ଆପିକଲର ନୂଆ ୱେବ୍‌ସାଇଟ୍‌ ଲୋକାର୍ପିତ କଲେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

Published: Aug 17, 2021, 10:49 pm IST

ଭୁବନେଶ୍ୱର, ରାଜ୍ୟରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ସୁଯୋଗ ରହିଛି । ଏହା ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ସହିତ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି କୃଷି ଭବନଠାରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିମିଟେଡ୍‌ (ଆପିକଲ)ର ନୂତନ ୱବ୍‌ସାଇଟ୍‌କୁ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବାବେଳେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ବଜାରରେ ବିକି୍ର କରିପାରିଲେ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ଅଧିକ ମୂଲ୍ୟ ପାଇପାରିବେ ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଯୋଗଦେଇ ଆପିକଲକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ.ପ୍ରଭାତ କୁମାର ରାଉଳ ଆପିକଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Related posts