Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଜମିରେ ଥିବା ବେଆଇନ ଘରକୁ ଭାଙ୍ଗିଲା ପ୍ରଶାସନ 

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ପାଇକମାଳ ଗ୍ରାମ ନିକଟରେ ଥିବା କେନ୍ଦୁଛକ ଠାରୁ ସରକାରୀ ଜମିରେ ଘର କରି ରହୁଥିବା ଲୋକମାନଙ୍କର ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ।
ଆଜି ପୂର୍ବାହ୍ନରେ ପ୍ରଶାସନ ନାକଟିଦେଉଳ ତହସିଲ୍ ଦାର୍ ଙ୍କୁ ମାଜିଷ୍ଟେଟ୍ ଦାୟିତ୍ବରେ ଵିବାଦୀୟ ଜାଗାକୁ ପଠାଇଥିଲେ।

ପ୍ରଶାସନର ନିର୍ଦ୍ଦେଶକ୍ରମେ ସରକାରୀ ଜାଗାରେ ଘର କରି ରହୁଥିବା ବ୍ୟକ୍ତିମାନଙ୍କର ଘରକୁ ଜେସିବି ଲଗାଇଭାଙ୍ଗି ଦିଆଯାଇଛି। ଘର କରି ରହୁଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କ ସହ ପାଟିତୁଣ୍ଡ କରିଥିଲେ। ଏପରିକି ଘର ଭାଙ୍ଗିବାକୁ ଜେସିବି ଯିବା ସମୟରେ ସଂପ୍ରୁକ୍ତ ବ୍ୟକ୍ତି ବିଶେଷ ବାଧା ଦେଉଥିଲେ। ପୋଲିସ୍ ବିଭାଗ ଏହାର ପ୍ରତିରୋଧ ମଧ୍ୟ କରିଥିଲେ। ଗଣ୍ଡଗୋଳ ଯେମିତି ନ ହେବ ସେଥିପାଇଁ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମ୍ରୁତୟନ କରାଯାଇଥିଲା।

ଘର କରି ରହିଥିବା ବ୍ୟକ୍ତିମାନଙ୍କର ପାଇକମାଳ ଏଵଂ ତଣ୍ଡାବିରା ଗ୍ରାମରେ ନିଜସ୍ବ ଘର ମଧ୍ୟ ରହିଛି। ଏହି ସରକାରୀ ଜମିକୁ ଜବର ଦଖଲ କରି ପଟ୍ଟା କରି ନେବାକୁ ଚକ୍ରାନ୍ତ କରୁଥିଲେ। ତହସିଲ୍ ବିଭାଗର ଅସାଧୁ କର୍ମଚାରୀମାନଙ୍କ ପାଇଁହିଁ ଏହି ବିବାଦିୟ ସ୍ଥାନକୁ ସେମାନେ ଅନାୟାସରେ ପ୍ରବେଶ କରିଥିଲେ। ପୂର୍ବରୁ ସେଇ ଘର ଛାଡି ନିଜର ଜିନିଷପତ୍ର ଧରି ବାହାରିଯିବାକୁ ମଧ୍ୟ ନୋଟିସ୍ ଦିଆଯାଇଥିଲା।

ପୂର୍ବରୁ ନାକଟିଦେଉଳର ପୂର୍ବତନ ତହସିଲଦାର୍ ସୁକାନ୍ତ ନାଏକ ମଧ୍ୟ ସେଇ ଘରର କିଛି ଅଂଶ ଭାଙ୍ଗି ଦେଇଥିଲେ।  ଯା’ଫଳରେ କିଛି ଆଦିବାସୀ ଡଇଁଚା ଗ୍ରାମରେ ପୂର୍ବତନ ତହସିଲ୍ ଦାର ଙ୍କୁ ଆର୍ ଆଇ ଅଫିସ୍ ସାମ୍ନାରେ ଘେରାଉ କରିବା ସହ ୩ କିମି ରାସ୍ତା ତଲାଇ ଚଲାଇ ନେଇ ଥିଲେ। ଏପରିକି ନାକଟିଦେଉଳ ତହସିଲ୍ ଅଫିସ୍ ମଧ୍ୟ ଘେରାଉ କରି ଥିଲେ ଆଦିବାସୀମାନେ।

ଏହି ଉଚ୍ଛେଦ ସମୟରେ ରେଢାଖୋଲ ଥାନା, ଚାରମାଳ ଥାନା, ନାକଟିଦେଉଳ ଥାନା ଏଵଂ କିସିଣ୍ଡା ଥାନାର ଥାନାଅଧିକାରୀ ସମେତ ସମ୍ବଲପୁରରୁ ପୋଲିସ୍ ଫୋର୍ସ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଞ୍ଚନପୁରରେ ବଜ୍ରାଘାତରେ ନାବାଳକ ସହ ୪ ଛେଳି ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କଞ୍ଚନପୁର ଗ୍ରାମରେ ଆଜି ଅପରାହ୍ନ ୩ଟା ବଜ୍ରାଘାତରେ ଜନୈକ ନାବାଳକ ସମେତ ୪ ଟି ଛେଳି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, କିସିଣ୍ଡା ଥାନା କଂଚନପୁର ଗ୍ରାମର ଲିଙ୍ଗରାଜ କିସାନଙ୍କ ପୁଅ କବିଲାସ କିସାନ (୧୪) ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଅପରାହ୍ନ ୩ ଟା ସମୟରେ ବଜ୍ରାଘାତରେ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ମୃତ୍ୟୁବରଣ କରିଥିବା ସୂଚନା ଦେଇଥିଲେ। ସେହି ପରିବାରର ୪ଟି ଛେଳି ମଧ୍ୟ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି। ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ ପ୍ରଶାସନ ସହଯୋଗ କରିବାକୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଡଇଁଚା ପ୍ୟାକ୍ସର ବ୍ୟାଙ୍କିଙ୍ଗ ସେବା ଓ କୃଷି ଋଣ କର୍ମଶାଳା

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଡଇଁଚା ପ୍ୟାକ୍ସରେ ବ୍ୟାଙ୍କିଙ୍ଗ ସେବା ଓ କୃଷି ଋଣ କର୍ମଶାଳା ସଭାପତି ପ୍ରହ୍ଲାଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ମୁଖ୍ୟଅତିଥି ଭାବରେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ୍ କୁମାର ପୂଜାରୀ ଯୋଗ ଦେଇ ସରକାରଙ୍କ ଜନ ହିତକାରୀ ଯୋଜନା ସଂପର୍କରେ ଆଲୋଚନା କରିବା ସହ ଆସିଥିବା ଚାଷୀ ମାନଙ୍କର ବିଭିନ୍ନ ଅଭିଯୋଗକୁ କିପରି ସମାଧାନ କରାଯାଇପାରିବ ସେ ଦିଗରେ ବିହୀତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏଆର୍ ସି ଏସ୍ ଗିରିଶ୍ ଚନ୍ଦ୍ର ପୁରୋହିତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମବାୟର ଆବଶ୍ୟକତା ଏବଂ ସମବାୟ ଦ୍ବାର ଲୋକ ମାନଙ୍କର କଣ କଣ ସବୁ ସୁବିଧା ହୋଇ ପାରୁଛି ସେ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ ଏଂ ସମବାୟ ବିଭାଗର ନିରୀକ୍ଷକ ଯୋଗଦେଇଥିଲେ। ୪ ଜଣ ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ୟାକ୍ସର ସଂପାଦକ ଆର୍ତ୍ତତ୍ରାଣ ରାଉଳ ପ୍ୟାକ୍ସର ବିବରଣୀ ପାଠ କରିଥିବା ବେଳେ ପ୍ୟାକ୍ସର କର୍ମଚାରୀମାନେ ସହଯୋଗ କରିଥିଲେ।

ଅକ୍ଷୟ କୁମାର ନାୟକ ସଭା ପରିଚାଳନା କରିଥିଲେ। ସମିତିର ସମସ୍ତ ସଭ୍ୟ/ସଭ୍ୟା ତଥା ଅଂଚଳର ଶତାଧିକ ଚାଷୀ ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଡୋଶୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

କନ୍ଦର୍ପ ବେହେରା
 ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ ପଞ୍ଚାୟତ ଅନ୍ତର୍ଗତ ଧଳତଇଲା ଗ୍ରାମର ଅରକ୍ଷିତ ମହାକୁଡ (୩୫) ଙ୍କୁ ଶୁକ୍ରବାର ଦିନ ସେହି ଗ୍ରାମର ବୀରେନ୍ ପ୍ରଧାନ ନାମକ ଯୁବକ ହତ୍ୟା କରି ଫେରାର୍ ହୋଇଯାଇଥିବା ବେଳେ କିସିଣ୍ଡା ପୋଲିସ୍ ରେଢ଼ାଖୋଲ ଥାନା କଦଳୀଗଡରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଯୋଗ୍ୟ ଯେ, ଅରକ୍ଷିତ ମହାକୁଡ ଗ୍ରାମର ଵୀରେନ୍ ପ୍ରଧାନ (୪୦) ଙ୍କ ସହ ସାମାନ୍ୟ କଳହରୁ ପରବର୍ତ୍ତୀ ସମୟରେ ଵୀରେନ ପ୍ରଧାନ୍ ଅରକ୍ଷିତ ମହାକୁଡଙ୍କ ଘରକୁ ଆସି ମାଡ ମାରିବା ସହ ଧକ୍କା ଦେଵା ଫଳରେ ଅରକ୍ଷିତ ତଳେ ପଡିଯାଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା କରା ଯାଇ ଥିଲା ମାତ୍ର ସୁସ୍ଥ ନହେଵାରୁ ତାଙ୍କୁ ଭିମସାର ବୁର୍ଲାକୁ ସ୍ଥାନାନ୍ତରିତ କରା ଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଵୋଲି ଘୋଷଣା କରିଥିଲେ। ଶଵ ବ୍ୟବଚ୍ଛେଦ କରାଯାଇଥିଲା ଓ ସମ୍ବଲପୁରର ସାଇନଟିଫିକ ଟିମ୍ ଆସି ମୃତ୍ୟୁ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ।

ଅଭିଯୁକ୍ତ ବୀରେନ୍ ପ୍ରଧାନ ଘଟଣା ଦିନ ଠାରୁ ଫେରାର ଥିଲା। ହେଲେ ପୋଲିସ ତଦନ୍ତ କରି ରେଢାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ବସଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ରାତିରେ ଗିରଫ କରି ଥିଲା। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି କିସିଣ୍ଡା ଥାନା ଅଧିକାରୀ ଲୋକନାଥ ସାହୁ ପ୍ରକାଶ କରିଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ମାତିଲେ ଗଞ୍ଜେଇ ଚାଷୀ: ୭୪୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

କନ୍ଦର୍ପ ବେହରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ରେ ଗଞ୍ଜେଇ ଚାଷ ହେଉନ ଥିବା ବନବିଭାଗ, ଅବକାରୀ, ପୋଲିସ୍‌ ବିଭାଗ କହୁଥିବା ବେଳେ  ପୁଣି ଗଞ୍ଜେଇ ଚାଷ ହୋଇଥିବା ଏବଂ ବହୁ ବିଳମ୍ବରେ ତାକୁ ଚଢାଉ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ଅବକାରୀ ବିଭାଗ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେବାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ନାକଟିଦେଉଳ ବ୍ଲକ୍ ଜାମୁଜୋରୀ ପଂଚାୟତର ରାଇଲ ସଂରକ୍ଷିତ ଜଙ୍ଗଲର ତଳନାଳି ଗ୍ରାମରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ୍ ବିଭାଗ ମିଳିତ ଚଢଉ କରି ୭୪୦ ଗଛ ଉପାଡିବା ସହ ତାକୁ ପୋଡିଦେଇଥିବା ଜଣାପଡିଛି। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ମାଜିଷ୍ଟେଟ୍ ଦାୟିତ୍ୱରେ ଥାଇ ଗଛ ସବୁକୁ ପୋଡି ଦେଇଥିଲା ପ୍ରଶାସନ। ଅମଳ ହେବା ପରେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି ଜଣାପଡିଛି। ଗଞ୍ଜେଇ ଚାଷ କିଏ କିଏ କରିଛନ୍ତି ତାହା ପ୍ରଶାସନ ଠାରେ କୌଣସି ସୂଚନା ନାହିଁ। ଗଞ୍ଜେଇ ଚାଷୀ ବହୁତ ଦିନ ଆଗରୁ ଗଞ୍ଜେଇ ଗଛ ରୋପଣ କରିଥିବା ବେଳେ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହା ବଡ ପ୍ରଶ୍ନ ବାଚୀ। ଏପରିକି ଏହି ଚାଷରେ ସଂପୃକ୍ତ ଥିବା କାହାରିକୁ ମଧ୍ୟ ପୋଲିସ୍ ଗିରଫ କରିବାରେ ସଫଳ ନ ହେବା ତାହା  ସନ୍ଦେହ ସୃଷ୍ଟି କରିଛି।

ଏହି ଚଢଉରେ ବନବିଭାଗ, ଅବକାରୀ, ପୋଲିସ୍ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ତଥା କର୍ମଚାରୀ ସାମିଲ୍ ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ: ସଠିକ ଉତ୍ତର ଦେଇଥିବା ଛାତ୍ରୀଙ୍କୁ ମିଳିଲା ପୁରସ୍କାର

କନ୍ଦର୍ପ ବେହେରା
ନାକଟିଦେଉଳ: ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ପ୍ରଶାସନ ତରଫରୁ ଅଚାନକ ପରିଦର୍ଶନ ଏବଂ ନାକଟିଦେଉଳ ତହସିଲ୍‌ଦାର୍ ଇଂ ସୁକାନ୍ତ କୁମାର ନାଏକ ଛାତ୍ରଛାତ୍ରୀମାନଙ୍କୁ ଜୁଡିସିଆଲ୍ ବିଷୟରେ ପ୍ରଶ୍ନ ପଚାରିବା ସହ ସଠିକ୍ ଉତ୍ତର ଦାତାଙ୍କୁ ପୁରସ୍କାର ପ୍ରଦାନ କରିଥିବା ଖବର ହସ୍ତଗତ ହୋଇଛି।

ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେବା ସହ ପ୍ରତି ବ୍ଲକ୍‌ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। ଏହି ବିଦ୍ୟାଳୟରେ ବଛା ବଛା ଛାତ୍ରଛାତ୍ରୀ ପାଠ ପଢିବାର ସୁଯୋଗ ପାଇଛନ୍ତି। ହେଲେ କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ପାଚେରି ନି ର୍ମାଣ ହୋଇନାହିଁ। ଏଭଳି ଏକ ବିଦ୍ୟାଲୟ ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳଠାରେ ସରକାର ଖୋଲିଛନ୍ତି। ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟଟି ଥିବାରୁ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ଏହି ବିଦ୍ୟାଳୟଟି ୨୦୨୦-୨୧ ଶିକ୍ଷା ବର୍ଷରେ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ,ଜଗନ୍ନାଥପ୍ରସାଦ ଠାରେ ଆରମ୍ଭ ହୋଇଥିଲା। ୨୦୨୧-୨୨ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟଟି ନିଜସ୍ୱ କୋଠାରେ ପାଠ ପଢା ଆରମ୍ଭ କରିଛି। ବର୍ତ୍ତମାନ ବିଦ୍ୟାଳୟରେ ମୋଟ ୨୩୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟକୁ ନାକଟିଦେଉଳ ବିଡିଓ ସୁକାନ୍ତ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପରିଦର୍ଶନ କରିଥିଲେ।

ତହସିଲ୍‌ଦାର୍ ସୁକାନ୍ତ କୁମାର ନାଏକ ଆଦର୍ଶ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ଦେବଜାନୀ ପ୍ରଧାନଙ୍କୁ ଜୁଡିସିଆଲ୍ ସଂପର୍କରେ ପ୍ରଶ୍ନ ପଚାରିବାରୁ ଛାତ୍ରୀ ଜଣଙ୍କ ସଠିକ୍ ଉତ୍ତର ଦେଇଥିବାରୁ ତହସିଲ୍‌ଦାର୍ ସୁକାନ୍ତ କୁମାର ନାଏକ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟରେ ହିନ୍ଦି, ସଂସ୍କୃତ, ବିଜ୍ଞାନ ଶିକ୍ଷକ ଅଭାବ, ଖେଳପଡିଆର ଅଭାବ, ବିଦ୍ୟାଳୟ ଦେଇ ଯାଇଥିବା ୩୩ କେଭି ଓ ୧୧ କେଭି ବିଦ୍ୟୁତ୍ ତାରକୁ ହଟାଇବା, ବିଦ୍ୟାଳୟର ସୀମା ଚିହ୍ନଟ, ଶିକ୍ଷକ ସମସ୍ୟା, ବିଶ୍ରାମାଗାର ସଂପର୍କରେ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେଇଥିବା ଜଣା ପଡିଛି। ଏପରିକି ପରୁଷ ଏବଂ ମହିଳା ଛାତ୍ରାବାସ ଖୋଲିବା ସଂପର୍କରେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଅବଗତ ଥିବା ବେଳେ ଶିଘ୍ର କେମିତି ଛାତ୍ରାବାସ ଖୋଲାଯିବ ସରକାରଙ୍କୁ ଜଣାଇବେ ବୋଲି ଜଣା ପଡିଛି।

ଏହି ପରିଦର୍ଶନରେ ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ କୁମାର ନାଏକ, ଏଡିଇଓ ମୁରଲୀଧର ବେହେରା, ବିଇଓ ବିଜୟ କୁମାର ପାତ୍ର, ବିଦ୍ୟୁତ୍ ବିଭାଗର ଏସ୍‌ଡିଓ, ସେକ୍ସନ୍ ଅଫିସର ସତ୍ୟଜିତ୍ ସାମଲ୍, ବନବିଭାଗର କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ପିଡବ୍ଲୁଡିର ବରିଷ୍ଠ ଅଧିକାରୀ ପ୍ରମୁଖ ପରିଦର୍ଶନ ରେ ସାମିଲ୍ ହୋଇଥିଲେ।

Categories
ଆଞ୍ଚଳିକ

ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ ଉଦ୍ଘାଟନ କରିଥିଲେ। ଏହି ମେଳାରେ ୬ଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପଢୁଥିବା ବଛା ବଛା ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ। ମେଳାରେ ମୋଟ ୬୧ ଟି ପ୍ରକଳ୍ପ ଆସିଥିଲା। ଅତିଥିମାନେ ପ୍ରୋଜେକଟ ଗୁଡିକ ବୁଲି ଦେଖିଥିଲେ। କାଦୋବାହାଳି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଝସକେତନ ଦାଶ, ଏବଂ ଗୋଗୁଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିହାରୀକା ସାହୁ ଜଜ୍ ଭାବରେ ଯୋଗଦେଇଥିଲେ। ବିଜ୍ଞାନ ମେଳା ପରେ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ କୁନି ବିଜ୍ଞାନୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏଥିରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜୌତିପ୍ରକାଶ ରଥ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଜ୍ଞାନ ସଂପର୍କରେ କୁନି ବୈଜ୍ଞାନିକ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଇଁଚା ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିତେନ୍ଦ୍ରିୟ ପ୍ରଧାନ, ଗଗନ ବିହାରୀ ଧଳ, ବିଶୁ ମହାରଣା ,ଶିକ୍ଷୟତ୍ରୀ ନିହାରୀକା ପ୍ରଧାନ ସମ୍ମାନୀତ ଅତିଥିଭାବରେ ଯୋଗ ଦେଇଥିଲେ।

ଶ୍ରେଷ୍ଠ ପ୍ରୋଜେକ୍ଟର ଛାତ୍ରଛାତ୍ରୀ ବରିଷ୍ଠ ବର୍ଗରେ ବିବେକ ପ୍ରଧାନ (୧୦ମ) ପ୍ରଥମ, ଭୋଳାନାଥ ପ୍ରଧାନ (୧୦ମ), ଦ୍ୱିତୀୟ , ଭୁପ୍ରିୟା ସାହୁ (୯ମ )ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗରେ ତନୁଜା ଧଳ (ଷଷ୍ଠ ଶ୍ରେଣୀ) ପ୍ରଥମ , ଲକ୍ଷ୍ମୀପ୍ରିୟା ସାହୁ (ଅଷ୍ଟମଶ୍ରେଣୀ)ଦ୍ୱିତୀୟ , ଟୁନି ପ୍ରଧାନ(ଅଷ୍ଟମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ହଳଧର ସାହୁ ସଭା ପରିଚାଳନା ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଧୁସୂଦନ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିକ୍‌ଅପ୍ ଭ୍ୟାନରୁ ୧୫୮ ବଣ୍ଡଲ କେନ୍ଦୁପତ୍ର ଜବତ, ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଅଂଚଳରୁ ଚୋରାରେ ଚାଲାଣ ହେଉଥିବା କେନ୍ଦୁପତ୍ର ନାକଟିଦେଉଳ ବନବିଭାଗ ଚନ୍ଦ୍ରପୁର ନିକଟରୁ ଜବତ କରିବାରେ ସଫଳ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରେଞ୍ଜ ଡଇଁଚା ପଂଚାୟତର ତଣ୍ଡାବିରା ଗ୍ରାମରୁ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ଖବର ପାଇଥିଲା। ରେଢାଖୋଲ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା, ଫରେଷ୍ଟର ଅନୀଲ କୁମାର କିସାନ୍ ଏବଂ ବନବିଭାଗର ଏକ ଟିମ୍ ଚାଲାଣ ହେଉଥିବା ପିକ୍‌ଅପ୍ ଭ୍ୟାନ୍ (ଡବ୍ଲୁବି ୩୧ ଏ-୪୯୬୮)କୁ ଧରିବା ପାଇଁ ଚନ୍ଦ୍ରପୁର ଠାରୁ ପିଛା କରି ଧରିବାରେ ସଫଳ ହୋଇଥିଲେ।

ପିକ୍ ଅପ୍ ଭ୍ୟାନରୁ ୧୫୮ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ୱେଷ୍ଟବେଙ୍ଗଲ ପୁର୍ବମେଦିନୀପୁର ଜିଲ୍ଲାର ଉତରଜିନ୍ଦା ଗ୍ରାମର ସୁଦିପ୍ତା ବାଗ୍ କୁ ଗିରଫ କରିବାରେ ସଫଳ ହୋଇଥିଲେ। ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

Categories
ଆଞ୍ଚଳିକ

ପର୍ଯ୍ୟଟନ ଓ ଆତିଥେୟତା ବିଭାଗର ଛାତ୍ରଛାତ୍ରୀମାନଙ୍କର ହୋଟେଲ୍ ଶିଳ୍ପ ପରିଦର୍ଶନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ର ପର୍ଯ୍ୟଟନ ଓ ଆତିଥେୟତା ବିଭାଗର ଛାତ୍ର ଛାତ୍ରୀ ମାନେ ହୋଟେଲ୍ ଶିଳ୍ପ ପରିଦର୍ଶନ କରି ଖାଦ୍ୟ ପାନୀୟ ପରିବେଷଣ ବିଭାଗରେ ଜ୍ଞାନ ଆହରଣ କରିଥିଲେ। ଛାତ୍ର ଛାତ୍ରୀମାନେ ଷ୍ଟାର୍ ମୁନ୍ ହୋଟେଲ୍ ଭ୍ରମଣ କରି ଜ୍ଞାନ ଆହରଣ କରିଥିଲେ। ଏଥିରେ ହୋଟେଲର ମାଲିକ ସର୍ବେଶ୍ୱର ରାଉଳ ଛାତ୍ରଛାତ୍ରୀମାନଙ୍କୁ ହୋଟେଲରେ ଖାଦ୍ୟ ପାନୀୟ ପରିବେଷଣ ବିଷୟରେ ଅବଗତ କରାଇଥିଲେ।

ଧନ୍ଦାମୂଳକ ଶିକ୍ଷାର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ପ୍ରଶିକ୍ଷକ ସୀମାଂଚଳ ଦାଶ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସେହି ସ୍ଥାନ ପରିଦର୍ଶନ ପୂର୍ବକ ବିଷୟ ଭିତିକ ତାଲିମ ପାଇଥିଲେ। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ହୀରାଲାଲ୍ ଧଳ , କ୍ରିଡା ଶିକ୍ଷକ ସତ୍ୟବ୍ରତ ସାହୁ ସମସ୍ତ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ନିଟ୍ ପରୀକ୍ଷାରେ ଗାଁ ପୁଅ ଓ ଝିଅର ବିରଳ କୃତିତ୍ୱ

କନ୍ଦର୍ପ ବେହେରା

ରେଢାଖୋଲ: ସର୍ବଭାରତୀୟ ନିଟ୍ ପରୀକ୍ଷାରେ ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମର ଜଣେ ଛାତ୍ର ଓ ଜଣେ ଛାତ୍ରୀ କୃତୀତ୍ୱ ହାସଲ କରି ରେଢାଖୋଲ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ନାକଟିଦେଉଳ ବ୍ଲକ୍‌ର ମହୁକୁଦ ଗ୍ରାମର ବିଶିଷ୍ଟ ଶିଶୁ ସାହିତ୍ୟିକ ନୃସିଂହ ଚରଣ ବିଶ୍ୱାଳଙ୍କ କନିଷ୍ଠ ପୁତ୍ର ସର୍ବଜିତ୍ ବିଶ୍ୱାଳ ୬୪୦ ନଂ ରଖି ଜାତୀୟ ସ୍ତରରେ ୬୭୮୬ ର‌୍ୟାଙ୍କ ହାସଲ କରିଛନ୍ତି। ଠିକ୍ ସେଇ ଗ୍ରାମର ପ୍ରହଲ୍ଲାଦ ରାଉଳଙ୍କ ଝିଅ ଶୃତି ରାଉଳ ୫୯୬ ନମ୍ବର ରଖି ଜାତୀୟ ସ୍ତରରେ ୨୨୭୦୨ ର‌୍ୟାଙ୍କ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଏହି ଛାତ୍ର ଛାତ୍ରୀଙ୍କ କୃତିତ୍ୱ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ଏପରିକି ଗ୍ରାମାଂଚଳର ଗୋଟିଏ ଗ୍ରାମର ଛାତ୍ର ଛାତ୍ରୀ ଏହି ଡାକ୍ତରୀ ପାଠ ପଢିବା ପାଇଁ  ସୁଯୋଗ ମିଳିଥିବାରୁ ଗ୍ରାମାଂଚଳର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗଇବ  ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଥାଉ କି ନୃସିଂହ ଚରଣ ବିଶ୍ୱାଳ ଙ୍କ ଜ୍ୟେଷ୍ଠ ପୁତ୍ର ସିଏଟି ପରୀକ୍ଷାରେ କୃତୀତ୍ୱ ହାସଲ କରିବା ସହ ସେ ଏବେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଂଟ୍, ରାଂଚି ଠାରେ ଅଧ୍ୟୟନ କରୁଛନ୍ତି।

Categories
ଆଞ୍ଚଳିକ

ପଣ୍ଡୁଆରେ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ୩ ଦିନ ହେଲା ନାକଟିଦେଉଳ ବ୍ଲକ୍ ପଣ୍ଡୁଆଖୋଳ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ଗ୍ରାମର ବିଜୟ ପ୍ରଧାନ, ହ୍ରୁଷିକେଶ ପ୍ରଧାନ, ଚକ୍ରଧର ପ୍ରଧାନ, ରମାକାନ୍ତ ପ୍ରଧାନଙ୍କ ଚାଷ ଜମିରେ ହାତୀପଲ ପଶି ଧାନ ଫସଲ ମାଡ଼ି ଦଳି ଚକଟି ଦେଇଛନ୍ତି। ଧାନ ଫସଲ ଏ ପର୍ଯ୍ୟନ୍ତ ପାଚି ନ ଥିବା ବେଳେ ଏବେ ଠୁ ହାତୀମାନଙ୍କର ଦୌରାତ୍ମ ଯୋଗୁଁ ଗ୍ରାମର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ବନ ବିଭାଗ ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ପଞ୍ଚାୟତସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ର ୫ଟି ପଂଚାୟତରେ ପଞ୍ଚାୟତସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହାଡ, କାନ ତଥା ବିଭିନ୍ନ ବିଭାଗର ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରାଯାଇଥିଲା। ସେମାନଙ୍କୁ ପରବର୍ତ୍ତି ସମୟରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ।

ଏହି ଶିବିରରେ ଡାକ୍ତର ସନ୍ତାେଷ କୁମାର ମିଶ୍ର, ଡାକ୍ତର ଡାକ୍ତର ସଚ୍ଚିତାନନ୍ଦ ଖାଲିଆ, ଡାକ୍ତର ସୁଲତା ପତି, ଡାକ୍ତର ଭବାନି ମୁଦୁଲି, ଡାକ୍ତର ସୌରଭ ସ୍ବାଇଁ ପ୍ରମୁଖ ଭିନ୍ନକ୍ଷମ ମାନକଙ୍କୁ ପରୀକ୍ଷା କରିଥିଲେ।

ନାକଟିଦେଉଳ ବ୍ଲକ୍ ର ପାଣିମୋରା, କିସିଣ୍ଡା, ବଳମ୍, ନାକଟିଦେଉଳ, ସରାପାଲି ଆଦି ଗ୍ରାମପଂଚାୟତରେ ୨୭୭ ଡଣ ଭିନ୍ନକ୍ଷମକୁ ପରୀକ୍ଷା କରାଯାଇଥିଲା। ବ୍ଲକ୍ ପ୍ରଶାସନ ତରଫରୁ ପଦାଧିକାରୀମାନେ ଯୋଗଦେଇ ଏହି ଶିବିରରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳଙ୍କ ଜନ ଶୁଣାଣୀ: ବ୍ୟକ୍ତିଗତ ୧୨୮ ଟି ଅଭିଯୋଗ ଦାଖଲ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ନାକଟିଦେଉଳ ବ୍ଲକ୍ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅଭିଯୋଗ ଶୁଣାଣୀ ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣୀରେ ୧୪ ଟି ପଂଚାୟତରୁ ଆସିଥିବା ବ୍ୟକ୍ତିମାନଙ୍କର ୧୨୮ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୭ ଟି ଗ୍ରୁପ୍ ଭାବରେ ଅଭିଯୋଗ ଆସିଥିଲା। ତେବେ ଏସବୁର ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ବିଶେଷ କରି ରାସ୍ତା, ପାନୀୟ ଜଳ ,ଆବାସ ଯୋଜନା ଓ ମୋବାଇଲ ଟାୱାର ଆଦି ସଂପର୍କରେ ଅଭିଯୋଗ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଡିଏସ୍ଏସ୍ଓ ସନ୍ତୋଷ କୁମାର ନାଏକ, ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଆର୍ ଟିଓ, ସିଡିଏମ୍ଓ, ତହସିଲଦାର ନାକଟିଦେଉଳ ସୁକାନ୍ତ ନାଏକ, ବିଡିଓ ବିବେକା ନନ୍ଦ ସାହୁ,ଏବିଡ଼ିଓ ବିଦ୍ୟାଧର ରାଉତରାୟ, ନାକଟିଦେଉଳ ପଂଚାୟତ ସମିତି ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲପାଳଙ୍କ ଦ୍ୱାରା ଜଣଙ୍କୁ ହୁଇଲ ଚେୟାର, ୨ଜଣଙ୍କୁ ଟ୍ରାଇ ସାଇକେଲ, ୧୬ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨ ଜଣ, ଦିବ୍ୟାଙ୍ଗ ପ୍ରମାଣପତ୍ର ୨ ଜଣଙ୍କୁ ପ୍ରଦାନ କରିଯାଇଥିଲା।

ଏହି ଅବସରରେ ଜିଲାପାଳ ଡଇଁଚା ହାଇସ୍କୁଲ ତଥା ବ୍ଲକ୍ ର କେତୋଟି ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବା ସହ ମେଗା ପ୍ରଜେକ୍ଟ ସଂପର୍କରେ ସଂପ୍ରୁକ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କ ନାକଟିଦେଉଳ ବ୍ଲକ୍ ଗସ୍ତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଆଜି ନାକଟିଦେଉଳ ବ୍ଲକ୍ ର ବିଭିନ୍ନ ପଂତାୟତ ପରିଦର୍ଶନ କରିଛନ୍ତି। ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ନାକଟିଦେଉଳ ବ୍ଲକ୍ ର କିସିଣ୍ଡା, ପାଣିମୋରା, ଗିରିଶ୍ଚନ୍ଦ୍ରପୁର, ବଳମ୍, ସରାପାଲି, ନାକଟିଦେଉଳ, ସାହେବୀ, ବାଟଗାଁ, ସାଲେଭଟା, ଜାମୁଜୋରୀ, ଡଇଁଚା, ଶିମିଳିପାଳ, ଘୋଷରାମାଳ, ଗୋଗୁଆ ଆଦି ଗ୍ରାମ ପଂଚାୟତକୁ ଯାଇ ଜନସାଧାରଣଙ୍କୁ ସାକ୍ଷାତ୍ କରିଥିଲେ ଏବଂ ମନ୍ତ୍ରୀ ହେବା ପରେ ନାକଟିଦେଉଳକୁ ପ୍ରଥମ ଗସ୍ତ ହୋଇଥିବାରୁ ଜନସାଧାରଣ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ନାକଟିଦେଉଳ ମହାବିଦ୍ୟାଳୟରେ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ମନ୍ତ୍ରୀଙ୍କ ବ୍ଲକ୍ ପ୍ରତିନିଧି ନିଳାମ୍ବର ସାହୁ, ବିଜେଡ଼ି ବ୍ଲକ୍ ସଭାପତି ମୂଳିଆ ରାଉଳ, ଅନାଦି ସାହୁ, ମନ୍ଦାକିନୀ ରାଉଳ, ଦୁଇ ଜିଲ୍ଲାପରିଷଦ ସଭ୍ୟା, ବ୍ଲକ୍ ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁ ତଥା ବିଜେଡ଼ିର କର୍ମୀମାନେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାଳବୈଶାଖୀରେ ଖୋଲଗଡରେ ବ୍ୟାପକ କ୍ଷୟକ୍ଷତି

କନ୍ଦର୍ପ ବେହେରା
ରେଢାଖୋଲ: ଦୁଇ ଦିନ ହେଲା କାଳ ବୈଶାଖିରେ ନାକଟିଦେଉଳ ବ୍ଲକ୍ ର ଗୋଗୁଆ ପଂଚାୟତର ଗାଁ ମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ହସ୍ତଗତ ହୋଇଛି।
ଖବରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତର ଖୋଲଗଡ, ମଙ୍ଗଳପୁର ଗ୍ରାମରେ କାଳବୈଶାଖି ଯୋଗୁଁ ବହୁ ଜଣଙ୍କର ଆଜବେଷ୍ଟସ୍ ଛାତ ଉଡିଯାଇ ବ୍ୟାପକ ନଷ୍ଟ ହୋଇଛି।

ଖୋଲଗଡ ଗ୍ରାମର ଅନିରୁଦ୍ଧ ବେହେରା, ସାରଥି ମହାପାତ୍ର, ଶମ୍ବୁ ରାଉତ, ଗିରୀଧାରୀ ବେହେରା, ନୀଳାଦ୍ରୀ ସେଠି, ନରହରି ସେଠୀ ଆଦି ବ୍ୟକ୍ତିଙ୍କର ଆଜବେଷ୍ଟସ୍ ଉଡି ଯାଇଥିବା ଜଣା ପଡିଛି। ଏପରିକି ବିଦ୍ୟୁତ୍ ଖୁମ୍ବ ମଧ୍ୟ କାଳ ବୈଶାଖିରେ ଧରାସାୟୀ ହୋଇ ପଡିଥିବାରୁ ବିଦ୍ୟୁତ୍ ସରୋବରାହରେ ବାଧା ପ୍ରାପ୍ତ ହୋଇଛି।

ଶିବ ମନ୍ଦିର ନିକଟରେ ମଧ୍ୟ ଆମ୍ବ, କଦଳୀ ଆଦି କାଳ ବୈଶାଖିରେ ଭାଙ୍ଗି ଯାଇଛି। ଗୋଗୁଆ ସରପଂଚ ଧନେଶ୍ୱର ସାହୁ ଖୋଲଗଡ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଭେଟିବା ସହ ନାକଟିଦେଉଳ ବିଡିଓ ଏବଂ ନାକଟିଦେଉଳ ତହସିଲ୍‌ଦାରଙ୍କୁ ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ବ୍ୟକ୍ତି ମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଦାବି କରିଛନ୍ତି।

Categories
ଆଞ୍ଚଳିକ

ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱବରେ ଅନୁଷ୍ଠିତ ସଭାରେ ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ଡଇଁଚା ସରପଂଚ ସୌଦାମିନୀ ପ୍ରଧାନ, ଡଇଁଚା ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ, ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ଡଇଁଚା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ ନାକଟିଦେଉଳ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଅମୂଲ୍ୟରତ୍ନ ମହନ୍ତ ଯୋଗ ଦେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ତଥା ବିଜ୍ଞାନ ମେଳା ଦ୍ୱାରା ପିଲାମାନେ କଣ ସବୁ ଜ୍ଞାନ ଅର୍ଜନ କରିପାରିବେ ସେ ସଂପର୍କରେ ମତବ୍ୟକ୍ତ କରିଥିଲେ।

ନାକଟିଦେଉଳ ବ୍ଲକ୍ ର କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ୧୨୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସିନିୟର ବିଭାଗରେ ୨୦ ଟି ,ଜୁନିୟର ବିଭାଗରେ ୫୨ ଟି ଏବଂ ସବ୍ ଜୁନିୟର ବିଭାଗରେ ୫୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବିଜ୍ଞାନ ମେଳାରେ କୃତି କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଶ୍ରେଷ୍ଠପ୍ରୋଜେକ୍ଟକୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା। ସହକାରୀ ଶିକ୍ଷକ ଘନଶ୍ୟାମ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକ୍‌ର କ୍ଷତିଗ୍ରସ୍ତ ଜମାକାରୀଙ୍କ ତହସିଲ୍ ଅଫିସ୍ ଘେରାଉ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ବହୁ ଜମାକାରୀ ରାଜ୍ୟସରକାରଙ୍କ ଦ୍ୱାରା ପଞିକୃତ ହୋଇ ବିଭିନ୍ନ ସମୟରେ ଟଙ୍କା ଜମା କରି ଥିଲେ। ସରକାର ଜମାକାରୀ ସଂସ୍ଥାକୁ ନିଷିଦ୍ଧ କରିଦେବା ଫଳରେ ଜମାକାରୀ ମାନେ ଲକ୍ଷ ଲକ୍ଷ ଟଙ୍କାପାଇ ନ ଥିବାରୁ ସରକାର ଜମାକାରୀ ଚିହ୍ନଟ ଓ ତୁରନ୍ତ ଟଙ୍କା ଫେରସ୍ତ ଦାବୀରେ ତହସିଲ୍ ଅଫିସ୍ ଘେରାଉ ସହ ନାକଟିଦେଉଳ ତହସିଲ୍ ଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣା ପଡିଛି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ବହୁ ଜମାକାରୀ ଅଧିକ ଟଙ୍କା ଲାଳସାରେ ରାଜ୍ୟସରକାରଙ୍କ ପଞିକୃତ ସଂସ୍ଥା ମାଧ୍ୟମରେ ଟଙ୍କା ଜମା କରିଥିଲେ । ରାଜ୍ୟସରକାର ଏହି ସବୁ ସଂସ୍ଥାକୁ ବେଆଇନ୍ ଘୋଷଣା କରି ଫାଇନାନ୍ସ କଂପାନୀକୁ ସିଲ୍ କରିବା ସହ କଂପୂଟର ହାର୍ଡ ଡିସ୍କ ନେଇ ପ୍ରମାଣ ନଷ୍ଟ କରିଦେଇଥିଲେ। ଯା ଫଳରେ ଜମାକାରୀ ମାନେ ଟଙ୍କା ନ ପାଇ ଘୋର ଅସୁବିଧାର ସମ୍ମୁଖିନ ହୋଇଥିଲେ। ଜମାକାରୀ ମାନେ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରି ନ ଥିଲେ। ଏହାକୁ ନେଇ ନାକଟିଦେଉଳ ବ୍ଲକ୍ ର ଜମାକାରୀମାନେ ନାକଟିଦେଉଳ ତହସିଲ୍‌ଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ଦାବୀ ପତ୍ରରେ ଜମାକାରୀମାନେ ୪ ଦଫା ସମ୍ବଳିତ ଦାବୀକୁ ଉପସ୍ଥାପନ କରିଛନ୍ତି। କମିଶନଙ୍କ ଦ୍ୱରା ସୁପାରିଶ୍ ହୋଇଥିବା ଜମାକାରୀଙ୍କୁ କର୍ପସ୍ ଫଣ୍ଡରୁ ଟଙ୍କା ଫେରସ୍ତ କରିବା , ଜମାକାରୀଙ୍କ ନାମକୁ ଚିହ୍ନଟ କରିବା, ଜମାକାରୀକୁ ଠକିଥିବା କଂପାନୀର ସ୍ଥାବର ଓ ଅସ୍ଥାବର ସଂପତି ଜବତ କରିବା, ଅସାଧୁ ସାହାରା କଂପାନୀର ମାଲିକଙ୍କ ନାମରେ ମକଦ୍ଦମା ଦେବା ଆଦି ଦାବୀ ପତ୍ରରେ ଉଲ୍ଲେଖ ରହିଛି। ଜମାକାରୀ ସୁଦର୍ଶନ ସାହୁ, ଦୀନବନ୍ଧୁ ସ୍ୱାଇଁ, ପଳଉ ବେହେରା, ଶରତ କୁମାର ବେହେରା, ଇନ୍ଦ୍ରମଣୀ ସାହୁ, ଅଚ୍ୟୁତାନନ୍ଦ ସାହୁ ଆଦି ବହୁ ଜମାକାରୀଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ ନାଏକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ବାଟଗାଁରେ ପ୍ରଶାସନର ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନତା ସଭା

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ନାକଟିଦେଉଳ ବ୍ଲକ୍‌ର ଆଭ୍ୟନ୍ତରୀଣ ଅଂଚଳ ଗଞ୍ଜେଇ ଚାଷ ପାଇଁ ବେଶ୍ ପରିଚିତ ଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏ ଅଂଚଳରେ ଗଞ୍ଜେଇ ଚାଷ ହେବାର ପ୍ରଶାସନ ଠାରେ ଖବର ପହଂଚିଥିଲା। କିଛି ଦିନ ତଳେ ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଥିବା ପାହାଡ ଅଂଚଳରେ ଥିବା ସରକାରୀ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ପ୍ରଶାସନ ଠାରେ ଖବର ପହଂଚିବା ପରେ ଚଢଉ କରି ନଷ୍ଟ କରାଯାଇଥିଲା।

ଏ ଅଂଚଳର ଲୋକମାନେ ବେଆଇନ୍ ଗଂଜେଇ ଚାଷରୁ ନିବୃତ କିପରି ରହିବେ ସେଥିପାଇଁ ବାଟଗାଁ ଠାରେ ପ୍ରଶାସନ ପକ୍ଷରୁ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଚେତନତା ସଭାରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ୱରେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା, ସମ୍ବଲପୁର ଅବକାରୀ ମୋବାଇଲ ଇନସ୍ ପେକଟର ଅନ୍ନପୂର୍ଣ୍ଣା ରଥ, ରେଢାଖୋଲ ଅବକାରୀ ନିରୀକ୍ଷକ ବିଷ୍ଣୁଚରଣ ମଲ୍ଲିକ, ନାକଟିଦେଉଳ ଥାନା ଅଧିକାରୀ ବିଭୁତିଭୂଷଣ ଦଳେଇ, ବିଡିଓ ବିବେକାନନ୍ଦ ସାହୁ ଏବଂ ରେଞ୍ଜ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ଗଞ୍ଜେଇ ଚାଷ ନ କରିବାକୁ ବୁଝାଇଥିଲେ।

ଗଞ୍ଜେଇ ଚାଷରୁ ଲୋକମାନେ କିପରି ନିବୃତ ରହିବେ ସେଥିପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଂପୃକ୍ତ ବିଭାଗର କର୍ମଚାରୀ, ବାଟଗାଁ ପଂଚାୟତର ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିତସରାରେ ପୁଣି ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଗଞ୍ଜେଇ ଚାଷ ପାଇଁ ଅତୀତରେ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ପୋଲିସ୍ ର ମାତ୍ରାଧିକ ଚଢଉ ଫଳରେ ଦୀର୍ଘ ବର୍ଷ ହେଲା ଗଞ୍ଜେଇ ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପୁଣି ଏ ଅଂଚଳରେ ଗଞ୍ଜେଇ ଚାଷ କରିଥିବା ନେଇ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି।

ଆଜି ପୁଣି ହିତସରା ଗ୍ରାମରେ ପ୍ରଶାସନର ମିଳିତ ଚଢଉରେ ହିତସରା ସନ୍ନିକଟ ଜଙ୍ଗଲରୁ ୫ ଟି ପ୍ଲଟ୍ ରୁ ୩୩୫୦ ଗଞ୍ଜେଇ ଗଛକୁ ପ୍ରଶାସନ ସଂପୂର୍ଣ୍ଣ ପୋଡି ନଷ୍ଟ କରି ଦେଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର ହିତସରା ଗ୍ରାମରେ ଆଜି ପ୍ରଶାସନର ମିଳିତ ଚଢଉ ହୋଇଥିଲା।

ଏହି ଚଢଉରେ ରେଢାଖୋଲ ଏସ୍‌ଡିପିଓ, ନାକଟିଦେଉଳ ଥାନାଧିକାରୀ, ବନବିଭାଗ, ଏକ୍ସସାଇଜ୍ ବିଭାଗ ଆଦି ଚଢଉରେ ସାମିଲ୍ ହୋଇଥିଲେ। ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ ନାଏକ ମାଜିଷ୍ଟେଟ୍ ଦାୟିତ୍ୱରେ ଥିଲେ।

ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ହିତସରା ଗ୍ରାମ ନିକଟସ୍ଥ ବଡମୁଣ୍ଡା କଟା ସଂଲଗ୍ନ ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷକୁ ପ୍ରଶାସନ ନଷ୍ଟ କରିଦେଇଥିଲା। ହିତସରା ଗ୍ରାମରେ ୧୧ ଡେସିମିଲ୍ ସରକାରୀ ପ୍ଲଟ୍ ରୁ ୧୪୫୦ ଗଛକୁ ନଷ୍ଟ କରିଦେଇଥିଲା ପ୍ରଶାସନ। ଗ୍ରାମବାସୀ ଏ ନେଇ ପୋଲିସ୍ ଠାରେ ମଧ୍ୟ ଅଭିଯୋଗ କରିଥିବା ଜଣା ପଡିଛି। ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ସେଇ ଗୋଟିଏ ନିର୍ଦ୍ଧିଷ୍ଟ ଅଂଚଳରେ ଗଞ୍ଜେଇ ଚାଷ କରାଯାଉଥିବାରୁ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଲ୍ ପ୍ରଦାନରେ ଜେଇଙ୍କର ମନମୁଖି କାର୍ଯ୍ୟ: ଅଙ୍ଗନଓାଡି କେନ୍ଦ୍ରରେ ପଡିଛି ତାଲା, ଠିକାଦାର ଚାବି ଦେବାକୁ ଅମଙ୍ଗ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡି କେନ୍ଦ୍ରର କୋଠା କେବେଠୁ ସଂପୂର୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ଅଙ୍ଗନଓାଡି କର୍ମୀକୁ ହସ୍ତାନ୍ତର କରୁ ନ ଥିବା ଜଣା ପଡିଛି।

ଅନୁସନ୍ଧାନରୁ ଜଣା ପଡିଛି ଯେ, ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡିର କୋଠା କାମ ତଥା ଅନ୍ୟାନ୍ୟ କାମ କେବେଠୁ ସରିଲାଣି। ଏହି କୋଠା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସରକାର ୮ ଲକ୍ଷ ୨୦ ହଜାର ଟଙ୍କା ମଞୁର କରିଥିଲେ। ଏହି କାମ ଜେଇଙ୍କ ନାମରେ ଥିଲେ ମଧ୍ୟ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଗ୍ରାମର ସୁବଳ ସାହୁଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। ପ୍ରଥମରୁ ନାକଟିଦେଉଳ ବ୍ଲକ୍ ର ଜେଇ ଅଜିତ୍ ବେହେରା ଏହି କାର୍ଯ୍ୟ ତଦାରଖ କରିବା ସହ କାମ ମଧ୍ୟ ତଦାରଖ କରି ବିଲ୍ ପ୍ରଦାନ କରୁଥିଲେ। ମୋଟ୍ ୫ ଲକ୍ଷ ଟଙ୍କାର ବିଲ୍ ଜେଇ ଅଜିତ୍ ବେହେରା କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁଙ୍କୁ ପ୍ରଦାନ କରିସାରିଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ସେ ବାକି ୩ ଲକ୍ଷ ୨୦ ହଜାର ଟଙ୍କା ବିଲ୍ କରି ନ ଥିଲେ। ଯା’ ଫଳରେ ଶ୍ରମିକ ମାନେ ମଧ୍ୟ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି।

ଶିମିଳିପାଳ ପଂଚାୟତ ଅଧୀନରେ ଜେଇ ଭାବରେ ସୁରଭି ପ୍ରଧାନ ଯୋଗ ଦେଇଥିଲେ ମଧ୍ୟ ବହୁ ଦିନ ପର୍ଯ୍ୟନ୍ତ ଜେଇ ଅଜିତ୍ ବେହେରା ଫାଇଲ୍ ରଖି ଏହି ବିଲ୍ କରୁ ନ ଥିବା ଅଭିଯୋଗ ହୋଇଛି। ଜେଇ ଅଜିତ୍ ବେହେରାଙ୍କ ମନମୁଖି କାର୍ଯ୍ୟ ତଥା ଅସହଯୋଗ ଯୋଗୁଁ ଆଜି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି।

କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁ ଟଙ୍କା ନ ଦେଲେ ମୁଁ ଚାବି ଦେବି ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି। ଏନ୍‌ଆର୍‌ଇଜିଏସ୍ ରେ ଆସିଥିବା ୨ଲକ୍ଷ ଟଙ୍କା ରୁ ଶ୍ରମିକ ଭାବରେ କାମ କରିଥିବା ନନ୍ଦି ପ୍ରଧାନ, ସୈାଦାମିନୀ ପ୍ରଧାନ, ନଳିନୀ ପ୍ରଧାନ, ଦିନବନ୍ଧୁ ପ୍ରଧାନ, ଜ୍ୟୈାତିମଞରୀ ପ୍ରଧାନ, ମହେନ୍ଦ୍ର ସାହୁ, ଚଂଚଳା ସାହୁ, ନିଶାମଣୀ ବେହେରା ପ୍ରମୁଖ ଦିର୍ଘମାସ ହେଲା ମଜୁରି ପାଇ ନ ଥିବା ଅଭିଯୋଗ ହୋଇଛି। ଅଙ୍ଗନଓାଡିରେ ଚାଉଳ ତଥା ପିଲାଙ୍କ ପାଇଁ ଆସୁଥିବା ବିଭିନ୍ନପ୍ରକାର ଉପକରଣ ରହିବା କଥା ହେଲେ ବାଧ୍ୟ ହୋଇ ଅଙ୍ଗନଓାଡିକର୍ମୀ ଘରେ ରଖୁଛନ୍ତି। ଗ୍ରାମରେ ମଧ୍ୟ ଏ ସଂପର୍କରେ ସଭା ହୋଇଥିଲା। ହେଲେ କାମ ତଦାରଖ କରୁଥିବା ସୁବଳ ସାହୁଙ୍କୁ ବ୍ଲକ୍ ରୁ ଟଙ୍କା ନ ଦେଲେ ସେ ତାଲା ଖୋଲିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି।

ନିକଟରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ଖୁବ୍ ଶିଘ୍ର ବିଲ୍ କରାଯିବ ବୋଲି ପ୍ରକାଶ କରିଥିଲେ। ଜେଇ ସୁରଭୀ ପ୍ରଧାନଙ୍କୁ ଫୋନ୍ ରେ ଯୋଗାଯୋଗା କରିବାରୁ ତାହା ସମ୍ଭବ ହୋଇପାରି ନଥିଲା। ନିକଟରେ ଜେଇ ଅଜିତ୍ ବେହେରାଙ୍କୁ ଫୋନ୍ ରେ ଯୋଗାଯୋଗ କରିବାରୁ ସେ କାମ ମୋର ନୁହଁ ଜେଇ ସୁରଭି ପ୍ରଧାନଙ୍କର ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଥିଲେ।

ଏଠାରେ ପ୍ରଶ୍ନ ଉଠେ ଯେ, ଜେଇ ଅଜିତ୍ ବେହେରା ଯଦି ଏହି କାମ ତାଙ୍କ ପରିସର ନୁହଁ ଆରମ୍ଭରୁ ଏହି କାମ କରି ଶେଷ ମୂହୁର୍ତ୍ତରେ ସେଇ ଫାଇଲକୁ ବ୍ଲକ୍ ରେ ଫେରାଇ ଦେବାର ରହସ୍ୟ କଣ ତାହା ଆଦୈା ବୁଝା ପଡୁନାହିଁ। ଜେଇ ଅଜିତ୍ ବେହେରାଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି ବୋଲି ଶିହିଳିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କର ପାଉଣା ଶିଘ୍ର ପ୍ରଦାନ କରା ନ ଗଲେ ଶ୍ରମିକମାନେ ଶ୍ରମ କମିଶନରକୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ରାସ୍ତା ନିର୍ମାଣ ଠିକ୍ ସ୍ଥାନରେ ହୋଇ ନ ଥିବା ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର କ୍ଷେତ୍ରପୁର ଗ୍ରାମରେ ଠିକ୍ ସ୍ଥାନରେ ରାସ୍ତା ନର୍ମାଣ ହୋଇ ନ ଥିବାରୁ ଗ୍ରାମବାସୀ ଆଜି ନାକଟିଦେଉଳ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ଅନୁଯାୟୀ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର କ୍ଷେତ୍ରପୁର ଗ୍ରାମରେ ୧,୯୦,୦୦୦ ଟଙ୍କା ବିନମୟରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ, କ୍ଷେତ୍ରପୁର ଗ୍ରାମର ଗୁଡିଘର ପାଖରେ ଏହି ରାସ୍ତା ନିର୍ମାଣ ନ ହୋଇ ଅଙ୍ଗନଓାଡି କେନ୍ଦ୍ର ପାଖରେ ହୋଇଛି। ଗୁଡିଘର ପଡାରେ ରାସ୍ତା ହେବା ସଂପର୍କରେ ସୂଚନା ଫଳକରେ ସୂଚନା ଲେଖାଯାଇଥିବା ବେଳେ ଅନ୍ୟଏକ ପଡାରେ କେମିତି ରାସ୍ତା ହେଲା ସେ ସଂପର୍କରେ ଗ୍ରାମବାସୀ ଆଜି ନାକଟିଦେଉଳ ବିଡଓଙ୍କ ଠାରେ ଅଭିଯୋଗ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମର ପ୍ରଦୀପ ଖାଖା, ମନୋନିକା କିସ୍ପଟା, ଗରଟି ବାର୍ଲା, ସଲମି ବାରଲା, ସିପରିଆନ୍ ଲାକଡା ପ୍ରମୁଖ ବହୁ ଗ୍ରାମବାସୀ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ରରେ ରହିଛି।