Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଜାତା କାର୍ତ୍ତିକେୟେନଙ୍କ ସତ ଅଡିଓ ନାମରେ ରାଜ୍ୟ ବିଜେପିର ମିଛ ବିବୃତି, ଟାର୍ଗେଟ ଫେଲ୍

ଭୁବନେଶ୍ବର: କିଛିଦିନ ଧରି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେଥିରେ ସେମାନେ ଫେଲ ମାରିବା ପରେ ଏବେ ତାଙ୍କ ଧର୍ମପତ୍ନୀ ସୁଜାତା ଆର କାର୍ତ୍ତିକେୟନଙ୍କୁ ଟାର୍ଗେଟ ଆରମ୍ଭ କରିଛନ୍ତି। ହେଲେ ହାସ୍ୟସ୍ପଦ କଥା ହେଲା ଯେ ସୁଜାତାଙ୍କୁ ଟାର୍ଗେଟ କରିବା ନାମରେ ମିଛ ପ୍ରମାଣ ଉପସ୍ଥାପିତ କରିଛି ବିଜେପି। ସୁଜାତା କହି ନ ଥିବା କଥାକୁ ଗଣମାଧ୍ୟମରେ କହି ଘଟଣାକୁ ବିଭ୍ରାନ୍ତ କରିଛି ରାଜ୍ୟ ବିଜେପି।

ଗତକାଲି ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ନେତା ସତ୍ୟବ୍ରତ ପଣ୍ଡା। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ସରକାରୀ କାମ ଛାଡି ବିଜେଡି କାମ କରୁଛନ୍ତି। ଏ ନେଇ ତାଙ୍କ ପାଖରେ ଏକ ଅଡିଓ କ୍ଲିପ ଲାଗିଛି ବୋଲି କହିଥିଲେ। ଆଉ ସେ ଅଡିଓ କ୍ଲିପରେ କଣ ରହିଛି ତାହାର ତଥ୍ୟ ପ୍ରଦାନ କରିଥିଲେ।

ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ଏହି ଅଡିଓ କ୍ଲିପରେ ସୁଜାତା ମିଶନ ଶକ୍ତି ଅଧିକାରୀଙ୍କୁ ବିଜେଡି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଯାହା ଆମ ହାତରେ ଲାଗିଛି। ସଚିବ କହୁଛନ୍ତି ଯେ ନିର୍ବାଚନ ପାଖେଲାଣି କାମ ଶିଘ୍ର କର। ସେହିପରି ମିଶନ ଶକ୍ତି ମା ମାନଙ୍କୁ ଏକ ଚିପ୍ ଲାଗିଥିବା କାର୍ଡ ଦିଆଯିବ ବୋଲି ସେ କହୁଛନ୍ତି। ଏହାଦ୍ବାରା ବିଜେଡି କଳା ଟଙ୍କା ବାଣ୍ଟିବ ବୋଲି ସତ୍ୟ ପଣ୍ଡା ସମ୍ମିଳନୀରେ ଅଭିଯୋଗ କରି ଅଡିଓ ପ୍ଲେ କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ସେହି ଅଡିଓ ରେ ସୁଜାତା କାର୍ତ୍ତିକେୟନ ବିଜେଡି ପାଇଁ କାମ କରିବା ସଂପର୍କରେ କିଛି କହିଥିବାର ପ୍ରମାଣ ମିଳିପାରିଲା ନାହିଁ। ଅଡିଓରେ ରହିଛି ଯେ, ସେ ମିଶନ ଶକ୍ତିର ଏକ ସମୀକ୍ଷା ବୈଠକରେ ତାଙ୍କ ଅଧିକାରୀଙ୍କୁ ତାଗିଦ କରୁଛନ୍ତି। ନିର୍ବାଚନ ପାଖେଇ ଆସିଲାଣି, ଶିଘ୍ର କାମ ଶେଷ କର ବୋଲି କହୁଛନ୍ତି।

ସେହିପରି ଏକ ଚିପ୍ ଲଗା କାର୍ଡ ଏସଏଚଜି ମହିଳାମାନଙ୍କୁ ଦିଆଯିବ ସେଥିରେ ସେମାନେ ସବୁ ସୁବିଧା ହାସଲ କରିପାରିବେ। ଏହିପରି କିଛି କଥା ସମୀକ୍ଷା ବୈଠକରେ ସୁଜାତା ଅଧିକାରୀଙ୍କୁ କହୁଛନ୍ତି। ଯାହା ସେ ଜଣେ ବିଭାଗର ମୁଖ୍ୟ ଭାବରେ ତାଙ୍କ ଅଧିକାରୀଙ୍କୁ କହୁଛନ୍ତି। ଏଥିରେ ଭୁଲ କେଉଁଠି ରହିଲା ତାହା କେହି ବୁଝିପାରିଲେ ନାହିଁ।

ନିର୍ବାଚନ ପାଖେଇଲାଣି କାମ ଶିଘ୍ର ଶେଷ କର ବୋଲି କହିବାରେ କେଉଁଠି ଭୁଲ ରହିଲା। କାରଣ ନିର୍ବାଚନ ଆସିଲେ ଆଦର୍ଶ ଆଚରଣବିଧି ଲାଗୁ ହେବ। ସମସ୍ତ ସରକାରୀ କାମ ଅଟକି ଯିବ। ତା ପୂର୍ବରୁ କାମ ଶେଷ କରିବାକୁ କହିବା କଣ ଭୁଲ ରହିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହି ବୈଠକର ସତ କ୍ଲିପକୁ ଆଣି ବିଜେପି ତରଫରୁ ମିଛ କଥା ଯୋଡି ସାମ୍ବାଦିକଙ୍କ ଆଗର ଉପସ୍ଥାପିତ କଲେ ସେମାନେ କେତେ ଲାଭ ପାଇବେ ତାହା ବୁଝି ହେଉ ନାହିଁ। ସୁଜାତାଙ୍କ ଏହି ଅଡିଓ ଶୁଣାଇ ଗଣମାଧ୍ୟମରେ ଜୋରଦାର ପ୍ରସାର କରାଇ ହୁଲୁସ୍ତୁଲ କରିବା ପାଇଁ ବିଜେପି ଯେଉଁ ଚିନ୍ତା କରିଥିଲା ତାହା ହୋଇପାରିଲା ନାହିଁ। ବରଂ ଏହା ଦଳ ପାଇଁ ବୁମେରାଂ ହୋଇପଡିଛି।

ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ବର୍ତ୍ତମାନ ଜର ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଦେଇଛି। ଭି କେ ପାଣ୍ଡିଆନଙ୍କ ବିରୋଧରେ ସବୁ ପ୍ରକାରର ବିରୋଧ କରିବା ପରେ ମଧ୍ୟ କେନ୍ଦ୍ର କିଛି କଲା ନାହିଁ। ବିରୋଧୀଙ୍କ ତୀବ୍ର ବିରୋଧ ପରେ ମଧ୍ୟ ପାଣ୍ଡିଆନ ତାଙ୍କ ଗସ୍ତ କାର୍ଯ୍ୟକୁ ଜାରୀ ରଖିଛନ୍ତି। ତାହାକୁ ରୋକିବା ବିଫଳ ହେବା ପରେ ଏବେ ତାଙ୍କ ଧର୍ମପତ୍ନୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଯାହା ସାଧାରଣରେ ଫେଲ ମାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏସଏଚଜି ମହିଳାମାନେ ହେଉଛନ୍ତି ସ୍ବତଃପ୍ରବୃତ ଲିଡର, ଏପରି କାହିଁକି କହିଲେ ସଚିବ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି। ଏସ୍‌ଏଚ୍‌ଜିରୁ ଉଦ୍ୟୋଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳାମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ।

ଗତ ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍‌ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍‌ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍‌ ପ୍ରଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଉପରୋକ୍ତ ମର୍ମରେ ମତପ୍ରକାଶ କରିଛନ୍ତି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ୍‌ କହିଲେ, ଏସ୍‌ଏଚ୍‌ଜିମାନେ ହେଉଛନ୍ତି ସ୍ୱତଃପ୍ରବୃତ୍ତ ଲିଡର। ସେମାନଙ୍କ ମଧ୍ୟରେ ଅସାଧାରଣ ଦକ୍ଷତା, ସାମର୍ଥ୍ୟ ଏବଂ ଶକ୍ତି ରହିଛି। ଆମ ରାଜ୍ୟରେ ଏସ୍‌ଏଚ୍‌ଜି ଆନ୍ଦୋଳନ ସଫଳ ହୋଇଛି ସେଇମାନଙ୍କ ନେତୃତ୍ୱ ପାଇଁ। ଏହି ଲିଡରମାନେ ପ୍ରଶିକ୍ଷିତ ହେଲେ ସେମାନେ ତାଙ୍କ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ସଶକ୍ତିକରଣର ପ୍ରମୁଖ ସୂତ୍ରଧର ସାଜିବେ।

ଏହି କର୍ମଶାଳାରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଏନ୍‌. ଥିରୁମାଲା ନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ବିନୋଦ କୁମାର ଜେନା ଏବଂ ବିଶେଷଜ୍ଞମାନେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନିକଟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ଦୁବାଇ ଅନ୍ତର୍ଜାତୀୟ ବିମାନ ଯାତ୍ରାରେ ଏସ୍‌ଏଚ୍‌ଜି ଲିଡରମାନଙ୍କ ପ୍ରତିନିଧି ଦଳରେ ସାମିଲ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର ସଭାପତି ବିଷ୍ଣୁପ୍ରିୟା ଦାସ ତାଙ୍କର ଦୁବାଇ ଯାତ୍ରାର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୨୦ ଟି ଜିଲ୍ଲାର ପ୍ରାୟ ୭୦୦ ରୁ ଊଦ୍ଧ୍ୱର୍ ବ୍ଲକ ଓ ଜିଲ୍ଲା ମହାସଙ୍ଘର ସଦସ୍ୟା ତଥା ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନେ ଯୋଗଦାନ କରିଥିଲେ। ବ୍ୟାଙ୍କ ଋଣ ବ୍ୟବସ୍ଥାକୁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଖେ ପହଞ୍ଚାଇବା, ନିୟମତି ଋଣ ପରିଶୋଧ କରି ସୁଧ ରିହାତି ପାଇବା ସୁନିଶ୍ଚିତ କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନଙ୍କୁ ଏହି ପ୍ରଶିକ୍ଷଣ ମାଧ୍ୟମରେ, ଏ ସମ୍ପର୍କିତ ତାଲିମ ଦିଆଯାଇଛି, ଯେଉଁମାନେ କି ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ମହାସଂଘର ସଦସ୍ୟାମାନଙ୍କୁ ସଚେତନ କରାଇବେ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସୁଧ ଫେରସ୍ତ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଏହି ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ସମସ୍ତ ଏସଏଚଜି ସଦସ୍ୟାମାନଙ୍କୁ ସଚେତନ କରାଇବେ।

ମିଶନ ଶକ୍ତି ବିଭାଗର ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ୧୦୧୪ ଜଣ ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ବିଭିନ୍ନ ତାଲିମ ଓ ସଚେତନ କାର୍ଯ୍ୟକ୍ରମ ନିମନ୍ତେ ବିଶେଷଜ୍ଞ ଗୋଷ୍ଠୀ (ରିସୋର୍ସ ଗୋଷ୍ଠୀ) ଭାବେ କାର୍ଯ୍ୟ କରିବେ।

ରାଜ୍ୟରେ ବିଗତ ୮ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶିର ପରିମାଣ ୧୯ ଗୁଣ ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ରାଶି ବୃଦ୍ଧିପାଇ ୧୧୦୦୦ କୋଟି ଟଙ୍କାରେ ପହଞ୍ଚିପାରିଛି। ଏ ବର୍ଷ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଏସଏଚଜିମାନଙ୍କୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ତୃଣମୂଳ ସ୍ତରରେ ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ଓ ସଚେତନ କରାଇବାରେ ବ୍ଲକ ଓ ଜିଲ୍ଲାସ୍ତରୀୟ ଏହି ବିଶେଷଜ୍ଞ ଗୋଷ୍ଠୀ ଯଥେଷ୍ଟ ସହାୟକ ହେବେ ବୋଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କେବଳ ମାଛ ନୁହେଁ, ଏଣିକି ଏସଏଚଜି ମହିଳାମାନେ ଉତ୍ପାଦନ କରିବେ ଶୁଖୁଆ

ଭୁବନେଶ୍ୱର: ମିଶନ ଶକ୍ତି ସହାୟତାରେ ଆମ ରାଜ୍ୟର ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ୧୩୨୮୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦୀ ଲିଜ ସୂତ୍ରରେ ନେଇ ସଫଳତାର ସହିତ ମାଛଚାଷ କରି ରାଜ୍ୟର ମାଛ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହୋଇପାରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଆଗ୍ରହ, ଏକାଗ୍ରତା ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିପାରିଛି।

ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ, ମତ୍ସ୍ୟ ନିର୍ଦ୍ଧେଶାଳୟ ଏବଂ ବିଶ୍ୱସ୍ତରୀୟ ସଂଗଠନ ୱାର୍ଲଡଫିସର ମିଳିତ ଅନୁକୁଲ୍ୟରେ ଲୋକସେବା ଭବନର କନଭେନସନ ହଲରେ ପ୍ରଥମ ପରିଚିତି ଓ ଅଭିମୁଖୀକରଣ (Inception-cum- Orientation Workshop ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୭ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱାସ୍ଥ୍ୟକର ପରିବେଶରେ ଉନ୍ନତମାନର ଶୁଖୁଆ ଉତ୍ପାଦନ, ସେଥି ନିମନ୍ତେ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଏହି ସହିତ ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୱାର୍ଲଡ୍‌ ଫିସ୍‌ ସହାୟତାରେ ୩୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ ସଦସ୍ୟା ଶୁଖୁଆ ଉତ୍ପାଦନ ପାଇଁ ଏବଂ ପ୍ରାୟ ୨୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୨୦,୦୦୦ ସଦସ୍ୟା ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ ତାଲିମ୍‌ ପାଇବେ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ ଯୋଗଦେଇ ଏହି ନୂତନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟ ମିଶନ ନିର୍ଦ୍ଦେର୍ଶକ-ତଥା-ମୁଖ୍ୟ ନିର୍ବାହୀ ଏନ. ତିରୁମାଲା ନାୟକ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ମତ୍ସ୍ୟ ବିଭାଗ ଓ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ

ଏଥର ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ, କଣ ହେବ ??

ଭୁବନେଶ୍ୱର: ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି। ନିରନ୍ତର ଆର୍ଥିର୍କ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଗର୍ବର ଭାବନା ସୃଷ୍ଟି କରିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି।

ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ।

ଗତିଶୀଳତା ହେଉଛି ସଶକ୍ତିକରଣ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମୁ୍ୟନିଟି ସପୋର୍ଟ ଷ୍ଟାଫ୍‌ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କ ପାଇଁ ବୈଦୁ୍ୟତିକ ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ଇଲେକ୍‌ଟି୍ରକ୍‌ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି। ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପୁଣି କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିଛନ୍ତି। ଇଣ୍ଡଷ୍ଟି୍ରଆଲ ପାର୍କ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ ଶକ୍ତି ଋଣକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି। ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସୁଧରିହାତି ଫେରସ୍ତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି ଯେ ସ୍ୱୟଂ ସହୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ, ଜୀବନଜୀବିକା ଓ ଦକ୍ଷତା ବିକାଶ ଉପରେ ମିଶନ ଶକ୍ତି ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଉଛି। ବ୍ଲକ୍‌ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ ଓ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ, ଫ୍ୟାସନ୍‌ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲିମ ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥି ପାଇଁ ୩୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ କହିଛନ୍ତି।

ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ୩୦ ଗୋଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ୩୩୮ ଗୋଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି।

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ ଓ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ପାଇଁ ବୈଠକ ଓ ଗସ୍ତ ଭତ୍ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ସବୁ ବ୍ୟବସ୍ଥା ନିମନ୍ତେ ବାର୍ଷିକ ୨୬୬.୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିିକେୟନ୍‌ ପ୍ରକାଶ କରିଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିୟମିତ ବୈଠକ ଓ ତାଲିମ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ସାମ୍ରଗୀର ବିକି୍ର ବ୍ୟବସ୍ଥା ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡରେ ମିଶନ ଶକ୍ତି ଗୃହ ଏବଂ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ମିଶନ ଶକ୍ତି ଭବନ ନିର୍ମାଣ କରାଯାଉଛି। ସେହିଭଳି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଇଁ କାର୍ଯ୍ୟାଳୟ ସହିତ ମାର୍କେଟ କମ୍ପ୍ଲେକ୍ସ ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମିଶନ ନିର୍ଦ୍ଦେଶାଳୟର କାର୍ଯ୍ୟନିର୍ବାହୀ ଡ. ଥିରୁମାଲା ନାୟକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଅଧିକାରୀ ସମ୍ମିଳନୀରେ କଣ ଦିଗଦର୍ଶନ ଦେଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ଆଜି ଲୋକସେବା ଭବନର କନଫ୍ରେନସ ହଲରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଗୋଟିଏ ଅଧିବେଶନରେ ଅଫିସରଙ୍କୁ ଦିଗଦର୍ଶନ ଦେଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ସେ କହିଛନ୍ତି ଯେ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି।

ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ବୃହତ ବ୍ୟବସାୟ ପ୍ରତିଷ୍ଠା ଏବଂ ଏହାର ବ୍ୟାପକ ପରିଚାଳନାରେ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି।

ଜିରୋ ପ୍ରତିଶତ ସୁଧ ମିଶନ ଶକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ –

୧.ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଗୋଷ୍ଠୀକୁ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ। ୨୦୦ କୋଟି ସୁଧ ଛାଡ଼ ରାଶି ସିଧାସଳଖ ଏସ୍‌ଏଚ୍‌ଜି ଆକାଉଣ୍ଟକୁ ପ୍ରଦାନ କରାଯାଉଛ। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏସ୍‌ଏଚ୍‌ଜିଗୁଡ଼ିକୁ ସୁଧ ଫେରସ୍ତ ବାବଦକୁ ୧୨୦୦ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।

୨. ଓଡ଼ିଶା ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୫ ହଜାର କୋଟି ଟଙ୍କାର ସରକାରୀ ସେବା ଏବଂ ସାମଗ୍ରୀ ଯୋଗାଣ ଆଦି ସେବାର ଏକ ନିଆରା ମଡେଲ୍‌ ସୃଷ୍ଟି କରିଛନ୍ତି। ଡାକ୍ତରଖାନା ଖାଦ୍ୟ ପରିଚାଳନା, ବିଦ୍ୟୁତ୍‌ ମିଟର ରିଡିଂ, ମତ୍ସ୍ୟଚାଷ, ସହରାଞ୍ଚଳ କାର୍ଯ୍ୟ, ଜଙ୍ଗଲରେ ନର୍ସରୀ ବୃଦ୍ଧି ଆଦି କ୍ଷେତ୍ରରେ ୧୫ଟି ସରକାରୀ ବିଭାଗ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ସହ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ରାଜ୍ୟର ସମସ୍ତ ୫‘ଟି’ ସ୍କୁଲକୁ ଏସ୍‌ଏଚ୍‌ଜି ମହାସଂଘକୁ ହସ୍ତାନ୍ତର କରିବା ଏବଂ ଏସ୍‌ଏଚ୍‌ଜିମାନଙ୍କୁ ତଦାରଖ ଦେୟ ପ୍ରଦାନ ସହିତ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟ ପାଇଁ ନିୟୋଜନ କରିବା ।

୩. ପ୍ରଶିକ୍ଷଣ ହେଉଛି ଏସ୍‌ଏମ୍‌ଇ ର୍ନିମାଣର ଏକ ଗୁରୁିପୂର୍ଣ୍ଣ ଉପାଦାନ। ବିଶ୍ୱସନୀୟ ଅଂଶୀଦାରମାନଙ୍କ ସହିତ ଉଚ୍ଚ ଗୁଣବତ୍ତା ପ୍ରଶିକ୍ଷଣ ସହିତ ସମସ୍ତ ବ୍ଲକକୁ ଅନ୍ତର୍ଭୁକ୍ତ କରାଯିବ । ସୌନ୍ଦର୍ଯ୍ୟ କ୍ଷେତ୍ରର ଉଦ୍ୟୋଗ, ଫ୍ୟାଶନ ଡିଜାଇନ, କୃଷି ଔଦ୍ୟୋଗିକତା, କ୍ୟାଫେ ପରିଚାଳନା ଓ ଆତିଥ୍ୟ କ୍ଷେତ୍ର ସେବାଗୁଡ଼ିକ ଉପରେ ଗୁରୁିତ୍ୱ ପ୍ରଦାନ କରାଯିବ।

ମାର୍କେଟିଂ – ମିଶନ ଶକ୍ତି ବଜାର, ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ଖୁଚୁରା ଷ୍ଟୋରର ସ୍ୱତନ୍ତ୍ର ଶୃଙ୍ଖଳ, ରାଜ୍ୟର ୫୦୦ ଟି ସ୍ଥାନରେ ସ୍ଥାପନ କରାଯିବ ଏବଂ ଖୁବଶୀଘ୍ର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ବୁଟିକ୍‌ ଷ୍ଟୋର ଖୋଲିବ। ଫ୍ଲିପକାର୍ଟରେ ବିକ୍ରୟ ପାଇଁ ୩୦୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇଛି।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳାମାନଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ସଂଘ ପାଇଁ ୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ସମସ୍ତ ବ୍ଲକସ୍ତରୀୟ ସଂଘ ପାଇଁ ୫୦ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି, ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରର ମହାସଂଘମାନଙ୍କ ପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ ସହ ଅଫିସ୍‌ କାର୍ଯ୍ୟାଳୟ ର୍ନିମାଣ ଏବଂ ସମସ୍ତ ୩୦ଟି ଜିଲ୍ଲାରେ ମାଇକ୍ରୋ ଓ ମିନି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି।

ଜିଲ୍ଲା ସ୍ତରରେ ସଫଳ ମହିଳାଙ୍କ ନେତୃତ୍ୱାଧୀନ ବ୍ୟବସାୟର କିଛି ଉଦାହରଣ

କୋରାପୁଟ ଜିଲ୍ଲାର ବୋରିଗୁମ୍ମାର ୧୨ଟି ଗ୍ରାମ ପଞ୍ଚାୟତରେ ୩୧୦ ଏକର ଜମିରେ ମହିଳାଙ୍କ ପାଇଁ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯାଇଛି। ଗୋଟିଏ ସ୍ଥାନରେ ଥିବା ଏହି ୟୁନିଟ୍‌ଗୁଡ଼ିକ ପାଇଁ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରୁ ପାଣ୍ଠି ଯୋଗାଇ ଦିଆଯାଇଛି।

କେବଳ ଫ୍ଲାଇ ଆସ୍‌ ଇଟା କାରଖାନାରୁ ୫ କୋଟି ଟଙ୍କାରୁ ଅଧିକ ଆୟ ହୋଇପାରିଛି। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ଦୁU ସଂଗ୍ରହ ଓ ବିକ୍ରୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମିଲ୍‌କ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେମାନେ ମହିଳା ଉଦ୍ୟୋଗୀ ଏବଂ ଇଲେକେଫ୍ରାନିକ୍‌ ଅଟୋ ଚାଳକଙ୍କୁ ନେଇ ଏକ ନିଆରା ଇ-ଅଟୋ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି।

ଆଗାମୀ ୩ ବର୍ଷ ମଧ୍ୟରେ ଅତି କମରେ ୫୦ ହଜାର କ୍ଷୁଦ୍ର ଉଦ୍ୟୋଗୀ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରୟାସ ମହିଳାଙ୍କ ନେତୃତ୍ୱାଧୀନ ଏବଂ ମହିଳାମାନେ ବୃହତ ଉଦ୍ୟୋଗର ମାଲିକାନାକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ମହିଳାମାନଙ୍କୁ ସବୁ ସ୍ତରରେ ନେତୃତ୍ୱ ଗ୍ରହଣ କରିବା ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ପ୍ରଦାନ କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ଲକଡାଉନରେ ଏସଏଚଜି କୁ ବିନା ସୁଧରେ ଦିଆଗଲା ୧୪୫ କୋଟି ଟଙ୍କାର ଋଣ, ମିଶନଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଓ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

1-୧୪ ଦିନ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ ପରେ କେତେକ କ୍ଷେତ୍ରରେ କୋଭିଡ୍‌-୧୯ ଚିହ୍ନଟ ହେବା ଲକ୍ଷ୍ୟ କରି ତଥା ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ କୋଭିଡ୍‌-୧୯ ରୋଗପୁଷ୍ଟି ଅବଧି ସଂପର୍କିତ କେତେକ ରିପୋର୍ଟକୁ ବିଚାର କରି ପୂର୍ବରୁ ଘୋଷିତ ୧୪ ଦିନ କ୍ୱାରାଣ୍ଟାଇନ୍‌ ଅବଧିକୁ ରାଜ୍ୟ ସରକାର ୨୮ ଦିନକୁ ବୃଦ୍ଧି କରିଛନ୍ତି। ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ପୁନଃ ଗୁରୁତ୍ୱାରୋପ କରିଛନ୍ତି।୨୧ ଦିନ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ସେମାନଙ୍କର ସନ୍ତୋଷଜନକ ଆଚରଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ବିଚାର କରି ପରେ ୭ ଦିନ ପାଇଁ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ନିମନ୍ତେ ଅନୁମତି ମିଳିପାରିବ। ହୋମ୍‌ କ୍ୱାରାଣ୍ଟାଇନ୍‌ ସମୟରେ ସଂପୃକ୍ତ ବ୍ୟକ୍ତି ନିର୍ଦ୍ଧାରିତ କ୍ୱାରାଣ୍ଟାଇନ୍‌ ନିୟମଗୁଡ଼ିକ କଡ଼ାକଡ଼ି ପାଳନ କରିବେ।

2-ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ଗତ ଏକ ମାସରୁ ଊଦ୍ଧ୍ୱର୍ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଏଥି ପାଇଁ ଜନସାଧାରଣ ବିଶେଷ ଭୟଭୀତ ହେବାର କାରଣ ନାହିଁ। ଏହି ପଜିଟିଭ୍‌ଗୁଡ଼ିକ ବାହାର ରାଜ୍ୟରୁ ଆସି ବିଭିନ୍ନ ସଂଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‌ ସେଣ୍ଟର)ରେ ରହିଥିବା କିଛି ଲୋକଙ୍କଠାରେ ହିଁ ଚିହ୍ନଟ ହୋଇଛି। ମାତ୍ର ସଙ୍ଗରୋଧ ଓ ନିର୍ଦ୍ଦେଶାବଳୀ ଅନୁପାଳନ ବଳରେ କରୋନାକୁ ପ୍ରତିହତ କରାଯାଇପାରିବ।

3-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କୋଭିଡ୍‌-୧୯ ଲକ୍‌ ଡାଉନ୍‌ର ଅସାଧାରଣ ପରିସ୍ଥିତିରେ ରାଜ୍ୟର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କର ଖାଦ୍ୟ ନିରାପତ୍ତା ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସକି୍ରୟ ଅଂଶଗ୍ରହଣ ସହିତ ସେମାନଙ୍କ ନିଃସ୍ୱାର୍ଥପର ସେବା, ଉତ୍ସାହ ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

4-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିରାଶି୍ରତ ଏବଂ ଅସହାୟ ଲୋକମାନଙ୍କୁ ଲକ୍‌ଡାଉନ ସମୟରେ ମାଗଣା ରନ୍ଧାଖାଦ୍ୟ ଯୋଗାଇବାରେ ୭୧୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ୧ କୋଟି ୫୬ ଲକ୍ଷ ମିଲ୍‌ ଯୋଗାଇ ଦେଇଛନ୍ତି। ପୌରାଞ୍ଚଳରେ ଆହାର କେନ୍ଦ୍ର ପରିଚାଳନାରେ ମଧ୍ୟ ସେମାନେ ସକି୍ରୟ ଭୂମିକା ଗ୍ରହଣ କରିଛନ୍ତି। ଏ ପର୍ଯ୍ୟନ୍ତ ଆହାର କେନ୍ଦ୍ରଗୁଡ଼ିକୁ ୨ ଲକ୍ଷ ୫ ହଜାର ମିଲ୍‌ ଯୋଗାଇ ଦେଇଛନ୍ତି। ହସ୍‌ପିଟାଲ୍‌ରେ ଚିକିତ୍ସିତ ୪୪,୮୩୨ ରୋଗୀଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦେଇଛନ୍ତି। କୋଭିଡ୍‌-୧୯ କଠିନ ପରିସ୍ଥିତିରେ ନିରାଶ୍ରିତ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇଦେବାରେ ଏହି ମା’ମାନଙ୍କ ଅବଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତି ମିଲ୍‌ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

5-ଲକ୍‌ ଡାଉନ୍‌ ସମୟରେ ୧୨୪୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ୪୦ ଲକ୍ଷରୁ ଊଦ୍ଧ୍ୱର୍ ମାସ୍କ ତିଆରି କରି ସ୍ୱଳ୍ପ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦେଇଛନ୍ତି। ଲକ୍‌ ଡାଉନ୍‌ରେ ଦୋକାନବଜାର ବନ୍ଦଥିବାବେଳେ ରାସନ୍‌ ଏବଂ ପନିପରିବା ଯୋଗାଇବାରେ ସ୍ୱୟଂ ସହାୟକ ଗୋଷ୍ଠୀର ୮୦୦୦ ସଦସ୍ୟା ଅନୁରୂପ ଭାବେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ଦ୍ୱାରା ୫୯୫ଟି ଦୋକାନ ଓ ୧୫୪ଟି ମୋବାଇଲ୍‌ ଭ୍ୟାନ୍‌ ମାଧ୍ୟମରେ ୧୫,୨୭୪ କ୍ୱିଣ୍ଟାଲ୍‌ ପରିମାଣର ପନିପରିବା ଓ ଶୁଖିଲା ରାସନ୍‌ ସାମଗ୍ରୀ ବିକି୍ର ହୋଇଛି।

6-ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ ଏସବୁ କାର୍ଯ୍ୟକ୍ରମ ସହିତ ମାଛଚାଷ, ଛତୁଚାଷ, ପନିପରିବା ଚାଷ, ଫାର୍ମ ପଣ୍ଡ ପରିଚାଳନା, ଗୋପାଳନ, ଅଙ୍ଗନବାଡିକୁ ଟେକ୍‌ ହୋମ୍‌ ରାସନ୍‌ ଯୋଗାଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୂଲ୍ୟ ଦୋକାନ ପରିଚାଳନା ଆଦି ମାଧ୍ୟମରେ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି।

7-ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଅପ୍ରେଲ ମାସରୁ ଏ ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୪୫ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି।

8-ନିଜ ପରିବାରର ସଦସ୍ୟମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ପୃଥକ ରଖିବା ସହିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାଧ୍ୟତାମୂଳକ ସଙ୍ଗରୋଧ ପାଳନ କରିନଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ଆସିବାକୁ ନଦେଇ ସେମାନଙ୍କ ଗ୍ରାମରେ କୋଭିଡ୍‌-୧୯ ବିରୋଧରେ ହେଉଥିବା ଯୁଦ୍ଧରେ ଜଣେ ଜଣେ କୋଭିଡ୍‌ ସଂଗ୍ରାମୀ ଭାବରେ ଭୂମିକା ନିର୍ବାହ କରିବାକୁ ମିଶନ ଶକ୍ତିର ନିର୍ଦ୍ଦେଶିକା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

9-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୬୩୪୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫୨,୭୨୩ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

10-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏସ୍‌ସିବି ମେଡିକାଲ୍‌ କଲେଜ, କଟକର ଟେଲିମେଡିସିନ୍‌ ସେଣ୍ଟରରେ ଘରୋଇ ଚିକିତ୍ସକ/ଇଏସ୍‌ଆଇ ହାସପାତାଳଗୁଡ଼ିକ ନିମନ୍ତେ କୋଭିଡ୍‌-୧୯ ପରିଚାଳନା ସଂପର୍କିତ ଓ୍ବେବ୍‌ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ୨୫୦ରୁ ଊଦ୍ଧ୍ୱର୍ ଡାକ୍ତର ଅଂଶଗ୍ରହଣ କରଛନ୍ତି।

11-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୩୦୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୫,୭୫,୨୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

12-ଆଜି ରାଜ୍ୟର ୪୯୯୪ ଗ୍ରାମ ପଞ୍ଚାୟତରେ ୩,୧୮,୬୩୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୧୫୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

13-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୮ରୁ ମଇ ୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୧ଟି ମାମଲା ଦାୟର କରାଯାଇଛି। ସେଥିରୁ ୨୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ, ୧ଟି ଗୁଜବ ପ୍ରଚାର ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୪୯ ଜଣଙ୍କୁ ଗିରଫ କରାଯାଇଛି।