ସଂକଳ୍ପ ପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

Published: Jun 25, 2024, 5:53 pm IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।

ନୂଆ ସରକାରଙ୍କ ଉପରେ ଜନ ସାଧାରଣଙ୍କ ବହୁତ୍ ଆଶା ଆକାଂକ୍ଷା ଅଛି ବୋଲି ସେ ମତ ଦେବା ସହିତ ରାଜ୍ୟ ଯୋଜନା ବଜେଟ୍ ରେ ଏହା ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଯୋଜନା ଗୁଡିକ ଯେପରି ତୃଣମୂଳ ସ୍ତରରେ ଠିକ୍ ଭାବରେ ପହଞ୍ଚିବ ଓ ଲୋକ ଏହାର ସୁଫଳ ପାଇବେ ସେ ଉପରେ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ବ ଦେଇ ଏହି ପାଣ୍ଠି ସହାୟତାରେ ଖଣି ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଜିଲ୍ଲା ସ୍ଥିତ ମେଡିକାଲ କଲେଜ ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ଉପରେ ସେ ଗୁରୁତ୍ଵ ଦେଇଥିଲେ।

ଦଳର ସଂକଳ୍ପ ଅନୁଯାୟୀ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ କରି ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସଂକଳ୍ପ ପତ୍ରର ସବୁ ପ୍ରମୁଖ ପ୍ରତିଶ୍ରୁତି ଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ  ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧରେ ବିଶଦ ଭାବରେ ଅବଗତ କରାଇଥିଲେ।

Related posts