Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଷ୍ଟେଟ ବ୍ୟାଙ୍କ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନ ହଲ ପରିସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋନ ମେଳାକୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ।

ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ୫୭୦ ଗୋଟି ଏସଏଚଜି କୁ ସମୁଦାୟ ୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କସ୍ତୁରୀବାଳା ଜେନା, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ମ୍ୟାନେଜର ନରେନ୍ଦ୍ର କୁମାର ଜେନା, ଖୋର୍ଦ୍ଧା ଏଲଡ଼ିଏମ ଅମର ଚନ୍ଦ୍ର ଅଗ୍ରୱାଲ, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ଚିଫ ମ୍ୟାନେଜର ରଶ୍ମିରଞ୍ଜନ ମିଶ୍ର, ଖୋର୍ଦ୍ଧା ଶାଖା ଡେପୁଟି ମ୍ୟାନେଜର ଡ଼ି. ବିଜୟଲକ୍ଷ୍ମୀ, ଏସବିଆଇ ବାଲୁଗାଁ, ଛଣଗିରି, କମାଗୁରୁ, ଜଟଣୀ ଓ ଖୋର୍ଦ୍ଧା ଶାଖା ମ୍ୟାନେଜର, ମିଶନ ଶକ୍ତି ଅଧିକାରୀ, ବ୍ୟାଙ୍କ ମିତ୍ର ଏବଂ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏସଏଚଜି ମହିଳାଙ୍କ ପାଇଁ ସ୍କୁଟର ଯୋଜନା, ୧୫ ହଜାର ମା’ଙ୍କୁ ମିଳିଲା ସ୍କୁଟର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ।

ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ୍‌କୁ ସରକାରୀ କାର୍ଯ୍ୟ ପାଇଁ ଯାନସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଥିଲେ। ଯାନସୁବିଧା ବଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ମା’ ମଙ୍ଗଳା ଏସ୍.ଏଚ୍.ଜି ଓ କଟକ ଜିଲ୍ଲାର ଜୟ ଶ୍ରୀରାମ ଏସ୍. ଏଚ୍.ଜିକୁ ସୁଧ ବାବଦ ଚେକ୍‌ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ମା’ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ମା’ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି। ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତଥି ଭାବେ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ଗତିଶୀଳତା ହିଁ ସଶକ୍ତିକରଣ। ଏହାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ କମ୍ୟୁନିଟ ସର୍ପୋଟ ଷ୍ଟାଫ, ବିଜିନେସ କରସପନଣ୍ଡାଣ୍ଟ ଏଜେଣ୍ଟ ଏବଂ ଏକ୍ଜୁକ୍ୟୁଟିଭ କମିଟ ମେମ୍ବର ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ଏହି ପଦକ୍ଷେପ ମିଶନ ଶକ୍ତି ଫେଡେରେସନ୍ ସହିତ କାର୍ଯ୍ୟରତ ‌ଓ ଏହା ଅଧିନରେ କାର୍ଯ୍ୟରତ ସଦସ୍ୟାମାନଙ୍କ ଯାତାୟତକୁ ସୁଗମ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜତା ଆର୍ କାର୍ତ୍ତିକେୟନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଅବସରରେ କହିଥିଲେ ଯେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପର ଉଦ୍‌ଘାଟନ ହେଲା । ୧୫ ହଜାର ଏସ୍.ଏଚ୍.ଜି ମା’ ସ୍କୁଟର ନେଇଛନ୍ତି।

୨ ଲକ୍ଷ କମ୍ୟୁନିଟ ସର୍ପୋଟ ମା’ ପର୍ଯ୍ୟାୟକ୍ରମେ ସ୍କୁଟର ନେବେ । ଏହି ଯୋଜନାରେ ଉପକୃତ ହେବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ଏକ୍ଜକ୍ୟୁଟିଭି କମିଟ ମେମ୍ବରମାନେ ହେଲେ ମିଶନ ଶକ୍ତିର ସେନାପତି। ସେମାନେ ମିଶନ ଶକ୍ତିକୁ ନୂଆ ଦିଗ ଦେଉଛନ୍ତି। ଏହି ସ୍କୁଟର ହେଉଛି ମିଶନ ଶକ୍ତି ମା’ ମାନଙ୍କ ପରିଚୟର ପ୍ରତୀକ। ଦକ୍ଷତାର ପ୍ରତୀକ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ଶ୍ରା ପି.କେ. ଜେନା , ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗିତାଞ୍ଜଳୀ ବସ୍ତିଆ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଏନ୍. ତିରୁମାଲା ନାୟକ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଧୂପକାଠି ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଳିଲା ସାଇକେଲ

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଓରମାସ୍‌ ମୁଖ୍ୟାଳୟ ପରିସରରେ ଆଜି ଓରମାସ ଏବଂ ଆଇ.ଟି.ସି.ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗ୍ରାମୀଣ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏଭଳି ପ୍ରୋତ୍ସାହନ ସେମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ।

ଏହା ଦ୍ୱାରା ଅଧିକରୁ ଅଧିକ ମହିଳା ଧୂପକାଠି ପ୍ରସ୍ତୁତ ଭଳି ଲଘୁ ଉଦ୍ୟୋଗ କାର୍ଯ୍ୟରେ ନିଜକୁ ସାମିଲ କରି ଭଲ ରୋଜଗାର ମଧ୍ୟ କରିପାରିବେ। ଓରମାସ ଏବଂ ଆଇଟିସିର ଏଭଳି ପଦକ୍ଷେପକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ ଓରମାସ ଏଭଳି ପଦକ୍ଷେପମାନ ଗ୍ରହଣ କରି ଗ୍ରାମୀଣ ଓଡ଼ିଶାର ଅର୍ଥନୀତିକୁ ଅଧିକ ସଶକ୍ତ କରିବାରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାବ୍ୟକ୍ତ କରିଥିଲେ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁୁ ସାଇକେଲ ପ୍ରଦାନ ଅବସରରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନି କହିଥିଲେ ଯେ ଏହି ସାଇକଲ ବଣ୍ଟନ ଆଗାମୀ ଦିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରେରଣା ଯୋଗାଇବ। ସେମାନେ ଖାଲି ଯେ ଆତ୍ମନିର୍ଭରଶୀଳ ହୋଇପାରିବେ ତା ନୁହେଁ ବରଂ ପରିବାର ଅନ୍ୟ ସଦସ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜି ପାରିବେ।

ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିଭର୍ରଶୀଳ କରିବା ଓ ଏ ଦିଗରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବାରୁ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଆଇ.ଟି.ସିକୁ ଧନ୍ୟବାଦ ଜଣାଇଥିଲେ। ନିଜ ଘରୁ, ସାଇକେଲ ଚଳାଇ ଧୂପକାଠି କ୍ଲଷ୍ଟରକୁ ଯିବା ଏବଂ ଏଥିପାଇଁ କାହା ଉପରେ ନିର୍ଭରଶୀଳ ନ ହେବା ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବ। ଏଥିସହ ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଓଡ଼ିଶାର ବିକାଶ ଦିଗରେ ଓରମାସର ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନି, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆଇଟିସି-ଏମ୍‌ଏବି, ଚେନ୍ନାଇର ମୁଖ୍ୟ ପରିଚାଳକ ଶ୍ରୀ ଏମ. ମୁଲରୀଧରଙ୍କ ଉପସ୍ଥିତିରେ ଧୂପକାଠି ପ୍ରସ୍ତୁତ କରୁଥିବା ୩୦ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଅମାତ ସାଇକେଲ ପ୍ରଦାନ କରିଥିଲେ।

ବିଭିନ୍ନ ଜିଲ୍ଲାରେ ଧୂପକାଠି ପ୍ରସ୍ତୁତ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଧୂପକାଠି ତିଆରି କରୁଥିବା ୨୦୦ ଜଣ ରୋଲର୍ସଙ୍କୁ ଏହି ସାଇକଲ ବଣ୍ଟନ କରାଯିବ। ଧୂପକାଠି ତିଆରି ପାଇଁ, ଘରୁ ପ୍ରତିଦିନ କାରଖାନାକୁ ଚାଲି ଚାଲି ଆସୁଥିବା ଗ୍ରାମୀଣ ମହିଳାଙ୍କ ଯାତାୟତର ସୁବିଧା ପାଇଁ ଆଇଟିସି-ଏମ୍‌ଏବି,ଚେନ୍ନାଇ ଏହି ସାଇକଲ ଯୋଗାଇ ଦେଇଛନ୍ତି।

୨୦୦୯ ମସିହାରେ ଓରମାସ ଏବଂ ଦେଶର ଅଗ୍ରଣୀ କର୍ପୋରେଟ ବ୍ୟବସାୟ ପ୍ରତିଷ୍ଠାନ ଆଇ.ଟି.ସି, ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଅନୁସାରେ ଆଇଟିସି ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଧୂପକାଠି ପ୍ରସ୍ତୁତ କରି ଯୋଗାଇ ଦେବା ପାଇଁ ସମସ୍ତ କଂଚାମାଲ ସହିତ ପ୍ରସ୍ତୁତ ଧୂପକାଠିକୁ ମଙ୍ଗଳଦୀପ୍‌ ନାମରେ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ କରି ବଜାରକୁ ବିକ୍ର ପାଇଁ ପଠାଉଛି।

ଏହି ପ୍ରକଳ୍ପରେ ସାମିଲ ହୋଇ ମହିଳା ଏସ୍‌.ଏଚ୍‌.ଜି ସଦସ୍ୟାମାନେ ଭଲ ରୋଜଗାର କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଆଶାତୀତ ଉନ୍ନତି ଆଣିପାରିଛନ୍ତି। ଏହି ଲଘୁ ଉଦ୍ୟୋଗ ଧୂପକାଠି ପ୍ରସ୍ତୁତିରେ ଅଧିକରୁ ଅଧିକ ମହିଳାଙ୍କୁ ନିୟୋଜନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଇ.ଟି.ସି ବିଭିନ୍ନ ସମୟରେ ଅନେକ କଲ୍ୟାଣମୂଳକ ପଦକ୍ଷେପମାନ ହାତକୁ ନେଇଛି । ବର୍ତ୍ତମାନ ଏହି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଆଦି ୧୨ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି।

ଓରମାସର ଜିଲ୍ଲାସ୍ତରୀୟ ୟୁନିଟ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକଳ୍ପ ଅଧିନରେ ଧୂପକାଠି ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଆଇଟିିସି ଓଡ଼ିଶାରେ ଧୂପକାଠି ପ୍ରସ୍ତୁତି ପାଇଁ ୧୦୦୦ରୁ ଅଧିକ ପେଡାଲ ଚାଳିତ ମେସିନ ବିନା ମୂଲ୍ୟରେ ଯୋଗାଇ ଦେଇଛି।

ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା, ଓରମାସ୍‌ ମାସିକ ପ୍ରାୟ ୩୦ ମେଟ୍ରିକ ଟନ୍‌ ଧୂପକାଠି ପ୍ରସ୍ତୁତ କରି ଆଇ.ଟି.ସିକୁ ଯୋଗାଇ ଦେଉଛି। ଏହି ଯୋଜନାରେ କାମ କରୁଥିବା ମହିଳା ହିତାଧିକାରୀଙ୍କ ହାରାହାରି ମାସିକ ଆୟ ୩-୪ ହଜାର ଟଙ୍କା ହେଉଥିବାବେଳେ, ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ବିକଳ୍ପ ସ୍ଥାୟୀ ଜୀବିକା ହୋଇପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର: ଜିଲ୍ଲାର ଏସଏଚଜି ମହିଳାଙ୍କ ସଶକ୍ତିକରଣ ଦିଗରେ ନୂଆ ଭୂମିକା ନେଇଛି “ମିଶନ ଶକ୍ତି ଭବନ”

ଭୁବନେଶ୍ୱର/ଯାଜପୁର: ଯାଜପୁର ଜିଲ୍ଲା ସଦର ମହକୁମାରେ ପ୍ରତିଷ୍ଠା କରାଯାଇଥିବା ରାଜ୍ୟର ପ୍ରଥମ “ମିଶନ ଶକ୍ତି ଭବନ” ସ୍ଥାନୀୟ ମହିଳା ସ୍ୱ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ଜୀବିକା ପାଇଁ ଏକ ନୂଆ ବାଟ ହୋଇପାରିଛି। ଏହି ବହୁମୁଖୀ ଭିତ୍ତିଭୂମି ମାଧ୍ୟମରେ ମହିଳାମାନଙ୍କର ଦକ୍ଷତା ବିକାଶ ସହିତ ଏସଏଚଜି ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବର୍ଷ ସାରା ବିକ୍ରୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି।

ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡ୍‌ସି ପାଣ୍ଠି ବିନିଯୋଗରେ ଯାଜପୁର ଟାଉନଠାରେ ସରକାର ଏହି ଭବନ ନିର୍ମାଣ କରିଛନ୍ତି। ଏହି ଅତ୍ୟାଧୁନିକ ଭିତ୍ତିଭୂମିଠାରେ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ପାଇଁ କମ୍ପ୍ୟୁଟର ତାଲିମ ସହ ଆର୍ଥିକ ସାକ୍ଷରତା ଓ ମୋବାଇଲ ମାଧ୍ୟମରେ ବିଭିନ୍ନ ପ୍ରକାର ଡିଜିଟାଲ କାରବାର ସମ୍ପର୍କରେ ଶିକ୍ଷା ଦିଆଯାଉଛି। ଫଳରେ ସେମାନେ ନିଜ ନିଜର ବ୍ୟବସାୟ ପରିଚାଳନା ଲାଗି ଅଧିକ ଦକ୍ଷ ହୋଇପାରୁଛନ୍ତି।

“କମ୍ପ୍ୟୁଟର ଶିଖିବା ଲାଗି ମୋ’ ମନରେ ଆଗ୍ରହ ରହିଥିଲା। ମିଶନ ଶକ୍ତି ଭବନ ହେବାରୁ ମୋର ଏହି ଇଚ୍ଛା ପୂରଣ ହୋଇପାରିଛି। ମୁଁ ଏବେ ନିଜେ କମ୍ପ୍ୟୁଟର ଚଲାଇବା ସହ ବିଭିନ୍ନ କାମ ସୁବିଧାରେ କରିପାରୁଛି। ଆଗକୁ ଏହା ମତେ ଅଧିକ ସହାୟକ ହେବ”, କହନ୍ତି ଯାଜପୁର ଜିଲ୍ଲାର ଜଣେ ଏସଏଚଜି ମା’ ଅନନ୍ୟା ସାଉ।

ସେହିପରି ମିଶନ ଶକ୍ତି ଭବନରେ ଏସଏଚଜି ମା’ମାନଙ୍କ ପାଇଁ ବିଧିବଦ୍ଧ ସିଲେଇ ତାଲିମ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଭବନରେ ୫୦ଟି ସିଲେଇ ମେସିନ ରହିଛି ଏବଂ ଆବଶ୍ୟକ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଯାଜପୁର ଜିଲ୍ଲାର ଅନେକ ଏସଏଚଜି ସଦସ୍ୟା ସ୍ୱାବଲମ୍ବୀ ହେଉଛନ୍ତି।

ଏହି ୪୫ ଦିନିଆ ତାଲିମ ଶେଷ ହେବା ପରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘ ପକ୍ଷରୁ ଏସଏଚଜି ମା’ମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ସିଲେଇ ମେସିନ ଦିଆଯାଉଛି। ଫଳରେ ସେମାନେ ଘରେ ରହି ବିଭିନ୍ନ ପ୍ରକାର ସିଲେଇ କାମ କରି ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି।

“ଆଗରୁ ଆମେ ଘରେ ଘରେ ବଡ଼ି, ପାମ୍ପଡ଼ ଆଦି ତିଆରି କରୁଥିଲୁ। ହେଲେ ଏବେ ସିଲେଇ ଶିଖି ଏହି ନୂଆ କାମ କରିପାରୁଛୁ। ପ୍ରଶାସନ ପକ୍ଷରୁ ଆମକୁ ଅଙ୍ଗନବାଡ଼ି ଏବଂ ସ୍କୁଲ ପିଲାମାନଙ୍କ ପାଇଁ ୟୁନିଫର୍ମ ତିଆରି କାମ ମିଳୁଛି। ଏହା ଆମକୁ ରୋଜଗାରର ଏକ ନୂଆ ବାଟ ଦେଖାଇଛି”, କହନ୍ତି ଜିଲ୍ଲାର ଆଉ ଜଣେ ଏସଏଚଜି ସଦସ୍ୟା ମିନତି ସେନାପତି।
ମିଶନ ଶକ୍ତି ଭବନରେ ଗୋଲ୍ଡେନ୍ ଗ୍ରାସ୍‌, ନଡ଼ିଆ କତା, ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପାଇଁ ମଧ୍ୟ ଏସ୍‌ଏଚଜି ମହିଳାମାନଙ୍କୁ ତାଲିମ ଦିଆଯାଉଛି। ଏହିସବୁ ହସ୍ତକଳା ସାମଗ୍ରୀର ଆଜି ବଜାରରେ ଚାହିଦା ବଢୁଛି।

ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ଓ ୨ଟି ପୌରପାଳିକାରେ ରହିଛି ୨୫ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ସେଥିମଧ୍ୟରୁ ଅଧିକାଂଶ ଗୋଷ୍ଠୀ ହସ୍ତତନ୍ତ, ଟେରାକୋଟା, ଘର ସାଜସଜ୍ଜା ଉପକରଣ ଓ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏସବୁ ଜିନିଷର ପ୍ରଦର୍ଶନୀ ଏବଂ ନିୟମିତ ବିକ୍ରିବଟା ଲାଗି ମିଶନ ଶକ୍ତି ଭବନରେ ସ୍ୱତନ୍ତ୍ର ଆଉଟଲେଟ୍ ଖୋଲାଯାଇଛି।

ମିଶନ ଶକ୍ତି ଭବନକୁ ଏକ ବହୁମୁଖୀ ଭିତ୍ତିଭୂମି ରୂପେ ନିର୍ମାଣ କରାଯାଇଛି। ଏଠାରେ ତାଲିମ ଓ ବିକ୍ରୟ କେନ୍ଦ୍ର ଛଡ଼ା ବିଭିନ୍ନ ପ୍ରକାର ବ୍ୟବହାର ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ରହିଛି। ସଭାସମିତି ପରିଚାଳନା ପାଇଁ ଅଡିଟୋରିୟମ, ମା’ମାନଙ୍କ ବୈଠକ ପାଇଁ ସଭାଗୃହ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଏସଏଚଜି ସଦସ୍ୟାଙ୍କ ରହିବା ସୁବିଧା ପାଇଁ ରହଣି ସ୍ଥଳର ବ୍ୟବସ୍ଥା କରାଯାଇଛି।

“ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସଶକ୍ତିକରଣ ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ମିଶନ ଶକ୍ତି ଭବନ। ଏଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଡିଜିଟାଲ ସାକ୍ଷରତା ପାଇଁ ୧୦ ହଜାରରୁ ଅଧିକ ମା’ଙ୍କୁ ତାଲିମ ଦିଆଯିବା ଫଳରେ ସେମାନଙ୍କ ଦକ୍ଷତା ବଢ଼ି ପାରିଛି। ସହର ବା ଗାଁରେ ରହି ଆଜି ସେମାନେ ମୋବାଇଲ ଫୋନ ବ୍ୟବହାର କରି ଅନଲାଇନ ଜରିଆରେ ନିଜ ନିଜର କାରବାର ପରିଚାଳନା କରିପାରୁଛନ୍ତି”, କହିଛନ୍ତି ଯାଜପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ।

ଏହି ଭବନର ପରିଚାଳନା ଦାୟିତ୍ୱ ଯାଜପୁର ଜିଲ୍ଲା ମିଶନ ଶକ୍ତି ମହାସଂଘ ହାତରେ ନ୍ୟସ୍ତ କରାଯାଇଛି । ଏଠାରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ମହାସଂଘର ସଭାପତି ସୁଜାତା ସାହୁ କହନ୍ତି, ଏହି ଭବନରେ ଏସଏଚଜି ମା’ମାନଙ୍କ ଜୀବିକା ପାଇଁ ବିଭିନ୍ନ ପ୍ରକାରର ତାଲିମ ଦିଆଯାଉଛି । ତେଣୁ ଜିଲ୍ଲାର ବିଭିନ୍ନ ଗାଁ ଓ ସହରରୁ ମହିଳାମାନେ ନିୟମିତ ଏଠାକୁ ଆସୁଛନ୍ତି । ସେମାନଙ୍କ ପାଇଁ ଏଠାରେ ଦକ୍ଷତା ବିକାଶ ଓ ଉତ୍ପାଦନ କ୍ଷମତା ବୃଦ୍ଧି ତାଲିମ ସହ ବଜାର ସଂଯୋଗ ବ୍ୟବସ୍ଥା କରାଯାଇଛି ।”

ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଆଦିବାସୀ ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଲାଗି ଓମ୍ବାଡସି ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଉଛି । ଯାଜପୁରରେ ଓମ୍ବାଡ୍‌ସି ସହାୟତାରେ ନିର୍ମିତ ମିଶନ ଶକ୍ତି ଭବନ ଆଜି ଜିଲ୍ଲାର ମହିଳା ସଶକ୍ତିକରଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିପାରିଛି । ଏହା ସହିତ ସେମାନଙ୍କ ଦୀର୍ଘସ୍ଥାୟୀ ଜୀବିକା ପାଇଁ ମଧ୍ୟ ଏକ ଆଶା ହୋଇପାରିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଏସଏଚଜି ମହିଳାମାନେ ହେଉଛନ୍ତି ସ୍ବତଃପ୍ରବୃତ ଲିଡର, ଏପରି କାହିଁକି କହିଲେ ସଚିବ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି। ଏସ୍‌ଏଚ୍‌ଜିରୁ ଉଦ୍ୟୋଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳାମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ।

ଗତ ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍‌ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍‌ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍‌ ପ୍ରଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଉପରୋକ୍ତ ମର୍ମରେ ମତପ୍ରକାଶ କରିଛନ୍ତି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ୍‌ କହିଲେ, ଏସ୍‌ଏଚ୍‌ଜିମାନେ ହେଉଛନ୍ତି ସ୍ୱତଃପ୍ରବୃତ୍ତ ଲିଡର। ସେମାନଙ୍କ ମଧ୍ୟରେ ଅସାଧାରଣ ଦକ୍ଷତା, ସାମର୍ଥ୍ୟ ଏବଂ ଶକ୍ତି ରହିଛି। ଆମ ରାଜ୍ୟରେ ଏସ୍‌ଏଚ୍‌ଜି ଆନ୍ଦୋଳନ ସଫଳ ହୋଇଛି ସେଇମାନଙ୍କ ନେତୃତ୍ୱ ପାଇଁ। ଏହି ଲିଡରମାନେ ପ୍ରଶିକ୍ଷିତ ହେଲେ ସେମାନେ ତାଙ୍କ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ସଶକ୍ତିକରଣର ପ୍ରମୁଖ ସୂତ୍ରଧର ସାଜିବେ।

ଏହି କର୍ମଶାଳାରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଏନ୍‌. ଥିରୁମାଲା ନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ବିନୋଦ କୁମାର ଜେନା ଏବଂ ବିଶେଷଜ୍ଞମାନେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନିକଟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ଦୁବାଇ ଅନ୍ତର୍ଜାତୀୟ ବିମାନ ଯାତ୍ରାରେ ଏସ୍‌ଏଚ୍‌ଜି ଲିଡରମାନଙ୍କ ପ୍ରତିନିଧି ଦଳରେ ସାମିଲ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର ସଭାପତି ବିଷ୍ଣୁପ୍ରିୟା ଦାସ ତାଙ୍କର ଦୁବାଇ ଯାତ୍ରାର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୨୦ ଟି ଜିଲ୍ଲାର ପ୍ରାୟ ୭୦୦ ରୁ ଊଦ୍ଧ୍ୱର୍ ବ୍ଲକ ଓ ଜିଲ୍ଲା ମହାସଙ୍ଘର ସଦସ୍ୟା ତଥା ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନେ ଯୋଗଦାନ କରିଥିଲେ। ବ୍ୟାଙ୍କ ଋଣ ବ୍ୟବସ୍ଥାକୁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଖେ ପହଞ୍ଚାଇବା, ନିୟମତି ଋଣ ପରିଶୋଧ କରି ସୁଧ ରିହାତି ପାଇବା ସୁନିଶ୍ଚିତ କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନଙ୍କୁ ଏହି ପ୍ରଶିକ୍ଷଣ ମାଧ୍ୟମରେ, ଏ ସମ୍ପର୍କିତ ତାଲିମ ଦିଆଯାଇଛି, ଯେଉଁମାନେ କି ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ମହାସଂଘର ସଦସ୍ୟାମାନଙ୍କୁ ସଚେତନ କରାଇବେ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସୁଧ ଫେରସ୍ତ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଏହି ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ସମସ୍ତ ଏସଏଚଜି ସଦସ୍ୟାମାନଙ୍କୁ ସଚେତନ କରାଇବେ।

ମିଶନ ଶକ୍ତି ବିଭାଗର ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ୧୦୧୪ ଜଣ ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ବିଭିନ୍ନ ତାଲିମ ଓ ସଚେତନ କାର୍ଯ୍ୟକ୍ରମ ନିମନ୍ତେ ବିଶେଷଜ୍ଞ ଗୋଷ୍ଠୀ (ରିସୋର୍ସ ଗୋଷ୍ଠୀ) ଭାବେ କାର୍ଯ୍ୟ କରିବେ।

ରାଜ୍ୟରେ ବିଗତ ୮ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶିର ପରିମାଣ ୧୯ ଗୁଣ ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ରାଶି ବୃଦ୍ଧିପାଇ ୧୧୦୦୦ କୋଟି ଟଙ୍କାରେ ପହଞ୍ଚିପାରିଛି। ଏ ବର୍ଷ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଏସଏଚଜିମାନଙ୍କୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ତୃଣମୂଳ ସ୍ତରରେ ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ଓ ସଚେତନ କରାଇବାରେ ବ୍ଲକ ଓ ଜିଲ୍ଲାସ୍ତରୀୟ ଏହି ବିଶେଷଜ୍ଞ ଗୋଷ୍ଠୀ ଯଥେଷ୍ଟ ସହାୟକ ହେବେ ବୋଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କେବଳ ମାଛ ନୁହେଁ, ଏଣିକି ଏସଏଚଜି ମହିଳାମାନେ ଉତ୍ପାଦନ କରିବେ ଶୁଖୁଆ

ଭୁବନେଶ୍ୱର: ମିଶନ ଶକ୍ତି ସହାୟତାରେ ଆମ ରାଜ୍ୟର ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ୧୩୨୮୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦୀ ଲିଜ ସୂତ୍ରରେ ନେଇ ସଫଳତାର ସହିତ ମାଛଚାଷ କରି ରାଜ୍ୟର ମାଛ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହୋଇପାରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଆଗ୍ରହ, ଏକାଗ୍ରତା ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିପାରିଛି।

ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ, ମତ୍ସ୍ୟ ନିର୍ଦ୍ଧେଶାଳୟ ଏବଂ ବିଶ୍ୱସ୍ତରୀୟ ସଂଗଠନ ୱାର୍ଲଡଫିସର ମିଳିତ ଅନୁକୁଲ୍ୟରେ ଲୋକସେବା ଭବନର କନଭେନସନ ହଲରେ ପ୍ରଥମ ପରିଚିତି ଓ ଅଭିମୁଖୀକରଣ (Inception-cum- Orientation Workshop ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୭ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱାସ୍ଥ୍ୟକର ପରିବେଶରେ ଉନ୍ନତମାନର ଶୁଖୁଆ ଉତ୍ପାଦନ, ସେଥି ନିମନ୍ତେ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଏହି ସହିତ ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୱାର୍ଲଡ୍‌ ଫିସ୍‌ ସହାୟତାରେ ୩୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ ସଦସ୍ୟା ଶୁଖୁଆ ଉତ୍ପାଦନ ପାଇଁ ଏବଂ ପ୍ରାୟ ୨୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୨୦,୦୦୦ ସଦସ୍ୟା ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ ତାଲିମ୍‌ ପାଇବେ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ ଯୋଗଦେଇ ଏହି ନୂତନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟ ମିଶନ ନିର୍ଦ୍ଦେର୍ଶକ-ତଥା-ମୁଖ୍ୟ ନିର୍ବାହୀ ଏନ. ତିରୁମାଲା ନାୟକ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ମତ୍ସ୍ୟ ବିଭାଗ ଓ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ

ହକି ବିଶ୍ବକପ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ କଲେ ଭଲ ବ୍ୟବସାୟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ବେହେରା ସାହିର ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ଏକ ଅଗ୍ରଣୀ ମହିଳା ଏସ୍‌ଏଚ୍‌ଜି ମହାସଂଘ। ସେମାନେ ପ୍ରଥମେ ନିଜ ଉଦ୍ୟମରେ ଘରୋଇ ଭାବେ ଅଳ୍ପ କିଛି କିଛି ପିଠା ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଥିଲେ।

ମିଲେଟ୍‌ର ଚାହିଦାକୁ ଦେଖି ସେମାନେ ଦୁଇବର୍ଷ ହେବ ବିଭିନ୍ନ ଛୋଟ ଛୋଟ କାର୍ଯ୍ୟକ୍ରମ, ଉତ୍ସବ ଆଦିରେ ମିଲେଟ୍‌ରୁ ପ୍ରସ୍ତୁତ ପିଠା, ଲଡ଼ୁ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଇ ଜୀବିକା ଅର୍ଜନ କରୁଥିଲେ। ମିଲେଟ୍‌ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ମହାସଂଘର ସଦସ୍ୟାମାନେ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ପ୍ରତିଷ୍ଠାନରେ ତାଲିମ ନେଇଥିଲେ ଏବଂ ସେମାନଙ୍କ ଏହି ସବୁ ସାମଗ୍ରୀ ପ୍ରସ୍ତୁତିରେ ଦକ୍ଷତା ଓ ଅଭିଜ୍ଞତା ଥିଲା। କେବଳ ଏକ ସୁଯୋଗର ଅପେକ୍ଷା ଥିଲା।

ସେ ବଡ଼ ସୁଯୋଗ ସେମାନଙ୍କ ପାଖକୁ ଆସିଲା ଯେତେବେଳେ ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ଗୋଟିଏ ମିଲେଟ୍‌ ଶକ୍ତି କାଫେ ଖୋଲିବା ନିିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପଦକ୍ଷେପ ନିଆଗଲା। ଏହି କାଫେରେ ବିକ୍ରୟ ନିମନ୍ତେ ସେମାନେ ଆବେଦନ କଲେ ଏବଂ ମିଲେଟ୍‌ କାଫେ ପରିଚାଳନା ନିମନ୍ତେ କାର୍ଯ୍ୟାଦେଶ ପାଇଲେ।

ଜାନୁଆରୀ ୧୨ ତାରିଖ ଦିନ ଏହି କାଫେ କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା। ସେଦିନ ଏହି ମହାସଂଘର ସଦସ୍ୟାମାନଙ୍କ ଖୁସି କହିଲେ ନସରେ। ହକି ବିଶ୍ୱକପ୍‌ ସମୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କ ସମେତ ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଅତିଥିମାନଙ୍କୁ ସେମାନଙ୍କ ଦ୍ୱାରା ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ସୁଯୋଗ ଆଣିଦେଲା।

ମହାସଂଘର ମା’ମାନେ ଦିନରାତି ଲାଗି ପଡ଼ିଲେ। ମ୍ୟାଚ ଥିବା ଦିନମାନଙ୍କରେ ସେମାନେ ୨୫ରୁ ୩୦ ହଜାର ଟଙ୍କ ବ୍ୟବସାୟ କରିଥାନ୍ତି ଏବଂ ମ୍ୟାଚ୍‌ ନଥିବା ଦିନଗୁଡ଼ିକରେ ୧୦ରୁ ୧୫ ହଜାର ଟଙ୍କାର ବିକି୍ରବଟା ହୋଇଥାଏ। ଏହି ସମୟ ମଧ୍ୟରେ କମିଶନରେଟ୍‌ ପୋଲିସକୁ ସେମାନେ ଗୋଟିଏ କାର୍ଯ୍ୟକ୍ରମ ନିମନ୍ତେ ପ୍ରାୟ ୫୦୦ ପ୍ୟାକେଟ୍‌ ( ୬ ପ୍ରକାର ଖାଦ୍ୟ ସାମଗ୍ରୀର ଏକ ଜଳଖିଆ ପ୍ୟାକେଟ) ଯୋଗାଇଛନ୍ତି।

ଏଥିରେ ସେମାନଙ୍କର ପ୍ରାୟ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା। ପୁଣି ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟରମାନଙ୍କ ଏକ ଉତ୍ସବ ନିମନ୍ତେ ସେମାନେ ୬୦୦ ପ୍ୟାକେଟ ଯୋଗାଇ ବେଶ ଲାଭବାନ ହୋଇଛନ୍ତି। ଖେଳ ଦେଖିବାକୁ ଆସିଥିବା ରାଜ୍ୟ ବାହାରର ବହୁ ଲୋକ ସେମାନଙ୍କ ସାମଗ୍ରୀ କିଣି ନେଇଛନ୍ତି । ମାତ୍ର ୧୫ ଦିନ ମଧ୍ୟରେ ସେମାନେ ୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି।

ଆନୁଷଙ୍ଗିକ ଯନ୍ତପାତି, କଞ୍ଚାମାଲ ଆଦି କିଣିବା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ବ୍ୟାଙ୍କ୍‌ ଲିଙ୍କେଜ୍‌ ଜରିଆରେ ସେମାନଙ୍କୁ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି। ବିଭାଗ ତରଫରୁ ମଧ୍ୟ ସଦସ୍ୟାମାନଙ୍କୁ ପ୍ୟାକେଜିଂ, ସଂରକ୍ଷଣ, ସାମଗ୍ରୀ ପ୍ରସ୍ତୁତି ଆଦି ସଂପର୍କରେ ଉଚ୍ଚ ତାଲିମ ପ୍ରଦାନ କରାଯାଇଛି।

ପିଠା ଏବଂ ଶୁଖିଲା ଖାଦ୍ୟ ବ୍ୟତୀତ ମିଲେଟ୍‌ର ବିଭିନ୍ନ ବେକେରୀ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ସେମାନେ ବିଭିନ୍ନ ସ୍ଥାନକୁ ଯୋଗାଇ ଦେଇଛନ୍ତି। ଆଗାମୀ ଦିନରେ ଅନ୍‌ଲାଇନ୍‌ରେ ସେମାନେ ନିଜର ବ୍ୟବସାୟକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛନ୍ତି।

ଏହି ମହାସଂଘର ୧୮ ଜଣ ସଦସ୍ୟା କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ବିନାସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଘୋଷଣା କରିବା ପରେ ଏହି ମହାସଂଘର ସଦସ୍ୟାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।

ଆଜି ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଏହିଭଳି ଅନେକ ଏସ୍‌ଏଚ୍‌ଜି ସରକାରୀ ପ୍ରୋତ୍ସାହନରେ ଧୀରେ ଧୀରେ ଏସ୍‌ଏମ୍‌ଇ (କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ)ରେ ପରିଣତ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାର ସ୍ୱପ୍ନ ଧୀରେ ଧୀରେ ବାସ୍ତବରେ ରୂପାନ୍ତରିତ ହେବାରେ ଲାଗିଛି। ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ତା’ର ଜ୍ୱଳନ୍ତ ଉଦାହରଣ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏସଏଚଜି ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ

ଭୁବନେଶ୍ବର: ରାଜ୍ୟର ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା।

ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଆମର ମିଶନ ଶକ୍ତି ମା’ମାନେ ଏସ୍‌ଏଚଜିରୁ ଏସ୍‌ଏମ୍‌ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ରୂପାନ୍ତର କ୍ଷେତ୍ରରେ ମା’ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ମିଶନ ଶକ୍ତି ମା’ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହାଦ୍ବାରା ମିଶନ ଶକ୍ତିର ମା’ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଆମ ପ୍ରତିଶୃତି ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ମା’ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪୦୦୦ କୋଟି ଟଙ୍କାର ବିଜିନେସ ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଆମର ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ ଏସଏଚଜି ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ଅଭିନବ ଉଦ୍ୟମ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୭୦ ଲକ୍ଷ ମା ମାନଙ୍କୁ ୬ ଲକ୍ଷ ଏସଏଚଜି ଜରିଆରେ ଏହା ଏକାଠି କରିପାରିଛି। ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ବତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ ଏସଏଚଜି କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସ୍‌.ଏଚ.ଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମହୁଲର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ଜନଜାତି ମହିଳାଙ୍କୁ ତାଲିମ

ଭୁବନେଶ୍ୱର : ଓଡ଼ିଶାର ଭୌଗୋଳିକ ପରିସୀମାର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ। ଜନଜାତି ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲର ପରିମାଣ ଅପେକ୍ଷାକୃତ ଅଧିକ, ଯାହା ଜନଜାତି ଗୋଷ୍ଠୀଙ୍କର ଜଙ୍ଗଲ ଆଧାରିତ ଜୀବନଜୀବିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି, ଜଙ୍ଗଲରୁ ଉପଲବ୍ଧ ଲଘୁ ବନଜାତ ଦ୍ରବ୍ୟ ଶ୍ରେଣୀଭୁକ୍ତ ବିଭିନ୍ନ ଉତ୍ପାଦ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ନିର୍ବାହ ତଥା ଅର୍ଥନୀତି ପାଇଁ ଅତି ମହତ୍ତ୍ୱ୍ୱପୂର୍ଣ୍ଣ ।

ଏହି ଲଘୁ ବନଜାତ ଦ୍ରବ୍ୟମାନଙ୍କ ମଧ୍ୟରେ ମହୁଲ ଫୁଲ ଅନ୍ୟତମ । ଏହା ଜନଜାତି ଗୋଷ୍ଠୀମାନଙ୍କର ସଂସ୍କୃତି ଓ ଖାଦ୍ୟ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଆସିଛି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ଓ ଅର୍ଥନୀତିକୁ ଏହା ପ୍ରଭାବିତ କରିବା ସହିତ ସମୃଦ୍ଧ କରିଆସିଛି । ବିଜ୍ଞାନସମ୍ମତ ନିରନ୍ତର ଅମଳ ପ୍ରକ୍ରିୟାର ଅବଲମ୍ବନରେ ତଥା କାରିଗରୀ ବିଦ୍ୟାର ସଠିକ୍‌ ଉପଯୋଗରେ ଏହି ମହୁଲ ଫୁଲର ଖାଦ୍ୟ ପ୍ରକ୍ରିୟାକରଣକୁ ମୂଲ୍ୟଯୁକ୍ତ କରାଯାଇପାରିଲେ ଏହା ଜନଜାତି ପରିବାରଙ୍କ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିପାରିବ ।

ଏହି ପରିପ୍ରେକ୍ଷୀରେ ଜନଜାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ମହୁଲ ଫୁଲ ସଂଗ୍ରହକାରୀମାନଙ୍କୁ ମହୁଲ ଫୁଲର ଉନ୍ନତ ପ୍ରକ୍ରିୟାକରଣ ଦିଗରେ ଉଦ୍ୟୋଗୀ କରି ସେମାନଙ୍କର ଅର୍ଥନୀତିକୁ ଅଗ୍ରଗାମୀ କରାଇବା ଦିଗରେ ଜୁଲାଇ ୨୫ ତାରିଖଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ) ତଥା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ପ୍ରକ୍ରିୟାକରଣ ଓ ଖାଦ୍ୟ ପ୍ରଯୁକ୍ତି ବିଜ୍ଞାନ ବିଭାଗ ତଥା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଆଜାଦି କି ଅମି୍ରତ ମହୋତ୍ସବ ଅବସରରେ ମହୁଲର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ଜନଜାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦକ୍ଷତା ବୃଦ୍ଧି ତାଲିମର ଆୟୋଜନ କରାଯାଇଛି ।

ଏହି ତାଲିମ କାର୍ଯ୍ୟକ୍ରମରେ ୩ଟି ପର୍ଯ୍ୟାୟରେ ପ୍ରାୟ ୧୦୦ ଜନଜାତି ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ ଓ ପ୍ରତ୍ୟେକ ପର୍ଯ୍ୟାୟର ଅବଧି ୩ ଦିନ ରହିବ । ପର୍ଯ୍ୟାୟ କ୍ରମେ ତାଲିମ ସୂଚୀ ୨୫ରୁ ୨୭ ଜୁଲାଇ, ୨୮ରୁ ୩୦ ଜୁଲାଇ ଓ ୨ରୁ ୪ ଅଗଷ୍ଟ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜନଜାତି ବହୁଳ ଜିଲ୍ଲାମାନଙ୍କରୁ ଜନଜାତି ମହିଳାମାନେ ଅଂଶଗ୍ରହଣ କରିଛନ୍ତି ।

ଆଜି ପ୍ରଥମ ପର୍ଯ୍ୟାୟରେ ତାଲିମର ଉଦ୍‌ଘାଟନୀ ଉତ୍ସବରେ ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ଓୟୁଏଟିର ଡିନ୍‌ ଡ. ସଂଜୟ କୁମାର ଦାସ, ଓୟୁଏଟି-ସିଏଇଟିର ବିଭାଗୀୟ ମୁଖ୍ୟ ଡ. କଳ୍ପନା ରାୟଗୁରୁ ତଥା ଉଭୟ ଅନୁଷ୍ଠାନର ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇ ତାଲିମର ଶୋଭାମଣ୍ଡନ କରିଥିଲେ । ଓୟୁଏଟି-ସିଏଇଟିର ସହଯୋଗକୁ ପ୍ରଶଂସା କରିିବା ସହିତ ଆଗାମୀ ଦିନରେ ଦୁଇ ସହଯୋଗୀ ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ଅନେକ କାର୍ଯ୍ୟକ୍ରମ କରାଯାଇପାରିବ ବୋଲି ପ୍ରଫେସର ଡ. ଓତା ଆଶାପୋଷଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଡିଜିଟାଲ ଜ୍ଞାନ ବ୍ୟବହାର କଲେ ମିଶନ ଶକ୍ତି ମହିଳା, ଧାନ ସଂଗ୍ରହ ପାଇଁ 320ଟି ଏସଏଚଜି ରେ ଲାଗୁ

ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ମହିଳାମାନେ ହୋଇଛନ୍ତି ଡିଜିଟାଇଜେସନ। ଯାହାର ପ୍ରମାଣ ହେଉଛି ରାଜ୍ୟରେ ଏସଏଚଜି ମହିଳାମାନେ ଇଣ୍ଟରନେଟ ମାଧ୍ୟମରେ କାମ କରିବା। ରାଜ୍ୟରେ ଧାନ ସଂଗ୍ରହ ପାଇଁ ସରକାର ମିଶନ ଶକ୍ତିକୁ ଦାୟିତ୍ବ ଦେଇଛନ୍ତି। ଫଳରେ ଏହାର ସଂଗ୍ରହ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟ କରାଯାଉଛି। ମହିଳାମାନେ ଚାଷିମାନଙ୍କ ନାମ ଅନଲାଇନ ରେଜିଷ୍ଟ୍ରେସନ କରୁଛନ୍ତି।
ବର୍ତ୍ତମାନ ରାଜ୍ୟର 11 ଟି ଜିଲ୍ଲାର 320ଟି ଏସଏଚଜି ସଂଗଠନରେ ଏହି ଡିଜିଟାଇଜେସନ ପକ୍ରିୟା ଲାଗୁ କରାଯାଇଛି। ମହିଳାମାନେ ଏହାର ତଦାରଖ କରି ଧାନ ସଂଗ୍ରହ କରିବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ମିଶନ ଶକ୍ତି ବିଭାଗ ତରଫରୁ କୁହାଯାଇଛି।