ସ୍ଵପ୍ନିଲ କୁସାଲେଙ୍କୁ ଉପହାର: ଅଲିମ୍ପିକ୍ସରେ ପଦକ ପରେ ରେଳବାଇରେ ପଦୋନ୍ନତି

Published: Aug 2, 2024, 7:12 am IST

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସ୍ଵପ୍ନିଲ କୁସାଲେ ଦେଶକୁ ଗର୍ବିତ କରିଛନ୍ତି। ତାଙ୍କ ବିଜୟ ପରେ ରେଳବାଇ ତାଙ୍କୁ ପଦୋନ୍ନତି ଦେଇଛି ଏବଂ ବର୍ତ୍ତମାନ ସେ ଜଣେ ଅଧିକାରୀ ହୋଇଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ବାସିନ୍ଦା ସ୍ଵପ୍ନିଲ ୨୦୧୫ ରେ କେନ୍ଦ୍ରୀୟ ରେଳର ପୁଣେ ଡିଭିଜନରେ ‘କମର୍ସିଆଲ୍ କମ ଟିକେଟ୍ କ୍ଲର୍କ’ ଭାବରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ।

କେନ୍ଦ୍ରୀୟ ରେଳବାଇ ଜିଏମ୍ ରାମ କରଣ ଯାଦବ କହିଛନ୍ତି ଯେ, ସ୍ଵପ୍ନିଲ କୁସାଲେଙ୍କୁ ଜଣେ ଅଧିକାରୀ କରାଯିବ ଏବଂ ତାଙ୍କୁ OSD ପଦ ଦିଆଯିବ। ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ତିନି ପୋଜିସନ୍ ରାଇଫଲ୍ ସୁଟିଂରେ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟର ସ୍ଵପ୍ନିଲ କୁସାଲେ ଦେଶ ପାଇଁ ଗର୍ବ ଆଣିଛନ୍ତି।

ସେପଟେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ରେଳବାଇ କହିଛି ଯେ, ଶ୍ରୀ କୁସାଲେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା କେବଳ ଭାରତର ପଦକକୁ ଯୋଡିନାହିଁ, ବରଂ ଭାରତୀୟ ଶୁଟିଂ କ୍ରୀଡ଼ାରେ ସ୍ଵପ୍ନିଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠିତ କରିଛି।

ସିଏମ୍ ଏକନାଥ ସିନ୍ଦେ ପୁରସ୍କାର ଘୋଷଣା କରିଛନ୍ତି:

ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ସ୍ଵପ୍ନିଲ କୁସାଲେଙ୍କ ପାଇଁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସିନ୍ଦେ ଏହା ମଧ୍ୟ କହିଛନ୍ତି ଯେ, ସେ କୁସାଲେଙ୍କ ପିତା ଏବଂ ପ୍ରଶିକ୍ଷକଙ୍କ ସହ କଥା ହୋଇଛନ୍ତି ଏବଂ ଭିଡିଓ କଲ ମାଧ୍ୟମରେ ସୁଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts