ବାଣପୁର, ବାଲୁଗାଁରେ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଯୋଗାଣ ବିଭାଗ ଆଖିରେ କଳା ପଟି

Published: Apr 22, 2021, 11:34 am IST

ସୀତାରାମ ଅଗ୍ରୱାଲ

ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି।

ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଲାଭ କରିବା ଆଶାରେ ଗରିବ ଲୋକର ପେଟକୁ ଲାତ ମାରିବା କେତେଦୂର ଗ୍ରହଣୀୟ?

ତେବେ ଏଠି ଯୋଗାଣ ବିଭାଗର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଚିଲିକା ଏବଂ ବାଣପୁର ବ୍ଲକରେ ଦୁଇ ଜଣ ଯୋଗାଣ ନିରୀକ୍ଷକ ଅବସ୍ଥାପିତ ହୋଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର କଳାବଜାରୀ ସେମାନଙ୍କ ଦୃଷ୍ଟିକୁ ନଆସିବା ଅତ୍ୟନ୍ତ ଚିନ୍ତାଜନକ।  ଅଭିଯୋଗ ହେଉଛି କି ଯୋଗାଣ ବିଭାଗର ନାକତଳେ ଏ ସବୁ ଅସାଧୁ କାର୍ଯ୍ୟ ଜାରିରହିଥିବା ସ୍ଥଳେ ଜାଣିଶୁଣି ଯୋଗାଣ ବିଭାଗ ଚୁପ ରହୁଛି।

ଆସନ୍ତା ଶନିବାର ଠାରୁ ଦୁଇ ଦିନ ଯାଏଁ ସଟ ଡ଼ାଉନ ହେବାକୁ ଥିବା ବେଳେ ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖୁଲମଖୁଲା ଜାରି ରହିବ। ତେବେ ଏଠି ଦେଖିବାକୁ ବାକି ରହିଲା ବାଣପୁର ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଏଦିଗରେ କେବେ ଏବଂ କି ପଦକ୍ଷେପ ନେବେ?

Related posts