Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଭୁବନେଶ୍ଵର: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ବାଟିପଡ଼ା ଓ ସିଙ୍ଗିରି ପଞ୍ଚାୟତ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି।

ବାଟିପଡ଼ା ଠାରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଛନ୍ତି, ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଗାଡ଼ି ଆଜି ଦେଶର ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚୁଛି । ଏହି ଯାତ୍ରାର ଉଦ୍ଦେଶ୍ୟ କ’ଣ ତାହା ସମସ୍ତ ଜନସାଧାରଣ ବୁଝିବା ଉଚିତ୍‌ । ବିଗତ ସାଢ଼େ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ସରକାରୀ ଯୋଜନାର ଶତପ୍ରତିଶତ ଲାଭ କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଗାଡ଼ି ସବୁ ପଞ୍ଚାୟତ ଓ ସହରାଞ୍ଚଳରେ ବୁଲୁଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି କିଭଳି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛି ତାହା ଜାଣିବା ଲାଗି ସେ ଏଠାକୁ ଆସିଥିବା ଶ୍ରୀ ସୋନୱାଲ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶ ଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଥିଲେ । ସେ ଆହୁରି କହିଥିଲେ, କେନ୍ଦ୍ର ସରକାରଙ୍କ ଯୋଜନା ସବୁ ବର୍ଗଙ୍କ ସଶକ୍ତିକରଣରେ ସହାୟକ ହେଉଛି। ସରକାର ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ ଓ ସବକା ପ୍ରୟାସ ନୀତି ନେଇ କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ଗତ ସାଢ଼େ ୯ ବର୍ଷ ମଧ୍ୟରେ ଦେଶର ୨୫ କୋଟି ଗରିବ ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି । ମହିଳା, ପୁରୁଷ, ଯୁବବର୍ଗ, ବୟସ୍କ, ଦିବ୍ୟାଙ୍ଗ, ଏସସି,ଏସଟି, ଓବିସି ଆଦି ସମାଜର ସବୁବର୍ଗର ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ଦେଶର ଦ୍ରୁତ ବିକାଶ ସମ୍ଭବ ହୋଇଛି । ଏହି ବିକାଶଧାରା ୨୦୪୭ ଅର୍ଥାତ୍‌ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଜାରି ରହିବ ଏବଂ ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ବିକଶିତ ଦେଶରେ ପରିଣତ ହେବ ବୋଲି ସେ କହିଥିଲେ ।

ମହିଳା ସଶକ୍ତିକରଣ ଓ ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୁନରୁଦ୍ଧାର ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ମଧ୍ୟ ଶ୍ରୀ ସୋନୱାଲ ଆଲୋକପାତ କରିଥିଲେ । ସେ କହିଥିଲେ, ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏହାଦ୍ୱାରା ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପୁନଃଜାଗରଣ ହେଉଛି। ଓଡ଼ିଶାକୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦେଶ ଭାବେ ଅଭିହିତ କରି ଶ୍ରୀ ସୋନୱାଲ କହିଥିଲେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଭାରତକୁ ସବୁବେଳେ ସମୃଦ୍ଧ କରି ଆସିଛି । ଭଗବାନ ଓଡ଼ିଶାକୁ ଅପାର ଶକ୍ତି, ସମ୍ଭାବନା ଓ ସମ୍ପଦ ଦେଇଛନ୍ତି । ଏହି ରାଜ୍ୟ ଆଗାମୀ ଦିନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଓ ବହୁସଂଖ୍ୟାରେ ସାଧାରଣ ହିତାଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ କରାଯାଇଥିଲା।

ଅନ୍ୟପକ୍ଷରେ ଶିଙ୍ଗିରି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଥିଲେ, ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ପ୍ରଧାନମନ୍ତ୍ରୀ ନିଜକୁ ପ୍ରଧାନ ସେବକ ବୋଲି କହିଥିଲେ। ଦେଶବାସୀଙ୍କ ସେବା ପାଇଁ ସେ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଯେପରି ସମାଜର ଅନ୍ତିମ ସୋପାନରେ ପହଞ୍ଚି ପାରିବ ସେଥିପାଇଁ ଆଜି ଗାଁ ଗାଁରେ ମୋଦୀଙ୍କ ଗ୍ୟାରେଣ୍ଟିର ଗାଡ଼ି ପହଞ୍ଚୁଛି । ଜଣେ ହେଲେ ନାଗରିକ ଯେପରି ସରକାରୀ ଯୋଜନାର ସୁଫଳ ପାଇପାରିବେ ତାହା ସୁନିଶ୍ଚିତ କରିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ। ଯାତ୍ରା ଅବସରରେ ବିଭିନ୍ନ ଯୋଜନାର ଶିବିର ଖୋଲାଯାଇ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଉଛି । ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ମୋଦୀଙ୍କ ଗ୍ୟାରେଣ୍ଟିର ଗାଡ଼ି ପାଖକୁ ଆସି ସରକାରୀ ଯୋଜନାର ଲାଭ ନେବାକୁ ସେ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ପୂର୍ବ ସରକାରଙ୍କ ଅମଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନଥିଲା। ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ଦଶମ ସ୍ଥାନରେ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । ଦେଶର ସବୁ ବର୍ଗ ଓ ପ୍ରାନ୍ତର ବିକାଶ ହେଉଛି ବୋଲି ସେ କହିଥିଲେ ।

Categories
ବିଶେଷ ଖବର

୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟର ଉଚ୍ଚପ୍ରଶଂସା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲାର ଆଉ କେତେକ ମଠ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ଆଳିର ଡେମାଳସ୍ଥିତ ଲକ୍ଷ୍ମୀବରାହ ମନ୍ଦିର, କେରେଡାଗଡସ୍ଥିତ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠ ଆଦି ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦଲ୍ୟ, ମଠର ଶିଷ୍ୟଗଣ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ଏସବୁ ଅନୁଷ୍ଠାନର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ DPR ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ସାତଭାୟା ଗ୍ରାମପଞ୍ଚାୟତର ବଗପଟିଆ ଗାଁରେ ଏକ ଥଇଥାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ଏଠାରେ ଥଇଥାନ ହୋଇଥିବା ଲୋକମାନେ ଏକ ପଞ୍ଚୁବରାହୀ ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରର ଆହୁରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

୫-ଟି ସଚିବ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାର ବିଭିନ୍ନ ସରକାରୀ ଓ ସହାୟତାପ୍ରାପ୍ତ କଲେଜ ଗୁଡିକର ପ୍ରତିନିଧି ଓ ଛାତ୍ରମାନଙ୍କୁ ଭେଟିଥିଲେ। ପ୍ରତ୍ୟେକ କଲେଜର ଆବଶ୍ୟକତାରୁ ଦୃଷ୍ଟିରେ ରଖି ଏଗୁଡିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ପାଇଁ ରିପୋର୍ଟ ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଆଜି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସହିତ ରାଜନଗର ବ୍ଲକ୍‌ର ଭଟପଦା ଠାରେ ନିର୍ମଣାଧିନ ଏକ Spurର କାମ ଅନୁଧ୍ୟାନ କରିଥିଲେ। ଏହାସହିତ ହଂସୁଆ ନଦୀର ଦକ୍ଷିଣବନ୍ଧ ପଟେ କେରଡାଗଡ-ଅଳଟଙ୍ଗା ଲୁଣିବନ୍ଧର ମରାମତି କାମ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଇଂଜିନିଅରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜକନିକା ଓ ରାଜନଗର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସୁବିଧା, ରୋଗୀସେବା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିଷୟରେ ବିଭାଗୀୟ ଅଧିକାରୀ, ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏଠାରେ ରୋଗୀଙ୍କୁ ଆହୁରି ସୁବିଧା ପ୍ରଦାନ କରିବାପାଇଁ ପରାମର୍ଶ ଦେଇଥିଲେ । ଦୁଇଟିଯାକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଥିବାରୁ ଶ୍ରୀ ପାଣ୍ଡିଆନ ଖୁସିବ୍ୟକ୍ତ କରିଥିଲେ । ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମେଡିକାଲ କ୍ୟାଣ୍ଟିନ ମଧ୍ୟ ୫-ଟି ସଚିବ ପରିଦର୍ଶନ କରିଥିଲେ। ସେଠାରେ SHG ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରି ସେମାନେ କିପରି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, କେତେ ଲାଭ କରୁଛନ୍ତି, ସେ ସଂପର୍କରେ ପଚାରି ବୁଝିଥିଲେ। ରୋଗୀମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଆଳିରେ ଥିବା ଏକ ଫୁଟବଲ ଷ୍ଟାଡିଅମକୁ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ୪ ଜଣ ଜାତୀୟ ସ୍ତରର ଖେଳାଳୀ ବାହାରି ଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ ଏବଂ ଏହି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ଏକ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ରାଜକନିକା ବ୍ଳକ୍‌ର ତରଶ ହାଇସ୍କୁଲ ଓ ବଡପାଲୀ ହାଇସ୍କୁଲ ପରିଦର୍ଶନ କରିଥିଲେ। ଏହି ଦୁଇଟି ସ୍କୁଲ ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ସ୍କୁଲ ରୂପାନ୍ତିରରେ ସାମିଲ ହୋଇଥିଲା। ଏଠାରେ ସେ ଶିକ୍ଷକ, ଛାତ୍ର, ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରି ସେଠାରେ ଥିବା ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ସ୍କୁଲରେ ସୃଷ୍ଟି ହୋଇଥିବା ଏହି ନୂଆ ଆଧୁନିକ ବ୍ୟବସ୍ଥାକୁ ନିଜର ସଂପତ୍ତି ଭଳି ସୁରକ୍ଷିତ ରଖି ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ।

ରାଜନଗର ବ୍ଲକ୍‌ର ବାଲିସାହିପାଟଣା ପଞ୍ଚାୟତର ଧଣ୍ଡିଆ ଗ୍ରାମରେ କସ୍ତୁରବା ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେସନ ଦ୍ବାରା ପରିଚାଳିତ ଏକ ଦୁଗ୍‌ଧ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରିଥିଲେ। ଏଠାରେ ସେ ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଯଥା – ଦୈନିକ ଦୁଗ୍‌ଧ ସଂଗ୍ରହ, ପ୍ରକ୍ରିୟାକରଣ, ମାର୍କେଟିଂ ବ୍ୟବସ୍ଥା ଆଦି ସଂପର୍କରେ ଅନୁଧ୍ୟାନ କରି ଏହାର ଉଚ୍ଚପ୍ରଶଂସା କରିଥିଲେ। ମିଶନ ଶକ୍ତି ଗୋଷ୍ଠୀମାନଙ୍କ ଦ୍ବାରା ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ଯୋଗ୍ୟ ବୋଲି ସେ କହିଥିଲେ। ରାଜନଗର ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଫେଡେରେସନ ଦ୍ବାରା ପରିଚାଳିନତ ଏକ ମିଶନ ଶକ୍ତି କେଫ୍ ମଧ୍ୟ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ସେମାନଙ୍କ ସହିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ।
ଗସ୍ତର ଶେଷରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲାର ବିଭିନ୍ନ କଲେଜ ର ଛାତ୍ରଛାତ୍ରୀ ଙ୍କୁ ଭେଟି ସେମାନଙ୍କ କଲେଜ ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ.

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା, କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖରସ୍ରୋତା ଜଳବିବାଦ ବଳ ପ୍ରୟୋଗ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ହେଉ: ସିପିଆଇ(ଏମ୍‌-ଏଲ୍‌)

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି। ଆଳି-ରାଜକନିକାବାସୀଙ୍କ ଦାବି ହେଲା ଖରସ୍ରୋତା ନଦୀରେ ସରକାର ପ୍ରଥମେ ଆନ୍ନିକଟ କରନ୍ତୁ। ତାହେଲେ ଭୂତଳ ଜଳସ୍ତର କମିବ ନାହିଁ।

ଲୋକଙ୍କ ପାନୀୟ ଜଳ ଓ ଚାଷବାସଙ୍କ ପାଇଁ ମଧୁର ଜଳ ସମସ୍ୟା ଉପୁଜିବ ନାହିଁ କି ଲୁଣାପାଣି ମାଡ଼ିବ ନାହିଁ। ସରକାର ଏହି ପ୍ରକଳ୍ପର ସମସ୍ତ ତଥ୍ୟ (ଡ଼ିପିଆର) ଜନଗଣଙ୍କ ଅବଗତି ନିମନ୍ତେ ପ୍ରକାଶ କରନ୍ତୁ ଯଥା ଖରସ୍ରୋତା ନଦୀରେ କେତେ ଜଳ କେଉଁ ସମୟରେ ପ୍ରବାହିତ ହେଉଛି ଓ କେତେ ପାଣି ସରକାର ଭଦ୍ରକକୁ ପିଇବା ପାଇଁ ନେବେ ଇତ୍ୟାତି ଇତ୍ୟାଦି।

ଆନ୍ଦୋଳନରତ ଜନଗଣ କେବେ ବି ଭଦ୍ରକକୁ ପାନୀୟ ଜଳଯୋଗାଣର ବିରୋଧୀ ନୁହଁନ୍ତି ବରଂ ସରକାରର ଆଦାନୀର ଧାମରା ପ୍ରକଳ୍ପ ପାଇଁ ଖରସ୍ରୋତାରୁ ମଧୁର ଜଳ ନେବା ଓ ତାର ମାଲ ପରିବହନ ପାଇଁ ଆନ୍ନିକଟ ନ କରିବା ଜିଦରେ ଅଟଳ ରହୁଛନ୍ତି। ଲୋକଙ୍କ ସହ ଆଲୋଚନା ନକରି ଜବରଦସ୍ତ ପ୍ରକଳ୍ପ କରାଇ ନେବାର ଉଦ୍ୟମ ଯୋଗୁ ଗତ ୧୨.୮.୨୦୨୧ରେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ସରକାର ଦାୟୀ।

ପୁନଶ୍ଚ ଆନ୍ଦୋଳନ ପରେ ରାତିରେ ଘରେ ପଶି ଅନ୍ଧାଧୂନିଆଁ ଭାବେ ଲୋକଙ୍କୁ ଗିରଫ କଲେ, ଭଙ୍ଗାରୁଜା କଲେ ଓ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଲୋକଙ୍କ ପ୍ରତି ଦୁର୍ବ୍ୟବହାର କଲେ, ଆମେ ତାର ଘୋର ନିନ୍ଦା କରୁଛୁ। ଆମର ଦାବି ହେଲା ସରକାର ବଳ ପ୍ରୟୋଗ ବନ୍ଦ କରନ୍ତୁ ଓ ‘ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି’ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେପି ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ନୂତନ କାର୍ଯ୍ୟକାରିଣୀ ଘୋଷଣା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଡ଼ଃ ବିଭୂପ୍ରସାଦ ତରାଇଙ୍କ ଅନୁମୋଦନ ଓ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ପ୍ରସ୍ତାବ କ୍ରମେ ଅନୁସୂଚିତ ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି।

୧- ଜିଲ୍ଲା ସଭାପତି- ସୁଦାମ ଚରଣ ମଲିକ

୨- ଉପ ସଭାପତି- ଅନନ୍ତ ଚରଣ ମଲିକ, ପ୍ରବେଶାନ ମଲିକ, ଶିବପ୍ରସାଦ ବେହେରା, ଉମାକାନ୍ତ ସେଠୀ

୩- ସାଧାରଣ ସଂପାଦକ- ଶଶିକାନ୍ତ ମଲିକ, ବାଦଲ ମଲିକ

୪- ସଂପାଦକ- ଚିତ୍ତରଞ୍ଜନ ମଲିକ, ଦିପକ ସେଠୀ, ସ୍ୱରାଜ ମଲିକ, ଅରୁଣ ମଲିକ, ବିଚିତ୍ର ମଲିକ

୫- କୋଷାଧ୍ୟକ୍ଷ- ପ୍ରଶାନ୍ତ କୁମାର ମଲିକ

୬- ମିଡିଆ ସଂଯୋଜକ- ରବିନ୍ଦ୍ର ମଲିକ

୭- ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟଭାବେ ୧୭ଜଣଙ୍କୁ ମନୋନିତ କରାଯାଇଥିବା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ସଂସ୍କୃତି

କୋଭିଡ କଟକଣା ପାଳନ ସହ ଜନ ଗହଳି ନକରି ଅନୁଷ୍ଠିତ ହେବ ଓଳକଣା ମେଲଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ବିଶ୍ୱ ପ୍ରସିଦ୍ଧ ଓଳକଣା ମେଲଣକୁ ସୂଚାରୁ ରୂପେ ପାଳନ କରିବା ପାଇଁ ମେଲଣ ସମନ୍ୱୟ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ପ୍ରଦାନ କରିବା ପାଇଁ ଦାବି କିରିଛନ୍ତି।

ଏହା ଏକ ବିଶ୍ୱ ପ୍ରସିଦ୍ଧ ମେଲଣ ହେବା ସହ ଏହି ମେଲଣ ପଡିଆରେ ଆଖପାଖ ଅଂଚଳର ଶତାଧିକ ଦୋଳ ବିମାନ ଏକତ୍ରିତ ହୋଇ ଶ୍ରୀଜୀୟୁ ମାନେ ମେଲଣ ପାଳନ କରିଥାନ୍ତି। ଏହି ମେଲଣ ବର୍ଷେ ବନ୍ଦ ରହିଲେ ପରବର୍ତ୍ତୀ ବାରବର୍ଷ ପର୍ଯ୍ୟନ୍ତ ମେଲଣ ହୋଇପାରିବ ନାହିଁ ବୋଲି ପରଂପରା ରହିଛି।

ମେଳଣ ସମନ୍ୱୟ କମିଟି ତରଫରୁ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରି ଓଳକଣା ମେଲଣକୁ ପାଳନ କରିବା ପାଇଁ କମିଟି ତରଫରୁ ସଭାପତି ମହନ୍ତ ନାମାନନ୍ଦ ଦାସଙ୍କ ସହ ମହନ୍ତ ପର୍ଶୁରାମ ଦାସ, ବେବର୍ତା ଅଜୟ ଦାସ, ରତୀକାନ୍ତ ସାମଲ, ବିଜୟ କୁମାର ମଲିକ, କରୁଣାକର କର ସୁବାଷ ଚନ୍ଦ୍ର ବେହେରା, ଦୀନବନ୍ଧୁ ପାତ୍ର, କ୍ଷିରୋଦ ଚନ୍ଦ୍ର ବିହାରୀ ପ୍ରମୁଖ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ମେଳଣ ପାଇଁ ଅନୁମତି ଦାବି କରିଛନ୍ତି।

ତେବେ ସମସ୍ତ କଟକଣା ପାଳନ ପୂର୍ବକ ଜନଗହଳି ନକରି କେବଳ ପାରଂପରିକ ବିଧିବିଧାନ ପାଳନ କରି ମେଲଣ କରିବାକୁ ପ୍ରତିଶୃତି ଦେଇଛନ୍ତି।