ଚିଲିକାରେ ପରିବା କଳାବଜାରୀକୁ ରୋକିବା ପାଇଁ ବଡ଼ ପଦକ୍ଷେପ: ଦୋକାନ ସମ୍ମୁଖରେ ଲାଗିଲା ରେଟ୍ ଚାର୍ଟ

Published: May 6, 2021, 11:42 am IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ସକ୍ରିୟ ହୋଇଥିବା ଦେଖାଯାଇଛି। ଖବର ପ୍ରସାରଣ ହେବା ମାତ୍ରେ ଯୋଗାଣ ବିଭାଗ ସକ୍ରିୟ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲିଠାରୁ ସାରା ରାଜ୍ୟରେ ଲକ ଡ଼ାଉନ କଟକଣା ଆରମ୍ଭ ହୋଇଥିଲା। ଏହା ପରେ ଚିଲିକା ଅଞ୍ଚଳରେ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିନ ତଥା ଲକଡାଉନର ପୂର୍ବ ଦିନ ଆଳୁ କେଜି ୩୨ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମୀକ୍ଷା ନିୟୁଜ ପକ୍ଷରୁ ଏକ ଖବର ପ୍ରସାରଣ କରାଯାଇଥିଲା। ଯାହାଫଳରେ ଚିଲିକା ଅଞ୍ଚଳରେ ଏଭଳି କଳାବଜାରୀ କାରବାର ହେଉଥିବାର ଯୋଗାଣ ବିଭାଗ ଜାଣିପାରିଥିଲା।

ତେବେ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଖୋଦ ଯୋଗାଣ ବିଭାଗ କର୍ମଚାରୀଙ୍କ ସହ ବାଣପୁର ବ୍ଲକ, ଏନଏସି, ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକର ବିଭିନ୍ନ ପରିବା ଦୋକାନ ଏବଂ ଗୋଦାମ ବୁଲିବୁଲି ସମସ୍ତଙ୍କୁ ତାଗିଦ କରିଥିଲେ। ଏବଂ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଆଳୁ କେଜି ପିଛା ୨୦ ଏବଂ ପିଆଜ କେଜି ପିଛା ୨୫ ଟଙ୍କା ଦର ଧାର୍ଯ୍ୟ କରିଥିଲେ।

ତତସହିତ ନିର୍ଦ୍ଧାରିତ ମୂଲ୍ୟକୁ ସମସ୍ତ ବ୍ୟବସାୟୀ ଦୋକାନ ସମ୍ମୁଖରେ ମାରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯଦି କୌଣସି ଦୋକାନୀ ନିର୍ଦ୍ଧାରିତ ଦରରୁ ଅଧିକ ଦରରେ ଆଳୁ, ପିଆଜ ବିକିବେ ଏବଂ ଦୋକାନ ସମ୍ମୁଖରେ ଯଦି ରେଟ ଚାର୍ଟ ନଲଗାଇବେ ତେବେ ତୁରନ୍ତ ସେମାନଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଉଭୟ ଅଧିକାରୀ କଡ଼ା ଚେତାବନୀ ଦେଇଥିଲେ।

ଯଦି କୌଣସି ଖାଉଟିଙ୍କ କିଛି ଅଭିଯୋଗ ଥାଏ ତେବେ ସେମାନେ ଉଭୟ ବ୍ଲକରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରିପାରେବେ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଆଜି ସକାଳୁ ବାଣପୁର ଏବଂ ବାଲୁଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ସହରର ସମସ୍ତ ପରିବା ଦୋକାନୀମାନେ ସେମାନଙ୍କ ଦୋକାନ ସମ୍ମୁଖରେ ନିର୍ଦ୍ଧାରିତ ରେଟ ଚାର୍ଟ ଲଗାଇବା ସହ ଜନସାଧାରଣଙ୍କୁ ଧାର୍ଯ୍ୟ ଦରରେ ଆଳୁ ଏବଂ ପିଆଜ ବିକ୍ରି କରୁଛନ୍ତି।  ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ଜନସାଧାରଣ ମାନେ ସ୍ୱାଗତ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related posts