Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭା ପୂର୍ବରୁ ନବୀନଙ୍କୁ କଲେ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ମହଲରେ ଚର୍ଚ୍ଚା

ଭୁବନେଶ୍ବର: ସୋମବାର ଦିନ ଆରମ୍ଭ ହେଉଛି ବିଧାନସଭା। ଏହା ହେଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ତେବେ ଏହି ଅଧିବେସନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ନୂଆ ପରଂପରା ସୃଷ୍ଟି କରିଛନ୍ତି। ତାହା ହେଲା ସେ ଆଜି ନବୀନ ନିବାସ ଯାଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଯାଇଥିଲେ।

ଉଭୟ ନବୀନଙ୍କ ସହିତ ବିଧାନସଭା କାର୍ଯ୍ୟରେ ଯୋଗଦେବା ପାଇଁ କଥାବାର୍ତ୍ତା କରିଛନ୍ତି। ବିରୋଧୀ ଦଳର ନେତା ହିସାବରେ ତାଙ୍କର କଥାକୁ ସରକାର ଗୁରୁତ୍ବ ଦେବେ ବୋଲି ଉଭୟ ପ୍ରତିଶୃତି ଦେଇଛନ୍ତି। ତେବେ ବିରୋଧୀ ଦଳର ନେତା ହିସାବରେ ନବୀନଙ୍କ କର୍ତ୍ତବ୍ୟ ହେଉଛି ବିଧାନସଭା ଯିବା। ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯାଇ ଅନୁରୋଧ କରିବାକୁ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ହିଞ୍ଜିଳିରୁ ପ୍ରଚାର ବିଗୁଲ ଫୁଙ୍କିଲେ ନବୀନ ପଟ୍ଟନାୟକ, ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ଅନୁରୋଧ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡରେ ବିରାଟ ଜନସଭା ସହ ଆଜି ବିଜୁ ଜନତା ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ଓ ଶେରଗଡରେ ଦୁଇଟି ବିରାଟ ଜନସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ଜନତା ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯୋଡି ଶଙ୍ଖ ହେଉଛି ଓଡିଶାର ପରିଚୟ। ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ ବୋଲି ମତଦେଇ ସେ କହିଥିଲେ ଯେ ଓଡିଶାର ସାଢେ ଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ।

ସେ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ଏକ ନମ୍ବର ଦଳ ହୋଇ ରହିଆସିଛି। ଜନତାଙ୍କ ଆଶୀର୍ବାଦରେ ଏହି ନିର୍ବାଚନରେ ମଧ୍ୟ ପୁଣି ଥରେ ଏକ ନମ୍ବର ହେବ ଓ ବିକାଶର ଯାତ୍ରାକୁ ଆହୁରି ମଜବୁତ କରିବ।

ହିଞ୍ଜିଳିବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ତାଙ୍କର ପରିବାର। ଏହି ସାଢେ ଚାରି କୋଟି ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରିଚାଲିଛି ଓ ଶେଷ ପର୍ଯ୍ୟନ୍ତ କରିଚାଲିବି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ହିଞ୍ଜିଳି-ଶେରଗଡ ଆଜି ସାରା ଦେଶରେ ବିକାଶର ଏକ ମଡେଲ ହୋଇଛି। ୫-ଟି ରୂପାନ୍ତର ଯାତ୍ରାରେ ହିଞ୍ଜିଳି ଶେରଗଡ଼ ବାସୀଙ୍କ ସହଯୋଗ ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ ଓଡିଶାର ଚାଷୀମାନେ, ମିଶନ ଶକ୍ତିର ମା ମାନେ ଜିରୋ ପରସେଣ୍ଟ ସୁଧରେ ଋଣ ପାଉଛନ୍ତି। ସଶକ୍ତ ଓଡିଶା ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ।

ଯୁବଶକ୍ତି ଉପରେ ନିଜର ଭରସା ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ରାଜ୍ୟରେ ସ୍ବତନ୍ତ୍ର ଯୁବ ବଜେଟ ଅସିବ। ୨୦୨୪ ରୁ ୨୦୩୪ ଏହି ଦଶକ ହେବ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ। ଯୁବ ବଜେଟରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶ ଉପରେ ଫୋକସ ରହିବ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ ଓ ଓଡିଶା ତାର କାମ ପାଇଁ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ। ୨୦୩୬ରେ ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହେବ ଦେଶର ଏକ ନମ୍ବର ରାଜ୍ୟ।

ବିରୋଧୀ ଦଳର ରାଜନୀତି ଉପରେ ମତଦେଇ ସେ କହିଥିଲେ ଯେ ବିକାଶ ଆମର ପରିଚୟ ହୋଇଥିବା ବେଳେ, ବିରୋଧୀ ଦଳ ଗୁଡିକ ସବୁବେଳେ ଅଯଥା ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରୁଛନ୍ତି, ଅପପ୍ରଚାର କରୁଛନ୍ତି। ଓଡିଶାବାସୀ ସେମାନଙ୍କ ଅସଲ ରୂପକୁ ଲୋକ ଚିହ୍ନିଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହେବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ଏହି ସଭାରେ ବିଜୁ ଜନତା ଦଳର ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ହିଞ୍ଜିଳି-ଶେରଗଡ ହେଉଛି ଦେଶର ଏକ ନମ୍ବର ନିର୍ବାଚନ ମଣ୍ଡଳୀ। ହିଞ୍ଜିଳି-ଶେରଗଡର ବିଧାୟକ ହେଉଛନ୍ତି ଦେଶର ଏକ ନମ୍ବର ବିଧାୟକ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ତେଣୁ ଆପଣମାନେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ତାଙ୍କର ଏକ ନମ୍ବର ସ୍ଥାନ ବଜାୟ ରଖନ୍ତୁ ବୋଲି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଶୋଇ ପ୍ରମୁଖ ନିଜ ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ସାରା ରାଜ୍ୟରେ ପାଳନ ହେଉଛି ଏହି ଦିବସ। ଆଜି ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ। ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ। ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ ‘ବିକଶିତ ଓଡ଼ିଶା’ ଗଠନ କରିବା ହେଉଛି ଓଡ଼ିଆର ସଙ୍କଳ୍ପ। ଏହି ‘ଓଡ଼ିଶା ଦିବସ’ରେ ଆସନ୍ତୁ ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି ‘ବିକଶିତ ଓଡ଼ିଶା’ ଗଢ଼ିବା ଦିଗରେ ଆଗକୁ ବଢ଼ିବା।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

ଭୁବନେଶ୍ବର:  ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।

ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜ କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଅଙ୍ଗଦାନ ଏକ ମହତ ଦାନ । ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟମାନେ ସାହସିକ ନିଷ୍ପତ୍ତି ନେଇ ଅଙ୍ଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ରାଜ୍ୟ ସରକାର ଏହି ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ ମସିହାରେ State Organ & Tissues Transplant Organization (SOTTO) ପ୍ରତିଷ୍ଠା କରିଛନ୍ତି।

ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାର ୨୦୨୦ରୁ ସୁରଜ ପୁରସ୍କାର ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୁରଜଙ୍କ ନାମରେ ଏହି ପୁରସ୍କାର ପ୍ରଚଳନ କରାଯାଇଛି। ସଡକ ଦୁର୍ଘଟଣାରେ ଗୁରୁତର ଆହତ ସୁରଜଙ୍କ ମସ୍ତିଷ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ସୁରଜଙ୍କର ଶରୀରର ଗୁରୁତ୍ୱପୂର୍ଣ ଅଙ୍ଗଗୁଡିକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଗୁରୁତ୍ୱପୂର୍ଣ ଅଙ୍ଗଗୁଡିକ ୬ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା।

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏଥି ସହିତ ପ୍ରତିବର୍ଷ ବିଶ୍ୱ ଅଙ୍ଗଦାନ ଦିବସ ଅଗଷ୍ଟ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଅଙ୍ଗଦାତାମାନଙ୍କ ନିକଟତମ ଆତ୍ମୀୟଙ୍କୁ ସମ୍ମାନିତ ମଧ୍ୟ କରୁଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବୁଣାକାର ଓ କାରିଗରଙ୍କ ପାଇଁ ନବୀନଙ୍କ ବଡ ଘୋଷଣା, ପାଇବେ ମାସିକ ୨୦୦୦ ଟଙ୍କା ସହାୟତା

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’।

ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ ।

ସୂଚନା ଯୋଗ୍ୟ ଯେ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗର ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଏବଂ ସଂରକ୍ଷଣ ପାଇଁ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ରାଜ୍ୟରେ ୧,୨୫,୦୦୦ ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ୧,୫୦,୦୦୦ ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି।  ତେବେ, ପରିଣତ ବୟସରେ ବୁଣାକାର ମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ “ବରିଷ୍ଠ ବୁଣାକାର ସହାୟତା ଯୋଜନା “ ଥିବା ବେଳେ ବରିଷ୍ଠ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ କୌଣସି ଯୋଜନା ନାହିଁ।

ବୁଣାକାର ମାନେ ୬୦ ରୁ ୮୦ ବର୍ଷ ବୟସ ମଧ୍ୟରେ ମାସିକ ୫୦୦ ଟଙ୍କାର ସହାୟତା ପାଉଥିବା ବେଳେ ୮୦ ବର୍ଷ ବଯସରୁ ଅଧିକ ବୟସରେ ମାସିକ ୭୦୦ ଟଙ୍କାର ସହାୟତା ପାଉଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କର କଲ୍ଯାଣ ନିମନ୍ତେ ଏକ ନୂତନ ଯୋଜନା “ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା“ ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବାପାଇଁ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ।

କ ) ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଙ୍କ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ତାଲିକା ରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବରେ ପଞ୍ଜିକୃତ ହୋଇଥିବ ।

ଖ ) ତାଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହୋଇନଥିବ I

ଗ) ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଙ୍କ ଦ୍ଵାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ I

ଘ) ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ I

ଙ) ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ।

ଚ) ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କ ଆଧାର ସଂଯୁକ୍ତ ବ୍ଯାଙ୍କ ସଞ୍ଚୟ ଖାତାକୁ ସିଧା ସଳଖ ଡିବିଟି ଦ୍ଵାରା ପ୍ରଦାନ କରାଯିବ I

୬. ଏହି ଯୋଜନା ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯିବ ।

ଏଥିନିମନ୍ତେ ଆବଶ୍ଯକୀୟ ମାର୍ଗଦର୍ଶିକା ବିଭାଗ ତରଫରୁ ଜାରି କରାଯିବ।

ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ସହାୟତା ପାଉଥିବା ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ।

ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଚାରଟି ଜିଲ୍ଲାର ଜଳସେଚନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ। ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ। ୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ।

ସୂଚନାଯୋଗ୍ୟ ଯେ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ପ୍ରଣାଳୀ କାମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାର ୨୭.୫ କିମି ଦର୍ପଣି ବ୍ରାଞ୍ଚ କେନାଲ ଓ ୧୯.୫ କିମି ନରସିଂହପୁର ବ୍ରାଞ୍ଚ କାମ ସମ୍ପୁର୍ଣ୍ଣ ହୋଇଛି ଏବଂ ଏହାର ଭୂତଳ ପାଇପଲାଇନ କାମ ମଧ୍ୟ ସରିଛି। ଏହା ଦ୍ୱାରା କଟକ ଜିଲ୍ଲାର ଆଠଗଡ ଓ ତିଗିରିଆ ବ୍ଲକ ଏବଂ ଢେଙ୍କାନାଳ ବ୍ଳକ୍‌ର ୧୫ ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିପାରିଛି ।

ସେହିପରି ଆଠମଲ୍ଲିକରେ ମନଯୋର ପ୍ରକଳ୍ପର ସଂପ୍ରସାରଣ ମଧ୍ୟ ସଂପୂର୍ଣ୍ଣ ହୋଇଛି । ଏହାଦ୍ବାରା ଆଠମଲ୍ଲିକ ବ୍ଲକ ଓ ଏନଏସିର ୨୮ଟି ଗାଁର ୫ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିପାରିଛି।

ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଶେଷ ହୋଇଛି। ଜଳସେଚନ ପାଇଁ ଭୂତଳ ପାଇପ ଲାଇନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକ୍‌ର ୨୯ଟି ଗାଁର ୧୨,୫୦୦ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ 5T ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି। ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କୃଷି ଓ କୃଷକଙ୍କ କଲ୍ୟାଣ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ସେ ସବୁବେଳେ ଭୁବନେଶ୍ୱରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ଭାଇ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରୁଛନ୍ତି। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହେଉଛି ବୋଲି ଜାଣି ସେ ଖୁସୀ ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କାଳିଆ ଯୋଜନା, ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା, ମାଗଣାରେ ଫସଲବୀମା ସୁବିଧା, ଚାଷୀ ପରିବାରର ପିଲାଙ୍କ ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ଏବଂ ଚାଷୀ ଭାଇ ଭଉଣୀଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି।

ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ସହ ରାଜ୍ୟର ଚାଷୀ ପରିବାର ଯୋଡି ହୋଇ ରହିଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମା’ମାନେ ସବୁଠାରୁ ଅଧିକ ସାମିଲ ହୋଇଛନ୍ତି ବୋଲି ସେ କହିବା ସହିତ ଆମର ନୂଆ କାର୍ଯ୍ୟକ୍ରମ ‘ଆମ ଓଡିଶା ନବୀନ ଓଡିଶା’ ଓ ‘ଲକ୍ଷ୍ମୀ’ ଯୋଜନାରେ ଚାଷୀ ଭାଇ ଭଉଣୀମାନେ ସବୁଠାରୁ ଅଧିକ ଉପକୃତ ହେବେ ବୋଲି କହିଥିଲେ।

ଚାଷୀ ଭାଇଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ସାରଥୀ ବୋଲି କହି ସେମାନଙ୍କ ସହିତ ମୁଁ ସବୁବେଳେ ରହିଛି, ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିରଠାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉପସ୍ଥିତ ରହି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଦାୟିତ୍ୱ ନେବାଠାରୁ ଏହି ୨୪ ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଚାଷୀର ଉନ୍ନତି ଓ ସମୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ବଳରେ ଆଜି ରାଜ୍ୟର କେବଳ ପୁରୁଷ ଚାଷୀମାନେ ନୁହେଁ, ମହିଳା ଚାଷୀମାନେ ମଧ୍ୟ ଆଗକୁ ଆସି କୃଷି କ୍ଷେତ୍ରରେ ସଫଳତା ପାଉଛନ୍ତି।

ଢେଙ୍କାନାଳରେ ଉପସ୍ଥିତ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ୫୦ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ଯାହା ହୋଇନଥିଲା, ୨୪ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ମୁଖ୍ୟମନ୍ତ୍ରୀ ତାହା କରି ଦେଖାଇଛନ୍ତି। ଯଦି ଚାଷ ଜମିକୁ ସଠିକ ଭାବେ ଜଳସେଚନ ଯୋଗାଇ ଦିଆଯିବ ତେବେ କୃଷକର ସବୁ ସମସ୍ୟା ଦୂର ହୋଇଯିବ ଏହି କଥାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଜଳସେଚନ କ୍ଷେତ୍ରର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ କହିଥିଲେ ଯେ ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଛାତ୍ର ମାନଙ୍କ ପାଇଁ ୯ ହଜାର ଓ ଛାତ୍ରୀମାନଙ୍କ ପାଇଁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ରହିଛି। ଏହି ଯୋଜନା ବିଷୟରେ ଆପଣମାନେ ଘରେ ପିଲାମାନଙ୍କୁ ଜଣାନ୍ତୁ ଓ ଏହାର ସୁଯୋଗ ଲାଭ କରନ୍ତୁ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡିରେ ଉପସ୍ଥିତ ବିଧାୟକ ଶ୍ରୀ ଭୁପିନ୍ଦର ସିଂ ଏବଂ ଢେଙ୍କାନାଳରେ ଉପସ୍ଥିତ ବିଧାୟକ ଶ୍ରୀ ସୁଧିର କୁମାର ସାମଲ ମୁଖ୍ୟମନ୍ତ୍ରୀଙ୍କ ଏହି ଚାଷୀ ହିତୈଷୀ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଆଠମଲିକର ୨ଜଣ ଚାଷୀ ସନ୍ତୋଷ ଷଣ୍ଢ ଓ ତପନ ପାତ୍ର ପୂର୍ବରୁ ସେମାନେ ଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରୁଥିଲେ, ଏବେ ମନଯୋର ପ୍ରକଳ୍ପ ମାଧ୍ୟମରେ ସଠିକ ଭାବେ ଚାଷ କରି ଜମିରୁ ଅଧିକ ଫସଲ ଅମଳ କରି ଲାଭବାନ ହେବେ ବୋଲି କହିଥିଲେ ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ଉନ୍ନୟନ କମିଶନର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଜଳ ସମ୍ପଦର ବିକାଶକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ପ୍ରକଳ୍ପ 5T ଉପକ୍ରମରେ ଆରମ୍ଭ ହୋଇ ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଶେଷ ହୋଇଛି। ଆଜି କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଗୁଡିକ ଚାଷୀ ଭାଇଭଉଣୀମାନଙ୍କ ପାଇଁ ବହୁ ଉପଯୋଗୀ ହେବ ବୋଲି ସେ କହିଥିଲେ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପାଞ୍ଚୋଟି ଜିଲ୍ଲା ପାଇଁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର।

ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି। 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ଟି ଜିଲ୍ଲା ଯୋଡି ହେଇଥିଲା । ଆଜି ଆଉ ୫ଟି ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଲକ୍ଷ୍ମୀ ଯୋଜନାରେ ସାମିଲ ହେଲା । ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲା ସାମିଲ।

ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ୍‌ ଚାଲିଲା। ଏହା ଦ୍ୱାରା ୮୩ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ବଲାଙ୍ଗିରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌ ଚାଲିଲା ଏବଂ ୧୬.୫୦ ଲକ୍ଷ ଲୋକ ଉପକୃତ ହେଲେ। ବରଗଡର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍‌ ଚାଲିଲା ଏବଂ ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେଲେ।

କେନ୍ଦୁଝରର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଲା ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ । ମୟୁରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌ ଚାଲିଲା ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ। ସୁନ୍ଦରଗଡର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍‌ ଚାଲିଲା ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ।

ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସେ ପୁଣି କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ବୋଲି ସେ କହିଥିଲେ।

ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ସେ କହିଥିଲେ ଯେ ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରାଗଲା। ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ।

ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ।ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ।ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବଲାଙ୍ଗିରଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସୁନ୍ଦରଗଡରେ ଉପସ୍ଥିତ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜଠାରେ ଉପସ୍ଥିତ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରାମତୀ ବାସନ୍ତି ହେମ୍ବ୍ରମ ପ୍ରମୁଖ କହିଥିଲେ ଯେ ସମୟ ଥିଲା ସମାଜରେ ମା’ମାନେ ଅବହେଳିତ ଅବସ୍ଥାରେ ଥିଲେ।

ଆଜି ସବୁ କ୍ଷେତ୍ରରେ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବାଗ୍ରେ ରଖିଛନ୍ତି। ଗ୍ରାମାଞ୍ଚଳ ପରିବାରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଭଲ ସଡକ ନିର୍ମାଣ ହୋଇଛି। ଲକ୍ଷ୍ମୀ ବସ୍‌ ଦ୍ୱାରା ଗ୍ରାମାଞ୍ଚଳବାସୀଙ୍କର ଯାହା ଅଭାବ ଥିଲା ତାହା ପୂରଣ ହୋଇଗଲା।

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଗାଁର ଲୋକମାନେ ସହରର ସୁବିଧା ପାଉଛନ୍ତି। ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳର ଜନଜୀବନକୁ ସୁଗମ କରିଛି। ଜାତୀୟ ସ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଛନ୍ତି। ଓଡିଶାର ଜନସାଧାରଣଙ୍କ ସରକାରଙ୍କ ପ୍ରତି ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ବରଗଡବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଚଳିତ ମାସ ୨୦ ତାରିଖରେ ଆପଣମାନଙ୍କର ବହୁ ପ୍ରତିକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ।

ସେହିପରି ମୟୁରଭଞ୍ଜ ଜିଲ୍ଲାବାସୀଙ୍କୁ କହିଥିଲେ ଯେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ କାର୍ଯ୍ୟ ଜାରି ରହିଛି ଏବଂ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ କରାଯିବ। ସୁନ୍ଦରଗଡ ଜିଲ୍ଲାର ବେଦବ୍ୟାସ ପୀଠର ରୂପାନ୍ତରଣ ସହିତ ବିଭିନ୍ନ ମନ୍ଦିର ଓ ଚର୍ଚ୍ଚର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ କହିଥିଲେ ଯେ ମା’ମାନେ ଅନୁରୋଧ କରିଥିଲେ ମଧୁବାବୁ ପେନସନ ବଢାଇବାକୁ ।

ଆପଣମାନଙ୍କ ଅନୁରୋଧ ରକ୍ଷାକରି ପ୍ରିୟ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ରାଶିକୁ ବଢାଇଛନ୍ତି। ଖୁବ ଶୀଘ୍ର ମିଶନଶକ୍ତି ମା’ମାନଙ୍କ ପାଇଁ ଅଧିକ ୫ ଲକ୍ଷ ଟଙ୍କାର ଲୋନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିବେ ବୋଲି ସେ କହିଥିଲେ। ଲକ୍ଷ୍ମୀ ବସ୍‌ ହେଉଛି ଓଡିଶାବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତାବିରାରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡରେ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ପାଟନାଗଡରେ ବିଧାୟକ ଶ୍ରୀ ସରୋଜ ମେହେର, କେନ୍ଦୁଝରରେ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ବଲାଙ୍ଗିରରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ସୁନ୍ଦରଗଡରେ ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଶ୍ରୀ ଯୋଗେଶ କୁମାର ସିଂ ପ୍ରମୁଖ ମଧ୍ୟ ଲକ୍ଷ୍ମୀ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚ ପ୍ରଶଂସାକରିବା ସହିତ 5T ଅଧ୍ୟକ୍ଷଙ୍କ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ, ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି।

ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି।

ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ସୂଚନା ଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଇଡକୋ ଜରିଆରେ ସମ୍ପାଦିତ ହୋଇଛି।

ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ ବିଏମସି ର ମେୟର ସୁଲୋଚନା ଦାସ, ସିଏମଓର ମୁଖ୍ୟ ଉପଦେଷ୍ଟା ଶ୍ରୀ ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୂଖ ସଚିବ ଶ୍ରୀ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟ ପ୍ରମୂଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଧନ୍ୟବାଦ ମୁଖ୍ୟମନ୍ତ୍ରୀ: ଏଣିକି ଘର ପାଖରେ ମାଗଣାରେ ମିଳିବ ରୋଗୀଙ୍କୁ ଡାଏଲେସିସ୍ ସୁବିଧା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ମାଗଣାରେ ଚିକିତ୍ସା ଦିଆଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ BSKY ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ରୋଗ ହେଲେ ଲୋକମାନଙ୍କର ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇପାରିଛି।

କିଡନୀ ରୋଗର ଚିକିତ୍ସା ବହୁତ ବ୍ୟୟସାପେକ୍ଷ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏସବୁ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡନୀ ରୋଗୀ ମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍‌ ସେବା ପାଇ ପାରିବେ।

ସେ କହିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲେସିସ୍‌ ସେବା- ସହାୟ ଆରମ୍ଭ ହୋଇଥିଲା। ଏହି ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା।

ପ୍ରଥମ ପର୍ଯ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଥିଲା । ଏବେ 5T ଉପକ୍ରମରେ ଏହାକୁ ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଉପଜିଲ୍ଲା ସ୍ତରରେ 32 ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ ମୁଖ୍ୟମନ୍ତ୍ରୀ କହିଛନ୍ତି। ରୋଗୀଙ୍କୁ ମାଗଣା ଡାଏଲେସିସ୍‌ ସେବା ଦେବା ପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ।

ମୋ ପାଇଁ ସବୁ ଜୀବନ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକର ରୁପାନ୍ତର କରାଯାଉଛି। ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି।ସେଠାରେ ଧନୀ ଗରିବ ସମସ୍ତ ଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଛି। ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଆମର ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୮ରେ ରାଜ୍ୟ ସରକାର ‘ସହାୟ-ଦେୟମୁକ୍ତ ଡାଏଲେସିସ୍‌ ସେବା’ ଆରମ୍ଭ କରିଥିଲେ। ଏଥିରେ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ହେଡକ୍ୱାର୍ଟର୍ସ ହସ୍ପିଟାଲରେ ୩୬ଟି ଡାଏଲେସିସ୍‌ କେନ୍ଦ୍ର ଖୋଲିଥିଲେ। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲା ଯିବାର ଲକ୍ଷ୍ୟ ରହିଛି। ଏଥିରୁ ମୁଖ୍ୟମନ୍ତ୍ରୀ ଆଜି ୧୬ଟି ଲୋକାର୍ପିତ କଲେ।

ଏହି କେନ୍ଦ୍ରଗୁଡିକ ହେଉଛି ଖୋର୍ଦ୍ଦା, ପାଲଲହଡା, ତାଳଚେର, ସୋର,କାମକ୍ଷାନଗର, ହିନ୍ଦୋଳ, ଧର୍ମଗଡ, ଗୁଣୁପୁର, ବାଲିଗୁଡା, ଆନନ୍ଦପୁର, ଚମ୍ପୁଆ, ବଣାଇଗଡ, ରାଇରଙ୍ଗପୁର, ଉଦଳା, ତିଗିରିଆ ଓ ଡୁଙ୍ଗୁରୁପାଲି। ଏହି ସଂପ୍ରସାରଣ ଦ୍ୱାରା ୬୮ଟି ଡାଏଲେସିସ୍‌ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ସେସନ୍‌ ଡାଏଲେସିସ୍‌ ହୋଇପାରିବ ଏବଂ ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଓଡିଶାର ସାଢେ ୪ କୋଟି ଜନସାଧାରଣ ତାଙ୍କ ପରିବାର। ପ୍ରତି ଜୀବନ ତାଙ୍କ ପାଇଁ ମୂଲ୍ୟବାନ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆଜି ରାଜ୍ୟର ଗରୀବ ରୋଗୀ ଦେଶର ପ୍ରତିଷ୍ଠିତ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରୁଛି।

କଟକ ଜିଲ୍ଲା ତିଗିରିଆରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଏଣିକି ଡାଏଲେସିସ୍‌ ପାଇଁ ଆଉ ଦୂରକୁ ଯିବାକୁ ପଡିବ ନାହିଁ କିଡନୀ ରୋଗୀମାନଙ୍କୁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ଯୁଗାନ୍ତକାରୀ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରି ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ କ୍ୟାନ୍‌ସର ଓ କିଡନୀ ରୋଗ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ସାଢେ ଚାରି କୋଟି ଲୋକଙ୍କୁ ତାଙ୍କ ପରିବାର ଭାବେ ଗ୍ରହଣ କରିଛନ୍ତି। ତେଣୁ ଏହାକୁ ଗୁରୁତ୍ୱର ସହ ନେଇ କ୍ୟାନ୍‌ସର ପାଇଁ କେମୋଥେରାପି ସୁବିଧା ଓ କିଡନୀ ରୋଗ ପାଇଁ ଡାଏଲେସିସ୍‌ ସୁବିଧା ଘର ପାଖରେ ମାଗଣାରେ କରିଛନ୍ତି।

ଏହି ଡାଏଲେସିସ୍‌ ସୁବିଧା ଆଜି ଆପଣଙ୍କ ଘର ପାଖରେ ଉପଲବ୍ଧ ହୋଇଛି। ସମସ୍ତ ରୋଗୀ ଏଣିକି ବିନା ଖର୍ଚ୍ଚରେ ଘର ପାଖରେ ଏହି ସୁବିଧା ପାଇବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଗ୍ରାମାଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଜୁ ନବୀନ କାର୍ଡ ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ।

କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ମାନେ ସମାଜର ସେବା କରୁଛନ୍ତି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଲେ ଯେ BSKY ନବୀନ କାର୍ଡ ପଞ୍ଜିକରଣ ସମୟ ଅବଧିକୁ ଆବଶ୍ୟକ ପଡିଲେ ଆହୁରି ବୃଦ୍ଧି କରାଯିବ।

ବଣାଇ, ଗୁଣୁପୁର, ପାଲଲହଡା, ଧର୍ମଗଡ, ସୋର, ଉଦଳା ଓ ରାଇରଙ୍ଗପୁର ଉପଜିଲ୍ଲା ଡାକ୍ତରଖାନାରେ ଆୟୋଜିତ କାର୍ଯ୍ୟକ୍ରମରେ କିଡନୀ ରୋଗ ପାଇଁ ଡାଏଲେସିସ୍‌ ନେଉଥିବା ରୋଗୀମାନେ ଦେବେନ୍ଦ୍ର ଦାସ, ବିଜୟଲକ୍ଷ୍ମୀ ସାହୁ, ଭଗବାନ ପାତ୍ର, ଅଭିକ୍ଷେତ୍ର ସୁନାନୀ, ସତ୍ୟଜିତ ପଣ୍ଡା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ପୂର୍ବରୁ ଡାଏଲେସିସ୍‌ ପାଇଁ ଆମେ ଦୂରକୁ ଯାଇ ମାନସିକ ଓ ଆର୍ଥିକ ସ୍ତରରେ ସମସ୍ୟାର ସମ୍ମୁଖିନ ହେଉଥିଲୁ। 5T ଅଧ୍ୟକ୍ଷ ଆମ ଅଞ୍ଚଳକୁ ଜିଲ୍ଲାଗସ୍ତ ସମୟରେ ଆସିଥିବା ବେଳେ ଆମେ ତାଙ୍କୁ ଆମର ଅସୁବିଧା ବିଷୟରେ କହିଥିଲୁ । ଆଜି ଆମର ଅସୁବିଧା ଦୂର ହେଲା ବୋଲି କହି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାଣନ୍ତୁ ଏହା ପଛରେ ଥିବା ତିନି ମୁଖ୍ୟ ବିନ୍ଧାଣୀଙ୍କ କଥା

ଭୁବନେଶ୍ବର: ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଦୀର୍ଘ ୪ ବର୍ଷର ପରିଶ୍ରମ ପରେ ଶେଷରେ ପୂର୍ଣ୍ଣ ରୂପରେଖ ନେଲା ଏହି ପ୍ରକଳ୍ପ। ଯେଉଁଥିରେ ପ୍ରାୟ ଆଠଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ଯେଉଁମାନେ ପୁରୀ ଯାଇଥିବେ ଏବଂ ଯଦି ବର୍ତ୍ତମାନ ଯିବେ, ତେବେ ଦେଖିବେ କଣ ରହିଛି ପାର୍ଥକ୍ୟ। କଣ ମିଳୁଛି ଅନୁଭବ।

ତେବେ ଏହା ପଛରେ ବା ଏହାର ପରିକଳ୍ପନା କରିବାରେ ମୁଖ୍ୟତଃ ତିନି ଜଣଙ୍କର ପ୍ରମୁଖ ଭୂମିକା ରହିଛି। କାରଣ ସେମାନଙ୍କର ସହଯୋଗ ବା ମନବୋଳ ନ ଥିଲେ ଏତେ ବଡ ପ୍ରକଳ୍ପ ପରିକଳ୍ପନା କରିବା ବା ସମ୍ଭବ କରାଇବା ସହଜ ହୋଇ ନ ଥାଆନ୍ତା। ସେହି ତିନିଜଣ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ଦିବ୍ୟସିଂହ ଦେବ ଏବଂ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ନବୀନ ପଟ୍ଟନାୟକ

ଏହି ବୃହତ ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ହିଁ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ। ଏହି ଶ୍ରୀମନ୍ଦିର କିପରି ଭକ୍ତଙ୍କୁ ବହୁତ ସୁବିଧା ପ୍ରଦାନ କରିବ ସେ ନେଇ ସେ ଚିନ୍ତିତ ଥିଲେ। ଆଉ ତାହାରି ରୂପରେଖ ହେଉଛି ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।

୨୦୨୦ ମସିହା ଜାନୁୟାରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଏହି ପରିକ୍ରମା ପ୍ରକଳ୍ପର ପୁରୀ ନକ୍ସାକୁ ଅନୁଧ୍ୟାନ କରି ଅନୁମୋଦନ ପ୍ରଦାନ କରିଥିଲେ। ସେହି ଅନୁସାରେ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଆରମ୍ଭ ହେଲା ଯୋଜନା। ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭୂମିପୂଜନ କରିଥିଲେ।

ପରିକ୍ରମା ପ୍ରକଳ୍ପର ପ୍ରମୁଖ ବିନ୍ଧାଣୀ ଗଜପତି ଦିବ୍ୟସିଂହ ଦେବ

ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ହେଉଛନ୍ତି ଗଜପତି ଦିବ୍ୟସିଂହ ଦେବ। ଯାହାଙ୍କର ବିନା ସହଯୋଗରେ ଏତେବଡ ପ୍ରକଳ୍ପ ହେବା ସମ୍ଭବ ହୋଇ ନ ଥାଆନ୍ତି। ଜଗନ୍ନାଥଙ୍କର ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜା। ତାଙ୍କର ଅନୁମୋଦନ ଏବଂ ପରାମର୍ଶ କ୍ରମେ ନିର୍ମାଣ ହୋଇପାରିଛି ଏହି ପରିକ୍ରମା ପ୍ରକଳ୍ପ।

ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟର ମୁଖ୍ୟ। ଏହି କାର୍ଯ୍ୟଟି ସଂପୂର୍ଣ୍ଣ ଶ୍ରୀମନ୍ଦିର ପରିଚାଳନା କମିଟର ପ୍ରତ୍ୟେକ୍ଷ ତତ୍ବାବଧାନରେ ନିର୍ମାଣ ଚାଲିଥିଲା। ସେଥିପାଇଁ ଗଜପତି ମହାରାଜା କମିଟର ମୁଖ୍ୟ ଭାବେ ଏହି ପ୍ରକଳ୍ପର ମୁଖ୍ୟ ପୁରୋଧା ମଧ୍ୟ ଥିଲେ। ସେହିପରି ଗଜପତି ମହାରାଜା କର୍ତ୍ତା ସାଜି ପ୍ରକଳ୍ପର ସମସ୍ତ ପୂଜାବିଧି କାର୍ଯ୍ୟ ସଂପର୍ଣ୍ଣ କରିଥିଲେ।

ପରିକ୍ରମା ପ୍ରକଳ୍ପର ପ୍ରଧାନ ବିନ୍ଧାଣୀ କାର୍ତ୍ତିକ ପାଣ୍ଡିଆନ

ଏହି ପ୍ରକଳ୍ପର ପ୍ରକୃତ ତଥା ପ୍ରଧାନ ବିନ୍ଧାଣୀ ଥିଲେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରକଳ୍ପର ରୂପରେଖ ପ୍ରସ୍ତୁତଠାରୁ ଆରମ୍ଭ କରି ଡିଜାଇନିଂ ଏବଂ ନିର୍ମାଣ କାର୍ଯ୍ୟ ପାଣ୍ଡିଆନଙ୍କ ଦ୍ବାରା ତଦାରଖ କରାଯାଇଥିଲା। କାରଣ ତାଙ୍କର ତୀକ୍ଷ୍ମ ବୁଦ୍ଧି ଯୋଗୁଁ ଆଜି ଏହି ପ୍ରକଳ୍ପ ବିଶ୍ବ ଦରବାରରେ ସୁପ୍ରତିଷ୍ଠିତ ହୋଇପାରିଛି।

ଦୀର୍ଘ ୪ ବର୍ଷ ଧରି ଚାଲିଥିବା ଏହି ପ୍ରକଳ୍ପକୁ ତଦାରଖ କରିବା ପାଇଁ ପାଣ୍ଡିଆନ ପ୍ରତି ଶନିବାର ଦିନ ପୁରୀ ଗସ୍ତ କରୁଥିଲେ। ସେ ପ୍ରଥମେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବା ସହିତ ମନ୍ଦିର ଚାରିପଡେ ବୁଲି ଏହି କାର୍ଯ୍ୟର ସମୀକ୍ଷା କରୁଥିଲେ।

ତେବେ ପାଣ୍ଡିଆନଙ୍କ ବଡ ପଦକ୍ଷେପ ହେଉଛି ଶ୍ରୀମନ୍ଦିର ଚାରିପଟୁ ବିଭିନ୍ନ ନିର୍ମାଣକୁ ହଟାଇବା। ପ୍ରାଚୀନ ଯୁଗରୁ ରହିଥିବା ଏହି ମଠ ଏବଂ ଘରକୁ ବିନା କୌଣସି ବାଧାବିଘ୍ନରେ ତାହାକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ପାଣ୍ଡିଆନ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ଦୀପଜାଳି, ଘଣ୍ଟ ବଜାଇ ସଂକୀର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଫିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପୋଲିସ ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ଏହି ପବିତ୍ର ଦିବସରେ ଜଗନ୍ନାଥ ପ୍ରେମୀ ତଥା ଭକ୍ତମାନଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଏକ ନିବେଦନ କରିଛନ୍ତି।

ପ୍ରକଳ୍ପ ଉଦଘାଟନ ଦିନ ସମସ୍ତେ ନିଜ ନିଜ ଘରେ ଦୀପ ଜାଳି, ଶଙ୍ଖ ବଜାଇ ଗ୍ରାମରେ ସଂକୀର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୭ ତାରିଖରେ ପ୍ରଭୃଙ୍କ ଇଚ୍ଛାରେ ପ୍ରକଳ୍ପ ଉଦଘାଟନ ହେଉଛି। ସମସ୍ତେ ତାହା ଦେଖିବା ସୁଯୋଗ ହୁଏତ ପାଇପାରିବେ ନାହିଁ। ହେଲେ ସେହିଦିନ ସମସ୍ତେ ଭକ୍ତିପୂତଚିତରେ ଠାକୁରଙ୍କୁ ଧ୍ୟାନ କରିନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ବିଶ୍ବବାସୀଙ୍କ ଠାକୁର। ତାଙ୍କର ବହୁ ଭକ୍ତ ଦେଶ ଓ ବିଦେଶରେ ରହିଛନ୍ତି। ଦୂରରେ ଥିବା ସେହି ଭକ୍ତମାନେ ଉଦଘାଟନ ଦିନ ପୁରୀ ଆସିବା ସମ୍ଭବ ହୋଇପାରିବ ନାହିଁ। ସେଥିପାଇଁ ଦେଶବିଦେଶରେ ଥିବା ଜଗନ୍ନାଥ ଭକ୍ତଗଣ ନିଜ ନିଜ ସ୍ଥାନରେ ଠାକୁରଙ୍କୁ ଧ୍ୟାନ କରିବାକୁ ସେ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ବିନ ପତ୍ରଟିଏ ମଧ୍ୟ ହଲେ ନାହିଁ। ତେଣୁ ବର୍ତ୍ତମାନ ଯାହାସବୁ ହେଉଛି ତାଙ୍କର ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଛି। ଆମେମାନେ ଭାଗ୍ୟବାନ ଯେ, ଏହିପରି ଏକ ପ୍ରକଳ୍ପ ଦେଖିବାର ସୌଭାଗ୍ୟ ମିଳିଛି। ଗଜପତି ମହାରାଜଙ୍କ ଅନୁସାରେ ସାତ ଶହ ବର୍ଷ ମଧ୍ୟରେ ଶ୍ରୀମନ୍ଦିରର ଏପରି କାମ ହୋଇ ନ ଥିଲା। ସେଥିପାଇଁ ଆସନ୍ତା ୧୭ ତାରିଖ ଓଡିଶା ଇତିହାସରେ ଏକ ଗୌରବର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରିକ୍ରମା ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ହେଉଛି ସାଧୁସନ୍ଥ ତଥା ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା କରିବା ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସେମାନେ ଯେପରି ଭକ୍ତିପୂତ ଭାବେ ମନ୍ଦିର ପରିକ୍ରମା କରିପାରିବେ ସେହି ସୁବିଧା କରାଯାଇଛି। ପୂର୍ବରୁ ରାଜାମହାରାଜାମାନେ ଏହି ମନ୍ଦିରର ସୁରକ୍ଷା କରିଆସିଛନ୍ତି। ସେମାନେ ସବୁ ସ୍ମରଣୀୟ। ବର୍ତ୍ତମାନ ପୁରୀ ଆସୁଥିବା ଭକ୍ତମାନେ ଯେପରି ଦିବ୍ୟ ଅନୁଭବ ନେଇପାରିବେ ସେଥିପାଇଁ ଏହି ପ୍ରକଳ୍ପ କରାଯାଇଛି।

ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ସେବାୟତଙ୍କ ବିଶେଷ ସହଯୋଗ ପାଇଁ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ପ୍ରକଳ୍ପର ନିର୍ମାଣ ଶ୍ରମିକ, ସମସ୍ତ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଓଡିଶା-୨୦୨୪ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଏଥର ମହିଳା ଚାଷୀଙ୍କୁ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

ଏହି ଅବସରରେ ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁତ ଖୁସିର କଥା ଯେ ଏ ବର୍ଷର ‘କୃଷି ଓଡିଶା’ କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ। ଏହା କୃଷି କ୍ଷେତ୍ରରେ ମା’ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଏହା ଏ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି କୃଷି କ୍ଷେତ୍ରରେ ମଧ୍ୟ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି। କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି। ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ, କଫି ମିଶନ ଆଦି ଅନେକ ଯୋଜନା ଚାଲିଛି। ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ମା’ମାନଙ୍କ ସଶକ୍ତିକରଣ କେବଳ ଏକ ପରିବାରକୁ ନୁହେଁ, ବରଂ ସାରା ସମାଜକୁ ସଶକ୍ତ କରେ ବୋଲି ମତ ଦେଇ ସେ କହିଥିଲେ ଯେ ସେମାନଙ୍କର ସଶକ୍ତିକରଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ମିଶନ ଶକ୍ତି ଜରିଆରେ ମା’ମାନେ ବିକାଶର ସବୁ କ୍ଷେତ୍ରରେ ସହଭାଗୀ ହୋଇପାରିଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଏକ ବହୁତ ଭଲ ଯୋଜନା ବୋଲି ପ୍ରକାଶ କରି ସେ କହିଥିଲେ ଯେ କାଳିଆ ବୃତ୍ତିର ପରିସରକୁ ଆହୁରି ବ୍ୟାପକ କରାଯାଇଛି। ଏହାଦ୍ୱାରା ଆହୁରି ଅଧିକ ଚାଷୀ ପରିବାରର ପିଲା ବୃତ୍ତି ପାଇପାରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସେଠାରେ ଉପସ୍ଥିତ କୃଷି ବିଜ୍ଞାନୀ ତଥା ବିଶେଷଜ୍ଞମାନଙ୍କୁ ସ୍ୱାଗତ କରି ସେ କହିଥିଲେ ଯେ ରାଜ୍ୟର କୃଷି କ୍ଷେତ୍ରର ଅଭିବୃଦ୍ଧିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷିର ଉନ୍ନତି ଓ କୃଷକ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କର ମତାମତ ଓ ପରାମର୍ଶକୁ ସ୍ୱାଗତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭବନ ଏବଂ ଇମେଜ ର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ରଖିଥିଲେ। ସୂଚନାଯୋଗ୍ୟ ଯେ ଏହି କ୍ୟାମ୍ପସ ସ୍ଥାନୀୟ ଶିରିପୁରଠାରେ ପ୍ରତିଷ୍ଠା କରାଯାଉଛି। ୧୧୩ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେଉଥିବା ଏହି କ୍ୟାମ୍ପସ କୃଷି ସଂପ୍ରସାରଣର କ୍ଷେତ୍ରରେ ଏକ ସେଣ୍ଟର ଫର ଏକ୍ସଲାନସି ଭାବରେ କାମ କରିବ। ସେହିପରି କୃଷି ଉଦ୍ୟୋଗ ଭବନ ନୂଆପଲ୍ଲୀଠାରେ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୨୮ କୋଟି ଟଙ୍କା ବିନିଯୋଗ କରାଯିବ। କୃଷି ଉଦ୍ୟୋଗ କ୍ଷେତ୍ରରେ ଏହା ରାଜ୍ୟର ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କୃଷି ବିଜ୍ଞାନୀ ଡ. ସ୍ୱାତୀ ନାୟକଙ୍କୁ ସମ୍ମାନିତ କରିଥିଲେ। ଏହା ସହିତ ଅଭିନବ କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ଯୋଜନାରେ ୧୭ ଜଣ କୃଷକଙ୍କୁ ପୁରସ୍କୃତ କରିବା ସହ ୧୦ ଜଣ ସଫଳ ମହିଳା ଚାଷୀଙ୍କୁ ସମ୍ମାନିତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର କୃଷି ଋଣ ମଡ୍ୟୁଲର ସଫଳ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ଚାଷୀମାନେ ଖୁବ୍ ଶୀଘ୍ର ଓ ସୁବିଧାରେ ଫସଲ ଋଣ ପାଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୋଜିତ ଏକ କୃଷି ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ୧୯୯୯ରେ କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବ୍ୟୟ ରାଜ୍ୟ ବଜେଟ୍‌ର ମାତ୍ର ୪.୬୬ ପ୍ରତିଶତ ଥିବାବେଳେ ଆଜି ଏହା ୧୧ ପ୍ରତିଶତ ହୋଇପାରିଛି। କୃଷି କ୍ଷେତ୍ରରେ ଏହି ବ୍ୟାପକ ବିନିଯୋଗ ଯୋଗୁ ଆଜି ରାଜ୍ୟର ସବୁ କ୍ଷେତ୍ରରେ ପ୍ରଗତି ଆସିଛି। ସେ କହିଥିଲେ ଯେ କୃଷି କ୍ଷେତ୍ରରେ ମହିଳା ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ କ୍ଷେତରୁ ଆରମ୍ଭକରି ଖାଦ୍ୟଥାଳି ପର୍ଯ୍ୟନ୍ତ ମହିଳାମାନେ କୃଷି କ୍ଷେତ୍ରରେ ସେମାନଙ୍କର ବଳିଷ୍ଠ ଯୋଗଦାନ ରଖିଛନ୍ତି। ମହିଳାମାନଙ୍କୁ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ପ୍ରୋତ୍ସାହନ ଦିଆଯାଉଛି। ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ଓଡିଶାର ମହିଳାମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସର୍ଗିଫୁଲ-୨୦୨୩ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ପିଲାମାନଙ୍କୁ କହିଲେ ଏପରି କଥା

ଭୁବନେଶ୍ବର: ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ। ଆଜି ଲୋକ ସେବା ଭବନ ପ୍ରେକ୍ଷାଳୟଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲା ମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗୁଫୁଲ ଏକ ବହୁତ୍ ଭଲ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ପିଲା ମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ୍। ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପିଲା ମାନଙ୍କୁ ମୋର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପିଲାମାନେ ସର୍ଗିଫଲ୍ ପାଇଁ ଭୁବନେଶ୍ଵର ଆସିଛନ୍ତି।ଭୁବନେଶ୍ବରର ବିଭିନ୍ନ ଐତିହାସିକ ସ୍ଥାନ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ବୁଲି ଦେଖୁଛନ୍ତି। ଏହାଦ୍ବାରା ସେମନଙ୍କର ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ହେଉଛି। ପିଲା ମାନଙ୍କ ଭବିଷ୍ୟତ ପାଇଁ ଏହା ଖୁବ ଭଲ ଉଦ୍ୟମ।

ଆଗକୁ ବଢିବାର ମୁଖ୍ୟ ରାସ୍ତା ହେଉଛି ଶିକ୍ଷା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯ ବିଜ୍ଞାନ, ସାହିତ୍ୟ ସହିତ ଆମେ ଆମର ରାଜ୍ୟ, ଆମ ଦେଶ, ଆମ ସଂସ୍କୃତି ସଂପର୍କରେ ମଧ୍ୟ ଜାଣିବା ଦରକାର। ନିଜର ପ୍ରତିଭାକୁ ଚିହ୍ନି, ଆଗକୁ ବଢ଼ିବା ପାଇଁ କାମ କଲେ, ଆମେ ନିଶ୍ଚୟ ସଫଳ ହେବା ବୋଲି ସେ କହିଥିଲେ।

ଜନଜାତି ବିଦ୍ୟାଳୟର ପିଲା ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ପିଲା ମାନଙ୍କ ପାଇଁ କମ୍ପୁଟର ଶିକ୍ଷା, ସ୍ବାସ୍ଥ୍ୟ ପରୀକ୍ଷା, ମାତୃଭାଷାରେ ଶିକ୍ଷାଦାନ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି।

ସ୍କୁଲ କୁ ଘର ଓ ପରିବାର ସଙ୍ଗେ ତୁଳନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ତୁମ ନିଜ ଘର ପରି, ସହପାଠୀ ମାନେ, ତୁମ ପରିବାର ସଦସ୍ୟ ପରି। ସେଥିପାଇଁ, ରାଜ୍ୟ ସରକାର ସେମାନଙ୍କ ପିତାମାତା ମାନଙ୍କୁ ସ୍କୁଲର ଭାଗୀଦାରି କରିଛନ୍ତି । ତେଣୁ ପିଲାମାନେ ଖୁସିରେ ପାଠ ପଢିବା ଉଚିତ୍ ବୋଲି ସେ କହିଥିଲେ। ପୁରସ୍କାର ପାଉଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ସୂଚନା ଯୋଗ୍ୟ ଯେ ସରଗି ଫୁଲ ହେଉଛି ଆସ୍ଥାର ପ୍ରତୀକ, ପ୍ରଗତିର ପ୍ରତୀକ, ସୃଜନର ପ୍ରତୀକ । ଏହି ଆସ୍ଥା, ପ୍ରଗତି ଓ ସୃଜନକୁ ନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭିନ୍ନ ଜନଜାତି ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାର ପ୍ରୟାସ ନେଇ ସରଗି ଫୁଲ ମହୋତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ ।

ଚଳିତ ବର୍ଷ ଏହି ସମାରୋହକୁ ଆହୁରି ବ୍ୟାପକ କରିବା ପାଇଁ ଦୁଇଟି ଜୋନ୍ ରେ ଆୟୋଜିତ କରାଯାଇଥିଲା। ପ୍ରଥମ ଜୋନ୍ ସୁନ୍ଦରଗଡ ଜିଲ୍ଲାର ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ 15 ଟି ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଭାଗ ନେଇ ଡିସେମ୍ବର 6 ଓ 8 ତାରିଖରେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ।

ସେହିପରି ଗଜପତି ଜିଲ୍ଲାର ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ୟ 15 ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ଡିସେମ୍ବର 12 ଓ 14 ତାରିଖରେ ପ୍ରତିଯୋଗିତାରେ ଯୋଗ ଦେଇ ନିଜ ପ୍ରତିଭାକୁ ପ୍ରତିଫଳିତ କରିଥିଲେ।

ବିଭିନ୍ନ କଳାରେ ପାରଦର୍ଶିତା ରଖିଥିବା ଜନଜାତି ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଓ ସେମାନଙ୍କ ପ୍ରଦର୍ଶନ ଖୁବ୍ ଉଚ୍ଚକୋଟୀର। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିବା ସେହି ଜନଜାତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା କହିଲେ ଯେ ପିଲାଙ୍କ ପ୍ରତିଭାର ପ୍ରସ୍ଫୁଟନ ଓ ବିକାଶ ପାଇଁ ସରଗି ଫୁଲ ଏକ ବହୁତ୍ ଭଲ କାର୍ଯ୍ୟକ୍ରମ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ଜନ ଜାତି ପିଲାଙ୍କ ଶିକ୍ଷା ପାଇଁ ମୁଖ୍ୟ ମନ୍ତ୍ରୀ ସବୁ ବ୍ୟବସ୍ଥା କରିଛନ୍ତି। କମ୍ପ୍ୟୁଟର ସହିତ ଇଂଲିଶ ଭାଷାରେ ଶିକ୍ଷା ଦେବ ପାଇଁ ବ୍ୟବସ୍ଥା କରିଛନ୍ତି। ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ଦେଇଛନ୍ତି। ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଵାଗତ ଭାଷଣ ଦେଇ ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋସନ୍ ସାହୁ କହିଲେ ଯେ ପିଲାଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ପାଇଁ ଗତ ୧୪ ବର୍ଷ ଧରି ସରଗୀ ଫୁଲ କାର୍ଯ୍ୟକ୍ରମ କରାଯାଉଛି।

ଏ ବର୍ଷ ପ୍ରଥମ ଥର ପାଇଁ ଜୋନାଲ ସ୍ତରରେ କାର୍ଯ୍ୟକ୍ରମ କରାଯାଇ ରାଜ୍ୟ ସ୍ତରରେ ପୁରସ୍କାର ପ୍ରଦାନ କରାଯାଉଛି। ପିଲାଙ୍କ ଆଧୁନିକ ଶିକ୍ଷା ପାଇଁ ୩୦୦ ଟି ଆଇସିଟି ଓ ଥିଙ୍କରିଂଲ୍ୟାବ କରିବାର ଲକ୍ଷ୍ୟ ରଖା ଯାଇଛି। ସେଥି ମଧ୍ୟରୁ ୧୦୦ ଟି ଲାବ୍ ପ୍ରସ୍ତୁତ ହୋଇ ସାରିଛି ବୋଲି ସେ ସୂଚନା ଦେଇଥିଲେ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆମ ଓଡିଶା ନବୀନ ଓଡିଶାରେ ସାମିଲ ହେଲା ଆଉ ତିନୋଟି ଜିଲ୍ଲା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।

ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୦.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର। ଏହିସବୁ ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍‌‌ର ୧୮୧ଟି ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ। ସେହିପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୬୯ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେଢାଖୋଲ, ରେଙ୍ଗାଲି ଓ କୁଚିଣ୍ଡା।

ଏଥିରେ ୯ଟି ବ୍ଲକ୍‌ର ୧୩୮ଟି ଗ୍ରାମପଞ୍ଚାୟତରେ ୧୮୦୧ଟି ପ୍ରକଳ୍ପ କରାଯିବ। ସେହିପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଚିତ୍ରକୋଣ୍ଡା ଓ ମାଲକାନଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍‌‌ର ୧୧୧ଟି ଗ୍ରାମ ପଞ୍ଚାୟତରେ ୧୪୩୦ଟି ପ୍ରକଳ୍ପ ହେବ।

ଆଜିର କାର୍ଯ୍ୟକ୍ରମ ପାଇଁ ମୟୁରଭଞ୍ଜ ଜିଲ୍ଲାର ୪ଟି, ସମ୍ବଲପୁର ଜିଲ୍ଲାର ୩ଟି ଓ ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଗ୍ରାମବିକାଶ କ୍ଷେତ୍ରରେ ସାରା ଭାରତବର୍ଷପାଇଁ ପଥ ପ୍ରଦର୍ଶକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଲେ ଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ସମସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଗକୁ ବଢିବାର ବାଟ ଖୋଲିଛନ୍ତି। ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଖିଚିଙ୍ଗର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଏହାର ମ୍ୟୁଜିୟମର ପୁନଃରୁଦ୍ଧାର ପାଇଁ ୯.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହିତ ଶିମିଳିପାଳ ବାଘ ସଂରକ୍ଷଣରେ ବନ୍ଧନ ନଦୀ ଉପରେ ଏକ ବୃହତ ସେତୁ ନିର୍ମାଣ ପାଇଁ ୬.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ୱାରା ସଂରକ୍ଷିତ ଜଙ୍ଗଲ ଭିତରେ ରହୁଥିବା ୧୭୦୦ ଲୋକ ଉପକାର ପାଇବେ।

ସାରସକଣା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୬.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚନ୍ଦନପୁରରୁ ଶଙ୍ଖଭାଙ୍ଗ ପର୍ଯ୍ୟନ୍ତ ୧୮.୬୬ କି.ମି. ଦୀର୍ଘ ବିକଳ୍ପ ଘାଟୀ ରାସ୍ତା ପାଇଁ ୪୬.୬୫ କୋଟି ଟଙ୍କା। ଏହା ସହିତ ବିଶୋଇରୁ ଶଙ୍ଖଭାଙ୍ଗ ପର୍ଯ୍ୟନ୍ତ ୧୩ କି.ମି. ଦୀର୍ଘ ବିକଳ୍ପ ଘାଟୀ ରାସ୍ତା ପାଇଁ ୨୬କୋଟି ଟଙ୍କା। ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ଘାଟୀ ରାସ୍ତା ଯୋଗୁ ୨ ଲକ୍ଷ ଲୋକ ଉପକୃତ ହେବେ। ଏହା ଛଡା ୨ଟି କଲେଜ, ବାଙ୍କବାଳ ବନ୍ଧ ଓ ବିଞ୍ଜଧାର ଜଳପ୍ରପାତ ପାଇଁ ୨ଟି ପର୍ଯ୍ୟଟନ ପ୍ରକଳ୍ପ ମଧ୍ୟ ରହିଛି।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରାଇରଙ୍ଗପୁର ଗୋଶାଳା ପାଇଁ ୫ ଏକର ଜମି ଦିଆଯାଇଛି ଏବଂ ଏଥିପାଇଁ ୧୩.୩୪ କୋଟି ଟଙ୍କାର କର ଛାଡ କରାଯାଇଛି। ଏଥିରେ ୩୫୮ଟି ଗାଈଗୋରୁଙ୍କ ଯତ୍ନ ନିଆଯାଉଛି। ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ୧୦.୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଝରଡିହିରୁ ଲେଲାମ ଘାଟୀ ପର୍ଯ୍ୟନ୍ତ ୫ କି.ମି. ରାସ୍ତା, ରାଇରଙ୍ଗପୁର କଲେଜ, ନେସା ବନ୍ଧର ସୌନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ ରହିଛି।

କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୦.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଠାକୁରମୁଣ୍ଡାରୁ ଉଦଳା ଦେଇ ରୂପ୍‌ସା ପର୍ଯ୍ୟନ୍ତ ସଡକ ପାଇଁ ୩୦.୯୦ କୋଟି ଟଙ୍କା, ଭୀମକୁଣ୍ଡ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ପାଇଁ ୭.୩୧ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ଏହି ପରି ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୫.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସନ୍ଥ ଭୀମଭୋଇଙ୍କ ସ୍ମୃତି ପୀଠ ଓ ପ୍ରାପ୍ତି ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮.୬୯ କୋଟି ଟଙ୍କା, ହୁମା ବକ୍ର ମନ୍ଦିର ଉନ୍ନତି ପାଇଁ ୮ କୋଟି, ରେଢାଖୋଲ ଜଗନ୍ନାଥ ମନ୍ଦିର ପାଇଁ ୨.୮୩ କୋଟି, ରେଢାଖୋଲ ପଞ୍ଚଖଣ୍ଡା ମନ୍ଦିର ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏହା ସହିତ ଜୁଜୁମରାରେ ୨ଟି MIP ଓ ୨ଟି କଲେଜର ଉନ୍ନତିକରଣ ରହିଛି। ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୁର୍ଲା ଥୁଣ୍ଟିକଟରବଗ, ଯୋଗୀ ପାଲି, ସପନେ ଆଦି ଅଞ୍ଚଳର ହୀରକୁଦ ବିସ୍ଥାପିତମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ହାଇଟେକ ସର୍ଭେ କରାଯାଇ ସମସ୍ତଙ୍କୁ ପଟ୍ଟା ଦିଆଯିବ।

ଚିପିଲିମାସ୍ଥିତ ପ୍ରସିଦ୍ଧ ମା’ ଘଣ୍ଟେଶ୍ୱରୀ ମନ୍ଦିର ପାଇଁ ୧୦.୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୀଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ପୀଠକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ୬.୪୦ କୋଟି ଟଙ୍କା ଓ ଅନେକ ସଡକ ପ୍ରକଳ୍ପ ରହିଛି। କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୮.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବାମ୍ରା ତହସିଲରେ ବିସ୍ଥାପିତମାନଙ୍କୁ ପଟ୍ଟା ଦେବା ପାଇଁ ହାଇଟେକ ସର୍ଭେ କରାଯାଉଛି। କେତୋଟି ଗୁରୁତ୍ୱପୂର୍ଣ୍ଣ ସଡକ ମଧ୍ୟ ରହିଛି।

ଏଥିରେ କେସିବାହାଲରୁ ସରଗିଡିହି ପର୍ଯ୍ୟନ୍ତ ରାସ୍ତା ପାଇଁ ୧୬.୩୦ କୋଟି, ରାଜ୍ୟ ରାଜପଥ ୨୪ରୁ ଲରିଆପାଲି ରାସ୍ତା ପାଇଁ ୧୨ କୋଟି, ଫାସିମାଲରୁ ଷଣ୍ଢପଥର ସଡକ ପାଇଁ ୬ କୋଟି ଟଙ୍କା ସାମିଲ। ଏହି ପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୧.୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୮.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଚିତ୍ରକୋଣ୍ଡାରେ ନୂଆ ସରକାରୀ ଡିଗ୍ରୀ କଲେଜ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି। ମାଥିଲି MIP ପାଇଁ ୫.୪୭ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କୁମଡାଗୁଡା ନଦୀ ଉପରେ ସେତୁ ପାଇଁ ୨୨ କୋଟି ଏବଂ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ, ସ୍କୁଲ ଓ କଲେଜ ରହିଛି।

ସେତୁ ଯୋଜନାରେ ୧୦ଟି ନୂଆ ପଞ୍ଚାୟତକୁ ସାମିଲ କରାଯାଇଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୬.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମଲିକେଶ୍ୱର ମନ୍ଦିର, ହରିଚାନ୍ଦ ଆଶ୍ରମ, ନରନାରାୟଣ ଆଶ୍ରମ, ମାନ୍ୟମକୋଣ୍ଡା ଗୁମ୍ଫାରେ ପର୍ଯ୍ୟଟନର ବିକାଶ, ବାଲିସାଗର ପୁଷ୍କରଣୀ, ସତୀଗୁଡା ଇକୋ ପାର୍କ ଓ ଅନେକ ସଡକ ପ୍ରକଳ୍ପ। ଏହି ପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୪.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ମାଲକାନଗିରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ବିଷୟରେ ଆଲୋକପାତ କରି ସେ କହିଲେ ଯେ ମାଲକାନଗିରି ମୁଖ୍ୟମନ୍ତ୍ରୀ ସବୁଠାରୁ ପ୍ରିୟ। ଅନେକ ଜନକଲ୍ୟାଣକାରୀ ଯୋଜନା- ଲକ୍ଷ୍ମୀ, ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପ୍ରଭୃତି ଯୋଜନା ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି। ମା’ ମାନଙ୍କ ପାଇଁ ଅଧିକ ୫ ଲକ୍ଷ ମାଲକାନଗିରିରୁ ହିଁ ଆରମ୍ଭ ହୋଇଥିଲା।

ଏହିପରି ୩ଟି ଜିଲ୍ଲାରେ ସମୁଦାୟ ୯୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫୬.୮୧ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ବିଧାୟକ ଶ୍ରୀ ରୋହିତ ପୂଜାରୀ, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବକ, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

ସାରସକଣାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ସାରା ଭାରତ ବର୍ଷରେ ମା’ ମାନଙ୍କ ପାଇଁ, ଝିଅ ମାନଙ୍କ ପାଇଁ ଆଗକୁ ବଢିବାର ଯଦି ଅଧିକ ସୁଯୋଗ କୋଉଠି ଥାଏ, ତାହା ହେଉଛି ଓଡିଶା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ମହିଳାମାନେ ସଶକ୍ତ ହୋଇ ବିକାଶ ପଥରେ ଅଗ୍ରସର ହେଉଛନ୍ତି। କରଞ୍ଜିଆରେ ଉପସ୍ଥିତ ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ କହିଲେ ଯେ ଏହି କାର୍ଯ୍ୟକ୍ରମ ଶ୍ରେଷ୍ଠ ଓଡିଶା ଗଠନର ଭିତ୍ତିଭୂମି ସୃଷ୍ଟି କରିଛି।

ସମସ୍ତ ସ୍ଥାନୀୟ ନେତୃବୃନ୍ଦ କହିଥିଲେ ଯେ 5T ଅଧ୍ୟକ୍ଷ ଜିଲ୍ଲାଗସ୍ତ ସମୟରେ ଆମର ଯେଉଁ ସବୁ ପ୍ରସ୍ତାବ ନେଇଥିଲେ ସେସବୁ ମାତ୍ର ୭ଦିନ ଭିତରେ ସମାଧାନ ହୋଇଗଲା। ଏଭଳି ଅନୁଭବ ଆମ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଓ ବିରଳ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଓଡିଆଙ୍କ ସବୁଠାରୁ ପ୍ରିୟ ମଣିଷ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ’ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଷଷ୍ଠ ଦିନରେ ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ରାୟଗଡ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୧ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରାୟଗଡ, ଗୁଣୁପୁର ଓ ବିଷମକଟକ। ଏହିସବୁ ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକ୍‌‌ର ୧୮୨ଟି ଗ୍ରାମ ପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ ହେବ। ସେହିପରି ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୩୯ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଝାରସୁଗୁଡା ଓ ବ୍ରଜରାଜ ନଗର। ଏଥିରେ ୫ଟି ବ୍ଲକ୍‌ର ୭୮ଟି ଗ୍ରାମପଞ୍ଚାୟତରେ ୯୫୭ ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା।

ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। ୱ୍ବାର୍କସ ହବ ହେବ। ବ୍ୟାଙ୍କ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ରାୟଗଡ ଜିଲ୍ଲାର ୩ଟି ଓ ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ ।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ରାୟଗଡ ଜିଲ୍ଲାର ରାୟଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୪.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ମଝିଘରିଆଣୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ରାୟଗଡ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ, କାଶିପୁର କୁମାଖାଲରେ ୧୨୦ ଆସନ ବିଶିଷ୍ଟ ଏକ ହଷ୍ଟେଲ, ରାୟଗଡ ମଡେଲ ଡିଗ୍ରୀ କଲେଜ, ରାୟଗଡ ଅଟୋନମସ୍ କଲେଜ ଆଦିର ଉନ୍ନତିକରଣ।

ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୮.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚଟିକଣା ଶିବ ମନ୍ଦିରର ଉନ୍ନତିକରଣ, ନେଳିଆ ବନ୍ଧର ସୌନ୍ଦର୍ଯ୍ୟକରଣ ଓ ବିକାଶ, ଖଜୁରୀ ଗାଁ ଗଡଗଡା ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ରର ବିକାଶ। ସେହିପରି ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୨.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାମେଶ୍ୱର ମହାଶମ୍ଭୁ ଶିବ ମନ୍ଦିରର ଉନ୍ନତିକରଣ, ମାତରବନମ ସଉରା ମନ୍ଦିରର ସୌନ୍ଦର୍ଯ୍ୟକରଣ, ବଂଶଧାରା ନଦୀ ଉପରେ ସେତୁ। ଏହିପରି ଜିଲ୍ଲାରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୬.୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସେହିପରି ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଲାଇକେରାସ୍ଥିତ ଜଂଘାଲିଙ୍ଗ ମନ୍ଦିର।

ଏହା ସହିତ ଝାରସୁଗୁଡାର ଗଣ୍ଡ ସମାଜ ପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ୫୦ ଡେସିମିଲ ଜମି ଦିଆଯାଇଛି। ଏହା ଦ୍ୱାରା ଗଣ୍ଡ ସମାଜର ରାଜଧାନୀରେ ରହିବା ସୁବିଧା ସହିତ ସେମାନଙ୍କ କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସୁବିଧା ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୮ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୮.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରାମଚଣ୍ଡୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ।

ଏହା ଦ୍ୱାରା ବର୍ଷକୁ ଏହି ମନ୍ଦିରକୁ ଅତି କମ୍‌ରେ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ଦୀର୍ଘ ବର୍ଷର ସମସ୍ୟାକୁ ସମାଧାନ କରି ରାଜ୍ୟ ସରକାର ସେମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

୧୮୦୦ରୁ ଅଧିକ ପରିବାରକୁ ୩୧୩୦ ଏକରରୁ ଅଧିକ ଜମି ପାଇଁ ପଟ୍ଟା ଯୋଗାଇ ଦିଆଯିବ। ଫେବୃଆରୀ ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଜିଲ୍ଲାରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗୋ, ବିଧାୟିକା ଦୀପାଳି ଦାସ, ବିଧାୟିକା ଶ୍ରୀମତୀ ଅଳକା ମହାନ୍ତିଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି।

ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେବ ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

TrainAccident Update: ଦୁର୍ଘଟଣାସ୍ଥଳକୁ ଯିବା ପାଇଁ ରାଜସ୍ବମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ଆନ୍ଧ୍ର ସୀମାନ୍ତରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସ୍ଥାନକୁ ଯିବା ପାଇଁ ଆଜି ରାଜସ୍ବମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେଠାରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ କହିଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ର ସୁଦାମ ମାର୍ଣ୍ଡି ଆନ୍ଧ୍ର ଯିବା ପାଇଁ ବାହାରିଥିବାର ଜଣାପଡିଛି।

ମନ୍ତ୍ରୀଙ୍କ ସହିତ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନର ଏବଂ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମାଟି କଳସ ଯାତ୍ରା ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି।

ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ଆସନ୍ତା କାଲିଠାରୁ ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ।

୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ। ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ପୁଣ୍ୟ ଭୂମି।

ଏ ମାଟିରେ ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବ ପାଇଁ ଅନେକ ବୀର ଶହୀଦ ହୋଇଛନ୍ତି। ସେହି ବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକ ମହତର କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଧନ୍ୟବାଦ ଦେବା ସହ ଏହି ସମସ୍ତ ପୁଣ୍ୟ ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତ ଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ ହେବ ବୋଲି କହିଥିଲେ।

ଏହି ଅମୃତ ବାଟିକା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିବା ସହ ଆଗାମୀ ପୀଢିକୁ ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳୀଦାନର ମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଆହୁରି ଉଜ୍ଜ୍ୱଳ କରିବ ଏବଂ ଏକ ନୂଆ ଓଡିଶା ତଥା ନୂଆ ଭାରତ ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।

ଏହି ଅବସରରେ ସବୁ ପଞ୍ଚାୟତରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓଡିଶାର ସବୁ ଭାଇ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ମାଟି କଳସ ଯାତ୍ରାରେ ସାମିଲ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପଞ୍ଚାୟତିରାଜ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ବୀର ସଂଗ୍ରାମୀମାନଙ୍କ ପ୍ରତି ସମ୍ମାନ ଜଣାଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସବୁ ପଞ୍ଚାୟତରେ ଜନସାଧାରଣ ସାମିଲ ହୋଇ ବୀର ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରି ସମ୍ମାନ ଜଣାଇଛନ୍ତି।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ଏକ ମନ ଏକ ପ୍ରାଣ ହୋଇ ରାଜ୍ୟ ଓ ଦେଶ ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର, ଫିଡେ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଶ୍ରୀମତୀ ରିଜନିସ୍-ଓଜୋଲା ଚେସ୍ କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଯୁବ ଚେସ୍ ପ୍ରତିଭାମାନଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କୃଷ୍ଟ ହେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ଏହି ଅବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯୁବପିଢ଼ିଙ୍କୁ ସର୍ବୋତ୍ତମ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଚେସ୍ ସେମାନଙ୍କ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ- ପ୍ରୋ ଚେସ୍-ଟା, ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଓଡ଼ିଶାରେ ୧୦୦ରୁ ଅଧିକ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଆମର ଲକ୍ଷ୍ୟ ହାସଲ ପାଇଁ ଆମେ ଫିଡେ ସହ ମିଶି କାମ କରିବାକୁ ଆଗ୍ରହୀ।

ବିଶ୍ୱ ଚେସ୍ ସମୁଦାୟ ପ୍ରତି ଅତୁଟ ସମର୍ଥନ ପାଇଁ ପରିଚିତ ଶ୍ରୀମତୀ ରିଜନିସ୍-ଓଜୋଲା ମୁଖ୍ୟମନ୍ତ୍ରୀ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଥିବା କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।

କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥି ସହ କ୍ରୀଡ଼ାବିତ ମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରିବେ ସେଥିନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭେଲିନ୍ ତାରକା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଏହି ବର୍ଷଟି ତାଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି। ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପଞ୍ଚମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କର ଏହି ସ୍ୱୀକୃତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ।

କିଶୋର କ୍ରମାଗତ ଭାବରେ ସାରା ଋତୁରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛନ୍ତି ଏବଂ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି I

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକରେ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପାଠାଗାର,୩୦ କୋଟି ବ୍ୟୟ ଅଟ୍ଟକଳ

ଭୁବନେଶ୍ବର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ୩୦ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି।
୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କ କଟକ ଗସ୍ତ ସମୟରେ କଟକ ରେ ସ୍ଵର୍ଗତ ବିଶ୍ଵନାଥ ପଣ୍ଡିତ ଙ୍କ ସ୍ମୃତି ରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ କଟକ ବାସୀଙ୍କ ମତାମତ କୁ ଗ୍ରହଣ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଲାଇବ୍ରେରୀ ରେ ଏକ ବଡ ପଠନ କେନ୍ଦ୍ର ମଧ୍ୟ ରହିବ। ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ମଧ୍ୟ ସେଠାରେ ପ୍ରସ୍ତୁତି କରି ପାରିବେ।

ସୂଚନାଯୋଗ୍ୟ ଯେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ। ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍‌ଦୁରମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ।

ତାଙ୍କ ନାମରେ ଲାଇବ୍ରେରୀ ପ୍ରତିଷ୍ଠା ଦ୍ୱାରା ସ୍ୱର୍ଗତ ପଣ୍ଡିତଙ୍କର ସ୍ମୃତିକୁ ଉପଯୁକ୍ତ ସମ୍ମାନ ମିଳିବା ସହିତ ତାଙ୍କ ଅବଦାନ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବସମାଜ ଅବଗତ ହେବା ସହିତ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆକ୍ସନ ମୁଡରେ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ଆକ୍ସନ ମୁଡରେ ଅଛନ୍ତି। କାରଣ ସେ ପ୍ରଥମେ ବିଧାନସଭାରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। ଏବେ ସେ ସାଧାରଣ ସଭାରେ ମଧ୍ୟ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ ଯେପରି କଥା କହିଛନ୍ତି ତାହା ସମାଲୋଚନା ନୁହେଁ ବରଂ ଗାଳି କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ବିଜେଡିର ଜନସଂପର୍କ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ନବୀନ ଯୋଗଦେଇ ବିରୋଧୀଙ୍କୁ ବିକାଶରେ ବାଧକ ସାଜିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ରାଜ୍ୟର ବିକାଶ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଲିଙ୍ଗରାଜ ମନ୍ଦିର ବିକାଶରେ ବାଧା ସୃଷ୍ଟି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମଧ୍ୟ ବାଧକ ସାଜିଲେ। ହେଲେ ସେଥିରେ ସେମାନେ ବାଧା ଦେବାରେ ସକ୍ଷମ ହେଲେ ନାହିଁ। ଅନ୍ୟପକ୍ଷରେ ଲୋକେ ତାଙ୍କୁ ଭଲ ଭାବରେ ଚିହ୍ନିଲେ।

ସେତିକି ନୁହେଁ ନବୀନ କହିଥିଲେ ଯେ, ଲୋକଙ୍କୁ ଭୁଲ ଖବର ଦେବା କାର୍ଯ୍ୟ କରୁଛନ୍ତି ବିରୋଧୀ ଦଳ। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ନିର୍ବାଚନ ଆସିଲେ ସେମାନେ ଲୋକଙ୍କୁ ଏପରି ଭ୍ରମିତ ଖବର ଦେଇ ଭୋଟ ହାତେଇବା ପାଇଁ ଚେଷ୍ଠା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହିଁନ୍ତି। ସେମାନଙ୍କୁ ଲୋକେ ସିଧା ପ୍ରତ୍ୟାଖାନ କରୁଛନ୍ତି ବୋଲି ଜନସଭାକୁ ଉଦବୋଧନ ଦେଇ ନବୀନ କହିଥିଲେ।

ବିରୋଧୀ ଦଳ ହେଉଛନ୍ତି ରାଜ୍ୟ ବିକାଶର ବିରୋଧୀ ଏବଂ ଜନ ବିରୋଧୀ। ସେଥିପାଇଁ ସେମାନଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଓଡିଶାର ଯେପରି ବିକାଶ ହେଉଛି ସେଥିରେ ବିରୋଧୀ ଖୁସି ନାହାଁନ୍ତି ବୋଲି ନବୀନ କହିଛନ୍ତି। ଏହିପରି ଜନ ବିରୋଧୀ କାର୍ଯ୍ୟ କଲେ ସେମାନେ କେବେ ବି କ୍ଷମତାକୁ ଆସିପାରିବେ ନାହିଁ। ଏପରିକି ଲୋକେ ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି ନବୀନ କହିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ନବୀନ କହିଥିଲେ ଯେ, ଗାନ୍ଧୀଙ୍କ ନିତି ଆମ ପାଇଁ ପ୍ରେରଣା ଦାୟକ। ବିଜେଡି ସବୁବେଳେ ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ବିଜେଡି ସବୁବେଳେ ମହିଳାଙ୍କ ଉନ୍ନତି କରିବାକୁ ଚେଷ୍ଠା କରୁଛି। ମହିଳା ସଂରକ୍ଷଣ ବିଲ ଏହାର ଏକ ବଡ ଉଦାହରଣ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବଡ ଗେମ ଚେଞ୍ଜର। ଏସବୁ ବାର୍ତ୍ତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ଆଜି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ବରର ବରଗଡର ୱାର୍ଡ ନମ୍ବର ୫୭ ର ନେତାଜୀ ପଡିଆରୁ ଏହି ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମିମାନଙ୍କୁ ଲୋକଙ୍କ ସହିତ ରହିବାକୁ ଆହ୍ବାନ ଦେଇଛନ୍ତି।

ଏହି ପଦଯାତ୍ରାରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ଦେବୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାସ, ଅଶୋକ ପଣ୍ଡା, ଅନନ୍ତନାରାୟଣ ଜେନା, ଶ୍ରୀମୟୀ ମିଶ୍ର, ଡ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ।