ତାଳବଣ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ଯୁବପିଢୀକୁ କରୁଛି ଅନୁପ୍ରାଣିତ

Published: Nov 28, 2024, 12:07 pm IST

ଭୁବନେଶ୍ଵର: ବିପର୍ଯ୍ୟୟ ପ୍ରବଣ କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱରା ସୃଷ୍ଟି ହେଉଥିବା ବଜ୍ରପାତ ଯୋଗୁଁ ପ୍ରତିବର୍ଷ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହୋଇଆସୁଛି। ରାଜ୍ୟରେ ଏପରି କ୍ଷତିସାଧନ ହେଉଥିବା ସ୍ଥାନ ମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ଅନ୍ୟତମ। ରାଜ୍ୟର ମୋହନ ସରକାର ଏଭଳି ବିପର୍ଯ୍ୟୟର ସ୍ଥାୟୀ ନିରାକରଣ ପାଇଁ ବନବିଭାଗ ସ୍ତରରେ ଏବଂ ସାଧାରଣ ଲୋକଙ୍କ ସ୍ତରରେ ଗ୍ରାମଞ୍ଚଳରେ ତାଳମଞ୍ଜି ପ୍ରତିରୋପଣ କରିବାକୁ ଆହ୍ୱାନ ଦେଇଥିଲେ। କାରଣ ତାଳଗଛ ହେଉଛି ବିଦ୍ୟୁତ୍ ସୁପରିବାହୀ।

ବଜ୍ରପାତର ପ୍ରଭାବକୁ ନିଜ ମଧ୍ୟକୁ ଟାଣି ନେଇ ତାଳଗଛ ଅନେକ ପରିମାଣର ବଜ୍ରପାତ ଜନିତ କୁପ୍ରଭାବକୁ ନିୟନ୍ତ୍ରଣ କରିଥାଏ। ରାଜ୍ୟ ସରକାର ସରକାରୀ ସ୍ତରରେ ତାଳମଂଜି ପ୍ରତିରୋପଣ ପାଇଁ ଦେଇଥିବା ଆହ୍ୱାନର ସୁଫଳ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଲାଣି। ସରକାରୀ ସ୍ତରରେ ବନବିଭାଗ ତାଳମଂଜି ପ୍ରତିରୋପଣ ପାଇଁ ପଦକ୍ଷେପ ନେଉଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ଏବଂ ଯୁବପିଢୀ ମାନେ ମଧ୍ୟ ତାଳମଂଜି ପ୍ରତିରୋପଣ ପାଇଁ ଆଗ୍ରହ ଦେଖାଇବା ଘଟଣା ପରିବେଶ ସୁରକ୍ଷା ପାଇଁ ଶୁଭସଂକେତ ବୋଲି କୁହାଯାଇପାରେ। କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ,ଗଙ୍ଗାରାମପୁର ଏବଂ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଠାରେ ଏପରି ତାଳମଂଜି ଚାରା ପ୍ରତିରୋପଣ କରାଯିବା ଘଟଣାକୁ ଉଦାହରଣ ରୂପରେ ନିଆଯାଇ ପାରେ।

ତାଳଗଛ କେବଳ ଯେ ବଜ୍ରପାତ ଜନିତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରେ ତାହା ନୁହେଁ ତାଳଗଛ ସହ ଓଡିଆ ଧାର୍ମିକ ପରମ୍ପରା ମଧ୍ୟ ଜଡିତ। ଆଧ୍ୟାତ୍ମିକ ପରମ୍ପରା ଅନୁ୍‌ଯାୟୀ ତାଳବଣରେ ଧେନୁକାସୁରକୁ ଶ୍ରୀବଳଦେବ ସଂହାର କରିଥିଲେ। ଏଣୁ ଶ୍ରୀବଳଦେବଙ୍କ ରଥର ନାମ ହେଉଛି ତାଳଧ୍ୱଜ। ତାଳଫଳ ବିଭଭିନ୍ନ ଆଧ୍ୟାତ୍ମିକ ପର୍ବପର୍ବାଣୀରେ ଏକ ଶୁଭଫଳ ଭାବେ ଦେବାଦେବୀଙ୍କୁ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ। ତାଳଗଛରୁ ସଂଗୃହୀତ ରସ ଦ୍ୱରା ଗୁଡ ଖାଦ୍ୟ ପ୍ରସ୍ତୁତ କରାଯାଏ। ଶୁଖିଲା ତାଳପତ୍ରରେ ନବଜାତ ଶିଶୁର ଜାତକ କରାଯାଇଥାଏ,ଆଜିବି ଏପରି ପରମ୍ପରା ଗାଁ ଗହଳିରେ ବିଦ୍ୟମାନ। କେବଳ ଏତିକି ନୁହେଁ ଅତୀତତରେ ଏହି ତାଳପତ୍ରରେ ମୁନିଋଷିମାନେ ବିଭିନ୍ନ ମନ୍ତ୍ର,ପୌରାଣିକ ବିଷୟବସ୍ତୁ ଆଲେଖ କରୁଥିଲେ। ଯାହା ଏବେବି ବିଭିନ୍ନ ମଠମନ୍ଦିରରେ ତାଳପତ୍ର ପୋଥି ଭାବେ ସଂରକ୍ଷିତ ରହିଛି। ଚକୁଳିଆ ପଣ୍ଡାମାନେ ତାଳପତ୍ରରେ ପ୍ରସ୍ତୁତ ଛତା ବ୍ୟବହାର କରି ଗାଁ ଗାଁରେ ସଂଗୀତ ଗାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାନ୍ତି। ଚାଷୀ ମାନେ ମଧ୍ୟ ଅନୁରୁପ ଢଂଗରେ ତାଳପତ୍ର ଦ୍ୱରା ନିର୍ମିତ ପଖୀଆକୁ ବର୍ଷାଦିନରେ ବ୍ୟବହାର କରନ୍ତି।

ଏହାସହ ଭିନ୍ନ ଭିନ୍ନ ଧାର୍ମିକ ପରମ୍ପରାରେ ତାଳଗଛର ମହତ୍ୱ ରହି ଆସିଛି। ଏନେଇ ତାଳଗଛର ଖାଲି ବିଜ୍ଞାନ ସମ୍ମତ ଗୁଣ ରହିଛି ତାହା ନୁହେଁ ଏହା ଆମର ସଂସ୍କୃତି ପରମ୍ପରା ସହ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବ୍ୟବହାରରେ ଆସେ। ରାଜ୍ୟ ସରକାର ତାଳଗଛର ପ୍ରତିରୋପଣ ପାଇଁ ନିଷ୍ପତି ଗ୍ରହଣ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏଣୁ ତାଳଗଛର ବିବିଧ ଉପକାରିତାକୁ ଦୃଷ୍ଟିରେ ରଖି ପଟାମୁଣ୍ଡାଇ,ସାନଜରିଆ,ଗଂଗାରାମପୁର,ନିକିରାଇରେ ସ୍ଥାନୀୟ ସ୍ୱେଛାସେବୀ ସଂସ୍ଥା,ଯୁବପିଢୀମାନେ ତାଳଗଛର ମଞ୍ଜି ପ୍ରତିରୋପଣ କରିବାରେ ଲାଗିଛନ୍ତି। ତାଳମଂଜିରୁ କିପରି ତାଳଗଛ ସୃଷ୍ଟି ହେବ ସେ ନେଇ ତାହାର ଯତ୍ନ ନେବା ପାଇଁ କାମ କରିବାକୁ ମଧ୍ୟ ପ୍ରତିଶୃତି ବଦ୍ଧ ହୋଇଛନ୍ତି ଯୁବପିଢୀ ତଥା ସ୍ୱେଛାସେବୀ ସଂସ୍ଥାର କାର୍ଯ୍ୟକର୍ତ୍ତା। ତାଳଗଛର ଗୁରତ୍ୱକୁ ଉପଲବ୍ଧି କରି ଲୋକମାନଙ୍କ ମଧ୍ୟରେ ବ୍ୟପାକ ଜନସଚେତନତା ସୃଷ୍ଟି କରାଯିବା ପାଇଁ ଏଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ତାଳମଂଜି ପ୍ରତିରୋପଣ ସହ ଜଡିତ ଯୁବକମାନେ ସ୍ୱାଗତ କରିଛନ୍ତି।

ସରକାରଙ୍କ ଦ୍ୱରା କରାଯାଇଥିବା ତାଳମଂଜି ପ୍ରତିରୋପଣ ନିଷ୍ପତି ବେଶ ପ୍ରଶଂସନୀୟ ପଦକ୍ଷେପ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ବନବିଭାଗର ବିଭିନ୍ନ କାର୍ଯ୍ୟାଳ୍ୟ ନିକଟରେ ତାଳମଂଜି ପ୍ରତିରୋପଣ କରାଯାଇଛି।

ସ୍ୱେଛାସେବୀ ସଂସ୍ଥାମାନଙ୍କୁ ତାଳ ମଂଜି ଲଗାଇବା ପାଇଁ ବନବିଭାଗ ପ୍ରୋତ୍ସାହିତ କରୁଛି। ଅଦ୍ୟାବଧି ଦୁଇ ହଜାର ତାଳମଂଜି ପ୍ରତିରୋପଣ ସରିଲାଣି। ତାଳଗଛର ଉପକାରିତାକୁ ଦୃଷ୍ଟିରେ ରଖି ତାଳଗଛ ସୃଷ୍ଟି ପାଇଁ ବନବିଭାଗ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ବୋଲି ରାଜନଗର ବନ୍ୟପ୍ରାଣୀ ଡିଭିଜନ ଡିଏଫଓ କେ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

Related posts