ବାଣପୁର: କରୋନା ମହାମାରୀ ସମୟରେ ଗାଁ କୁ ଫେରିଲା ଚାଟଶାଳୀ ପାଠ

Published: Feb 1, 2022, 11:25 am IST

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବିଶ୍ୱକୁ ଅନେକ ଦୁଃଖ ଦେଇଥିବାବେଳେ ଅନ୍ୟ ପକ୍ଷରେ ପୁରୁଣା ସ୍ମୃତିକୁ ମଧ୍ୟ ମନ ପକାଇଦେଇଛି। ଏହି ସମୟରେ ମନୁଷ୍ୟ ଜୀବନର ମୂଲ୍ୟ ବୁଝିଛି।  ସାଙ୍ଗ ସମ୍ପର୍କୀୟଙ୍କ ଗୁରୁତ୍ୱ ବୁଝିଛି। ପାରିବାରିକ ସମ୍ପର୍କ ଆହୁରି ନିବିଡ଼ ହୋଇଛି।

ତେବେ ଏହା ଭିତରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପିଲା ବେଳର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି। ତାହା ହେଲା ଚାଟଶାଳୀ ପାଠ। ଯେଉଁ ଚାଟଶାଳୀ ପାଠ କାହିଁ କେଉଁ କାଳରୁ ବନ୍ଦ ହୋଇଯାଇଛି, ଏବେ ପୁଣି ତାହା ଆରମ୍ଭ ହୋଇଛି। କରୋନା ଲାଗି ଦୀର୍ଘ ଦୁଇ ବର୍ଷ ହେଲା ବିଦ୍ୟାଳୟ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ବିଶେଷ କରି ପ୍ରଥମେରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବେଶୀ ପ୍ରଭାବିତ ହୋଇଛନ୍ତି।

ପୂର୍ବରୁ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଜାରି ରହିଥିବା ସତ୍ତ୍ୱେ ଏହା ଶତ ପ୍ରତିଶତ ସଫଳ ହୋଇପାରିନାହିଁ। କାରଣ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନାଇଁ କି ସମସ୍ତେ ଡାଟା ପ୍ୟାକ ପକାଇବାକୁ ସମର୍ଥ ନୁହନ୍ତି। ସେହିପରି ଏକାଧିକ ଗ୍ରାମୀଣ ଅଞ୍ଚଳରେ ନେଟୱାର୍କ ସମସ୍ୟା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସବୁ ବ୍ଲକରେ ଆରମ୍ଭ ହୋଇଯାଇଛି ଚାଟଶାଳୀ ପାଠ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକର ପ୍ରତ୍ୟକ ଗ୍ରାମକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦେବେ।

ତେବେ ଏହି ଯୋଜନାର କାର୍ଯ୍ୟକାରିତା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ। ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଚାଟଶାଳୀ ପାଠ ପଢ଼ାଉଛନ୍ତି।  କିଏ ଗ୍ରାମର କୋଠାଘରେ ହେଉ ଅବା ମହିଳା ସମିତି ଗୃହ ବାରଣ୍ଡାରେ କିମ୍ବା ଗ୍ରାମର ଖୋଲା ସ୍ଥାନରେ ହେଉ ଆରମ୍ଭ କରିଦେଇଛନ୍ତି ପାଠ ପଢା। ପିଲାମାନେ ମଧ୍ୟ ଖୁସିରେ ପାଠ ପଢ଼ୁଥିବାର ଦେଖାଯାଇଛି। ଅଭିଭାବକମାନେ ସରକାରଙ୍କ ଉକ୍ତ ପଦକ୍ଷେପ କୁ ପ୍ରଶଂସା କରିଛନ୍ତି।

କୌଣସି ଛାତ୍ର ଛାତ୍ରୀ ଯେପରି ପ୍ରାଥମିକ ଶିକ୍ଷାଦାନରୁ ବଞ୍ଚିତ ନହୁଅନ୍ତି ତାହାକୁ ଦେଖିବା ଏବଂ ସେଥିନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଆମର କର୍ତ୍ତବ୍ୟ ବୋଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜାଲି କହିଛନ୍ତି। ତେବେ ବିଦ୍ୟାଳୟ ପୂର୍ଣ୍ଣମାତ୍ରାରେ ନଖୋଲିବା ପର୍ଯ୍ୟନ୍ତ ଏହିପରି ଚାଟଶାଳୀ ଶିକ୍ଷାଦାନ ଜାରି ରହିବ। ଅନୁରୂପ ଭାବେ ଅଦ୍ୟାବଧି ବାଣପୁର ବ୍ଲକର ଛାତ୍ରଛାତ୍ରୀଙ୍କୁ ଅନଲାଇନ ଓ ୟୁଟୁବ ମାଧ୍ୟମରେ ମଧ୍ୟ ପାଠପଢା ଜାରିରହିଛି। ତେବେ ଯାହା ହେଉନା କାହିଁକି, ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇପଡିଥିବା ଆଜିର ପିଢ଼ି ପୁଣି ଚାଟଶାଳୀ ପାଠ ମାଧ୍ୟମରେ ନିଜସ୍ୱ ସଂସ୍କୃତିକୁ ଆପଣଉଥିବାର ଦେଖାଯାଇଛି।

Related posts