ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ସାଲେଭଟ୍ଟା ପଞ୍ଚାୟତ ନେଭରାପାଳ ଗ୍ରାମ ପାଖ ବିଲରେ ବାରାହା ତଥା ବନ୍ୟ ଜନ୍ତୁଙ୍କ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ଜଣ ଆହତ ହୋଇଥିଲେ। ଏନେଇ ମୃତ ଭକ୍ତ ବନ୍ଧୁ ନାୟକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଏଥିପ୍ରତି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ବିଦ୍ୟୁତ ତାର ସଂଯୋଗ କରି ଥିବା ଲୋକକୁ ଗିରଫ କରିବା ସହ କ୍ଷତିପୂରଣ ଦାବି ନେଇ ନେଭରାପାଳ- ବସାଲୋଇ ରାସ୍ତା ଅବରୋଧ କରିଥିଲେ।
ପରେ ପୋଲିସ ଓ ପ୍ରଶାସନ ପହଞ୍ଚି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ଓ ଏଥିସହ ବିଦ୍ୟୁତ ତାର ବସାଇଥିବା ଲୋକଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଏଥିରେ ୫ଜଣ ସାମିଲ ଥିବା ଜଣାପଡିଥିବା ବେଳେ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ଥିବା ଜଣାପଡିଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ନାକଟିଦେଉଳ ଥାନା ସାଲେଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବସାଲୋଇ ଗ୍ରାମର ଧରଣି ଧର ସାହୁ (୪୫), ସରଦାର୍ ନାୟକ ଅରଫ ଛୋଟା (୩୭), ଶୁଶିଲ ଗଡତିଆ (୨୭)।
ଏ ସଂକ୍ରାନ୍ତରେ ନାକଟିଦେଉଳ ଥାନା କେଶ ନଂ ୧୯୯/୨୪ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ବ୍ୟାପକ ମାତ୍ରାରେ ବିଦ୍ୟୁତ ତାର ୨୫ଟି ଥଣ୍ଡା କାଚ ବୋତଲ୍ ଓ କାଠ ବାଡ଼ି ଆଦି ଜବତ କରାଯାଇଛି । ଫେରାର ଥିବା ଆଉ ୨ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ପୋଲିସ୍ କହିଛି।