ଲୀଳାକ୍ଷେତ୍ର କାଙ୍କଣଶିଖରୀରେ ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା, ନୌକା ରଥରେ ବୁଲିଲେ ଚତୁର୍ଦ୍ଧାମୂର୍ତ୍ତି

Published: Jul 8, 2024, 6:52 am IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଳକ ଅନ୍ତର୍ଗତ ନଇରୀ ନିକଟ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଠାରେ ମହାସମାରୋହରେ ବିଶ୍ୱନିୟନ୍ତାଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚିଲିକା ହ୍ରଦର ଅଥଳ ଜଳରାଶିରେ ସୁସଜ୍ଜିତ ନୌକା ରଥରେ ଚତୁର୍ଦ୍ଧାମୂର୍ତ୍ତି ଯାତ୍ରା କରିଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ବଡ଼ବାଣ୍ଡ ଶରଧା ବାଲିରେ ଯାଉଥିବା ବେଳେ କାଙ୍କଣ ଶିଖରୀରେ ତିନିଠାକୁର ଜଳ ଭିତରେ ନୌକା ରଥରେ ବିରାଜମାନ ହୋଇ ନୌବିହାର କରି ପୁଣି ପୀଠକୁ ଫେରିଆସିଥିଲେ।

ରବିବାର ପ୍ରତ୍ୟୁଷରୁ ସକାଳ ଧୂପ ସରିବା ପରେ ହୋମ ଅନୁଷ୍ଠିତ ହୋଇଥିଲା। ଏହାପରେ ଚିଲିକା କୂଳରେ ସୁସଜ୍ଜିତ ତିନୋଟି ଡଙ୍ଗାକୁ ଯୋଡ଼ି ରଥରୂପରେ ନନ୍ଦିଘୋଷ ଡଙ୍ଗାର ପ୍ରତିଷ୍ଠା ପୂଜା ହୋଇଥିଲା। ଲୀଳାକ୍ଷେତ୍ର କାଙ୍କଣଶିଖରୀ ପୀଠର ଆବାହକ ଡ଼.ସୁଶାନ୍ତ କୁମାର ସାହୁ ଓ ପତ୍ନୀ ରୀତାରାଣୀ ସାହୁ ପୁରୋଧା ହୋଇଥିବା ବେଳେ ପୀଠର ବୟୋଜ୍ୟେଷ୍ଠ ସଭ୍ୟ ହାଡ଼ୁବନ୍ଧୁ ପଟ୍ଟନାୟକ ଛେରାପହଁରା କରିଥିଲେ।

ମନ୍ଦିରର ସେବାୟତ ଓ ଭକ୍ତଙ୍କ ଗହଣରେ ଶ୍ରୀଜିଉମାନଙ୍କୁ ଘଣ୍ଟ, କାହାଳି, ମୃଦଙ୍ଗ ବାଦନ ସହ କରତାଳି, ହରିବୋଲ, ହୁଳହୁଳି ଧ୍ବନି ମଧ୍ୟରେ ନନ୍ଦିଘୋଷ ନୌକା ରଥରେ ବିରାଜମାନ କରାଯାଇଥିଲା। ଚିଲିକା ଜଳରାଶିରେ ଠାକୁର ମାନଙ୍କୁ ସାତ ଥର ପରିକ୍ରମା କରାଯାଇ ସ୍ୱସ୍ଥାନକୁ ବାହୁଡ଼ାଇ ନିଆଯାଇଥିଲା।

ଏହି ଅବସରରେ ପୀଠ ପରିସରରେ ଭଜନ, କୀର୍ତ୍ତନ ଅନୁଷ୍ଠିତ ହୋଇ ଏଜ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଲୀଳା କ୍ଷେତ୍ର କାଙ୍କଣଶିଖରୀ ପୀଠର ସମ୍ପାଦକ ପ୍ରଦୋଷ କୁମାର ଦାସଙ୍କ ସହ ସମସ୍ତ ସଭ୍ୟ, ସଭ୍ୟା, ଜଗନ୍ନାଥ ପ୍ରେମୀ, ନାଚୁଣୀ କଲେଜର ସ୍କାଉଟ୍ସ ଆଣ୍ଡ ଗାଇଡ଼, ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ, ନଇରୀ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶ୍ରଦ୍ଧାଳୁଙ୍କ ନିମିତ୍ତ ପ୍ରସାଦ ସେବନ ଓ ଯାତାୟତ ପାଇଁ ଦେୟମୁକ୍ତ ଡ଼ଙ୍ଗା ପରିବହନ ବ୍ୟବସ୍ଥା କରାଯାଇଥିଲା।

ଶାନ୍ତିଶୃଙ୍ଖଳା ରକ୍ଷା ସକାଶେ ବାଲୁଗାଁ ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ନାଚୁଣୀ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ଜେନା ସଦଳବଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ନଈରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଓ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ମଧ୍ୟ ସହ‌ଯୋଗ ପାଇଁ ଏଠାରେ ଉପ‌ସ୍ଥିତ ରହିଥିଲେ।

ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବୃକ ସାନନ‌ଈରୀ ଗ୍ରାମ ନିକଟ ଟିଲିକା ହ୍ରଦର ଜଳରାଶି ମଧ୍ୟରେ ଏକ ଟାପୁ ରହିଛି, ଯାହାର ନାମ କାଙ୍କଣ ଶିଖରୀ। ଏହା ଆଜି ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହେଉଛି। ଗତ ୧୭୩୧ ଓ ୧୭୩୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ମୁସଲିମ ଶାସକ ତଜି ଖାଁ ଶ୍ରୀମନ୍ଦିର ଆକ୍ରମଣରୁ ଏଡ଼ାଇବା ପାଇଁ ପଣ୍ଡା ପଢିଆରୀମାନେ ବ୍ରହ୍ମଗିରି ପଟ ଦୋବନ୍ଧା ଘାଟରୁ ନୌରେଳାରେ ଚତୁର୍ଦ୍ଧାମୂର୍ତିଙ୍କୁ ଚିଲିକା ମଧ୍ୟ ଦେଇ ଏହି କାଙ୍କଣ ଶିଖରୀରେ ଗୋପନ ରହଣିରେ ଦୀର୍ଘକାଳ ରଖି ପୂଜା ଅର୍ଜନା କରାଇଥିଲେ।

କାଙ୍କଣ ଶିଖରୀ ସମେତ ନଇରୀ ଗ୍ରାମ ସ୍ଥିତ ଶ୍ରୀ ହରିହରେଶ୍ଵର ମହାଦେବଙ୍କ ମନ୍ଦିରରେ ମଧ୍ଯ ଶ୍ରୀ ଜୀଉମାନେ ଗୋପନରେ ଦୀର୍ଘକାଳ ପୂଜା ପାଇଥିବା ଶ୍ରୀମନ୍ଦିର ମାଦଳା ପଞ୍ଜିରେ ଉଲ୍ଲେଖ ରହିଛି। ସେହି ଦିନଠାରୁ କାଙ୍କଣ ଏହି ସ୍ଥାନରୁ ଜଗନ୍ନାଥ ମନ୍ଦିରକୁ ନିଆଯାଏ ଓ ଭୋଗ କରାଯାଇଥାଏ। ପରମ୍ପରା ରକ୍ଷା ପାଇଁ ପୂର୍ବରୁ ଶଗଡ଼ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଦୀର୍ଘ ବର୍ଷ ଧରି ନୌକା ରଥରେ ଚିଲିକାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।

Related posts