Categories
ଆଜିର ଖବର ରାଜ୍ୟ ଖବର

ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁଁ ତାତିଲେ ବିଜେଡ଼ି ମହିଳା

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। କରୋନା ମହାମାରୀ ଯୋଗୁଁ ଲୋକେ ନିଯୁକ୍ତି ହରାଇଛନ୍ତି, ଲୋକମାନଙ୍କର ଆର୍ଥିକ ରୋଜଗାର କମିଯାଇଛି।

ଏହି ସମୟରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଦେବା ବଦଳରେ ସବୁ ଜିନିଷର ଦର ବୃଦ୍ଧିକୁ ରୋକିପାରୁ ନଥିବାରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି। ଦରଦାମ ନିୟନ୍ତ୍ରଣ ସରକାରଙ୍କ ଅଧିନରେ ଥିବା ଭଳି ହୃତବୋଧ ହେଉନାହିଁ। ଯେଉଁଥିରେ ଜନସାଧାରଣଙ୍କ ମନରେ ଖୁବ୍ ଅସନ୍ତୋଷ ଦେଖାଦେଇଛି।

ଆଜି ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ପ୍ରତିଦିନ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି ଯୋଗୁ ମହିଳମାନେ ଗ୍ୟାସ୍ ଟାଙ୍କି ଧରି ଏବଂ ରାଜରାସ୍ତାରେ କାଠ ଚୁଲିରେ ରୋଷେଇ କରି ପ୍ରତିବାଦ କରିଥିଲେ।

ଏହି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ସହିତ ସାଧାରଣ ଜନତା ଏବଂ ମହିଳାମାନେ ଭାଗ ନେଇ କେନ୍ଦ୍ର ସରକାରଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ଦୃଢ ବିରୋଧ କରିଥିଲେ। ଭୁବନେଶ୍ୱର ଜୋନ୍ ବିଜୁ ମହିଳା ଜନତା ଦଳର ସଭାପତି ରଞ୍ଜୁଲତା ରାୟ, ପ୍ରଭାସିନୀ ଷଡ଼ଙ୍ଗୀ, ବନଜା ମହାନ୍ତିଙ୍କ ସମେତ ଶତାଧିକ ମହିଳା ଏଥିରେ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ରାଜ୍ୟରେ ଲକଡାଉନ ଅବଧି: ସକାଳ ୭ ଟାରୁ ୧୧ ଟା ଯାଏଁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଜୁନ୍ ୧ ତାରିଖ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟରେ କଟକଣା ବଳବତ୍ତର ରହିବ। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ଅବଧିକୁ ହ୍ରାସ କରାଯାଇଛି।

ପୂର୍ବରୁ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହାର ଅବଧିକୁ ସକାଳ ୭ ଟାରୁ ୧୧ ଟା ଯାଏଁ ଅନୁମତି ରହିଛି। ଏହି ସମୟରେ ୫୦୦ ମିଟର ଭିତରେ ଚାଲିକି ଯାଇ ସାମଗ୍ରୀ କିଣିବାକୁ ଅନୁମତି ମିଳିଛି।

ପୂର୍ବଭଳି ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ସଟଡାଉନ କଟକଣା ଜାରି ରହିବ। ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ଅନୁମତି ରହିଛି। ବାହାଘର, ବ୍ରତ ଘର, ଶୁଦ୍ଧିକ୍ରିୟାରେ ଭୋଜି ଭାତ ପାଇଁ ଅନୁମତି ନାହିଁ। କେବଳ ପ୍ୟାକେଟ ଖାଦ୍ୟ ଅନୁମତି ମିଳିବ।

Categories
ଆଜିର ଖବର ଆଞ୍ଚଳିକ ବ୍ୟବସାୟ

ବାଣପୁର, ବାଲୁଗାଁରେ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଯୋଗାଣ ବିଭାଗ ଆଖିରେ କଳା ପଟି

ସୀତାରାମ ଅଗ୍ରୱାଲ

ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି।

ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଲାଭ କରିବା ଆଶାରେ ଗରିବ ଲୋକର ପେଟକୁ ଲାତ ମାରିବା କେତେଦୂର ଗ୍ରହଣୀୟ?

ତେବେ ଏଠି ଯୋଗାଣ ବିଭାଗର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଚିଲିକା ଏବଂ ବାଣପୁର ବ୍ଲକରେ ଦୁଇ ଜଣ ଯୋଗାଣ ନିରୀକ୍ଷକ ଅବସ୍ଥାପିତ ହୋଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର କଳାବଜାରୀ ସେମାନଙ୍କ ଦୃଷ୍ଟିକୁ ନଆସିବା ଅତ୍ୟନ୍ତ ଚିନ୍ତାଜନକ।  ଅଭିଯୋଗ ହେଉଛି କି ଯୋଗାଣ ବିଭାଗର ନାକତଳେ ଏ ସବୁ ଅସାଧୁ କାର୍ଯ୍ୟ ଜାରିରହିଥିବା ସ୍ଥଳେ ଜାଣିଶୁଣି ଯୋଗାଣ ବିଭାଗ ଚୁପ ରହୁଛି।

ଆସନ୍ତା ଶନିବାର ଠାରୁ ଦୁଇ ଦିନ ଯାଏଁ ସଟ ଡ଼ାଉନ ହେବାକୁ ଥିବା ବେଳେ ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖୁଲମଖୁଲା ଜାରି ରହିବ। ତେବେ ଏଠି ଦେଖିବାକୁ ବାକି ରହିଲା ବାଣପୁର ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଏଦିଗରେ କେବେ ଏବଂ କି ପଦକ୍ଷେପ ନେବେ?

Categories
ଆଜିର ଖବର ଜାତୀୟ ଖବର

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଲରି ଚାଳକମାନଙ୍କ ପାଇଁ ସରକାର ଜାରୀ କଲେ ଗାଇଡ ଲାଇନ

ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ/ଲରି ଡ୍ରାଇଭରମାନଙ୍କ ପାଇଁ କରଣୀୟ ଏବଂ ବର୍ଜନୀୟ କାର୍ଯ୍ୟ ଦର୍ଶାଉଥିବା ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କରାଯାଇଛି। ଏହି ଆନିମେସନରେ ଲୋକମାନଙ୍କୁ ଟ୍ରକ/ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ କରାଯାଇଛି। କାରଣ କୋଭିଡ-19 ନିୟନ୍ତ୍ରଣ କରିବା ଏବଂ ଜୀବନ ରକ୍ଷା ନିମନ୍ତେ ସରକାରଙ୍କୁ ଲକଡାଉନ ଅବଧି ବଢ଼ାଇବାକୁ ପଡ଼ିଥିବା ବେଳେ ଏମାନେ ଆମ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ଆମର ଜୀବନକୁ ସହଜ କରିବାରେ ନିୟୋଜିତ ଅଛନ୍ତି।

ଅତ୍ୟନ୍ତ ଆକର୍ଷଣୀୟ ଆନିମେସନ ଜରିଆରେ କରଣୀୟ ବର୍ଜନୀୟ କାର୍ଯ୍ୟକୁ ଦର୍ଶାଯାଇଛି: 

  • ନୋଭେଲ କରୋନା ଭୂତାଣୁ ରୋଗ (କୋଭିଡ-19) ଠାରୁ ସୁରକ୍ଷା
  • ଟ୍ରକ/ଲରି ଡ୍ରାଇଭରମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସହଯୋଗ କରନ୍ତୁ, ଯେଉଁମାନେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ଜାରି ରଖିଛନ୍ତି।
  • ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ଓ ସୁରକ୍ଷା ନିୟମ ପାଳନ କରନ୍ତୁ।

କରିବେ :

  • ନିଜକୁ ପରିଷ୍କାର ରଖନ୍ତୁ
  • ଯେତେବେଳେ ସୁଯୋଗ ମିଳୁଛି, ସାବୁନ ଓ ପାଣିରେ ଅତି କମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୂଅନ୍ତୁ
  • ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରିବା ସମୟରେ ମାସ୍କ ନିଶ୍ଚିତ ଭାବେ ପିନ୍ଧନ୍ତୁ
  • ମାସ୍କ ବ୍ୟବହାର କରିସାରିବା ପରେ ତା’କୁ ସାବୁନ ଓ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ
  • ନିଜ ଗାଡ଼ିରେ ସବୁବେଳେ ସାନିଟାଇଜର ରଖନ୍ତୁ
  • ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରକୁ ଆସିବା ସମୟରେ 70 ପ୍ରତିଶତ ଆଲକହଲଯୁକ୍ତ ସାନିଟାଇଜରରେ ହାତ ସଫା କରନ୍ତୁ
  • ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗାଡ଼ିରେ ନିଜ ସହିତ ସହାୟକ ଓ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କାହାକୁ ନେଇ ଯାତ୍ରା କରନ୍ତୁ ନାହିଁ
  • ପରସ୍ପର ଠାରୁ ଉଚିତ ଦୂରତ୍ବ ରକ୍ଷା କରନ୍ତୁ।
  • ଚେକ ପୋଷ୍ଟ/ଲୋଡିଂ-ଅନଲୋଡିଂ ପଏଣ୍ଟ/ଢାବା ଆଦି ସ୍ଥାନରେ ଅନ୍ୟ ଲୋକମାନଙ୍କ ନିକଟତର ହୁଅନ୍ତୁ ନାହିଁ
  • ନିଜ ଗାଡ଼ିକୁ ସବୁଦିନ ସାନିଟାଇଜ କରନ୍ତୁ

କରିବେ ନାହିଁ 

  • ଚିରା/ପୁରୁଣା ଏବଂ ଅନ୍ୟ କାହାର ମାସ୍କ ବ୍ୟବହାର କରନ୍ତୁ ନାହିଁ
  • ନିଜ ଗାଡ଼ିରେ ଜଣଙ୍କ ଠାରୁ ଅଧିକ ସହାୟକଙ୍କୁ ବସାଇବାର ଅନୁମତି ଦିଅନ୍ତୁ ନାହିଁ
  • ଅଧିକ ଲୋକଙ୍କ ସହିତ ମିଳାମିଶା କରନ୍ତୁ ନାହିଁ
  • ନିଜର ପରିଚ୍ଛନ୍ନତାକୁ ଅଣଦେଖା କରନ୍ତୁ ନାହିଁ

ଆସନ୍ତୁ, ଆମେ ସମସ୍ତେ ପରସ୍ପରର ଯତ୍ନ ନେବା ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ହୋମ୍ ଡେଲିଭରୀ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ପ୍ରତିଷେଧ ମୂଳକ ବ୍ୟବସ୍ଥା ସ୍ୱରୁପ ଏବଂ ଜଗତସିଂହପୁରକୁ ତାଲାବନ୍ଦ ଘୋଷଣା କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ଆଦେଶ ଅନୂଯାୟୀ କେତେକ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା -କ୍ଷୀର, ପନିପରିବା ଏବଂ ତେଜରାତି ସଉଦା ହୋମ୍ ଡେଲିଭରୀ କରିବା ନିମନ୍ତେ ପୌରପରିଷଦ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସ୍ୱପ୍ନା ସ୍ୱୟଂସହାୟକ ଗୋଷ୍ଠୀ ଖେରସ, ପ୍ରଭାତୀ ସ୍ୱୟଂ ସହାୟକ ଗୋଷ୍ଠୀ ଖେରସ, ସାଇରାମ ସ୍ୱୟଂସହାୟକ ଗୋଷ୍ଠୀ ଖେରସ, ମଜହର ଅଲି ପାର୍ଟନର ଅରଚିଡ ରିଟେଲ (କେବଳ ତେଜରାଜି ସାମଗ୍ରୀ)ଘରେ ଘରେ ଯୋଗାଇଦେବା ପାଇଁ ଆବେଦନ କରିଥିଲେ।ଲୋକମାନଙ୍କର ଆବଶ୍ୟକ ମୁତାବକ ଦ୍ରବ୍ୟ ଯଥା ସମୟରେ ଉଚିତ୍ ମୁଲ୍ୟରେ ଯୋଗାଇଦେବେ। ଦ୍ରବ୍ୟର ପରିମାଣ ଏବଂ ମାନପ୍ରତି ଦୃଷ୍ଟି ଦେବେ। ଲୋକମାନଙ୍କ ପାଖରେ ପହଂଚାଇଥିବା ସାମଗ୍ରୀ ସେବା ବାବଦକୁ ଲୋକଙ୍କ ଠାରୁ ସର୍ବନିମ୍ନ ସେବାଶୁଳ୍କ ଆଣିପାରିବେ। ଏହି କାର୍ଯ୍ୟପାଇଁ ପୌରପରିଷଦ ସେମାନଙ୍କୁ କୌଣସି ଆର୍ଥିକ ସହାୟତା ଦେବନାହିଁ।

ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମ୍ପାଦିକାଙ୍କ ଫୋନ୍ ନଂ-

୧- ଖେରସ ସ୍ୱପ୍ନା ସ୍ୱୟଂ ସହାୟକ ଗୋଷ୍ଠୀ-୯୭୭୭୧୯୪୧୦୯, ୬୩୭୦୪୫୦୬୦୭

୨- ଖେରସ ପ୍ରଭାତୀ ସ୍ୱୟଂସହାୟକ ଗୋଷ୍ଠୀ-୮୯୦୮୨୬୫୨୮୪, ୯୭୭୬୪୫୨୫୮୦

୩- ଖେରସ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀ-୮୮୯୫୨୯୫୮୬୩, ୯୫୮୩୮୧୪୩୬୪

୪- ମଜହର ଅଲି ପାର୍ଟନର ଅରଚିଡ୍ ରିଟେଲ୍ (କେବଳ ତେଜରାତି ସାମଗ୍ରୀ)- ୯୮୫୩୧୦୮୪୪୫

ଇଚ୍ଛୁକ ଜନସାଧାରଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଏହି ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଜଗତସିଂହପୁର ପୌରପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ସୂଚନା ଦେଇଛନ୍ତି।