ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହଲାଲ୍ ସାର୍ଟିଫିକେଟ୍ ରେ ଉତ୍ପାଦଗୁଡିକ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା ସହିତ ସମଗ୍ର ୟୁପିରେ ଥିବା ବୋଲବମ ଯାତ୍ରା ମାର୍ଗରେ ଥିବା ସମସ୍ତ ଦୋକାନୀମାନଙ୍କୁ ସେମାନଙ୍କର ପରିଚୟ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୋଲବମ ଯାତ୍ରାର ମାର୍ଗରେ ଥିବା ଖାଦ୍ୟ ଦୋକାନରେ ମାଲିକ ଅପରେଟରଙ୍କ ନାମ ଏବଂ ପରିଚୟ ଲେଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ବୋଲବମ ଶ୍ରଦ୍ଧାଳୁଙ୍କ ଆସ୍ଥାର ଶୁଦ୍ଧତା ବଜାୟ ରଖିବା ପାଇଁ ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ହଲାଲ୍ ସାର୍ଟିଫିକେଟ୍ ସହିତ ଉତ୍ପାଦ ବିକ୍ରୟ କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ପରେ ଦୋକାନୀମାନଙ୍କୁ ସମଗ୍ର ଉତ୍ତରପ୍ରଦେଶର ବୋଲବମ ଯାତ୍ରା ମାର୍ଗରେ ସେମାନଙ୍କର ପରିଚୟ ଲେଖିବାକୁ ପଡ଼ିବ।
ଏହାପୂର୍ବରୁ ମୁଜାଫରନଗର ପୋଲିସ ପ୍ରଶାସନ ଦ୍ଵାରା ଏପରି ନିର୍ଦ୍ଦେଶ ଜାରି କରାଯାଇଥିଲା ଯେଉଁଥିରେ ସମସ୍ତ ଦୋକାନୀଙ୍କୁ ଦୋକାନ ମାଲିକଙ୍କ ନାମ ଏବଂ ପରିଚୟ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ପରେ ସେମାନଙ୍କ ନାମ ଅନେକ ଦୋକାନରେ ଲେଖାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ତୀବ୍ର ହୋଇଛି। ଏସପି ଏବଂ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ପରିଚୟ ଲେଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏସପି ସଭାପତି ଅଖିଳେଶ ଯାଦବ ଏହି ଆଦେଶକୁ ଏକ ସାମାଜିକ ଅପରାଧ ବୋଲି କହିଛନ୍ତି ଏବଂ ଏହାକୁ ପାରସ୍ପରିକ ସୌହାର୍ଦ୍ଧ୍ୟ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଏବଂ ଏହି ଘଟଣାର ଅବଗତ ହେବା ପାଇଁ କୋର୍ଟଙ୍କୁ ଦାବି କରିଛନ୍ତି। ଏଥି ସହ ୟୁପି କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ମଧ୍ୟ ଏହି ନିଷ୍ପତ୍ତିକୁ ତୁରନ୍ତ ରଦ୍ଦ କରିବାକୁ ଦାବି କରି ଏହାକୁ ସମ୍ପୂର୍ଣ୍ଣ ଅଯୌକ୍ତିକ କାର୍ଯ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସେମାନେ ସମାଜରେ ଭାଇଚାରା ଭାବନାକୁ ନଷ୍ଟ କରିବାକୁ କାର୍ଯ୍ୟ କରୁଛନ୍ତି।