Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ: ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ମଧ୍ୟ ଗଲେ

ଭୁବନେଶ୍ବର: ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ପଡିଛି ଚଡକ। ଆଜି ଏହି ବିଭାଗର ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାରକୁ ରାଜ୍ୟପାଳ ଅନୁମୋଦ କରିଛନ୍ତି।

ରୋହିତ ପୂଜାରୀଙ୍କୁ ହଟାଇବା ପରେ ଏହି ବିଭାଗର ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରାଯାଇଛି। ରୋହିତ ଗତ ବର୍ଷ ଜୁନ ମାସରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ସେ କେତେକ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଲେ। ମୁଖ୍ୟତଃ ତାଙ୍କ ବିଭାଗର ଦକ୍ଷତା ନେଇ କୁଆଡେ ମୁଖ୍ୟମନ୍ତୀ ଅସନ୍ତୁଷ୍ଠ ଥିଲେ।

ସେହିପରି ଏହି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି ନିଷ୍ପତି ନେଲେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ବିଭାଗରେ କିଛି ବଡ ଦୁର୍ନିତି ହୋଇଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ନିକଟରେ ନବୀନ ତାଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ନବୀନଙ୍କ ଏପରି ସର୍ଜିକାଲ ଷ୍ଟ୍ରାଇକ ଦେଖି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରମାଦ ଗଣିଲେଣି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଗସ୍ତରେ ସାଂସଦ ମାନସ ରଂଜନ ମଙ୍ଗରାଜ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ରାଜ୍ୟ ସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟ ଅଛନ୍ତି। ନାଚୁଣୀ ମହାଵିଦ୍ୟାଳୟର ୪୨ ତମ ବାର୍ଷିକ ସାଂସ୍କୃତିକ ଉତ୍ସବରେ ସାଂସଦ ଶ୍ରୀ ମଙ୍ଗରାଜ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗ ଦେଇଛନ୍ତି।

ଏହି ଅବସରରେ ମହା ବିଦ୍ୟାଳୟ ପରିସରରେ ବିଜ୍ଞାନ ଭଵନ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ବିଭୁତି ଭୁଷଣ ହରିଚନ୍ଦନ, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଟୁପଦ ସେଠୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ କୁମାର ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକୃତି ରଂଜନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଅନୁଷ୍ଠିତ ସଭାରେ ସାଂସଦ ଶ୍ରୀ ମଙ୍ଗରାଜ ଯୋଗ ଦେଇ କହିଛନ୍ତି ମୋ ଗାଁ ହେଉଛି ନାଚୁଣୀ। ମୁଁ ଏହି ମାଟିର ସନ୍ତାନ। ମୁଁ ଏଠାକୁ ଅତିଥୀ ଭାବେ ନୁହେଁ ପୁରାତନ ଛାତ୍ର ହିସାବରେ ଆସିଛି। ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ଉନ୍ନତି ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ତେଣୁ ଏହି ମହା ବିଦ୍ୟାଳୟର ଉନ୍ନତି ପାଇଁ କୌଣସି ଅର୍ଥର ଅଭାବ ରହିବ ନାହିଁ। ଆପଣ ମାନେ ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ଯାହା କିଛି କରନ୍ତୁ, ମୁଁ ସହଯୋଗ ପାଇଁ ପ୍ରସ୍ତୁତ ଅଛି। ତେଣୁ ଆପଣ ମାନେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ପୂର୍ବତନ ବିଧାୟକ ବିଭୁତି ଭୁଷଣ ହରିଚନ୍ଦନଙ୍କ ସହ ପରାମର୍ଶ ନେଇ ଉନ୍ନୟନ କାର୍ଯ୍ୟ କାରି ରଖିବାକୁ ଅନୁରୋଧ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଏହା ସହ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଓ ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଯେ, ଏହି ମହା ବିଦ୍ୟାଳୟର ଉନ୍ନତି ନିମନ୍ତେ ଆମେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରହିବ ସ୍ୱତନ୍ତ୍ର ଷ୍ଟାର୍ଟଅପ୍‌ ନୀତି

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଗବେଷଣାଜନିତ ଉପଲବ୍ଧ ଜ୍ଞାନକୁ କିଭଳି ବଜାର ଉପଯୋଗୀ କରାଯାଇପାରିବ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷକମାନେ ଅତି ଉଚ୍ଚକୋଟୀର ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରିଆସୁଛନ୍ତି । କିନ୍ତୁ ଏହି ଜ୍ଞାନର ବ୍ୟବହାରିକତା ନିମନ୍ତେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ। ଏହା ମଧ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ତ୍ୱରାନ୍ୱିତ କରିବା ସହ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବାରେ ସହାୟକ ହେବ।

ଏଥି ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। କେଉଁ କେଉଁ ସୋପାନ ଦେଇ ଗଲେ ସେମାନେ ଇନ୍‌କୁ୍ୟବେସନ୍‌ ସେଣ୍ଟରର ସହାୟତାରେ ସେମାନଙ୍କର ଉପଲବ୍ଧ ଜ୍ଞାନକୌଶଳ ପ୍ରୟୋଗ କରି ଏହାକୁ ବଜାର ଉପଯୋଗୀ କରିପାରିବେ, ସେଥିପାଇଁ ଅଧ୍ୟାପନା ମଣ୍ଡଳୀ, ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ଚିଠା ‘ଷ୍ଟାର୍ଟଅପ୍‌ ପଲିସି’ ପ୍ରସ୍ତୁତ କରାଯିବା ଉପରେ ମଧ୍ୟ ବିଷଦ ଆଲୋଚନା ହୋଇଥିଲା।

ଷ୍ଟାର୍ଟଅପ୍‌ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍‌କାର ରାଏ ଏବଂ ଫ୍ରଷ୍ଟ ଓ ସୁଲିଭାନ୍‌ର ଏକ୍‌ଜିକୁଟିଭ୍‌ ବୋର୍ଡ ସଦସ୍ୟ ଡ. ସୁଧାଂଶୁ ଦାଶ ଏ ଦିଗରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଏବଂ ପରବର୍ତ୍ତୀ ଆଲୋଚନା ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉପସ୍ଥିତ ରହି ଓଡ଼ିଶାରେ ଉଚ୍ଚଶିକ୍ଷାରେ ଗବେଷଣାର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରିଥିଲେ।

ଏଥିରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତି ଏବଂ ଉଚ୍ଚଶିକ୍ଷା ବିଭାଗ ଓ ପରିଷଦର ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ଶେଷରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବୀରେନ୍ଦ୍ର କୋରକୋରା ଧନ୍ୟବାଦ ଅର୍ପଣ କରିଥିଲେ।