ଚିଲିକାରେ ପର୍ଯ୍ୟଟନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

Published: Nov 8, 2024, 6:31 pm IST

ବାଲୁଗାଁ: ମରାଳମାଳିନୀ ନିଳାମ୍ବୁ ଚିଲିକାରେ ପର୍ଯ୍ୟଟନ ସେବା ବୃଦ୍ଧି ଏବଂ ପ୍ରୋତ୍ସାହନ ନିମିତ୍ତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଆଇଆଇଟିଟିଏମ ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ବଡ଼କୁଳ ସ୍ଥିତ ଆଦ୍ରଭୂମି ଅନୁସନ୍ଧାନ ତାଲିମ କେନ୍ଦ୍ର ଠାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ବ୍ୟାଚ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଉକ୍ତ ଶିବିରକୁ ବନ୍ୟପ୍ରାଣୀ ଡିଏଫଓ ତଥା ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ଳାନ ନାୟକ ଉଦଘାଟନ କରିଥିବା ବେଳେ ସିଡିଏ ବୈଜ୍ଞାନିକ ଡ଼ ପ୍ରଦୀପ ରଞ୍ଜନ ମୁଦୁଲି, ଓଟିଡିସି ମ୍ୟାନେଜର ସବ୍ୟସାଚୀ କର, ଡ଼. ସୁଶାନ୍ତ କୁମାର ସାସମଲ ପ୍ରମୂଖ ଉପସ୍ଥିତ ଥିଲେ। ତିନି ଦିନ ଧରି ଏହି ଶିବିରରେ ୫୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ଡଙ୍ଗା ଚାଳକ,ସହ ଚାଳକ, ମସ୍ୟଜୀବୀ, ପର୍ଯ୍ୟଟନ ବିଶେଷଜ୍ଞ, ମୋଟର ବୋଟ ଆସୋସିଏସନ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ସୁଚାରୁରୂପେ ପ୍ରଶିକ୍ଷଣ ନେଇଥିଲେ।

ଭୁବନେଶ୍ୱର ଆଇଆଇଟିଟିଏମ ଅଧ୍ୟକ୍ଷ ଡ଼. ଆଦ୍ୟାଶା ଦାସ ଚିଲିକା ହ୍ରଦରେ ନୌବିହାରକୁ ବୃଦ୍ଧି କରିବା, ପକ୍ଷୀ ସୁରକ୍ଷା ଏବଂ ଚିଲିକା ହ୍ରଦର ସ୍ଥାୟୀ ବିକାଶରେ ସହଯୋଗ କରିବା ପାଇଁ ଡଙ୍ଗା ଚାଳକମାନଙ୍କୁ ଆବଶ୍ୟକକୀୟ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।ଯାହାକି ପ୍ରଶିକ୍ଷଣ ଅଧିବେଶନରେ ଆତିଥ୍ୟ ଗ୍ରହଣର ସର୍ବୋତ୍ତମ ଅଭ୍ୟାସ, ପର୍ଯ୍ୟଟକଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ, ଜଳରାଶିରେ ସୁରକ୍ଷା ବ୍ୟବସ୍ଥା, ଚିଲିକା ହ୍ରଦର ଅନନ୍ୟ ଇକୋସିଷ୍ଟମ୍ ସଂରକ୍ଷଣ, ସାମଗ୍ରିକ ପର୍ଯ୍ୟଟନ ଅଭିଜ୍ଞତାକୁ ବ୍ୟକ୍ତିଗତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହିତ ଚିଲିକା ହ୍ରଦ ପର୍ଯ୍ୟଟକଙ୍କ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ସୁନିଶ୍ଚିତ କରିବା ପାଇଁ ନିରନ୍ତର ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।

ଅନ୍ତିମ ଦିବସରେ ସଫଳତାର ସହ ପ୍ରଶିକ୍ଷଣ ନେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ଳାନ ନାୟକ, ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା, ସିଡିଏ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Related posts