Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି +3 କଳା ବାଣିଜ୍ୟ ବିଜ୍ଞାନରେ ପଢାଯିବ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’, ଉନମୋଚିତ ହେଲା ପୁସ୍ତକ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିଶାସ୍ତ୍ର ଓ ମୂଲ୍ୟବୋଧ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏକ ସଂପୂର୍ଣ୍ଣ ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଉଚ୍ଚଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ ଜଣେ ଜଣେ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ପାଠ୍ୟଖସଡ଼ା ଲାଗୁ କରିବାକୁ ଯାଉଛନ୍ତି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ପ୍ରକାଶ କରିଛନ୍ତି।

ଭୁବନେଶ୍ବରର ଭୋଇନଗରସ୍ଥିତ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବ୍ୟୁରୋ ବୋର୍ଡରୁମ୍‌ରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ଶିକ୍ଷା ପାଠ୍ୟଖସଡ଼ାର ପ୍ରଥମ ଭାଗ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି।

ସଂପୂର୍ଣ୍ଣ ସିଲାବସ୍‌କୁ ୬ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି ଏବଂ ଯୁକ୍ତ-୩ ସ୍ତରର ସମସ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ୬ଟି ସେମିଷ୍ଟାରରେ ଗୋଟିଏ ଲେଖାଏଁ ୟୁନିଟ୍‌ ସାମିଲ କରାଯାଇଛି । ପ୍ରତ୍ୟେକ ୟୁନିଟ୍‌ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଯୁକ୍ତ-୩ର ପ୍ରତ୍ୟେକ ସେମିଷ୍ଟାରରେ ଏକ ୟୁନିଟ୍‌ ହିସାବରେ ସଂଯୁକ୍ତ ହେବ । ଗୋଟିଏ ୟୁନିଟ୍‌ ବିଷୟ ପଢ଼ାଯିବା ପାଇଁ ୧୫ଟି ପିିରିୟଡ୍‌ ରହିବ।