Categories
ଆଜିର ଖବର ରାଜ୍ୟ ଖବର

ଖରସ୍ରୋତା ଜଳବିବାଦ ବଳ ପ୍ରୟୋଗ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ହେଉ: ସିପିଆଇ(ଏମ୍‌-ଏଲ୍‌)

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି। ଆଳି-ରାଜକନିକାବାସୀଙ୍କ ଦାବି ହେଲା ଖରସ୍ରୋତା ନଦୀରେ ସରକାର ପ୍ରଥମେ ଆନ୍ନିକଟ କରନ୍ତୁ। ତାହେଲେ ଭୂତଳ ଜଳସ୍ତର କମିବ ନାହିଁ।

ଲୋକଙ୍କ ପାନୀୟ ଜଳ ଓ ଚାଷବାସଙ୍କ ପାଇଁ ମଧୁର ଜଳ ସମସ୍ୟା ଉପୁଜିବ ନାହିଁ କି ଲୁଣାପାଣି ମାଡ଼ିବ ନାହିଁ। ସରକାର ଏହି ପ୍ରକଳ୍ପର ସମସ୍ତ ତଥ୍ୟ (ଡ଼ିପିଆର) ଜନଗଣଙ୍କ ଅବଗତି ନିମନ୍ତେ ପ୍ରକାଶ କରନ୍ତୁ ଯଥା ଖରସ୍ରୋତା ନଦୀରେ କେତେ ଜଳ କେଉଁ ସମୟରେ ପ୍ରବାହିତ ହେଉଛି ଓ କେତେ ପାଣି ସରକାର ଭଦ୍ରକକୁ ପିଇବା ପାଇଁ ନେବେ ଇତ୍ୟାତି ଇତ୍ୟାଦି।

ଆନ୍ଦୋଳନରତ ଜନଗଣ କେବେ ବି ଭଦ୍ରକକୁ ପାନୀୟ ଜଳଯୋଗାଣର ବିରୋଧୀ ନୁହଁନ୍ତି ବରଂ ସରକାରର ଆଦାନୀର ଧାମରା ପ୍ରକଳ୍ପ ପାଇଁ ଖରସ୍ରୋତାରୁ ମଧୁର ଜଳ ନେବା ଓ ତାର ମାଲ ପରିବହନ ପାଇଁ ଆନ୍ନିକଟ ନ କରିବା ଜିଦରେ ଅଟଳ ରହୁଛନ୍ତି। ଲୋକଙ୍କ ସହ ଆଲୋଚନା ନକରି ଜବରଦସ୍ତ ପ୍ରକଳ୍ପ କରାଇ ନେବାର ଉଦ୍ୟମ ଯୋଗୁ ଗତ ୧୨.୮.୨୦୨୧ରେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ସରକାର ଦାୟୀ।

ପୁନଶ୍ଚ ଆନ୍ଦୋଳନ ପରେ ରାତିରେ ଘରେ ପଶି ଅନ୍ଧାଧୂନିଆଁ ଭାବେ ଲୋକଙ୍କୁ ଗିରଫ କଲେ, ଭଙ୍ଗାରୁଜା କଲେ ଓ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଲୋକଙ୍କ ପ୍ରତି ଦୁର୍ବ୍ୟବହାର କଲେ, ଆମେ ତାର ଘୋର ନିନ୍ଦା କରୁଛୁ। ଆମର ଦାବି ହେଲା ସରକାର ବଳ ପ୍ରୟୋଗ ବନ୍ଦ କରନ୍ତୁ ଓ ‘ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି’ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ।