ପୁଣି ମାତିଲେ ଗଞ୍ଜେଇ ଚାଷୀ: ୭୪୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

Published: Jan 6, 2023, 8:10 pm IST

କନ୍ଦର୍ପ ବେହରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ରେ ଗଞ୍ଜେଇ ଚାଷ ହେଉନ ଥିବା ବନବିଭାଗ, ଅବକାରୀ, ପୋଲିସ୍‌ ବିଭାଗ କହୁଥିବା ବେଳେ  ପୁଣି ଗଞ୍ଜେଇ ଚାଷ ହୋଇଥିବା ଏବଂ ବହୁ ବିଳମ୍ବରେ ତାକୁ ଚଢାଉ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ଅବକାରୀ ବିଭାଗ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେବାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ନାକଟିଦେଉଳ ବ୍ଲକ୍ ଜାମୁଜୋରୀ ପଂଚାୟତର ରାଇଲ ସଂରକ୍ଷିତ ଜଙ୍ଗଲର ତଳନାଳି ଗ୍ରାମରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ୍ ବିଭାଗ ମିଳିତ ଚଢଉ କରି ୭୪୦ ଗଛ ଉପାଡିବା ସହ ତାକୁ ପୋଡିଦେଇଥିବା ଜଣାପଡିଛି। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ମାଜିଷ୍ଟେଟ୍ ଦାୟିତ୍ୱରେ ଥାଇ ଗଛ ସବୁକୁ ପୋଡି ଦେଇଥିଲା ପ୍ରଶାସନ। ଅମଳ ହେବା ପରେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି ଜଣାପଡିଛି। ଗଞ୍ଜେଇ ଚାଷ କିଏ କିଏ କରିଛନ୍ତି ତାହା ପ୍ରଶାସନ ଠାରେ କୌଣସି ସୂଚନା ନାହିଁ। ଗଞ୍ଜେଇ ଚାଷୀ ବହୁତ ଦିନ ଆଗରୁ ଗଞ୍ଜେଇ ଗଛ ରୋପଣ କରିଥିବା ବେଳେ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହା ବଡ ପ୍ରଶ୍ନ ବାଚୀ। ଏପରିକି ଏହି ଚାଷରେ ସଂପୃକ୍ତ ଥିବା କାହାରିକୁ ମଧ୍ୟ ପୋଲିସ୍ ଗିରଫ କରିବାରେ ସଫଳ ନ ହେବା ତାହା  ସନ୍ଦେହ ସୃଷ୍ଟି କରିଛି।

ଏହି ଚଢଉରେ ବନବିଭାଗ, ଅବକାରୀ, ପୋଲିସ୍ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ତଥା କର୍ମଚାରୀ ସାମିଲ୍ ହୋଇଥିବା ସୂଚନା ମିଳିଛି।

Related posts