Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏସଏଚଜି ମହିଳାଙ୍କ ପାଇଁ ସ୍କୁଟର ଯୋଜନା, ୧୫ ହଜାର ମା’ଙ୍କୁ ମିଳିଲା ସ୍କୁଟର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ।

ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ୍‌କୁ ସରକାରୀ କାର୍ଯ୍ୟ ପାଇଁ ଯାନସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଥିଲେ। ଯାନସୁବିଧା ବଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ମା’ ମଙ୍ଗଳା ଏସ୍.ଏଚ୍.ଜି ଓ କଟକ ଜିଲ୍ଲାର ଜୟ ଶ୍ରୀରାମ ଏସ୍. ଏଚ୍.ଜିକୁ ସୁଧ ବାବଦ ଚେକ୍‌ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ମା’ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ମା’ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି। ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତଥି ଭାବେ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ଗତିଶୀଳତା ହିଁ ସଶକ୍ତିକରଣ। ଏହାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ କମ୍ୟୁନିଟ ସର୍ପୋଟ ଷ୍ଟାଫ, ବିଜିନେସ କରସପନଣ୍ଡାଣ୍ଟ ଏଜେଣ୍ଟ ଏବଂ ଏକ୍ଜୁକ୍ୟୁଟିଭ କମିଟ ମେମ୍ବର ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ଏହି ପଦକ୍ଷେପ ମିଶନ ଶକ୍ତି ଫେଡେରେସନ୍ ସହିତ କାର୍ଯ୍ୟରତ ‌ଓ ଏହା ଅଧିନରେ କାର୍ଯ୍ୟରତ ସଦସ୍ୟାମାନଙ୍କ ଯାତାୟତକୁ ସୁଗମ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜତା ଆର୍ କାର୍ତ୍ତିକେୟନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଅବସରରେ କହିଥିଲେ ଯେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପର ଉଦ୍‌ଘାଟନ ହେଲା । ୧୫ ହଜାର ଏସ୍.ଏଚ୍.ଜି ମା’ ସ୍କୁଟର ନେଇଛନ୍ତି।

୨ ଲକ୍ଷ କମ୍ୟୁନିଟ ସର୍ପୋଟ ମା’ ପର୍ଯ୍ୟାୟକ୍ରମେ ସ୍କୁଟର ନେବେ । ଏହି ଯୋଜନାରେ ଉପକୃତ ହେବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ଏକ୍ଜକ୍ୟୁଟିଭି କମିଟ ମେମ୍ବରମାନେ ହେଲେ ମିଶନ ଶକ୍ତିର ସେନାପତି। ସେମାନେ ମିଶନ ଶକ୍ତିକୁ ନୂଆ ଦିଗ ଦେଉଛନ୍ତି। ଏହି ସ୍କୁଟର ହେଉଛି ମିଶନ ଶକ୍ତି ମା’ ମାନଙ୍କ ପରିଚୟର ପ୍ରତୀକ। ଦକ୍ଷତାର ପ୍ରତୀକ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ଶ୍ରା ପି.କେ. ଜେନା , ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗିତାଞ୍ଜଳୀ ବସ୍ତିଆ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଏନ୍. ତିରୁମାଲା ନାୟକ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଧୂପକାଠି ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଳିଲା ସାଇକେଲ

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଓରମାସ୍‌ ମୁଖ୍ୟାଳୟ ପରିସରରେ ଆଜି ଓରମାସ ଏବଂ ଆଇ.ଟି.ସି.ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗ୍ରାମୀଣ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏଭଳି ପ୍ରୋତ୍ସାହନ ସେମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ।

ଏହା ଦ୍ୱାରା ଅଧିକରୁ ଅଧିକ ମହିଳା ଧୂପକାଠି ପ୍ରସ୍ତୁତ ଭଳି ଲଘୁ ଉଦ୍ୟୋଗ କାର୍ଯ୍ୟରେ ନିଜକୁ ସାମିଲ କରି ଭଲ ରୋଜଗାର ମଧ୍ୟ କରିପାରିବେ। ଓରମାସ ଏବଂ ଆଇଟିସିର ଏଭଳି ପଦକ୍ଷେପକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ ଓରମାସ ଏଭଳି ପଦକ୍ଷେପମାନ ଗ୍ରହଣ କରି ଗ୍ରାମୀଣ ଓଡ଼ିଶାର ଅର୍ଥନୀତିକୁ ଅଧିକ ସଶକ୍ତ କରିବାରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାବ୍ୟକ୍ତ କରିଥିଲେ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁୁ ସାଇକେଲ ପ୍ରଦାନ ଅବସରରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନି କହିଥିଲେ ଯେ ଏହି ସାଇକଲ ବଣ୍ଟନ ଆଗାମୀ ଦିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରେରଣା ଯୋଗାଇବ। ସେମାନେ ଖାଲି ଯେ ଆତ୍ମନିର୍ଭରଶୀଳ ହୋଇପାରିବେ ତା ନୁହେଁ ବରଂ ପରିବାର ଅନ୍ୟ ସଦସ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜି ପାରିବେ।

ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିଭର୍ରଶୀଳ କରିବା ଓ ଏ ଦିଗରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବାରୁ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଆଇ.ଟି.ସିକୁ ଧନ୍ୟବାଦ ଜଣାଇଥିଲେ। ନିଜ ଘରୁ, ସାଇକେଲ ଚଳାଇ ଧୂପକାଠି କ୍ଲଷ୍ଟରକୁ ଯିବା ଏବଂ ଏଥିପାଇଁ କାହା ଉପରେ ନିର୍ଭରଶୀଳ ନ ହେବା ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବ। ଏଥିସହ ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଓଡ଼ିଶାର ବିକାଶ ଦିଗରେ ଓରମାସର ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନି, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆଇଟିସି-ଏମ୍‌ଏବି, ଚେନ୍ନାଇର ମୁଖ୍ୟ ପରିଚାଳକ ଶ୍ରୀ ଏମ. ମୁଲରୀଧରଙ୍କ ଉପସ୍ଥିତିରେ ଧୂପକାଠି ପ୍ରସ୍ତୁତ କରୁଥିବା ୩୦ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଅମାତ ସାଇକେଲ ପ୍ରଦାନ କରିଥିଲେ।

ବିଭିନ୍ନ ଜିଲ୍ଲାରେ ଧୂପକାଠି ପ୍ରସ୍ତୁତ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଧୂପକାଠି ତିଆରି କରୁଥିବା ୨୦୦ ଜଣ ରୋଲର୍ସଙ୍କୁ ଏହି ସାଇକଲ ବଣ୍ଟନ କରାଯିବ। ଧୂପକାଠି ତିଆରି ପାଇଁ, ଘରୁ ପ୍ରତିଦିନ କାରଖାନାକୁ ଚାଲି ଚାଲି ଆସୁଥିବା ଗ୍ରାମୀଣ ମହିଳାଙ୍କ ଯାତାୟତର ସୁବିଧା ପାଇଁ ଆଇଟିସି-ଏମ୍‌ଏବି,ଚେନ୍ନାଇ ଏହି ସାଇକଲ ଯୋଗାଇ ଦେଇଛନ୍ତି।

୨୦୦୯ ମସିହାରେ ଓରମାସ ଏବଂ ଦେଶର ଅଗ୍ରଣୀ କର୍ପୋରେଟ ବ୍ୟବସାୟ ପ୍ରତିଷ୍ଠାନ ଆଇ.ଟି.ସି, ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଅନୁସାରେ ଆଇଟିସି ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଧୂପକାଠି ପ୍ରସ୍ତୁତ କରି ଯୋଗାଇ ଦେବା ପାଇଁ ସମସ୍ତ କଂଚାମାଲ ସହିତ ପ୍ରସ୍ତୁତ ଧୂପକାଠିକୁ ମଙ୍ଗଳଦୀପ୍‌ ନାମରେ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ କରି ବଜାରକୁ ବିକ୍ର ପାଇଁ ପଠାଉଛି।

ଏହି ପ୍ରକଳ୍ପରେ ସାମିଲ ହୋଇ ମହିଳା ଏସ୍‌.ଏଚ୍‌.ଜି ସଦସ୍ୟାମାନେ ଭଲ ରୋଜଗାର କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଆଶାତୀତ ଉନ୍ନତି ଆଣିପାରିଛନ୍ତି। ଏହି ଲଘୁ ଉଦ୍ୟୋଗ ଧୂପକାଠି ପ୍ରସ୍ତୁତିରେ ଅଧିକରୁ ଅଧିକ ମହିଳାଙ୍କୁ ନିୟୋଜନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଇ.ଟି.ସି ବିଭିନ୍ନ ସମୟରେ ଅନେକ କଲ୍ୟାଣମୂଳକ ପଦକ୍ଷେପମାନ ହାତକୁ ନେଇଛି । ବର୍ତ୍ତମାନ ଏହି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଆଦି ୧୨ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି।

ଓରମାସର ଜିଲ୍ଲାସ୍ତରୀୟ ୟୁନିଟ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକଳ୍ପ ଅଧିନରେ ଧୂପକାଠି ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଆଇଟିିସି ଓଡ଼ିଶାରେ ଧୂପକାଠି ପ୍ରସ୍ତୁତି ପାଇଁ ୧୦୦୦ରୁ ଅଧିକ ପେଡାଲ ଚାଳିତ ମେସିନ ବିନା ମୂଲ୍ୟରେ ଯୋଗାଇ ଦେଇଛି।

ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା, ଓରମାସ୍‌ ମାସିକ ପ୍ରାୟ ୩୦ ମେଟ୍ରିକ ଟନ୍‌ ଧୂପକାଠି ପ୍ରସ୍ତୁତ କରି ଆଇ.ଟି.ସିକୁ ଯୋଗାଇ ଦେଉଛି। ଏହି ଯୋଜନାରେ କାମ କରୁଥିବା ମହିଳା ହିତାଧିକାରୀଙ୍କ ହାରାହାରି ମାସିକ ଆୟ ୩-୪ ହଜାର ଟଙ୍କା ହେଉଥିବାବେଳେ, ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ବିକଳ୍ପ ସ୍ଥାୟୀ ଜୀବିକା ହୋଇପାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏସଏଚଜି ମହିଳାମାନେ ହେଉଛନ୍ତି ସ୍ବତଃପ୍ରବୃତ ଲିଡର, ଏପରି କାହିଁକି କହିଲେ ସଚିବ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି। ଏସ୍‌ଏଚ୍‌ଜିରୁ ଉଦ୍ୟୋଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳାମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ।

ଗତ ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍‌ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍‌ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍‌ ପ୍ରଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଉପରୋକ୍ତ ମର୍ମରେ ମତପ୍ରକାଶ କରିଛନ୍ତି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ୍‌ କହିଲେ, ଏସ୍‌ଏଚ୍‌ଜିମାନେ ହେଉଛନ୍ତି ସ୍ୱତଃପ୍ରବୃତ୍ତ ଲିଡର। ସେମାନଙ୍କ ମଧ୍ୟରେ ଅସାଧାରଣ ଦକ୍ଷତା, ସାମର୍ଥ୍ୟ ଏବଂ ଶକ୍ତି ରହିଛି। ଆମ ରାଜ୍ୟରେ ଏସ୍‌ଏଚ୍‌ଜି ଆନ୍ଦୋଳନ ସଫଳ ହୋଇଛି ସେଇମାନଙ୍କ ନେତୃତ୍ୱ ପାଇଁ। ଏହି ଲିଡରମାନେ ପ୍ରଶିକ୍ଷିତ ହେଲେ ସେମାନେ ତାଙ୍କ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ସଶକ୍ତିକରଣର ପ୍ରମୁଖ ସୂତ୍ରଧର ସାଜିବେ।

ଏହି କର୍ମଶାଳାରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଏନ୍‌. ଥିରୁମାଲା ନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ବିନୋଦ କୁମାର ଜେନା ଏବଂ ବିଶେଷଜ୍ଞମାନେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନିକଟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ଦୁବାଇ ଅନ୍ତର୍ଜାତୀୟ ବିମାନ ଯାତ୍ରାରେ ଏସ୍‌ଏଚ୍‌ଜି ଲିଡରମାନଙ୍କ ପ୍ରତିନିଧି ଦଳରେ ସାମିଲ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର ସଭାପତି ବିଷ୍ଣୁପ୍ରିୟା ଦାସ ତାଙ୍କର ଦୁବାଇ ଯାତ୍ରାର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୨୦ ଟି ଜିଲ୍ଲାର ପ୍ରାୟ ୭୦୦ ରୁ ଊଦ୍ଧ୍ୱର୍ ବ୍ଲକ ଓ ଜିଲ୍ଲା ମହାସଙ୍ଘର ସଦସ୍ୟା ତଥା ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନେ ଯୋଗଦାନ କରିଥିଲେ। ବ୍ୟାଙ୍କ ଋଣ ବ୍ୟବସ୍ଥାକୁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଖେ ପହଞ୍ଚାଇବା, ନିୟମତି ଋଣ ପରିଶୋଧ କରି ସୁଧ ରିହାତି ପାଇବା ସୁନିଶ୍ଚିତ କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନଙ୍କୁ ଏହି ପ୍ରଶିକ୍ଷଣ ମାଧ୍ୟମରେ, ଏ ସମ୍ପର୍କିତ ତାଲିମ ଦିଆଯାଇଛି, ଯେଉଁମାନେ କି ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ମହାସଂଘର ସଦସ୍ୟାମାନଙ୍କୁ ସଚେତନ କରାଇବେ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସୁଧ ଫେରସ୍ତ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଏହି ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ସମସ୍ତ ଏସଏଚଜି ସଦସ୍ୟାମାନଙ୍କୁ ସଚେତନ କରାଇବେ।

ମିଶନ ଶକ୍ତି ବିଭାଗର ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ୧୦୧୪ ଜଣ ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ବିଭିନ୍ନ ତାଲିମ ଓ ସଚେତନ କାର୍ଯ୍ୟକ୍ରମ ନିମନ୍ତେ ବିଶେଷଜ୍ଞ ଗୋଷ୍ଠୀ (ରିସୋର୍ସ ଗୋଷ୍ଠୀ) ଭାବେ କାର୍ଯ୍ୟ କରିବେ।

ରାଜ୍ୟରେ ବିଗତ ୮ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶିର ପରିମାଣ ୧୯ ଗୁଣ ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ରାଶି ବୃଦ୍ଧିପାଇ ୧୧୦୦୦ କୋଟି ଟଙ୍କାରେ ପହଞ୍ଚିପାରିଛି। ଏ ବର୍ଷ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଏସଏଚଜିମାନଙ୍କୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ତୃଣମୂଳ ସ୍ତରରେ ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ଓ ସଚେତନ କରାଇବାରେ ବ୍ଲକ ଓ ଜିଲ୍ଲାସ୍ତରୀୟ ଏହି ବିଶେଷଜ୍ଞ ଗୋଷ୍ଠୀ ଯଥେଷ୍ଟ ସହାୟକ ହେବେ ବୋଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କେବଳ ମାଛ ନୁହେଁ, ଏଣିକି ଏସଏଚଜି ମହିଳାମାନେ ଉତ୍ପାଦନ କରିବେ ଶୁଖୁଆ

ଭୁବନେଶ୍ୱର: ମିଶନ ଶକ୍ତି ସହାୟତାରେ ଆମ ରାଜ୍ୟର ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ୧୩୨୮୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦୀ ଲିଜ ସୂତ୍ରରେ ନେଇ ସଫଳତାର ସହିତ ମାଛଚାଷ କରି ରାଜ୍ୟର ମାଛ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହୋଇପାରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଆଗ୍ରହ, ଏକାଗ୍ରତା ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିପାରିଛି।

ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ, ମତ୍ସ୍ୟ ନିର୍ଦ୍ଧେଶାଳୟ ଏବଂ ବିଶ୍ୱସ୍ତରୀୟ ସଂଗଠନ ୱାର୍ଲଡଫିସର ମିଳିତ ଅନୁକୁଲ୍ୟରେ ଲୋକସେବା ଭବନର କନଭେନସନ ହଲରେ ପ୍ରଥମ ପରିଚିତି ଓ ଅଭିମୁଖୀକରଣ (Inception-cum- Orientation Workshop ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୭ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱାସ୍ଥ୍ୟକର ପରିବେଶରେ ଉନ୍ନତମାନର ଶୁଖୁଆ ଉତ୍ପାଦନ, ସେଥି ନିମନ୍ତେ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଏହି ସହିତ ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୱାର୍ଲଡ୍‌ ଫିସ୍‌ ସହାୟତାରେ ୩୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ ସଦସ୍ୟା ଶୁଖୁଆ ଉତ୍ପାଦନ ପାଇଁ ଏବଂ ପ୍ରାୟ ୨୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୨୦,୦୦୦ ସଦସ୍ୟା ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ ତାଲିମ୍‌ ପାଇବେ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ ଯୋଗଦେଇ ଏହି ନୂତନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟ ମିଶନ ନିର୍ଦ୍ଦେର୍ଶକ-ତଥା-ମୁଖ୍ୟ ନିର୍ବାହୀ ଏନ. ତିରୁମାଲା ନାୟକ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ମତ୍ସ୍ୟ ବିଭାଗ ଓ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟର ଉଚ୍ଚପ୍ରଶଂସା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲାର ଆଉ କେତେକ ମଠ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ଆଳିର ଡେମାଳସ୍ଥିତ ଲକ୍ଷ୍ମୀବରାହ ମନ୍ଦିର, କେରେଡାଗଡସ୍ଥିତ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠ ଆଦି ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦଲ୍ୟ, ମଠର ଶିଷ୍ୟଗଣ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ଏସବୁ ଅନୁଷ୍ଠାନର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ DPR ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ସାତଭାୟା ଗ୍ରାମପଞ୍ଚାୟତର ବଗପଟିଆ ଗାଁରେ ଏକ ଥଇଥାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ଏଠାରେ ଥଇଥାନ ହୋଇଥିବା ଲୋକମାନେ ଏକ ପଞ୍ଚୁବରାହୀ ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରର ଆହୁରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

୫-ଟି ସଚିବ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାର ବିଭିନ୍ନ ସରକାରୀ ଓ ସହାୟତାପ୍ରାପ୍ତ କଲେଜ ଗୁଡିକର ପ୍ରତିନିଧି ଓ ଛାତ୍ରମାନଙ୍କୁ ଭେଟିଥିଲେ। ପ୍ରତ୍ୟେକ କଲେଜର ଆବଶ୍ୟକତାରୁ ଦୃଷ୍ଟିରେ ରଖି ଏଗୁଡିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ପାଇଁ ରିପୋର୍ଟ ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଆଜି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସହିତ ରାଜନଗର ବ୍ଲକ୍‌ର ଭଟପଦା ଠାରେ ନିର୍ମଣାଧିନ ଏକ Spurର କାମ ଅନୁଧ୍ୟାନ କରିଥିଲେ। ଏହାସହିତ ହଂସୁଆ ନଦୀର ଦକ୍ଷିଣବନ୍ଧ ପଟେ କେରଡାଗଡ-ଅଳଟଙ୍ଗା ଲୁଣିବନ୍ଧର ମରାମତି କାମ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଇଂଜିନିଅରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜକନିକା ଓ ରାଜନଗର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସୁବିଧା, ରୋଗୀସେବା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିଷୟରେ ବିଭାଗୀୟ ଅଧିକାରୀ, ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏଠାରେ ରୋଗୀଙ୍କୁ ଆହୁରି ସୁବିଧା ପ୍ରଦାନ କରିବାପାଇଁ ପରାମର୍ଶ ଦେଇଥିଲେ । ଦୁଇଟିଯାକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଥିବାରୁ ଶ୍ରୀ ପାଣ୍ଡିଆନ ଖୁସିବ୍ୟକ୍ତ କରିଥିଲେ । ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମେଡିକାଲ କ୍ୟାଣ୍ଟିନ ମଧ୍ୟ ୫-ଟି ସଚିବ ପରିଦର୍ଶନ କରିଥିଲେ। ସେଠାରେ SHG ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରି ସେମାନେ କିପରି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, କେତେ ଲାଭ କରୁଛନ୍ତି, ସେ ସଂପର୍କରେ ପଚାରି ବୁଝିଥିଲେ। ରୋଗୀମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଆଳିରେ ଥିବା ଏକ ଫୁଟବଲ ଷ୍ଟାଡିଅମକୁ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ୪ ଜଣ ଜାତୀୟ ସ୍ତରର ଖେଳାଳୀ ବାହାରି ଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ ଏବଂ ଏହି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ଏକ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ରାଜକନିକା ବ୍ଳକ୍‌ର ତରଶ ହାଇସ୍କୁଲ ଓ ବଡପାଲୀ ହାଇସ୍କୁଲ ପରିଦର୍ଶନ କରିଥିଲେ। ଏହି ଦୁଇଟି ସ୍କୁଲ ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ସ୍କୁଲ ରୂପାନ୍ତିରରେ ସାମିଲ ହୋଇଥିଲା। ଏଠାରେ ସେ ଶିକ୍ଷକ, ଛାତ୍ର, ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରି ସେଠାରେ ଥିବା ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ସ୍କୁଲରେ ସୃଷ୍ଟି ହୋଇଥିବା ଏହି ନୂଆ ଆଧୁନିକ ବ୍ୟବସ୍ଥାକୁ ନିଜର ସଂପତ୍ତି ଭଳି ସୁରକ୍ଷିତ ରଖି ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ।

ରାଜନଗର ବ୍ଲକ୍‌ର ବାଲିସାହିପାଟଣା ପଞ୍ଚାୟତର ଧଣ୍ଡିଆ ଗ୍ରାମରେ କସ୍ତୁରବା ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେସନ ଦ୍ବାରା ପରିଚାଳିତ ଏକ ଦୁଗ୍‌ଧ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରିଥିଲେ। ଏଠାରେ ସେ ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଯଥା – ଦୈନିକ ଦୁଗ୍‌ଧ ସଂଗ୍ରହ, ପ୍ରକ୍ରିୟାକରଣ, ମାର୍କେଟିଂ ବ୍ୟବସ୍ଥା ଆଦି ସଂପର୍କରେ ଅନୁଧ୍ୟାନ କରି ଏହାର ଉଚ୍ଚପ୍ରଶଂସା କରିଥିଲେ। ମିଶନ ଶକ୍ତି ଗୋଷ୍ଠୀମାନଙ୍କ ଦ୍ବାରା ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ଯୋଗ୍ୟ ବୋଲି ସେ କହିଥିଲେ। ରାଜନଗର ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଫେଡେରେସନ ଦ୍ବାରା ପରିଚାଳିନତ ଏକ ମିଶନ ଶକ୍ତି କେଫ୍ ମଧ୍ୟ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ସେମାନଙ୍କ ସହିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ।
ଗସ୍ତର ଶେଷରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲାର ବିଭିନ୍ନ କଲେଜ ର ଛାତ୍ରଛାତ୍ରୀ ଙ୍କୁ ଭେଟି ସେମାନଙ୍କ କଲେଜ ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ.

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା, କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ମାଟି କପ ବିକ୍ରି କରି ସେମାନେ ପାଉଛନ୍ତି ମାସକୁ ଲକ୍ଷେ

ଭୁବନେଶ୍ବର: ମାଟି କପ ବିକ୍ରି କରି ସେମାନେ ପାଉଛନ୍ତି ମାସକୁ ଲକ୍ଷେ ଟଙ୍କା। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ବର୍ତ୍ତମାନ ମାଟି କପର ଚାହିଦା ଥିବାରୁ ସେମାନେ ଏହି କପ ତିଆରି କରନ୍ତି। ଆଉ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି। ପାଆନ୍ତି ଲକ୍ଷେ ଆଉ ସେଥିରୁ ଲାଭ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଲାଭ ହେଉଛି ଅଶି ହଜାର ଟଙ୍କା।

ଏହି କାମ କରି ଦେଖାଇଛନ୍ତି କଟକ ଡମପଡାର ଓଁ ସାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଏହି ଗୋଷ୍ଠୀର ଅନେକ ମହିଳା କୁମ୍ଭାର କାମ ପ୍ରତି ରହିଛି ଆଗ୍ରହ। ସେଥିପାଇଁ ସେମାନେ ଏସଏଚଜି ଋଣ ଆଣି ତିଆରି କରିଛନ୍ତି ଭାଟି। ଏଥିରେ ସେମାନେ କାରୁ କାର୍ଯ୍ୟ ଭରା ମାଟି କପ ନିର୍ମାଣ କରି ବର୍ତ୍ତମାନ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ; ଏସଏଚଜି ମିଳିଲା ୨୨୦ କୋଟି ଟଙ୍କା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେ ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ସୋମନାଥପୁର ଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍‌ଘାଟିତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମା ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଥିଲେ ଏବଂ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ୬୦ ହଜାର ମା ମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ବ ଆରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ବତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରିପାରିବେ, ତେବେ ଏଥିପାଇଁ ବଜାର ସୃଷ୍ଟି ହେବାରେ ସୁବିଧା ହେବା ସହିତ ପ୍ରତ୍ୟେକ ପଞ୍ଚାୟତର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ। ମା ମାନେ ଓଡିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ମା ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ହେଉଛି ଏକ ଆଗୁଆ ଜିଲ୍ଲା। ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି – ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ। ଆଜିର କାର୍ଯ୍ୟକ୍ରମ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ବାଲେଶ୍ବର ବିଧାୟକ ଶ୍ରୀ ସ୍ବରୂପ ଦାସ ପ୍ରମୁଖ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବାଲେଶ୍ବର ଜିଲ୍ଲାରେ ହୋଇଥିବା ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ମେଡିକାଲ କଲେଜ ଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ କଲ୍ୟାଣ କାର୍ଯ୍ୟକ୍ରମ ସବୁ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ବୋଲି ସେମାନେ କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ବାରା ମା ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକଗଣ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏସଏଚଜି ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ

ଭୁବନେଶ୍ବର: ରାଜ୍ୟର ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା।

ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଆମର ମିଶନ ଶକ୍ତି ମା’ମାନେ ଏସ୍‌ଏଚଜିରୁ ଏସ୍‌ଏମ୍‌ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ରୂପାନ୍ତର କ୍ଷେତ୍ରରେ ମା’ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ମିଶନ ଶକ୍ତି ମା’ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହାଦ୍ବାରା ମିଶନ ଶକ୍ତିର ମା’ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଆମ ପ୍ରତିଶୃତି ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ମା’ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪୦୦୦ କୋଟି ଟଙ୍କାର ବିଜିନେସ ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଆମର ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ ଏସଏଚଜି ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ଅଭିନବ ଉଦ୍ୟମ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୭୦ ଲକ୍ଷ ମା ମାନଙ୍କୁ ୬ ଲକ୍ଷ ଏସଏଚଜି ଜରିଆରେ ଏହା ଏକାଠି କରିପାରିଛି। ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ବତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ ଏସଏଚଜି କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସ୍‌.ଏଚ.ଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମହୁଲର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ଜନଜାତି ମହିଳାଙ୍କୁ ତାଲିମ

ଭୁବନେଶ୍ୱର : ଓଡ଼ିଶାର ଭୌଗୋଳିକ ପରିସୀମାର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ। ଜନଜାତି ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲର ପରିମାଣ ଅପେକ୍ଷାକୃତ ଅଧିକ, ଯାହା ଜନଜାତି ଗୋଷ୍ଠୀଙ୍କର ଜଙ୍ଗଲ ଆଧାରିତ ଜୀବନଜୀବିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି, ଜଙ୍ଗଲରୁ ଉପଲବ୍ଧ ଲଘୁ ବନଜାତ ଦ୍ରବ୍ୟ ଶ୍ରେଣୀଭୁକ୍ତ ବିଭିନ୍ନ ଉତ୍ପାଦ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ନିର୍ବାହ ତଥା ଅର୍ଥନୀତି ପାଇଁ ଅତି ମହତ୍ତ୍ୱ୍ୱପୂର୍ଣ୍ଣ ।

ଏହି ଲଘୁ ବନଜାତ ଦ୍ରବ୍ୟମାନଙ୍କ ମଧ୍ୟରେ ମହୁଲ ଫୁଲ ଅନ୍ୟତମ । ଏହା ଜନଜାତି ଗୋଷ୍ଠୀମାନଙ୍କର ସଂସ୍କୃତି ଓ ଖାଦ୍ୟ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଆସିଛି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ଓ ଅର୍ଥନୀତିକୁ ଏହା ପ୍ରଭାବିତ କରିବା ସହିତ ସମୃଦ୍ଧ କରିଆସିଛି । ବିଜ୍ଞାନସମ୍ମତ ନିରନ୍ତର ଅମଳ ପ୍ରକ୍ରିୟାର ଅବଲମ୍ବନରେ ତଥା କାରିଗରୀ ବିଦ୍ୟାର ସଠିକ୍‌ ଉପଯୋଗରେ ଏହି ମହୁଲ ଫୁଲର ଖାଦ୍ୟ ପ୍ରକ୍ରିୟାକରଣକୁ ମୂଲ୍ୟଯୁକ୍ତ କରାଯାଇପାରିଲେ ଏହା ଜନଜାତି ପରିବାରଙ୍କ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିପାରିବ ।

ଏହି ପରିପ୍ରେକ୍ଷୀରେ ଜନଜାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ମହୁଲ ଫୁଲ ସଂଗ୍ରହକାରୀମାନଙ୍କୁ ମହୁଲ ଫୁଲର ଉନ୍ନତ ପ୍ରକ୍ରିୟାକରଣ ଦିଗରେ ଉଦ୍ୟୋଗୀ କରି ସେମାନଙ୍କର ଅର୍ଥନୀତିକୁ ଅଗ୍ରଗାମୀ କରାଇବା ଦିଗରେ ଜୁଲାଇ ୨୫ ତାରିଖଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ) ତଥା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ପ୍ରକ୍ରିୟାକରଣ ଓ ଖାଦ୍ୟ ପ୍ରଯୁକ୍ତି ବିଜ୍ଞାନ ବିଭାଗ ତଥା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଆଜାଦି କି ଅମି୍ରତ ମହୋତ୍ସବ ଅବସରରେ ମହୁଲର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ଜନଜାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦକ୍ଷତା ବୃଦ୍ଧି ତାଲିମର ଆୟୋଜନ କରାଯାଇଛି ।

ଏହି ତାଲିମ କାର୍ଯ୍ୟକ୍ରମରେ ୩ଟି ପର୍ଯ୍ୟାୟରେ ପ୍ରାୟ ୧୦୦ ଜନଜାତି ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ ଓ ପ୍ରତ୍ୟେକ ପର୍ଯ୍ୟାୟର ଅବଧି ୩ ଦିନ ରହିବ । ପର୍ଯ୍ୟାୟ କ୍ରମେ ତାଲିମ ସୂଚୀ ୨୫ରୁ ୨୭ ଜୁଲାଇ, ୨୮ରୁ ୩୦ ଜୁଲାଇ ଓ ୨ରୁ ୪ ଅଗଷ୍ଟ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜନଜାତି ବହୁଳ ଜିଲ୍ଲାମାନଙ୍କରୁ ଜନଜାତି ମହିଳାମାନେ ଅଂଶଗ୍ରହଣ କରିଛନ୍ତି ।

ଆଜି ପ୍ରଥମ ପର୍ଯ୍ୟାୟରେ ତାଲିମର ଉଦ୍‌ଘାଟନୀ ଉତ୍ସବରେ ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ଓୟୁଏଟିର ଡିନ୍‌ ଡ. ସଂଜୟ କୁମାର ଦାସ, ଓୟୁଏଟି-ସିଏଇଟିର ବିଭାଗୀୟ ମୁଖ୍ୟ ଡ. କଳ୍ପନା ରାୟଗୁରୁ ତଥା ଉଭୟ ଅନୁଷ୍ଠାନର ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇ ତାଲିମର ଶୋଭାମଣ୍ଡନ କରିଥିଲେ । ଓୟୁଏଟି-ସିଏଇଟିର ସହଯୋଗକୁ ପ୍ରଶଂସା କରିିବା ସହିତ ଆଗାମୀ ଦିନରେ ଦୁଇ ସହଯୋଗୀ ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ଅନେକ କାର୍ଯ୍ୟକ୍ରମ କରାଯାଇପାରିବ ବୋଲି ପ୍ରଫେସର ଡ. ଓତା ଆଶାପୋଷଣ କରିଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଓଡିଶା ବିଧାୟକଗଣ ଧ୍ୟାନ ଦିଅନ୍ତୁ, ଏଣିକି ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରୁ କିଣିପାରିବେ ମାସ୍କ

ଭୁବନେଶ୍ବର,  କୋଭିଡ19 ମୁକାବିଲା ପାଇଁ ଏଣିକି ବିଧାୟକମାନେ ତାଙ୍କର ଆଞ୍ଚଳିକ ବିକାଶ ପାଣ୍ଠିରୁ ମାସ୍କ କିଣିପାରିବେ। ତେବେ କୌଣସି କଂପାନୀରୁ ନୁହେଁ, ନିଜ ଅଞ୍ଚଳର SHG ମା’ମାନଙ୍କଠାରୁ ଏହି ମାସ୍କ କିଣିପାରିବେ। ଆଜି ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି। ଏହାଦ୍ବାରା ମାସ୍କ ତିଆରିରେ ନିୟୋଜିତ ଥିବା SHGର ମା ମନେ ଏହି ସମୟରେ ରୋଜଗାର ପାଇପାରିବେ। ଏଥିସହିତ SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ମଧ୍ୟ ଦୃଷ୍ଟି ରଖିବା ସହିତ ବ୍ୟାଙ୍କମାନଙ୍କ ସହିତ ଯୋଗାଯୋଗରେ ରହିବା  ପାଇଁ ନବୀନ ପରାମର୍ଶ ଦେଇଥିଲେ।

Categories
ବିଶେଷ ଖବର

ପ୍ରମିଳା ବିଷୋୟୀ ଲୋକସଭାକୁ ଗଲେ କହିବେ କଣ ଓ କରିବେ କଣ- ଏ ପ୍ରଶ୍ନ ପଚାରିବାକୁ ଆମେମାନେ କେତେ ଯୋଗ୍ୟ ?

କେଦାର ମିଶ୍ର

ପ୍ରମିଳା ବିଷୋୟୀ, ବୟସ ସତୁରୀ, ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ବୃତ୍ତିରେ ସମାଜସେବୀ। ତାଙ୍କୁ ଆସ୍କା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ କରାଗଲା ପରେ ହଠାତ ତାଙ୍କର ଦକ୍ଷତା ଓ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠା ହେଉଛି। ଏ ଦେଶର ଲୋକସଭାରେ ଜଣେ ଅଳ୍ପ ପାଠ ପଢିଥିବା ମହିଳା କଣ କରିପାରିବେ ବୋଲି ସନ୍ଦେହ ପ୍ରକଟ କରାଯାଉଛି। ସନ୍ଦେହ ଉଠିବା ସ୍ଵାଭାବିକ। ବିଜେଡି ଟିକେଟ ପାଇଲା ପରେ ପ୍ରମିଳାଙ୍କୁ ଜଣେ ସାମ୍ବାଦିକ ସେକଥା ପଚାରିଲେ ମଧ୍ୟ। ଏହାର ଉତ୍ତରରେ ପ୍ରମିଳା ଯାହା କହିଲେ, ତାହା ମୋ ମତରେ ମୁଁ ଶୁଣିଥିବା ସବୁଠୁ ଚମତ୍କାର ଉତ୍ତରମାନଙ୍କ ଭିତରୁ ଅନ୍ୟତମ। ପ୍ରମିଳାଙ୍କ କହିବା କଥା ହେଲା, ମୁଁ ଭଲ ଓଡିଆ ପଢିପାରେ ଓ ଲେଖିପାରେ। ଲୋକସଭାରେ ସେଟା କଣ ଯଥେଷ୍ଟ ନୁହେଁ? ଲୋକସଭା ଯଦି ଲୋକଙ୍କର ସଭା ତାହେଲେ ସେଠି ଲୋକଙ୍କର ଭାଷା କାହିଁକି ଚଳିବ ନାହିଁ? ପ୍ରମିଳାଙ୍କ ଶିକ୍ଷାଗତ ଯୋଗ୍ୟତା ତୁଳନାରେ ପ୍ରମିଳାଙ୍କ ଅଭିଜ୍ଞତା ଓ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରାଇବାରେ ତାଙ୍କର ଭୂମିକା ତାଙ୍କର ଯୋଗ୍ୟତା ହେବନାହିଁ କାହିଁକି? ଗଞ୍ଜାମ ଜିଲ୍ଲାରେ ହଜାର ହଜାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଏକତ୍ରୀତ କରି ମହିଳାଙ୍କ ପାଇଁ  ଆର୍ଥିକ ସ୍ଵାଧୀନତା ଯୋଗାଇବାରେ ଯେଉଁ ଭଦ୍ର  ମହିଳା ଅତ୍ୟନ୍ତ ଦକ୍ଷ ଭୂମିକା ତୁଲାଇଛନ୍ତି, ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଆମର ନିର୍ବୋଧତା ନୁହେଁ କି?

ଶିକ୍ଷାଗତ ଯୋଗ୍ୟତା ରାଜନୀତିରେ ଏକମାତ୍ର ମାପକାଠି ନୁହେଁ। ଆଜିର ପ୍ରଧାନମନ୍ତ୍ରୀ ଅନେକ ସମୟରେ “ହାର୍ଭାର୍ଡ ବନାମ ହାର୍ଡ ୱାର୍କ” ପ୍ରସଙ୍ଗ ଉଠାଇଛନ୍ତି। କେବଳ ପାଠ ପଢିଦେଲେ ରାଜନୀତିରେ ପରିବର୍ତ୍ତନ ଆସିବ ନାଇଁ। ପାଠ ସହିତ ସାମାଜିକ ଓ ରାଜନୈତିକ ଅଭିଜ୍ଞତା ରାଜନୀତି ଲାଗି ବେଶୀ ପ୍ରାସଙ୍ଗିକ। ଆଜି ସାରା ଦେଶରେ ଅନେକ ମହିଳା ନେତ୍ରୀ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ କମ, କିନ୍ତୁ ରାଜନୀତିରେ ସେମାନଙ୍କର ଯୋଗଦାନ ଅନେକ ପ୍ରଭାବଶାଳୀ ସାମାଜିକ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇ ପାରିଛି। ଗ୍ରାମ ପଞ୍ଚାୟତ ସ୍ତରରେ ଏହି ମହିଳାମାନେ ଇ ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି। ଅନେକ ସରପଞ୍ଚ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ ପ୍ରଥମ ବା ଦ୍ଵିତୀୟ ଶ୍ରେଣୀ, କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ମହିଳାମାନେ ବିରାଟ ପରିବର୍ତ୍ତନ ଆଣିଛନ୍ତି।

ଓଡିଶାରେ  ମହିଳା ସଶକ୍ତିକରଣ ଓ ଆର୍ଥିକ ଦୃଷ୍ଟିରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଉଦ୍ୟମ ଯୋଗୁଁ ଗ୍ରାମୀଣ ସ୍ତରରେ ଅନେକ ଉଦ୍ୟୋଗୀ ବାହାରିଛନ୍ତି। ଏମାନେ ସ୍ଥାନୀୟ ଓ ଘରୋଇ ଉତ୍ପାଦନର ବଜାର ସୃଷ୍ଟି କରି ବିରାଟ ଉଦାହରଣ ପାଲଟିଛନ୍ତି। ନଳବନ୍ତ ଗାଁ ର ସତସଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭୂମିକାରେ ପ୍ରମିଳା ବିଷୋୟୀଙ୍କ ଭୂମିକା କେବଳ ଆଜି ନୁହଁ, ବରଂ ବହୁ ଆଗରୁ ଚର୍ଚ୍ଚିତ। ତାଙ୍କୁ ଆଜି ବିଜୁ ଜନତା ଦଳ ଲୋକସଭା ଟିକଟ ଦେଇଛି ବୋଲି ସେ ଯେ ଚର୍ଚ୍ଚିତ, ସେକଥା କହିବା ଭୁଲ ହେବ। ବରଂ, ଗଣତନ୍ତ୍ରର ଅସଲ ଆଦର୍ଶ ହେଉଛି ପ୍ରମିଳା ବିଷୋୟୀମାନଙ୍କୁ ଏ ଦେଶର ନୀତି ଓ ନିୟମ ପ୍ରଣୟନରେ ପ୍ରମୁଖ ଭୂମିକା ଦେବା। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଏମାନେ ଯେଉଁ ଉଲ୍ଲେଖନୀୟ ଅଭିଜ୍ଞତା ହାସଲ କରିଛନ୍ତି, ତାକୁ ସର୍ବୋଚ୍ଚ ନୀତି ପ୍ରଣୟନ କ୍ଷେତ୍ରରେ ଉପଯୋଗ କରିବା ଆମ ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ ହେବା ଉଚିତ।

ପ୍ରମିଳାଙ୍କ ପରି ଅଭିଜ୍ଞ ନେତ୍ରୀଙ୍କୁ ହୁଏତ ତାତ୍ସଲ୍ୟ କରିବା ସହଜ। ସେ ଲୋକସଭାରେ କଣ କରିପାରିବେ ବା କହିପାରିବେ  ବୋଲି କହି ତାଙ୍କୁ ତୁଚ୍ଛ କରିଦେବା ମଧ୍ୟ ସହଜ। ହେଲେ ପ୍ରମିଳା ବିଷୋୟୀମାନେ ଯେତେବେଳେ କହିବା ଆରମ୍ଭ କରନ୍ତି ସେତେବେଳେ ବହୁ ଉଚ୍ଚ ଶିକ୍ଷିତଙ୍କ ପାଟି ଥମ ହୋଇଯାଏ। ସାମାଜିକ ଜୀବନରେ ଏମାନେ ଏମିତି ଅଭିଜ୍ଞତା ହାସଲ କରି ଆସିଥାନ୍ତି, ଯାହାକି ଶିକ୍ଷିତଙ୍କ ପାଇଁ ସାତସ୍ଵପ୍ନ। ଶିକ୍ଷାକୁ କେବଳ ଏକ ସାର୍ଟିଫିକେଟ ବୋଲି ଭାବୁଥିବା ଲୋକଙ୍କ ପାଇଁ ପ୍ରମିଳା ବିଷୋୟୀ ହୁଏତ ଗ୍ରହଣୀୟ ହୋଇ ନପାରନ୍ତି, କିନ୍ତୁ ଦେଶର ସର୍ବୋଚ୍ଚ ବିଧାୟକ ସଭାରେ ଏ ପ୍ରକାର ନେତୃତ୍ବର ସର୍ବାଧିକ ଆବଶ୍ୟକତା ରହିଛି।

ଶେଷରେ ଏକ ବ୍ୟକ୍ତିଗତ ଅନୁଭବର କଥା କହି ଏ ପ୍ରସଙ୍ଗକୁ ସାରିବା। ୧୯୯୦ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ଫେରିବେ ବୋଲି ପ୍ରବଳ ହାୱା ବୋହୁଥାଏ। ସେତେବେଳେ ଆମେ ସବୁ କଲେଜ ଛାତ୍ର। ଆମ ସୋନପୁର ନିର୍ବାଚନ ମଣ୍ଡଳୀରୁ କୁନ୍ଦୁରୁ କୁଶଳ ନାମକ ଜଣେ ଇଟାଭାଟି ଶ୍ରମିକଙ୍କୁ ବିଜୁ ବାବୁ ଜନତା ଦଳର ଟିକଟ ଦେଉଛନ୍ତି ବୋଲି ଆମେ ଶୁଣୁଥିଲୁ। କୁନ୍ଦୁରୁ ବାବୁ ପ୍ରାୟ ନିରକ୍ଷର। ଏହାର ପ୍ରତିବାଦ କରିବାକୁ ଆମେ ପ୍ରାୟ ୨୦ ଜଣ ଯୁବକ ଓ ଛାତ୍ର ସେତେବେଳେ ନବୀନ ନିବାସକୁ ଆସିଥିଲୁ। ସେତେବେଳେ ବିଜୁ ବାବୁ ଆମକୁ କହିଥିଲେ- “ଗେଟ ଆଉଟ, କାନ୍ଦୁରୁ ଏ ରାଜ୍ୟର ସବୁଠୁ ଭଲ ବିଧାୟକ ହେବ”। ଆମେ ସବୁ ସେତେବେଳେ ବିଜୁ ବାବୁଙ୍କ ଉପରେ ରାଗିକି ନବୀନ ନିବାସରୁ ଫେରିଥିଲୁ। ପରବର୍ତ୍ତୀ ସମୟରେ କୁନ୍ଦୁରୁ ବାବୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ସୋନପୁରରେ ବହୁ ଶିକ୍ଷିତ ବିଧାୟକ ଯାହା କରିବାକୁ ସମର୍ଥ ହୋଇନଥିଲେ, କୁନ୍ଦୁରୁଙ୍କ ନେତୃତ୍ଵରେ ତାହା ସଫଳ ହୋଇଥିଲା। ଆଜି ବି ସୋନପୁରର ସବୁଠୁ ସଫଳ ଓ ଲୋକପ୍ରିୟ ବିଧାୟକ ଭାବରେ ସ୍ଵର୍ଗତ କୁନ୍ଦୁରୁ କୁଶଳଙ୍କୁ ଲୋକ ମନେ ରଖିଛନ୍ତି। ସବୁଠୁ ଦୁଃଖର କଥା ହେଉଛି, ୧୯୯୦ ରେ ଯେଉଁ ଶିକ୍ଷିତ ନେତାଙ୍କ ଲାଗି ଆମେ ବିଜୁ ବାବୁଙ୍କ ପାଖରେ ଲବି କରିବାକୁ ଆସିଥିଲୁ ସେ ପରବର୍ତ୍ତୀ ସମୟରେ ଜଣେ ନିଶାଖୋର ବ୍ୟକ୍ତି ସାବ୍ୟସ୍ତ ହେଲେ।

ଏକଥା କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଗଣତନ୍ତ୍ରରେ କୁନ୍ଦୁରୁ କୁଶଳ ଓ ପ୍ରମିଳା ବିଷୋୟୀମାନେ ଲୋକଙ୍କର ଆଶା ତଥା ଅଭୀପ୍ସାକୁ ଯେମିତି ବୁଝନ୍ତି, ସେମିତି ବୋଧଶକ୍ତି ଆମ ତଥାକଥିତ ଉଚ୍ଚ ଶିକ୍ଷିତଙ୍କ ପାଖରେ ନାହିଁ।