କଂଗ୍ରେସରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲାର ବିଜେଡ଼ି ଓ ବିଜେପି ନେତା

Published: Feb 18, 2024, 6:39 pm IST

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲାରେ କଂଗ୍ରେସର ଶକ୍ତିବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଜେଡ଼ି ଓ ବିଜେପିର ଅନେକ ନେତା ସେମାନଙ୍କ ସମର୍ଥକଙ୍କ ସହିତ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଲେ।

ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ, ଏ.ୟୁ.ସି.ସି ବ୍ୟାଙ୍କର ଡାଇରେକ୍ଟର, କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନିର୍ମାଣ ଶ୍ରମିକ ସଂଘର ସଭାପତି ମନୋଜ ସାହୁ, ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ତଥା ପୂର୍ବତନ ଯୁବ ବିଜେଡ଼ି ସଭାପତି, ଓଡ଼ିଶା ନିର୍ମାଣ ମଜଦୁର ସଭା ଓ କେନ୍ଦୁପତ୍ର ତୋଳାଳୀ ସଂଘର ସମ୍ପାଦକ ତଥା କୃଷକ ନେତା ସୂର୍ଯ୍ୟମଣି ସାହୁ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଗୋବିନ୍ଦ ନାୟକ ସେମାନଙ୍କର ଶତାଧିକ ସମର୍ଥକ ମାନଙ୍କ ସହିତ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଥିଲେ।

ଏହି ଯୋଗଦାନ ଅନୁଗୁଳ ଜିଲ୍ଲାରେ କଂଗ୍ରେସ ଶକ୍ତି ବୃଦ୍ଧି କରିବା ସହିତ ଆଗାମୀ ନିର୍ବାଚନରେ ଦଳକୁ ସଫଳତା ଆଣିଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏମାନେ ବିଧିବଦ୍ଧ ଭାବେ କଂଗ୍ରେସର ଯୋଗଦେଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଦେଶ ଓ ରାଜ୍ୟରେ ଏକଛତ୍ରବାଦ ସରକାର ଚାଲିଛି। ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ତଥା ଓଡ଼ିଶା ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସେମାନେ ନିଃସର୍ତ୍ତ କଂଗ୍ରେସରେ ଯୋଗଦାନ କଲେ।

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଗ୍ରାମ ମିଶ୍ର ଯୋଗ ଦେଇଥିଲେ।

Related posts