Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଅଦଳ ବଦଳ, ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଦୀର୍ଘମାସ ଧରି ପଦବୀବିହିନ ହୋଇପଡିଥିବା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ କରାଯାଇଛି।

ବିଷ୍ଣୁପଦଙ୍କୁ ମିଶାଇ ମୋଟ ଆଠ ଜଣ ଆଇଏଏସଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସେମାନେ ହେଲେ..

1- ବିଷ୍ଣୁପଦ ସେଠୀ- ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ

2- ଭାସ୍କର ଜ୍ୟୋତି ଶର୍ମା- କମିଶନର ଲ୍ୟାଣ୍ଡ ରେକର୍ଡସ ଓ  ସେଟେଲମେଣ୍ଟ

3- ବି ପରମେଶ୍ବରନ- କମିଶନର କନସଲୋଡେସନ

4- ଜ୍ୟୋତିପ୍ରକାଶ ଦାସ- ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ

5- ରାମାଶିଷ ହାଜରା- ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ପଶୁ ସଂପଦ ବିଭାଗର ନିର୍ଦ୍ଦେଶକ ଅଛନ୍ତି।

6- ଅରିନ୍ଦମ ଡାକୁଆ- ପାନୀୟ ଜଳ ଓ ପରିମଳ ବିଭାଗ  ନିର୍ଦ୍ଦେଶକ।

7– ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏସଟି ବିଭାଗର ନିର୍ଦ୍ଦେଶକ

8- ସୁବ୍ରତ ଶତପଥିଙ୍କୁ  ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ , ସେ ବର୍ତ୍ତମାନ ବୋର୍ଡ ଅଫ ରେଭିନ୍ୟୁର ଆର୍ଥିକ ଉପଦେଷ୍ଠା ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ: ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ମଧ୍ୟ ଗଲେ

ଭୁବନେଶ୍ବର: ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ପଡିଛି ଚଡକ। ଆଜି ଏହି ବିଭାଗର ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାରକୁ ରାଜ୍ୟପାଳ ଅନୁମୋଦ କରିଛନ୍ତି।

ରୋହିତ ପୂଜାରୀଙ୍କୁ ହଟାଇବା ପରେ ଏହି ବିଭାଗର ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରାଯାଇଛି। ରୋହିତ ଗତ ବର୍ଷ ଜୁନ ମାସରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ସେ କେତେକ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଲେ। ମୁଖ୍ୟତଃ ତାଙ୍କ ବିଭାଗର ଦକ୍ଷତା ନେଇ କୁଆଡେ ମୁଖ୍ୟମନ୍ତୀ ଅସନ୍ତୁଷ୍ଠ ଥିଲେ।

ସେହିପରି ଏହି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି ନିଷ୍ପତି ନେଲେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ବିଭାଗରେ କିଛି ବଡ ଦୁର୍ନିତି ହୋଇଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ନିକଟରେ ନବୀନ ତାଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ନବୀନଙ୍କ ଏପରି ସର୍ଜିକାଲ ଷ୍ଟ୍ରାଇକ ଦେଖି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରମାଦ ଗଣିଲେଣି ବୋଲି ଜଣାପଡିଛି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ରଥଯାତ୍ରା ସମୀକ୍ଷା ବୈଠକରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ଲୋକସଂପର୍କ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସୁଚାରୁ ରୂପେ ସଂପାଦନ କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ନିଷ୍ଠାପର ଭାବରେ ନିୟୋଜିତ ହେବେ ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଆଶାପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଅମାତ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ନୂଆ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ହେବା ପରେ ସେ ରଥଯାତ୍ରା ସମୀକ୍ଷାରୁ କାର୍ଯ୍ୟ ଆରମ୍ଭ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଓ ସରସସୁନ୍ଦର କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱଗୁଡ଼ିକ ବାବଦରେ ସଚେତନ ହୋଇ ସଫଳ ସଂପାଦନରେ ଅଧିକାରୀ ତଥା କର୍ମଚାରୀମାନେ ପ୍ରତିବଦ୍ଧ ହେବାକୁ ମନ୍ତ୍ରୀ ଅମାତ ପରାମର୍ଶ ଦେଇଥିଲେ। ରଥଯାତ୍ରାର ବିଶ୍ୱପ୍ରସିଦ୍ଧିକୁ ଦୃଷ୍ଟିରେ ରଖି ପ୍ରଚାର, ବିଜ୍ଞାପନ ଓ ପ୍ରଦର୍ଶନୀ ଇତ୍ୟାଦି ନେଇ ବିଶେଷ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମୀକ୍ଷା ବୈଠକରେ ଯୋଗଦେଇ ସାମାଜିକ ଗଣମାଧ୍ୟମରେ ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରସାର ପାଇଁ ପରାମର୍ଶ ଦେବା ସହିତ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ବଳିତ ବିିଭିନ୍ନ କିମ୍ବଦନ୍ତୀ, ଲୋକକଥା, ତଥ୍ୟର ପ୍ରଚାର ଉପରେ ବିଭାଗ ଗୁରୁତ୍ୱ ଦେବ ବୋଲି ଉଲ୍ଲେଖ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ବିଭାଗ ତରଫରୁ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଉପରେ ସୂଚନା ଦେଇଥିଲେ। ଦୂରଦର୍ଶନ ଜରିଆରେ ସିଧା ପ୍ରସାରଣ, ଅନ୍ୟାନ୍ୟ  ଗଣମାଧ୍ୟମକୁ ଲାଇଭ୍‌ କମନ୍‌ ଫିଡ୍‌ ଯୋଗାଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ସାମ୍ବାଦିକମାନଙ୍କ ଗସ୍ତ, ସମ୍ମାନନୀୟ ଅତିଥିମାନଙ୍କ ପରିଚର୍ଯ୍ୟା, ବିଭିନ୍ନ ପ୍ରକାଶନର ରଥଯାତ୍ରା ବିଶେଷାଙ୍କ ବିକ୍ରୟ, ଫଟୋଚିତ୍ର ପ୍ରଦର୍ଶନୀ, ବିଜ୍ଞାପନ ପ୍ରସାରଣ ସହିତ ହୋଡ଼ିଙ୍ଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗ ଉପରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଅବଗତ କରାଇଥିବା ବେଳେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ରଥଯାତ୍ରା ଦିନ ଉଭୟ ପତି୍ରକାର ବିଶେଷାଙ୍କ ସଂଖ୍ୟା ଲୋକାର୍ପିତ ହେବ ବୋଲି ଉଲ୍ଲେଖ କରିଥିଲେ ।

ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ। ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ହେଉଛନ୍ତି ଜିଲ୍ଲାସ୍ତରରେ ରାଜ୍ୟ ସରକାରଙ୍କର ମୁଖପାତ୍ର ସଦୃଶ। ସମୟ ଅନୁସାରେ ଲୋକସଂପର୍କର ପରିଭାଷା ବଦଳିଛି। ରାଜ୍ୟ ସରକାର ୫-‘ଟି’ ଆଧାରରେ ନାଗରିକ କୈନ୍ଦ୍ରିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।

ବିଭାଗର ଉନ୍ନତି ପାଇଁ ବିଭାଗର କାର୍ଯ୍ୟକୁ ଅଧିକ ଦକ୍ଷତା ଓ ନିଷ୍ଠାର ସହ ସଂପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ବିଭାଗରେ ଥିବା ପୁରୁଣା ଦୁର୍ଲଭ ଫଟୋ, ପ୍ରମାଣିକ ଚଳଚ୍ଚିତ୍ର, ପୁରୁଣା ଚଳଚ୍ଚିତ୍ରଗୁଡ଼ିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବାର ଆବଶ୍ୟକତା ରହିଛି। ବିଭାଗ ତରଫରୁ ପ୍ରକାଶିତ ହେଉଥିବା ପୁରାତନ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭୁ୍ୟ’ର ସଂଖ୍ୟାଗୁଡ଼ିକୁ ଓଡ଼ିଆ ଭର୍ଚୁଆଲ ଏକାଡେମୀ ସହଯୋଗରେ ଡିଜିଟାଇଜେସନ୍‌ କରାଯିବା ବିଭାଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଜନସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସେମାନଙ୍କର ଭୂମିକାରେ ଅଧିକ କ୍ରିୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ମୁଖ୍ୟତଃ ସରକାରଙ୍କ ଭାବମୂର୍ତ୍ତି ଗଠନର ଦାୟିତ୍ୱ ନିର୍ବାହ କରିଥାନ୍ତି । ଗଣତନ୍ତ୍ର ସରକାରରେ ବହୁ ଲୋକାଭିମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସକି୍ରୟ ଭାବେ କାର୍ଯ୍ୟ କରିବା ସହ ଜିଲ୍ଲାର କଳା, ସଂସ୍କୃତି ବିଭିନ୍ନ ବିଭବ ସଂପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରନ୍ତୁ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କହିଲେ ଯେ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ସର୍ବଦା ଆଗୁଆ ରହିବା ସାଙ୍ଗକୁ ଦକ୍ଷତାର ସହ ନିୟମିତ ଭାବେ କାର୍ଯ୍ୟ ସଂପାଦନ କରିବାର ଆବଶ୍ୟକତା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଏବଂ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମର ସବିଶେଷ ସୂଚନା ବିତରଣ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କର ଦାୟିତ୍ୱ ରହିଥିବାରୁ ସେଗୁଡ଼ିକୁ ଯଥାର୍ଥ ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଲେ ଯେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତିକୁ ସାମୂହିକ ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମୟ ସହ ତାଳଦେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ବିଭାଗୀୟ ବୈଷୟିକ ଅଧିକାରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ପାୱାର ପଏଣ୍ଟ ମାଧ୍ୟମରେ ୫-‘ଟି’ ଓ ‘ମୋ ସରକାର’, ଜିଲ୍ଲାସ୍ତରରେ ପରିଲକ୍ଷିତ ହେଉଥିବା ବିଭିନ୍ନ ସମସ୍ୟା, ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ବିକି୍ରଲବ୍ଧ ଅର୍ଥ ନିୟମିତ ଟ୍ରେଜେରୀରେ ପଇଠ କରିବା, ସୂଚନା ଅଧିକାରୀ ଆଇନର କାର୍ଯ୍ୟକାରିତା, ସାମ୍ବାଦିକ କଲ୍ୟାଣ ଓ ସ୍ୱାସ୍ଥ୍ୟବୀମା, ସାମାଜିକ ଗଣମାଧ୍ୟମର ବ୍ୟବହାର ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ଏହି ସମ୍ମିଳନୀରେ ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ସହକାରୀ ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣି, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ଉପନିର୍ଦ୍ଦେଶକ(ଦକ୍ଷିଣାଞ୍ଚଳ) ଶ୍ରୀ ଗୁରବୀର୍‌ ସିଂ, ଉପନିର୍ଦ୍ଦେଶକ(କେନ୍ଦ୍ରାଞ୍ଚଳ) ଶ୍ରୀ ହେମନ୍ତ କୁମାର ନାୟକ, ଉପନିର୍ଦ୍ଦେଶକ(ଉତ୍ତରାଞ୍ଚଳ) ଶ୍ରୀ ବିଜୟ କୁମାର ମିଶ୍ର, ଉପନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ସ୍ମିତା କର, ଡ. ଜ୍ୟୋତିର୍ମତୀ ସାମନ୍ତରାୟ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶର୍ୟିନୀ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାରୁ ଆସିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗୋପାଳପୁର ବନ୍ଦରର ବିକାଶ ତଥା ସଂପ୍ରସାରଣ ପାଇଁ ସ୍ୱାକ୍ଷରିତ ହେଲା ଚୁକ୍ତିନାମା

ଭୁବନେଶ୍ୱର: ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍‌ ମଧ୍ୟରେ ଆଜି ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଗଞ୍ଜାମ ଜିଲ୍ଲାର ଅର୍ଜୀପାଲୀଠାରେ ଅବସ୍ଥିତ ଗୋପାଳପୁର ବନ୍ଦର ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହୋଇ ଆସୁଥିଲା। ଏହାକୁ ଏକ ସବୁଦିନିଆ ବନ୍ଦରରେ ବିକଶିତ ଓ ସଂପ୍ରସାରିତ କରିବା ପାଇଁ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ୨୦୦୬ ମସିହା ସେପେଫମ୍ବର ୧୪ ତାରିଖରେ ସରକାରୀ-ବେସରକାରୀ ଭାଗୀଦାରି(ପିପିପି) ମୋଡ୍‌ରେ ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ଦ୍ୱାରା ପରିଚାଳିତ ବନ୍ଦର ପରିଚାଳନା ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ୍‌ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହାଫଳରେ ଋତୁକାଳୀନ ବନ୍ଦରରୁ ଏକ ସବୁଦିନିଆ ବନ୍ଦରରେ ରୂପାନ୍ତରିତ ହୋଇପାରିଛି।

ସମୟ କ୍ରମେ ୨୦୧୭ ମସିହା ଜାନୁଆରୀ ୧୮ ତାରିଖରେ ଗୋପାଳପୁର ବନ୍ଦର ପରିଚାଳନା ସଂସ୍ଥାରେ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ. (ଏସ୍‌ପିଏମ୍‌ଏଲ୍‌)ର ଯୋଗଦାନ ଏବଂ ଅଂଶଧନ ପରିବର୍ତ୍ତନ ଯୋଗୁ ଏସ୍‌ପିଏମ୍‌ଏଲ୍‌ ଦ୍ୱାରା ସଂଖ୍ୟାଗରିଷ୍ଠ ଅଂଶଧନ ହାସଲ ଏବଂ ବନ୍ଦର ପରିଚାଳନା କ୍ଷମତା ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ରୁ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ.କୁ ସ୍ଥାନାନ୍ତରିତ ହୋଇଛି। ଏହି ବନ୍ଦର ପରିଚାଳନା କ୍ଷମତା ସ୍ଥାନାନ୍ତରଣ ଯୋଗୁଁ ଗୋପାଳପୁର ବନ୍ଦର ସହ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିବା ଆବଶ୍ୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି, ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ପାଇଁ ତା. ୦୭ ଡିସେମ୍ବର ୨୦୨୧ରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହା ଅନୁମୋଦନ ଲାଭ କରିଥିଲା ଓ ଆଜି  ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ନିମନ୍ତେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରାଗଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୟ ମିଶ୍ର, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନା ରାଉଳ, ଗୋପାଳପୁର ବନ୍ଦର ସି.ଇ.ଓ କ୍ୟାପ୍‌ଟେନ୍‌ ସନ୍ଦୀପ ଅଗ୍ରୱାଲ୍‌, ବନ୍ଦର ଉପଦେଷ୍ଟା ଅରବିନ୍ଦ ପାଣିଗ୍ରାହୀ, କର୍ପୋରେଟ୍‌ ଆଫୟାର୍ସ ଉପସଭାପତି ଡ. ଜଗଦୀଶ ଚନ୍ଦ୍ର ରାଉତ, ପରିଚାଳକ ରତିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଦଳିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ, ନୂଆଙ୍କୁ ଦିଆଗଲା ନିଯୁକ୍ତି

ଭୁବନେଶ୍ବର, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ଏ ନେଇ ଗତକାଲି ସାଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ବିଜ୍ଞପ୍ତି ଅନୁସାରେ ନୂଆ ଶାସନ ସଚିବ ଭାବେ ଗୃହ ଓ ନଗର ଉନ୍ନୟନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଡ ଦଳାଇ ଯେଉଁଦିନ ଏହି ପଦବୀରେ ଯୋଗଦେବେ ସେହିଦିନ ବିଷ୍ଣୁପଦ କାର୍ଯ୍ୟରୁ ଆବ୍ୟାହତି ନେବେ। ବିଷ୍ଣୁପଦ ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ବଦଳି କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କ ବଦଳି କରାଯାଇ ତାଙ୍କୁ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଓଏଚପିସିର ସିଏମଡି ଥିବା ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇ ରାଜସ୍ବ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆଇଏଏସ ଅଫିସର ତଥା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଥିବା ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ।