Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର / ଢେଙ୍କାନାଳ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗ ଢେଙ୍କାନାଳର ଭଗବାନପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଡିଶାର ପୂର୍ବ ଭାଗରେ ଥିବା ୧୬ଟି ଜିଲ୍ଲାର ୧୫୨ଜଣ ଶିକ୍ଷାର୍ଥୀଙ୍କ ସମେତ ୫୨ ଜଣ ଶିକ୍ଷକ ଓ ପ୍ରବନ୍ଧକ ଏହିଭଳି ୨୦୪ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ହାତରୁ ୮ଶହ ଟଙ୍କା ଶୁଳ୍କ ପ୍ରଦାନ କରି ୨୦ଦିନ ଧରି ଏହି ଶିବିରରେ ବିଭିନ୍ନ ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଡାକ୍ତର, ଇଂଜିନିୟର, ଅଧ୍ୟାପକ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ସ୍ନାତକ ଓ ସ୍ନାତକୋତର ଛାତ୍ର, ବ୍ୟବସାୟୀ ଓ କୃଷକ ଉପସ୍ଥିତ ଥିଲେ। ପ୍ରତ୍ୟହ ସକାଳ ୪.୩୦ମି. ସମୟରେ ପ୍ରାତଃ ଜାଗରଣ ପରେ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱୟଂସେବକମାନେ ବିଭିନ୍ନ ଶାରିରୀକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଭ୍ୟାସ କରିଥିଲେ। ଶନିବାର ଦିନ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ସେମାନେ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାରକ ବିପିନ୍ ପ୍ରସାଦ ନନ୍ଦ ଯୋଗଦେଇ ଉପସ୍ଥିତ ସ୍ୱୟଂସେବକ ଓ ସାଧାରଣଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବର୍ତମାନ ସମୟରେ ବିଶ୍ୱରେ ଚାଲୁଥିବା ବିଭିନ୍ନ ବିଚାରଧାରାର ସଂଘର୍ଷ ମଧ୍ୟରେ ଭାରତୀୟ ବିଚାର ବା ହିନ୍ଦୁ ବିଚାରର ପ୍ରତିନିଧିତ୍ୱ କରେ। ସଂଘର ଏହି କାର୍ଯ୍ୟ କେବଳ ସଂଘର ମୌଳିକ ବିଚାର ନୁହେଁ, ବରଂ ସ୍ୱାମୀ ବିବେକାନନ୍ଦ ଓ ରାମତୀର୍ଥଙ୍କ ଭଳି ମହାପୁରୁଷମାନେ ଯେଉଁ ବିଚାରକୁ ରଖିଥିଲେ ସେହି ବିଚାର ଅନୁରୂପ ସମାଜର ସମସ୍ତ ବ୍ୟବସ୍ଥା ନିର୍ମାଣର ଦାୟିତ୍ୱ ସଂଘ ନିଜ ଉପରକୁ ନେଇଛି। ଏହି କାର୍ଯ୍ୟକୁ ଅଧିକ ଗତିଶୀଳ ହେବା ପାଇଁ ମୁଖ୍ୟବକ୍ତା ସଂପୂର୍ଣ୍ଣ ସମାଜକୁ ନିବେଦନ କରିଥିଲେ।

ଉକ୍ତ ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସରକାରୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ, ଲେଖକ, ଗାଳ୍ପିକ, ସମାଲୋଚକ ଓ ସମାଜସେବୀ ଡ. ଭବାନୀ ଶଙ୍କର ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ସଂଗଠନ ମାଧ୍ୟମରେ ଏକତ୍ରିତ ହୋଇ ଦେଶର ବିକାଶ କରିବା ପାଇଁ ସେ ସମସ୍ତ ନାଗରିକ ତଥା ସ୍ୱୟଂସେବକମାନଙ୍କୁ ଆହ୍ୱାନ ଜଣାଇଥିଲେ।

ସଂଘ ଶିକ୍ଷାବର୍ଗର ସମାରୋପ ଉତ୍ସବରେ ମଂଚାସୀନ ଥିବା ଶିକ୍ଷା ବର୍ଗର ବର୍ଗାଧିକାରୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବୈକୁଣ୍ଠନାଥ ସାହୁ ବର୍ଗର ବିବରଣୀ ପାଠ କରିଥିଲେ। ବର୍ଗର କାର୍ଯ୍ୟବାହ ଅଶୋକ ରଣଜିତ୍ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅରୁଣ କୁମାର ପ୍ରଧାନ

ନାକ୍ଟିଦେଉଳ: ନାକ୍‌ଟିଦେଉଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଅଭୟ ଚୈତନ୍ୟଜୀ ମହାରାଜ। ସେହିପରି ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ରହିଥିଲେ ନାକ୍‌ଟିଦେଉଳର ଅତିରିକ୍ତ ବିଡିଓ ରବି ରଣା, ଜିଲ୍ଲା ପରିଷଦ ସଭ୍ୟ ଜୋନ୍‌ ଦୁଇର ପୂଣ୍ଣ ଗଡତ୍ୟା, ନାକ୍‌ଟିଦେଉଳ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସମ୍ପାଦକ ଋତୁପୂର୍ଣ୍ଣା ପ୍ରଧାନ ସମ୍ପାଦକୀୟ ପାଠ କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁଠାରେ ଆରଏସଏସ୍‌ ଦ୍ବାରା ଚିଲିକା ଖଣ୍ଡ ସମ୍ମିଳନୀ ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ

ବାଲୁଗାଁ, ୨୮/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆରଏସଏସ୍‌ ଦ୍ୱାରା ଚିଲିକା ଖଣ୍ଡ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବାଲୁଗାଁ ଉଚ୍ଚବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଂଘ ଚାଳକ ଲଳିତ ନାରାୟଣ ମହାପାତ୍ର ଓ ସହଜିଲ୍ଲା କାର୍ଯ୍ୟବାହ ହୃଷିକେଶ ମଲିକ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେରେ ଏକ ଭବ୍ୟ ପଥସଞ୍ଚଳନ କାର୍ଯ୍ୟକ୍ରମ କରାଯାଇଥିଲା। ଶହେରୁ ଉର୍ଦ୍ଧ୍ବ ସ୍ବୟଂସେବକ ପୂର୍ଣ୍ଣ ଗଣବେଶରେ ବାଲୁଗାଁ ମହାବିଦ୍ୟାଳୟରୁ ଅଡିଟରୀୟମ ହଲ ଓ ସେଠାରୁ ଗାନ୍ଧୀ ଛକ ଦେଇ ବାଲୁଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ। ଆଗାମୀ ଦିନରେ ସଙ୍ଘ କିପରି ପ୍ରତି ଗ୍ରାମରେ ସୁସମ୍ପର୍କ ସ୍ଥାପନ କରିପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ପଥ ସଂଚାଳନ ସମୟରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ, ସୂର୍ଯ୍ୟନଗର ଛକ, ପରିବା ମାର୍କେଟ, ପେଟ୍ରୋଲ ପମ୍ପ ସମ୍ମୁଖ ଓ ସରଳାପଦର ଛକରେ ମାତୃମଣ୍ଡଳୀ, ସଂଘ ଶୁଭେଛୁ, ଛାତ୍ରଛାତ୍ରୀ ତଥା ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଗୈରିକ ଧ୍ବଜାକୁ ପୁଷ୍ପବୃଷ୍ଟି, ଅରୁଆ ଚାଉଳ ଦ୍ୱାରା ଓ ଭାରତ ମାତା କି ଜୟ ସ୍ଲୋଗାନରେ ସ୍ବାଗତ କରାଯାଇଥିଲା।

ରିପୋର୍ଟର: ସୀତାରାମ ଅଗ୍ରୱାଲ