ଆଜି ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସକ୍ରିୟ ସଦସ୍ୟ ହେଲେ, ଆପଣଙ୍କୁ କଣ ଆଶ୍ଚର୍ଯ୍ୟ ଲାଗୁଛି କି ?

Published: Oct 16, 2024, 3:27 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ହୋଇଛନ୍ତି। ତାଙ୍କ ବାସଭବନରେ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ଦଳର ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି। ଏହା କେମିତି ହେଲା ବୋଲି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଘଟଣାଟି ହେଲା ଭିନ୍ନ ପ୍ରକାରର।

ବିଜେପିର ନିୟମ ରହିଛି ପ୍ରତି ଦଶ ବର୍ଷରେ ଥରେ ପୁଣି ସମସ୍ତେ ସଦସ୍ୟ ହେବେ। ଯାହାକୁ ସଦସ୍ୟତା ନବୀକରଣ ବୋଲି କୁହାଯାଏ। ଏହା ଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରାଯାଏ। ଅର୍ଥାତ ଏହି କ୍ୟାଟାଗୋରୀର ସଦସ୍ୟ ଦଳର ବିଭିନ୍ନ ସାଂଗଠାନିକ କାର୍ଯ୍ୟରେ ଯୋଗଦେବା ସହିତ ଦଳିୟ ପଦପଦବୀ ନିର୍ବାଚନରେ ଭାଗ ନେବା ପାଇଁ ଯୋଗ୍ୟ ହେବେ।

ଏହି ସକ୍ରିୟ ସଦସ୍ୟମାନେ ଅନ୍ୟୁନ ନିଜ ବୁଥ କିମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ପଚାଶ ଜଣଙ୍କୁ ପଂଜିକରଣ କରାଇବାକୁ ପଡିବ। ସେପରି ନ କଲେ ତାଙ୍କୁ ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରାଯିବ ନାହିଁ। ଯେଉଁମାନେ ବିଜେପିର କେବଳ ସଦସ୍ୟ ରହିବେ ସେମାନେ ସବୁବେଳେ ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିପାରିବେ ନାହିଁ। ହେଲେ ସକ୍ରିୟ ସଦସ୍ୟ ସବୁବେଳେ ଦଳିୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାକୁ ପଡେ।

ଆଜିଠାରୁ ବିଜେପିର ସକ୍ରିୟ ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇଛି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସକ୍ରିୟ ସଦସ୍ୟ ହୋଇଛନ୍ତି। ଏଥିସହିତ ସାରା ଦେଶରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୋଦି ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏ ନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ବିଜେପିର ସଦସ୍ୟତା ଅଭିଯାନ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲୁରହିଛି। ସେହିପରି ଆଜିଠାରୁ ଅର୍ଥାତ ଅକ୍ଟୋବର ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣର ପ୍ରକ୍ରିୟା ଚାଲୁ ରହିବ। ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ।

Related posts