Categories
ଆଜିର ଖବର ରାଜ୍ୟ ଖବର

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହ ପରିବେଶକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

ସୁଧାକର ମିଶ୍ର

ନୟାଗଡ/ଭୁବନେଶ୍ଵର: ସାମ୍ପ୍ରତିକ ବିଶ୍ୱରେ ଅସନ୍ତୁଳିତ ପରିବେଶ ଜୀବଜଗତ ପ୍ରତି ଏକ ଆହ୍ୱାନ ରୂପେ ଉଭା ହୋଇଛି। ବିଶ୍ଵ ତାପମାତ୍ରା ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନ ପୃଥିବୀର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷକୁ ହନ୍ତସନ୍ତ କରି ସାରିଲାଣି। କରୋନା ମହାମାରୀ ପରି ଚଳିତ ବର୍ଷର ପ୍ରଚଣ୍ଡ ଖରା ଚତୁର ଓ ଜ୍ଞାନୀ ବିଜ୍ଞ ବୋଲାଉଥିବା ଭଦ୍ର ମଣିଷକୁ ଘାଇଲା କରିଛି। ଆଗକୁ ଦେଖାଯାଉଥିବା ପରିବେଶ ଜନିତ ସମସ୍ୟାର ମୁକାବିଲା କରିବାକୁ ହେଲେ ମାନବ ସମାଜ ସତର୍କ ରହିବା ଆବଶ୍ୟକ। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ।

“ପରିବେଶ ସମନ୍ଵୟ ସମିତି” ନୟାଗଡ଼ ଜିଲ୍ଲା ଓ ପ୍ରଗତିଶୀଳ ସମାଜ କେନ୍ଦ୍ରିକ ସାହିତ୍ୟ ଅନୁଷ୍ଠାନ “ମାଟିର ସ୍ୱର” ତରଫରୁ ଯଥାକ୍ରମେ ପ୍ରଭାତ କୁମାର ସାହୁ, ପ୍ରଫୁଲ୍ଲ ମାଝି, ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ, ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ଲେଖିକା ଡ଼. ବାସନ୍ତୀ ମହାନ୍ତି, ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର ଓ ମହେଶ୍ୱେତା ନାହାନ୍ତୀ ଇତ୍ୟାଦି ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମହୋଦୟଙ୍କୁ ସାକ୍ଷାତ କରି “ମାଟିର ସ୍ୱର” କବିତା ସଂକଳନ ପ୍ରଦାନ କରିଥିଲେ।

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହିତ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମହାମହିମ ରାଜ୍ୟପାଳ କହିଥିଲେ ଯେ, “ଅଗର୍ ପେଡ୍ ଶାସ୍ ପ୍ରସ୍ୱଶ ନେହିଁ ଲେନା ହେ ତୋ, ମାନବ ସମାଜ କୈସେ ବଚେଗା ??

ଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଟି ଥିଲା ମହାମହିମ ରାଜ୍ୟପାଳଙ୍କର ଆମମାନଙ୍କ ପାଇଁ। ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିବା ବେଲ ଚାରାଟି ଶ୍ରଦ୍ଧାର ସହ ରାଜ୍ୟପାଳ ଗ୍ରହଣ କରିଥିଲେ ଏବଂ ବଗିଚାରେ ତୁରନ୍ତ ରୋପଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ସମାଜ, ସାହିତ୍ୟ ଓ ପରିବେଶ ପରସ୍ପର ପରିପୂରକ। ଏ ଉପଦେଶ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଆମେ ବିଚାର କରୁଛୁ। ମାଟିର ସ୍ୱର ଅନୁଷ୍ଠାନକୁ ସ୍ନେହ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରି ଏହି ଅନୁଷ୍ଠାନର କାମନା କରିଥିବାରୁ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Categories
ବିଶେଷ ଖବର

ଆର୍ଥିକ ସେବାର ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ  ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି।

ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଭଳି ବଜେଟ୍ ପରବର୍ତ୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟ୍‌ର କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ମାଲିକାନ ଏବଂ ସମାନ ଅଂଶୀଦାରୀ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ୱେବିନାରରେ ଉପସ୍ଥାପିତ ମତାମତ, ପ୍ରସ୍ତାବକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ବିଚାରକୁ ନିଆଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିପରି ପଡିଛି ଏବଂ ଭାରତ ଏହାର କିଭଳି ମୁକାବିଲା କରୁଛି, ସମଗ୍ର ବିଶ୍ୱ ତା’ ଉପରେ ନଜର ରଖିଛି। ଆମ ବିତ୍ତୀୟ ଓ ଆର୍ଥିକ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ତାହାର ଅର୍ଥନୀତିର ମୌଳିକ କ୍ଷେତ୍ର ଓ ସୂତ୍ରଗୁଡିକୁ ଠିକ୍ ରଖିବାରେ ସମର୍ଥ ହୋଇଛି। ବିଗତ ନ’ବର୍ଷ ଧରି ଆମେ ଆମ  ଅର୍ଥନୀତିର ମୌଳିକ ଆଧାରକୁ ସୁଦୃଢ କରିପାରିଛୁ।

ସମଗ୍ର ବଶ୍ୱ ଯେତେବେଳେ ଭାରତକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା ସେତେବେଳେ  ଏହାର ଅର୍ଥନୀତି, ବଜେଟ୍ ଓ ଲକ୍ଷ୍ୟ ଉପରେ ଅନେକ ଆଲୋଚନା କରୁଥିଲେ। କିନ୍ତୁ ଏହାର ରହସ୍ୟ ଭେଦ କରିବା କାହାରି ପକ୍ଷେ ସମ୍ଭବ ନ ଥିଲା। ସମସ୍ତେ ପ୍ରଶ୍ନ ଚିହ୍ନ ଳଗାଇ ପ୍ରସଙ୍ଗକୁ ଛାଡି ଦେଉଥିଲେ। ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ପରିଚାଳନାରେ ସଫଳତାର ତଥ୍ୟ ସଂରକ୍ଷଣ ହେଉ: ନୀତି ଆୟୋଗ ପ୍ରତିନିଧି

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହିତ କରିବା ସହ ମୁକାବିଲା କରିବାରେ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟଗୁଡ଼ିକର ଭୂମିକା ବେଶ ଉଲ୍ଲେଖନୀୟ। ଏହି ରାଜ୍ୟଗୁଡ଼ିକ ଯେଉଁଭଳି ଢ଼ଙ୍ଗରେ ପରିଚାଳନା କରିଛନ୍ତି ସେ ବିଷୟରେ ବିସ୍ତୃତ ତଥ୍ୟ ସଂରକ୍ଷିତ କରି ରଖାଯିବା ଜରୁରୀ ଯାହା ଦ୍ୱାରା କି ଭବିଷ୍ୟତରେ ଏଭଳି କୌଣସି ବିପର୍ଯ୍ୟୟ ଆସିଲେ ପ୍ରଶାସନ ଠିକ୍ ଭାବେ ପରିଚାଳନା କରିପାରିବ ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କୀୟ ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର କେ. ମଦନ ଗୋପାଲ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ କକ୍ରେନ୍ ଇଣ୍ଡିଆନ୍ ନେଟୱାର୍କର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଗୋପାଲ। କକ୍ରେନ୍ ସମ୍ପର୍କିତ ସୂଚନା ଦେଇ ଡାକ୍ତର ଗୋପାଲ କହିଛନ୍ତି ଯେ ଗବେଷଣା ଏବଂ ପ୍ରମାଣକୁ ଆଧାର କରି ଏହି ସଂସ୍ଥାର ନେଟୱାର୍କିଂ କାର୍ଯ୍ୟ ବେଶ ପ୍ରଶଂସନୀୟ। ଏହାକୁ ସବୁ ସ୍ତରରେ ଗ୍ରହଣ କରିବା ଉଚିତ୍ ଏବଂ ଏଥି ନେଇ ଏକ ଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଦନ୍ତ ଚିକିତ୍ସା ନିମନ୍ତେ ପ୍ରସ୍ତୁତ ହୋଇଥିବା ନୂତନ ପାଠ୍ୟକ୍ରମ ଏବଂ ଖସଡ଼ା ସମ୍ପର୍କରେ ସୂଚନା ଦେଇଥିଲେ। ଡାକ୍ତର ଦିବ୍ୟେନ୍ଦୁ କହିଥିଲେ ଯେ ନୂତନ ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ସାଢ଼େ ଚାରି ବର୍ଷ ଶିକ୍ଷା ଗ୍ରହଣ କରିବେ ଏବଂ ଗୋଟିଏ ବର୍ଷ ଇନ୍‌ଟର୍ଣ୍ଣସିପ କରିବାର ପ୍ରସ୍ତାବ ରହିଛି। ଏହି ପାଠ୍ୟକ୍ରମରେ ସର୍ବ ମୋଟ ୯ଟି ସେମିଷ୍ଟର ରହିଥିବା ବେଳେ କ୍ୟାମ୍ପସରେ ଏକ କମ୍ପ୍ରେନ୍‌ହିସିଭ୍ କ୍ଲିନିକ ମଧ୍ୟ ରହିବ। ଏହି କ୍ଲିନିକ୍‌ରେ ଇନ୍‌ଟର୍ଣ୍ଣସିପ କରୁଥିବା ଛାତ୍ରଛାତ୍ରୀମାନେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ। ଆଗାମୀ ବର୍ଷରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି।

ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଅଧିନରେ ୩୧୬ଟି ଡେଂଟାଲ୍ କଲେଜ ରହିଥିବା ବେଳେ ୬୦୦ଟି ବ୍ରାଂଚ ରହିଛି ଏବଂ ପ୍ରତ୍ୟେକ ବର୍ଷ ୨୬୦୦୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି ବୋଲି ସେ କହିଛନ୍ତି। ତେବେ ସବୁ କ୍ଷେତ୍ରରେ ଗବେଷଣା ଭିତିକ ପ୍ରମାଣର ଆବଶ୍ୟକତା ରହିଛି ଯାହାକି କକ୍ରେନ୍ କରୁଛି ବୋଲି ସେ କହିଛନ୍ତି। ସୋଆ ପରିଚାଳିତ ଆଇଡିଏସ୍‌କୁ ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ୨୦୦୬ରେ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ବର୍ତମାନ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ୧୦ମ ସ୍ଥାନ ହାସଲ କରିଛି। ଏଥି ସହିତ କକ୍ରେନ୍ ଇଣ୍ଡିଆ ନେଟୱାର୍କରେ ଯୋଡି ହୋଇଥିବା ୧୦ଟି ଅନୁଷ୍ଠାନ ମଧ୍ୟରୁ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ଆଇଡିଏସ୍ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ୍ ଡଃ ଅଶୋକ ଢ଼ୋବଲେ ଯୋଗ ଦେଇ ଆଇଡିଏସ୍ ସହିତ ୭୫୦୦୦ ସଦସ୍ୟ ଯୋଡି ହୋଇଥିବା ସୂଚନା ଦେଇଥିଲେ। ଦନ୍ତ ଚିକିତ୍ସା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ତଥ୍ୟ ସମ୍ବଳିତ ଗବେଷଣା ଓ ପ୍ରମାଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର କୋ-ଚେୟାର ଡଃ ଅଞ୍ଜୁ ପ୍ରଧାନ କକ୍ରେନ୍ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡାକ୍ତରୀ ଗବେଷଣା କ୍ଷେତ୍ରରେ ପ୍ରମାଣ ଭିତିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ହେଉଛି ଏହି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ। ତେଣୁ କକ୍ରେନ୍ ଇଣ୍ଡିଆ ନେଟୱାର୍କ ନୀତି ଆୟୋଗ ସହିତ ଜଡ଼ିତ ହୋଇ ଏ ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

ସେହିପରି କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର ଅନ୍ୟ କୋ-ଚେୟାର ଡଃ ମିନୁ ସିଂହ ଛାତ୍ରଛାତ୍ରୀମାନେ କିଭଳି ପ୍ରମାଣ ଭିତିକ ଗବେଷଣା କରିବେ ସେ ବିଷୟରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତଥ୍ୟ, ସମୟ, ଲକ୍ଷ୍ୟ ଏବଂ ଉନ୍ନତିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଆମ ଦେଶରେ ପ୍ରାୟ ୧୮ ଲକ୍ଷ ଡାକ୍ତର ରହିଥିବା ବେଳେ ଅଧିକ ଡାକ୍ତରଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କୋଭିଡ ମହାମାରୀରେ ଭାରତରେ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଥିଲା। କିନ୍ତୁ ଆମ ଦେଶର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଆପ୍ରାଣ ଉଦ୍ୟମ, ଚିକିତ୍ସା ଓ ନିଷ୍ଠା ଯୋଗୁଁ ଏହି ବଡ଼ ଧରଣର ମୃତ୍ୟୁ ସଂଖ୍ୟାକୁ ରୋକା ଯାଇପାରିଲା ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ଅବସରରେ ଦନ୍ତ ଚିକିତ୍ସକଙ୍କ କ୍ଷେତ୍ରରେ ପ୍ରମାଣ ଭିତିକ ଗବେଷଣା ଓ ଜ୍ଞାନ ଆହରଣ ନିମନ୍ତେ ଆଇଡିଏସ୍ ଏବଂ ଆଇଡିଏ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା
ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡିନ୍ ତଥା କକ୍ରେନ୍ ଆଫିଲିଏଟ୍ ସେଂଟରର ନିର୍ଦ୍ଦେଶିକା ପ୍ରଫେସର ନୀତା ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କକ୍ରେନ୍ ଇଣ୍ଡିଆ ନେଟୱାର୍କିଂ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଭାରତରେ ଏମ୍‌ସ, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ଭେଲୋର, ଆଇସିଏମ୍‌ଆର୍‌, ନୂଆଦିଲ୍ଲୀ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ, ହାଇଦ୍ରାବାଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ସୋଆ, ଭୁବନେଶ୍ୱର, କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭର୍ସିଟି, ଲକ୍ଷେ୍ନା, ମନିପାଲ୍ ଏକାଡେମୀ ଅଫ୍ ହାୟର୍ ଏଜୁକେସନ୍‌, ମନିପାଲ, ପିଜିଆଇ, ଚଣ୍ଡିଗଡ ଏବଂ ଟାଟା ମେମୋରିଆଲ୍ ସେଂଟର୍‌, ମୁମ୍ବାଇ ଯୋଡି ହୋଇଥିବା ବେଳେ ଚଳିତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ଆଇଡିଏସ୍ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନ ପାଇଥିବା ସୂଚନା ଦେଇଛନ୍ତି ପ୍ରଫେସର ମହାନ୍ତି। କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡାକ୍ତର ସୌରଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜୀବନଶୈଳୀର ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହୃଦ୍‌ଘାତକୁ ଏଡାଇହେବ: ବିଶେଷଜ୍ଞ

ଭୁବନେଶ୍ୱର: କରୋନା ମହାମାରୀ ମଣିଷର ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ବିଗାଡି ଦେଇଛି। ଏଭଳି ପରିସ୍ଥିତିରେ ଜୀବନଶୈଳୀରେ ପରିବର୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି ସମସ୍ୟାକୁ ଏଡାଇ ହେବ ବୋଲି ଗୁରୁବାର ବିଶ୍ୱ ହୃଦୟ ଦିବସ ଅବସରରେ ହୃଦରୋଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏକ ଆତ୍ମ କୈନ୍ଦ୍ରିକ ମଣିଷ ଅଧିକ ଚାପରେ ରହିଥାଏ। ତେଣୁ ମାନସିକ ଚାପରେ ନିୟନ୍ତ୍ରଣ ଆଣିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ହୃଦୟ ଦିବସରେ ଏକ ଉପସ୍ଥାପନା ମାଧ୍ୟମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କାର୍ଡିଓ ଭାସ୍କୁଲାର ଆଣ୍ଡ ଥୋରସିକ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ବନବିହାରୀ ମିଶ୍ର କହିଛନ୍ତି।

ଡାକ୍ତର ମିଶ୍ର କହିଛନ୍ତି କରୋନା ଯୋଗୁଁ ଅନେକ ମୃତ୍ୟୁ ଘଟିଛି ଏବଂ ଏହା ଗୁରୁତର ଭାବେ ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ଅନେକ ଲୋକଙ୍କ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ମଧ୍ୟ ଦେଖାଦେଇଛି। ତେଣୁ ଲୋକମାନେ ନିଜ ଖାଦ୍ୟ ଗ୍ରହଣ ନେଇ ଅଧିକ ସଚେତନ ହେବା ସହ ଅବ୍ୟବସ୍ଥିତ ଜୀବନଶୈଳୀକୁ ସଜାଡିବା ଆବଶ୍ୟକ ବୋଲି ଡାକ୍ତର ମିଶ୍ର କହିଛନ୍ତି। ସେହିପରି ପ୍ରତ୍ୟେକ ଦିନ ୩୦ ରୁ ୪୫ ମିନିଟ୍ ଚାଲିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ସିନିୟର କନ୍‌ସଲ୍‌ଟାଂଟ ତଥା କାର୍ଡିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଶରତ କୁମାର ସାହୁ ନିୟନ୍ତ୍ରିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ମାନସିକ ଚାପକୁ ଏଡାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଶରୀରରେ ଶର୍କରାର ସ୍ତରକୁ କମ୍ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଲେ ଧମନୀରେ କୋଲେଷ୍ଟ୍ରଲ୍‌ର ମାତ୍ରା କମିବ ବୋଲି ଡାକ୍ତର ସାହୁ କହିଛନ୍ତି।

ହୃଦବିଜ୍ଞନ କ୍ଷେତ୍ରରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ହୃଦରୋଗ କ୍ଷେତ୍ରରେ କମ୍ ମାତ୍ରାରେ ଇନ୍‌ଭେସିଭ୍ ଟ୍ରାନ୍ସକ୍ୟାଥେଟର୍ ଚିକିତ୍ସା ଅଧିକ ଗ୍ରହଣୀୟ ହେଉଛି ବୋଲି ଡାକ୍ତର ସାହୁ କହିଥିଲେ।

ସମ୍ ଅଲ୍ଟିମେଟ ମେଡିକେୟାରର କାର୍ଡିଓଲୋଜି ବିଭାଗରେ ଅତ୍ୟାଧୁନିକ ସରଞ୍ଜାମ ସହିତ ପ୍ରଶିକ୍ଷତ ବ୍ୟକ୍ତି ନିୟୋଜିତ ଅଛନ୍ତି। ଆଗାମୀ ଦିନରେ ଭାଲ୍‌ଭ କ୍ଲିନିକ୍‌, କରୋନାରୀ କ୍ଲିନିକ୍‌, ହାର୍ଟ ଫେଲ୍ୟୁୟର୍ କ୍ଲିନିକ୍‌, ପେଡିଆଟ୍ରିକ୍ କ୍ଲିନିକ୍ ଏବଂ ଆରିଥମିୟା କ୍ଲିନିକ ଆରମ୍ଭ କରାଯିବାର ଯୋଜନା ରହିଛି। ସେହିପରି ପେଡିଆଟ୍ରିକ୍ କାର୍ଡିଆକ୍ ସର୍ଜରୀ ଓ ରୋବୋଟିକ୍ କାର୍ଡିଆକ୍ ସର୍ଜରୀ ୟୁନିଟ୍ ସହିତ ହାର୍ଟ ଆଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାଂଟ ସର୍ଜରୀ ଆରମ୍ଭ କରାଯିବାର ଯୋଜନା ରହିଛି ବୋଲି ଡାକ୍ତର ମିଶ୍ର ସୁଚନା ଦେଇଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ଇନ୍‌ଟରଭେସ୍‌ନାଲ୍ କାର୍ଡିଓଲୋଜିଷ୍ଟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ବିଭୁତେନ୍ଦ୍ର ମହାନ୍ତି କହିଛନ୍ତି ଯେ ବିଶ୍ୱରେ ଅଧିକାଂଶ ମୃତ୍ୟୁ ହୃଦଘାତ ଯୋଗୁଁ ହେଉଛି। ସେହିପରି ପୃଥିବୀର ଭାରତରେ ୬୦ ପ୍ରତିଶତ ହୃଦରୋଗୀ ଅଛନ୍ତି ବୋଲି ସେ କହିଛନ୍ତି।

ଡାକ୍ତର ମହାନ୍ତି କହିଛନ୍ତି ଯେ ଆମେ ହୃଦଘାତ ଜନିତ କୌଣସି ବି ସଂକେତକୁ ଅଣଦେଖା କରିବା ଉଚିତ୍ ନୁହେଁ। କାରଣ ଏକ ତୃତୀୟାଂଶ ହୃଦରୋଗୀଙ୍କ କ୍ଷେତ୍ରରେ ଠିକ୍ ସମୟରେ ହସ୍ପିଟାଲ୍‌ରେ ନ ପହଂଚି ପାରିବା ଯୋଗୁଁ ମୃତ୍ୟୁ ଘଟିଥାଏ। ସେହିପରି ଇସିଜି ରିପୋର୍ଟରେ ସବୁ ଠିକ୍ ଥିଲେ ମଧ୍ୟ ହୃଦଘାତ ହେବାର ସମ୍ଭାବନା ନାହିଁ ବୋଲି କହିହେବ ନାହିଁ।

ଏହି କାର୍ଯ୍ୟକ୍ରମରେ ସୋଆର ଚ୍ୟାନ୍‌ସେଲ୍‌ର ପ୍ରଫେସର ଡି.ପି. ରାୟ, କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସମ୍ମମ୍‌ର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍‌ିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ନର୍ସିଂ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ସମ୍ମମ୍ ଡେପୁଟି ମେଡିକାଲ ସୁପରିଟେଣ୍ଡେଂଟ୍ ଡାକ୍ତର ଆନନ୍ଦ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ପୂର୍ବରୁ ସିଏମ୍‌ଏସ୍ ବ୍ରିଗେଡିୟର୍ ମିଶ୍ର, ହୃଦ୍‌ବିଜ୍ଞାନ ବିଭାଗର କନ୍‌ସଲ୍‌ଟାନ୍ସ, ଅନ୍ୟାନ୍ୟ ବିଭାଗର ମୁଖ୍ୟ, ରୋଗୀମାନଙ୍କର ଆଟେଣ୍ଡାଂଟ ଏବଂ କର୍ମଚାରୀମାନଙ୍କ ଉପସ୍ଥିତିରେ ସମ୍ମମ୍‌ରେ ଏକ କେକ୍ କଟାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ୩୦% ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏଥିରେ କରୋନା ମହାମାରୀ ପରେ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ସ୍ୱାଭାବିକ ଅବସ୍ଥାକୁ ଫେରିଥିବାର ସ୍ପଷ୍ଟ ସୂଚନା ମିଳୁଛି। ଏହା ମଧ୍ୟ ସରକାରଙ୍କ ସ୍ଥିର ନୀତି ଏବଂ ଟିକସ ବ୍ୟବସ୍ଥାର ସରଳୀକରଣ ତଥା ସୁଦୃଢୀକରଣର ଲାଭକୁ ସୂଚାଇବା ସହିତ ଏଥିରେ ନୂଆ ଟେକ୍‌ନୋଲୋଜି ପ୍ରୟୋଗର ସଫଳତାକୁ ପ୍ରମାଣିତ କରୁଛି।

ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ସଂଗ୍ରହ ହୋଇଥିବା ମୋଟ ଟିକସ ତଥ୍ୟ ଅନୁସାରେ ନିଟ୍ ଟିକସ ସଂଗ୍ରହ ପରିମାଣ ୭୦୦, ୬୬୯ କୋଟିରେ ପହଞ୍ଚିଛି। ଏହା ବିଗତ ଆର୍ଥିକ ବର୍ଷର ଏହି ସମୟର ଟିକସ ଆଦାୟଠାରୁ ୨୩% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ  ଥିଲା ୫, ୬୮, ୧୪୭ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ଆଦାୟ ହୋଇଥିବା ମୋଟ ନିଟ୍ ପ୍ରତ୍ୟକ୍ଷ ଟିକସ ୭୦୦,୬୬୯ କୋଟି ଟଙ୍କା (ରିଫଣ୍ଡକୁ ବାଦ ଦେଇ) ମଧ୍ୟରେ ରହିଛି ୩, ୬୮, ୪୮୪ କୋଟିର କର୍ପୋରେସନ ଟିକସ ବା ସିଆଇଟି, ୩, ୬୮, ୪୮୪କୋଟିର ବ୍ୟକ୍ତିଗତ ଆୟକର ବା ପିଆଇଟି ଓ ପ୍ରତିଭୂତି କାରବାର ବାବଦ ୩,୩୦, ୪୯୦ କୋଟି ଟଙ୍କାର ଟିକସ।

ରିଫଣ୍ଡ ବାବଦ ଦେୟ ଫେରସ୍ତ ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ଥିଲା ୮, ୩୬, ୨୨୫ କୋଟି ଟଙ୍କା। ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ଏ ବାବଦରେ ମୋଟ ଟିକସ ଆଦାୟ ପରିମାଣ ଥିଲା ୬,୪୨, ୨୮୭କୋଟି ଟଙ୍କା। ଅତଏବ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଏହି ଟିକସ ଆଦାୟ ପରିମାଣରେ ୩୦% ଅଭିବୃଦ୍ଧି ଘଟିଛି।

ଏଯାବତ୍ ଆଦାୟ ହୋଇଥିବା ମୋଟ ୮, ୩୬, ୨୨୫କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ମଧରେ ରହିଛି, ୪, ୩୬, ୦୨୦ କୋଟି ଟଙ୍କାର କର୍ପୋରେସନ ଟ୍ୟାକ୍ସ ବା ସିଆଇଟି ଏବଂ ୩୯୮,୪୪୦ କୋଟିର ବ୍ୟକ୍ତିଗତ ଆୟକର ଓ ପ୍ରତିଭୂତି କାରବାର ଜନିତ ଟିକସ। ଏହା ଛଡା ଅନ୍ୟାନ୍ୟ ଟିକସ ମଧ୍ୟରେ ରହିଛି ଅଗ୍ରିମ ଟିକସ ବାବଦରେ ୨, ୯୫, ୩୦୮ କୋଟି, ଉତ୍ସରୁ କଟାଯାଉଥିବା ଟିକସ (ଟ୍ୟାକ୍ସ ଡିଡକ୍ସନ ଆଟ୍ ସୋର୍ସ) ୪, ୩୪, ୭୪୦କୋଟି, ସେଲ୍ଫ ଆସେସମେଣ୍ଟ ଟିକସ ୭୭,୧୬୪କୋଟି, ନିୟମିତ ଆସେସେମେଣ୍ଟ ଟିକସ ୨୦, ୦୮୦ କୋଟି ଏବଂ ଅନ୍ୟାନ୍ୟ ଛୋଟମୋଟ ଟିକସ ବାବଦରେ ୮,୯୩୩ କୋଟି ଟଙ୍କା।

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତ୍ରୈମାସିକରେ ଆଦାୟ ହୋଇଥିବା କ୍ରମ ବର୍ଦ୍ଧମାନ ଅଗ୍ରିମ ଟିକସର ପରିମାଣ ୨୦୨୨ସେପ୍ଟେମ୍ବର ୧୭ ସୁଦ୍ଧା ଥିଲା ୨, ୯୫, ୩୦୮ କୋଟି ଟଙ୍କା। ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ଏ ବାବଦ ଟିକସ ଆଦାୟ ପରିମାଣ ଥିଲା ୨,୫୨,୦୭୭ କୋଟି ଟଙ୍କା। ଆର୍ଥତ୍ ଏହି ଟିକସ ଆଦାୟରେ ୧୭% ଅଭିବୃଦ୍ଧି ଘଟିଛି। ଏଥର ଆଦାୟ ହୋଇଥିବା ଏହି ୨,୯୫,୩୦୮ କୋଟି ଟଙ୍କାର ଅଗ୍ରୀମ ଟିକସ ମଧ୍ୟରେ ରହିଛି ୨, ୨୯,୧୩୨କୋଟି ଟଙ୍କାର କର୍ପୋରେସନ ଓ ୬୬,୧୭୬ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର।

ଚଳିତବର୍ଷ ଆୟକର ରିଟର୍ଣ୍ଣ ପ୍ରକ୍ରିୟାକୁ ଯଥେଷ୍ଟ ତ୍ୱରାନ୍ୱିତ ଓ ବେଗଗାମୀ କରାଯାଇଛି। ଯେଉଁମାନେ ରିଫଣ୍ଡ ପାଇଁ ରିଟର୍ଣ୍ଣ  କରିଥିଲେ ସେଥିରୁ ୯୩%କୁ ତନଖି କରି ଦେଖିବା ପରେ ସେମାନଙ୍କ ଅର୍ଥ ଫେରସ୍ତ କରିବା ପ୍ରକ୍ରିୟାରେ ପ୍ରାୟ ୪୬୮% ବୃଦ୍ଧି ଘଟିଛି ଏବଂ ଆବେଦନକାରୀ ଅଧିକ ସଂଖ୍ୟାରେ ସେମାନଙ୍କ ପ୍ରାପ୍ୟ ପାଉଛନ୍ତି। ୨୦୨୨ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ୧,୩୫, ୫୫୬ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରାଯାଇଛି। ଗତବର୍ଷ ଏହି ସମୟ ମଧ୍ୟରେ ମାତ୍ର ୭୪, ୧୪୦ କୋଟି ଟଙ୍କାର ରିଫଣ୍ଡ କରଦାତାଙ୍କୁ ପ୍ରଦାନ କରାଯାଇଥିଲା। ଗତବର୍ଷ ତୁଳନାରେ ଏ କ୍ଷେତ୍ରରେ ଚଳିତବର୍ଷ ୫୩% ଅଭିବୃଦ୍ଧି ଘଟିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ସଂକ୍ରମଣ କ୍ଷେତ୍ରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି, ଆଜି ୬ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବିରୋଧରେ ଯୁଦ୍ଧ ଏବେବି ଚାଲିଛି। ଏହି ସମୟରେ ଆଜି ପୁଣି କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ବୁଧବାର ତୁଳନାରେ ଆଜି କରୋନା ମାମଲାରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡର ୬ ହଜାର ୪୨୨ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଭାରତରେ ସକ୍ରିୟ ମାମଲା ୪୬ ହଜାର ୩୮୯ ରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି ବଢିଲା କରୋନା ମାମଲା, ୨୪ ଘଣ୍ଟା ମଧ୍ୟରେ ୪ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଭାରତରେ କରୋନା ସଂକ୍ରମଣ ମାମଲା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ର ୪ ହଜାର ୨୭୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନା ଯୋଗୁଁ ୧୫ ଜଣ ପ୍ରାଣ ହରାଇଛନ୍ତି। ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୬୯୨ କୁ ବୃଦ୍ଧି ପାଇଛି। ଏହା ସହିତ କରୋନା ସଂକ୍ରମିତ ୨ ହଜାର ୬୧୯ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି।

– ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା – ୪ ହଜାର ୨୭୦
– ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ- ୨ ହଜାର ୬୧୯
– ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ମୃତ୍ୟୁ – ୧୫
– ମୋଟ କରୋନା ମାମଲା- ୪ କୋଟି ୩୧ ଲକ୍ଷ ୭୬ ହଜାର ୮୧୭
– ସକ୍ରିୟ ମାମଲା- ୨୪ ହଜାର ୫୨
– କରୋନା କାରଣରୁ ମୋଟ ମୃତ୍ୟୁ – ୫ ଲକ୍ଷ ୨୪ ହଜାର ୬୯୨

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୪ ଘଣ୍ଟାରେ ୨୮୨୭ ଆକ୍ରାନ୍ତ ଚିହ୍ନଟ, ୨୪ ମୃତ୍ୟୁ, ସୁସ୍ଥ ହେଲେ ୩୨୩୦ ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ କୋଭିଡ-୧୯ ର ୨୮୨୭ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୧ ଲକ୍ଷ ୧୩ ହଜାର ୪୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସକ୍ରିୟ ମାମଲାଗୁଡ଼ିକ ବିଷୟରେ କହିବାକୁ ଗଲେ, ଏହି ସଂଖ୍ୟା ୧୯ ହଜାର ୬୭ କୁ ଖସି ଆସିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆଉ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ମୃତ୍ୟୁ ସଂଖ୍ୟା ୫,୨୪,୧୮୧ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୭୦ ହଜାର ୧୬୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସ୍ଥଗିତ ହେଲା ଏସିଆନ୍ ଗେମ୍ସ ୨୦୨୨!, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଏସୀୟ ଗେମ୍ସ ୨୦୨୨ କୁ ସ୍ଥଗିତ ରଖାଯାଇଛି। ଚାଇନାର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏସିଆ ଅଲିମ୍ପିକ୍ କାଉନସିଲ୍ କହିଛି ଯେ ଚାଇନାର ହାଙ୍ଗଜୋରେ ସେପ୍ଟେମ୍ବର ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୯ତମ ଏସୀୟ ଖେଳକୁ ସ୍ଥଗିତ ରଖାଯାଇଛି। ତେବେ ସ୍ଥଗିତ ହେବାର କାରଣ ଦିଆଯାଇ ନାହିଁ। କିନ୍ତୁ ବର୍ତ୍ତମାନ ଚାଇନାରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ, ଏସୀୟ ଖେଳକୁ ସ୍ଥଗିତ ରଖିବାର କାରଣ କୋଭିଡ-୧୯ ବୋଲି କୁହାଯାଉଛି।

ଚାଇନାର ଗଣମାଧ୍ୟମ ଏସିଆନ୍ ଗେମ୍ସ ୨୦୨୨ର ସ୍ଥଗିତ ରଖିବାକୁ ଦାବି କରିଛି। କିନ୍ତୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଚାଇନାର ଗଣମାଧ୍ୟମର ରିପୋର୍ଟ ପରେ ବିଶ୍ୱର ଅନେକ ଗଣମାଧ୍ୟମ ସଂସ୍ଥା ଏହି ଖବର ପ୍ରକାଶ କରିଛନ୍ତି। ଏହା ସହିତ ଏହାର ସ୍ଥଗିତ ହେବାର କାରଣ ମଧ୍ୟ କରୋନା ଭାଇରସକୁ କୁହାଯାଉଛି। ଏସିଆନ୍ ଗେମ୍ସ-୨୦୨୨ ହାଙ୍ଗଜୋରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହା କେବେ ଆରମ୍ଭ ହେବ ସେ ସମ୍ବନ୍ଧରେ କକୌଣସି ସୂଚନା ଗ୍ରହଣ କରାଯାଇ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ସାଂଘାଇ ନିକଟରେ ହାଙ୍ଗଜୋ ଅବସ୍ଥିତ। ଚାଇନାର ସବୁଠୁ ବଡ ସହର ସାଂଘାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏଭଳି ପରିସ୍ଥିତିରେ ସେଠାରେ ଏଲକଡାଉନ ଲଗାଯାଇଥିଲା। ଏସୀୟ ଗେମ୍ସ ବିଷୟରେ ଆୟୋଜକମାନେ କହିଛନ୍ତି ଯେ, ଚୀନ୍‌ର ପୂର୍ବ ଭାଗରେ ଦେଢ କୋଟି ବସତି ସହର ହାଙ୍ଗଜୋରେ ଏସିଆନ ଗେମ୍ସ ପାଇଁ ପ୍ରାୟ ୫୬ ଟି ପ୍ରତିଯୋଗିତା ସ୍ଥାନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସୁନ୍ଦରଗଡ଼/ରାଉରକେଲା: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଆଗରୁ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ୍ ପାଇଁ ବନ୍ଦ ରହିଥିଲା।

ମଙ୍ଗଳବାର ଦିନ ଏହି ଅଭିଯାନ ଅଧୀନରେ ରାଉରକେଲା ମହାନଗର ନିଗମ ପାଠାଗାରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ଯୋଗଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ବହି ପଢ଼ିବା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କଲେଜର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଗୋସ୍ୱାମୀ, ପାନପୋଷସ୍ଥିତ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜ କୁମାର ମହାନ୍ତି ଏବଂ ରାଉରକେଲାର ଜଣାଶୁଣା ଲେଖକ ବିଭୁତି ଭୂଷଣ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହି କିପରି ଜ୍ଞାନର ପରିସୀମାକୁ ଗଭୀର ଓ ବ୍ୟାପକ କରିଥାଏ ସେ ସମ୍ପର୍କରେ କହିଥିଲେ। ବହି ପଢ଼ିବା ଫଳରେ ମଣିଷର ରୁଚିରେ ପରିବର୍ତ୍ତନ ଆସିବା ସହ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଉରକେଲା ମହାନଗର ପାଠାଗାରରେ ଥିବା ରିଡିଙ୍ଗ ରୁମରେ ବସି ନିଜ ପସନ୍ଦର ବହି ପଢ଼ିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ମହାନଗର ନିଗମ ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ପଢ଼ାର ଆଗ୍ରହ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା।

ସୁନ୍ଦରଗଡ଼ର ପାରମ୍ପରିକ ଲୋକନୃତ୍ୟ ଝୁମେର, ଖଡିଆ ନୃତ୍ୟ ସହିତ ପାଲା ଜରିଆରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ବହି ପଢ଼ିବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ସ୍ଥାପନ କରାଯାଇ ଜନସାଧାରଣଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ସୁନ୍ଦରଗଡ଼ଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି।

ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ ରହିଛି। କୋଭିଡ୍-୧୯ ପୂର୍ବରୁ ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ ଏବେ ପୁଣିଥରେ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାଯାଇଛି।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ମଧ୍ୟ ଖୋଲାଯାଉଛି। ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାର ଖୋଲାଯାଇଥିବା ବେଳେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି କରାଯାଉଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଏହି ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି ବିଶେଷ ସହାୟକ ହୋଇପାରୁଛି।

ବିଭିନ୍ନ କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ବହି ପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଲାଇବ୍ରେରି ସାଙ୍ଗରେ ରିଡିଙ୍ଗ ରୁମ୍ ସହିତ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା, ୨ ବର୍ଷ ପରେ ଗୋଟିଏ ଦିନରେ ୩ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିଛି। ଅନେକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଆଜି ଚାଇନାରେ ୩ ହଜାର ୯୯୩ ନୂତନ କୋଭିଡ-୧୯ ମାମଲା ପଞ୍ଜିକୃତ ହୋଇଛି। ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ କରୋନା ସଂକ୍ରମଣର ୩ ହଜାର ୩୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ, ଫେବୃଆରୀ ୨୦୨୦ ପରଠାରୁ ଏହା ହେଉଛି ଦୈନିକ ସଂକ୍ରମଣର ସର୍ବ ବୃହତ ସଂଖ୍ୟା। କରୋନା ବୃଦ୍ଧି ହେତୁ ଅନେକ ସହରରେ ପୁନର୍ବାର କିଛି ପ୍ରତିବନ୍ଧକ ଲଗାଯାଉଛି। ଅନେକ ସହରରେ ଲୋକଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି। ବିଦ୍ୟାଳୟରେ ପିଲାମାନଙ୍କର ଶିକ୍ଷା ମଧ୍ୟ ବ୍ୟାହତ ହୋଇଛି।

ଚାଇନାରେ କରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ବର୍ତ୍ତମାନ ସତର୍କତାମୂଳକ ଭାବରେ ସାଂଘାଇରେ ସ୍କୁଲ ବନ୍ଦ କରିଛନ୍ତି। ଏହା ସହିତ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଅନେକ ଉତ୍ତର-ପୂର୍ବ ସହରରେ ଲକ୍ଡାଉନ୍ ଲଗାଯାଇଛି। ଦେଶର ପ୍ରାୟ ୧୯ ଟି ପ୍ରଦେଶରେ ଓମିକ୍ରନ୍ ଏବଂ ଡେଲଟା ପ୍ରକାରର ଏକ ବିସ୍ଫୋରଣ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: କରୋନା ମହାମାରୀ ସମୟରେ ଗାଁ କୁ ଫେରିଲା ଚାଟଶାଳୀ ପାଠ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବିଶ୍ୱକୁ ଅନେକ ଦୁଃଖ ଦେଇଥିବାବେଳେ ଅନ୍ୟ ପକ୍ଷରେ ପୁରୁଣା ସ୍ମୃତିକୁ ମଧ୍ୟ ମନ ପକାଇଦେଇଛି। ଏହି ସମୟରେ ମନୁଷ୍ୟ ଜୀବନର ମୂଲ୍ୟ ବୁଝିଛି।  ସାଙ୍ଗ ସମ୍ପର୍କୀୟଙ୍କ ଗୁରୁତ୍ୱ ବୁଝିଛି। ପାରିବାରିକ ସମ୍ପର୍କ ଆହୁରି ନିବିଡ଼ ହୋଇଛି।

ତେବେ ଏହା ଭିତରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପିଲା ବେଳର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି। ତାହା ହେଲା ଚାଟଶାଳୀ ପାଠ। ଯେଉଁ ଚାଟଶାଳୀ ପାଠ କାହିଁ କେଉଁ କାଳରୁ ବନ୍ଦ ହୋଇଯାଇଛି, ଏବେ ପୁଣି ତାହା ଆରମ୍ଭ ହୋଇଛି। କରୋନା ଲାଗି ଦୀର୍ଘ ଦୁଇ ବର୍ଷ ହେଲା ବିଦ୍ୟାଳୟ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ବିଶେଷ କରି ପ୍ରଥମେରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବେଶୀ ପ୍ରଭାବିତ ହୋଇଛନ୍ତି।

ପୂର୍ବରୁ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଜାରି ରହିଥିବା ସତ୍ତ୍ୱେ ଏହା ଶତ ପ୍ରତିଶତ ସଫଳ ହୋଇପାରିନାହିଁ। କାରଣ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନାଇଁ କି ସମସ୍ତେ ଡାଟା ପ୍ୟାକ ପକାଇବାକୁ ସମର୍ଥ ନୁହନ୍ତି। ସେହିପରି ଏକାଧିକ ଗ୍ରାମୀଣ ଅଞ୍ଚଳରେ ନେଟୱାର୍କ ସମସ୍ୟା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସବୁ ବ୍ଲକରେ ଆରମ୍ଭ ହୋଇଯାଇଛି ଚାଟଶାଳୀ ପାଠ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକର ପ୍ରତ୍ୟକ ଗ୍ରାମକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦେବେ।

ତେବେ ଏହି ଯୋଜନାର କାର୍ଯ୍ୟକାରିତା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ। ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଚାଟଶାଳୀ ପାଠ ପଢ଼ାଉଛନ୍ତି।  କିଏ ଗ୍ରାମର କୋଠାଘରେ ହେଉ ଅବା ମହିଳା ସମିତି ଗୃହ ବାରଣ୍ଡାରେ କିମ୍ବା ଗ୍ରାମର ଖୋଲା ସ୍ଥାନରେ ହେଉ ଆରମ୍ଭ କରିଦେଇଛନ୍ତି ପାଠ ପଢା। ପିଲାମାନେ ମଧ୍ୟ ଖୁସିରେ ପାଠ ପଢ଼ୁଥିବାର ଦେଖାଯାଇଛି। ଅଭିଭାବକମାନେ ସରକାରଙ୍କ ଉକ୍ତ ପଦକ୍ଷେପ କୁ ପ୍ରଶଂସା କରିଛନ୍ତି।

କୌଣସି ଛାତ୍ର ଛାତ୍ରୀ ଯେପରି ପ୍ରାଥମିକ ଶିକ୍ଷାଦାନରୁ ବଞ୍ଚିତ ନହୁଅନ୍ତି ତାହାକୁ ଦେଖିବା ଏବଂ ସେଥିନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଆମର କର୍ତ୍ତବ୍ୟ ବୋଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜାଲି କହିଛନ୍ତି। ତେବେ ବିଦ୍ୟାଳୟ ପୂର୍ଣ୍ଣମାତ୍ରାରେ ନଖୋଲିବା ପର୍ଯ୍ୟନ୍ତ ଏହିପରି ଚାଟଶାଳୀ ଶିକ୍ଷାଦାନ ଜାରି ରହିବ। ଅନୁରୂପ ଭାବେ ଅଦ୍ୟାବଧି ବାଣପୁର ବ୍ଲକର ଛାତ୍ରଛାତ୍ରୀଙ୍କୁ ଅନଲାଇନ ଓ ୟୁଟୁବ ମାଧ୍ୟମରେ ମଧ୍ୟ ପାଠପଢା ଜାରିରହିଛି। ତେବେ ଯାହା ହେଉନା କାହିଁକି, ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇପଡିଥିବା ଆଜିର ପିଢ଼ି ପୁଣି ଚାଟଶାଳୀ ପାଠ ମାଧ୍ୟମରେ ନିଜସ୍ୱ ସଂସ୍କୃତିକୁ ଆପଣଉଥିବାର ଦେଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ତୃତୀୟ ତରଙ୍ଗରେ ୧୩ ବିଚାରପତିଙ୍କ ସମେତ ୪୦୦ ସୁପ୍ରିମକୋର୍ଟ କର୍ମଚାରୀ ସଂକ୍ରମିତ: ସିଜେଆଇ

ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ତରଙ୍ଗ ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାରାତ୍ମକ ମହାମାରୀ କେବଳ ସାଧାରଣ ଲୋକଙ୍କୁ ନୁହେଁ ରାଜନେତା ଏବଂ ଅଭିନେତାମାନଙ୍କୁ ମଧ୍ୟ ସ୍ପର୍ଶ କରିଛି। ମଙ୍ଗଳବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ, ମହାମାରୀର ତୃତୀୟ ତରଙ୍ଗ ସମୟରେ ସୁପ୍ରିମକୋର୍ଟର ତେର ଜଣ ବିଚାରପତି ଏବଂ କୋର୍ଟର ୪୦୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ରେଜିଷ୍ଟ୍ରି ଦ୍ୱାରା ଶୁଣାଣି ପାଇଁ ତାଙ୍କ ମାମଲା ତୁରନ୍ତ ତାଲିକାଭୁକ୍ତ ହୋଇନାହିଁ ବୋଲି ଜଣେ ଓକିଲ ଅଭିଯୋଗ କରିବା ପରେ ସିଜେଆଇ ଏହି ସୂଚନା ଦେଇଛନ୍ତି।

ଦେଶର ସୁପ୍ରିମକୋର୍ଟରେ ୩୪ ଜଣ ବିଚାରପତିଙ୍କ ଅନୁମୋଦିତ ଶକ୍ତି ରହିଛି। ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତିଙ୍କ ସମେତ ୩୨ ଜଣ ବିଚାରପତି ସୁପ୍ରିମକୋର୍ଟରେ କାର୍ଯ୍ୟ କରୁଛନ୍ତି। ଏଥିରେ ପ୍ରାୟ ୩୦୦୦ କୋର୍ଟ କର୍ମଚାରୀ ଅଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, କୋଭିଡ ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି ଜାନୁୟାରୀ ୩ ତାରିଖରୁ ଭର୍ଚୁଆଲ ମୋଡରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ ୭୯ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ, ଓମିକ୍ରନ୍ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ଲକ୍ଷ ୭୯ ହଜାର ୭୨୯ ଟି ନୂଆ କରୋନା ଆକ୍ରାନ୍ତ ହୋଇଛି। ଏହି ସମୟରେ ୧୪୬ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଓମିକ୍ରନ୍ ଭାରିଆଣ୍ଟର ୪ ହଜାର ୩୩ ମାମଲା ରିପୋର୍ଟ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୭ ଲକ୍ଷ ୨୩ ହଜାର ୬୧୯ କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬ କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୩ କୋଟି ୪୫ ଲକ୍ଷ ୧୩୨ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ସେହିଭଳି ଦେଶରେ ୪ ହଜାର ୩୩ ଜଣ ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବାବେଳେ ୧୫୫୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏହି ପ୍ରକାରରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦ୍ରୁତ ଗତିରେ ବଢିଚାଲିଛି କରୋନା ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ ୫୯ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ, ଓମିକ୍ରନ୍ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ଲକ୍ଷ ୫୯ ହଜାର ୬୩୨ ଟି ନୂଆ କରୋନା ଆକ୍ରାନ୍ତ ହୋଇଛି। ଏହି ସମୟରେ ୩୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଓମିକ୍ରନ୍ ଭାରିଆଣ୍ଟର ୩୬୨୩ ମାମଲା ରିପୋର୍ଟ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୫ ଲକ୍ଷ ୯୦ ହଜାର ୬୧୧ କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୩ ହଜାର ୭୯୦ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୪୦ ହଜାର ୮୬୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୪ ଲକ୍ଷ ୫୩ ହଜାର ୬୦୩ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ସେହିଭଳି ଦେଶରେ ୩ ହଜାର ୬୨୩ ଜଣ ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବାବେଳେ ୧୪୦୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏହି ପ୍ରକାରରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀ ଯତ୍ନବାନ ହୁଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ। ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀମାନେ ଯତ୍ନବାନ ହୁଅନ୍ତୁ ବୋଲି ଉପଦେଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁପାଳନ ବିକାଶମନ୍ତ୍ରୀ ଡଃ ଅରୁଣ କୁମାର ସାହୁ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ହୋଇଥିବା ଜାତୀୟ ସଂହତି ଶିବିରର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦ ଟି ରାଜ୍ୟରୁ ଏହି ଶିବିରରେ ଭାଗ ନେବାକୁ ଆସିଥିବା ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଡଃ ସାହୁ।

ହକି ଭଳି କ୍ରିଡାକୁ ପ୍ରୋତ୍ସାହନ ଦେବା ସହ ଦୀର୍ଘ ୪୦ ବର୍ଷ ପରେ ଭାରତ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଶଂସା କରି ଡଃ ସାହୁ କହିଥିଲେ ଯେ ସ୍କୁଲ୍‌ରେ ପଢ଼ିଲା ବେଳୁ ମୁଖ୍ୟମନ୍ତ୍ରୀଙ୍କର ହକି ପ୍ରତି ଆଗ୍ରହ ଥିଲା। ତେଣୁ ଏହି ଜାତୀୟ କ୍ରୀଡାର ଉନ୍ନତି କରିବା ଦିଗରେ ସେ ଅନେକ ପଦକ୍ଷେପ ନେଉଛନ୍ତି।

ନିଜ ସ୍କୁଲ୍ ଓ କଲେଜ ସମୟରେ ବିଭିନ୍ନ କ୍ୟାମ୍ପରେ ଯୋଗ ଦେଇ ପାଇଥିବା ଶିକ୍ଷାର ସ୍ମୃତିଚାରଣ କରିବା ସହ ଭାରତ ଓ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଡଃ ସାହୁ କହିଥିଲେ ଯେ ଓଡ଼ିଶା ଏଭଳି ଏକ
ରାଜ୍ୟ ଯେଉଁଠି ଥରେ ସମ୍ପର୍କ ଯୋଡିଲେ ଆଉ କାଟି ହୁଏ ନାହିଁ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍‌, ରାଜ୍ୟ ଏନ୍‌ଏସ୍‌ଏସ୍ ସେଲ୍‌ର ଏସ୍‌.ଏନ୍ ଓ ଡଃ ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ବିଶ୍ୱ ବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗତ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସଂହତି ଶିବିରରେ ୨୦ଟି ରାଜ୍ୟରୁ ପ୍ରାୟ ୨୦୦ ପ୍ରତିନିଧି ଭାଗ ନେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ

ମୋବାଇଲ୍ ରିଚାର୍ଜ ଏବଂ ଡାଟା ଯୋଜନା ଲୋକଙ୍କ ଘରର ବଜେଟ୍ କୁ କେତେ ଖରାପ କରିଛି, ତାହା ଜାଣନ୍ତୁ?

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୦ ମସିହାରେ ଦେଶରେ କରୋନା ମହାମାରୀ ସଂକ୍ରମଣ ହେବା ପରେ ପିଲାମାନଙ୍କର ସ୍କୁଲ ବନ୍ଦ ହୋଇଯାଇଥିଲା ଏବଂ ସେମାନଙ୍କୁ ଅନଲାଇନ୍ କ୍ଲାସ୍ କରିବାକୁ ପଡିଲା। ଅନେକ କମ୍ପାନୀର କର୍ମଚାରୀମାନେ କରୋନା ଭୟ ହେତୁ ଘରୁ ଅନଲାଇନ୍ ରେ ଅଫିସ୍ କାର୍ଯ୍ୟ କରୁଥିଲେ।

ଏହା ପିଲାମାନଙ୍କ ପାଇଁ ହେଉ (ଅନଲାଇନ୍ କ୍ଲାସ୍) କିମ୍ବା କର୍ମଚାରୀଙ୍କ ପାଇଁ (ଘରୁ କାମ), ମୋବାଇଲ ଡାଟା ବିନା ଉଭୟ ସମ୍ଭବ ନୁହେଁ, ସେହିଭଳି ଅନଲାଇନ୍ କ୍ଲାସ୍ ଏବଂ ଘରୁ କାମ ହେତୁ ଲୋକଙ୍କ ମୋବାଇଲ୍ ବିଲ୍ ବୃଦ୍ଧି ପାଇଥିଲା। କିନ୍ତୁ ନଭେମ୍ବର ୨୫ ତାରିଖ ଅର୍ଥାତ୍ ଆସନ୍ତାକାଲି, ଲୋକଙ୍କ ବଜେଟ୍ ଆହୁରି ଖରାପ ହେବାକୁ ଯାଉଛି। କାରଣ ଭାରତ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ପ୍ରିପେଡ୍ ମୋବାଇଲ୍ ଶୁଳ୍କରେ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଏହାର ଅର୍ଥ ହେଉଛି ମୋବାଇଲ୍ ଫୋନରେ କଥାବାର୍ତ୍ତା କରିବା ଏବଂ ମୋବାଇଲ୍ ଲାପଟପ୍ ରେ ନେଟ୍ ସର୍ଫିଂ କରିବା ମହଙ୍ଗା ପଡିବ। ଏହା ସହିତ, ଆପଣଙ୍କୁ ଅନଲାଇନ୍ କ୍ଲାସ୍ ଏବଂ ପିଲାମାନଙ୍କ ଘରୁ କାମ କରିବା ପାଇଁ ଖର୍ଚ୍ଚ ହୋଇଥିବା ଡାଟା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ।

ପ୍ରିପେଡ୍ ଯୋଜନାରେ କେତେ ମହଙ୍ଗା?:

ଉଭୟ ଭାରତ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆକୁ ୨୮ ଦିନର ବୈଧତା ସହିତ ଶସ୍ତା ପ୍ରିପେଡ୍ ମୋବାଇଲ୍ ଶୁଳ୍କ ଯୋଜନା ପାଇଁ ୭୯ ଟଙ୍କା ପୂର୍ବରୁ ଦେବାକୁ ପଡୁଥିଲା। କିନ୍ତୁ ଶୁଳ୍କ ବୃଦ୍ଧି ପରେ ଆପଣଙ୍କୁ ବର୍ତ୍ତମାନ ୯୯ ଟଙ୍କା ଦେବାକୁ ପଡିବ। ଏଥି ସହିତ, ୨୮ ଦିନର ବୈଧତା ସହିତ ୧୪୯ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ବର୍ତ୍ତମାନ ୧୭୯ ଟଙ୍କା ଦେବାକୁ ପଡିବ। ୨୮ ଦିନର ବୈଧତା ଅବଧି ସହିତ ଏୟାରଟେଲ ବର୍ତ୍ତମାନ ୨୬୫ ଟଙ୍କା ଏବଂ ଭୋଡାଫୋନ୍ ଆଇଡିଆ ୨୬୯ ଟଙ୍କା ହୋଇଛି, ଯାହା ପୂର୍ବରୁ ୨୧୯ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଖର୍ଚ୍ଚ କରିବାକୁ ପଡୁଥିଲା। ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୧ ଜିବି ଡାଟା ଉପଲବ୍ଧ। ଏବଂ ଭୋଡାଫୋନ୍ ଆଇଡିଆ ୩୬୫ ଦିନର ବୈଧତା ସହିତ ପ୍ରିପେଡ୍ ଯୋଜନା ପାଇଁ ୨୩୯୯ ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ୨୮୯୯ ଟଙ୍କା ଦେବାକୁ ପଡିବ, ଯେତେବେଳେ ଏୟାରଟେଲ୍ ପୂର୍ବରୁ ୨୪୯୮ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୨୯୯୯ ଟଙ୍କା ଦେବାକୁ ପଡିବ।

ଡାଟା ହେଲା ମହଙ୍ଗା:

ପିଲାମାନେ (ଅନ୍ଲାଇନ୍ କ୍ଲାସ୍) ଏବଂ (ଘରୁ କାମ) ସର୍ବାଧିକ ଡାଟା ଖର୍ଚ୍ଚ କରନ୍ତି। ୩ ଜିବି ଡାଟାର ଟପ୍ ଅପ୍ ପ୍ଲାନ୍ ପାଇବାକୁ ପୂର୍ବରୁ ୪୮ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ୫୮ ଟଙ୍କା ଦେବାକୁ ପଡିବ। ପୂର୍ବରୁ ୧୨ ଜିବି ଟପ୍ ଅପ୍ ପ୍ଲାନ୍ ନେବା ପାଇଁ ୯୮ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ୧୧୮ ଟଙ୍କା ଦେବାକୁ ପଡିବ। ପୂର୍ବରୁ, ୫୦ ଜିବି ଟପ୍ ଅପ୍ ଯୋଜନା ନେବାକୁ ହେଲେ ଆପଣଙ୍କୁ ୨୯୮ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଆପଣଙ୍କୁ ୩୦୧ ଟଙ୍କା ଦେବାକୁ ପଡିବ। ୧୦୦ ଜିବି ର ଏକ ଟପ୍ ଅପ୍ ଡାଟା ପ୍ଲାନ୍ ପାଇବା ପାଇଁ ପୂର୍ବରୁ ଆପଣଙ୍କୁ ୩୫୧ ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଆପଣଙ୍କୁ ୪୧୮ ଟଙ୍କା ଦେବାକୁ ପଡିବ।

Categories
ଆଜିର ଖବର ରାଜ୍ୟ ଖବର

ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁଁ ତାତିଲେ ବିଜେଡ଼ି ମହିଳା

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। କରୋନା ମହାମାରୀ ଯୋଗୁଁ ଲୋକେ ନିଯୁକ୍ତି ହରାଇଛନ୍ତି, ଲୋକମାନଙ୍କର ଆର୍ଥିକ ରୋଜଗାର କମିଯାଇଛି।

ଏହି ସମୟରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଦେବା ବଦଳରେ ସବୁ ଜିନିଷର ଦର ବୃଦ୍ଧିକୁ ରୋକିପାରୁ ନଥିବାରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି। ଦରଦାମ ନିୟନ୍ତ୍ରଣ ସରକାରଙ୍କ ଅଧିନରେ ଥିବା ଭଳି ହୃତବୋଧ ହେଉନାହିଁ। ଯେଉଁଥିରେ ଜନସାଧାରଣଙ୍କ ମନରେ ଖୁବ୍ ଅସନ୍ତୋଷ ଦେଖାଦେଇଛି।

ଆଜି ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ପ୍ରତିଦିନ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି ଯୋଗୁ ମହିଳମାନେ ଗ୍ୟାସ୍ ଟାଙ୍କି ଧରି ଏବଂ ରାଜରାସ୍ତାରେ କାଠ ଚୁଲିରେ ରୋଷେଇ କରି ପ୍ରତିବାଦ କରିଥିଲେ।

ଏହି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ସହିତ ସାଧାରଣ ଜନତା ଏବଂ ମହିଳାମାନେ ଭାଗ ନେଇ କେନ୍ଦ୍ର ସରକାରଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ଦୃଢ ବିରୋଧ କରିଥିଲେ। ଭୁବନେଶ୍ୱର ଜୋନ୍ ବିଜୁ ମହିଳା ଜନତା ଦଳର ସଭାପତି ରଞ୍ଜୁଲତା ରାୟ, ପ୍ରଭାସିନୀ ଷଡ଼ଙ୍ଗୀ, ବନଜା ମହାନ୍ତିଙ୍କ ସମେତ ଶତାଧିକ ମହିଳା ଏଥିରେ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ବର୍ଷକର ଶିଶୁ, ଭେଂଟିଲେଟରରେ ଥିଲେ ଆଠ ଦିନ

ଭୁବନେଶ୍ୱର: କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ। କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ ଧରି ଭେଂଟିଲେଟରରେ ରହିବା ପରେ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି।

ବାଲେଶ୍ୱର ନୀଳଗିରି ଅଂଚଳର ଏକ ବର୍ଷର ଶିଶୁ ଅମନ୍ ପଟ୍ଟନାୟକ ଗତ ୨୧ ତାରିଖରେ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ପ୍ରବଳ ଜ୍ୱର ସମେତ ବାତ ରୋଗ ମଧ୍ୟ ଦେଖାଦେଇଥିଲା। ସେଥି ପାଇଁ ଶିଶୁର ଚିକିତ୍ସା କରିବା ଡାକ୍ତର ଓ ନର୍ସମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।ଶିଶୁପୁତ୍ରଟିକୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

ତେବେ ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେପ୍ଟେମ୍ବର ୨୨ ତାରିଖ ଦିନ ଭେଂଟିଲେଟରରେ ରଖାଯାଇଥିଲା। ଦୀର୍ଘ ୮ ଦିନ ଧରି ଶିଶୁଟି ଭେଂଟିଲେଟରରେ ରହିଥିବା ବେଳେ ସମ୍ କୋଭିଡ ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ସେବା ଯତ୍ନ ଓ ଉତମ ଚିକିତ୍ସା ଦ୍ୱାରା ଶିଶୁଟିକୁ ସୁସ୍ଥ କରିବାରେ ସକ୍ଷମ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ୨୯ ତାରିଖ ଦିନ ଶିଶୁଟିକୁ ଭଂଟିଲେଟରରୁ ବାହାର କରାଯାଇ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା। ଶିଶୁଟି ଆଇସିୟୁରେ ରହିଥିବା ବେଳେ ତା’ର ବାପା-ମା ହସ୍ପିଟାଲ୍ ବାହାରେ ରହି ତା’ର କେବଳ ଆରୋଗ୍ୟ କାମନା କରିଚାଲିଥିଲେ।

ତେବେ ଏହି ବର୍ଷକର ଶିଶୁଟିର ସବୁ ଦାୟିତ୍ୱ ନେଇଥିଲେ ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ କର୍ମଚାରୀମାନେ। ସେମାନଙ୍କର ଆପ୍ରାଣ ଉଦ୍ୟମ, ନିଷ୍ଠା ଓ ଚିକିତ୍ସା ଫଳରେ ଶିଶୁଟି ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛି। ପୁଅ ସୁସ୍ଥ ହେବା ପରେ ସମ୍ କୋଭିଡ୍ ଟିମ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବାପା ଜୟନ୍ତ ପଟ୍ଟନାୟକ। ସେ କହିଛନ୍ତି ସମ୍ କୋଭିଡ୍ ହସ୍ପିଟାଲ୍‌ର ଉତ୍ତମ ଚିକିତ୍ସା ବିଷୟରେ ଆଗରୁ କେବଳ ଶୁଣିଥିଲି। କିନ୍ତୁ ମୋ ପୁଅ ସୁସ୍ଥ ହେବା ପରେ ଏହା ଅନୁଭବ କଲି। ମୋ ପୁଅ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ନୂଆ ଜୀବନ ପାଇଛି ବୋଲି ଜୟନ୍ତ କହିଛନ୍ତି। କେବଳ ଅମନ୍ ନୁହଁନ୍ତି ତାଙ୍କ ଭଳି ଅନେକ କୋଭିଡ୍ ସଂକ୍ରମିତ ଶିଶୁ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅନଲାଇନ୍ କ୍ଳାସ ସୃଷ୍ଟି କରୁଛି ବଡ ବିପଦ!: ବୃଦ୍ଧି ପାଉଛି ପିଲାମାନଙ୍କର ଆଖି ରୋଗ

ମୁମ୍ବାଇ: କରୋନା ମହାମାରୀ ପରେ ଅଧ୍ୟୟନ ପାଇଁ ଅନଲାଇନ୍ କ୍ଲାସ୍ ପିଲାମାନଙ୍କ ପାଇଁ ସାଂଘାତିକ ପ୍ରମାଣିତ ହେଉଛି। ଅନଲାଇନ୍ କ୍ଲାସରୁ ସ୍କ୍ରିନ ସମୟ ବୃଦ୍ଧି ହେତୁ ପିଲାମାନଙ୍କଠାରେ ଆଖି ରୋଗ ବୃଦ୍ଧି ପାଉଛି। ଅନଲାଇନ୍ କ୍ଲାସ୍, ମୋବାଇଲ୍, ଟିଭି ପିଲାମାନଙ୍କ ଆଖିରେ କ୍ଷତି ପହଞ୍ଚାଉଛି ଏବଂ ପିଲାମାନେ ‘ମାୟୋପିୟା’ର ଶିକାର ହେଉଛନ୍ତି। ମାୟୋପିୟା ହେଉଛି ଆଖିର ଏକ ତ୍ରୁଟି ଯେଉଁଥିରେ ନିକଟସ୍ଥ ବସ୍ତୁଗୁଡ଼ିକ ସ୍ପଷ୍ଟ ଦେଖାଯାଏ, କିନ୍ତୁ ଦୂର ଆଲୋକ ଅସ୍ପଷ୍ଟ ହୋଇଯାଏ। ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ସମସ୍ତେ ଅନଲାଇନରେ ଅଧିକାଂଶ ସମୟ ବିତାଉଛନ୍ତି।

ଫୋର୍ଟିସ୍ ହିରାନନ୍ଦାନୀ ଡାକ୍ତରଖାନାର ଡାକ୍ତର ହର୍ଷବର୍ଦ୍ଧନ ଘୋରପେଡ କହିଛନ୍ତି, ପିଲାମାନଙ୍କଠାରେ ଶୁଷ୍କ ଆଖି ଅତି ସାଧାରଣ ହୋଇଛି। ଆଖି ସଂକ୍ରମଣ ମଧ୍ୟ ସାଧାରଣ ହୋଇଗଲାଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାୟୋପିୟା ମାଇନସ୍ ଶକ୍ତି ବୃଦ୍ଧି କରିବା। ଭବିଷ୍ୟତରେ ଏହା ଏକ ବଡ ସମସ୍ୟା ହୋଇପାରେ, ଅନେକ ପିଲା ସିଧା ମାଇନସ୍ ୧-୨ ରୁ ମାଇନସ୍ ୪-୫ ପର୍ଯ୍ୟନ୍ତ ଯାଆନ୍ତି ଏବଂ ସାଧାରଣ ବୟସ ଶ୍ରେଣୀ ହେଉଛି ୬-୧୦ ବର୍ଷ।

ଚକ୍ଷୁ ବିଶେଷଜ୍ ଡା. ଉଶା ଜୋହରୀ କହିଛନ୍ତି ଯେ, ସେ ଗୋଟିଏ ଦିନରେ ୧୦ ଜଣ ପିଲାଙ୍କୁ ଚିକିତ୍ସା କରୁଛନ୍ତି। ସେ କହିଛନ୍ତି, “ଦୁଇ ବର୍ଷ ପୂର୍ବେ ଆମେ ଏକ ସପ୍ତାହରେ ପ୍ରାୟ ୧୫ ଜଣ ରୋଗୀଙ୍କୁ ଦେଖୁଥିଲୁ, କିନ୍ତୁ ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧୦ ଜଣ ପିଲା ଆଖି ଅଭିଯୋଗ ସହିତ ଆସୁଛନ୍ତି। ପିଲାମାନଙ୍କର ସ୍କ୍ରିନ୍ ସମୟ ବୃଦ୍ଧି ହେତୁ ଏହା ଘଟିଛି। ଯଦି ପିଲାମାନେ ମୋବାଇଲ୍ ଦେଖୁଛନ୍ତି ୧ ଫୁଟ ଦୂର, ଲାପଟପ୍ ଦେଖିଲେ ୨ ଫୁଟ ଦୂର ଏବଂ ୧୦ ଫୁଟ ଦୂରତାରେ ରହି ଟିଭି ଦେଖିବା ଆବଶ୍ୟକ।

ପ୍ରାୟ ୪-୬ ଘଣ୍ଟା ଅନଲାଇନ୍ ଶିକ୍ଷାଦାନ ଏବଂ ତା’ପରେ ଅନ୍ୟ କ୍ଲାସ୍, ଅନଲାଇନ୍ ମୋବାଇଲ୍ ଗେମ୍, ଟିଭି, ଏହି ସମସ୍ତ ପିଲାମାନେ ସ୍କ୍ରିନ୍ ସମୟ ଉପରେ ପ୍ରାୟ ୮-୯ ଘଣ୍ଟା ବିତାଉଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ, ଛୋଟ ପିଲାମାନଙ୍କ ପାଇଁ ପରଦାରେ ବିତାଉଥିବା ସମୟ ଦୁଇ ଘଣ୍ଟାରୁ ଅଧିକ ହେବା ଅନୁଚିତ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହରୀର କଷ୍ଟ ଏବଂ ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ଆସିଛି ଏକ ଖୁବ୍ ଭଲ ଖବର। କୋଭିଡ୍ ଅନେକ ଚିହ୍ନା ଓ ଅଚିହ୍ନା ମୁହଁ ଛଡାଇ ନେଉଥିବା ବେଳେ ଅନେକ ଗୁରୁତର ହୋଇ ହସ୍ପିଟାଲ୍‌ରେ କଷ୍ଟ ଭୋଗୁଛନ୍ତି।

ତେବେ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କୋଭିଡ୍ ଆକ୍ରାନ୍ତ ହୋଇଥିବା ଜଣେ ଶତାୟୁ ବୃଦ୍ଧ। ଭୁବନେଶ୍ୱର ସ୍ଥିତ ଝାରପଡା ଅଂଚଳର ୧୦୦ ବର୍ଷୀୟ ବୃନ୍ଦାବନ ସାମଲ୍ ଗତ ୨୬ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେଭର୍ତ୍ତି ହେବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିଲା ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

କରୋନା ସଂକ୍ରମଣ ପରେ ସେ ନିମୋନିଆରେ ପିଡ଼ିତ ଥିବା ସହ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଥି ସହିତ ତାଙ୍କର କିଡ୍‌ନି ଜନିତ ସମସ୍ୟା ମଧ୍ୟ ପୂର୍ବରୁ ରହିଥିଲା।
ତେଣୁ ତାଙ୍କର ଚିକିତ୍ସା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ମାତ୍ର ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଏହି ଶତାୟୁ ବୃଦ୍ଧ ଜଣକ ହସ୍ପିଟାଲ୍‌ରେ ବେଶ୍ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବୃନ୍ଦାବନ ଘରକୁ ଫେରିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଅନେକ ପ୍ରଶଂସା କରିଛନ୍ତି ତାଙ୍କ ପରିବାର। ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନଙ୍କର ଚିକିତ୍ସା ଓ ସେବାକୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି ତାଙ୍କ ନାତି ଆଲୋକ ସାମଲ।

ବିଶେଷ ଭାବେ ନର୍ସମାନେ ନିଜ ହାତରେ ବୃଦ୍ଧଙ୍କୁ ଖାଦ୍ୟ ଖୁଆଇ ଦେବାକୁ ବେଶ ପ୍ରଶଂସା
କରିଛନ୍ତି ତାଙ୍କ ନାତି। ସମ୍ କୋଭିଡ ହସ୍ପିଟାଲ୍ ଯୋଗୁ ହିଁ ତାଙ୍କ ଜେଜେ ଘରକୁ ଫେରିପାରିଲେ ବୋଲି ସେ କହିଛନ୍ତି।

ପୂର୍ବରୁ କୋଭଡି୍‌ର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ୯୦ ବର୍ଷରୁ ଊର୍ଦ୍ଧ୍ୱ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍ କୋଭିଡ୍‌ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି।