‘ଭାରତ ବିନା ୨୦୨୫ ଚାମ୍ପିଅନ୍ସ ଟ୍ରଫି କଥା ଭାବିବା ମୂଲ୍ୟହୀନ’: ଏହି ବୟାନ ପରେ ପାକିସ୍ତାନର ବଢିଲା ଚିନ୍ତା

Published: Oct 17, 2024, 8:57 am IST

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଆୟୋଜିତ ହେବ। ଅନେକ ମାସ ଧରି ଆଇସିସି ମଧ୍ୟ ଅପେକ୍ଷା କରିଛି, ପାକିସ୍ତାନ ଯିବା ପାଇଁ ଟିମ୍ ଇଣ୍ଡିଆ କେବେ ଅପଡେଟ ଦେଉଛି। ଭାରତରୁ ସ୍ପଷ୍ଟ ଆଭିମୁଖ୍ୟ ଅଭାବ ହେତୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଆଇସିସି ଏବଂ ଅନ୍ୟ ଦେଶଗୁଡ଼ିକର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ବିଷୟରେ ଚିନ୍ତା ପ୍ରକଟ କରିଛି।

ଚାମ୍ପିଅନ୍ସ ଟ୍ରଫି ଉପରେ ଇସିବି ମୁଖ୍ୟ ରିଚାର୍ଡ ଗୋଲ୍ଡ କହିଛନ୍ତି ଯେ, “ମୁଁ ଭାରତ ବିନା ଟୁର୍ଣ୍ଣାମେଣ୍ଟ ବିଷୟରେ ଚିନ୍ତା କରେ ନାହିଁ। ଯଦି ଭାରତ ଏବଂ ପାକିସ୍ଥାନ ବିନା ଚାମ୍ପିଅନ୍ସ ଟ୍ରଫି ଖେଳନ୍ତି, ତେବେ ପ୍ରସାରଣ ଅଧିକାର ରହିବ ନାହିଁ। ଯଦି ଭାରତ ଟୁର୍ଣ୍ଣାମେଣ୍ଟରେ ନାହିଁ, ତେବେ କ୍ରିକେଟ୍ ପାଇଁ ଖୁସି ଖବର ହେବ ନାହିଁ। ଆମେ ସମସ୍ତେ ଅପେକ୍ଷା କରିଛୁ ଯେ, ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯିବ କି ନାହିଁ।

ରିଚାର୍ଡ ଗୁଲ୍ଡ ବିଶ୍ଵାସ କରନ୍ତି ଯେ, ଆଇସିସି ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିବା ଜୟ ଶାହାଙ୍କର ମଧ୍ୟ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯାଉଛି କି ନାହିଁ ଏଥିରେ ଏକ ପ୍ରମୁଖ ଭୂମିକା ରହିବ। ରିଚାର୍ଡ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଜୟ ଶାହା ନିଶ୍ଚିତ ଭାବରେ କିଛି ବାଟ ପାଇବେ ଏବଂ ତାଙ୍କୁ କ୍ରିକେଟର ଉନ୍ନତି ପାଇଁ ଏକ ରାସ୍ତା ଖୋଜିବାକୁ ପଡ଼ିବ। କିଛି ସପ୍ତାହ ପୂର୍ବରୁ ବିସିସିଆଇର ଉପସଭାପତି ରାଜୀବ ଶୁକ୍ଲା କହିଥିଲେ ଯେ, ଭାରତୀୟ ଦଳ ବିଦେଶରେ କ୍ରିକେଟ୍ ଖେଳିବାକୁ ଯିବ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ଭାରତ ସରକାରଙ୍କ ହାତରେ ଅଛି, କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିନାହାଁନ୍ତି।

୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ, ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବ। ପିସିବି ଚାମ୍ପିଅନ୍ସ ଟ୍ରଫି ସଂପୂର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜନ କରିବାକୁ ଜିଦ୍ ଧରିଛି ଏବଂ ସେମାନେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ହାଇବ୍ରିଡ୍ ମଡେଲ୍ ଗ୍ରହଣ କରାଯିବ ନାହିଁ। ଏଭଳି ପରିସ୍ଥିତିରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଝୁଲୁଛି ବୋଲି କହିବା ଭୁଲ ହେବ ନାହିଁ।

Related posts