ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁଁ ତାତିଲେ ବିଜେଡ଼ି ମହିଳା

Published: Oct 31, 2021, 8:01 pm IST

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। କରୋନା ମହାମାରୀ ଯୋଗୁଁ ଲୋକେ ନିଯୁକ୍ତି ହରାଇଛନ୍ତି, ଲୋକମାନଙ୍କର ଆର୍ଥିକ ରୋଜଗାର କମିଯାଇଛି।

ଏହି ସମୟରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଦେବା ବଦଳରେ ସବୁ ଜିନିଷର ଦର ବୃଦ୍ଧିକୁ ରୋକିପାରୁ ନଥିବାରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି। ଦରଦାମ ନିୟନ୍ତ୍ରଣ ସରକାରଙ୍କ ଅଧିନରେ ଥିବା ଭଳି ହୃତବୋଧ ହେଉନାହିଁ। ଯେଉଁଥିରେ ଜନସାଧାରଣଙ୍କ ମନରେ ଖୁବ୍ ଅସନ୍ତୋଷ ଦେଖାଦେଇଛି।

ଆଜି ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ପ୍ରତିଦିନ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି ଯୋଗୁ ମହିଳମାନେ ଗ୍ୟାସ୍ ଟାଙ୍କି ଧରି ଏବଂ ରାଜରାସ୍ତାରେ କାଠ ଚୁଲିରେ ରୋଷେଇ କରି ପ୍ରତିବାଦ କରିଥିଲେ।

ଏହି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ସହିତ ସାଧାରଣ ଜନତା ଏବଂ ମହିଳାମାନେ ଭାଗ ନେଇ କେନ୍ଦ୍ର ସରକାରଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ଦୃଢ ବିରୋଧ କରିଥିଲେ। ଭୁବନେଶ୍ୱର ଜୋନ୍ ବିଜୁ ମହିଳା ଜନତା ଦଳର ସଭାପତି ରଞ୍ଜୁଲତା ରାୟ, ପ୍ରଭାସିନୀ ଷଡ଼ଙ୍ଗୀ, ବନଜା ମହାନ୍ତିଙ୍କ ସମେତ ଶତାଧିକ ମହିଳା ଏଥିରେ ସାମିଲ୍ ହୋଇଥିଲେ।

Related posts