Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପରିବା କଳାବଜାରୀକୁ ରୋକିବା ପାଇଁ ବଡ଼ ପଦକ୍ଷେପ: ଦୋକାନ ସମ୍ମୁଖରେ ଲାଗିଲା ରେଟ୍ ଚାର୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ସକ୍ରିୟ ହୋଇଥିବା ଦେଖାଯାଇଛି। ଖବର ପ୍ରସାରଣ ହେବା ମାତ୍ରେ ଯୋଗାଣ ବିଭାଗ ସକ୍ରିୟ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲିଠାରୁ ସାରା ରାଜ୍ୟରେ ଲକ ଡ଼ାଉନ କଟକଣା ଆରମ୍ଭ ହୋଇଥିଲା। ଏହା ପରେ ଚିଲିକା ଅଞ୍ଚଳରେ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିନ ତଥା ଲକଡାଉନର ପୂର୍ବ ଦିନ ଆଳୁ କେଜି ୩୨ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମୀକ୍ଷା ନିୟୁଜ ପକ୍ଷରୁ ଏକ ଖବର ପ୍ରସାରଣ କରାଯାଇଥିଲା। ଯାହାଫଳରେ ଚିଲିକା ଅଞ୍ଚଳରେ ଏଭଳି କଳାବଜାରୀ କାରବାର ହେଉଥିବାର ଯୋଗାଣ ବିଭାଗ ଜାଣିପାରିଥିଲା।

ତେବେ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଖୋଦ ଯୋଗାଣ ବିଭାଗ କର୍ମଚାରୀଙ୍କ ସହ ବାଣପୁର ବ୍ଲକ, ଏନଏସି, ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକର ବିଭିନ୍ନ ପରିବା ଦୋକାନ ଏବଂ ଗୋଦାମ ବୁଲିବୁଲି ସମସ୍ତଙ୍କୁ ତାଗିଦ କରିଥିଲେ। ଏବଂ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଆଳୁ କେଜି ପିଛା ୨୦ ଏବଂ ପିଆଜ କେଜି ପିଛା ୨୫ ଟଙ୍କା ଦର ଧାର୍ଯ୍ୟ କରିଥିଲେ।

ତତସହିତ ନିର୍ଦ୍ଧାରିତ ମୂଲ୍ୟକୁ ସମସ୍ତ ବ୍ୟବସାୟୀ ଦୋକାନ ସମ୍ମୁଖରେ ମାରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯଦି କୌଣସି ଦୋକାନୀ ନିର୍ଦ୍ଧାରିତ ଦରରୁ ଅଧିକ ଦରରେ ଆଳୁ, ପିଆଜ ବିକିବେ ଏବଂ ଦୋକାନ ସମ୍ମୁଖରେ ଯଦି ରେଟ ଚାର୍ଟ ନଲଗାଇବେ ତେବେ ତୁରନ୍ତ ସେମାନଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଉଭୟ ଅଧିକାରୀ କଡ଼ା ଚେତାବନୀ ଦେଇଥିଲେ।

ଯଦି କୌଣସି ଖାଉଟିଙ୍କ କିଛି ଅଭିଯୋଗ ଥାଏ ତେବେ ସେମାନେ ଉଭୟ ବ୍ଲକରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରିପାରେବେ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଆଜି ସକାଳୁ ବାଣପୁର ଏବଂ ବାଲୁଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ସହରର ସମସ୍ତ ପରିବା ଦୋକାନୀମାନେ ସେମାନଙ୍କ ଦୋକାନ ସମ୍ମୁଖରେ ନିର୍ଦ୍ଧାରିତ ରେଟ ଚାର୍ଟ ଲଗାଇବା ସହ ଜନସାଧାରଣଙ୍କୁ ଧାର୍ଯ୍ୟ ଦରରେ ଆଳୁ ଏବଂ ପିଆଜ ବିକ୍ରି କରୁଛନ୍ତି।  ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ଜନସାଧାରଣ ମାନେ ସ୍ୱାଗତ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ବ୍ୟବସାୟ

ବାଣପୁର, ବାଲୁଗାଁରେ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଯୋଗାଣ ବିଭାଗ ଆଖିରେ କଳା ପଟି

ସୀତାରାମ ଅଗ୍ରୱାଲ

ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି।

ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଲାଭ କରିବା ଆଶାରେ ଗରିବ ଲୋକର ପେଟକୁ ଲାତ ମାରିବା କେତେଦୂର ଗ୍ରହଣୀୟ?

ତେବେ ଏଠି ଯୋଗାଣ ବିଭାଗର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଚିଲିକା ଏବଂ ବାଣପୁର ବ୍ଲକରେ ଦୁଇ ଜଣ ଯୋଗାଣ ନିରୀକ୍ଷକ ଅବସ୍ଥାପିତ ହୋଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର କଳାବଜାରୀ ସେମାନଙ୍କ ଦୃଷ୍ଟିକୁ ନଆସିବା ଅତ୍ୟନ୍ତ ଚିନ୍ତାଜନକ।  ଅଭିଯୋଗ ହେଉଛି କି ଯୋଗାଣ ବିଭାଗର ନାକତଳେ ଏ ସବୁ ଅସାଧୁ କାର୍ଯ୍ୟ ଜାରିରହିଥିବା ସ୍ଥଳେ ଜାଣିଶୁଣି ଯୋଗାଣ ବିଭାଗ ଚୁପ ରହୁଛି।

ଆସନ୍ତା ଶନିବାର ଠାରୁ ଦୁଇ ଦିନ ଯାଏଁ ସଟ ଡ଼ାଉନ ହେବାକୁ ଥିବା ବେଳେ ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖୁଲମଖୁଲା ଜାରି ରହିବ। ତେବେ ଏଠି ଦେଖିବାକୁ ବାକି ରହିଲା ବାଣପୁର ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଏଦିଗରେ କେବେ ଏବଂ କି ପଦକ୍ଷେପ ନେବେ?

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଲକ ଡାଉନ ସମୟରେ କଳାବଜାରୀଙ୍କ ଉପରେ କଡା ନଜର ରଖିବାକୁ କେନ୍ଦ୍ରର ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ମହାମାରୀ କାରଣରୁ ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଓ ଲକଡାଉନ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗର ପ୍ରମୁଖ ସଚିବମାନଙ୍କ ସହିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ନିଧି ଖାରେ ଏହି ବୈଠକରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଓ ମୂଲ୍ୟ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟଗୁଡ଼ିକର ବିଭିନ୍ନ ମଣ୍ଡିରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସହିତ ମୂଲ୍ୟ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯାଇଥିଲା।

ଏହାବ୍ୟତୀତ ଖାଦ୍ୟ ପଦାର୍ଥ, ଔଷଧ, ସ୍ବଚ୍ଛତା ଉତ୍ପାଦ ଏବଂ ଅତ୍ୟାବଶ୍ୟକ ସେବା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଏବଂ ଉଚିତ ମୂଲ୍ୟରେ ଏସବୁ ଉପଲବ୍ଧ କରାଇବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଚାହିଦା କିମ୍ବା ଯୋଗାଣରେ ଅସନ୍ତୁଳନ ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ପ୍ରଭାବୀ ଅନୁଧ୍ୟାନ ଓ ପରିଚାଳନା ଗତିବିଧି ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଞ୍ଚଳିକ ତଥା ଜିଲ୍ଲା ସ୍ତରର ଖାଦ୍ୟ ଓ ସାଧାରଣ ବଣ୍ଟନ, ବୈଧ ମାପ ଓଜନ ନିୟନ୍ତ୍ରକ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ ଓ ପୁଲିସର ମିଳିତ ଦଳ ଗଠନ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା। ତରବର ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ମାତ୍ରାରେ କ୍ରୟ ଭଳି ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ପ୍ରଚାର ଓ ସଚେତନତା ଗତିବିଧି ପରିଚାଳନା ନିମନ୍ତେ ପରାମର୍ଶ ଦିଆଯାଇଥିଲା।

ବୈଠକ ଅବସରରେ ଏଥିପ୍ରତି ଜୋର ଦିଆଯାଇଥିଲା ଯେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ବଜାୟ ରଖିବା ନିମନ୍ତେ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରହିଛି।

ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ, ବିତରଣ ଆଦି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ଧାରା ୩ରେ କ୍ଷମତା ଦିଆଯାଇଛି ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ମଧ୍ୟ ଏହି ଆଇନ ବଳରେ କ୍ଷମତା ପ୍ରଦାନ କରାଯାଇଛି।

କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରକ୍ଷଣାବେକ୍ଷଣ ନିବାରଣ ଆଇନ, ୧୯୮୦ର ଧାରା ୩ ଅନ୍ତର୍ଗତ ଜନସାଧାରଣଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ବଜାୟ ରଖିବାରେ ବାଧାସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସର୍ବାଧିକ ୬ ମାସ ପର‌୍ୟ୍ୟନ୍ତ ଜେଲ ଦଣ୍ଡ ଦିଆଯାଇପାରେ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରକ୍ଷଣାବେକ୍ଷଣ ନିବାରଣ ଆଇନ, ୧୯୮୦କୁ ଉପଭୋକ୍ତା ବ୍ୟାପାର ବିଭାଗ ଲାଗୁ କରିଥାଏ। ଏହି ଦୁଇଟି ଆଇନ ଉପଭୋକ୍ତାମାନଙ୍କୁ ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀଙ୍କ ଶୋଷଣରୁ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ଲାଗି ଲାଗୁ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଔଷଧ କଳାବଜାରୀ ରୋକିବା ଲାଗିବା ଗଠନ ହେଲା ସ୍ଵତନ୍ତ୍ର ସ୍କ୍ବାଡ୍

ଭୁବନେଶ୍ଵର: ଔଷଧ କଳାବଜାରୀ ରୋକିବା ପାଇଁ ଏକ ସ୍ଵତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। କରୋନା ଔଷଧର କଳାବଜାରୀ ଉପରେ ଏହି ସ୍କ୍ବାଡ୍ ନଜର ରଖିବ। କଳାବଜାର ଉପରେ ଏହି ସ୍ଵତନ୍ତ୍ର ସ୍କ୍ବାଡ୍ ଚଢାଉ କରିବ। ସେଥିପାଇଁ ୨୩ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଛି। ଟ୍ଵିନ ସିଟି ପାଇଁ ୭ ଟି ଟିମ୍ ଏବଂ ଅନ୍ୟ ଅଞ୍ଚଳ ପାଇଁ ୧୫ ଟି ସ୍କ୍ବାଡ୍ କଳାବଜାରୀ ଉପରେ ନଜର ରଖିବେ। କଳାବଜାର କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଜି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛତିଶଗଡ ସୀମା ସିଲ୍: କଳାବଜାରୀ ମାଲେମାଲ୍, ଖାଉଟୀ ହନ୍ତସନ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସୀମା ସିଲ ହେବା ଫଳରେ ଛତିଶଗଡର ରାୟପୁର ଓ ନାଗପୁର ଉପରେ ଭରସା କରୁଥିବା କଳାହାଣ୍ଡିର ସୀମାନ୍ତ ଅଂଚଳର ଖୁଚୁରା ବ୍ୟବସାୟୀ ଓ ଖାଉଟି ମାନେ ବେଶ ପ୍ରଭାବିତ ହୋଇଥିବା ଜଣାପଡିଛି। ଯାହାଫଳରେ ଅସାଧୁ ବ୍ୟବସାୟୀମାନେ ଗଳା ବାଟ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଉଛି।

ବିଶେଷ କରି ନାଗପୁରରୁ ଫଳ, ପିଆଜ, ଚିନି ଇତ୍ୟାଦି ରାୟପୁର ମଧ୍ୟ ଦେଇ ଆସୁଥିବା ବେଳେ ଚାଉଳ, ଡାଲି, ଖାଇବା ତେଲ ଇତ୍ୟାଦି ରାୟପୁର ବଜାରରୁ ଧର୍ମଗଡ, ଜୁନାଗଡ ଅଂଚଳ ସମେତ ସମସ୍ତ ସୀମାନ୍ତବର୍ତ୍ତୀ ଅଂଚଳକୁ ଯୋଗାଣ ହୋଇଥାଏ।

ସେହିପରି କଳାହାଣ୍ଡି ଅଂଚଳରୁ ଭାଙ୍ଗ, ଗୁଡାଖୁ ଭଲି ଅନ୍ୟାନ୍ୟ ସାମଗ୍ରୀ ଉପରେ ରାୟପୁର ଅଂଚଳର ଖାଉଟୀ ନିର୍ଭର କରିଥାନ୍ତି। ସୀମା ସିଲ ହେବା ପରେ ବର୍ତ୍ତମାନ କେତେକ ଅସାଧୁ କଳାବଜାରୀ ବିଭିନ୍ନ ସାମଗ୍ରୀକୁ ଗୋଦାମରେ ଗଚ୍ଛିତ ରଖି ଦେଇ ଚଢାଦାମରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି।

କଳାହାଣ୍ଡିର ସୀମାନ୍ତ ସନ୍ଧିକୁଲିହାରୀ ଠାରେ ମୂଖ୍ୟ ରାସ୍ତାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଛତିଶଗଡର ଗରିଆବନ୍ଧ ର ଜିଲ୍ଲା ପ୍ରଶାସନ ସିଲ କରିଦେଇ ଗାଡି ଚଳାଚଳ ଉପରେ କଟକଣା କରିଦେବା ଫଳରେ ଚୋରା ବେପାରୀ ଓ ଅସାଧୂ ବ୍ୟବସାୟୀମାନେ ଗଳାବାଟ ଖୋଜି କଳାବଜାର କରୁଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡିର ସୀମାନ୍ତ ଧର୍ମଗଡ ଓ ଜୁନାଗଡ ସହରରେ ଏହାର ଯଥେଷ୍ଟ ପ୍ରଭାବ ପଡିଥିବା ବେଳେ ଚିନି. ଡାଲି, ଖାଇବା ତେଲ ଭଲି ଅତ୍ୟାବଶ୍ୟକୀୟ ଖାଇବା ସାମଗ୍ରୀ ଗୁଡିକର ପାଇକାରୀ ଦରରେ କୋଡିଏରୁ ତିରିଶ ଟଙ୍କା ଅଧିକ ମୂଲ୍ୟ ବଢିଯାଇଥିବା ବେଳେ ଖୁଚୁରା ଦରରେ ଦଶରୁ ପଚାଶ ଟଙ୍କା ମୂଲ୍ୟ ବଢିଯାଇଥିବା ଜଣାପଡିଛି। ଯାହାଫଳରେ ସାଧାରଣ ଖାଉଟି ଉପରେ ସିଧାସଳଖ ପ୍ରଭାବ ପଡୁଛି।

ସେହିପରି ଜୁନାଗଡ, ଭବାନୀପାଟଣା ଆଦି ଅଂଚଳରୁ ଭାଙ୍ଗ, ଖଇନି, ଗୁଡାଖୂ ଭଲି ସାମଗ୍ରୀ ସଂପୃକ୍ତ ଅଂଚଳରେ ଉପଲବ୍ଧ ହେଉନଥିବା ଖାଉଟି ମହଲରେ ଆଲୋଚନା ହେଉଛି। ଏସବୁ ସାମଗ୍ରୀ ଅସାଧୁ ବେପାରୀ ମାନଙ୍କ ଦ୍ୱାରା ଛତିଶଗଡ ତଥା ଅନ୍ୟାନ୍ୟ ଅଂଚଳକୁ ଗଳାବାଟ ଦେଇ ଚୋରାଚାଲାଣ କରାଯାଉଥିବା ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଏସବୁ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସାର ପାଇଁ ରାସ୍ତାକୁ ଓହ୍ଲାଇଲେ ଚାଷୀ, କୃଷି ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଦେଶରେ ନୂତନ କୃଷି ବିଲ୍‌କୁ ନେଇ ସାରା ଭାରତ ବର୍ଷରେ ବିରୋଧ ଚାଲିଥିବାବେଳେ ବାଣପୁର ଅଞ୍ଚଳରେ ସାର କଳାବଜାରୀକୁ ନେଇ ଶହ ଶହ ଚାଷୀ ଅନଶନ କରିଥିବାର ଦେଖିବାକୁ ମିଳିଛି। ଚାଷୀଙ୍କୁ ରାସାୟନିକ ସାର ମିଳୁନଥିବାରୁ ଚାଷୀଙ୍କ ଦ୍ଵାରା ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ବାଣପୁରର ତିନିଶହରୁ ଅଧିକ ଚାଷୀ ରାସ୍ତା ଅବରୋଧ କରିବା ସହ ବାଣପୁର ଖୋର୍ଦ୍ଧା ସମବାୟ ସମିତି ଆଗରେ ପ୍ରତିବାଦ କରୁଛନ୍ତି। ଉକ୍ତ ପ୍ରତିବାଦରେ ବ୍ଲକ କୃଷି ଅଧିକାରୀ ଅଜୟ କୁମାର କରଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସାର ମିଳିବା ନେଇ ସମ୍ପୃକ୍ତ କୃଷି ଅଧିକାରୀ ଜଣକ ଚାଷୀଙ୍କ ପ୍ରତିଶ୍ରୁତି ଦେଉଥିବାବେଳେ ତାହା ମିଳିପାରୁନାହିଁ। କ୍ରମାଗତ ପାଞ୍ଚ ଦିନ ହେବ ଚାଷୀମାନେ ସୋସାଇଟିକୁ ଆସି ସାର ନ ପାଇ ଫେରି ଯାଉଛନ୍ତି। କୃଷି ଅଧିକାରୀ ଓ ଡିଲର୍‌ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ସାର ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଊଭୟ କୃଷି ଅଧିକାରୀ ଓ ଡିଲରଙ୍କ ଯୋଗୁଁ ବ୍ଲକରେ ସାରର କଳାବଜାରୀ ପ୍ରଭୁତ୍ବ ପରିମାଣରେ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ୨୬୬ ଟଙ୍କାର ସାରକୁ ଚଢା ଦରରେ ବିକ୍ରି ହେଉଥିବାର ଅଭିଯୋଗ ହୋଇଛି। ଏପରିକି ସାର ବସ୍ତା‌ ପିଛା ୬୦୦ଟଙ୍କା ଉର୍ଦ୍ଧ୍ବରେ ବିକ୍ରି ହେଉଛି। ସାରର କଳାବାଜରୀକୁ ରୋକିବା ତଥା ସୁଲଭ ମୂଲ୍ୟରେ ଚାଷୀଙ୍କ ସାର ମିଳିବା ନେଇ ଚାଷୀମାନେ ଦାବି ଜଣାଇଛନ୍ତି। ଧାରଣାରେ ବସିଥିବା ଚାଷୀଙ୍କୁ ପୋଲିସ ବୁଝାସୁଝା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ପରେ ତହସିଲଦାରଙ୍କ ନିକଟରେ ଚାଷୀମାନେ ଦାବୀ ପତ୍ର ପ୍ରଦାନ କରିବା ସହିତ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଧମକ ଦେଇଛନ୍ତି।

ତେବେ ଏନେଇ କୃଷି ଅଧିକାରୀ ଅଜୟ କୁମାର କରଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

ଏହିପରି ସମସ୍ୟା ବାଣପୁର ବ୍ଲକର ଅଧିକାଂଶ ସୋସାଇଟିରେ ଦେଖିବାକୁ ମିଳିଛି। ଗତକାଲି କୁମାରାଙ୍ଗ ପଂଚାୟତରେ ଶହେରୁ ଅଧିକ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୋସାଇଟି ସେକ୍ରେଟାରୀଙ୍କ ପକ୍ଷରୁ ସାର ନେବା ପାଇଁ ସେମାନଙ୍କୁ ଖବର ଦିଆଯାଉଥିଲେ ମଧ୍ୟ ସାର ମିଳିପାରୁନି। ଘଣ୍ଟା ଘଣ୍ଟା ଧରି ଚାଷୀ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା।