ଆର୍ଥିକ ସେବାର ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Published: Mar 7, 2023, 9:59 pm IST

ନୂଆଦିଲ୍ଲୀ: ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ  ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି।

ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଭଳି ବଜେଟ୍ ପରବର୍ତ୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟ୍‌ର କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ମାଲିକାନ ଏବଂ ସମାନ ଅଂଶୀଦାରୀ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ୱେବିନାରରେ ଉପସ୍ଥାପିତ ମତାମତ, ପ୍ରସ୍ତାବକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ବିଚାରକୁ ନିଆଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିପରି ପଡିଛି ଏବଂ ଭାରତ ଏହାର କିଭଳି ମୁକାବିଲା କରୁଛି, ସମଗ୍ର ବିଶ୍ୱ ତା’ ଉପରେ ନଜର ରଖିଛି। ଆମ ବିତ୍ତୀୟ ଓ ଆର୍ଥିକ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ତାହାର ଅର୍ଥନୀତିର ମୌଳିକ କ୍ଷେତ୍ର ଓ ସୂତ୍ରଗୁଡିକୁ ଠିକ୍ ରଖିବାରେ ସମର୍ଥ ହୋଇଛି। ବିଗତ ନ’ବର୍ଷ ଧରି ଆମେ ଆମ  ଅର୍ଥନୀତିର ମୌଳିକ ଆଧାରକୁ ସୁଦୃଢ କରିପାରିଛୁ।

ସମଗ୍ର ବଶ୍ୱ ଯେତେବେଳେ ଭାରତକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା ସେତେବେଳେ  ଏହାର ଅର୍ଥନୀତି, ବଜେଟ୍ ଓ ଲକ୍ଷ୍ୟ ଉପରେ ଅନେକ ଆଲୋଚନା କରୁଥିଲେ। କିନ୍ତୁ ଏହାର ରହସ୍ୟ ଭେଦ କରିବା କାହାରି ପକ୍ଷେ ସମ୍ଭବ ନ ଥିଲା। ସମସ୍ତେ ପ୍ରଶ୍ନ ଚିହ୍ନ ଳଗାଇ ପ୍ରସଙ୍ଗକୁ ଛାଡି ଦେଉଥିଲେ। ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି।

Related posts