Categories
ଆଜିର ଖବର ରାଜ୍ୟ ଖବର

ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ “ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ” ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ, ଉପ-ଜିଲ୍ଲାପାଳ, କୃଷି ଉପ-ନିର୍ଦ୍ଦେଶକ, ଉପ-ନିବଦ୍ଧକ, ଖୋର୍ଦ୍ଧା-ଭୁବନେଶ୍ଵର ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ, ଜଟଣୀ ଓ ବାଲୁଗାଁ ତଥା ବେସାମରିକ ଯୋଗାଣ ଅଧିକାରୀ ଓ ମିଲର୍ସ, ସାମ୍ବାଦିକ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ବୈଠକରେ ଆସନ୍ତା ମଇ ୨୪ ତାରିଖ ଠାରୁ ରବି ଧାନ ସଂଗ୍ରହ ନିମିତ୍ତ ଦିନ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ନିମିତ୍ତ ୨୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ସମୟରେ ମଣ୍ଡି କାର୍ଯ୍ୟରେ ମିଲରମାନଙ୍କର ସହଯୋଗ ଓ ପ୍ରତ୍ୟେକ ଦିନ ୧୨୦୦ କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ସ୍ଥିରୀକୃତ କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଲ୍ଲାସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି: ଡିସେମ୍ବର ୩୦ରୁ ଖୋର୍ଦ୍ଧାରେ ଆରମ୍ଭ ହେବ ଧାନ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଆସନ୍ତା ଡିସେମ୍ବର ୩୦ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଧାନ ସଂଗ୍ରହ ନିମନ୍ତେ ୧୦ଟି ବ୍ଲକର ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୧୪ଟି ଉପକେନ୍ଦ୍ର ମୋଟ ୧୫୩ଟି ସ୍ଥାନରେ କୃଷକ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ।

ସେହିଭଳି ଧାନ ବିକ୍ରୟ ନିମନ୍ତେ ଚଳିତ ବର୍ଷ ୪୮ ହଜାର ୪୦୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୧୮୧୩ ଜଣ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ହଜାର ୧୪୭ ଜଣଙ୍କ ପଞ୍ଜିକରଣ ବୈଧ ରହିଛି। ଚଳିତ ଖରିଫ ଋତୁ ନିମନ୍ତେ ୭୮ ହଜାର ୫୯୦ ମେଟ୍ରିକ ଟନ ଚାଉଳ ଅଥବା ଏକ ଲକ୍ଷ ୧୫ ହଜାର ୫୭୩ ମେଟିକ୍ ଟନ ଧାନ ସଂଗ୍ରହ କରାଯିବା ଲକ୍ଷଧାର୍ଯ୍ୟ କରାଯାଇଛି। ସାଧାରଣ କିସମ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଓ ଗ୍ରେଡ ‘ଏ’ ଧାନ ପାଇଁ ୨୦୬୦ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରୁ ୧୭ ଜଣ ମିଲର ଏଥିରେ ଭାଗ ନେବେ।

ଧାନ ସଂଗ୍ରହ ନିମନ୍ତେ ସ୍ବଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ସଂପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ କହିଛନ୍ତି। ପ୍ରତ୍ୟେକ ଧାନ ମଣ୍ତିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ। ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟରେ ହସ୍ତକ୍ଷେପ ନକରନ୍ତି ଏଥିପ୍ରତି ଧ୍ୟାନ ଦେବାକୁ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି ପରାମର୍ଶ ଦେଇଛନ୍ତି। ସମସ୍ତ ମଣ୍ତିରେ ଆବଶ୍ୟକୀୟ ପଲିଥିନ ବ୍ୟବସ୍ଥା କରିବାକୁ ସେ ଅଧିକାରୀ ମାନଙ୍କୁ କହିଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ କେ ମୁର୍ମୁ, ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା, ସହକାରୀ କୃଷି ଅଧିକାରୀ ତୁଷାର କାନ୍ତ ସାହୁ, ଉପ କୃଷି ନିର୍ଦ୍ଦେଶକ ସନ୍ତୋଷ ବିଶ୍ବାଳ, ସମବାୟ ସମିତି ସମୂହ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସଂପାଦକ, ମିଲର, ଚାଷୀ ପ୍ରତିନିଧି ପମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚଳିତ ୩୦ ଅଗଷ୍ଟ ସୁଦ୍ଧା ୮୮୧ ଲକ୍ଷ ମେଟ୍ରିକ ଟନ୍‌ ଧାନ କ୍ରୟ ହୋଇଛି, କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୧-୨୨ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଧାନ କ୍ରୟ ସୁଗମ ଭାବେ ଜାରି ରହିଛି । ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ମୋଟ୍ ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍ ପରିମାଣର ଧାନ (୭୫୯.୩୨ ଲକ୍ଷ ମେଟ୍ରିକ ଟନ ଖରିଫ ଫସଲ ଏବଂ ୧୨୧.୯୮ ଲକ୍ଷ ମେଟ୍ରିକ ଟନ୍ ରବି ଫସଲ ସାମିଲ ରହିଛି) କିଣାଯାଇଛି ।

୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ସହିତ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି ।

୨୦୨୨-୨୩ ରବି ବିପଣନ ଋତୁ ସମୟରେ ଗହମ କ୍ରୟ

୨୦୨୨-୨୩ ରବି ବିପଣନ ଋତୁରେ ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍ ଗହମ କିଣାଯାଇଛି । ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ବାରା ପ୍ରାୟ ୧୭.୮୩ ଲକ୍ଷ ଚାଷୀ ଲାଭାନ୍ବିତ ହୋଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଧାନ ସଂଗ୍ରହ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ ହେଲା ଯୋଜନା

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିଗୁଡ଼ିକରେ ଧାନସଂଗ୍ରହ ପରିମାଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ମଣ୍ଡିର ଧାନସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିସବୁ ଭିତ୍ତିଭୂମିର ଯୋଜନା ପ୍ରସ୍ତୁତି ଓ ନିର୍ମାଣ ଓ ଆବଶ୍ୟକ ବ୍ୟୟ ଭାର ବହନ କରିବା ଦିଗରେ ବିଭାଗ ପକ୍ଷରୁ ଏକ ସଂକଳ୍ପନାମା ଜାରି କରାଯାଇଛି।

ରାଜ୍ୟରେ ପ୍ରତିବର୍ଷ ଚାଷୀମାନଙ୍କଠାରୁ ଧାନସଂଗ୍ରହର ପରିମାଣ ବୃଦ୍ଧି ପାଉଛି ଏବଂ ଅଧିକରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଂଜୀକରଣ କରୁଛନ୍ତି । ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ସେମାନଙ୍କର ଧାନ ବିକି୍ର କରିପାରିବେ, ସେଥିନେଇ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମିର ନିର୍ମାଣକୁ ଅଗ୍ରାଧିକାର ଦେଇଛନ୍ତି ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମବାୟ ସମିତି ନିବନ୍ଧକଙ୍କୁ କୁହାଯାଇଛି।

ଯେଉଁସବୁ ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି, ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ଆବଶ୍ୟକତାର ପୁନଃଆକଳନ ଓ ଖର୍ଚ୍ଚ ଅଟକଳ ତୁରନ୍ତ ପ୍ରସ୍ତୁତ କରି ବିଭାଗକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଦିନିଆ ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କ ଧାନ ସୁରକ୍ଷିତ ରଖିବା ଦିଗରେ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରର ପିଣ୍ଡିଗୁଡ଼ିକ ଉଚ୍ଚ କରିବା, ଉପର ଛାତ ଏବଂ ଗୋଦାମ ଗୃହ ଆଦିର ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଯେଉଁ ମଣ୍ଡିରେ ଏହିସବୁ ସୁବିଧା ନାହିଁ, ସେଠାରେ ଉପଯୁକ୍ତ ସରକାରୀ ଜମିର ହସ୍ତାନ୍ତରଣ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଆବେଦନ କରିବା ପାଇଁ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରମାନଙ୍କୁ ବିଭାଗ ପକ୍ଷରୁ ଅଧିକୃତ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ତେବେ ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ସେମାନଙ୍କ ଦ୍ୱାରା ଧାନସଂଗ୍ରହ ସମୟରେ ଆଦାୟ କରାଯାଇଥିବା ଉନ୍ନୟନ ଫିସ୍‌ ଏବଂ ପ୍ୟାକ୍ସ ଓ ଲ୍ୟାମ୍ପସ୍‌କୁ ଧାନସଂଗ୍ରହ ବାବଦକୁ ମିଳୁଥିବା କମିଶନ ଅର୍ଥକୁ ମଣ୍ଡିର ପିଣ୍ଡିକୁ ଉଚ୍ଚ କରିବା, ଉପର ଛାତ, ଗୋଦାମ ଗୃହ ନିର୍ମାଣ ସହିତ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଖର୍ଚ୍ଚ କରାଯାଇପାରିବ।

ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଣ୍ଡି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଯୋଜନା ଓ ବ୍ୟୟ ଅଟକଳକୁ ଅନୁମୋଦନ କରିବେ। ପ୍ରକଳ୍ପର ବୈଷୟିକ ଅନୁମୋଦନ ସଂପୃକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା/ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକୃତ ବୈଷୟିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ତଦାରଖରେ ସଂପୃକ୍ତ ପଞ୍ଚାୟତ ସମିତି ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ପଡ଼ୋଶୀ ରାଜ୍ୟର ଧାନକୁ ରୋକିବା ପାଇଁ ପୁଲିସ ମହାନିର୍ଦ୍ଦେଶକ ଚିଠି ଲେଖିଲା ଖାଦ୍ୟ ଯୋଗାଣ ବିଭାଗ

ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ମଇ ୧ ତାରିଖରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମଣ୍ଡିରେ ପ୍ରବେଶ କରି ନପାରିବ, ସେଥି ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହିସବୁ ଜିଲ୍ଲାର ସ୍ଥିରୀକୃତ ମଣ୍ଡିରେ ପଂଜୀକୃତ ଓ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ଯେପରି ରବିଧାନ ବିକି୍ର କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିବେ, ସେଥି ନିମନ୍ତେ କ୍ଷେତ୍ର ଅଧିକାରୀମାନେ ସତର୍କ ଦୃଷ୍ଟି ରଖିବା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇ ନିୟମିତ ଯାଞ୍ଚ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇ ଅନଧିକୃତ ଧାନ ଚାଲାଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ କଡ଼ାକଡ଼ି ଭାବେ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରାଯାଇଛି।

ଚଳିତ ରବିଧାନ କେବଳ ୧୭ଟି ଜିଲ୍ଲାର ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ପି-ପାସ୍‌ ଓ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ସଂଗ୍ରହ କରାଯିବ। ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ରବିଧାନ ସର୍ବନିମ୍ନ ସହାୟକ ମୂଲ୍ୟରେ ସ୍ଥିରୀକୃତ ମଣ୍ଡିରେ ସଂଗ୍ରହ କରାଯିବ।

ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳର ଅସାଧୁ ବ୍ୟବସାୟୀ କିମ୍ବା ଲୋକଙ୍କ ଦ୍ୱାରା ଅନଧିକୃତ ଧାନ, ମଣ୍ଡିରେ ବିକ୍ରି ହେବାର ଆଶଙ୍କା ରହିଛି। ଏହା ଦ୍ୱାରା ଉକ୍ତ ଜିଲ୍ଲାର ଚାଷୀମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକି୍ର କରିବାକୁ ବଞ୍ଚିତ ହୋଇପାରନ୍ତି । ଏହି ପରିପ୍ରେକ୍ଷୀରେ ସୀମାନ୍ତରେ ଅବସ୍ଥିତ ଜିଲ୍ଲା ପ୍ରଶାସନ ଦ୍ୱାରା ନିୟମିତ ଓ କଡ଼ାକଡ଼ି ଯାଞ୍ଚ କରି ଅନଧିକୃତ ଧାନ ପ୍ରବେଶକୁ ରୋକିବା ପାଇଁ କୁହାଯାଇଛି।

ବେଆଇନ୍‌ ଧାନ କାରବାରରେ ଲିପ୍ତ ଅସାଧୁ ବ୍ୟବସାୟୀ, ମିଲର ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ କୌଣସି ଗାଡ଼ି ଅନଧିକୃତ ଧାନ ପରିବହନରେ ବ୍ୟବହୃତ ହେଉଥିବାର ଧରାପଡ଼ିଲେ ସେହି ଗାଡ଼ିକୁ ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ନଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡିଜିଟାଲ ଜ୍ଞାନ ବ୍ୟବହାର କଲେ ମିଶନ ଶକ୍ତି ମହିଳା, ଧାନ ସଂଗ୍ରହ ପାଇଁ 320ଟି ଏସଏଚଜି ରେ ଲାଗୁ

ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ମହିଳାମାନେ ହୋଇଛନ୍ତି ଡିଜିଟାଇଜେସନ। ଯାହାର ପ୍ରମାଣ ହେଉଛି ରାଜ୍ୟରେ ଏସଏଚଜି ମହିଳାମାନେ ଇଣ୍ଟରନେଟ ମାଧ୍ୟମରେ କାମ କରିବା। ରାଜ୍ୟରେ ଧାନ ସଂଗ୍ରହ ପାଇଁ ସରକାର ମିଶନ ଶକ୍ତିକୁ ଦାୟିତ୍ବ ଦେଇଛନ୍ତି। ଫଳରେ ଏହାର ସଂଗ୍ରହ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟ କରାଯାଉଛି। ମହିଳାମାନେ ଚାଷିମାନଙ୍କ ନାମ ଅନଲାଇନ ରେଜିଷ୍ଟ୍ରେସନ କରୁଛନ୍ତି।
ବର୍ତ୍ତମାନ ରାଜ୍ୟର 11 ଟି ଜିଲ୍ଲାର 320ଟି ଏସଏଚଜି ସଂଗଠନରେ ଏହି ଡିଜିଟାଇଜେସନ ପକ୍ରିୟା ଲାଗୁ କରାଯାଇଛି। ମହିଳାମାନେ ଏହାର ତଦାରଖ କରି ଧାନ ସଂଗ୍ରହ କରିବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ମିଶନ ଶକ୍ତି ବିଭାଗ ତରଫରୁ କୁହାଯାଇଛି।
Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ସମସ୍ୟା ସମାଧାନ ପାଇଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖଠାରୁ ଆରମ୍ଭ ହେବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ଠିକ୍ ପରିଚାଳନା ପାଇଁ ପ୍ରତି ବ୍ଲକ୍‌ରେ ତିନିଜଣ ଲେଖାଏଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସେମାନେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଗଲେ ସମାଧାନ କରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭି.ସି. ବୈଠକରେ ଜଣାଇଥିଲେ।

ଚଳିତ ବର୍ଷ ଏପ୍‌.ଏ.କୁୟ ଧାନ କୁଇଣ୍ଟାଲ୍ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାରେ ଟଙ୍କା ଜମା ହେବ। ଚଳିତ ଖରିଫ୍ ଋତୁ ଧାନ ୧୩୯୬୪୮ ଜଣ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଧାନ ନିର୍ଦ୍ଧାରିତ ୩୮୯ ପାକ୍‌ସ ଏବଂ ୬୪ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହିତ ଟ୍ୟାଗ କରାଯାଇ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବେଳେ ଗୋଟିଏ ମାତ୍ର ପାଣିପଞ୍ଚାୟତ ଅଂଶଗ୍ରହଣ କରିବ। ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେମିତି କୌଣସି ସ୍ଥାନରେ ବି ବିଶୃଙ୍ଖଳା ଯେପରି ଦେଖାନଯାଏ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ତଥ୍ୟ ଉପସ୍ଥାପନ କରି ଯାହାର ଯାହା ସମସ୍ୟା ରହିଛି ସେ ସବୁ ସମାଧାନ କରିବା ଦିଗରେ ପ୍ରବର୍ତ୍ତାଇ ଥିଲେ।

ବୈଠକରେ ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢ଼ୀ, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡ଼ିଭିଜନ ବିଶ୍ୱ ରଂଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢ଼ୀ, ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଧାନ ସଂଗ୍ରହପାଇଁ ପଞ୍ଜିକରଣ ପକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବୈଠକ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କ ଆଗୁଆ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବେଗୁନିଆପଡା ବ୍ଲକ ଓଏଲମ କକ୍ଷରେ ସୋସାଇଟ ସମ୍ପାଦକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ ସେମାନଙ୍କ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତିରେ କେଉଁଭଳି ଭାବେ ପଞ୍ଜିକରଣ କରିବେ ସେଥିପାଇଁ ସମ୍ପାଦକମାନେ ଚାଷୀଙ୍କୁ ସହଯୋଗ କରିବେ। ସେମାନଙ୍କ ଠାରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରି ଏହାକୁ ତୁରନ୍ତ ପଞ୍ଜିକରଣ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ବିଗତ ବର୍ଷ ବେଗୁନିଆପଡା ବ୍ଲକରେ ୬୦୦୩ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା ୩୦୦୦ ଚାଷୀ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ କହିଥିଲେ।

ଏଥିସହ ବ୍ଲକରେ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ସମବାୟ ସମିତିର ସମ୍ପାଦକ ମାନଙ୍କୁ କହିଥିଲେ ଯୋଗାଣ ଅଧିକାରୀ। ପଞ୍ଜିକରଣ ପାଇଁ ଚାଷୀଙ୍କ ଠାରୁ ଗ୍ରହଣ କରୁଥିବା ଫର୍ମ ନିର୍ଭୁଲ ଭାବେ ପୂରଣ କରିବା ସହ ବର୍ଷ ୨୦୨୦/୨୧ ପାଇଁ କାଟିଥିବା ସିସ୍ତୂକୁ ଗ୍ରହଣ କରିବା ପାଇଁ କହିଥିଲେ ତହସିଲଦାର। ଏଥିସହ ବର୍ତ୍ତମାନ କରୋନା ମହାମାରୀର ସମୟ ଚାଲିଥିବା ଯୋଗୁଁ ସମ୍ପାଦକ ମାନେ ସମବାୟ ସମିତିରେ ସାନିଟାଇଜର ଓ ଚାଷୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ କହିବାକୁ କହିଥିଲେ ବିଡ଼ିଓ। ନିଜେ ଗ୍ଳୋବ୍ସ ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରି କାର୍ଯ୍ୟ କରିବା ପାଇଁ କହିଥିଲେ ବିଡ଼ିଓ। ଏହି ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡା ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଯୋଗାଣ ଅଧିକାର ଏବଂ ସମବାୟ ସମିତି ସମ୍ପାଦକ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଧାନ ସଂଗ୍ରହ ପାଇଁ ହେବ ଅନଲାଇନ ପଞ୍ଜୀକରଣ, ଜଗତସିଂହପୁର ଓ ରାହାମା ଆର୍.ଏମ୍.ସି ରେ ହେବ କର୍ମଚାରୀଙ୍କ ପ୍ରଶିକ୍ଷଣ

ରମେଶ ମହାନ୍ତି
ଜଗତସିଂହପୁର: ଖରିଫ୍ ଋତୁ ପାଇଁ କୃଷକ ମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ କୃଷକମାନଙ୍କର ଅନ୍ ଲାଇନ୍‌ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଚାଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ କୃଷକମାନଙ୍କର ଅନ୍‌ଲାଇନ ପଞ୍ଜିକରଣ କରାଯିବା ପାଇଁ କ୍ଷେତ୍ରୀୟ କର୍ମଚାରୀଙ୍କ ମଧ୍ୟରେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ଜଗତସିଂହପୁର ଆର.ଏମ୍‌.ସି ଏବଂ ରାହାମା ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ତା ୨୭.୭.୨୦ ରିଖ ଠାରୁ ତା ୩୧.୭.୨୦ ରିଖ ମଧ୍ୟରେ ଅନୁଷ୍ଠିତ ହେବ।

ପ୍ରାପ୍ତ ସୂଚନା ଅନୁଯାୟୀ ଜଗତସିଂହପୁର ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ୨୭ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଜଗତସିଂହପୁର ବ୍ଲକର ୧୬ ଗୋଟି ସମବାୟ ସମିତି ଏବଂ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିରିଡି ବ୍ଲକର ୬ ଗୋଟି ସମବାୟ ସମିତିର କ୍ଷେତ୍ରୀୟ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଶିକ୍ଷଣ ଅନୁଷ୍ଠିତ ହେବ।

ସେହିପରି ୨୮ ତାରିଖ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ବାଲିକୁଦା ବ୍ଲକର ୨୧ ଗୋଟି ସମବାୟ ସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ନାଉଗାଁ ବ୍ଲକର ୬ ଗୋଟି ସମବାୟ ସମିତି, ୨୯ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ଏରସମା ବ୍ଲକର ୧୬ଗୋଟି ସମବାୟ ସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ କୁଜଙ୍ଗ ବ୍ଲକର ୧୬ଗୋଟି ସମବାୟ ସମିତି, ୩୦ ତାରିଖ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ରଘୁନାଥପୁର ବ୍ଲକର ୯ ଗୋଟି ସମବାୟସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ତିର୍ତୋଲ ବ୍ଲକର ୧୫ ଗୋଟି ସମବାୟ ସମିତିର କ୍ଷେତ୍ରୀୟ କର୍ମଚାରୀଙ୍କର ପ୍ରଶିକ୍ଷଣ ରାହାମା ଆର.ଏମ.ସିରେ ଅନୁଷ୍ଠିତ ହେବ।

ଜଗତସିଂହପୁର ଓ ରାହାମା ନିୟନ୍ତ୍ରିତ ବଜାର କମିଟିର ସେକ୍ରେଟାରୀମାନେ କୃଷକମାନଙ୍କ ଅନ୍ ଲାଇନ୍ରେ ଜିଷ୍ଟ୍ରେସନ୍ ସଂପର୍କରେ ମାଇକ୍‌,ଫ୍ଲେକ୍ସ ବ୍ୟାନର ମାଧ୍ୟମରେ କୃଷକ ମାନଙ୍କୁ ସଚେତନ କରିବା ପାଇଂ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଅନୁଯାୟୀ ସାମାଜିକ ଦୂରତା, ସାନିଟାଇଜେସନ୍ ଓ ମାକ୍ସ ବ୍ୟବହାର ମୁତାବକ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ, ମାର୍କେଟିଙ୍ଗ ଇନିସ୍‌ପେକ୍ଟର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସେଣ୍ରାଲ କୋଅପରେଟିଭ୍ ବ୍ୟାଙ୍କର ଶାଖା ପରିଚାଳକମାନେ ଯୋଗଦେବେ।