ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ସାହେବୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଓ ଜୀବନ କୌଶଳ ବିକାଶ ଉପରେ ଏକ ସ୍ୱତନ୍ତ୍ର ଶିକ୍ଷାମୂଳକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଶିକ୍ଷକ, ଅଭିଭାବକ ଓ ହାଇସ୍କୁଲ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ବିଦ୍ୟାଳୟର ସମ୍ପାଦକ ବେଣୁଧର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଧାନଶିକ୍ଷକ କର୍ଣ୍ଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ସାଗରିକା ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ପାୟଲ ଅଗ୍ରୱାଲ ଓ ପ୍ରିୟମ୍ବଦା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ମୁଖ୍ୟ ଅତିଥି ତଥା ବକ୍ତା ଡଃ ପ୍ରଶାନ୍ତ କୁମାର ଦାଶ, ବରିଷ୍ଠ ଅଧ୍ୟାପକ, ଶିକ୍ଷା ବିଭାଗ, ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ” ବିଷୟରେ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସଫଳତା ସହିତ ଯୋଗାଯୋଗ କୌଶଳ, ସମସ୍ୟା ସମାଧାନ, ଆତ୍ମବିଶ୍ୱାସ, ଭାବନାତ୍ମକ ନିୟନ୍ତ୍ରଣ ଓ ସକାରାତ୍ମକ ଚିନ୍ତନ ଭଳି ଜୀବନ କୌଶଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଅଭିଭାବକ ଓ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ପୂର୍ବତନ ସୈନିକ ସୁଶାନ୍ତ କୁମାର ସାହୁ ନିଜର ସିଆରପିଏଫ୍ ସେବାକାଳୀନ ଅନୁଭୂତି ଓ ଜୀବନ ସଂଘର୍ଷର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ସେ ସେନା ଓ ସୁରକ୍ଷା ବାହିନୀରେ ରହିଥିବା ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ତାଙ୍କ ଅନୁଭୂତିମୂଳକ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ମନରେ ନୂତନ ପ୍ରେରଣା ସୃଷ୍ଟି କରିଥିଲା। ଶିକ୍ଷକ କୁନା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହା ପରେ ଡଃ ପ୍ରଶାନ୍ତ କୁମାର ଦାଶ ସାହେବୀସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ଶତାଧିକ ଛାତ୍ରଛାତ୍ରୀମାନଙ୍କ ସହ ଏକ ଅନୌପଚାରିକ ଓ ମୁକ୍ତ ଆଲୋଚନା କରିଥିଲେ। ଏଥିରେ ଛାତ୍ରମାନଙ୍କ ବିଭିନ୍ନ ଶିକ୍ଷାଗତ, ମାନସିକ ଓ ଭାବନାତ୍ମକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡଃ ଦାଶ ଛାତ୍ରଛାତ୍ରୀଙ୍କ ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବା ସହିତ ମାନସିକଚାପ ପରିଚାଳନା, ଆତ୍ମବିଶ୍ୱାସ ବୃଦ୍ଧି, ନିଜ ଭାବନାକୁ ବୁଝିବା, ସକାରାତ୍ମକ ଚିନ୍ତନ ଏବଂ ଶିକ୍ଷା ପ୍ରତି ନିୟମିତ ଓ ଆଶାବାଦୀ ଆଭିମୁଖ୍ୟ ଗଢ଼ିବା ନେଇ ସରଳ ଓ ବ୍ୟବହାରିକ ସମାଧାନ ପ୍ରଦାନ କରିଥିଲେ।


