ଭୁବନେଶ୍ୱର : ପ୍ରଥମେ ‘ଅର୍ଣ୍ଣବ’। ପରେ ‘ମୁରାସୁ। ଏହି ଦୁଇ ବାତ୍ୟାର କ୍ଷତ ଶୁଖିନଥିଲାବେଳେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ ସୃଷ୍ଟି ହୋଇଛି। ଯାହା ୧୫ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଆଉ ପରବର୍ତ୍ତୀ ସମୟରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି। ସମୁଦ୍ରରେ ବଳ ଗୋଟାଉଛି। ଆଉ ଆସନ୍ତକାଲି ଅର୍ଥାତ ଶନିବାର ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଯିବ। ଆଉ ତାପରେ ଘନୀଭୂତ ହୋଇ ରବିବାରରେ ଅବପାତ ହେବା ପରେ ସୋମବାର ସଂଧ୍ୟାରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ବାତ୍ୟାରେ ପରିଣତ ହେଲେ ଏହାର ନାଁ ରହିବ ‘ଅକ୍ୱାନ୍’। ଯାହାର ଓଡ଼ିଆ ଅର୍ଥ ହେଉଛି- ଦୁଷ୍ଟ ନଜର। ବଡ଼କଥା ହେଲା- ବାତ୍ୟାରେ ପରିଣତ ହେବା ପରେ ଏହା ତିନି ଦିନ ସମୁଦ୍ରରେ ରହିବ ବୋଲି ଆକଳନ କରାଯାଉଛି। ଅର୍ଥାତ ବାତ୍ୟା ଶକ୍ତିଶାଳୀ ହେବା ପାଇଁ ପାଣିପାଗ ଅନୁକୂଳ। ତେବେ ବାତ୍ୟା ରୂପ ନେବାପରେ କେଉଁଆଡ଼କୁ ଯିବ ଅକ୍ୱାନ୍ ? କେଉଁ ଉପକୂଳ ଉପରେ ପକାଇବ ନଜର ? ଓଡ଼ିଶା, ଆନ୍ଧ୍ର ନା ପଶ୍ଚିମବଙ୍ଗ ?
ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି ଭୀଷଣ ବାତ୍ୟା ଭାବେ ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ। ଅବପାତ ପରେ ସିଷ୍ଟମଟି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆନ୍ଧ୍ର ଉପକୂଳ ମୁହାଁ ହୋଇପାରେ। ତେବେ ଯଦି ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଏ, ତେବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ଯିବା ଆଶଙ୍କା ରହିଛି। ଅନ୍ୟପଟେ ନଭେମ୍ବର ବାତ୍ୟା ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା କ୍ଷୀଣ। ତେବେ ଅବପାତ ପରେ ବାତ୍ୟାର ଗତିପଥ କ’ଣ ରହୁଛି ତାହା ଉପରେ ନଜର।
ପ୍ରକାଶ ଯେ ଅକ୍ଟୋବର ୨୮। ଆନ୍ଧ୍ର ଉପକୂଳରେ ତାଣ୍ଡବ ରଚିଥିଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’। ୧୨୫ରୁ ୧୩୫ କିଲୋମିଟର ବେଗରେ ବହିଥିଲା ପବନ। ଆନ୍ଧ୍ରକୁ ତ ଉଡ଼ାଇଲା, ଦକ୍ଷିଣ ଓଡ଼ିଶାରେ ରଚିଥିଲା ଛାତିଥରା ବିତ୍ପାତ। ଭୟଙ୍କର ଭୂସ୍ଖଳନଠୁ ପ୍ରଳୟଙ୍କରୀ ବନ୍ୟା। ଏହାର ଠିକ୍ ୫ ଦିନ ପରେ ପୁଣି ଆନ୍ଧ୍ର ଉପକୂଳକୁ ହିଟ୍ କରିଥିଲା ଆଉ ଏକ ସିଭିୟର ସାଇକ୍ଲୋନ୍। ତାରିଖ ନଭେମ୍ବର ୩। ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ଭୀଷଣ ସାମୁଦ୍ରିକ ଝଡ଼ ‘ମୁରାସୁ’। ‘ମୁରାସୁ’କୁ ୧୦ ଦିନ ବିତିନି, ପୁଣି ଛନକା ଭରିଲାଣି ଆଉ ଏକ ବାତ୍ୟା। ଅର୍ଥାତ ତିନି ସପ୍ତାହ ଭିତରେ ବଙ୍ଗୋପସାଗରରେ ତିନି ତିନିଟି ସାଇକ୍ଲୋନ୍। ପ୍ରଶ୍ନ ଉଠୁଛି କାହିଁକି ଅସ୍ୱାଭାବିକ ହୋଇପଡୁଛି ବଙ୍ଗୋପସାଗର? ସିରିଜ୍ ବାତ୍ୟା ପଛର କାରଣ କଣ ? ବାତ୍ୟାକୁ ବଳ ଯୋଗାଉଛି କି ଏଲନିନୋ ପ୍ରଭାବ ? ଏପଟେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ ଯଦିଓ ଓଡ଼ିଶା ମୁହାଁ ହେବା ଆଶଙ୍କା ଅତିକ୍ଷୀଣ, ତଥାପି ଅବପାତ ପରେ ଗତିପଥ ଉପରେ ନଜର ରହିଛି। କାରଣ ଯଦି ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ହୁଏ, ତେବେ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଆସନ୍ତା ୧୭ରୁ ପାଗ ମେଘୁଆ ହେବା ସହିତ ୧୮ ଓ ୧୯ ତାରିଖରେ ଉତ୍ତର ଓ ଉପକୂଳ ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବାତ୍ୟା ଅର୍ଣ୍ଣବ ବେଳେ ଓଡ଼ିଶା ଉପରେ ପଡ଼ିଥିଲା ଡୁଆଲ୍ ସିଷ୍ଟମ୍ ପ୍ରଭାବ। ଅର୍ଣ୍ଣବ ସହିତ ତାମିଲନାଡ଼ୁ ଉପକୂଳରେ ଥିବା ଲଘୁଚାପର କୋଲିଜନ୍ ଯୋଗୁ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହୋଇଥିଲା। ହେଲେ ବର୍ତ୍ତମାନର ଇଣ୍ଡିକେସନ ଅନୁସାରେ ଏବେ ଓଡ଼ିଶାକୁ ବିପଦ ନାହିଁ। ଭୟଭୀତ ନହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଅନ୍ୟପଟେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବା ସହ ସୂଚନା ଓ ପରାମର୍ଶକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।


