ଭାରତ ଉପରେ ବଡ଼ ଅଭିଯୋଗ ଆଣିଲେ ଇରାନର ସର୍ବୋଚ୍ଚ ନେତା: କଡ଼ା ଜବାବ ଦେଲା ଏମଇଏ

Published: Sep 17, 2024, 7:54 am IST

ନୂଆଦିଲ୍ଲୀ: ସୋମବାର ଦିନ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ ଭାରତ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ମୁସଲମାନମାନଙ୍କ ଉପରେ ଅତ୍ୟାଚାର ହେଉଥିବା ସେ ଅଭିଯୋଗ କରିଛନ୍ତି। ଭାରତ, ଗାଜା ଏବଂ ମିଆଁମାରରେ ମୁସଲମାନମାନଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ ଉଠାଇ ଖାମେନେଇ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ଅବସରରେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଇଛନ୍ତି।

ଖାମେନେଇ ମଧ୍ୟ ‘X’ ରେ ତାଙ୍କ ପୋଷ୍ଟରେ ଇସଲାମର ଶତ୍ରୁ ଦେଶ ଭଳି ଶବ୍ଦ ବ୍ୟବହାର କରିଛନ୍ତି। ‘ଏକ୍ସ’ ରେ ପୋଷ୍ଟ କରି ଆୟତୋଲ୍ଲା ଅଲି ଖାମେନେଇ କହିଛନ୍ତି ଯେ, “ଇସଲାମର ଶତ୍ରୁମାନେ ଆମକୁ ଇସଲାମିକ୍ ଉମ୍ମାହ ଭାବରେ ଆମର ସାଧାରଣ ପରିଚୟ ପ୍ରତି ଉଦାସୀନ କରିବାକୁ ଚେଷ୍ଟା କରିଛନ୍ତି। ମିଆଁମାର, ଗାଜା, ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ଗୋଟିଏ ମୁସଲମାନକୁ ହେଉଥିବା ପୀଡା ପାଇଁ ଅବଗତ ନ ହେଲେ ଆମେ ନିଜକୁ ମୁସଲମାନ ବୋଲି ଭାବିପାରିବା ନାହିଁ।

ବର୍ତ୍ତମାନ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ଏହି ଅଭିଯୋଗକୁ ନେଇ ଭାରତର ପ୍ରତିକ୍ରିୟା ମଧ୍ୟ ଆସିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଦୃଢ ଶବ୍ଦରେ ଜବାବ ଦେବା ସହ ତାଙ୍କ ବିବୃତ୍ତିକୁ ନିନ୍ଦା କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତର ସଂଖ୍ୟାଲଘୁମାନଙ୍କ ବିଷୟରେ ଇରାନର ସର୍ବୋଚ୍ଚ ନେତାଙ୍କ ମନ୍ତବ୍ୟକୁ ଆମେ ଦୃଢ ନିନ୍ଦା କରୁଛୁ। ଏଗୁଡିକ ଭୁଲ ତଥ୍ୟ ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ। ସଂଖ୍ୟାଲଘୁ ଉପରେ ଟିପ୍ପଣୀ ଦେଉଥିବା ଦେଶକୁ ଗୋଟିଏ ପରାମର୍ଶ ଦିଆଯାଉଛି ଯେ, ଅନ୍ୟକୁ ଟିପ୍ପଣୀ ଦେବା ପୂର୍ବରୁ ନିଜର ଇତିହାସ ଦେଖନ୍ତୁ।

Related posts