା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ସରସ ମେଳାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

“୧୩ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୨୫୦ଟି ଷ୍ଟଲ ପଡ଼ିବ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଜାତୀୟ ସ୍ତରର ମେଳା ଆୟୋଜନ କରାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ମେଳାକୁ ସଫଳ କରିବା ଲାଗି ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିବା ଆବଶ୍ୟକ”, କହିଛନ୍ତି ମନୋଜ ସତ୍ୟବାନ ମହାଜନ।

ଏହି ସରସ ମେଳାର କିପରି ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେନେଇ ବିଶେଷ ଧ୍ୟାନ ଦେବାକୁ ଶ୍ରୀଯୁକ୍ତ ମହାଜନ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଉଛି। ଏଥିରେ ସୁନ୍ଦରଗଡ଼ ସହିତ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହେବେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟେରାକୋଟା ସାମଗ୍ରୀ, ଢୋକ୍ରା କାଷ୍ଟିଙ୍ଗ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରୟ ହୋଇପାରିବ।

ସେହିପରି ଉତ୍ତରପ୍ରଦଶର କାଗଜ ପ୍ରସ୍ତୁତ ସାମଗ୍ରୀ, ଆସାମ ଓ ତ୍ରିପୁରାର ବେତ ଓ ବାଉଁଶ ପ୍ରସ୍ତୁତ ସାମଗ୍ରୀ, ମଣିପୁର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ ଓ କଶ୍ମୀରର ଉଲ୍ ପୋଷାକ, ପଶ୍ଚିମବଙ୍ଗର ଝୋଟ ପ୍ରସ୍ତୁତ ସାମଗ୍ରୀ, ମଣିପୁରର ଶୁଖିଲା ଫୁଲ, ଆନ୍ଧ୍ରପ୍ରଦେଶ ଓ କେରଳର ପ୍ରସିଦ୍ଧ ହସ୍ତତନ୍ତ ସାମଗ୍ରୀ ଏହି ସରସ ମେଳାର ମୁଖ୍ୟ ଆକର୍ଷଣ ପାଲଟିବ।

ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବୟ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ କଳାକାରମାନେ ଏଥିରେ ସାମିଲ ହେବେ। ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟର ଝଲକ୍ ଦେଖିବାକୁ ମିଳିବ।

ହକି ପୁରୁଷ ବିଶ୍ୱକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି। ମେଳାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ ସେନେଇ ବିଶେଷ ବ୍ୟବସ୍ଥା କରାଯାଉଛି। ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ସାନ ସାନ ପିଲାଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବିଭିନ୍ନ କର୍ମଶାଳା ଆୟୋଜନ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଓରମାସର ଡେପୁଟି ସିଇଓ କେଶବ ଝା, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମାଫାତିମା ଏକ୍କା ଯୋଗ ଦେଇଥିଲେ।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ନବୀନ ନିବସରେ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ହକିର ମାହୋଲ। ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ କରାଯାଇଛି। ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିଅମ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ମଧ୍ୟ ନିର୍ମିତ ହୋଇଛି। ସେଠାରେ ଖେଳାଯିବ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ। ତେଣୁ ପୁରା ସୁନ୍ଦରଗଡ ଜିଲ୍ଲାରେ ବିପୁଳ ଉତ୍ସାହ ଦେଖାଦେଇଛି।

ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଚଳିତ ଥର ବିଶ୍ବକପ୍‌ର ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ ଉତ୍ସବ ମୁଖର ହୋଇଉଠିଛି। ସମସ୍ତେ ବିଶେଷ କରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ। ବିଶ୍ବକପ୍‌ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜି ଶହ ଶହ ଯୁବକ ସାଇକେଲ ଯୋଗେ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ରାଉରକେଲାରେ ବିଶ୍ବକପର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସେମାନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେହିପରି ଆସନ୍ତାକାଲି କଟକରେ ଆୟୋଜିତ ହେଉଛି ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ। ଐତିହ୍ୟ ସହର କଟକକୁ ବିଶ୍ବକପ୍‌ ହକି ଆୟୋଜନରେ ସିଧାସଳଖ ଯୋଡି ଥିବାରୁ ପୂର୍ବତନ ବିଧାୟକ ତଥା କଟକ ନଗର ଶାନ୍ତି କମିଟିର ଅଧ୍ୟକ୍ଷ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ।

ବିଶ୍ବକପ୍‌ ହକି ଉଦ୍‌ଘାଟନୀ ସମାରୋହ ସଫଳ ଭାବେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କଟକ ସହରବାସୀଙ୍କ ସହଯୋଗ କାମନା କରିଥିଲେ।

Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ଭାରତର ପ୍ରସିଦ୍ଧ ହକି ଗାଁ ସଉନାମରାରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଏବଂ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ

ସୁନ୍ଦରଗଡ଼: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଉତ୍ସବମୁଖର ହୋଇଉଠିଛି। ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ଆଗେଇ ଆସିଛି। ଭାରତୀୟ ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକର ସଉନାମରା ଗାଁରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତ ସ୍ତରରେ ଏକାସାଙ୍ଗେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତକୁ ଯୋଡ଼ି ଏହି ବ୍ୟାପକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ହକି ଲାଗି ୮୦୦ରୁ ଅଧିକ ଏବଂ ଫୁଟବଲ ଲାଗି ୧୧୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି। ପ୍ରାୟ ୧ ମାସ ଧରି ଏହି ପ୍ରତିଯୋଗିତା ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ସଉନାମରା ହାଇସ୍କୁଲ ପଡ଼ିଆଠାରେ ମଙ୍ଗଳବାର ଦିନ ଏହି ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଉତ୍ସବରେ ସଉନାମରା ଗାଁର ପୁଅ ତଥା ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଗାଁର ଝିଅ ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘‘ଆମ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ହେବାକୁ ଯାଉଛି। ଏଥିପାଇଁ ରାଉରକେଲାରେ ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ବିଶ୍ୱକପ ହେବା ଫଳରେ ସୁନ୍ଦରଗଡ଼ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପାଇବ। ଗାଁ ଗହଳିରେ ହକି ଖେଳୁଥିବା ପିଲାଙ୍କ ସୁବିଧା ପାଇଁ ବ୍ଲକ ସ୍ତରରେ ହକି ଟର୍ଫ କରାଯାଉଥିବାରୁ ଆଗାମୀ ଦିନରେ ଅନେକ ପ୍ରତିଭାବାନ ଖେଳାଳି ବାହାରିପାରିବେ’’, କହିଛନ୍ତି ଶ୍ରୀଯୁକ୍ତ ଜୁଏଲ ଓରାମ।
‘‘ମୁଁ ଆଜି ଯେଉଁ ବିଶେଷ ପରିଚୟ ପାଇଛି ତାହା କେବଳ ମୋ’ ଜନ୍ମ ମାଟି ସଉନାମରା ପାଇଁ। ଏଇ ଗାଁ ପଡ଼ିଆରେ ହକି ଖେଳି ଦିନେ ମୁଁ ଭାରତୀୟ ଟିମରେ ସାମିଲ ହୋଇପାରିଥିଲି। ଏବେ ସଉନାମରା ସହ ଜିଲ୍ଲାର ଅନ୍ୟ ଗାଁର ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ସୁନ୍ଦରଗଡ଼ ଏବଂ ଓଡ଼ିଶା ପାଇଁ ଗୌରବ ଆଣିପାରିଛନ୍ତି’’, ଏହି ଅବସରରେ କହିଛନ୍ତି ଦିଲ୍ଲୀପ ତିର୍କୀ।

‘‘ହକି ବିଶ୍ୱକପକୁ ସ୍ୱାଗତ କରିବା ପାଇଁ ଜିଲ୍ଲାବ୍ୟାପି ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ସ୍କୁଲ, କଲେଜ ସ୍ତରରେ ମଧ୍ୟ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯିବ। ଜନସାଧାରଣଙ୍କ ସହଯୋଗରେ ବିଶ୍ୱକପକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ଜିଲ୍ଲାବ୍ୟାପି ହେଉଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଡ଼ି ହେବା ଲାଗି ଜିଲ୍ଲାପାଳ ଏହି ଅବସରରେ ଅନୁରୋଧ କରିଛନ୍ତି।

ସଉନାମରାଠାରେ ଅନୁଷ୍ଠିତ ଉତ୍ସବରେ ତଲସରାର ମାନ୍ୟବର ବିଧାୟକ ଭବାନୀଶଙ୍କର ଭୋଇ, ବଣାଇଁର ମାନ୍ୟବର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଏସପି ସାଗରିକା ନାଥ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ହକି ଷ୍ଟିକରେ ବଲକୁ ମାରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ପରେ ପରେ ମହିଳା ଓ ପୁରୁଷ ଉଭୟ ବର୍ଗରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ କରାଯାଇଥିଲା।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଆଦିବାସୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ତା’ଛଡ଼ା ‘ହକି ଭିଲେଜ’ ଭାବେ ପରିଚିତ ସଉନାମରା ଗାଁର କ୍ରୀଡ଼ା ଇତିହାସ ଉପରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଦର୍ଶନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ଜୟନ୍ତୀ ଏକ୍କା ଓ ବେଲମତି ଧରୁଆ, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷ କୁଞ୍ଜଲତା ଭିତିରିଆ, ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ, ସଉନାମରା ସରପଞ୍ଚ ଚୁଲୁ ବାର୍ଲାଙ୍କ ସହିତ ସ୍କୁଲ ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ହକି ବିଶ୍ୱକପ ପାଇଁ ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ଛାତ୍ରଛାତ୍ରୀଙ୍କ ଭିତରେ ବ୍ୟାଡମିଣ୍ଟନ, ଭଲିବଲ, କବାଡ଼ି, ଖୋଖୋ, ହକି ଏବଂ ଫୁଟବଲ ପ୍ରତିଯୋଗିତା କରାଯାଇ ଜିଲ୍ଲାବ୍ୟାପି ଏକ କ୍ରୀଡ଼ାର ପରିବେଶ ସୃଷ୍ଟି କରାଯିବ। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ସର୍ଜନାତ୍ମକ ପ୍ରତିଯୋଗିତା ମଧ୍ୟ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଆଦିବାସୀ ନୃତ୍ୟ, ଲୋକନୃତ୍ୟ ଏବଂ ଲୋକସଙ୍ଗୀତ ଦଳ ରହିଛନ୍ତି। ହକି ବିଶ୍ୱକପ ଅବସରରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯିବ। ଏହି ସାଂସ୍କୃତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ।

Categories
ଆଜିର ଖବର

“ସ୍ପିରୁଲିନା ଓ ମାଣ୍ଡିଆ ଲଡୁ” କାର୍ଯ୍ୟକ୍ରମ: ଶିଶୁଙ୍କ ପୋଷଣ ସୁନିଶ୍ଚିତ ସହ ଏସ୍‌ଏଚ୍‌ଜି ମା’ଙ୍କ ପାଇଁ ଜୀବିକା

ସୁନ୍ଦରଗଡ଼: “ମୋ ଝିଅର ସ୍ୱାସ୍ଥ୍ୟ ଦୁର୍ବଳ ଥିଲା। ଯାହା ଖାଇଲେ ବି ତା’ର ଓଜନ ବଢ଼ୁ ନଥିଲା। ଗତ ୬ ମାସ ହେଲା ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛି। ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ ଲଡୁ ଖାଇବା ଫଳରେ ଏବେ ତା’ର ଓଜନ ଧୀରେ ଧୀରେ ବଢୁଛି। ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମଧ୍ୟ ସେ ଆଗ୍ରହ ଦେଖାଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ କଲେଇପୋଷ ଗ୍ରାମର ଦଶମୀ ମୁଣ୍ଡା।

ଦଶମୀଙ୍କ ଝିଅ ପ୍ରିୟଙ୍କା ମୁଣ୍ଡାଙ୍କ ବୟସ ଏବେ ୪ ବର୍ଷ। ଜନ୍ମ ହେବା ପରେ ପ୍ରିୟଙ୍କାର ଓଜନ ଅପେକ୍ଷାକୃତ କମ୍ ରହିଥିଲା। ତାକୁ ନିୟମିତ ଭିଟାମିନଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଲାଗି ଡାକ୍ତର କହିଥିଲେ। ତେବେ ଏହା ପ୍ରିୟଙ୍କାର ବାପା, ମା’ଙ୍କ ପକ୍ଷରେ ସମ୍ଭବ ନଥିଲା। ୩ ବର୍ଷ ବୟସରେ ପ୍ରିୟଙ୍କା ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଫଳରେ ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ ଲଡ଼ୁ ଖାଉଛି। ଆଗ ଅପେକ୍ଷା ତା’ର ଓଜନ ଏବଂ ଉଚ୍ଚତାରେ ବୃଦ୍ଧି ପରିଲକ୍ଷିତ ହେଉଛି।

ପ୍ରିୟଙ୍କା ୨୦୨୧ ଅଗଷ୍ଟ ମାସରେ ଅଙ୍ଗନବାଡ଼ିକୁ ଆସିଥିଲା। ସେତେବେଳେ ତା’ ଓଜନ ୮.୯ କିଲୋଗ୍ରାମ ରେକର୍ଡ କରାଯାଇଥିଲା। ୨୦୨୨ ଅକ୍ଟୋବର ସୁଦ୍ଧା ପ୍ରିୟଙ୍କାର ଓଜନରେ ପ୍ରାୟ ୨ କିଲୋଗ୍ରାମ ବୃଦ୍ଧି ହୋଇଛି। ଏବେ ତା’ର ଓଜନ ୧୦.୯ କିଲୋଗ୍ରାମ ରେକର୍ଡ କରାଯାଇଛି। ସେହିପରି ବର୍ଷକ ତଳେ ପ୍ରିୟଙ୍କାର ଉଚ୍ଚତା ୮୮ ସେଣ୍ଟିମିଟର ରହିଥିବା ବେଳେ ଏବେ ୯୧ ସେଣ୍ଟିମିଟର ରେକର୍ଡ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ କରାଯାଇଛି। ଏହା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପିଲାମାନଙ୍କୁ ସ୍ପିରୁଲିନା ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଛି।

“ଆଗରୁ ମୋ’ ଝିଅ ଫୂର୍ତ୍ତି ନଥିଲା। ତା’ର ଓଜନ ଓ ଉଚ୍ଚତା କମ୍ ଥିଲା। ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଫଳରେ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ଖାଉଛି। ଆଗ ଅପେକ୍ଷା ତା’ର ଓଜନ ଏବଂ ଉଚ୍ଚତା ମଧ୍ୟ ବଢ଼ିଛି”, କହନ୍ତି ଲାଠିକଟା ବ୍ଲକ ଚିକଟମାଟି ଗାଁର ଜଣେ ହିତାଧିକାରୀଙ୍କ ମା’ ସଙ୍ଗୀତା ତନ୍ତୀ।

୨୦୨୦ ଅଗଷ୍ଟ ମାସ ୧୫ ତାରିଖରେ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ଲେଫ୍ରିପଡ଼ା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସ୍ପିରୁଲିନା ଓ ହେମଗିର ବ୍ଲକରେ ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳକୁ ସଂପ୍ରସାରଣ କରାଯାଇଥିଲା। ଫଳରେ ୧ ଲକ୍ଷ ୩୫ ହଜାରରୁ ଅଧିକ ଶିଶୁ ସ୍ପିରୁଲିନା ଏବଂ ୬୩ ହଜାରରୁ ଅଧିକ ଶିଶୁ ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ବିଶେଷ ସଫଳତା ଦେଖିବାକୁ ମିଳୁଛି । ୨୦୨୦ ଅଗଷ୍ଟ ମାସରେ ଜିଲ୍ଲାରେ ପୋଷଣ ହାର ୮୫.୬୪ ପ୍ରତିଶତ ରହିଥିଲା। ଏବେ ଏହା ବୃଦ୍ଧି ପାଇ ୮୮.୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଅପେକ୍ଷାକୃତ ପୁଷ୍ଟିହୀନତା ହାର ୧୩.୪ ପ୍ରତିଶରୁ ହ୍ରାସ ପାଇ ୧୦.୬ ପ୍ରତିଶତରେ ପହଞ୍ଚିଛି”, କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚ୍ର।

ଏହି ପୋଷଣ କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରମୁଖ ଭୂମିକା ରହିଛି। ଅଙ୍ଗନବାଡ଼ି ଦିଦିମାନେ କେନ୍ଦ୍ରରେ ପିଲାମାନଙ୍କୁ ମାଣ୍ଡିଆ ଲଡ଼ୁ ଏବଂ ସ୍ପିରୁଲିନା ଚିକି ଖାଇବାକୁ ଦେଉଛନ୍ତି। ଯେଉଁମାନେ ଅଙ୍ଗନବାଡ଼ିକୁ ଆସୁ ନାହାନ୍ତି (୭ ମାସରୁ ୨ ବର୍ଷ ବୟସର ଶିଶୁ) ସେମାନଙ୍କ ଘରକୁ ଯାଇ ସ୍ପିରୁଲିନା ଚିନି ଦିଆଯାଉଛି।

ଏହି ପୋଷଣଯୁକ୍ତ ଖାଦ୍ୟ ଖାଇବା ଫଳରେ ପିଲାମାନଙ୍କ ଶାରୀରିକ ଅଭିବୃଦ୍ଧି କିପରି ଘଟୁଛି ତାହା ଅଙ୍ଗନବାଡ଼ି କର୍ମୀମାନେ ଅନୁଧ୍ୟାନ କରୁଛନ୍ତି। ନିୟମିତ ବ୍ୟବଧାନରେ ପିଲାମାନଙ୍କର ଉଚ୍ଚତା, ଓଜନ ଏବଂ ବାହୁ ମାପ ଆଦି ରେକର୍ଡ କରାଯାଉଛି।

“ଅଙ୍ଗନବାଡ଼ି କେନ୍ଦ୍ରରେ ଆମେ ପିଲାମାନଙ୍କୁ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ଖାଇବାକୁ ଦେଉଛୁ । ପିଲାମାନେ ମଧ୍ୟ ଏହାକୁ ଖାଇବା ଲାଗି ବିଶେଷ ଆଗ୍ରହ ଦେଖାଉଛନ୍ତି। ଏହା ଦ୍ୱାରା ସେମାନଙ୍କର ପୋଷଣ ଆବଶ୍ୟକତା ପୂରଣ ହୋଇପାରୁଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଅଙ୍ଗନବାଡ଼ି କର୍ମୀ ଅନୁରାଧା ମିଞ୍ଜ।

ସୁପରଫୁଡ୍ ସ୍ପିରୁଲିନା

ଶିଶୁଙ୍କ ପୋଷଣ ପାଇଁ ସ୍ପିରୁଲିନା ଭଳି ସୁପର ଫୁଡ୍ ବ୍ୟବହାର କରିବାରେ ସୁନ୍ଦରଗଡ଼ ହେଉଛି ରାଜ୍ୟର ପ୍ରଥମ ଜିଲ୍ଲା। ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନେ ଏହାକୁ କିପରି ଆଗ୍ରହର ସହ ଖାଇବେ ସେଥିପାଇଁ ସ୍ପିରୁଲିନାଯୁକ୍ତ ଚିନି ଓ ଚିକି ପ୍ରସ୍ତୁତ କରାଯାଉଛି। ଚିନାବାଦାମ ସହ ଗୁଡ଼ କିମ୍ବା ଚିନିରେ ସ୍ପିରୁଲିନା ପାଉଡର ମିଶ୍ରଣ କରାଯାଇ ସ୍ପିରୁଲିନା ଚିକି ତିଆରି କରାଯାଉଛି। ସେହିପରି ଚିନି ଦାନାରେ ସ୍ପିରୁଲିନା ପାଉଡର ମିଶାଇ ସ୍ପିରୁଲିନାଯୁକ୍ତ ଚିନି ପ୍ରସ୍ତୁତ କରାଯାଉଛି।

ସ୍ପିରୁଲିନାରେ ପ୍ରଚୁର ପରିମାଣର ପୋଷଣଯୁକ୍ତ ପଦାର୍ଥ – ଆମିନୋ ଏସିଡ୍‌, ଶ୍ୱେତସାର, ସ୍ନେହସାର ଆଦି ରହିଛି। ତେଣୁ ଏହାକୁ ପୋଷଣର “ପାୱାର ହାଉସ୍‌’ ବୋଲି କୁହାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଯୋଡ଼ା ଯାଇଛି। ମାଣ୍ଡିଆ ଲଡ଼ୁ ମିକ୍ସ ଏବଂ ସ୍ପିରୁଲିନା ଚିକି ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି।

ସ୍ପିରୁଲିନା ଚିକି ପ୍ରସ୍ତୁତି ଲାଗି ବର୍ତ୍ତମାନ ଜିଲ୍ଲାର ୫ଟି ସ୍ଥାନର ସ୍ୱତନ୍ତ୍ର ୟୁନିଟ୍ ରହିଛି। ଆଗରୁ କେବଳ ସୁନ୍ଦରଗଡ଼ ଏବଂ ରାଉରକେଲାରେ ଚିକି ପ୍ରସ୍ତୁତ କରାଯାଉଥିଲା। ନିକଟରେ ବଣାଇଁ, ନୂଆଗାଁ ଏବଂ ରାଜଗାଙ୍ଗପୁର ବ୍ଲକକୁ ଏହା ସଂପ୍ରସାରଣ କରାଯାଇଛି। ସ୍ପିରୁଲିନା ଚିନି ଏବେ ସୁନ୍ଦରଗଡ଼କୁ ରାଜ୍ୟ ବାହାରୁ ଆସୁଛି।

ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ସ୍ପିରୁଲିନା ଚାଷ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିରେଇସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରଠାରେ ଏନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଏଥିରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନିୟୋଜିତ କରାଯିବ।

ସେହିପରି ମାଣ୍ଡିଆ ଲଡୁ ମିକ୍ସ ପ୍ରସ୍ତୁତିରେ ମିଶନଶକ୍ତି ମା’ ମାନଙ୍କୁ ଯୋଡ଼ା ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ମିକ୍ସ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଆଉ ୭୩ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ- ୭

ଦେବଗଡ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୬

ଖୋର୍ଦ୍ଧା ଜିଲ୍ଲାରୁ- ୮

ମୟୂରଭଞ୍ଜ ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୮

ସମ୍ବଲପୁର ଜିଲ୍ଲାରୁ- ୭

ସୁନ୍ଦରଗଡ ଜିଲ୍ଲାରୁ- ୧୪

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୬୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୮୭୩ ଏବଂ ବର୍ତ୍ତମାନ ୫୦୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଆଉ ୬୩ ଲୋକ ସଂକ୍ରମିତ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୨

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୧

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୩

ନବରଙ୍ଗପୁର ଜିଲ୍ଲାରୁ- ୩

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୪

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୩୭୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୫୧୯ ଏବଂ ବର୍ତ୍ତମାନ ୬୦୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଶହେ ତଳକୁ ଖସିଲା ସଂକ୍ରମଣ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୨

ବରଗଡ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୮

ଦେବଗଡ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୭

କୋରାପୁଟ ଜିଲ୍ଲାରୁ- ୨

ନବରଙ୍ଗପୁର ଜିଲ୍ଲାରୁ- ୬

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୨

ପୁରୀ ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ- ୯

ସୁନ୍ଦରଗଡ ଜିଲ୍ଲାରୁ- ୨୦

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୨୩୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୩୮୧ ଏବଂ ବର୍ତ୍ତମାନ ୫୯୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରୀଙ୍କ ପାଇଲଟ୍ ହେବାର ସ୍ୱପ୍ନ: ପ୍ରେରଣା ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ୫ଟି ସଚିବ

ସୁନ୍ଦରଗଡ଼: “ସେଦିନ ଭର୍ଚୁଆଲ ମିଟିଙ୍ଗ୍ ବେଳେ ୫ଟି ସଚିବ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ। ଭବିଷ୍ୟତରେ ପାଇଲଟ୍ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି। ଏହା ଶୁଣି ସେ ମୋ’ ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇବେ ବୋଲି କହିଥିଲେ। ଆଜି ତାହା ପାଇ ମୁଁ ବହୁତ ଖୁସି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଡୁଡୁକା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଭୂମିକା ପ୍ରଧାନ।

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିକଟରେ ହୋଇଥିବା ଭର୍ଚୁଆଲ ଆଲୋଚନା ବେଳେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ପିଲାମାନେ ନିଜ ନିଜର କ୍ୟାରିୟର ସ୍ୱପ୍ନ ବିଷୟରେ ତାଙ୍କୁ କହିଥିଲେ। ଏହି ଅବସରରେ ପାଇଲଟ୍ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀ ଭୂମିକା ପ୍ରଧାନଙ୍କୁ ୫ଟି ସଚିବ ଏକ ପ୍ରେରଣାଦାୟୀ ବହି ପଠାଇବେ ବୋଲି କହିଥିଲେ।

ଦୁଃସାହସୀ ପାଇଲଟ୍ ଏବଂ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବୀନୀ ଉପରେ ଆଧାରିତ ଏକ ଲୋକପ୍ରିୟ କମିକ୍ ପୁସ୍ତକ “ଦ ଆଡଭେଞ୍ଚରସ୍ ଅଫ୍ ଦ ଡେୟାରଡେଭିଲ ଡେମୋକ୍ରାଟ୍‌’ ୫ଟି ସଚିବ ଏହି ବହିଟିକୁ ଛାତ୍ରୀ ଭୂମିକାଙ୍କ ପାଇଁ ପଠାଇଛନ୍ତି। ମଙ୍ଗଳବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଭୂମିକାଙ୍କୁ ଏହା ପ୍ରଦାନ କରିଥିଲେ। ଏହି ବହିଟି ଭୂମିକାଙ୍କ ପାଇଁ ପ୍ରେରଣା ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି।

ଭୂମିକା ତାଙ୍କ ବାପା ଥିପେନ୍ଦ୍ର ପ୍ରଧାନଙ୍କ ସହ ଆସି ଜିଲ୍ଲାପାଳଙ୍କଠାରୁ ଏହି ବହିଟି ଗ୍ରହଣ କରିଥିଲେ। ଏହି ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଭୂମିକା ଓ ତାଙ୍କ ବାପା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୁସ୍ତକ ପ୍ରଦାନ ସମୟରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂହ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଓ ଡୁଡୁକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ।

ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୪୪ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ଏହା ମଧ୍ୟରେ ହେମଗିର ବ୍ଲକର ଡୁଡୁକା ହାଇସ୍କୁଲ ରହିଛି। ପୂର୍ବବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ୨୪୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ ଶେଷ ହୋଇଛି। ପ୍ରତିଟି ରୂପାନ୍ତରିତ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଇ-ପାଠାଗାର, ଉନ୍ନତ ଖେଳପଡ଼ିଆ ଇତ୍ୟାଦି କରାଯାଉଛି। ଏହି ରୂପାନ୍ତରିତ ଭିତ୍ତିଭୂମି ଓ ପରିବେଶ ପିଲାମାନଙ୍କ ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାରେ ବିଶେଷ ସହାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ମଧ୍ୟ ରାଜ୍ୟରେ ୨୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୨୦୨  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୪

ବରଗଡ ଜିଲ୍ଲାରୁ- ୧୦

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ- ୧୧

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୪

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୫

କେନ୍ଦ୍ରପଡା ଜିଲ୍ଲାରୁ- ୬

କେନ୍ଦୁଝର ଜିଲ୍ଲାରୁ- ୭

ଖୋର୍ଦ୍ଧା ଜିଲ୍ଲାରୁ- ୩୧

ମୟୂରଭଞ୍ଜ ଜିଲ୍ଲାରୁ- ୧୦

ନବରଙ୍ଗପୁର ଜିଲ୍ଲାରୁ- ୧୧

ନୟାଗଡ ଜିଲ୍ଲାରୁ- ୭

ନୂଆପଡା ଜିଲ୍ଲାରୁ- ୬

ପୁରୀ ଜିଲ୍ଲାରୁ- ୪

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୭

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୪୧

ଷ୍ଟେଟ ପୁଲରୁ- ୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୨ ହଜାର ୭୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୯୫ ଏବଂ ବର୍ତ୍ତମାନ ୧୪୦୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ମଧ୍ୟ ୨୦୦ ତଳେ ରହିଛି ସଂକ୍ରମଣ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୯୯  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୭

ବରଗଡ ଜିଲ୍ଲାରୁ- ୮

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ- ୧୬

ଦେବଗଡ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୩

ଗଞ୍ଜାମ ଜିଲ୍ଲାରୁ- ୫

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୪

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରପଡା ଜିଲ୍ଲାରୁ- ୪

କେନ୍ଦୁଝର ଜିଲ୍ଲାରୁ- ୮

ଖୋର୍ଦ୍ଧା ଜିଲ୍ଲାରୁ- ୩୯

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୭

ନବରଙ୍ଗପୁର ଜିଲ୍ଲାରୁ- ୪

ନୟାଗଡ ଜିଲ୍ଲାରୁ- ୯

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧୦

ସମ୍ବଲପୁର ଜିଲ୍ଲାରୁ- ୪

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୪୧

ଷ୍ଟେଟ ପୁଲରୁ- ୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୨ ହଜାର ୨୮୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୧ ହଜାର ୫୯୪ ଏବଂ ବର୍ତ୍ତମାନ ୧୪୪୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କ ଆୟ ବଢ଼ାଇବାରେ ବିଶେଷ ସହାୟକ ହେଉଛି ଉଠା-ଜଳସେଚନ ପ୍ରକଳ୍ପ 

ସୁନ୍ଦରଗଡ଼: “ଆଗରୁ ପାଣି ଅସୁବିଧା ଯୋଗୁଁ ଭଲ ଚାଷବାସ ହେଉ ନଥିଲା। ଏପରିକି ଧାନ ଚାଷ କରିବାକୁ ମୋର ସାହସ ହେଉ ନଥିଲା। କିନ୍ତୁ, ଇଚ୍ଛା ନଦୀରେ ଉଠାଜଳସେଚନ ପ୍ରକଳ୍ପ ହେବା ଫଳରେ ମୁଁ ଏବେ ଧାନ ସହିତ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିପାରୁଛି। ଏଥିରୁ ଭଲ ଦି’ ପଇସା ରୋଜଗାର ମଧ୍ୟ ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ସାଲେଟିକ୍ରା ଗାଁର ଚାଷୀ ନରସିଂହ ନାଏକ।

ନରସିଂହଙ୍କର ୨ ଏକରରୁ ଅଧିକ ଚାଷଜମି ରହିଛି। ସେଥିରେ ସେ ଏବେ ଧାନ ସହିତ ପୋଟଳ, ବାଇଗଣ, କଲରା, ଅମୃତଭଣ୍ଡା ଆଦି ପନିପରିବା ଲଗାଇଛନ୍ତି। ଘରେ ଖାଇବା ସହ ବଜାରରେ ବିକ୍ରି କରି ନରସିଂହ ଭଲ ଦି’ ପଇସା ରୋଜଗାର କରୁଛନ୍ତି। ଏହି ଚାଷବାସ କାମରେ ନରସିଂହଙ୍କୁ ତାଙ୍କ ସ୍ତ୍ରୀ ମୀନା ନାଏକ ସହଯୋଗ କରୁଛନ୍ତି।

ଚାଷଜମିକୁ ଜଳସେଚନର ସୁବିଧା ହେବାରୁ ନରସିଂହ ୭୦ ଡେସିମିଲ ଜମିରେ କଦଳୀ ଚାଷ ମଧ୍ୟ କରିଛନ୍ତି। ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ କରିଥିବା କଦଳୀ ଚାଷରୁ ସେ ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରିଛନ୍ତି। ଏହି ଟଙ୍କାରେ ନରସିଂହ ତାଙ୍କ ଘର ଚଳାଇବା ସହ ଦୁଇ ଝିଅଙ୍କୁ କଲେଜରେ ପାଠ ପଢ଼ାଉଛନ୍ତି।

ନରସିଂହ ନାଏକଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ଚାଷୀଙ୍କ ମୁହଁରେ ଉଠାଜଳସେଚନ ପ୍ରକଳ୍ପ ହସ ଫୁଟାଇପାରିଛି। ପାଣି ଅଭାବରୁ ଯେଉଁ ଜମି ଆଗରୁ ପଡ଼ିଆ ପଡୁଥିଲା ସେଠାରେ ଆଜି ସବୁଜିମା ଭରି ଯାଇଛି। ଚାଷୀମାନେ ଧାନ ସହିତ ବିରି, ମୁଗ ଓ ବିଭିନ୍ନ ପ୍ରକାରର ପନିପରିବା ଭଳି ଆୟକାରୀ ଫସଲ କରି ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି।

ବଣପାହାଡ଼ ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ଦେଇ ବହି ଯାଇଛି ବ୍ରାହ୍ମଣୀ, କୋଏଲ, ଶଙ୍ଖ ଏବଂ ଇଚ୍ଛା ନଦୀ। ତା’ଛଡ଼ା ଖଣ୍ଡାଧାର, ଜରଦା, ଖରାପାଣି, ଲାଉଡ଼ା ଆଦି ନାଳ ମଧ୍ୟ ରହିଛି। ଏହି ନଦୀ ଏବଂ ନାଳର ପାଣିକୁ ଚାଷ କାମରେ ବ୍ୟବହାର କରିବା ଲାଗି ପ୍ରଶାସନ ପକ୍ଷରୁ ଛୋଟ ବଡ଼ ୮ ହଜାର ୪୮୫ଟି ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଷ କ୍ଷେତ୍ରରେ ବିଶେଷ ଉନ୍ନତି ଆସିପାରିଛି ବୋଲି କହିଛନ୍ତି ଓଡ଼ିଶା ଉଠାଜଳସେଚନ ନିଗମ ସୁନ୍ଦରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରୀଶ ଚନ୍ଦ୍ର ବେହେରା।

ଜିଲ୍ଲାରେ ଥିବା ମୋଟ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୨୯୩ଟି ଗୋଷ୍ଠୀ ପ୍ରକଳ୍ପ ବିଭିନ୍ନ ନଦୀ ଓ ନାଳର ଜଳଧାର ଉପରେ ରହିଛି। ଏହାଛଡ଼ା ବିଭିନ୍ନ ନଦୀରେ ୫୧ଟି ଅତି କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ ହଜାର ୧୪୧ଟି ଗଭୀର ନଳକୂଅ ଖୋଳାଯାଇ ସ୍ଥାନୀୟ ଚାଷୀମାନଙ୍କ ଜମିକୁ ପାଣି ଯୋଗାଇ ଦିଆଯାଉଛି।

ଏହିସବୁ ପ୍ରକଳ୍ପ ଯୋଗୁଁ ଜିଲ୍ଲାର ମୋଟ ୬୬ ହଜାର ୭୨୪ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ମିଳିପାରୁଛି। ଏହାଦ୍ୱାରା ୪୫ ହଜାରରୁ ଅଧିକ ଚାଷୀ ଉପକୃତ ହୋଇପାରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏବଂ ଆରଆଇଡିଏଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଜଳ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ପଞ୍ଚାୟତ ଗଠନ କରାଯାଇଛି। ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ହେବା ପରେ ତାହାକୁ ସ୍ଥାନୀୟ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୧୨୯୩ଟି ପାଣି ପଞ୍ଚାୟତ ଗଠନ କରାଯାଇଛି। ଚାଷୀମାନେ ଏକାଠି ହୋଇ ନିଜ ନିଜ ଅଞ୍ଚଳରେ ଏହି ଜଳ ପରିଚାଳନା କଥା ବୁଝୁଛନ୍ତି।

ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବା ଲେଫ୍ରିପଡ଼ା ବ୍ଲକର ଆଉ ଜଣେ ହିତାଧିକାରୀ ମହେନ୍ଦ୍ର ଶଙ୍କରିଆ କହନ୍ତି, “୭ ବର୍ଷ ତଳେ ପଡ଼ିଆ ଜମିରେ ମୁଁ ଆମ୍ବ ଗଛ ଲଗାଇଥିଲି। ଜଳସେଚନର ସୁବିଧା ନଥିବାରୁ ମୁଁ ଆଉ କିଛି ଚାଷ କରିପାରୁ ନଥିଲିୟ ଉଠାଜଳସେଚନ ପ୍ରକଳ୍ପ ହେବା ଯୋଗୁଁ ମୁଁ ଏବେ ବିଭିନ୍ନ ଚାଷ କରି ଲାଭବାନ ହୋଇପାରୁଛି।’

“ଜଳସେଚନ ସୁବିଧା ହେବାରୁ ମୁଁ ମୋ ଜମିରେ ବାଇଗଣ, ଲଙ୍କା ଆଦି ଚାଷ କରୁଛି। ଏହି ଚାଷରୁ ବର୍ତ୍ତମାନ ସୁଦ୍ଧା ମୁଁ ୨୦ରୁ ୩୦ ହଜାର ଟଙ୍କା ପାଇଛି। ମୁଁ କଦଳୀ ଚାଷ ମଧ୍ୟ କରିଛି । ଆଗକୁ କଦଳୀ ବିକ୍ରି କରି ଭଲ ରୋଜଗାର କରିବି ବୋଲି ଆଶା ରହିଛି”, କହନ୍ତି ଜିଲ୍ଲାର ଆଉ ଜଣେ ଚାଷୀ ପ୍ରଫୁଲ୍ଲ ରାଖା।

ଜମିକୁ ଜଳ, ଚାଷୀଙ୍କୁ ବଳ। ତେଣୁ ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ସହିତ ଆୟ ଦୁଇ ଗୁଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀ, ନାଳ ଭଳି ସ୍ଥାନୀୟ ଜଳ ଉତ୍ସକୁ ବ୍ୟବହାର କରି ଚାଷଜମିକୁ ଜଳସେଚନ ଉପରେ ପ୍ରାଥମିକତା ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ଫଳରେ ଚାଷୀ ପରିବାର ଏହାର ବିଶେଷ ସୁଫଳ ପାଇପାରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୫୦ ତଳକୁ ଖସିଲା ସଂକ୍ରମଣ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୩

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୧୨

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୨

ଦେବଗଡ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୭

ଝାରସୁଗୁଡା ଜିଲ୍ଲାରୁ- ୩

କଳାହାଣ୍ଡି ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରପଡା ଜିଲ୍ଲାରୁ- ୨

କେନ୍ଦୁଝର ଜିଲ୍ଲାରୁ- ୬

ଖୋର୍ଦ୍ଧା ଜିଲ୍ଲାରୁ- ୩୩

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୮

ନବରଙ୍ଗପୁର ଜିଲ୍ଲାରୁ- ୧୭

ନୟାଗଡ ଜିଲ୍ଲାରୁ- ୭

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୧୨

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୬

ସୋନପୁର ଜିଲ୍ଲାରୁ- ୫

ସୁନ୍ଦରଗଡ ଜିଲ୍ଲାରୁ- ୫୮

ଷ୍ଟେଟ ପୁଲରୁ- ୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୦ ହଜାର ୨୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୯ ହଜାର ୨୪୬ ଏବଂ ବର୍ତ୍ତମାନ ୧୭୫୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।