Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ଆଜି କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜାତୀୟ ଖବର

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ଆଜି କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 28, 2024No Comments10 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ଆଜି କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଶେଷ ଦିନ ଥିଲା। ଲୋକସେବା ଭବନ କନଫ୍ରେନସ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇଥିଲେ। ସେ ଯାହା କହିଛନ୍ତି ତାହା ହେଲା…

ସର୍ବ ପ୍ରଥମେ ମୁଁ ଓଡିଶା ପୋଲିସକୁ ଧନ୍ୟବାଦ ଦେବି ଏବଂ ମୋର କହିବାରେ ତିଳେମାତ୍ର ଦ୍ଵିଧା ନାହିଁ ଯେ ମୋଟାମୋଟି ଭାବେ ଓଡିଶା ପୋଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୋଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୋଲିସ ସେବାରେ ଥାଇପାରେ। ତାକୁ ବ୍ୟତିକ୍ରମ ଭାବେ ବିବେଚନା କରାଯାଇପାରେ। କିନ୍ତୁ, ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜ୍ୟ ପୋଲିସର ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡିଶା ନିରନ୍ତର ଭାବେ ଏକ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଛି।

ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟର ସଂରଚନାର ସଂକଳ୍ପକୁ ସାକାର କରିବାରେ ସ୍ଵରାଷ୍ଟ୍ର ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ଏବଂ ଆପଣମାନେ ଏହି ବିଭାଗର ମେରୁଦଣ୍ଡ ସଦୃଶ ନିଜର ଦାୟିତ୍ୱ ତୁଲାଉଥିବାରୁ ମୁଁ ଆପଣ ସମସ୍ତଙ୍କୁ ସାଧୁବାଦ ଜଣାଉଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବିଗତ ଦିନରେ ପୋଲିସର ପ୍ରଭାବଶାଳୀ ଓ ସକ୍ରିୟ ଭୂମିକାଯୋଗୁଁ ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଦୀର୍ଘ ବର୍ଷ ପରେ ନିର୍ବାଚନ ଅଘଟଣ-ମୁକ୍ତ ଥିଲା। ଏହା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ପୋଲିସର ସୁବନ୍ଦୋବସ୍ତ ଫଳରେ ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହୋଇଥିଲା । ଏଥିପାଇଁ ମୁଁ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଉଛି ।

ଦିନ ଥିଲା ଆମ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଭାଗ ମାଓବାଦୀ ଏବଂ ନକ୍ସଲବାଦୀ ହିଂସାର ଶିକାର ହୋଇଥିଲା। ଅନେକ ଜିଲ୍ଲାରେ ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଉଥିଲା। କିନ୍ତୁ, ରାଜ୍ୟ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳର ସହାୟତାରେ ଓଡ଼ିଶାକୁ ଏହି ହିଂସା ରୂପକ ଭାଇରସରୁ ମୋଟା ମୋଟି ଭାବେ ମୁକ୍ତ କରିପାରିଛି। ଏଥିପାଇଁ ଅନେକ ତ୍ୟାଗ ଓ ବଳିଦାନ ମଧ୍ୟ ଦେବାକୁ ପଡିଛି ରାଜ୍ୟ ପୋଲିସକୁ। ସେଥିପାଇଁ ମୁଁ ରାଜ୍ୟବାସୀଙ୍କ ପକ୍ଷରୁ ଓଡିଶା ପୋଲିସର ସେହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କିନ୍ତୁ ଏହି ଲଢେଇ ସମାପ୍ତ ହୋଇନାହିଁ। ଯଦିଓ ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି, ତଥାପି ଆଜି ବି ରାଜ୍ୟର କିଛି ଅଞ୍ଚଳରେ ପରିସ୍ଥିତି ଆହ୍ଵାନପୂର୍ଣ୍ଣ ରହିଛି |

ଗତ ମାସ ୨୪ ତାରିଖ ଛତିଶଗଡ଼ର ରାୟପୁର ଠାରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନକ୍ସଲ ପ୍ରଭାବିତ ରାଜ୍ୟ ମାନଙ୍କର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦେଶକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ଆମ ସରକାର କେନ୍ଦ୍ର ସରକାରଙ୍କ ସହଭାଗିତାରେ ନକ୍ସଲବାଦକୁ ନିର୍ଧାରିତ ସମୟ ମଧ୍ୟରେ ଓଡିଶାରୁ ନିପାତ କରିବା ପାଇଁ ଦୃଢ ସଂକଳ୍ପବଦ୍ଧ । ଏହା ପାଇଁ ପୋଲିସ ବାହିନୀକୁ ସୁଦୃଢ କରିବାକୁ ଆବଶ୍ୟକୀୟ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହନ ଯଥା ଶୀଘ୍ର ଯୋଗାଇ ଦିଆଯିବ । ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ ଆରକ୍ଷୀ ଅଧିକ୍ଷକମାନେ ମାଓ ଦମନ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାଓବାଦୀ କାର୍ଯ୍ୟକଳାପର ସଫଳ ମୁକାବିଲା କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ ।

ପ୍ରାୟ ସପ୍ତାହେ ତଳେ କିଛି ମାଓ ହିଂସା ପୀଡିତଙ୍କୁ ଭେଟିବା ଅବସରରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଜୀ କହିଛନ୍ତି ଯେ ମାଓବାଦ ଜନିତ ହିଂସା ଅତି ବେଶୀରେ ୩୧ ମାର୍ଚ୍ଚ ୨୦୨୬ ଦିନ ସୁଦ୍ଧା ତା’ର ଶେଷ ନିଶ୍ଵାସ ତ୍ୟାଗ କରିବ। ତେଣୁ ମୁଁ ଏହି ମଞ୍ଚରୁ ମାଓବାଦୀଙ୍କୁ ପରାମର୍ଶ ଦେବି ସେମାନେ ହିଂସା ତ୍ୟାଗକରି ମୁଖ୍ୟ ସ୍ରୋତକୁ ଫେରିଆସନ୍ତୁ, ନ ହେଲେ ସେମାନଙ୍କ ପାଇଁ ପରିଣାମ କ’ଣ ହେବ ସେମାନେ ଠିକ ଭାବେ ଜାଣିଛନ୍ତି। ମାଓ ହିଂସାକୁ ଦମନ କରିବା ପାଇଁ ରାଜ୍ୟ ପୁଲିସ ଏବଂ ସୁରକ୍ଷା ବଳ ପାଇଁ ସରକାରଙ୍କ ତରଫରୁ ବ୍ଳାଙ୍କ ଚେକ (blank check) ପ୍ରଦାନ କରାଯାଇଛି।

ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ତାଙ୍କର ଦୃଢ ନେତୃତ୍ଵ ଓ ମାର୍ଗଦର୍ଶନରେ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବିରୋଧରେ ଘଟୁଥିବା ଅପରାଧର ତୁରନ୍ତ ସମାଧାନ ଏବଂ ତ୍ଵରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ଦୋଷୀକୁ କଠୋର ଦଣ୍ଡବିଧାନ କରିବା ଆମ ସରକାର ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତି । ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଅପରାଧରେ ଶିକାର ହେଉଥିବା ପୀଡ଼ିତା ମାନଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ଅପରାଧୀ ଯେ କୌଣସି ପଦମର୍ଯ୍ୟାଦାରେ ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହିଳାମାନଙ୍କ ବିରୁଦ୍ଧରେ ଘଟୁଥିବା ମାମଲାଗୁଡିକରେ ନିରପେକ୍ଷ ତଦନ୍ତ କରିବା ନିତାନ୍ତ ଆବଶ୍ୟକ ।

ମୁଁ ଆଉ ଗୋଟିଏ ଦିଗକୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ଗତ ୨୨ ବର୍ଷ ଅର୍ଥାତ ୨୦୨୨ ସୁଦ୍ଧା ମହିଳା ହିଂସା ବିରୋଧରେ ଦଣ୍ଡ ବିଧାନର ହାର ହେଉଛି ପ୍ରାୟ ୯.୭୩ ପ୍ରତିଶତ ଯାହା ଅତ୍ୟନ୍ତ ନୈରାଶ୍ୟଜନକ। ଏହା ଯେ କୌଣସି ମାନଦଣ୍ଡରେ ଗ୍ରହଣୀୟ ନୁହେଁ। ଏହାର କେବଳ ଦୁଇଟି ଅର୍ଥ – ପୋଲିସର ତଦନ୍ତ ଠିକ ଭାବେ ହେଉନାହିଁ କିମ୍ବା ତ୍ଵରିତ ଦଣ୍ଡ ବିଧାନ ପାଇଁ ଆନ୍ତରିକତା ନାହିଁ। କିନ୍ତୁ ଆମ ସରକାର ଏହାକୁ କୌଣସି ପ୍ରକାରେ ବରଦାସ୍ତ କରିବେ ନାହିଁ।

ମୁଁ ପୋଲିସ ମହାନିର୍ଦ୍ଦେଶକଙ୍କୁ କହିବି ମହିଳା ହିଂସା ସମ୍ବନ୍ଧରେ ଜିଲ୍ଲାୱାରୀ ଓ ହିଂସା ପ୍ରକାର-ୱାରୀ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହିତ ପ୍ରତି ଜିଲ୍ଲାରେ ଦଣ୍ଡ ବିଧାନ (conviction) ତଥା ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ ଓ ତାହାର କାରଣ ବିଷୟରେ ଏକ ସପ୍ତାହ ମଧ୍ୟରେ ତଥ୍ୟ ଦେବେ। ଏହାକୁ ସଠିକ ଭାବେ ଅନୁଧ୍ୟାନ କରିସାରିବା ପରେ ଆଇନ ବିଭାଗ ସହିତ ବିଚାର ବିମର୍ଶ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ବିଗତ ବର୍ଷ ଗୁଡିକର ରେକର୍ଡ ଦେଖିଲେ ମୋ ମନକୁ ଗଭୀର ଆଘାତ ଲାଗିଛି। ମହିଳାଙ୍କ ବିରୁଦ୍ଧରେ ଅସଦାଚରଣ ଯାହାକୁ ସାଧାରଣ ଭାବେ ଇଭ ଟିଜିଙ୍ଗ (Eve Teasing) କୁହାଯାଏ ଓଡିଶାରେ ଦୁର୍ଭାଗ୍ୟବଶତଃ ବହୁତ ଅଧିକ। ମୁଁ ଏଥିନେଇ ମର୍ମାହତ। ତେଣୁ ପୋଲିସ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ଏବଂ ନିଶ୍ଚିତ କରିବା ଦରକାର ଆମ ରାଜ୍ୟର ଛାତ୍ରୀ, ଯୁବତୀ ଏବଂ ମହିଳା ଭାବେ ଅବାଧରେ ସ୍ବଇଚ୍ଛାରେ ବିଚରଣ କରି ପାରିବେ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯାହାସବୁ କରିବା ଆବଶ୍ୟକ ତୁରନ୍ତ କରନ୍ତୁ। ଏକ ସଭ୍ୟ ସମାଜରେ ଏ ପ୍ରକାର ଘୃଣ୍ୟ କାର୍ଯ୍ୟର କୌଣସି ସ୍ଥାନ ନାହିଁ ।

ଥାନାକୁ ନ୍ୟାୟ ପାଇଁ ଆସୁଥିବା ଲୋକମାନଙ୍କ ପ୍ରତି ବିଶେଷକରି ମହିଳାଙ୍କ ପ୍ରତି ସୌଜନ୍ୟତା ଓ ଶୃଙ୍ଖଳାର ସହ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ତଥା ସେମାନଙ୍କ ଅଭିଯୋଗକୁ ଧର୍ଯ୍ୟର ସହ ଶୁଣିବା ଏକାନ୍ତ ଆବଶ୍ୟକ । ସେମାନେ ଦିନବେଳା ଆସନ୍ତୁ, ସନ୍ଧ୍ୟା ଅଥବା ରାତିର ଆସନ୍ତୁ। ସେମାନେ ଯେପରି ପୋଲିସ ଠାରୁ ଉତ୍ତମ ବ୍ୟବହାର ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏତଦବ୍ୟତୀତ, ପ୍ରତି ମାସରେ ଜିଲାୱାରୀ ହେଉଥିବା ଅପରାଧ ସମୀକ୍ଷା ସଭାରେ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ସଚେତନ କରାଯିବା ଉଚିତ। ଜନସଚେତନତା ସୃଷ୍ଟି କରିବା ସହ ପୁଲିସ ଜନସାଧାରଣଙ୍କ ବନ୍ଧୁ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆବଶ୍ୟକତା ରହିଛି ।

ରାଜ୍ୟର ବିଭିନ୍ନ ଥାନା ଗୁଡିକରେ ଥିବା ମହିଳା ଓ ଶିଶୁ ଡ଼େସ୍କ କୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ଅଛି, ଫଳରେ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ଘଟୁଥିବା ବିଭିନ୍ନ ଅପରାଧ ଗୁଡିକର ସଫଳ ତଦନ୍ତ ନିମନ୍ତେ ପଦକ୍ଷେପ ନିଆଯାଇ ପାରିବ ।
ଓଡିଶା ପୋଲିସର ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ତେଣୁ, ପୋଲିସ କେବଳ ନ୍ୟାୟପୂର୍ଣ୍ଣ ବ୍ୟବହାର କଲେ ଯଥେଷ୍ଟ ହେବ ନାହିଁ, ଏହାକୁ ସାଧାରଣ ଲୋକ ଅନୁଭବ ମଧ୍ୟ କରିବା ଉଚିତ। ଯେମିତି ଇଂରାଜିରେ କୁହାଯାଏ, ‘Not only giving justice, but should be seen to be giving justice’. ଆଶା କରୁଛି, ଏହି ଦିଗପ୍ରତି ପୋଲିସକୁ ବିଭିନ୍ନ ସ୍ତରରେ ନେତୃତ୍ଵ ଦେଉଥିବା ଅଧିକାରୀମାନେ ଦୃଷ୍ଟି ଦେବେ।

ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅନଲାଇନ୍ ନିର୍ଯ୍ୟାତନାକୁ ପ୍ରତିହତ କରିବା ପାଇଁ ସାଇବର୍ କମ୍ପ୍ଲେକ୍ସ , ଭୁବନେଶ୍ୱର ଠାରେ ଶିଶୁ ଓ ମହିଳା ଅନଲାଇନ୍ ନିର୍ଯ୍ୟାତନା ମନିଟରିଂ ୟୁନିଟ୍ ( Children and Women Abuse Monitoring Unit) କାର୍ଯ୍ୟ କରୁଛି ଏବଂ ଏହାକୁ ଅଧିକ ସୁଦୃଢ ତଥା ଏହାର ସଫଳ ରୂପାୟନ ପାଇଁ ମୁଁ ଆଶା ବ୍ୟକ୍ତ କରୁଛି । Cyber Crimeକୁ ରୋକିବା ପାଇଁ ପୋଲିସ ନିଜେ ଟେକନୋଲଜିକୁ ବହୁଳ ଭାବେ ବ୍ୟବହାର କରିବା ଉଚିତ। ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୋଲିସର ଭୂମିକା ପ୍ରଶଂସନୀୟ ।

ବେଆଇନ ନିଶା କାରବାରକୁ ବନ୍ଦ କରିବା କାମକୁ ମିଶନ ମୋଡରେ କରାଯାଉ ଯାହାଦ୍ୱାରା ଆମ ଯୁବବର୍ଗଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ପୋଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ବଜାୟ ରଖିବା ଦିଗରେ ଯେପରି କୌଣସି ନାଗରିକ ହଇରାଣ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବା ଉଚିତ । ପୁଲିସ ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ଅବଲମ୍ବନ କରିବା ଦରକାର ଏବଂ ଥାନାଗୁଡ଼ିକ ଏପରି ଏକ ପରିବେଶ ସୃଷ୍ଟି କରିବା ଉଚିତ ଯାହାଦ୍ଵାରା ନାଗରିକମାନଙ୍କୁ ଥାନାରେ ପ୍ରବେଶ କରିବା ସମୟରେ ସାହାଯ୍ୟର ପ୍ରତିଶ୍ରୁତି ମିଳିବ ବୋଲି ସେମାନଙ୍କ ମନରେ ଭାବନା ସୃଷ୍ଟି ହେବ ।
ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଆସିଛି। ଶାସନରେ ପରିବର୍ତ୍ତନ ଆସିଛି। ତାକୁ ଆଧାର କରି ଆମକୁ ଆଗକୁ ବଢିବାକୁ ପଡିବ। ସମସ୍ତ ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ପଡିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡିଶାକୁ ବିକାଶର ରେଳ ଇଞ୍ଜିନର ପ୍ରଥମ ବଗି କରିବାକୁ ଚାହୁଁଛନ୍ତି। ସେଥିପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ। ସମସ୍ତଙ୍କର ଏଥିପାଇଁ ସହଯୋଗ ଦରକାର। ଆମ ସରକାରରେ ସମାଜର ଶେଷ ଧାଡିର ଲୋକଙ୍କ ସମସ୍ୟା, ଅଭିଯୋଗ ଶୁଣାଣିକୁ ପ୍ରାଥମିକତା ଦିଆଯାଉଛି। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଆମର କର୍ତ୍ତବ୍ୟ। ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବା ଆମର ଦାୟିତ୍ୱ।
ଆମର ମନେ ରଖିବା ଉଚିତ ଯେ ଥାନାକୁ କୌଣସି ଅପରାଧୀ ନ୍ୟାୟ ପାଇଁ ଯାଇ ନ ଥାନ୍ତି। ଅପରାଧୀଙ୍କ ଦ୍ଵାରା ପୀଡିତ ବ୍ୟକ୍ତି କିମ୍ବା କୌଣସି ଅସୁବିଧାରେ ପଡିଥିବା ବ୍ୟକ୍ତି ହିଁ ପୋଲିସକୁ ନ୍ୟାୟ ମାଗିବା ପାଇଁ ଯାଇଥାନ୍ତି। ସେହି ସମୟରେ ସେମାନେ କେଉଁ ପ୍ରକାର ମାନସିକ ଓ ଶାରୀରିକ ପରିସ୍ଥିତିରେ ଥିବେ ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ, ଯେତେବେଳେ ସେ ଥାନାକୁ ଆସେ, ତାର ଭରସା ଥାଏ ଯେ ପୋଲିସ ଠାରୁ ନ୍ୟାୟ ପାଇବ, ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ସେହି ସାଧାରଣ ଲୋକଟିର ଭରସାକୁ ବଜାୟ ରଖି ଉପଯୁକ୍ତ ପଦକ୍ଷେପ ନେବା।

ଦେଢଶହ ବର୍ଷର ଔପନିବେଶବାଦର ମାନସିକତାକୁ ପ୍ରୋତ୍ସାହନ ଦେଉଥିବା ବ୍ରିଟିଶ ଅମଳର ଅପରାଧିକ ଆଇନକୁ ପରିବର୍ତ୍ତନକରି ଜୁଲାଇ ୧ ତାରିଖ ପରେ ପ୍ରଣିତ ହୋଇଥିବା ଭାରତୀୟ ନ୍ୟାସ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ନ୍ୟାୟ ଓ ନାଗରିକକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ପରିବର୍ତ୍ତିତ ନ୍ୟାୟ ବ୍ୟବସ୍ଥା ତଥା ଆଜିର ସୋସିଆଲ ମିଡିଆ ଯୁଗରେ ଯେତେବେଳେ ପ୍ରତି କ୍ଷେତ୍ରରେ ପୋଲିସ ଓ ସରକାର ସାଧାରଣ ଜନତାଙ୍କ ମୋବାଇଲରେ ଆବଦ୍ଧ ହୋଇଯାଉଛନ୍ତି, ପ୍ରତି ପଦକ୍ଷେପରେ ସାଧାରଣ ଜନତାଙ୍କ ଦ୍ଵାରା scrutinize ହେଉଛନ୍ତି, ଆମେ ମଧ୍ୟ ନିଜକୁ ସେହି ପ୍ରକାରେ ପ୍ରସ୍ତୁତ କରିବା ଆବଶ୍ୟକ।

ତେଣୁ, ମୁଁ ଚିନ୍ତା କରୁଛି ଏହି ବିଷୟରେ ଅତି କମରେ IIC ସ୍ତରୀୟ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଆବଶ୍ୟକ। ଏହି ପ୍ରଶିକ୍ଷଣରେ ସାଧାରଣ ଜନତା ଓ ଅଭିଯୋଗକାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର ଏବଂ ଆଇନକୁ letter ଓ sprit ସହ ପାଳନ କରିବା ବିଷୟକୁ ମଧ୍ୟ ସାମିଲ କରାଯାଇପାରେ। ଏ ବିଷୟରେ ମୁଁ ବରିଷ୍ଠ ପ୍ରଶାସକଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀର ସୁରକ୍ଷା ଓ ନିରାପତ୍ତା ପାଇଁ ପୁରୀ ଠାରେ ୧୦୮୩ ଗୋଟି ବିଭିନ୍ନ ବର୍ଗର ପଦବୀକୁ ନେଇ ଗୋଟିଏ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାର ପ୍ରକ୍ରିୟା ସରକାର ଆରମ୍ଭ କରିଅଛନ୍ତି। ଏହା ମଧ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ ହେବ।

ଥାନାମାନଙ୍କରେ କର୍ମଚାରୀମାନଙ୍କର ମନୋବଳ ବଢାଇବା ସହିତ ସେମାନଙ୍କ କାମ କରିବାର ସୁବିଧା ଉଦ୍ଦେଶ୍ୟରେ ଆବଶ୍ୟକୀୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ଯୋଗାଇଦେବା ପାଇଁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରାୟ ୯ ହଜାର ଦୁଇ ଚକିଆ ଯାନ ଥାନାମାନଙ୍କୁ ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟ ରହିଛି। ଆହୁରି ମଧ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା ୧୦ଟି ଓଡ୍ରାଫ ୟୁନିଟ୍‌ କାର୍ଯ୍ୟକାରୀ ହେବ। ପ୍ରତି ଜିଲ୍ଲାରେ ଓଡ୍ରାଫ ଟିମ୍‌ ରହିବ। ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଭୁବନେଶ୍ଵରର ବରମୁଣ୍ଡା ବସ ଟର୍ମିନାଲ ଠାରେ ଏକ ନୂତନ ଫାଣ୍ଡି ଏବଂ ରାଜ୍ୟର ୧୦ ଟି ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲଠାରେ ୧୦ ଗୋଟି ନୂତନ ଫାଣ୍ଡି ପ୍ରତିଷ୍ଠା କରାଯିବ ଏବଂ ଏହା ଦ୍ଵାରା ସାଧାରଣ ଜନତା ଉପଯୁକ୍ତ ସେବା ପାଇ ପାରିବେ। ଏକ ପ୍ରଭାବୀ ପୋଲିସ ବଳ ପାଇଁ ଯାହାସବୁ ସମ୍ବଳ, ମାନବ ସମ୍ବଳ ଆବଶ୍ୟକ ସରକାର ପ୍ରଦାନ କରାଇବା ପାଇଁ ବଦ୍ଧପରିକର।

ଅପରାଧ ଓ ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ Emergency Response Support System (ERSS) କାର୍ଯ୍ୟକାରୀ ହେଉଅଛି। ଯେଉଁଥିରେ , ଏକକ ଟୋଲ୍ ଫ୍ରୀ ନମ୍ବର “ ୧୧୨ “ ଦ୍ଵାରା ପୁଲିସ ସେବା , ଅଗ୍ନିଶମ ସେବା,ଆମ୍ବୁଲାନ୍ସ ସେବା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଉପଲବ୍ଧ ହେଉଅଛି । ଉପରୋକ୍ତ ସେବାକୁ ଅଧିକ ସୁଦୃଢ କରିବା ପାଇଁ ଆମ ସରକାର ସଙ୍କଳ୍ପବଦ୍ଧ ।

ବାଂଲାଦେଶରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ହେତୁ ଅନେକ ବାଂଲାଦେଶୀ ଜଳପଥରେ ଓଡିଶାରେ ଅନୁପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ଥିଲା। ରାଜ୍ୟ କୋଷ୍ଟାଲ ସିକ୍ୟୁରିଟି, କୋଷ୍ଟ ଗାର୍ଡ ଏବଂ ନୌବାହିନୀର ସତର୍କତା ମୂଳକ ପଦକ୍ଷେପ ଯଥା ୨୪ ଘଣ୍ଟିଆ ପେଟ୍ରୋଲିଂ ଓ ଅନ୍ୟାନ୍ୟ ସମୟୋଚିତ ପଦକ୍ଷେପ ଯୋଗୁଁ ଏହି ଅନୁପ୍ରବେଶକୁ ରୋକାଯାଇ ପାରିଥିଲା। ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ର ଆରକ୍ଷୀ ଅଧିକ୍ଷକମାନେ ଆଗାମୀ ଦିନରେ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

ଆପଣମାନଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣମାନଙ୍କୁ ଦୃଢ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ । ବରିଷ୍ଠ ଅଧିକାରୀ, ବିଶେଷ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିୟମିତ ଭାବେ ବିଭିନ୍ନ ଥାନାକୁ ଗସ୍ତ କରି ସେଠାକାର ଆନୁଷଙ୍ଗିକ ଭିତ୍ତିଭୂମି, କର୍ମଚାରୀଙ୍କର କାର୍ଯ୍ୟଶୈଳୀକୁ ତଦାରଖ କରିବା ଉଚିତ। ଯାହାଦ୍ୱାରା ପୋଲିସ ଶାସନ ଆହୁରି ଦୃଢ ଓ ବ୍ୟବସ୍ଥିତ ହୋଇପାରିବ। ନିଜ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିଜର ପରିବାର ସଦସ୍ୟ ଭାବରେ ବିବେଚନା କରିବା ସହିତ ସେମାନଙ୍କର କଲ୍ୟାଣ ପ୍ରତି ଯତ୍ନବାନ ହେବାକୁ ପଡିବ ।

ଥାନାମାନଙ୍କରେ ପଦବୀ ପୂରଣ ପାଇଁ ଆମ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ପୋଲିସ୍ ବିଭାଗରେ ବିଭିନ୍ନ ବର୍ଗରେ ଖାଲି ଥିବା ୨୯୨୨ ପଦବୀକୁ ପ୍ରତ୍ୟେକ୍ଷ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ ଶୀଘ୍ର ଏଗୁଡିକ ପୂରଣ ହେବ। ଆଉ ଗୋଟିଏ ବିଶେଷ ଦିଗକୁ ମୁଁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ସଂଯୋଜନ ବା Convergence। ଗତକାଲି ଲୋକକଲ୍ୟାଣ ପାଇଁ ଏହାର ଉପଦେୟତା ବିଷୟରେ ମୋର ମତ ରଖିଥିଲି। ଆଜି ଆଇନ ଶୃଙ୍ଖଳା ପାଇଁ ଏହାର ଆବଶ୍ୟକତା ବିଷୟରେ ଦୁଇପଦ କହିବି।

ଗୋଟିଏ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ହେଉଛନ୍ତି ଶାସନ ପ୍ରଶାସନର ଦୁଇଟି ଖମ୍ବ ଯାହାଉପରେ ସଂପୂର୍ଣ୍ଣ ଜିଲ୍ଲାର ପ୍ରଶାସନିକ ଭାର ରହିଥାଏ। ଆମର ଶାସନ ବ୍ୟବସ୍ଥା ଅନୁସାରେ ଭିନ୍ନ ପ୍ରକ୍ରିୟା ଦ୍ଵାରା ସେମାନେ ନିଯୁକ୍ତ ହୋଇଥାନ୍ତି। କିନ୍ତୁ, ଥରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କଲାପରେ ଏହାର କିଛି ମହତ୍ତ୍ଵ ନାହିଁ, ସେମାନେ ନିଜ ନିଜ ପଦ ଏବଂ ଦାୟିତ୍ଵପ୍ରତି ଉତ୍ତରଦାୟୀ। ଏହି ପରିପେକ୍ଷୀରେ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗୋଟିଏ ଟିମ ଭାବେ କାମ କରିବା ଉଚିତ, ଅନ୍ୟଥା ବିଭ୍ରାଟ ସୃଷ୍ଟି ହେବ। ଅତୀତରେ ଉଭୟ ଅଧିକାରୀଙ୍କ ମଧ୍ୟରେ କିଛି ମତାନ୍ତର ଏପରିକି ମନାନ୍ତର ନଜିର ରହିଛି। କିନ୍ତୁ, ବର୍ତ୍ତମାନ ସେ ସବୁକୁ ପ୍ରଶ୍ରୟ ଦିଆଯିବ ନାହିଁ । ତେଣୁ ସମସ୍ତଙ୍କୁ ମୋର ନିବେଦନ, ସରକାରଙ୍କ ପ୍ରଶାସନିକ ପ୍ରତିନିଧି ଭାବେ ସଂଯୋଜନ ବା convergence mode ରେ କାର୍ଯ୍ୟ କରିବେ।

ଗୋଟିଏ popular ହିନ୍ଦୀ ଫିଲ୍ମ ର ସଂଳାପ ମୋର ମନେ ପଡେ, ‘A Soldier is never off duty’ । ମୁଁ ମଧ୍ୟ ଗର୍ବର ସହ କହିପାରିବି ଯେ ଓଡିଶା ପୋଲିସର ଅଫିସର ଓ ଯବାନ ମଧ୍ୟ କେବେ ବି off-dutyରେ ରୁହନ୍ତି ନାହିଁ। ସମାଜର ସେବା କରିବା ପାଇଁ ଆପଣମାନେ ସବୁବେଳ ତତ୍ପର।

ଶେଷରେ ଗୃହ ବିଭାଗର ମୁଖ୍ୟଭାବେ ମୁଁ ସମସ୍ତଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ସରକାର ପୋଲିସ ବଳ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି। କିନ୍ତୁ, ସେହି ସମାନ ଗୁରୁତ୍ଵ ପ୍ରଦାନ କରି ଏହା ମଧ୍ୟ କହୁଛି ଯେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଦୁରୁପଯୋଗକୁ କେବେହେଲେ ବରଦାସ୍ତ କରାଯିବ ନାହିଁ । ହୁଏତ, ଅଳ୍ପ କିଛି ଅଧିକାରୀ ଏହା କରୁଥାଇ ପାରନ୍ତି। କିନ୍ତୁ, ଯେପରି କୁହାଯାଏ, ‘ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଚାଲିଯାଏ’, ସେଥିପ୍ରତି ଆମେ ସମସ୍ତେ ଧ୍ୟାନ ରଖିବା ଉଚିତ।

ଏଠାରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଏହି ପ୍ରସଙ୍ଗକୁ ହୃଦୟଙ୍ଗମକରି ପଦକ୍ଷେପ ନେବା ପାଇଁ ସକ୍ଷମ। ଆଶା କରୁଛି, ପୋଲିସ ନିଜର theme ‘ସେବା ଓ ସୁରକ୍ଷା’ ସ୍ଲୋଗାନକୁ କାୟ ମନୋବାକ୍ୟରେ ପାଳନ କରିବେ।

ଜିଲ୍ଲାପାଳ ସମ୍ମିଳନୀ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025
Latest News

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.